ଅଧ୍ୟାୟ ୩
ମରାଠା ସାମ୍ରାଜ୍ୟର ଉତ୍ଥାନ
ପର୍ତ୍ତୁଗୀଜ, ଇଂରେଜ, ଡଚ୍, ଫରାସୀ ଏବଂ ଡାନିସ୍ମାନଙ୍କ (ଦିନାମାର) ପରି ପଗଡ଼ି ପିନ୍ଧା ବା ଟୋପିପିନ୍ଧା ଜାତି ଅନ୍ୟମାନଙ୍କ ପରି ବ୍ୟବସାୟ ବାଣିଜ୍ୟ ମଧ୍ୟ କରୁଥିଲେ। କିନ୍ତୁ ସେମାନେ ଅନ୍ୟ ବ୍ୟବସାୟୀଙ୍କ ପରି ନ ଥିଲେ। ଏହି ଭୂମିରେ ପ୍ରବେଶ କରି ସେମାନଙ୍କର ଅଧିକୃତ ପରିସର ବୃଦ୍ଧି କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଧର୍ମପ୍ରଚାର କରିବାର ମୂଳ ଲକ୍ଷ୍ୟ ରଖିଥିଲେ। ସେମାନେ ଜିଦିଖୋର ଥିଲେ ଏବଂ ନୌସେନା ଓ ଗୋଳାବାରୁଦ ସେମାନଙ୍କର ପ୍ରଧାନ ଅସ୍ତ୍ର ଥିଲା। ସେମାନଙ୍କର ଯାତାୟାତକୁ ନିୟନ୍ତ୍ରଣ କରିବା ସହିତ ସେମାନଙ୍କର ସୁଦୃଢ଼ କୋଠାବାଡ଼ି ନିର୍ମାଣକୁ ଅନୁମତି ଦେବାର ନଥିଲା।
— ରାମଚନ୍ଦ୍ର ପନ୍ଥ ଅମାତ୍ୟ, ଆଜ୍ଞାପାତ୍ର (୧୭୧୫)
[ଚିତ୍ର ବର୍ଣ୍ଣନା: ପାହାଡ଼ ଉପରେ ଅବସ୍ଥିତ ରାୟଗଡ଼ ଦୁର୍ଗର ପ୍ରାଚୀର ଏବଂ ଏହାର ବିଶାଳ ପ୍ରବେଶ ଦ୍ଵାରର ଦୃଶ୍ୟ।]
ଚିତ୍ର : ୩.୧ : ବିଶାଳ ପ୍ରବେଶ ଦ୍ବାର ସହିତ ମହାରାଷ୍ଟ୍ରର ରାୟଗଡ଼ ଦୁର୍ଗ, ଯେଉଁଠାରେ ଛତ୍ରପତି ଶିବାଜୀଙ୍କର ୧୬୭୪ ମସିହାରେ ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ ସେଠାରୁ ତାଙ୍କର ଆନୁଷ୍ଠାନିକ ଭାବରେ ମରହଟ୍ଟା ସାମ୍ରାଜ୍ୟର ଶାସନ ଆରମ୍ଭ ହୋଇଥିଲା।
ଆସ ଚିନ୍ତା କରିବା ? ୧. କେଉଁମାନେ ମରାଠା ଥିଲେ ? ବ୍ରିଟିଶମାନେ କ୍ଷମତା ଦଖଲ କରିବା ପୂର୍ବରୁ ସେମାନେ କିପରି ବିଶାଳ ଅଞ୍ଚଳରେ ନିଜର ପ୍ରଭୁତ୍ବ ଜାହିର କରିପାରିଥିଲେ ? ୨. ସେମାନଙ୍କର ଶାସନର ବୈଶିଷ୍ଟ୍ୟ କ’ଣ ଥିଲା ? ୩. ଭାରତ ଇତିହାସରେ ମରାଠାମାନେ କି ପ୍ରକାର ପ୍ରଭାବ ପକାଇ ପାରିଥିଲେ ?
[ଚିତ୍ର ବର୍ଣ୍ଣନା: ୧୬୩୦ ଖ୍ରୀଷ୍ଟାବ୍ଦରୁ ୧୭୦୭ ଖ୍ରୀଷ୍ଟାବ୍ଦ ମଧ୍ୟରେ ମରାଠା ଇତିହାସର ଏକ ସମୟରେଖା (Timeline), ଯେଉଁଥିରେ ଶିବାଜୀଙ୍କ ଜନ୍ମ, ଶାସନ ଆରମ୍ଭ, ନୌବାହିନୀ ପ୍ରତିଷ୍ଠା, ଆଗ୍ରାରୁ ପଳାୟନ, ରାଜ୍ୟାଭିଷେକ, ଦକ୍ଷିଣ ଅଭିଯାନ, ମୃତ୍ୟୁ ଏବଂ ମୋଗଲ-ମରହଟ୍ଟା ସମର ଦର୍ଶାଯାଇଛି।]
୧୬୩୦ ଖ୍ରୀ:ଅ: ଶିବାଜୀଙ୍କ ଜନ୍ମ ୧୬୪୬ ଖ୍ରୀ:ଅ: ଶିବାଜୀଙ୍କର ଶାସନ ଆରମ୍ଭ ୧୬୫୭ ଖ୍ରୀ:ଅ: ମରାଠା ନୌବାହିନୀର ପ୍ରତିଷ୍ଠା ୧୬୬୬ ଖ୍ରୀ:ଅ: ଆଗ୍ରା ଜେଲରେ ବନ୍ଦୀ ଓ ପଳାୟନ ୧୬୭୪ ଖ୍ରୀ:ଅ: ରାୟଗଡ଼ ଦୁର୍ଗରେ ଶିବାଜୀଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ୧୬୭୭ ଖ୍ରୀ:ଅ: ଦକ୍ଷିଣ ଦିଗ୍ବିଜୟ (ଦାକ୍ଷିଣାତ୍ୟ ଅଭିଯାନ) ୧୬୮୦ ଖ୍ରୀ:ଅ: ଶିବାଜୀଙ୍କର ମୃତ୍ୟୁ ୧୬୮୧–୧୭୦୭ ଖ୍ରୀ:ଅ: ମୋଗଲ–ମରହଟ୍ଟା ସମର
ସାହିତ୍ୟିକ ଇତିହାସ (Literary History): ଏକ ନିର୍ଦ୍ଦିଷ୍ଟ ଭାଷାରେ ପଦ୍ୟ ବା ଗଦ୍ୟରେ ଲିଖିତ ଐତିହାସିକ କୃତି
କେଉଁମାନେ ମରାଠା ?
ବର୍ତ୍ତମାନର ମହାରାଷ୍ଟ୍ର ତଥା ଦାକ୍ଷିଣାତ୍ୟ ମାଳଭୂମିରେ ବସବାସ କରୁଥିବା ଏକ ଜନସମୂହ ବା ଲୋକମାନଙ୍କୁ ମରାଠା ବୋଲି କୁହାଯାଇଥାଏ। ସେମାନଙ୍କର ଭାଷା ମରାଠୀ ପାଇଁ ସେମାନେ ବେଶ ପରିଚିତ। ଦ୍ବାଦଶ ଶତାବ୍ଦୀରୁ ଏହି ଭାଷାର ସାହିତ୍ୟିକ ଇତିହାସ ବେଶ ସମୃଦ୍ଧ ହୋଇ ଆସିଅଛି। ଏହି ଅଧ୍ୟାୟରେ ଆମେ ଜାଣିବା ସେମାନଙ୍କର ରାଜନୈତିକ ଶକ୍ତିବୃଦ୍ଧି ଘଟି କିପରି ପରବର୍ତ୍ତୀ ସମୟରେ ଭାରତ ଇତିହାସକୁ ପ୍ରଭାବିତ କରିଥିଲା।
[ଚିତ୍ର ବର୍ଣ୍ଣନା: ସନ୍ଥ ରାମଦାସଙ୍କ ଏକ ଠିଆ ହୋଇଥିବା ଚିତ୍ର ଏବଂ ସନ୍ଥ ତୁକାରାମଙ୍କ ଏକ ଡାକଟିକଟ ଯେଉଁଥିରେ ସେ ବୀଣା ଧରି ବସିଛନ୍ତି।]
ଚିତ୍ର : ୩.୩ : ସନ୍ଥ ରାମଦାସ ଚିତ୍ର : ୩.୪ : ଡାକଟିକଟରେ ସନ୍ଥ ତୁକାରାମ
ତ୍ରୟୋଦଶ ଶତାବ୍ଦୀ ବେଳକୁ ମହାରାଷ୍ଟ୍ରର ଅଧିକାଂଶ ଅଞ୍ଚଳ ଯାଦବ ରାଜବଂଶଦ୍ଵାରା ଶାସିତ ହେଉଥିଲା ଏବଂ ଦେବଗିରି (ବର୍ତ୍ତମାନର ଦୌଲତାବାଦ) ଏହାର ରାଜଧାନୀ ଥିଲା।
[ଚିତ୍ର ବର୍ଣ୍ଣନା: ୧୭୪୦ରୁ ୧୮୪୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏକ ସମୟରେଖା, ଯେଉଁଥିରେ ଦିଲ୍ଲୀ ଉପରେ ମରାଠା ନିୟନ୍ତ୍ରଣ, ତୃତୀୟ ପାନିପଥ ଯୁଦ୍ଧ, ପ୍ରଥମ ଇଂରେଜ-ମରାଠା ଯୁଦ୍ଧ ଏବଂ ତୃତୀୟ ଇଂରେଜ-ମରାଠା ଯୁଦ୍ଧ ପ୍ରଦର୍ଶିତ।]
୧୭୫୪ ଖ୍ରୀ:ଅ: ଦିଲ୍ଲୀ ଉପରେ ମରାଠାମାନଙ୍କର ନିୟନ୍ତ୍ରଣ ୧୭୬୧ ଖ୍ରୀ:ଅ: ତୃତୀୟ ପାନିପଥ ଯୁଦ୍ଧ (ମରାଠାମାନଙ୍କ ପରାଜୟ) ୧୭୭୫–୧୭୮୨ ଖ୍ରୀ:ଅ: ପ୍ରଥମ ଇଂରେଜ–ମରାଠା ଯୁଦ୍ଧ (ମରାଠାମାନଙ୍କ ବିଜୟ) ୧୮୧୮ ଖ୍ରୀ:ଅ: ତୃତୀୟ ଇଂରେଜ–ମରାଠା ଯୁଦ୍ଧ (ମରାଠା ଶକ୍ତିର ସମାପ୍ତ)
ଚତୁର୍ଦ୍ଦଶ ଶତାବ୍ଦୀର ଆରମ୍ଭ ବେଳକୁ ଦିଲ୍ଲୀର ଖଲ୍ଜୀ ସୁଲତାନମାନଙ୍କ ଦ୍ଵାରା ଯାଦବ ରାଜବଂଶର ଶାସକମାନେ କ୍ଷମତାଚ୍ୟୁତ ହୋଇଥିଲେ।
ଏହିସବୁ ରାଜନୈତିକ ପରିବର୍ତ୍ତନ ମଧ୍ୟରେ ସାଂସ୍କୃତିକ ପରମ୍ପରା ବଜାୟ ରହିଥିଲା। ବିଶେଷକରି ଭକ୍ତି ଭାବନା ବା ନିର୍ଦ୍ଦିଷ୍ଟ ଏକ ଦେବାଦେବୀଙ୍କୁ ଉପାସନା କରିବାର ଧାରା ସମାଜରେ ସୃଷ୍ଟି ହୋଇଥିଲା। ସପ୍ତମ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ସମାଜରେ ଆଧ୍ୟାତ୍ମିକତାର ବିକାଶ ନିମନ୍ତେ ଅନେକ ସନ୍ଥ ଓ ସାଧକମାନେ ଭକ୍ତିମାର୍ଗକୁ ସର୍ବଶ୍ରେଷ୍ଠ ମାର୍ଗ ବୋଲି ଅଭିହିତ କରିଥିଲେ। ସମାଜର ବିଭିନ୍ନ କ୍ଷେତ୍ରରୁ ଏବଂ ସଂପ୍ରଦାୟରୁ ଆସିଥିବା ସାଧୁସନ୍ଥ ତଥା ସମାଜ ସଂସ୍କାରକ ମାନଙ୍କର ଆଧ୍ୟାତ୍ମିକ ସଙ୍ଗୀତ ଓ କବିତାଗୁଡ଼ିକ ଆଞ୍ଚଳିକ ଭାଷା ମାଧ୍ୟମରେ ପ୍ରକାଶିତ ହେବାରୁ ଦେଶର ସର୍ବତ୍ର ଆଦୃତ ଓ ଲୋକପ୍ରିୟତା ଲାଭ କଲା।
ଆସ ଅନୁସନ୍ଧାନ କରିବା ତୁମେ କେବେ ଭକ୍ତି ଶବ୍ଦ ସମ୍ପର୍କରେ ଶୁଣିଛ ? ତୁମେ ଏହାର ଅର୍ଥ କ’ଣ ବୁଝୁଛ ? ଭାରତର ଯେକୌଣସି ଅଂଶର ଜଣେ ଭକ୍ତି ସନ୍ଥଙ୍କୁ ଚୟନକର। ତାଙ୍କର ଜୀବନୀ, ବାଣୀ ଓ ସେ ସମାଜକୁ ଦେଇଥିବା ବାର୍ତ୍ତା ସମ୍ପର୍କରେ ଅନୁଧ୍ୟାନ କର। ତାଙ୍କର କବିତା ବା ଭଜନଗୁଡ଼ିକ ମଧ୍ୟରୁ ଗୋଟିକୁ ବାଛ ଓ ସାଙ୍ଗମାନଙ୍କ ସହିତ ଆଲୋଚନା କର।
ଜାଗିର (Jagir): ଜାଗିର ହେଉଛି ଖଣ୍ଡିଏ ଜମି ଯାହାକୁ ଜଣେ ରାଜା ବା ଶାସକ ସାମନ୍ତ ବା ସୈନିକଙ୍କୁ ନିଜର କର୍ତ୍ତବ୍ୟ ପାଇଁ ପୁରସ୍କାର ସ୍ୱରୂପ ଦେଇଥାନ୍ତି। ଜାଗିର ପାଇଥିବା ବ୍ୟକ୍ତି ସେହି ଜମିରୁ କର ସଂଗ୍ରହ କରି ନିଜ ବ୍ୟବହାରରେ ଲଗାଇଥାନ୍ତି ଓ ଆବଶ୍ୟକ ସମୟରେ ରାଜାଙ୍କୁ ସାହାଯ୍ୟ ମଧ୍ୟ କରିଥାନ୍ତି।
ଏହି ସମୟରେ ଜ୍ଞାନେଶ୍ଵର, ନାମଦେବ, ତୁକାରାମ ଏବଂ ରାମଦାସଙ୍କ ପରି ମହାରାଷ୍ଟ୍ରର ଅନେକ ସନ୍ଥ ବହୁତ ଲୋକପ୍ରିୟତା ହାସଲ କରିଥିଲେ। ସେମାନେ ଉପନିଷଦ ଏବଂ ଭଗବତ୍ ଗୀତା ପରି ଗୁରୁତ୍ଵପୂର୍ଣ୍ଣ ପୁସ୍ତକଗୁଡ଼ିକର ମରାଠୀ ଅନୁବାଦ କରିବା ଫଳରେ ସେମାନଙ୍କର ଦର୍ଶନ ଓ ଚିନ୍ତାଧାରା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିଥିଲା। ସେମାନଙ୍କ ମଧ୍ୟରୁ ଅନେକ ଶିଖଗୁରୁମାନଙ୍କ ପରି ସାମାଜିକ ସଂଗଠନ ଓ ରାଜନୀତିକ ସଚେତନତା ପାଇଁ ଗୁରୁତ୍ବ ଆରୋପ କରିଥିଲେ। ଯାହାର ଫଳସ୍ଵରୂପ ପରବର୍ତ୍ତୀ ସମୟରେ ମରାଠାମାନେ ଏକ ରାଜନୈତିକ ଶକ୍ତିରୂପେ ନିଜକୁ ସଂଗଠିତ କରିପାରିଥିଲେ। ସପ୍ତଦଶ ଶତାବ୍ଦୀ ବେଳକୁ କେତେକ ମରାଠା ମୁଖ୍ୟ ନିଜର ସାର୍ବଭୌମତ୍ୱ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଶିବାଜୀ ମରାଠାମାନଙ୍କୁ ଏକତ୍ର କରି କ୍ଷମତା ଆହରଣ ପର୍ଯ୍ୟନ୍ତ ସଫଳ ହୋଇପାରି ନଥିଲେ।
ମରାଠା ଶକ୍ତିର ପ୍ରତିଷ୍ଠା ଓ ଶିବାଜୀଙ୍କର ଉତ୍ଥାନ
୧୬୩୦ ଖ୍ରୀଷ୍ଟାବ୍ଦରେ ଶିବାଜୀ ଭୋନ୍ସଲେ ପରିବାରରେ ପିତା ସାହଜୀ ଓ ମାତା ଜୀଜାବାଈଙ୍କ ଠାରୁ ଜନ୍ମଲାଭ କରିଥିଲେ। ସେହି ସମୟରେ ସାହଜୀ ଦାକ୍ଷିଣାତ୍ୟ ସୁଲତାନତ୍ରେ କାର୍ଯ୍ୟ କରୁଥିଲେ ଓ ଅନେକ ସମୟରେ ପରିବାରଠାରୁ ଦୂରରେ ରହୁଥିଲେ। ସେତେବେଳେ ପୁନେଠାରେ ଥିବା ତାଙ୍କର ଜାଗିର ସ୍ଥାନରେ ଶିବାଜୀ ନିଜ ମାତା ଜୀଜାବାଈଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବଢ଼ିବା ସଙ୍ଗେ ସଙ୍ଗେ କେତେକ ବିଶ୍ୱସ୍ତ କର୍ମଚାରୀଙ୍କଠାରୁ ମୂଲ୍ୟବୋଧ ଓ ଉତ୍ତମ ଶିକ୍ଷା ଲାଭ କରିବାକୁ ସକ୍ଷମ ହୋଇପାରିଥିଲେ। ଏହା ସହିତ ପୁନେର ଅଞ୍ଚଳ ସବୁ ନିୟମିତ ଭାବରେ ଦକ୍ଷିଣର ସୁଲତାନଙ୍କ (ଯେଉଁମାନଙ୍କ ଅଧୀନରେ ମରାଠାମାନେ କାର୍ଯ୍ୟ କରୁଥିଲେ) ମଧ୍ୟରେ ସୃଷ୍ଟି ହେଉଥିବା ବିବାଦ ଓ ଯୁଦ୍ଧ ସାଧାରଣ ଜନତାଙ୍କୁ ଅକଥନୀୟ ଦୁଃଖ ଓ ଦୁର୍ଦ୍ଦଶା ଦେଉଥିଲା।
[ଚିତ୍ର ବର୍ଣ୍ଣନା: ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ପ୍ରସିଦ୍ଧ ପାରମ୍ପରିକ ପୋଟ୍ରେଟ୍ ଚିତ୍ର।]
ଚିତ୍ର : ୩.୫ : ବ୍ରିଟିଶ ସଂଗ୍ରହାଳୟରେ ଥିବା ୧୬୮୦ ଶତକରେ ଚିତ୍ରିତ ହୋଇଥିବା ଶିବାଜୀଙ୍କର ଏକ ଚିତ୍ରକଳା
ଶିବାଜୀଙ୍କୁ ଯେତେବେଳେ ମାତ୍ର ୧୬ ବର୍ଷ ବୟସ ହୋଇଥିଲା ସେ ସାମରିକ ଅଭିଯାନ ଆରମ୍ଭ କରିଥିଲେ। ପ୍ରଥମେ ସେ ଅବହେଳିତ ଓ ଅନଧିକୃତ ଦୁର୍ଗଗୁଡ଼ିକୁ ଅଧିକାର କରି ସେଗୁଡ଼ିକର ସୁରକ୍ଷାକୁ ସୁଦୃଢ଼ କରିବା ସହିତ ନିଜ ଅଧିକୃତ ପୁନେର ଅଞ୍ଚଳଗୁଡ଼ିକୁ ଏକତ୍ରୀକରଣ କଲେ। ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶକୁ ଗୁରୁତ୍ଵ ଦେବା ସହିତ ତାଙ୍କର ‘ସାର୍ବଭୌମତ୍ୱ ରାଜ୍ୟ’ ବା ‘ସ୍ୱରାଜ୍ୟ’ର ଦୂର ଦୃଷ୍ଟିକୁ ବର୍ଷ ବର୍ଷ ଧରି ଜୀବିତ ରଖୁଥିଲା, ଯାହାକୁ ଆମେ ଏହି ଅଧ୍ୟାୟରେ ଆଲୋଚନା କରିବା।
[ଚିତ୍ର ବର୍ଣ୍ଣନା: ସମୁଦ୍ର ମଧ୍ୟରେ ଥିବା ସୁଦୃଢ଼ ପଥର ପ୍ରାଚୀରଯୁକ୍ତ ସିନ୍ଧୁଦୁର୍ଗ ଜଳଦୁର୍ଗର ଦୃଶ୍ୟ।]
ଚିତ୍ର ୩.୬: ମହାରାଷ୍ଟ୍ର-ଗୋଆ ସୀମାନ୍ତରେ ଥିବା ‘ସିନ୍ଧୁଦୁର୍ଗ’ ଯାହା ମରାଠାମାନେ ନିର୍ମାଣ କରିଥିବା ଦୁର୍ଗମାନଙ୍କ ମଧ୍ୟରୁ ଗୋଟିଏ।
ଶିବାଜୀଙ୍କର ରାଜ୍ୟ ଖୁବ୍ ଶୀଘ୍ର ଭାରତର ପଶ୍ଚିମ ଉପକୂଳ ଆଡ଼କୁ ପ୍ରସାରିତ ହେଲା ଏବଂ ଉପକୂଳ ଅଞ୍ଚଳର ସମ୍ପଦକୁ ଅକ୍ତିଆର କରିବା ଲକ୍ଷ୍ୟରେ ତାଙ୍କୁ ଏକ ନୌସେନା ଗଠନ କରିବାର ଆବଶ୍ୟକ ପଡ଼ିଲା। ବାସ୍ତବରେ ସେହି ସମୟରେ ଶିବାଜୀଙ୍କର ଏହା ଥିଲା ଏକ ବୈପ୍ଳବିକ ପଦକ୍ଷେପ। ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ, ବିଜାପୁରର ଆଦିଲ ଶାହୀ ସୁଲତାନେତ୍ ବାଣିଜ୍ୟିକ ଜାହାଜଗୁଡ଼ିକ ରଖୁଥିଲେ ମଧ୍ୟ ଉପକୂଳକୁ ସୁରକ୍ଷା ଦେବାପାଇଁ ଏକ ନିୟମିତ ନୌସେନାର ବ୍ୟବସ୍ଥା କରିପାରିନଥିଲେ। ଏପରିକି ମୋଗଲ ସାମ୍ରାଜ୍ୟ ଦ୍ୱାରା ନିଯୁକ୍ତ ନୌଶକ୍ତି ଅତ୍ୟନ୍ତ ସ୍ଵଳ୍ପ ଥିଲା। ତେଣୁ ମରାଠା ନୌବାହିନୀ ଗଠନ ଏକ ନୂତନ ଦିଗନ୍ତ ସୃଷ୍ଟି କରିଥିଲା।
ନିଜର ଲୋକମାନଙ୍କୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଶିବାଜୀ ଏକ ଅଭିନବ ଯୁଦ୍ଧ ବିଦ୍ୟା ‘ଗରିଲା’ ରଣ କୌଶଳ ଆରମ୍ଭ କରିଥିଲେ। ଯେଉଁଥିରେ କେତେକ ଲୋକଙ୍କୁ ଛୋଟ ଛୋଟ ଦଳରେ ବିଭକ୍ତ କରାଯାଇ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ନିୟୋଜିତ କରାଯାଇଥାଏ। ସେମାନେ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ଲୁଚି ରହି ଅତର୍କିତ ଭାବରେ ଖୁବ୍ ଦ୍ରୁତ ଗତିରେ ଶତ୍ରୁ ଉପରେ ଆକ୍ରମଣ କରି ପରାସ୍ତ କରିଥାନ୍ତି। ଶିବାଜୀଙ୍କର ସଫଳତା ଖୁବ୍ ଶୀଘ୍ର ବିଜାପୁର ସୁଲତାନ୍ଙ୍କର କ୍ରୋଧର କାରଣ ହେଲା। ଯାହାର ଫଳସ୍ଵରୂପ ବିଜାପୁର ସୁଲତାନ ତାଙ୍କର ଦକ୍ଷ ସେନାପତି ଆଫଜଲ୍ ଖାଁଙ୍କୁ ଶିବାଜୀଙ୍କ ବିରୁଦ୍ଧରେ ପ୍ରେରଣ କରିଥିଲେ। ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ପ୍ରତାପଗଡ଼ ଦୁର୍ଗରେ ପରସ୍ପର ସାମ୍ନାସାମ୍ନୀ ସାକ୍ଷାତ କରିବା ପାଇଁ ଶିବାଜୀ ଓ ତାଙ୍କର ପରାମର୍ଶଦାତାମାନେ ଆଫଜଲ ଖାଁଙ୍କୁ ମନେଇ ପାରିଥିଲେ। ସେଠାରେ ଶିବାଜୀ ଆଫଜଲ୍ ଖାଁଙ୍କୁ ବାଘନଖ ଦ୍ବାରା ହତ୍ୟା କରିଥିଲେ ଏବଂ ପାହାଡ଼ରେ ଲୁଚିରହିଥିବା ସୈନ୍ୟମାନେ ଗରିଲା ଯୁଦ୍ଧରେ ଆଫଜଲ ଖାଁଙ୍କ ସୈନ୍ୟଙ୍କର ମୂଳୋତ୍ପାଟନ କରିଥିଲେ।
ଏହା ବିଷୟରେ ଚିନ୍ତା କର ଯଦି ତୁମେ ସମୟ ଯାତ୍ରା କରି ଶିବାଜୀଙ୍କ ସହିତ ସାକ୍ଷାତ କର, ତେବେ କେଉଁ ତିନୋଟି ପ୍ରଶ୍ନ ତୁମେ ତାଙ୍କୁ ପଚାରିବ ଓ କାହିଁକି ?
ମନେରଖ ବାଘନଖ ହେଉଛି ଏକ କ୍ଷୁଦ୍ର ଅସ୍ତ୍ର ଯାହା ବାଘର ପଞ୍ଝାପରି ଦେଖାଯାଇଥାଏ। ଶିବାଜୀ ଏହି ବାଘନଖ ଦ୍ଵାରା ଆଫଜଲ ଖାଁକୁ ହତ୍ୟା କରିଥିଲେ।
[ଚିତ୍ର ବର୍ଣ୍ଣନା: ଧାତୁ ନିର୍ମିତ ତୀକ୍ଷ୍ଣ ଧାରଯୁକ୍ତ ବାଘନଖ ଅସ୍ତ୍ରର ଚିତ୍ର।]
ଚିତ୍ର : ୩.୭ : ବାଘନଖ ବା ବାଘର ପଞ୍ଝା
ଆସ ଅନୁସନ୍ଧାନ କରିବା ଗରିଲା ଯୁଦ୍ଧ କୌଶଳ ସମ୍ପର୍କରେ ଅଧିକ ଜାଣିବାକୁ ଚେଷ୍ଟା କର। ପୃଥିବୀର ଅନ୍ୟ କେଉଁ ଦେଶ ଏ ପ୍ରକାର ଯୁଦ୍ଧ କୌଶଳ ଅନୁସରଣ କରିଛନ୍ତି ? ଏହି ଯୁଦ୍ଧ କୌଶଳ ଅନୁସରଣ କରିବା ପାଇଁ କେଉଁ ପ୍ରକାର ଭୌଗୋଳିକ ଅବସ୍ଥା ବିଶେଷ ଫଳପ୍ରଦ ? ତୁମର ଚିନ୍ତାଧାରା ଦଳ ଭିତରେ ଆଲୋଚନା କର।
ଲକ୍ଷ୍ୟଭେଦୀ ଆକ୍ରମଣ (Surgical Strike): ଏହା ହେଉଛି ଏକ ସାମରିକ ଆକ୍ରମଣ ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ବସ୍ତୁ ବା ଅଞ୍ଚଳର ଧ୍ବଂସ ସାଧନ କରାଯାଇଥାଏ। ବିନା କ୍ଷତି ବା ସାମାନ୍ୟ ପରିମାଣ ଧନ, ଜୀବନ ନଷ୍ଟ କରିଥାଏ।
ପରବର୍ତ୍ତୀ ସମୟରେ ମୋଗଲ ସେନାପତି ସାୟସ୍ତ ଖାଁ ଏକ ବିଶାଳ ସୈନ୍ୟବାହିନୀ ଦ୍ୱାରା ଦୀର୍ଘ ତିନି ବର୍ଷ କାଳ ଶିବାଜୀଙ୍କ ରାଜ୍ୟକୁ ଆକ୍ରମଣ କଲେ। ଶେଷରେ ମାତ୍ର ଅଳ୍ପ କେତେକ ସୈନ୍ୟଙ୍କ ସହାୟତାରେ ଶିବାଜୀ ରାତି ସମୟରେ ସାୟସ୍ତ ଖାଁଙ୍କ ଶିବିର ଉପରେ ଆକ୍ରମଣ କଲେ। ଏହି ଆକ୍ରମଣରେ ସାୟସ୍ତ ଖାଁ ନିଜର କେତୋଟି ଅଙ୍ଗୁଳି ହରାଇବା ସହିତ ଅଳ୍ପକେ ଖସିଗଲେ ଏବଂ ଖୁବ୍ ଶୀଘ୍ର ମହାରାଷ୍ଟ୍ର ପରିତ୍ୟାଗ କଲେ। ଶିବାଜୀଙ୍କର ଏହି ଅତର୍କିତ ଆକ୍ରମଣକୁ ଆଜିର ସମୟରେ ସର୍ଜିକାଲ ଷ୍ଟ୍ରାଇକ୍ ବା ଲକ୍ଷ୍ୟଭେଦୀ ଆକ୍ରମଣ ବୋଲି କୁହାଯାଏ।
ଦୀର୍ଘ ତିନି ବର୍ଷ ଧରି ଲଗାତର ଆକ୍ରମଣାତ୍ମକ କାର୍ଯ୍ୟକଳାପ ଯୋଗୁଁ ମୋଗଲ ସାମ୍ରାଜ୍ୟର ଏକ ଧନଶାଳୀ ସହର ସୁରତ୍ (ବର୍ତ୍ତମାନର ଗୁଜୁରାଟରେ)କୁ ନିଜ ଅକ୍ତିଆରକୁ ଆଣିଥିଲେ। ସେଠାରୁ ସେ ଏକ କୋଟିରୁ ଅଧିକ ଅର୍ଥ ଲାଭ କରିଥିଲେ ଯାହା ସେତେବେଳର ଏକ ବୃହତ୍ ପରିମାଣର ସମ୍ପଦ। କିନ୍ତୁ ସେ କୌଣସି ଧାର୍ମିକ ସ୍ଥାନକୁ ଆକ୍ରମଣ କରିନଥିଲେ, ଏପରିକି ମୋହନ ଦାସ ପାରେଖ ନାମକ ଜଣେ ଦାନୀ ବ୍ୟକ୍ତିଙ୍କ ଗୃହକୁ ମଧ୍ୟ ଏହି ଆକ୍ରମଣରୁ ବାଦ୍ ଦେଇଥିଲେ। କିଛି ବର୍ଷ ପରେ ସେ ପୁନର୍ବାର ସୁରତ ଅଧିକାର କରିଥିଲେ। ଏହି ଘଟଣା ସେତେବେଳେ ଏତେ ଖ୍ୟାତିଲାଭ କରିଥିଲା ଯେ ଇଂରାଜୀ ସମ୍ବାଦପତ୍ର ‘ଲଣ୍ଡନ ଗେଜେଟ୍’ ରେ ଏହା ପ୍ରକାଶ ପାଇଥିଲା। ତାଙ୍କୁ ଯଦି ଯଥାଶୀଘ୍ର ଅର୍ଥ ପ୍ରଦାନ କରାନଯାଏ, ତେବେ ସେ ପୁନର୍ବାର ସୁରତ ସହରକୁ ଅଧିକାର କରି ଧ୍ବଂସ କରି ଦେବେ ବୋଲି ୟୁରୋପୀୟ କୂଟନୈତିକ ପ୍ରତିନିଧିମାନଙ୍କୁ ଚିଠି ଲେଖୁଥିଲେ।
ସୁରତ ସହରକୁ ଅଧିକାର କରିବା ଶକ୍ତିଶାଳୀ ମୋଗଲ ସାମ୍ରାଜ୍ୟ ପ୍ରତି ଅତ୍ୟନ୍ତ ଅପମାନଜନକ ଥିଲା। ତେଣୁ ମୋଗଲ ବାଦଶାହା ଆଉରଙ୍ଗଜେବ ଶିବାଜୀଙ୍କୁ ପରାସ୍ତ କରିବା ପାଇଁ ବିଶିଷ୍ଟ ରାଜପୁତ୍ ସେନାପତି ଜୟ ସିଂହଙ୍କୁ ପଠାଇଥିଲେ। ଶିବାଜୀ ପରାଜିତ ହେବାପରେ ୧୬୬୫ ଖ୍ରୀଷ୍ଟାବ୍ଦରେ ପୁନେ ନିକଟବର୍ତ୍ତୀ ପୁରନ୍ଦର ଦୁର୍ଗରେ ଜୟସିଂହଙ୍କ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ କରିଥିଲେ। ଶିବାଜୀ ତାଙ୍କ ରାଜ୍ୟର ଏକ ବୃହତ୍ତମ ଅଂଶ ଦେବା ସହିତ ତାଙ୍କର ପୁତ୍ର ସାମ୍ଭାଜୀଙ୍କୁ ମୋଗଲ ଶାସନ କାର୍ଯ୍ୟରେ ନିୟୋଜିତ ହେବାକୁ ପଡ଼ିଥିଲା।
[ଚିତ୍ର ବର୍ଣ୍ଣନା: କାନ୍ଥରେ ଖୋଦିତ ଏକ କଳାକୃତି ଯେଉଁଥିରେ ଶିବାଜୀ ମହାରାଜ ରାଜ ଦରବାରରେ ସିଂହାସନରେ ଉପବେଶନ କରିଛନ୍ତି ଏବଂ ଦରବାରୀ ତଥା ଦର୍ଶକମାନେ ଉପସ୍ଥିତ ଅଛନ୍ତି।]
ଆଗ୍ରାସ୍ଥିତ ମୋଗଲ ଦରବାରକୁ ପରିଦର୍ଶନ କରିବା ପାଇଁ ଜୟ ସିଂହ ଶିବାଜୀଙ୍କୁ ପ୍ରବର୍ତ୍ତାଇଥିଲେ। ସେଠାରେ ଶିବାଜୀଙ୍କୁ ଆଉରଙ୍ଗଜେବ ଓ ପୂର୍ବରୁ ତାଙ୍କଦ୍ଵାରା ପରାଜିତ ହୋଇଥିବା ମୋଗଲ ସେନାପତିଙ୍କ ସମ୍ମୁଖରେ ଠିଆ ହେବାକୁ କୁହାଯାଇଥିଲା। ଶିବାଜୀ ଅପମାନରେ କ୍ରୋଧିତ ହୋଇ ଆଉରଙ୍ଗଜେବଙ୍କ ଦରବାରରୁ ବାହାରକୁ ଚାଲି ଆସିଲେ, କିନ୍ତୁ ଆଉରଙ୍ଗଜେବ ତାଙ୍କୁ ଗୃହବନ୍ଦୀରେ ରଖୁଥିଲେ। ଏଥିରୁ ମୁକ୍ତି ପାଇବା ପାଇଁ ଶିବାଜୀ ଏକ ରଣକୌଶଳ ପ୍ରସ୍ତୁତ କଲେ। ସେ ଧାର୍ମିକ ବ୍ୟକ୍ତି, ସାଧୁ ସନ୍ଥ ଓ ମୋଗଲ ସେନାପତିମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଉପହାର ବଣ୍ଟନ କରିବାକୁ ଆରମ୍ଭ କଲେ। ଏହିସବୁ ଉପହାର ମୁଖ୍ୟତଃ ବିଭିନ୍ନ ଫଳ, ମିଠା ଓ ଲଡ଼ୁ ଥିଲା ଯାହା ବଡ଼ ବଡ଼ ଟୋକେଇରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ପ୍ରଥମେ ସୁରକ୍ଷାକର୍ମୀ ବା ଜଗୁଆଳୀମାନେ ଏହିସବୁ ଉପହାର ଭର୍ତ୍ତି ଟୋକେଇଗୁଡ଼ିକୁ ତନଖ୍ କରୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଆଉ ସେପରି କଲେ ନାହିଁ। ଏହାରି ସୁଯୋଗରେ ଶିବାଜୀ ଏବଂ ତାଙ୍କର ପୁତ୍ର ସାମ୍ଭାଜୀ ଟୋକେଇ ଭିତରେ ପଶି ବାହାରକୁ ଖସି ଚାଲିଯାଇଥିଲେ। ଆଉରଙ୍ଗଜେବ ପୁନର୍ବାର ଶିବାଜୀଙ୍କୁ ବନ୍ଦୀ କରିପାରି ନଥିଲେ।
ଚିତ୍ର : ୩.୮ : ଶିବାଜୀଙ୍କର ରାଜ ଦରବାରର ଏକ ଦୃଶ୍ୟ ଯେଉଁଠାରେ ଶିବାଜୀ ସିଂହାସନରେ ବସିଛନ୍ତି ଏବଂ ଦର୍ଶକମାନଙ୍କୁ ସ୍ଵାଗତ କରୁଛନ୍ତି
କିଛି ବର୍ଷ ପରେ ୧୬୭୪ ମସିହାରେ ବୈଦିକ ରୀତିନୀତି ଅନୁସାରେ ସୁଦୃଢ଼ ପାର୍ବତ୍ୟ ଦୁର୍ଗ ରାୟଗଡ଼ଠାରେ ଶିବାଜୀଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅଭିଷେକ ପରେ ଶିବାଜୀ ତାଙ୍କ ପାରମ୍ପରିକ ପଦବୀ ‘ଶ୍ରୀରାଜା ଶିବ ଛତ୍ରପତି’ ଗ୍ରହଣ କରିବା ସହିତ ପୂର୍ବ ଶାସକମାନଙ୍କ ପରି ଏକ ନୂତନ ଅବ୍ଦ “ରାଜ୍ୟାଭିଷେକ ଶକ” ପ୍ରଚଳନ କରିଥିଲେ।
ଏହାପରେ ଶିବାଜୀ ତାଙ୍କର ଦାକ୍ଷିଣାତ୍ୟ ବିଜୟରେ ଅଗ୍ରସର ହୋଇଥିଲେ ଯାହାକୁ ‘ଦକ୍ଷିଣ-ଦିଗ୍ବିଜୟ’ ବୋଲି କୁହାଯାଏ। ଏଥିରେ ସେ ବର୍ତ୍ତମାନର ଉତ୍ତର ତାମିଲନାଡୁ ଏବଂ କର୍ଣ୍ଣାଟକର କେତେକ ଗୁରୁତ୍ଵପୂର୍ଣ୍ଣ ତଥା ଅସୁରକ୍ଷିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଥିଲେ (ଚିତ୍ର: ୩.୯ ଦେଖ)। ଶିବାଜୀଙ୍କର ଏହି ଦାକ୍ଷିଣାତ୍ୟ ଅଭିଯାନ ପରବର୍ତ୍ତୀ ସମୟରେ ମରାଠାମାନଙ୍କୁ ଶକ୍ତିଶାଳୀ ମୋଗଲ ଆକ୍ରମଣ ବିରୁଦ୍ଧରେ ରଣକୌଶଳ ପାଇଁ ବିଶେଷ ସହାୟକ ହୋଇଥିଲା।
ମନେରଖ ଶିବାଜୀ ଦକ୍ଷିଣରେ ଥିବାବେଳେ ଡଚ୍ମାନଙ୍କ ଦ୍ୱାରା କରାଯାଉଥିବା ‘କ୍ରୀତଦାସ’ ବ୍ୟବସାୟକୁ ବନ୍ଦ କରାଇଥିଲେ। ସେତେବେଳେ ଅଧିକାଂଶ ୟୁରୋପୀୟ ଭାରତୀୟମାନଙ୍କୁ ବନ୍ଦୀକରି କ୍ରୀତଦାସ ଭାବରେ ବିକ୍ରୟ କରୁଥିଲେ ଏବଂ ଶିବାଜୀ ଏହାର ପ୍ରତିବାଦ କରିବା ପୂର୍ବରୁ କୌଣସି ଭାରତୀୟ ଶକ୍ତି ଏହା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିନଥିଲେ। ଏପରି ଘୃଣ୍ୟ କାର୍ଯ୍ୟ ବିରୁଦ୍ଧରେ ଶିବାଜୀଙ୍କର ପ୍ରତିବାଦ ତାଙ୍କର ପ୍ରଜାମାନଙ୍କ ପ୍ରତି ଥିବା ଗଭୀର ଭଲ ପାଇବା ଓ ମାନବିକତାର ଜ୍ଵଳନ୍ତ ଉଦାହରଣ।
[ଚିତ୍ର ବର୍ଣ୍ଣନା: ପ୍ରାୟ ୧୬୮୦ ମସିହାରେ ଶିବାଜୀଙ୍କ ଅଧୀନସ୍ଥ ଏବଂ ଏକୋଜୀଙ୍କ ଅଧୀନସ୍ଥ ଦକ୍ଷିଣ ଭାରତୀୟ ଭୂଭାଗ, ଦୁର୍ଗ ଓ ବନ୍ଦରଗୁଡ଼ିକ ଦର୍ଶାଉଥିବା ଏକ ଐତିହାସିକ ମାନଚିତ୍ର।]
ଚିତ୍ର : ୩.୯ : ପ୍ରାୟତଃ ୧୬୮୦ ମସିହାରେ ଶିବାଜୀଙ୍କର ରାଜ୍ୟ (ଏକୋଜୀଙ୍କ ଶାସନ ସମ୍ପର୍କରେ ଏହି ଅଧ୍ୟାୟର ଶେଷ ଆଡ଼କୁ ବର୍ଣ୍ଣନା କରାଯାଇଛି।)
ପଚାଶ ବର୍ଷ ବୟସରେ ଜ୍ଵର ଯୋଗୁଁ ଶିବାଜୀଙ୍କର ମୃତ୍ୟୁ ହୋଇଥିଲା। ସେ ଥିଲେ ବାସ୍ତବରେ ଜଣେ ପ୍ରକୃତ ଦୂରଦ୍ରଷ୍ଟା ଓ ଦକ୍ଷ ରଣନୀତିଜ୍ଞ। ଜୀବନକାଳ ମଧ୍ୟରେ ତାଙ୍କର କାର୍ଯ୍ୟକଳାପ ଆଜି ଭାରତ ତଥା ଭାରତ ବାହାରେ କିମ୍ବଦନ୍ତୀ ରୂପ ନେଇଛି। ୟୁରୋପୀୟମାନେ ଶିବାଜୀଙ୍କୁ ପ୍ରାଚୀନ ଯୋଦ୍ଧା ଗ୍ରୀକ୍ବୀର ଆଲେକଜାଣ୍ଡାରଙ୍କ ସହିତ ତୁଳନା କରିଥାନ୍ତି। ବୁନ୍ଦେଲ ରାଜକୁମାର ଛତ୍ରଶାଲ୍ ମୋଗଲମାନଙ୍କ ବିରୁଦ୍ଧରେ ଶିବାଜୀଙ୍କ ରଣନୀତି ଦ୍ଵାରା ଏପରି ଭାବରେ ପ୍ରଭାବିତ ହୋଇଥିଲେ ଯେ ପରବର୍ତ୍ତୀ ସମୟରେ ଏକ ସ୍ୱାଧୀନ ବୁନ୍ଦେଲଖଣ୍ଡ ରାଜ୍ୟ (ବର୍ତ୍ତମାନର ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶର ଅଂଶ) ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥିଲେ। ପ୍ରଖ୍ୟାତ ହିନ୍ଦୀ କବି ଭୂଷଣ ବିଶେଷକରି ଶିବାଜୀଙ୍କୁ ଦେଖା କରିବାକୁ ମହାରାଷ୍ଟ୍ର ଆସିଥିଲେ ଏବଂ ତାଙ୍କୁ ପ୍ରଶଂସା କରି ଅନେକ କବିତା ରଚନା କରିଥିଲେ ଯାହା ଆଜି ମଧ୍ୟ ଲୋକପ୍ରିୟ ହୋଇପାରିଛି।
ଆସ ଅନୁସନ୍ଧାନ କରିବା ଶିବାଜୀଙ୍କ ଜୀବନର କୌଣସି ଏକ ଘଟଣାକୁ ନିଅ ଏବଂ ଶ୍ରେଣୀରେ ସାଙ୍ଗମାନଙ୍କ ସହିତ ଏହାକୁ ଅଭିନୟ କର।
ଶିବାଜୀଙ୍କ ପରେ ମରାଠା
ସାମ୍ଭାଜୀ ଓ ରାଜାରାମ ନାମରେ ଶିବାଜୀଙ୍କର ଦୁଇଟି ପୁତ୍ର ଥିଲେ। ଶିବାଜୀଙ୍କ ମୃତ୍ୟୁପରେ ସାମ୍ଭାଜୀ ‘ଛତ୍ରପତି’ ହେଲେ। ସେତେବେଳେ ଦକ୍ଷିଣରେ କେବଳ ମରାଠାମାନେ ହିଁ ମୋଗଲମାନଙ୍କର ପ୍ରତିରୋଧ କରୁଥିଲେ। ଆଉରଙ୍ଗଜେବ ଦାକ୍ଷିଣାତ୍ୟ ଆକ୍ରମଣକରି ବିଜାପୁର (ଆଦିଲ ଶାହୀ) ଏବଂ ଗୋଲକୋଣ୍ଡା (କୁତବ ଶାହୀ) ଅଧିକାର କରିଥିଲେ। ତା’ପରେ ସେ ସାମ୍ଭାଜୀଙ୍କୁ ବନ୍ଦୀ କରିଥିଲେ ଏବଂ ତାଙ୍କୁ ଅମାନୁଷିକ ଯନ୍ତ୍ରଣାଦେଇ ହତ୍ୟା କରିଥିଲେ। ଏହାପରେ ସେ ମରାଠାର ରାଜଧାନୀ ରାୟଗଡ଼କୁ ଅଧିକାର କରିଥିଲେ।
ସାମ୍ଭାଜୀଙ୍କ ପରେ ରାଜାରାମ ଛତ୍ରପତି ହେଲେ ଏବଂ ଗିଙ୍ଗୀ (ବର୍ତ୍ତମାନର ତାମିଲନାଡୁ)କୁ ପଳାୟନ କଲେ। ଫଳରେ ମୋଗଲ-ମରାଠା ବିବାଦ ଦକ୍ଷିଣ ଭାରତକୁ ବ୍ୟାପୀ ଯାଇଥିଲା। ମରାଠାମାନେ ଦୃଢ଼ ଭାବରେ ସେମାନଙ୍କର ଦୁର୍ଗଗୁଡ଼ିକୁ ସୁରକ୍ଷା ଦେଇଥିଲେ ଏବଂ ଯୁଦ୍ଧ ବା ଲଢ଼େଇରେ ମୋଗଲ ବାହିନୀକୁ ଶକ୍ତ ଜବାବ ଦେଇଥିଲେ। ତେଣୁ ଆଉରଙ୍ଗଜେବ ଦାକ୍ଷିଣାତ୍ୟକୁ ଛାଡ଼ି ଯାଇପାରିଲେ ନାହିଁ ଏବଂ ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ମରାଠାମାନଙ୍କୁ ଦମନ କରିବାକୁ ସକ୍ଷମ ହୋଇପାରିନଥିଲେ। ଫଳରେ ଦାକ୍ଷିଣାତ୍ୟରେ ମରାଠାମାନେ ମୋଗଲମାନଙ୍କର ପ୍ରମୁଖ ଦାବୀଦାର ହୋଇ ଉଭା ହେଲେ। ରାଜାରାମଙ୍କ ରାଣୀ ତାରାବାଈଙ୍କ ନେତୃତ୍ବରେ ମରାଠାମାନେ ମୋଗଲ ଶାସିତ ଅଞ୍ଚଳମାନଙ୍କରେ ନିଜ ଆଧିପତ୍ୟ ବିସ୍ତାର କରିବା ସଂଗେ ସଂଗେ ଭାରତର ଅନେକ ଅଂଚଳକୁ ନିଜ ଅଧିକାରକୁ ଆଣି ପାରିଥିଲେ।
ଦ୍ରୁତ ସାମ୍ରାଜ୍ୟ ବିସ୍ତାର ସହିତ ମରାଠାମାନେ ସଂରଚନାତ୍ମକ ପରିବର୍ତ୍ତନ ପ୍ରତି ବିଶେଷ ଧ୍ୟାନ ଦେଇଥିଲେ। ଶିବାଜୀଙ୍କ ସମୟରୁ ନାମକୁ ମାତ୍ର ଛତ୍ରପତିଙ୍କଠାରେ କେନ୍ଦ୍ରୀଭୂତ ହୋଇଥିବା ରାଜ୍ୟ ଅଧିକ ବିକେନ୍ଦ୍ରୀକରଣ ପାଇଁ ବାଟ ଦେଖାଇଲା। କିନ୍ତୁ ମୁଖ୍ୟ ଶାସକଙ୍କୁ ଅଧିକ କ୍ଷମତା ପ୍ରଦାନ କଲା। ବିଶେଷକରି ପେଶୱା (ଏକ ପାରସ୍ୟ ଶବ୍ଦ ଯାହା ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ବ୍ୟବହୃତ ହୋଇଥାଏ) ଛତ୍ରପତିଙ୍କଠାରୁ ଅଧିକ ପ୍ରଭାବ ବିସ୍ତାର କଲେ। ମୁଖ୍ୟତଃ ପେଶୱା ବାଜିରାଓ ୧ମ ଏବଂ ତାଙ୍କର ପୁତ୍ର ନାନାସାହେବ ପେଶଓ୍ବା ସର୍ବଭାରତୀୟ ମରାଠା ଶାସନ ପ୍ରସାରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
[ଚିତ୍ର ବର୍ଣ୍ଣନା: ପ୍ରକୃତିର ସୁନ୍ଦର ପରିବେଶ ମଧ୍ୟରେ ଛତ୍ରପତି ସାହୁ ମହାରାଜ ଏବଂ ନାନାସାହେବ ପେଶଓ୍ବା ଉପସ୍ଥିତ ଥିବାର ଏକ ରଙ୍ଗୀନ ପାରମ୍ପରିକ ଚିତ୍ରକଳା।]
ଚିତ୍ର : ୩.୧୦ : ଛତ୍ରପତି ସାହୁ ମହାରାଜ (ସାମ୍ଭାଜୀଙ୍କ ପୁତ୍ର) ଡାହାଣକୁ ବସିଛନ୍ତି, ଉପରେ ବାଜପକ୍ଷୀର ପ୍ରଦର୍ଶନ ଏବଂ ନାନାସାହେବ ପେଶଓ୍ବା ଉପସ୍ଥିତ ଅଛନ୍ତି।
ମରାଠାମାନେ ଭାରତର ଏକ ବୃହତ୍ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେବା ସହିତ ସେଠାରେ ସୁଶାସନ ପ୍ରଣୟନ କରି ପାରିଥିଲେ। କିନ୍ତୁ ଆଞ୍ଚଳିକ ଶାସକମାନେ ଅଧିକ କ୍ଷମତା ଓ ସ୍ଵାଧୀନତା ଲାଭ କରିବାରୁ ଅନେକ ସମୟରେ ଅନୁଶାସନର ଅଭାବ ପରିଲକ୍ଷିତ ହେଲା, ଯାହା ଶିବାଜୀଙ୍କ ଶାସନର ମୂଲ୍ୟବୋଧର ବିପରୀତ ଥିଲା। ଉଦାହରଣ ସ୍ଵରୂପ ବଙ୍ଗଳାରେ ମରାଠାମାନଙ୍କର ଦଶବର୍ଷର ଯୁଦ୍ଧ ଅଭିଯାନ ସମୟରେ ସାଧାରଣ ଜନତାଙ୍କ ଉପରେ ଅନେକ ବର୍ବରତା ଓ ଧ୍ବଂସର ଦମନଲୀଳା ଦେଖିବାକୁ ମିଳିଥିଲା।
ସେମାନଙ୍କର ଉତ୍ତରାଭିମୁଖୀ ଅଭିଯାନ ସମୟରେ ମରାଠାମାନେ ଲାହୋର, ଆଟକ୍ ଏବଂ ଏପରିକି ପେଶଓ୍ବାର (ଆଧୁନିକ ପାକିସ୍ଥାନ) ଆଦି ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ଆଣିପାରିଥିଲେ। ସେମାନେ ଆଫଗାନ୍ମାନଙ୍କ ସହିତ ସଂଘର୍ଷ କରିଥିଲେ ଏବଂ ୧୭୬୧ରେ ପାନିପଥ ଯୁଦ୍ଧରେ ଶୋଚନୀୟ ପରାଜିତ ହୋଇଥିଲେ ମଧ୍ୟ ପେଶୱା ମାଧବରାଓ ୧ମଙ୍କ ସମୟରେ ପୁଣି ନିଜକୁ ସୁଦୃଢ଼ କରିପାରିଥିଲେ। ମହାଦ୍ଜୀ ସିନ୍ଦେ (ମହାଦ୍ଜୀ ସିନ୍ଦିଆ)ଙ୍କ ନେତୃତ୍ୱରେ ୧୭୭୧ ମସିହାରେ ମରାଠାମାନେ ପୁନର୍ବାର ଦିଲ୍ଲୀ ଅଧିକାର ନିମିତ୍ତ ଅଗ୍ରସର ହୋଇଥିଲେ ଏବଂ ତିନି ଦଶନ୍ଧି ପରେ ଇଂରେଜମାନେ ଏହାକୁ ଅଧିକାର କରିବା ପର୍ଯ୍ୟନ୍ତ ଦିଲ୍ଲୀ ମରାଠାମାନଙ୍କ ନିୟନ୍ତ୍ରଣରେ ରହିଥିଲା।
ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗ ବେଳକୁ ଭାରତରେ ଇଂରେଜମାନଙ୍କର ପ୍ରଧାନ ପ୍ରତିଦ୍ଵନ୍ଦୀ ଭାବରେ ମରାଠାମାନେ ହିଁ ଉଭା ହୋଇଥିଲେ। ୧୭୭୫ରୁ ୧୮୧୮ ଖ୍ରୀ:ଅ: ମଧ୍ୟରେ ଘଟିଯାଇଥିବା ତିନୋଟି ଆଙ୍ଗ୍ଲ-ମରାଠା (ଇଂରେଜ-ମରାଠା) ଯୁଦ୍ଧ ଇଂରେଜ ଓ ମରାଠାମାନଙ୍କ ଦ୍ବାରା ସଂଗଠିତ ହୋଇଥିଲା। ମରାଠାମାନଙ୍କ ମଧ୍ୟରେ ଅନ୍ତର୍ଦ୍ଦନ୍ଦ ତଥା ଇଂରେଜମାନଙ୍କର ସାଙ୍ଗଠନିକ ଓ ବୈଷୟିକ ଦକ୍ଷତା ଯୋଗୁଁ ସେମାନେ ମରାଠା ଶକ୍ତି ଉପରେ ବିଜୟ ଲାଭ ସହିତ ସେମାନଙ୍କ ଶକ୍ତିକୁ ସମାପ୍ତ କରିବାରେ ସକ୍ଷମ ହୋଇପାରିଥିଲେ। ଏହା ଫଳରେ ଇଂରେଜମାନେ ମୋଗଲ ଓ ଅନ୍ୟାନ୍ୟ ଶକ୍ତିମାନଙ୍କ ଅପେକ୍ଷା ମରାଠାମାନଙ୍କଠାରୁ ଭାରତର ଅଧିକ ଅଞ୍ଚଳ ଅକ୍ତିଆର କରିଥିଲେ।
[ଚିତ୍ର ବର୍ଣ୍ଣନା: ୧୭୫୯ ଖ୍ରୀଷ୍ଟାବ୍ଦରେ ଭାରତୀୟ ଉପମହାଦେଶରେ ମରାଠା ସାମ୍ରାଜ୍ୟର ବିଶାଳ ସୀମା ଓ ପରିସର ଦର୍ଶାଉଥିବା ଏକ ରଙ୍ଗୀନ ମାନଚିତ୍ର।]
ଚିତ୍ର : ୩.୧୧ : ୧୭୫୯ ଖ୍ରୀ:ଅ:ରେ ମରାଠା ସାମ୍ରାଜ୍ୟର ପରିସର
ମନେରଖ ତୁମେ ଜାଣିଥିଲକି ପେଶବାଙ୍କ ଅଧୀନସ୍ଥ ଜଣେ କ୍ଷମତାଶାଳୀ ଅଧିକାରୀ ନାନା ଫଡ଼ନାବିଶ୍ ଯାହାଙ୍କୁ ପ୍ରଥମ ଅଖିଳ ଭାରତୀୟ ବ୍ରିଟିଶ ବିରୋଧୀ ମେଣ୍ଟ କରିଥିବାର ଶ୍ରେୟ ଦିଆଯାଇଥାଏ ? ସେ ମଧ୍ୟ ମୈଶୁରର ହାଇଦର ଅଲ୍ଲୀ ଏବଂ ହାଇଦ୍ରାବାଦର ନିଜାମଙ୍କ ପରି ପୂର୍ବର ବ୍ରିଟିଶ ବିରୋଧୀମାନଙ୍କୁ ଏକତ୍ରିତ କରିବାରେ ସକ୍ଷମ ହୋଇପାରିଥିଲେ।
[ଚିତ୍ର ବର୍ଣ୍ଣନା: ପ୍ରଥମ ଇଂରେଜ-ମରାଠା ଯୁଦ୍ଧ ପରେ ଜଣେ ବ୍ରିଟିଶ ଅଧିକାରୀ ନାନା ଫଡ଼ନାବିଶ୍ ଓ ମହାଦ୍ଜୀ ସିନ୍ଦେଙ୍କ ଆଗରେ ଆତ୍ମସମର୍ପଣ କରୁଥିବାର ଏକ ଐତିହାସିକ ଚିତ୍ର।]
ଚିତ୍ର : ୩.୧୨ : ପ୍ରଥମ ଇଂରେଜ ମରାଠା ଯୁଦ୍ଧ ପରେ ଜଣେ ବ୍ରିଟିଶ ଅଧିକାରୀ ନାନା ଫଡ଼ନାବିଶ୍ ଓ ମହାଦ୍ଜୀ ସିନ୍ଦେଙ୍କ ନିକଟରେ ଆତ୍ମ ସମର୍ପଣ କରୁଛନ୍ତି।
ମରାଠା ଶାସନ : ସାଧାରଣ ପ୍ରଶାସନ
ଶିବାଜୀ ତାଙ୍କର ରାଜ୍ୟପାଇଁ ଅପେକ୍ଷାକୃତ ଏକ କେନ୍ଦ୍ରୀୟ ଶାସନ ପ୍ରତିଷ୍ଠା କରିଥିଲେ। ସୁଲତାନ ଓ ମୋଗଲମାନଙ୍କ ଦ୍ବାରା ପ୍ରଚଳିତ ବଂଶାନୁକ୍ରମିକ ସରକାରୀ ପଦବୀ ତଥା ଜାଗିରୀ ବ୍ୟବସ୍ଥାକୁ ଉଚ୍ଛେଦ କରି ରାଜକୋଷରୁ କର୍ମଚାରୀମାନଙ୍କୁ ବେତନ ଦେବାର ବ୍ୟବସ୍ଥା କରିଥିଲେ। ଅନେକ ଅଧିକାରୀଙ୍କୁ ସମୟାନୁକ୍ରମେ ବିଭିନ୍ନ ସ୍ଥାନକୁ ବଦଳି କରାଯାଉଥିଲା, ଯାହାଫଳରେ ବିଭିନ୍ନ ସମୟରେ ରାଜାଙ୍କ ସହିତ ଅଧିକାରୀମାନେ କୌଣସି ସର୍ଭ ରଖୁବାର ସୁଯୋଗ ପାଉନଥିଲେ।
[ଚିତ୍ର ବର୍ଣ୍ଣନା: ଛତ୍ରପତି ଶିବାଜୀଙ୍କ ସମୟର ସ୍ୱର୍ଣ୍ଣ ଓ ରୌପ୍ୟ ମୁଦ୍ରା ଯେଉଁଥିରେ ଦେବନାଗରୀ ଲିପିରେ 'ଶ୍ରୀ ରାଜା ଶିବ ଛତ୍ରପତି' ଖୋଦିତ ହୋଇଛି।]
ଚିତ୍ର: ୩.୧୩ : ଶିବାଜୀ ନିଜର ସାର୍ବଭୌମତ୍ୱର ନିଦର୍ଶନ ସ୍ଵରୂପ ନିଜ ନାମରେ ସ୍ୱର୍ଣ୍ଣ ଓ ରୌପ୍ୟ ମୁଦ୍ରା ପ୍ରଚଳନ କରିଥିଲେ। ଏଥିରେ ଖୋଦିତ ଦେବନାଗରୀ ଲିପି ତାଙ୍କର ସାଂସ୍କୃତିକ ବୈଶିଷ୍ଟ୍ୟର ପରିଚୟ ଦେଉଥିଲା।
ଏହା ବିଷୟରେ ଚିନ୍ତା କର ରାଜ୍ୟର କୌଣସି ପ୍ରଜାଙ୍କୁ ଖରାପ ବ୍ୟବହାର କରିବା କିମ୍ବା ବଳପୂର୍ବକ କାହାଠାରୁ ତୃଣ ପତ୍ରଟିଏ ମଧ୍ଯ ନ ନେବା ପାଇଁ ଶିବାଜୀ ସରକାରୀ କର୍ମଚାରୀମାନଙ୍କୁ କଠୋର ଭାବରେ ନିର୍ଦ୍ଦେଶ ଦେଇଥିଲେ। ତାଙ୍କର ରାଜକର୍ମଚାରୀମାନଙ୍କୁ ଏକ ପତ୍ରରେ ଶିବାଜୀ ନିର୍ଦ୍ଦେଶ ଦେଇଥିଲେ : “ନୌସେନା ପାଇଁ ସାଗୁଆନ ପରି ବଡ଼ ବଡ଼ ବୃକ୍ଷର ଆବଶ୍ୟକତା ରହିଛି। ଯଦି ଆବଶ୍ୟକ ପଡ଼େ ତେବେ ଜଙ୍ଗଲ ବିଭାଗର ଅନୁମତି ନେବା ପରେ ଏପରି ବୃକ୍ଷ କାଟିବାକୁ ହେବ। ଆମ୍ବ ଓ ପଣସ ପରି ଗଛଗୁଡ଼ିକ ମଧ୍ଯ ଅତ୍ୟନ୍ତ ଦରକାରୀ କିନ୍ତୁ ସେସବୁକୁ ଆଦୌ ହାତ ଦେବା ଠିକ୍ ନୁହେଁ। କାରଣ ଏହିସବୁ ବୃକ୍ଷ ପରିପକ୍ବ ବା ପୂର୍ଣ୍ଣ ବିକଶିତ ହେବା ପାଇଁ ବହୁବର୍ଷ ଲାଗିଯାଇଥାଏ ଏବଂ ଲୋକମାନେ ନିଜ ସନ୍ତାନମାନଙ୍କ ପରି ତାହାର ଯତ୍ନ ନେଇଥାନ୍ତି। ଯଦି ତୁମେ ସେଗୁଡ଼ିକୁ କାଟିଦିଅ, ତେବେ ସେହି ଲୋକମାନଙ୍କର ଦୁଃଖ କ’ଣ ସବୁଦିନ ପାଇଁ ଦୂର ହୋଇଯିବ ? କାହାକୁ ଦମନ କରି ବା ଦୁଃଖ ଦେଇ ଯେଉଁ ସଫଳତା ହାସଲ କରାଯାଇଥାଏ, ତାହା ଦମନକାରୀ ସହିତ ସେହି ସଫଳତାର ଶୀଘ୍ର ବିଲୟ ଘଟିଥାଏ। ଠିକ୍ ସେହିପରି ଏହିସବୁ ବୃକ୍ଷର ଅନୁପସ୍ଥିତିରେ ଭୟଙ୍କର ପରିଣାମ ଘଟିଥାଏ। ତେଣୁକରି କୌଣସି ପରିସ୍ଥିତିରେ କେବେହେଲେ ବଳ ପ୍ରୟୋଗ କରିବା ଉଚିତ ନୁହେଁ।” ଶିବାଜୀଙ୍କ ପତ୍ରକୁ ଭିତ୍ତିକରି ତାଙ୍କର ମୂଲ୍ୟବୋଧ ଉପରେ ଜଣେ ଶାସକ ଭାବରେ ତୁମେ କ’ଣ କହିପାରିବ ?
[ଚିତ୍ର ବର୍ଣ୍ଣନା: ଶିବାଜୀଙ୍କ ଅଷ୍ଟପ୍ରଧାନ ମଣ୍ଡଳର ଏକ ଚିତ୍ରାତ୍ମକ ଚାର୍ଟ।]
ଚିତ୍ର : ୩.୧୪ : ଶାସନ କାର୍ଯ୍ୟରେ ସହଯୋଗ କରିବା ପାଇଁ ଶିବାଜୀ ତାଙ୍କ ମନ୍ତ୍ରୀମଣ୍ଡଳରେ ଆଠଜଣ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ ଯାହାଙ୍କୁ “ଅଷ୍ଟ ପ୍ରଧାନ ମଣ୍ଡଳ” ବା “ଅଷ୍ଟ ମନ୍ତ୍ରୀ ପରିଷଦ” ବୋଲି କୁହାଯାଉଥିଲା।
କେନ୍ଦ୍ର: ଛତ୍ରପତି (ସାର୍ବଭୌମ ରାଜା) ୧. ପ୍ରଧାନ (ପ୍ରଧାନମନ୍ତ୍ରୀ) ୨. ଅମାତ୍ୟ (ଅର୍ଥମନ୍ତ୍ରୀ) ୩. ସଚିବ (ଭୂରାଜସ୍ୱ ମନ୍ତ୍ରୀ) ୪. ମନ୍ତ୍ରୀ (ବୁଦ୍ଧିମତା ମନ୍ତ୍ରୀ) ୫. ସୁମନ୍ତ (ବୈଦେଶିକ ମନ୍ତ୍ରୀ) ୬. ସେନାପତି (ମୁଖ୍ୟ ସେନାପତି) ୭. ନ୍ୟାୟାଧୀଶ (ମୁଖ୍ୟ ବିଚାରପତି) ୮. ପଣ୍ଡିତ ରାଓ (ଧାର୍ମିକ କ୍ରିୟାକଳାପ ପ୍ରମୁଖ)
ମରାଠାମାନେ ଅନେକ ସମୟରେ ଚୌଥ (ଶହେ ଭାଗରୁ ପଚିଶ ଭାଗ) ଏବଂ ସରଦେଶମୁଖୀ (ଚୌଥକୁ ଛାଡ଼ି ଅତିରିକ୍ତ ଦଶଭାଗ) ନାମକ ଦୁଇ ପ୍ରକାର କର ଆଦାୟ କରୁଥିଲେ। ଦକ୍ଷିଣ ଓ ଉତ୍ତରର କେତେକ ଅଞ୍ଚଳ ସହିତ ଯେଉଁସବୁ ପ୍ରଦେଶ ବା ରାଜ୍ୟ ମରାଠା ସାମ୍ରାଜ୍ୟ ସହିତ ପ୍ରତ୍ୟକ୍ଷ ଭାବରେ ସଂଯୁକ୍ତ ନଥିଲା, ସେହିସବୁ ଅଞ୍ଚଳରେ ପ୍ରଜାମାନଙ୍କଠାରୁ ଏହି ପ୍ରକାର କର ଆଦାୟ କରାଯାଉଥିଲା। ପରିଣାମରେ ମରାଠାମାନେ ଏହିସବୁ ରାଜ୍ୟର ସୁରକ୍ଷା ପ୍ରତି ଧ୍ୟାନ ଦେବା ସହିତ ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁନଥିଲେ। ମୋଗଲମାନେ ମଧ୍ୟ ବିଭିନ୍ନ ଚୁକ୍ତି ମାଧ୍ୟମରେ ଏହି ବ୍ୟବସ୍ଥାକୁ ଅନୁମୋଦନ କରୁଥିଲେ। ପରବର୍ତ୍ତୀ ସମୟରେ ଏମାନଙ୍କ ମଧ୍ୟରୁ କେତେକ ରାଜ୍ୟ ବା ପ୍ରଦେଶ ମରାଠା ସାମ୍ରାଜ୍ୟଭୁକ୍ତ ହୋଇଥିଲା।
ମନେରଖ ଅଷ୍ଟାଦଶ ଶତାବ୍ଦୀରେ ନିଜର ଲୋକପ୍ରିୟତା ପାଇଁ ମରାଠାମାନେ ଅନେକ ସମୟରେ ମୋଗଲ ମୁଦ୍ରା ନିର୍ମାଣ କୌଶଳକୁ ଅନୁକରଣ କରିଥିଲେ ମଧ୍ୟ ଏଥିରେ ନିଜର ସାଂସ୍କୃତିକ ସଙ୍କେତକୁ ବ୍ୟବହାର କରୁଥିଲେ। ଉଦାହରଣ ସ୍ଵରୂପ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ “ଗଣପତି–ପନ୍ତ ପ୍ରଧାନ” ନାମକ ଏହି ମୁଦ୍ରା ପଟ୍ଟବର୍ଦ୍ଧନ (ପେଶୱାଙ୍କ ଅଧୀନସ୍ଥ ସେନାପତି)ଙ୍କ ଦ୍ବାରା ପ୍ରଣୀତ ହୋଇଥିଲା। ଏଥିରେ ଦେବନାଗରୀ ଓ ପାର୍ସୀ ଦୁଇଟି ଲିପିରେ ଖୋଦିତ ହୋଇଛି। ଏହାର ଗୋଟିଏ ପାର୍ଶ୍ଵରେ ଗଣପତି (ଗଣେଶ)ଙ୍କ ମଙ୍ଗଳାଚରଣ କରାଯାଇଥିବାବେଳେ ଅନ୍ୟ ପାର୍ଶ୍ଵରେ ପେଶୱା (ମରାଠୀରେ ପନ୍ତ ପ୍ରଧାନ କୁହାଯାଇଥାଏ)ଙ୍କ ପ୍ରତି ବିଶ୍ଵାସ ଓ ପ୍ରତିବଦ୍ଧତା ଦର୍ଶାଯାଇଥାଏ।
[ଚିତ୍ର ବର୍ଣ୍ଣନା: ଉଭୟ ଦେବନାଗରୀ ଓ ପାର୍ସୀ ଲିପିରେ ଲେଖାଥିବା 'ଗଣପତି-ପନ୍ତ ପ୍ରଧାନ' ରୂପା ମୁଦ୍ରାର ଦୁଇ ପାର୍ଶ୍ଵ।]
ଚିତ୍ର : ୩.୧୫
ସାମରିକ ଶାସନ :
ମରାଠା ସଶସ୍ତ୍ର ବାହିନୀକୁ ତିନି ଭାଗରେ ଯଥା- ପଦାତିକ ବାହିନୀ, ଅଶ୍ଵବାହିନୀ ଓ ନୌବାହିନୀରେ ବିଭକ୍ତ କରାଯାଇଥିଲା। ଅଶ୍ଵ ବାହିନୀକୁ ପୁନର୍ବାର ବର୍ଗୀ ଓ ଶିଲାଦାରରେ ବିଭକ୍ତ କରାଯାଇଥିଲା। ଯେଉଁମାନେ ବର୍ଗୀ ଶ୍ରେଣୀର, ସେମାନଙ୍କର ଅଶ୍ଵ ଓ ଅନ୍ୟାନ୍ୟ ଉପକରଣ ଖର୍ଚ୍ଚ ରାଜ୍ୟ ବହନ କରୁଥିଲା ଏବଂ ଯେଉଁମାନେ ଶିଲାଦାର, ସେମାନଙ୍କର ଅଶ୍ୱ ଓ ଅନ୍ୟାନ୍ୟ ଉପକରଣ ଖର୍ଚ୍ଚ ସେମାନେ ନିଜେ ବହନ କରୁଥିଲେ। ଅଷ୍ଟାଦଶ ଶତାବ୍ଦୀରେ ମରାଠାମାନେ ୟୁରୋପୀୟମାନଙ୍କର ସୈନ୍ୟବାହିନୀ ଓ ତୋପଖାନାର ସୁବ୍ୟବସ୍ଥିତ ପରିଚାଳନା ସମ୍ପର୍କରେ ଅବଗତ ହେଲେ ଏବଂ ସେମାନେ ସେହିପରି ସୈନ୍ୟବାହିନୀ ଗଠନ କରିବାକୁ ଉଦ୍ୟମ କଲେ। ନିର୍ଦ୍ଦିଷ୍ଟ ଭାବରେ ମହାଦ୍ଜୀ ସିନ୍ଦେ ୟୁରୋପୀୟ ଢାଞ୍ଚାରେ ଏକ ବିଶାଳ ସୈନ୍ୟବାହିନୀ ଗଠନ କରିଥିଲେ।
ଖଣ୍ଡା ଓ ବର୍ଚ୍ଛା ମରାଠାମାନଙ୍କର ଅତି ପ୍ରିୟ ଅସ୍ତ୍ର ଥିଲା। ଏହା ସତ୍ତ୍ୱେ ଅତି ସ୍ଵଳ୍ପ ପରିମାଣର ବନ୍ଧୁକ ମଧ୍ୟ ସେମାନେ ବ୍ୟବହାର କରୁଥିଲେ। ଶିବାଜୀଙ୍କ ସମୟରେ ସାମରିକ ଅଭିଯାନବେଳେ ରକେଟ୍ର ବ୍ୟବହାର କରାଯାଉଥିଲା। ୧୭୭୦ ଖ୍ରୀଷ୍ଟାବ୍ଦ ବେଳକୁ ଧାତୁ ନିର୍ମିତ ରକେଟ୍ର ବ୍ୟବହାର ହୋଇଥିବାର ଜଣାଯାଏ।
ଆମେ ପୂର୍ବରୁ ଜାଣିଛନ୍ତି ଯେ ମରାଠା ଶକ୍ତିର ମୂଳ ଆଧାର ଥିଲା ଫୋର୍ଟ ବା ଦୁର୍ଗ। ଶିବାଜୀ ଅନେକ ଦୁର୍ଗ ନିର୍ମାଣ କରି ସେଗୁଡ଼ିକୁ ନିଜ ନିୟନ୍ତ୍ରଣରେ ରଖୁଥିଲେ। କାରଣ ସେ ଜାଣିଥିଲେ ଗରିଲା ଯୁଦ୍ଧ ସମୟରେ ସୈନ୍ୟମାନଙ୍କର ରହଣୀ ଓ ଜଙ୍ଗଲ ମଧ୍ୟରେ ନିର୍ଦ୍ଦିଷ୍ଟ ପଥ ନିର୍ବାଚନରେ ଦୁର୍ଗଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ଶିବାଜୀଙ୍କର ଅର୍ଥମନ୍ତ୍ରୀ ରାମଚନ୍ଦ୍ର ପନ୍ତ ଅମାତ୍ୟଙ୍କର ଆଜ୍ଞାପାତ୍ର (ରାଜାଙ୍କ ଘୋଷଣାନାମା)ରେ ଉଲ୍ଲେଖ ଅଛି:
[ଚିତ୍ର ବର୍ଣ୍ଣନା: ମରାଠା ଯୋଦ୍ଧାମାନଙ୍କ ଦ୍ଵାରା ବ୍ୟବହୃତ ବିଭିନ୍ନ ପ୍ରକାର ଖଣ୍ଡା, କଟାରୀ, ବର୍ଚ୍ଛା, ବନ୍ଧୁକ, ଗଦା ଇତ୍ୟାଦି ଅସ୍ତ୍ରଶସ୍ତ୍ରର ଚିତ୍ର।]
ଚିତ୍ର : ୩.୧୬ : ମରାଠାମାନଙ୍କ ଦ୍ବାରା ବ୍ୟବହୃତ କେତୋଟି ଅସ୍ତ୍ରଶସ୍ତ୍ର
“ଦୁର୍ଗଗୁଡ଼ିକ ରାଜ୍ୟର ମୂଳ ଭାଗ ବା କେନ୍ଦ୍ର ଥିଲା। ଦୁର୍ଗଗୁଡ଼ିକ ନଥୁଲେ ସାମରିକ ଅଭିଯାନର ପ୍ରବେଶ ପଥରେ ସ୍ଥଳଭାଗ ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥାଏ। ତେଣୁକରି ପୂର୍ବର ରାଜାମାନେ ନିଜ ଦେଶକୁ ସୁରକ୍ଷିତ ରଖୁବା ନିମନ୍ତେ ଅଧିକରୁ ଅଧିକ ଦୁର୍ଗ ନିର୍ମାଣକୁ ଗୁରୁତ୍ୱ ଦେଉଥିଲେ। ମରାଠା ରାଜ୍ୟର ପ୍ରତିଷ୍ଠାତା ମହାନ ଗୁରୁ ଶିବାଜୀ କେବଳ ଦୁର୍ଗଗୁଡ଼ିକୁ ନେଇ ‘ମରାଠା ରାଜ୍ୟ’ର ଭିତ୍ତିଭୂମି ସ୍ଥାପନ କରିଥିଲେ। ଆଉରଙ୍ଗଜେବଙ୍କ ପରି ବଡ଼ ବଡ଼ ଦୁର୍ଦ୍ଦଷ ଶତ୍ରୁମାନେ ଏହି ରାଜ୍ୟକୁ ଆକ୍ରମଣ କରିଛନ୍ତି, ବିଜାପୁର ଓ ଭାବନଗର ପରି ବିଶାଳ ସାମ୍ରାଜ୍ୟକୁ ଅଧିକାର କରିଛନ୍ତି କିନ୍ତୁ ଦଶନ୍ଧି ଦଶନ୍ଧି ଧରି ଆକ୍ରମଣର ଶିକାର ହୋଇଥିଲେ ବି କେବଳ ଦୁର୍ଗଗୁଡ଼ିକ ପାଇଁ ମରାଠା ରାଜ୍ୟ ତିଷ୍ଠି ରହିପାରିଥିଲା।”
ସାମୁଦ୍ରିକ ପ୍ରଭୁତ୍ବ (ପ୍ରାଧାନ୍ୟତା)
ଆମେ ଦେଖିଲେ ପଶ୍ଚିମ ଉପକୂଳର ସୁରକ୍ଷା ନିମିତ୍ତ ଶିବାଜୀ ଏକ ନୌବାହିନୀ ଗଠନ କରିଥିଲେ। ଅଷ୍ଟାଦଶ ଶତାବ୍ଦୀରେ କାହ୍ନୋଜୀ ଆଙ୍ଗ୍ରେଙ୍କ ମାର୍ଗ ଦର୍ଶନରେ ମରାଠାମାନେ ଅନେକ ନୌଯୁଦ୍ଧରେ ବିଜୟ ଲାଭ କରିଥିଲେ। ଯଦିଓ ୟୁରୋପୀୟମାନଙ୍କ ପରି ମରାଠାମାନଙ୍କର ଯୁଦ୍ଧ ତରୀଗୁଡ଼ିକ ବୈଷୟିକ ଜ୍ଞାନ ଦୃଷ୍ଟିକୋଣରୁ ଏତେ ଶକ୍ତିଶାଳୀ ନଥୁଲା କିନ୍ତୁ ଭୌଗୋଳିକ ସ୍ଥିତି ଓ ଯୁଦ୍ଧ କୌଶଳକୁ ଅତି ଚତୁର ଭାବରେ ବିନିଯୋଗ କରି ସେମାନେ ଯୁଦ୍ଧରେ ବିଜୟଲାଭ କରିପାରୁଥିଲେ।
ସେତେବେଳେ ୟୁରୋପୀୟମାନଙ୍କର ପ୍ରମୁଖ ଶକ୍ତି ଓ ସାମର୍ଥ୍ୟ ସେମାନଙ୍କର ନୌବାହିନୀ ଉପରେ ନିର୍ଭର କରୁଥିଲା। ସେମାନେ ସେମାନଙ୍କର ନୌବାଣିଜ୍ୟ ପ୍ରବେଶ ପତ୍ର (ପର୍ତ୍ତୁଗୀଜରେ କାର୍ତାଜ)ଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ କିଣିବା ପାଇଁ ଭାରତୀୟମାନଙ୍କୁ ବାଧ୍ୟ କରୁଥିଲେ। ବିନା ପ୍ରବେଶ ପତ୍ରରେ ଆସୁଥିବା ଜାହାଜଗୁଡ଼ିକୁ ବାଜ୍ୟାପ୍ତ କରି ନିଆଯାଉଥିଲା। ମରାଠାମାନେ ଏହି ବ୍ୟବସ୍ଥାକୁ ଦୃଢ଼ ବିରୋଧ କଲେ ଏବଂ କାହ୍ନୋଜୀ ଆଙ୍ଗ୍ରେଙ୍କୁ ଜଣେ ‘ଜଳ ଦସ୍ୟୁ’ କହି ନିଜର ହତାଶା ଭାବକୁ ପ୍ରକଟ କରୁଥିବା ଇଂରେଜମାନଙ୍କଠାରୁ ସେମାନଙ୍କର ପରିଚୟ ପତ୍ର ଦାବି କଲେ।
[ଚିତ୍ର ବର୍ଣ୍ଣନା: ସମୁଦ୍ର ମଧ୍ୟରେ ଇଂରେଜ ଜାହାଜ ଓ ମରାଠା ଜାହାଜ ମଧ୍ୟରେ ଚାଲିଥିବା ଜଳଯୁଦ୍ଧର ଏକ ଐତିହାସିକ ଦୃଶ୍ୟ।]
ଚିତ୍ର : ୩.୧୭ : ଇଂରେଜ ଜାହାଜକୁ ମରାଠା ଜାହାଜଗୁଡ଼ିକ ସମୁଦ୍ର ମଧ୍ୟରେ ଆକ୍ରମଣ କରୁଥିବାର ଦୃଶ୍ୟ
ମନେରଖ ୧୬୬୫ ମସିହାରେ ଶିବାଜୀଙ୍କ ଜାହାଜ ମଧ୍ୟରୁ ଚାରୋଟି ଜାହାଜ ଓମାନ୍ର ରାଜଧାନୀ ମୁସ୍କାଟ୍ରେ ପହଞ୍ଚିଲା। ସେଠାକାର ଶାସକ ଜାହାଜଗୁଡ଼ିକୁ କବ୍ଜା କରିନେଲେ ଏବଂ ସେଥିରେ ଥିବା ପୁରୁଷମାନଙ୍କୁ ବନ୍ଦୀ କଲେ। ଆହୁରି ମଧ୍ୟ ଶିବାଜୀଙ୍କ ଅଧିକୃତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡ଼ିକ ଉପରେ ଆକ୍ରମଣ ପାଇଁ ସେ କେତେଗୁଡ଼ିଏ ଜାହାଜକୁ ପ୍ରସ୍ତୁତ କଲେ। କିନ୍ତୁ ଶିବାଜୀଙ୍କ ନୌବାହିନୀରେ ଶତାଧିକ ଜାହାଜ ଥିବାର ଜାଣି, ସେଠାକାର ଶାସକ ନିଜର ଜାହାଜଗୁଡ଼ିକୁ ବନ୍ଦର ବାହାରକୁ ନେଇଯାଇଥିଲେ।
ବିଚାର ବ୍ୟବସ୍ଥା
ମରାଠାମାନେ ଏକ ସୁଦୃଢ଼ ଏବଂ ଫଳପ୍ରଦ ବିଚାର ବ୍ୟବସ୍ଥା ପ୍ରଣୟନ କରିଥିଲେ। ମୃତ୍ୟୁଦଣ୍ଡ ପରି ସର୍ବୋଚ୍ଚ ଦଣ୍ଡବ୍ୟବସ୍ଥା ଅତି ସୁଚାରୁରୂପେ କାର୍ଯ୍ୟକାରୀ ହୋଇପାରିଥିଲା। କେତେକ ସ୍ଥାନୀୟ କର୍ମଚାରୀଙ୍କ ସହିତ ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ଗଠିତ ହୋଇଥିବା ପଞ୍ଚାୟତ (ଆଧୁନିକ ସମୟରେ ସରକାରୀ ସଂସ୍ଥା ‘ପଞ୍ଚାୟତ’ ନୁହେଁ) ବିଭିନ୍ନ ଅପରାଧର ବିଚାର କରି ଦଣ୍ଡବିଧାନ କରୁଥିଲେ। କୌଣସି ବିଚାରରେ ଅସନ୍ତୋଷ ଦେଖାଦେଲେ ମରାଠା ମୁଖ୍ୟ ବା ମୁଖ୍ୟ ଶାସକଙ୍କ ନିକଟରେ ଅଭିଯୋଗ କରାଯାଇ ପାରୁଥିଲା। ଏଥିସହିତ ପୁନେ, ଇନ୍ଦୋର ପରି ବଡ଼ବଡ଼ ସହର ମାନଙ୍କରେ ନିଯୁକ୍ତ କୋତୱାଲ ବା ପୋଲିସମାନେ ଆଇନ ବ୍ୟବସ୍ଥାର ତଦାରଖ କରୁଥିଲେ।
ବାଣିଜ୍ୟିକ ସମ୍ପର୍କ
ଶିବାଜୀ ବ୍ୟବସାୟ ବାଣିଜ୍ୟକୁ ଉତ୍ସାହିତ କରୁଥିଲେ ଏବଂ ନିଜେ ବୈଦେଶିକ ସାମୁଦ୍ରିକ ବାଣିଜ୍ୟରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ। ତାଙ୍କର ଏବଂ ତାଙ୍କ କର୍ମଚାରୀମାନଙ୍କର ନିଜର ଜାହାଜସବୁ ରହିଥିଲା ଯାହା ନିୟମିତ ଭାବରେ ୟେମେନ୍ର ମୋଚା, ଓମାନ୍ର ମୁସକାଟ୍ ଏବଂ ମାଲେସିଆର ମାଲାକା ଆଦି ଦେଶର ବନ୍ଦରଗୁଡ଼ିକୁ ପଠାଯାଉଥିଲା। ଏମାନଙ୍କ ଭିତରୁ କେତେକ ଜାହାଜ ମୂଲ୍ୟବାନ ବସ୍ତ୍ର ଏବଂ ସ୍ଵର୍ଣ୍ଣ ଇତ୍ୟାଦି ଦ୍ରବ୍ୟ ନେଇ ଯାତ୍ରା କରୁଥିଲେ। ରାସ୍ତା ନିର୍ମାଣ ଓ ଏହାର ରକ୍ଷଣା ବେକ୍ଷଣ ହେଉଥିଲା। ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାରେ ଫେରି ସାହାଯ୍ୟରେ ଜଳ ପଥରେ ବାଣିଜ୍ୟ କାରବାର ହେଉଥିଲା। ନଦୀ ଓ ଝରଣା ଉପରେ ପୋଲମାନ ନିର୍ମାଣ କରାଯାଇଥିଲା।
ସାଂସ୍କୃତିକ ପୁନରୁତ୍ଥାନ
ଭାରତର ସାଂସ୍କୃତିକ ବିକାଶରେ ମରାଠାମାନଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା। ସଂସ୍କୃତରେ ଲିଖିତ ଏକ ପ୍ରଚଳିତ ପର୍ସିଆନ୍ ସିଲ୍ ଅଭିଲେଖରେ ଶିବାଜୀଙ୍କର ‘ସ୍ଵରାଜ୍ୟ’ ସମ୍ପର୍କିତ ଚିନ୍ତାଧାରା ପ୍ରକଟିତ ହୋଇଛି। ଏଥିରେ ଲେଖାଅଛି – “ସାହଜୀଙ୍କ ପୁତ୍ର ଶିବାଜୀଙ୍କର ଏହି ସିଲ୍ଟି ଅମାବାସ୍ୟା ପରେ ବୃଦ୍ଧି ପାଉଥିବା ଚନ୍ଦ୍ରମା ପରି ଜନମଙ୍ଗଳକାରୀ ଶାସନ ପାଇଁ ସାରା ବିଶ୍ଵଦ୍ବାରା ଗୃହୀତ ଓ ସମ୍ମାନିତ ହୋଇଛି।”
[ଚିତ୍ର ବର୍ଣ୍ଣନା: ଅଷ୍ଟଭୁଜାକାର ଶିବାଜୀଙ୍କ ରାଜକୀୟ ରାଜମୁଦ୍ରା (ସିଲ୍), ଯେଉଁଥିରେ ସଂସ୍କୃତ ଶ୍ଳୋକ ଖୋଦିତ ଅଛି।]
प्रतिपच्चंद्रलेखेव वर्धिष्णुर्विश्ववंदिता शाहसूनोः शिवस्यैषा मुद्रा भद्राय राजते।
ଚିତ୍ର : ୩.୧୮ : ଶିବାଜୀଙ୍କର ସିଲ୍
ଶିବାଜୀ “ରାଜ୍ୟ—ବ୍ୟବହାର କୋଷ” ନାମକ ଗ୍ରନ୍ଥ ରଚନା କରିଥିଲେ ଯେଉଁଥରେ ସେ ମରାଠୀ ଭାଷାର ପ୍ରୋତ୍ସାହନକୁ ଅଗ୍ରାଧିକାର ଦେଇଥିଲେ। କୂଟନୈତିକ ଆଦାନ ପ୍ରଦାନ କ୍ଷେତ୍ରରେ ପ୍ରଚଳିତ ପର୍ସିଆନ୍ ଶବ୍ଦ ପାଇଁ ଏହା ସଂସ୍କୃତର ବିକଳ୍ପ ଭାବରେ କାର୍ଯ୍ୟ କରିଥିଲା। ଯାହାଫଳରେ ମରାଠା ରାଜନୀତିରେ ବ୍ୟବହୃତ ହେଉଥିବା ବିଦେଶୀ ଶବ୍ଦର ମାତ୍ରାଧିକ ବ୍ୟବହାର ବହୁ ପରିମାଣରେ କମିଯାଇଥିଲା। ଶିବାଜୀ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିଲେ ମଧ୍ଯ ଅନ୍ୟ ସମସ୍ତ ଧର୍ମକୁ ସମ୍ମାନ ଜଣାଉଥିଲେ। ତାଙ୍କର କେଶର ରଙ୍ଗର ଧ୍ଵଜା ବା ପତାକାକୁ ସମସ୍ତ ମରାଠା ଶାସକ ଗ୍ରହଣ କରିଥିଲେ। ସେ ଅନେକ ଭଗ୍ନ ଅବସ୍ଥାରେ ଥିବା ମନ୍ଦିରକୁ ପୁନଃ ନିର୍ମାଣ କରାଇଥିବାବେଳେ ସଂସ୍କୃତ ଓ ମରାଠୀ ସାହିତ୍ୟ; ବିଭିନ୍ନ ଧର୍ମାନୁଷ୍ଠାନ ଏବଂ ପାରମ୍ପରିକ ଚିତ୍ରକଳାର ପୃଷ୍ଠପୋଷକତା କରିଥିଲେ। ପ୍ରାଚୀନ ଭାରତୀୟ ସଂସ୍କୃତି ଏବଂ ମୂଲ୍ୟବୋଧର ପୁନରୁତ୍ଥାନ ପାଇଁ ତାଙ୍କର ଅବଦାନ ସର୍ବୋତ୍କୃଷ୍ଟ ଥିଲା। ସେ ଲୋକମାନଙ୍କୁ ବିଭିନ୍ନ ପ୍ରଦର୍ଶନ ମାଧ୍ଯମରେ ବୁଝାଇଥିଲେ ଯେ ଶକ୍ତିଶାଳୀ ରାଜ୍ୟ ବା ସାମ୍ରାଜ୍ୟଗୁଡ଼ିକ ପରାଜିତ ହୋଇପାରନ୍ତି କିନ୍ତୁ ମରାଠାମାନେ ସେମାନଙ୍କ ନିଜ ସାମ୍ରାଜ୍ୟର ପରିଚାଳନା, ପ୍ରସାର ଓ ଶାସନ କରିବାରେ ନିଜେ ହିଁ ସକ୍ଷମ।
ଶକ୍ତିଶାଳୀ ମରାଠା ମହିଳା
ତାରାବାଈ : ତାରାବାଈ ଥିଲେ ଜଣେ ନିର୍ଭୟା ମରାଠା ବୀର ରମଣୀ ଯିଏ ଅଷ୍ଟାଦଶ ଶତାବ୍ଦୀ ଆରମ୍ଭରେ ନିଜର ସ୍ଵାମୀ ରାଜାରାମଙ୍କ ମୃତ୍ୟୁପରେ ଶାସନ ଦାୟିତ୍ଵ ଗ୍ରହଣ କରିଥିଲେ। ଯେତେବେଳେ ସେ ଜାଣିଲେ ଯେ ଆଉରଙ୍ଗଜେବ ଏବଂ ତାଙ୍କର ମୋଗଲ ବାହିନୀ ଦାକ୍ଷିଣାତ୍ୟରେ ଡେରା ପକାଇଛନ୍ତି ଏବଂ ଉତ୍ତର ଭାରତ ଅସୁରକ୍ଷିତ ରହିଛି, ସେ ନିଜର ବିଶାଳ ମରାଠା ବାହିନୀକୁ ସଂଗଠିତ କରି ଉତ୍ତରରେ ଥିବା ମୋଗଲ ଅଞ୍ଚଳଗୁଡ଼ିକୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ। ତାଙ୍କର ରଣନୀତି ଓ ଦୃଢ଼ ମନୋବଳ ମୋଗଲ ସାମ୍ରାଜ୍ୟକୁ ପ୍ରତିହତ କରିବା ସହିତ ଗୁରୁତ୍ଵପୂର୍ଣ୍ଣ ସମୟରେ ମରାଠା ସ୍ଵାଧୀନତାକୁ ସୁରକ୍ଷିତ ରଖିଥିଲା।
[ଚିତ୍ର ବର୍ଣ୍ଣନା: ରାଣୀ ତାରାବାଈ ଘୋଡ଼ା ଉପରେ ବସି ଯୁଦ୍ଧକ୍ଷେତ୍ରରେ ସୈନ୍ୟମାନଙ୍କୁ ନେତୃତ୍ୱ ଦେଉଥିବାର ଏକ ତୈଳଚିତ୍ର।]
ଚିତ୍ର : ୩.୧୯ ଯୁଦ୍ଧ କ୍ଷେତ୍ରରେ ତାରାବାଈ। (ଏମ୍.ଭି. ଧୂରନ୍ଧରଙ୍କ ଦ୍ଵାରା ଅଙ୍କିତ ଏକ ଚିତ୍ର)
ଅହଲ୍ୟାବାଈ ହୋଲ୍କାର
ଅହଲ୍ୟାବାଈ ହୋଲକାର ଥିଲେ ହୋଲକାର ରାଜବଂଶର ବଂଶଜ ଏବଂ ଉତ୍ତର ଭାରତରେ ମରାଠା ଶକ୍ତିର ପ୍ରସାରରେ ଯେଉଁ କେତୋଟି ପରିବାରର ପ୍ରମୁଖ ଭୂମିକା ରହିଥୁଲା, ସେମାନଙ୍କ ଭିତରେ ସେ ଥିଲେ ମୁଖ୍ୟ ସୂତ୍ରଧର। ଅଷ୍ଟାଦଶ ଶତାବ୍ଦୀରେ ଏହି ରାଜବଂଶ ମଧ୍ୟ ଭାରତର ଅଧିକାଂଶ ଅଞ୍ଚଳ ବିଶେଷକରି ବର୍ତ୍ତମାନର ଇନ୍ଦୋର ନିକଟବର୍ତ୍ତୀ ଅଞ୍ଚଳରେ ଶାସନ କରୁଥିଲେ। ଏପରିକି ନିଜର ସ୍ଵାମୀ ଓ ପୁତ୍ରଙ୍କ ମୃତ୍ୟୁପରେ ଅତି ସାହସର ସହିତ ଦୀର୍ଘ ତିରିଶ ବର୍ଷ ରାଜ୍ୟ ଶାସନ କରିବା ସହିତ ସାଧାରଣ ଜନତାଙ୍କ ସ୍ଵାର୍ଥକୁ ଅତି ବିଜ୍ଞତାର ସହିତ ଧ୍ଯାନ ଦେଇଥିଲେ।
[ଚିତ୍ର ବର୍ଣ୍ଣନା: ଭାରତ ସରକାରଙ୍କ ଦ୍ଵାରା ପ୍ରକାଶିତ ମହାରାଣୀ ଅହଲ୍ୟାବାଈ ହୋଲକାରଙ୍କ ୨ ଟଙ୍କିଆ ସ୍ମାରକୀ ଡାକଟିକଟ।]
ଚିତ୍ର : ୩.୨୦ : ଅହଲ୍ୟାବାଈ ହୋଲକାରଙ୍କ ସମ୍ମାନାର୍ଥେ ପ୍ରକାଶିତ ଏକ ଡାକ ଟିକିଟ୍
ଅହଲ୍ୟାବାଈ ଜଣେ ଧର୍ମପ୍ରାଣା ମହିଳା ଥିଲେ ଏବଂ ଉତ୍ତରରେ କେଦାରନାଥଠାରୁ ଦକ୍ଷିଣରେ ରାମେଶ୍ୱରମ୍ ପର୍ଯ୍ୟନ୍ତ ଶହ ଶହ ମନ୍ଦିର ନିର୍ମାଣ ଓ ପୁନରୁଦ୍ଧାର ସହିତ ସମଗ୍ର ଭାରତରେ ଅନେକ ଘାଟ, କୂପ ଏବଂ ରାସ୍ତା ନିର୍ମାଣ କରାଇଥିଲେ। ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି କାଶୀ ବିଶ୍ଵନାଥ ମନ୍ଦିରର ପୁନଃନିର୍ମାଣ ଯାହାକୁ ଆଉରଙ୍ଗଜେବ ଧ୍ୱଂସ କରିଥିଲେ ଏବଂ ଅନ୍ୟଟି ହେଉଛି ଗୁଜୁରାଟର ସୋମନାଥ ମନ୍ଦିର ଯାହାକୁ ଗଜନୀର ମାମୁଦ ଧ୍ୱଂସବିଧ୍ୱସ୍ତ କରିଦେଇଥିଲେ। ଏଥି ସହିତ ମଧ୍ୟ ପ୍ରଦେଶର ମହେଶ୍ଵର ବୟନ ଶିଳ୍ପର ବିକାଶ ନିମନ୍ତେ ପ୍ରୋତ୍ସାହନ ଦେବାର ଶ୍ରେୟ ଅହଲ୍ୟାବାଈ ହୋଲକାରଙ୍କୁ ଦିଆଯାଇଥାଏ, ଯାହା ଆଜି ମଧ୍ୟ ପାରମ୍ପରିକ ହସ୍ତତନ୍ତ୍ରକୁ ଏକ ନୂତନ ଦିଗନ୍ତ ଦେବାରେ ସକ୍ଷମ ହୋଇଛି।
ମନେରଖ ମୋଦି ଲିପି (ଦେବନାଗରୀର ଏକ କରଣୀ ରୂପ) ମରାଠାମାନେ ସେମାନଙ୍କର ପତ୍ରାଳାପ ପାଇଁ ବ୍ୟବହାର କରୁଥିବା ଏକ ଲିପି।
[ଚିତ୍ର ବର୍ଣ୍ଣନା: ପୁରୁଣା କାଗଜ ଉପରେ ହାତରେ ଲିଖିତ ମୋଦି ଲିପିର ଅଭିଲେଖ।]
ଚିତ୍ର : ୩.୨୧ : ଛତ୍ରପତି ସାହୁ ମହାରାଜାଙ୍କର ହାତ ଲେଖା ମୋଦି ଲିପିର ଏକ ଉଦାହରଣ।
ଶିବାଜୀଙ୍କର ଉଦାହରଣ ତାଙ୍କର ଉତ୍ତରାଧିକାରୀମାନଙ୍କୁ ପ୍ରେରଣା ଦେଉଥିଲା। ଉଦାହରଣ ସ୍ଵରୂପ, ନାଗପୁରର ଭୋନ୍ସଲେମାନେ ସ୍ଥାନୀୟ ସଂସ୍କୃତି ଓ ପରମ୍ପରାର ଉତ୍ସାହୀ ସମର୍ଥକ ଥିଲେ। ଓଡ଼ିଶାର ପୁରୀରେ ଜଗନ୍ନାଥଙ୍କର ପୂଜା ଯାହା ମୋଗଲମାନଙ୍କ ସମୟରେ ବାଧାପ୍ରାପ୍ତ ହୋଇଥୁଲା, ତାହା ମରାଠାମାନଙ୍କ ସମର୍ଥନରେ ପୁନର୍ଜୀବିତ ହୋଇପାରିଥିଲା। କିନ୍ତୁ ବୋଧହୁଏ ସବୁଠାରୁ ବଡ଼ ପ୍ରଭାବଶାଳୀ ଅବଦାନ କିଛି ପ୍ରଭାବଶାଳୀ ଉଲ୍ଲେଖନୀୟ ମରାଠା ମହିଳାମାନଙ୍କଠାରୁ ଆସିଥିଲା। ଆସ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ବିଷୟରେ ଜାଣିବା (ପୂର୍ବ ପୃଷ୍ଠା ଦେଖ)।
ତାଞ୍ଜାବୁର ସମ୍ପର୍କରେ
ସାଂସ୍କୃତିକ ଅବଦାନର ଆଉ ଏକ ଉଦାହରଣ ଦେଖିବା ପାଇଁ ଆସ ଦକ୍ଷିଣାଂଶକୁ ଯିବା। ଶିବାଜୀଙ୍କର ସାବତ ଭାଇ ଏକୋଜୀ ସପ୍ତଦଶ ଶତାବ୍ଦୀ ଶେଷ ଭାଗରେ ତାଞ୍ଜାବୁର ଅଞ୍ଚଳ (ବର୍ତ୍ତମାନର ତାମିଲନାଡ଼ୁରେ) ବିଜୟ କରିଥିଲେ, ତାହା ଏହି ଅଞ୍ଚଳରେ ମରାଠା ଶାସନର ଆରମ୍ଭକୁ ଚିହ୍ନିତ କରିଥିଲା। ତାଞ୍ଜାବୁରର ମରାଠାମାନେ ବିଶେଷ ଭାବରେ ସମନ୍ବୟବାଦୀ ସଂସ୍କୃତିକୁ ଏକ ସମନ୍ଵୟ ସୃଷ୍ଟିକରିବାରେ ସାହାଯ୍ୟ କରିଥିଲେ ଯାହା ଏକ ସମୃଦ୍ଧ ଏବଂ ନୂତନତ୍ୱରେ ପରିପୂର୍ଣ୍ଣ ଥିଲା। ସେମାନେ କଳାର ମହାନ ପୃଷ୍ଠପୋଷକ ଥିଲେ ଏବଂ ଅନେକ ଶାସକ ନିଜେ କବି ଓ ନାଟ୍ୟକାର ଥିଲେ।
[ଚିତ୍ର ବର୍ଣ୍ଣନା: ସୁନା ଫଏଲ ଏବଂ ରଙ୍ଗରେ ସଜ୍ଜିତ ଦେବାଦେବୀଙ୍କ ପାରମ୍ପରିକ ତାଞ୍ଜାବୁର ଚିତ୍ରକଳା।]
ଚିତ୍ର : ୩.୨୨ : ଏକ ପାରମ୍ପରିକ ତାଞ୍ଜାବୁର ଶୈଳୀର ଚିତ୍ରକଳା, ଯାହାକୁ ସୁନା ଫଏଲ ଦ୍ବାରା ଆବରଣ କରାଯାଇ ଏକ ସମୃଦ୍ଧ, ଉଜ୍ଜ୍ଵଳ ଦୃଶ୍ୟ ପ୍ରଦାନ କରାଯାଇଛି। ଏହି ଶୈଳୀ ମରାଠାମାନଙ୍କ ପୃଷ୍ଠପୋଷକତାରେ ସୃଷ୍ଟି ହୋଇଥିଲା।
ଆସ ଅନୁସନ୍ଧାନ କରିବା ତୁମେ ‘ଭାରତନାଟ୍ୟମ୍’ ନୃତ୍ୟ ରୂପ ସମ୍ପର୍କରେ ଶୁଣିଛ କି ? ତୁମେ କ’ଣ ଜାଣିଛ ଯେ ଏହି ନୃତ୍ୟ ରୂପ ସହିତ ମରାଠାମାନଙ୍କର ଗଭୀର ସମ୍ପର୍କ ରହିଛି ? ତୁମେ କ’ଣ ଜାଣିପାରିବ ଯେ ଏହି ସମ୍ପର୍କ କ’ଣ ଥିଲା ?
ତାଞ୍ଜାବୁରର ସମସ୍ତ ମରାଠା ଶାସକମାନଙ୍କ ମଧ୍ୟରୁ ସେରଫୋଜୀ ଦ୍ଵିତୀୟଙ୍କର ଅବଦାନ ସବୁଠାରୁ ଉଲ୍ଲେଖନୀୟ ଥିଲା। ସେ ଅନେକ ଭାରତୀୟ ଏବଂ ୟୁରୋପୀୟ ଭାଷାକୁ ଜାଣିଥିଲେ ଏବଂ ‘ଦେବେନ୍ଦ୍ର କୁରଭାଞ୍ଜି’ ନାମକ ଏକ ମରାଠୀ ନାଟକ ରଚନା କରିଥିଲେ। ଏଥିରେ ସେ ସେତେବେଳର ପୃଥିବୀର ଭୂଗୋଳକୁ ବିସ୍ତାରିତ ଭାବରେ ବର୍ଣ୍ଣନା କରିଥିଲେ। ସେରଫୋଜୀ ଅନେକ ପ୍ରତିଭାଶାଳୀ ସଙ୍ଗୀତଜ୍ଞମାନଙ୍କର ପୃଷ୍ଠପୋଷକତା କରିଥିଲେ ଏବଂ ତାଙ୍କ ସମୟରେ ଆଧୁନିକ କର୍ଣ୍ଣାଟକୀ ସଙ୍ଗୀତ ସ୍ଵତନ୍ତ୍ର ରୂପ ନେଇଥିଲା, ଯେପରିକି ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଭାରତନାଟ୍ୟମ୍ର ପ୍ରାରମ୍ଭିକ ପର୍ଯ୍ୟାୟର ରୂପ ହୋଇଥିଲା।
[ଚିତ୍ର ବର୍ଣ୍ଣନା: ତାଞ୍ଜାବୁର ବୃହଦୀଶ୍ଵର ମନ୍ଦିରର ପଥର କାନ୍ଥରେ ଖୋଦିତ ବିଶାଳ ମରାଠୀ ଶିଳାଲେଖ।]
ଚିତ୍ର : ୩.୨୩: ଭୋନ୍ସଲେ ପରିବାରର ଇତିହାସକୁ ରେକର୍ଡ଼ କରୁଥିବା ବୃହଦୀଶ୍ଵର ମନ୍ଦିରର ଏକ କାନ୍ଥରେ ମରାଠୀ ଶିଳାଲେଖ।
ସେରଫୋଜୀ ଔଷଧପତ୍ର ପ୍ରତି ବହୁତ ଆଗ୍ରହୀ ଥିଲେ ଏବଂ ଧନ୍ଵନ୍ତରୀ ମହଲ ପ୍ରତିଷ୍ଠା କରିଥିଲେ, ଯାହା ଏକ ଚିକିତ୍ସା କେନ୍ଦ୍ର ଥିଲା ଏବଂ ଉଭୟ ଭାରତୀୟ ଓ ପାଶ୍ଚାତ୍ୟ ଔଷଧ ବ୍ୟବହାର କରି ମାଗଣା ଚିକିତ୍ସା ପ୍ରଦାନ କରୁଥିଲା। ସେ ଏକ ମୁଦ୍ରଣାଳୟ ମଧ୍ୟ ଆରମ୍ଭ କରିଥିଲେ ଯାହା ଜଣେ ସ୍ଵଦେଶୀ ଶାସକଙ୍କ ଦ୍ଵାରା ଭାରତରେ ପ୍ରଥମ ଥିଲା। ସେ ତାଞ୍ଜାଭୁରର ବୃହଦୀଶ୍ଵର ମନ୍ଦିରର କାନ୍ଥରେ ଭୋନ୍ସଲେ ପରିବାରର ଇତିହାସ ଲିପିବଦ୍ଧ କରିଥିଲେ ଯାହା ଭାରତର ସବୁଠାରୁ ବଡ଼ ଏକକ ଶିଳାଲେଖ ହେବା ସହିତ ଭବିଷ୍ୟତ ପାଇଁ ଏକ ରେକର୍ଡ଼ ଥିଲା। ତାଞ୍ଜାଭୁରର ସାଂସ୍କୃତିକ ପରିବେଶ ବିଭିନ୍ନ ପ୍ରଭାବର ମିଶ୍ରଣ ସହିତ ବହୁଭାଷୀ ଥିଲା। ସ୍ଥାନୀୟ ତାମିଲ ସଂସ୍କୃତି, ପୂର୍ବତନ ଶାସକଙ୍କ ତେଲୁଗୁ ସଂସ୍କୃତି ଏବଂ ବର୍ତ୍ତମାନର ଶାସକଙ୍କର ମରାଠା ସଂସ୍କୃତି ପରସ୍ପର ସହିତ ମୁକ୍ତ ଭାବରେ କାର୍ଯ୍ୟ କରୁଥିଲେ।
ମରାଠା ଐତିହ୍ୟ
ଇଂରେଜମାନେ ଭାରତ ଉପମହାଦେଶ ଅଧିକାର କରିବା ପୂର୍ବରୁ ମରାଠା ଶାସନ, ମୋଗଲ ପ୍ରାଧାନ୍ୟକୁ ପ୍ରତିହତ କରିବା ସହିତ ସର୍ବବୃହତ ଭାରତୀୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲା ଏବଂ କେନ୍ଦ୍ରୀୟ ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ନିଜ ନିୟନ୍ତ୍ରଣରେ ରଖିପାରିଥିଲା। ସେମାନେ ଏକ ଦକ୍ଷ ପ୍ରଶାସନ ସହିତ ଶାସନ କରିବାର ଏକ ନୂତନ ଉପାୟ ସ୍ଥାପନ କରି ଧାର୍ମିକ ଭେଦଭାବ ବିନା ସ୍ଥାନୀୟ ହିନ୍ଦୁ ପରମ୍ପରାକୁ ପୁନର୍ଜୀବିତ କରିଥିଲେ।
ଦୃଢ଼ ସ୍ଵରାଜ୍ୟର ଭାବଧାରାରେ ଅନୁପ୍ରାଣୀତ ହୋଇ ସେମାନେ ଦମନକାରୀ ଶାସନ ଏବଂ ବିଦେଶୀ ଶକ୍ତି ବିରୁଦ୍ଧରେ ଲଢ଼େଇ ଜାରି ରଖୁଥିଲେ। ପରେ ଏହା ଅନେକ ଭାରତୀୟଙ୍କୁ ବିଶ୍ଵାସ କରିବାକୁ ପ୍ରେରଣା ଦେଇଥିଲା ଯେ ସେମାନେ ନିଜକୁ ଶାସନ କରିପାରିବେ। ଏହି ଭାବନା ପରବର୍ତ୍ତୀ ସମୟରେ ଭାରତର ସ୍ୱାଧୀନତା ଆନ୍ଦୋଳନର ପ୍ରାରମ୍ଭିକ ବୀଜ ବପନ କରିଥିଲା।
ଆମେ କ’ଣ ଶିଖିଲେ...
-
ଛତ୍ରପତି ଶିବାଜୀ ମହାରାଜ ସପ୍ତଦଶ ଶତାବ୍ଦୀରେ ମରାଠା ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ।
-
ଦୀର୍ଘ ଦଶନ୍ଧି ଧରି ମୋଗଲମାନଙ୍କର ପ୍ରତିରୋଧ ଏବଂ ଏଥିରୁ ଲାଭ କରିଥିବା ଅଭିଜ୍ଞତା ଅଷ୍ଟାଦଶ ଶତାବ୍ଦୀର ସର୍ବ–ଭାରତୀୟ ସାମ୍ରାଜ୍ୟ ବିସ୍ତାରରେ ସହାୟକ ହୋଇଥିଲା।
-
ଇଂରେଜମାନେ ଅନ୍ୟ କୌଣସି ଭାରତୀୟ ଶକ୍ତି ଅପେକ୍ଷା ମରାଠାମାନଙ୍କ ଠାରୁ ଅଧିକ ଦକ୍ଷତାର ସହିତ କ୍ଷମତା ଅକ୍ତିଆର କରିଥିଲେ।
-
ଦୁର୍ଗଗୁଡ଼ିକ ଥିଲା ମରାଠା ରାଜ୍ୟର ମୂଳ ଶକ୍ତି। ଶହଶହ ଦୁର୍ଗକୁ ନିଜ ନିୟନ୍ତ୍ରଣକୁ ଆଣି ଏହି ସବୁ ଅଞ୍ଚଳ ଉପରେ ସେମାନଙ୍କର ଆଧିପତ୍ୟ ବିସ୍ତାର କରିବାରେ ସକ୍ଷମ ହୋଇଥିଲେ।
-
ସେତେବେଳର ସର୍ବଶେଷ ପ୍ରଯୁକ୍ତିବିଦ୍ୟାର ଅଭାବ ସତ୍ତ୍ୱେ ମରାଠା ନୌସେନା ଶକ୍ତିଶାଳୀ ୟୁରୋପୀୟ ନୌସେନାକୁ ଦୀର୍ଘ ସମୟ ଧରି ପ୍ରତିରୋଧ କରି ଆସିଥିଲା।
-
ମରାଠାମାନେ ବିଭିନ୍ନ ଅଞ୍ଚଳର ଭାରତୀୟମାନଙ୍କ ମଧ୍ୟରେ ଏକ ନୂତନ ସାଂସ୍କୃତିକ ଆତ୍ମବିଶ୍ଵାସ ଜାଗରଣ କରିବା ସହିତ ସାଂସ୍କୃତିକ ପୁନରୁଦ୍ଧାର ଓ ନବସୃଜନରେ ସହାୟକ ହୋଇଥିଲେ।
ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ ୧. ଭୂଗୋଳ (ବିଶେଷକରି ପର୍ବତ ଏବଂ ଉପକୂଳ) କିପରି ମରାଠା ସାମରିକ ରଣନୀତି ଏବଂ ରାଜ୍ୟ ଗଠନକୁ ମାର୍ଗଦର୍ଶନ କରିଥିଲା ଆଲୋଚନା କର। ୨. ମନେକର ଯେ ତୁମେ ଛୋଟ ପିଲାମାନଙ୍କ ପାଇଁ ଜଣେ ମରାଠା ନେତାଙ୍କର ଏକ ସଂକ୍ଷିପ୍ତ ଜୀବନୀ ପ୍ରସ୍ତୁତ କରୁଛ। କାହ୍ନୋଜୀ ଆଙ୍ଗ୍ରେ, ବାଜିରାଓ ପ୍ରଥମ, ମହାଦ୍ଜୀ ସିନ୍ଦେ, ଅହଲ୍ୟାବାଈ ହୋଲକାର କିମ୍ବା ତାରାବାଈଙ୍କ ମଧ୍ୟରୁ ଜଣଙ୍କୁ ବାଛ ଏବଂ କ'ଣ ସେମାନଙ୍କୁ ପ୍ରେରଣାଦାୟୀ କରିପାରିଛି, ତାହା ଉପରେ ଆଲୋକପାତ କରି ୩–୪ଟି ଅନୁଚ୍ଛେଦରେ ଲେଖ। ସେମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ଆହ୍ୱାନ ମଧ୍ୟରୁ ଗୋଟିକ ବିଷୟରେ ଆଲୋଚନା କର। ୩. ଆଜିକାର ଗୋଟିଏ ମରାଠା ଦୁର୍ଗ (ଯେପରିକି ରାୟଗଡ଼, ସିନ୍ଧୁ ଦୁର୍ଗ, ଜିଙ୍ଗି କିମ୍ବା ପ୍ରତାପଗଡ଼) ଯଦି ତୁମେ ପରିଦର୍ଶନ କରିବ, ତେବେ କେଉଁଟିକୁ ତୁମେ ବାଛିବ ଓ କାହିଁକି ? ଏହାର ଇତିହାସ, ସ୍ଥାପତ୍ୟ ଏବଂ ରଣକୌଶଳ ଗୁରୁତ୍ଵ ଅନୁସନ୍ଧାନ କର। ଶ୍ରେଣୀରେ ଡିଜିଟାଲ ଉପସ୍ଥାପନା କିମ୍ବା ପୋଷ୍ଟର ମାଧ୍ଯମରେ ତୁମର ନିଷ୍କର୍ଷଗୁଡ଼ିକୁ ଉପସ୍ଥାପନା କର। ୪. ଏହି ଅଧ୍ୟାୟରେ କୁହାଯାଇଛି ଯେ “ବ୍ରିଟିଶମାନେ ମୋଗଲ କିମ୍ବା ଅନ୍ୟ କୌଣସି ଶକ୍ତି ଅପେକ୍ଷା ମରାଠାମାନଙ୍କଠାରୁ ଭାରତର ଅଧିକ ଅଂଶ ଅଧିକୃତ କରିଥିଲେ”। ତୁମେ ଏହାର ଅର୍ଥ କ’ଣ ଭାବୁଛ ? ଏହି ଅଧ୍ୟାୟର କେଉଁ ପ୍ରମାଣ ଏହି ଧାରଣାକୁ ସମର୍ଥନ କରୁଛି ? ୫. ଶିବାଜୀ ଏବଂ ପରବର୍ତ୍ତୀ ମରାଠାମାନେ ଧାର୍ମିକ ସ୍ଥାନ ଓ ବିଭିନ୍ନ ଧର୍ମର ଲୋକଙ୍କ ସହିତ କିପରି ବ୍ୟବହାର କରୁଥିଲେ ତୁଳନା କର। ଏହି ଅଧ୍ୟାୟରୁ କେଉଁ ପ୍ରମାଣ ଧାର୍ମିକ ବିବିଧତା ପ୍ରତି ସେମାନଙ୍କର ଆଭିମୁଖ୍ୟକୁ ଦର୍ଶାଉଛି ? ୬. ଏହି ଅଧ୍ୟାୟରେ ଆଲୋଚନା କରାଯାଇଛି ଯେ, ଦୁର୍ଗଗୁଡ଼ିକ କିପରି ମରାଠାମାନଙ୍କ ପାଇଁ ‘ରାଜ୍ୟର ମୂଳ’ ଥିଲା। ସେଗୁଡ଼ିକ କାହିଁକି ଏତେ ଗୁରୁତ୍ବପୂର୍ଣ୍ଣ ଥିଲା ? ସେହି ଦୁର୍ଗଗୁଡ଼ିକ କିପରି ମରାଠାମାନଙ୍କୁ ବଡ଼ ବଡ଼ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବାରେ ସାହାଯ୍ୟ କରିଥିଲା ? ୭. ମନେକର ତୁମକୁ ମରାଠା ମୁଦ୍ରାର ମୁଖ୍ୟ ଡିଜାଇନର ଭାବରେ ନିଯୁକ୍ତି କରାଯାଇଛି। ମରାଠା ସଫଳତା ଏବଂ ମୂଲ୍ୟବୋଧକୁ ପ୍ରତିନିଧିତ୍ବ କରୁଥିବା ଏକ ମୁଦ୍ରା ପ୍ରସ୍ତୁତ କର। ତୁମେ ବାଛିଥିବା ପ୍ରତୀକଗୁଡ଼ିକୁ ବ୍ୟାଖ୍ୟା କର। ୮. ମରାଠାଯୁଗର ଏହି ପରିଚୟ ପରେ ତୁମେ କ’ଣ ଭାବୁଛ ଯେ ଭାରତୀୟ ଇତିହାସରେ ସେମାନଙ୍କର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅବଦାନ କ’ଣ ଥିଲା ? ଅଧ୍ୟାୟରୁ ଉଦାହରଣ ସହିତ ତୁମର ମତାମତକୁ ସମର୍ଥନ କରି ଏକ ଅନୁଚ୍ଛେଦ ଲେଖ। ଏହାପରେ ସହପାଠୀମାନଙ୍କ ସହିତ ତୁମର ଧାରଣାଗୁଡ଼ିକରୁ ଅଂଶୀଦାର କରି ଆଲୋଚନା କର।