ଅଧ୍ୟାୟ ୪

ଭାରତରେ ଔପନିବେଶିକ ଯୁଗ

“ପ୍ରାୟତଃ ଦୁଇ ଶତାବ୍ଦୀ ପୂର୍ବରୁ ପ୍ରାରମ୍ଭିକ ଇଂରେଜମାନେ ବଙ୍ଗ ଓ ଅନ୍ୟାନ୍ୟ ପ୍ରଦେଶଗୁଡ଼ିକର ଲୋକ ଓ ଅଞ୍ଚଳକୁ ନିଜର ନ୍ୟାର୍ଯ୍ୟ କ୍ରୀଡ଼ାଭୂମି ଭାବରେ ମନେ କରି ଆସିଥିଲେ। ପରବର୍ତ୍ତୀ ଇଂରେଜମାନେ ଶାସକ ଭାବରେ ଏହି ଲୁଣ୍ଠନ ପ୍ରକ୍ରିୟାକୁ ନିଷ୍ଠୁର ଅତ୍ୟାଚାରୀ ରୂପରେ ପୂର୍ବାପେକ୍ଷା ଅଧିକ ତ୍ବରାନ୍ବିତ କରିଛନ୍ତି । ଆଧୁନିକ ଇଂଲଣ୍ଡ ଭାରତର ସମ୍ପଦରେ ସମୃଦ୍ଧି ହୋଇଛି... ସର୍ବଦା ବଳବାନର ଶକ୍ତି ଓ ପାରଦର୍ଶିତା ଦ୍ଵାରା ଅପହୃତ ହୋଇଛି।” — ୱିଲିୟମ୍ ଡିଗ୍‌ବୀ (୧୯୦୧)

[ଚିତ୍ର ବର୍ଣ୍ଣନା: ଏକ ଅଣ୍ଡାକାର ଐତିହାସିକ ତୈଳଚିତ୍ର, ଯେଉଁଥିରେ ବ୍ରିଟାନିଆ ଉଚ୍ଚ ଆସନରେ ବସି ରହିଛନ୍ତି ଏବଂ ପୂର୍ବ ଦେଶର ଲୋକମାନେ ଧନସମ୍ପଦ ଉପହାର ସ୍ୱରୂପ ଅର୍ପଣ କରୁଛନ୍ତି।] ଚିତ୍ର: ୪.୧. ୧୭୭୮ ମସିହାରେ ସ୍ପିରିଡ଼ିଅନ୍ ରୋମା ନାମକ ଜଣେ ଗ୍ରୀକ୍ ଚିତ୍ରକରଙ୍କ ଦ୍ୱାରା ଅଙ୍କିତ "ପୂର୍ବ ନିଜର ସମ୍ପଦ ବ୍ରିଟାନିଆକୁ ଅର୍ପଣ କରୁଛି" ଶୀର୍ଷକ ଏକ ଚିତ୍ରକଳା।

ଆସ ଚିନ୍ତା କରିବା ?

୧. ଉପନିବେଶବାଦ କ'ଣ ? ୨. କ'ଣ ୟୁରୋପୀୟ ଶକ୍ତିଗୁଡ଼ିକୁ ଭାରତକୁ ଆକର୍ଷିତ କରିଥିଲା ? ୩. ଔପନିବେଶିକ ଯୁଗ ସମୟରେ ଏବଂ ପୂର୍ବରୁ ଭାରତର ଅର୍ଥନୈତିକ ଓ ଭୌଗୋଳିକ ସ୍ଥିତି କ'ଣ ଥିଲା ? ୪. ଭାରତର ବ୍ରିଟିଶ ଔପନିବେଶିକ ଆଧିପତ୍ୟ କିପରି ଦେଶକୁ ପ୍ରଭାବିତ କରିଥିଲା ?

ସମୟରେଖା ତଥ୍ୟ (ଚିତ୍ର ୪.୨):

  • ୧୪୯୮ : ଭାସ୍କୋଡାଗାମାଙ୍କ କାଲିକଟ୍ (କୋଝିକୋଡ଼)ରେ ପଦାର୍ପଣ

  • ୧୫୬୦ : ଗୋଆଠାରେ ତଦନ୍ତକାରୀ ସଂସ୍ଥା ସ୍ଥାପନ

  • ୧୬୧୨–୧୬୯୦ : ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀଦ୍ଵାରା ସୁରଟ, ମାଡ୍ରାସ, ବମ୍ବେ ଓ କଲିକତାରେ ବାଣିଜ୍ୟକୋଠୀ ନିର୍ମାଣ।

  • ୧୭୪୧ : କୋଲାଚେଲ୍ ଯୁଦ୍ଧରେ ଡଚ୍‌ମାନଙ୍କର ପରାଜୟ

  • ୧୭୪୬–୧୭୬୩ : ବ୍ରିଟିଶ ଓ ଫରାସୀ ମଧ୍ୟରେ କର୍ଣ୍ଣାଟ ସମର

  • ୧୭୫୭ : ପଲାସୀ ଯୁଦ୍ଧରେ ବ୍ରିଟିଶମାନଙ୍କର ବିଜୟ

  • ୧୭୭୦–୧୭୭୨ : ବଙ୍ଗଳାର ପ୍ରଥମ ମହାଦୁର୍ଭିକ୍ଷ

  • ୧୭୭୪ : ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ପଣ୍ଡିଚେରୀଠାରେ ବାଣିଜ୍ୟକୋଠୀ ନିର୍ମାଣ କଲା।

  • ୧୮୧୮ : ତୃତୀୟ ଆଙ୍ଗ୍ଲୋ-ମରାଠା ଯୁଦ୍ଧରେ ମରାଠା ଶକ୍ତିର ପତନ

  • ୧୮୨୯–୧୮୩୩ : ଖାସୀ ଜାଗରଣ (ବର୍ତ୍ତମାନର ମେଘାଳୟ)

  • ୧୮୩୫ : ଭାରତୀୟ ଶିକ୍ଷା ଉପରେ ମାକଲେଙ୍କର ନୀତି ପ୍ରୟୋଗ

  • ୧୮୪୮–୪୯ : ଶିଖ୍ ସାମ୍ରାଜ୍ୟର ପତନ, ଇଷ୍ଟଇଣ୍ଡିଆ କମ୍ପାନୀ ଦ୍ଵାରା ପଞ୍ଜାବ ଅଧିକାର

  • ୧୮୫୭ : ମହାନ ଭାରତୀୟ ବିଦ୍ରୋହ

  • ୧୮୫୮ : ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀର ଶାସନ ଶେଷ ଏବଂ ବ୍ରିଟିଶ ରାଜ୍ ଆରମ୍ଭ

ପୂର୍ବ ଅଧ୍ୟାୟରେ ଆମେ ଜାଣିଲେ ଯେ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ବ୍ରିଟିଶ ଶକ୍ତି ନିକଟରେ ଆତ୍ମସମର୍ପଣ କରିବା ପୂର୍ବରୁ ମରାଠାମାନେ ମୋଗଲ ସାମ୍ରାଜ୍ୟକୁ ଅନେକାଂଶରେ ଦୁର୍ବଳ କରିଦେଇଥିଲେ। ପ୍ରକୃତରେ ଇଂରେଜମାନଙ୍କର ସାମରିକ ଅଭିଯାନଗୁଡ଼ିକ ଭାରତକୁ ଏକ ବୃହତ ଉପନିବେଶ କରି ଗଢ଼ି ତୋଳିବା ସହିତ ଏହାକୁ ‘ବ୍ରିଟିଶ ସାମ୍ରାଜ୍ୟର ମଣି’ ରୂପେ ଅଭିହିତ କରିଥିଲା।

ଉପନିବେଶବାଦର ଯୁଗ :

ଉପନିବେଶବାଦ ଯୁଗକୁ ଯିବା ପୂର୍ବରୁ ଆମକୁ ଏ ବିଷୟରେ ଟିକେ ବିଚାର ବିମର୍ଷ କରିବାକୁ ପଡ଼ିବ। ଉପନିବେଶବାଦର ସାଧାରଣ ସଂଜ୍ଞା ହେଉଛି, ଗୋଟିଏ ଦେଶ ଅନ୍ୟ ଏକ ଦେଶର ଅଞ୍ଚଳକୁ ଅଧିକାର କରି ସେଠାରେ ନିଜର ବସତି ସ୍ଥାପନ କରିବା ସହିତ ନିଜର ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ବିଚାର ଧାରାକୁ ପ୍ରୟୋଗ କରିବା। ଏହା ଏକ ସାଂପ୍ରତିକ ଘଟଣା ନୁହେଁ । ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରୁ ଆରମ୍ଭ କରି ଖ୍ରୀଷ୍ଟୀୟ ପ୍ରଥମ ସହସ୍ରାବ୍ଦ ମଧ୍ୟରେ ଏହାର ପରିପ୍ରକାଶ ଦେଖିବାକୁ ମିଳିଥିଲା । ଖ୍ରୀଷ୍ଟଧର୍ମ ଓ ଇସଲାମ ଧର୍ମର ପ୍ରସାର ଯୋଗୁଁ ନୂତନ ଧର୍ମରେ ଦୀକ୍ଷିତ ଅଞ୍ଚଳମାନଙ୍କରେ ଉପନିବେଶଗୁଡ଼ିକ ଗଢ଼ି ଉଠିଥିଲା।

ଔପନିବେଶିକ ଯୁଗ କହିଲେ ସାଧାରଣତଃ ପଞ୍ଚଦଶ ଶତାବ୍ଦୀରୁ ୟୁରୋପର ପ୍ରସାରକୁ ବୁଝାଏ ଯାହା ଅଳ୍ପ କେତୋଟି ଶତାବ୍ଦୀ ମଧ୍ୟରେ ସମଗ୍ର ବିଶ୍ଵର ଅଧିକାଂଶ ଅଞ୍ଚଳକୁ ବ୍ୟାପି ଯାଇଥିଲା। ପରବର୍ତ୍ତୀ ଉଚ୍ଚ ଶ୍ରେଣୀମାନଙ୍କରେ ଅଧ୍ୟୟନ କଲାବେଳେ ତୁମେମାନେ ଜାଣିପାରିବ ଯେ, ମୁଖ୍ୟତଃ ସ୍ପେନ, ପର୍ତ୍ତୁଗାଲ, ବ୍ରିଟେନ୍, ଫ୍ରାନ୍ସ ଓ ନେଦରଲାଣ୍ଡ ପରି ୟୁରୋପୀୟ ଶକ୍ତିମାନେ କିପରି ଆଫ୍ରିକା, ଏସିଆ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଅନେକ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପମାନଙ୍କରେ ନିଜ ନିଜର ଆଧିପତ୍ୟ ବିସ୍ତାର କରି ପୃଥିବୀର ଅଧିକାଂଶ ଅଞ୍ଚଳରେ ଉପନିବେଶ ସ୍ଥାପନ କରିବାକୁ ସକ୍ଷମ ହୋଇଥିଲେ। ଅନେକ ସମୟରେ ସାମରିକ ଅଭିଯାନ ମାଧ୍ୟମରେ ନର ସଂହାର କରି ବା ସ୍ଥାନୀୟ ଅଧିବାସୀମାନଙ୍କୁ କ୍ରୀତଦାସ କରି ଏହି ଆଧିପତ୍ୟ ବିସ୍ତାର କରାଯାଉଥିଲା।

ଦାସତ୍ୱ (Enslavement): କୌଣସି ଜଣେ ବ୍ୟକ୍ତିକୁ ଦାସ କରି ରଖିବା।

ସେହିସବୁ ଦେଶମାନେ ଏପରି ସାମରିକ ଅଭିଯାନ କରିବା ପାଇଁ କେଉଁଠୁ ପ୍ରେରଣା ପାଉଥିଲେ ?

ୟୁରୋପୀୟ ଶକ୍ତିମାନଙ୍କ ମଧ୍ୟରେ ରାଜନୈତିକ ପ୍ରତିଯୋଗିତା ବିଶ୍ଵରେ ପ୍ରଭାବ ଓ ଆଞ୍ଚଳିକ ପ୍ରସାର ପାଇଁ ଏକ ଦୌଡ଼ ସୃଷ୍ଟି କରିଥିଲା। ଆଞ୍ଚଳିକ ପ୍ରସାର ନିଶ୍ଚିତ ଭାବରେ ଅନେକ ଆର୍ଥିକ ସୁବିଧାସୁଯୋଗ ପ୍ରଦାନ କରିଥିଲା। ନୂତନ ପ୍ରାକୃତିକ ସମ୍ପଦକୁ ଅକ୍ତିଆର କରିବା ସହିତ ନୂତନ ବଜାର ଓ ନୂତନ ବାଣିଜ୍ୟପଥ ଅଧିକାରକୁ ଆସିଲା ଏବଂ ଲୁଣ୍ଠନ କରିବାର ଉପାୟ ସହଜ ହୋଇଥିଲା। ସ୍ଥାନୀୟ ଅଧିବାସୀମାନଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଇବା ଥିଲା ସେମାନଙ୍କର ଅନ୍ୟ ଏକ ଶକ୍ତିଶାଳୀ ପ୍ରେରଣା। ଏହାଛଡ଼ା ଉପନିବେଶ ସ୍ଥାପନ କରିବାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା ବୈଜ୍ଞାନିକ ଅନୁସନ୍ଧିତ୍ସା। ପୃଥିବୀର ବିଭିନ୍ନ ଭାଗରେ ଥିବା ନୂତନ ଭୌଗୋଳିକ ଏବଂ ପ୍ରାକୃତିକ ଇତିହାସ ସମ୍ପର୍କରେ ଜ୍ଞାନ ଆହରଣ କରିବା ଥିଲା ଏହାର ଅନ୍ୟ ଉଦ୍ଦେଶ୍ୟ।

ରାକ୍ଷସ ପ୍ରତିପାଦନ (Demonise): ଜଣେ ବ୍ୟକ୍ତି ବା ଗୋଷ୍ଠୀକୁ ଅତି ନକରାତ୍ମକ ଭାବରେ ମିଥ୍ୟା ରୂପରେ ଚିତ୍ରଣ କରିବା।

ଅନେକ ସମୟରେ ଉପନିବେଶିକମାନେ ଦାବି କରୁଥିଲେ ଯେ ବର୍ବର, ଆଦିମ ଓ ଅସଭ୍ୟ ଭାବରେ ଚିତ୍ରଣ କରାଯାଉଥିବା ଉପନିବେଶିତ ଅଧିବାସୀମାନଙ୍କର ପ୍ରଗତି ପାଇଁ ସେମାନଙ୍କର ‘ସଭ୍ୟତା ମିଶନ’ ମାଧ୍ୟମରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ପ୍ରକୃତରେ ବାସ୍ତବତା ଥିଲା ଭିନ୍ନ। ଉପନିବେଶିକମାନଙ୍କର ସ୍ଵାଧୀନତାକୁ ଛଡ଼ାଇ ନେବା ସହିତ ସେମାନଙ୍କର ପ୍ରାକୃତିକ ସମ୍ବଳକୁ ଶୋଷଣ କରାଯାଉଥିଲା ଏବଂ ସେମାନଙ୍କର ପାରମ୍ପରିକ ଜୀବନଶୈଳୀକୁ ନଷ୍ଟ କରାଯାଇ ବିଦେଶୀ ସଂସ୍କୃତିର ମୂଲ୍ୟବୋଧକୁ ବାଧ୍ୟକରି ସେମାନଙ୍କ ଉପରେ ଲଦି ଦିଆଯାଉଥିଲା। ଏକଥା ସତ ଯେ ଔପନିବେଶିକ ଯୁଗ ବିଶ୍ୱକୁ ଏକାଠି କରିଥିଲା ଏବଂ ଅର୍ଥନୀତି ଓ ପ୍ରଯୁକ୍ତିବିଦ୍ୟାରେ ଦ୍ରୁତ ଅଭିବୃଦ୍ଧି ଆଣିଥିଲା। କିନ୍ତୁ ପ୍ରକୃତ ପକ୍ଷରେ ଉପନିବେଶିକମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଭୋଗ କରୁଥିଲେ। ଉପନିବେଶିତ ଲୋକମାନେ ସହ୍ୟ କରିଥିବା ଅନେକ ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ ବିଭିନ୍ନ ଐତିହାସିକ ଗବେଷଣାରୁ ଜଣାପଡ଼େ।

[ଚିତ୍ର ବର୍ଣ୍ଣନା: ଏକ ଐତିହାସିକ ରାଜନୈତିକ କାର୍ଟୁନ (ଦି ରୋଡ୍ସ କଲୋସସ୍), ଯେଉଁଥିରେ ସେସିଲ ରୋଡ୍ସ ଆଫ୍ରିକା ମହାଦେଶ ଉପରେ ଦୁଇ ଗୋଡ଼ ପ୍ରସାରିତ କରି ଛିଡ଼ା ହୋଇ ଟେଲିଗ୍ରାଫ୍ ତାର ଧରିଛନ୍ତି।] ଚିତ୍ର : ୪.୩ : ଏହା ଏକ କାର୍ଟୁନ ଚିତ୍ର, ଯେଉଁଥିରେ ଜଣେ ମହାନ ବ୍ରିଟିଶ ବ୍ୟବସାୟୀ ଟେଲିଗ୍ରାଫ ତାର ଧରି ଆଫ୍ରିକାରେ ବୁଲୁଛନ୍ତି। (ଏଡ଼ୱାର୍ଡ଼ ଲିନଲି ସାମ୍ବୋନ, ପଞ୍ଚପତ୍ରିକା, ଲଣ୍ଡନ, ୧୮୯୨)

ଆସ ଅନୁସନ୍ଧାନ କରିବା

କାର୍ଟୁନ ଚିତ୍ରଟି କ’ଣ ପ୍ରକାଶ କରିବାକୁ ଚାହୁଁଛି ବୋଲି ତୁମେ ଭାବୁଛ ? (ଚିତ୍ର: ୪.୩) (ମନେରଖ, ଟେଲିଗ୍ରାଫ ପ୍ରଥମ ଥର ପାଇଁ ତୁରନ୍ତ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲା ଏବଂ ସେତେବେଳର ସମୟ ପାଇଁ ତାହା ଏକ ନୂତନ ଉଦ୍ଭାବନ ଥିଲା)। ଚିତ୍ରଟିର ବିଭିନ୍ନ ଉପାଦାନ ବିଷୟରେ ବିଶ୍ଳେଷଣ କର।

ଅନେକ ଉପନିବେଶ ଅଞ୍ଚଳରେ ଉପନିବେଶକାରୀଙ୍କ ବିରୁଦ୍ଧରେ ଦୃଢ଼ ପ୍ରତିରୋଧ ସୃଷ୍ଟି ହୋଇଥିଲା। ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ବିଶେଷକରି ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଉପନିବେଶବାଦର ପ୍ରଭାବ ହ୍ରାସ ପାଇବାକୁ ଲାଗିଲା। ଅଧିକାଂଶ ଉପନିବେଶିତ ଦେଶ ସ୍ୱାଧୀନତା ହାସଲ କରିବା ସହିତ ଅନ୍ୟାନ୍ୟ ବହୁ କାରଣ ବିଶ୍ଵବ୍ୟାପୀ ଉପନିବେଶୀକରଣକୁ ଦ୍ରୁତ ଗତିରେ ପତନାଭିମୁଖୀ କରାଇଥିଲା। ଏଠାରେ ଆମେ ସ୍ବତନ୍ତ୍ର ଭାବରେ ଭାରତ କଥା ଆଲୋଚନା କରିବା ।

ଭାରତରେ ୟୁରୋପୀୟ :

ଦୀର୍ଘ ଦୁଇ ସହସ୍ର ବର୍ଷରୁ ଅଧିକ କାଳ ଧରି ଭାରତ, ଗ୍ରୀକ୍ ଓ ରୋମ୍ ସହିତ ବାଣିଜ୍ୟ କାରବାର କରି ଆସୁଥିଲା। ବିଶ୍ଵର ଭୂମଧ୍ଯସାଗରୀୟ ଅଞ୍ଚଳରେ ଭାରତର ରପ୍ତାନୀ ଦ୍ରବ୍ୟ ଯଥା— ମସଲା, କପା, ହାତୀଦାନ୍ତ, ମୂଲ୍ୟବାନ ରତ୍ନ, ଚନ୍ଦନକାଠ, ଶାଗୁଆନ କାଠ ଏବଂ ୱୁଟ୍ଜ୍ ଇସ୍ପାତର ବହୁଳ ଚାହିଦା ଥିଲା। ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ, ଯେତେବେଳେ ୟୁରୋପୀୟ ଶକ୍ତିମାନେ ଭାରତୀୟ ଉପମହାଦେଶକୁ ଜଳଯାତ୍ରା ଆରମ୍ଭ କଲେ, ସେତେବେଳେ ଭାରତ ଏକ ସକ୍ରିୟ ଅର୍ଥନୈତିକ ଓ ସାଂସ୍କୃତିକ ଶକ୍ତି କେନ୍ଦ୍ର ରୂପେ ଉଭା ହୋଇଥିଲା। ଐତିହାସିକ ଆକଳନ (ବିଶେଷକରି ଅର୍ଥନୀତିଜ୍ଞ ଆଙ୍ଗସ୍‌ ମ୍ୟାଡ଼ିସନଙ୍କ ମତରେ) ଅନୁସାରେ ଏହି ସମଗ୍ର ସମୟ ମଧ୍ୟରେ ବିଶ୍ୱ ଜିଡିପି ବା ମୋଟ ଘରୋଇ ଉତ୍ପାଦକୁ ଭାରତର ଅବଦାନ ଥିଲା ଏକ-ଚତୁର୍ଥାଂଶ ଯାହା ଚୀନ ସହିତ ଭାରତ ଥିଲା ବିଶ୍ୱର ଦୁଇ ବୃହତ ଅର୍ଥନୀତି ମଧ୍ୟରୁ ଗୋଟିଏ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଷୋଡ଼ଶ ଶତାବ୍ଦୀ ପରବର୍ତ୍ତୀ ସମୟରେ ଭାରତକୁ ଭ୍ରମଣରେ ଆସିଥିବା ପରିବ୍ରାଜକମାନେ ଏହି ଦେଶକୁ ‘ବିକାଶମୁଖୀ’ ବୋଲି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଭାରତର ଉତ୍ପାଦନ କ୍ଷମତା, ବିବିଧ କୃଷି ଉତ୍ପାଦନ ଏବଂ ବ୍ୟାପକ ଅନ୍ତଃ ଓ ବର୍ହି ବାଣିଜ୍ୟ କାରବାରକୁ ପ୍ରଶଂସା କରିଛନ୍ତି। ଏକଥା ସତ ଯେ ଭାରତର ଅର୍ଥନୈତିକ ସମୃଦ୍ଧି ୟୁରୋପୀୟମାନଙ୍କର ଉପନିବେଶବାଦୀ ଆକାଂକ୍ଷାକୁ ଅଧିକ ମାତ୍ରାରେ ଆକର୍ଷିତ କରିଥିଲା।

ଜି.ଡି.ପି. (GDP): ମୋଟ ଘରୋଇ ଉତ୍ପାଦର ସଂକ୍ଷିପ୍ତ ଅର୍ଥ। ଏକ ଦେଶ ବା ବିଶ୍ଵର ଗୋଟିଏ ବର୍ଷରେ ଉତ୍ପାଦିତ ସାମଗ୍ରୀ ଏବଂ ସେବା ମୂଲ୍ୟର ଏକ ମାପ।

ଆସ ଭାରତରେ ୟୁରୋପର ପ୍ରଥମ ଉପନିବେଶବାଦୀ ଶକ୍ତିମାନଙ୍କ ସମ୍ପର୍କରେ ଆଲୋଚନା କରିବା।

ପର୍ତ୍ତୁଗୀଜ : ବାଣିଜ୍ୟ ଏବଂ ଅତ୍ୟାଚାର

୧୪୯୮ ମସିହା ମେ ମାସରେ ପର୍ତ୍ତୁଗୀଜ୍ ଆବିଷ୍କାରକ ଓ ନାବିକ ଭାସ୍କୋଡ଼ାଗାମାଙ୍କ କାପଡ଼ (କେରଳର କୋଜିକୋଡ଼୍ ନିକଟ)ଠାରେ ପଦାର୍ପଣ ଭାରତରେ ୟୁରୋପୀୟମାନଙ୍କର ଉପନିବେଶୀକରଣର ମୂଳଦୁଆ ପକାଇଥିଲା। ଯଦିଓ ତାଙ୍କୁ ସମ୍ମାନର ସହିତ ସ୍ବାଗତ କରାଯାଇଥିଲା କିନ୍ତୁ ତାଙ୍କର ଆକ୍ରମଣାତ୍ମକ ଉପାୟ ଯୋଗୁଁ ସେ ସ୍ଥାନୀୟ ଶାସକମାନଙ୍କ ସହିତ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିପାରିନଥିଲେ। ଚାରିବର୍ଷ ପରେ ତାଙ୍କର ଦ୍ଵିତୀୟ ଜଳଯାତ୍ରା ସମୟରେ ସେ ଭାରତୀୟ ବ୍ୟବସାୟୀମାନଙ୍କୁ ଧରି ନିର୍ଯ୍ୟାତନା ଦେଇଥିଲେ ଏବଂ ହତ୍ୟା ମଧ୍ୟ କରିଥିଲେ। ଏପରିକି ସମୁଦ୍ରରେ ଥାଇ କାଲିକଟ ଉପରେ ବୋମାମାଡ଼ ମଧ୍ୟ କରିଥିଲେ। ପର୍ତ୍ତୁଗୀଜମାନେ ୧୫୧୦ ମସିହାରେ ଗୋଆ ସମେତ କେତେକ ସାମରିକ ବନ୍ଦରଗୁଡ଼ିକୁ ଅଧିକାର କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଗୋଆକୁ ସେମାନେ ସେମାନଙ୍କର ଉପନିବେଶର ରାଜଧାନୀ କରିଥିଲେ। ଏଥିସହିତ ମାଲବାର ଓ କରମଣ୍ଡଳ ଉପକୂଳର ଅନେକ ବାଣିଜ୍ୟ କେନ୍ଦ୍ରକୁ ନିଜ ଅଧୀନକୁ ଆଣିଥିଲେ।

[ଚିତ୍ର ବର୍ଣ୍ଣନା: ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ରାଣୀ ଅବ୍ବକ୍କା ଦେବୀଙ୍କ ସ୍ମାରକୀ ଡାକ ଟିକଟ।] କିଛି ଶତାବ୍ଦୀ ପୂର୍ବରୁ ବନ୍ଦର ସହର ଉଲ୍ଲାଲ (ବର୍ତ୍ତମାନର ଦକ୍ଷିଣ କର୍ଣ୍ଣାଟକ), ରାଣୀ ଅବକ୍କା ଦେବୀ ପ୍ରଥମଙ୍କ ନିୟନ୍ତ୍ରଣରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବାଣିଜ୍ୟ କେନ୍ଦ୍ର ଥିଲା। ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ପର୍ତ୍ତୁଗୀଜମାନେ ବାରମ୍ବାର ଉଦ୍ୟମ କରିଥିଲେ ଏହି ବନ୍ଦର ସହରକୁ ନିଜ ଅକ୍ତିଆରକୁ ନେବା ପାଇଁ କିନ୍ତୁ ରାଣୀ ଅବକ୍କା ଦେବୀ ପ୍ରଥମ ପଡ଼ୋଶୀ ରାଜ୍ୟମାନଙ୍କ ସହିତ ସାମରିକ ମେଣ୍ଟ ଗଠନକରି ପର୍ତ୍ତୁଗୀଜମାନଙ୍କର ଏହି ପ୍ରୟାସକୁ ବିଫଳ କରି ଦେଇଥିଲେ। ଶେଷରେ ସେ ଯୁଦ୍ଧ କରି ବନ୍ଦୀ ହୋଇଥିଲେ ଏବଂ ଜେଲରେ ମୃତ୍ୟୁବରଣ କରିଥିଲେ। ତାଙ୍କର ଉତ୍ତରାଧିକାରୀ ରାଣୀ ଅବକ୍କା ଦ୍ଵିତୀୟ ନଡ଼ିଆ ଖୋଳରେ ଅଗ୍ନିଗୋଳା (ଫାୟାର ବଲ) ତିଆରି କରି ପର୍ତ୍ତୁଗୀଜମାନଙ୍କର ଜାହାଜକୁ ନିକ୍ଷେପ ପୂର୍ବକ ଅନେକ ଜାହାଜକୁ ପୋଡ଼ି ଦେଇଥିବାର ଜଣାଯାଏ। ସେମାନଙ୍କର ଏହି ପ୍ରେରଣାଦାୟକ କାହାଣୀ ଆଜି ମଧ୍ୟ ପାରମ୍ପରିକ ‘ଯକ୍ଷଗଣ’ ନୃତ୍ୟ—ନାଟକ ମାଧ୍ୟମରେ ଲୋକମୁଖରେ ପ୍ରଚାରିତ।

ବିଧର୍ମୀ ଦମନ ସଂଘ (Inquisition): ରୋମୀୟ କ୍ୟାଥୋଲିକ ଚର୍ଚର ଚିନ୍ତାଧାରା ବିରୁଦ୍ଧରେ ମତ ପୋଷଣ କରୁଥିବା ଖ୍ରୀଷ୍ଟଧର୍ମୀମାନଙ୍କର ବିଚାର ପାଇଁ ପ୍ରତିଷ୍ଠିତ ଏକ ଅଦାଲତ। ପ୍ରାୟ ୬୦୦ ବର୍ଷ ଧରି ୟୁରୋପରେ ହଜାର ହଜାର ତଥାକଥିତ ଧର୍ମବିରୋଧୀମାନଙ୍କୁ ଏହି ଅଦାଲତଦ୍ୱାରା ନିର୍ଯାତନା ଓ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

ପର୍ତ୍ତୁଗୀଜ୍‌ମାନେ କାର୍ଭାଜ (ପାସ୍) ନାମକ ଏକ ଅନୁପତ୍ର ବ୍ୟବସ୍ଥା ପ୍ରଚଳନ କରିଥିଲେ ଯାହାଦ୍ଵାରା ଆରବ ସାଗରରେ ନୌଚାଳନା କରୁଥିବା ସମସ୍ତ ଜାହାଜକୁ ଏହି ପର୍ତ୍ତୁଗୀଜ ଅନୁମତି ପତ୍ର କିଣିବାକୁ ବାଧ୍ଯ କରାଯାଉଥିଲା। ଏହି ପରମିଟ୍ ବା ଅନୁମତି ପତ୍ର ନଥିବା ଜାହାଜଗୁଡ଼ିକୁ ଜବତ କରାଯାଉଥିଲା। ସେମାନଙ୍କର ଏହି ନୌସୈନିକ ପ୍ରଭୁତ୍ଵ ପ୍ରାୟ ଏକ ଶତାବ୍ଦୀ ଧରି ଭାରତ ଓ ୟୁରୋପ ମଧ୍ୟରେ ଥିବା ମସଲା ବ୍ୟବସାୟକୁ ଏକଚାଟିଆ କରି ରଖିଥିଲା।

ଭାରତରେ ବାଣିଜ୍ୟିକ ଶୋଷଣ କରିବା ସଙ୍ଗେ ସଙ୍ଗେ ପର୍ତ୍ତୁଗୀଜମାନେ ପଶ୍ଚିମ ଭାରତରେ ଧାର୍ମିକ ନିର୍ଯାତନା ମଧ୍ୟ ଦେଉଥିଲେ। ୧୫୬୦ ମସିହାରେ ଗୋଆରେ ସେମାନେ ବିଧର୍ମୀ ଦମନ ସଂଘ ବା ଧାର୍ମିକ ବିଚାର ଅଦାଲତ ପ୍ରତିଷ୍ଠା କଲେ ଯେଉଁଠାରେ ହିନ୍ଦୁ, ମୁସଲମାନ, ୟୁହୁଦୀ ଏବଂ ଖ୍ରୀଷ୍ଟଧର୍ମକୁ ପରିବର୍ତ୍ତିତ ହୋଇଥିବା ଏବଂ ମୂଳଧର୍ମର ରୀତିନୀତିକୁ ଛାଡ଼ି ନଥିବା ସନ୍ଦେହୀ ଲୋକମାନଙ୍କୁ ଏହି ଅଦାଲତରେ କଠୋର ନିର୍ଯାତନା ଦିଆଯାଉଥିଲା। ଏହି ପ୍ରକାର ଦମନ ଲୀଳା ସହିତ ବଳପୂର୍ବକ ଖ୍ରୀଷ୍ଟଧର୍ମକୁ ପରିବର୍ତ୍ତନ ଏବଂ ଅନେକ ହିନ୍ଦୁ ମନ୍ଦିର ଧ୍ବଂସ ସହିତ ସ୍ଥାନୀୟ ଲୋକମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଥିଲା। (ଗୋଆ ଧାର୍ମିକ ଅଦାଲତକୁ ୧୮୧୨ ମସିହାରେ ବନ୍ଦ କରି ଦିଆଯାଇଥିଲା।)

[ଚିତ୍ର ବର୍ଣ୍ଣନା: କୋଝିକୋଡ଼ଠାରେ ୧୪୯୮ରେ ଭାସ୍କୋଡାଗାମାଙ୍କ ଅବତରଣ ସ୍ମୃତିରେ ସ୍ଥାପିତ ଏକ ପଥର ଫଳକ।] ଚିତ୍ର : ୪.୪ : ୧୪୯୮ ମସିହାରେ ଭାସ୍କୋଡ଼ାଗାମା କୋଜିକୋଡ଼ରେ ପଦାର୍ପଣ କରିଥିବାର ଏକ ଫଳକ

ଡଚ୍ : ବାଣିଜ୍ୟ ଓ ପ୍ରତିଯୋଗିତା

ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭରେ ଡଚ୍‌ମାନେ ଭାରତରେ ପଦାର୍ପଣ କଲେ। ସେମାନେ ପର୍ତ୍ତୁଗୀଜମାନଙ୍କ ପରି ନଥିଲେ। ପ୍ରଥମତଃ ବାଣିଜ୍ୟିକ ପ୍ରାଧାନ୍ୟତା ସହିତ ମୁଖ୍ୟତଃ ମସଲା ବ୍ୟବସାୟ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସେମାନେ ଏକ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ପ୍ରତିଷ୍ଠା ସହିତ ପଶ୍ଚିମ ଉପକୂଳସ୍ଥ ସୁରତ, ଭାରୁଚ, କୋଚିନ୍ (କୋଚି) ଏବଂ ପୂର୍ବ ଉପକୂଳସ୍ଥ ନାଗାପଟ୍ଟନମ୍ ଏବଂ ମାସୁଲପଟ୍ଟନମ (ବର୍ତ୍ତମାନର ମଚ୍ଛଲିପଟ୍ଟନମ) ସମେତ ଭାରତର ବିଭିନ୍ନ ସ୍ଥାନରେ ବାଣିଜ୍ୟ କେନ୍ଦ୍ରମାନ ପ୍ରତିଷ୍ଠା କରିଥିଲେ। ସେମାନଙ୍କର ପ୍ରମୁଖ ଉପସ୍ଥିତି ଥିଲା କେରଳର ମାଲବାର ଅଞ୍ଚଳରେ ଯେଉଁଠାରେ ସେମାନେ ପର୍ତ୍ତୁଗୀଜମାନଙ୍କର ଅନେକ ବାଣିଜ୍ୟ କେନ୍ଦ୍ରକୁ ବେଦଖଲ କରିଥିଲେ।

[ଚିତ୍ର ବର୍ଣ୍ଣନା: ୧୭୪୧ ମସିହାରେ କୋଲାଚେଲ ଯୁଦ୍ଧ ପରେ ଟ୍ରାଭାଙ୍କୋରର ରାଜା ମାର୍ଥାଣ୍ଡ ବର୍ମାଙ୍କ ସମ୍ମୁଖରେ ଡଚ୍ କମାଣ୍ଡର ଡି ଲେନୟଙ୍କ ଆତ୍ମସମର୍ପଣର ମୂର୍ତ୍ତିକଳା/ରିଲିଫ୍ ଭାସ୍କର୍ଯ୍ୟ।] ଚିତ୍ର : ୪.୫ : ୧୭୪୧ ମସିହାରେ କୋଲାଚେଲ ଯୁଦ୍ଧ ପରେ ଟ୍ରାଭାଙ୍କୋରର ରାଜା ମାର୍ଥଣ୍ଡ ବର୍ମାଙ୍କ ନିକଟରେ ଡଚ୍ ସେନାର ଆତ୍ମ ସମର୍ପଣର ଏକ ଦୃଶ୍ୟ। (ପଦ୍ମନାଭପୁରମ୍ ରାଜ ପ୍ରାସାଦ)।

ଭାରତରେ ଡଚ୍‌ମାନଙ୍କର ଉପସ୍ଥିତି ସୀମିତ ଥିଲା। ୧୭୪୧ ମସିହାରେ କୋଲାଚେଲ ଯୁଦ୍ଧରେ ପରାଜୟ ପରେ ସେମାନଙ୍କର ଶକ୍ତି ବହୁ ମାତ୍ରାରେ ହ୍ରାସ ପାଇଥିଲା। ରାଜା ମାର୍ଥଣ୍ଡ ବର୍ମାଙ୍କ ଅଧୀନରେ ଟ୍ରାଭାଙ୍କୋରର ସୈନ୍ୟମାନେ ଉଭୟ ସ୍ଥଳ ଓ ସମୁଦ୍ରରେ ନିର୍ଣ୍ଣାୟକ ଭାବରେ ଡଚ୍‌ମାନଙ୍କୁ ପରାସ୍ତ କରିଥିଲେ। ଟ୍ରାଭାଙ୍କୋର ରାଜ୍ୟ ବର୍ତ୍ତମାନର କେରଳ ରାଜ୍ୟର ଦକ୍ଷିଣ ଭାଗରେ ଥିଲା। ଏହି ଯୁଦ୍ଧ ଏକ ବିରଳ ଉଦାହରଣ ଥିଲା ଯେଉଁଥିରେ ଏକ ଏସୀୟ ଶକ୍ତି ସଫଳତାର ସହିତ ଏକ ୟୁରୋପୀୟ ଉପନିବେଶବାଦୀ ଶକ୍ତିକୁ ପ୍ରତିହତ କରିପାରିଥିଲା।

ଫରାସୀ : ଉପନିବେଶବାଦୀ ଅଭିଳାଷ :

ଫରାସୀମାନେ ଭାରତରେ ପ୍ରବେଶ କରି ୧୬୬୮ ମସିହାରେ ସେମାନଙ୍କର ପ୍ରଥମ ବାଣିଜ୍ୟ କେନ୍ଦ୍ର ସୁରତରେ ପ୍ରତିଷ୍ଠା କଲେ ଏବଂ ପରବର୍ତ୍ତୀ ସମୟରେ ୧୬୭୪ ମସିହାରେ ପଣ୍ଡିଚେରୀ (ବର୍ତ୍ତମାନର ପୁଡ଼ୁଚେରୀ) ଠାରେ ସେମାନେ ଇଷ୍ଟଇଣ୍ଡିଆ କମ୍ପାନୀ ସ୍ଥାପନ କଲେ ଏବଂ ଭାରତରେ ଏକ ଫରାସୀ ସାମ୍ରାଜ୍ୟ ଗଠନ କରିବାର ଅଭିଳାଷ ପୋଷଣ କରିଥିଲେ।

୧୭୪୨ ରୁ ୧୭୫୪ ମସିହା ପର୍ଯ୍ୟନ୍ତ ଡୁପ୍ଲେକ୍ସ ଫରାସୀ ଭାରତର ଗଭର୍ଣ୍ଣର ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କର ଉପନିବେଶବାଦୀ ରଣକୌଶଳ ପରବର୍ତ୍ତୀ ସମୟରେ ଇଂରେଜମାନେ ମଧ୍ୟ ଗ୍ରହଣ କରିଥିଲେ। ବିଶେଷକରି ସେ ଭାରତୀୟ ସୈନ୍ୟମାନଙ୍କୁ ୟୁରୋପୀୟ ସାମରିକ ଢାଞ୍ଚାରେ ତାଲିମ ପ୍ରଦାନ କରିଥିଲେ, ଯାହାଫଳରେ ସିପାହୀ ନାମରେ ଜଣାଶୁଣା ଶୃଙ୍ଖଳିତ ପଦାତିକ ସୈନ୍ୟମାନେ ସୃଷ୍ଟିହୋଇ ପାରିଥିଲେ। ସ୍ଥାନୀୟ ଉତ୍ତରାଧିକାର ବିବାଦରେ ହସ୍ତକ୍ଷେପ ଦ୍ୱାରା ନିଯୁକ୍ତ ହୋଇଥିବା ନିୟନ୍ତ୍ରଣାଧୀନ ଶାସକମାନଙ୍କ ଜରିଆରେ ସେ ଏକ ପରୋକ୍ଷ ଶାସନ ନୀତି ପ୍ରୟୋଗ କରିଥିଲେ।

୧୭୪୬ ରୁ ୧୭୬୩ ମଧ୍ୟରେ ବ୍ରିଟେନ୍ ଓ ଫରାସୀ ମଧ୍ୟରେ ସୃଷ୍ଟି ହୋଇଥିବା ଧାରାବାହିକ କର୍ଣ୍ଣାଟକ ଯୁଦ୍ଧ ଦ୍ବାରା ଫରାସୀ ଉପନିବେଶବାଦୀ ଅଭିଳାଷ ଶେଷରେ ପ୍ରତିହତ ହୋଇଥିଲା। ୧୭୪୬ ମସିହାରେ ଡୁପ୍ଲେକ୍ସ ମାଡ୍ରାସ (ବର୍ତ୍ତମାନର ଚେନ୍ନାଇ) ଅଧିକାର କରି ପ୍ରାରମ୍ଭିକ ସଫଳତା ହାସଲ କରିଥିଲେ ମଧ୍ୟ ଶେଷରେ ଫରାସୀମାନେ ବ୍ରିଟିଶମାନଙ୍କଠାରୁ ପରାଜିତ ହୋଇଥିଲେ ଏବଂ ସେମାନଙ୍କର ଉପନିବେଶ କେବଳ ପଣ୍ଡିଚେରୀ ଓ ଅଳ୍ପ କେତେକ ଛୋଟ ଛୋଟ ଅଞ୍ଚଳ ମଧ୍ୟରେ ସୀମିତ ଥିଲା।

ଡଚ୍ ଓ ପର୍ତ୍ତୁଗୀଜ୍‌ମାନଙ୍କ ପରି ଫରାସୀ ଉପନିବେଶବାଦୀ ଶକ୍ତିମାନେ ଭାରତୀୟମାନଙ୍କର ସାମାଜିକ ଓ ଧାର୍ମିକ ଜୀବନରେ ବିଶେଷ ହସ୍ତକ୍ଷେପ କରିନଥିଲେ। ୧୭୪୮ ମସିହାରେ ପଣ୍ଡିଚେରୀର ଜେସୁଇଟ୍ ପୂଜାରୀ ଓ ଡୁପ୍ଲେକ୍‌ଙ୍କ ନିଜ ପତ୍ନୀଙ୍କ ବାରମ୍ବାର ଅନୁରୋଧ କ୍ରମେ ପଣ୍ଡିଚେରୀର ବୃହତ୍ ବେଦପୁରୀଶ୍ୱରନ ମନ୍ଦିରକୁ ଧ୍ୱଂସ କରାଯାଇଥିଲା, ଯାହା ଖ୍ରୀଷ୍ଟ ଧର୍ମର ପ୍ରାଧାନ୍ୟତାକୁ ଦର୍ଶାଉଥିଲା। ଏହା ଫରାସୀମାନଙ୍କର ଏକ ବିରଳ ବ୍ୟତିକ୍ରମ ଥିଲା। ସାଧାରଣତଃ ଫରାସୀମାନଙ୍କୁ ଭାରତରେ ସୀମିତ ପରିମାଣର ବାଣିଜ୍ୟ କାରବାରରେ ସନ୍ତୁଷ୍ଟ ହେବାକୁ ପଡ଼ୁଥିଲା।

[ଚିତ୍ର ବର୍ଣ୍ଣନା: ୧୭୬୪ ମସିହାର ପଣ୍ଡିଚେରୀ ସହରର ଏକ ଫରାସୀ ନକ୍ସା/ମାନଚିତ୍ର ଯେଉଁଥିରେ ଗ୍ରୀଡ୍ ବ୍ୟବସ୍ଥା ଓ ଦୁର୍ଗ ଦର୍ଶାଯାଇଛି।] ଚିତ୍ର : ୪.୬ : ୧୭୬୪ ମସିହାରେ ଏକ ଯୋଜନାବଦ୍ଧ ବ୍ୟବସ୍ଥା ଯେଉଁଥିରେ ପଣ୍ଡିଚେରୀ ସହରକୁ ଦୁର୍ଗ ଏବଂ ଗ୍ରୀଡ଼ ଦ୍ବାରା ପରିବେଷ୍ଟିତ କରାଯାଇଛି। ସମୁଦ୍ର ଆଡ଼କୁ ମୁହଁ କରିଥିବା (ତଳ ଆଡ଼କୁ) ବୃହତ ସଂରଚନାଟି ଦୁର୍ଗ ଥିଲା । ଯୋଜନାର ଉପର ଅଂଶଟି ପଶ୍ଚିମ ଆଡ଼କୁ ଇଙ୍ଗିତ କରୁଛି।

ବ୍ରିଟିଶମାନଙ୍କ ଆଗମନ :

ପ୍ରାୟ ଦୁଇ ଶତାବ୍ଦୀ ଧରି ବ୍ରିଟେନ୍ ଭାରତୀୟ ଉପମହାଦେଶରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଏହା କିପରି ଘଟିଲା ? ଅନେକ ପୁସ୍ତକରେ ବ୍ରିଟିଶ ଶାସକମାନଙ୍କର ଶାସନ ପଦ୍ଧତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଆମେ ଏଠାରେ ସମସ୍ତ ବିଷୟକୁ ଉପସ୍ଥାପିତ କରୁନାହୁଁ, କେବଳ ଭାରତରେ ସେମାନଙ୍କର ଉପନିବେଶବାଦୀ ପ୍ରମୁଖ ଦିଗ ଉପରେ ଆଲୋଚନା କରିବୁ।

ବ୍ୟବସାୟୀରୁ ଶାସକ ପର୍ଯ୍ୟନ୍ତ :

ଏକ ବାଣିଜ୍ୟିକ କମ୍ପାନୀ କିପରି ଏକ ସାମ୍ରାଜ୍ୟବାଦୀ ଶକ୍ତି ରୂପରେ ପରିଣତ ହୋଇପାରିଲା, ତାହାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି ବ୍ରିଟିଶମାନଙ୍କର ଭାରତ ବିଜୟ। କୌଣସି ପାରମ୍ପରିକ ବିଜୟ ବା ସାମରିକ ଅଭିଯାନ ପରିବର୍ତ୍ତେ ଅତି ଚତୁରତାର ସହିତ ଛଦ୍ମ ବ୍ୟବସାୟିକ ଉଦ୍ୟୋଗ ବଳରେ ଇଂରେଜମାନେ ଧୀରେ ଧୀରେ ସମଗ୍ର ଭାରତକୁ କରାୟତ କରିଥିଲେ।

ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ଏକ ବ୍ୟବସାୟିକ କମ୍ପାନୀ ରୂପେ ପ୍ରତିଷ୍ଠିତ ହୋଇଥିଲା। ରାଣୀ ଏଲିଜାବେଥ୍ ପ୍ରଥମଙ୍କଠାରୁ ରାଜକୀୟ ସନନ୍ଦ ଲାଭକରି ବ୍ୟକ୍ତିଗତ ବା ଘରୋଇ ସେନାବାହିନୀ ଗଠନ ପାଇଁ ଅନୁମତି ଲାଭ କରିଥିଲା। ଏହାର ଏଜେଣ୍ଟ ବା ପ୍ରତିନିଧିମାନେ ପ୍ରଥମେ କେବଳ ବାଣିଜ୍ୟ କରିବାର ଛଳନା କରିଥିଲେ। ସପ୍ତଦଶ ଶତାବ୍ଦୀରେ ସେମାନଙ୍କୁ ଭାରତର ଉପକୂଳରେ ପାଦ ରଖିବାକୁ ଅନୁମତି ମିଳିଲା ଏବଂ ସର୍ବନିମ୍ନ ପ୍ରତିରୋଧରେ ସେମାନେ ପ୍ରଥମେ ସୁରତ, ମାଡ୍ରାସ, ବମ୍ବେ ଏବଂ କଲିକତା ଆଦି ସ୍ଥାନରେ ବସତି ସ୍ଥାପନ କଲେ। ସ୍ଥାନୀୟ ଶାସକମାନେ ସାଧାରଣତଃ ବିଦେଶୀ ବାଣିଜ୍ୟକୁ ସ୍ଵାଗତ କରୁଥିବାରୁ ସେମାନଙ୍କ ବାଣିଜ୍ୟ କୋଠୀ ନିର୍ମାଣକୁ ବିଶେଷ ଧ୍ୟାନ ଦେଇନଥିଲେ। ଆମକୁ ଜାଣିବାକୁ ହେବ ଯେ ପରବର୍ତ୍ତୀ ସମୟରେ ସେମାନଙ୍କର ଏହି ବାଣିଜ୍ୟ କୋଠୀ ନିର୍ମାଣ ଏକ ଦୀର୍ଘ ଦିନର ଅଭ୍ୟାସରେ ପରିଣତ ହୋଇଥିଲା। ସେମାନଙ୍କର ଏହି ସାଧାରଣ ଆରମ୍ଭ ମଧ୍ଯରେ କମ୍ପାନୀର ଦୀର୍ଘକାଳୀନ ଅଭିଳାଷ ଲୁଚିକରି ରହିଥିଲା।

ଆସ ଅନୁସନ୍ଧାନ କରିବା

ତୁମେ ଆଗକୁ ଯିବା ପୂର୍ବରୁ ଏହି ଅଧ୍ୟାୟର ପ୍ରଥମ ପୃଷ୍ଠାରେ ଥିବା ଚିତ୍ରଟିକୁ ଭଲ ଭାବରେ ଲକ୍ଷ୍ୟ କର। ସ୍ଵତନ୍ତ୍ର ଭାବରେ ଏହା ଇଷ୍ଟଇଣ୍ଡିଆ କମ୍ପାନୀର ଲଣ୍ଡନ ମୁଖ୍ୟ କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ଏହାର ଦୈର୍ଘ୍ୟ ତିନି ମିଟରରୁ ଅଧିକ ରହିଥିଲା। ଏହାର ପ୍ରତ୍ୟେକ ଦିଗ ଯଥା- ଏଥିରେ ଥିବା ଲୋକ, ବସ୍ତୁ, ସଙ୍କେତ ଏବଂ ଦୃଷ୍ଟିଭଙ୍ଗିକୁ ଅନୁଧ୍ୟାନ କର। ଚାରି କିମ୍ବା ପାଞ୍ଚଜଣ ଛାତ୍ରଙ୍କୁ ନେଇ ଗୋଟିଏ ଗୋଟିଏ ଦଳ ତିଆରି କର ଏବଂ ପ୍ରତ୍ୟେକ ଦଳ ଚିତ୍ରଟି ପ୍ରଦାନ କରୁଥିବା ବାର୍ତ୍ତା ସମ୍ପର୍କରେ ମତାମତ ଦେବାକୁ କୁହ। (ଆମେ ଯେତେବେଳେ ଚିତ୍ରଟି ବିଷୟରେ ଆଲୋଚନା କରିବୁ, ତୁମେମାନେ କେତୋଟି ପୃଷ୍ଠା ପରେ ଆମର ଉତ୍ତର ପାଇବ କିନ୍ତୁ ବର୍ତ୍ତମାନ ସେଗୁଡ଼ିକୁ ଦେଖ ନାହିଁ ।)

‘ବିଭାଜନ ଓ ଶାସନ’ କୌଶଳ :

ବ୍ୟବସାୟୀର ଦୃଷ୍ଟିକୋଣକୁ ବଜାୟ ରଖ୍ କେତେକ ସ୍ଥାନୀୟ ଶାସକମାନଙ୍କର ପ୍ରତିଦ୍ଵନ୍ଦୀଙ୍କ ବିପକ୍ଷରେ ସାମରିକ ସ‌ହଯୋଗ ପ୍ରଦାନ କରି କମ୍ପାନୀର ଏଜେଣ୍ଟମାନେ ରାଜନୈତିକ ସମ୍ପର୍କ ରକ୍ଷା କରିବାକୁ ସକ୍ଷମ ହୋଇଥିଲେ। ଫଳରେ ସେମାନେ ନିଜକୁ ଭାରତୀୟ ରାଜନୈତିକ ସମସ୍ୟା ସହିତ ଜଡ଼ିତ କରିବା ସଙ୍ଗେ ସଙ୍ଗେ ବିଦେଶୀ ଆକ୍ରମଣକାରୀ ପରିବର୍ତ୍ତେ ଶକ୍ତି ଦଲାଲ ଭାବରେ ଉଭା ହୋଇଥିଲେ। ଆଞ୍ଚଳିକ ଶାସକମାନଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ଏବଂ ଉତ୍ତରାଧିକାରୀତ୍ଵ ବିବାଦ ଉପରେ ସମସ୍ୟା ସୃଷ୍ଟିକରି ‘ବିଭାଜନ ଓ ଶାସନ’ ନୀତି ଅନୁସାରେ ନିଜର ଫାଇଦା ହାସଲ କରୁଥିଲେ। ତତ୍କାଳୀନ ବିଭାଜିତ ଭାରତୀୟ ସମାଜକୁ ଶୋଷଣ କରିବାର କୌଶଳ ଇଂରେଜମାନଙ୍କୁ ଭଲ ଭାବରେ ଜଣାଥିଲା। ଉଦାହରଣ ସ୍ଵରୂପ ଧାର୍ମିକ ସଂପ୍ରଦାୟ ମଧ୍ୟରେ ବିଭେଦ ଓ ଉତ୍ତେଜନା ସୃଷ୍ଟି କରିବାକୁ ପ୍ରୋତ୍ସାହିତ କରୁଥିଲେ।

[ଚିତ୍ର ବର୍ଣ୍ଣନା: ପଲାସୀ ଯୁଦ୍ଧକ୍ଷେତ୍ରରେ ରବର୍ଟ କ୍ଲାଇଭ୍ ଧଳା ଘୋଡ଼ାରେ ଚଢ଼ି ସେନାକୁ ନିର୍ଦ୍ଦେଶ ଦେଉଥିବାର ଏକ ଜଳରଙ୍ଗ ଚିତ୍ର।] ଚିତ୍ର : ୪.୭ : ପଲାସୀ ଯୁଦ୍ଧ

୧୭୫୭ ମସିହାର ପଲାସୀ ଯୁଦ୍ଧ ଏହି ନୀତିର ଏକ ବଳିଷ୍ଠ ଉଦାହରଣ। ଯେତେବେଳେ ବଙ୍ଗର ନବାବ ସିରାଜ-ଉଦ୍-ଦୌଲା ଏବଂ ରବର୍ଟ କ୍ଲାଇବ୍ ନେତୃତାଧୀନ ଇଷ୍ଟଇଣ୍ଡିଆ କମ୍ପାନୀ ମଧ୍ଯରେ ଉତ୍ତେଜନା ଦେଖାଦେଲା, ସେତେବେଳେ ରବର୍ଟ କ୍ଲାଇବ୍, ନବାବଙ୍କ ଦରବାରର ଅସନ୍ତୋଷ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରିଥିଲେ। କ୍ଲାଇବ୍ ନବାବଙ୍କ ସେନାପତି ମିର୍‌ଜାଫରଙ୍କ ସହିତ ଏକ ଷଡ଼ଯନ୍ତ୍ର କରିଥିଲେ ଏବଂ ତାଙ୍କର ବିଶ୍ଵାସଘାତକତା ପାଇଁ ନୂତନ ନବାବ ଭାବରେ ତାଙ୍କୁ ନିଯୁକ୍ତି ମିଳିବ ବୋଲି କ୍ଲାଇବ୍ ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନର କଲିକତାଠାରୁ ୧୫୦ କିଲୋମିଟର ଦୂରସ୍ଥ ପଲାସୀ ନାମକ ସ୍ଥାନରେ ଏହି ଯୁଦ୍ଧ ସଂଗଠିତ ହୋଇଥିଲା। ଏହି ଯୁଦ୍ଧରେ କିଛି ଫରାସୀ ସୈନ୍ୟ ନବାବଙ୍କ ସପକ୍ଷରେ ଯୁଦ୍ଧ କରିଥିଲେ କିନ୍ତୁ ନବାବଙ୍କର ଅଧିକାଂଶ ସୈନ୍ୟ ମିର୍‌ଜାଫରଙ୍କ ସପକ୍ଷରେ ଥିବାରୁ କ୍ଲାଇଭ୍‌ଙ୍କର ଅଳ୍ପ ସଂଖ୍ୟକ ସୈନ୍ୟ ଯୁଦ୍ଧରେ ବିଜୟ ଲାଭ କରିଥିଲେ। ଆଜି ମଧ୍ଯ ଭାରତରେ ‘ମିରଜାଫର’ ବିଶ୍ଵାସଘାତକତାର ଏକ ପ୍ରତିଶବ୍ଦ ହୋଇ ରହିଆସିଛି।

ନିଜକୁ ଏକ ‘ରାଜା ନିର୍ମାତା’ ପଦବୀରେ ଅବସ୍ଥାପିତ କରି ଇଷ୍ଟଇଣ୍ଡିଆ କମ୍ପାନୀ ଧୀରେ ଧୀରେ ଭାରତର ବୃହତ ଅଞ୍ଚଳରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଲାଗିଲା। ଊନବିଂଶ ଶତାବ୍ଦୀରେ ଏହା ଆଉ ପାଦେ ଆଗକୁ ଯାଇ ଏକ କୁଖ୍ୟାତ ‘ରାଜସ୍ୱତ୍ୱ ଲୋପନୀତି’ ପ୍ରଚଳନ କଲା, ଯାହାଫଳରେ କୌଣସି ସାମନ୍ତ ରାଜ୍ୟର ରାଜାଙ୍କର ଯଦି କୌଣସି ପୁରୁଷ ଉତ୍ତରାଧିକାରୀ ବିନା ମୃତ୍ୟୁ ହୋଇଯାଏ, ତେବେ ଉକ୍ତ ରାଜ୍ୟ ବ୍ରିଟିଶ ଶାସନାଧୀନ ରାଜ୍ୟମାନଙ୍କ ସହିତ ସଂଲଗ୍ନ କରାଯାଉଥିଲା। ଭାରତୀୟ ରାଜକୀୟ ପରମ୍ପରାରେ ପୌଷ୍ୟପୁତ୍ର ଗ୍ରହଣ ଏକ ବୈଧ ନିୟମ ଥିବାବେଳେ ଇଂରେଜମାନେ ଜାଣିଶୁଣି ଏହି ପରମ୍ପରାକୁ ଅଣଦେଖା କରିଥିଲେ।

ମନେରଖ : ଭାରତୀୟ ପରିପ୍ରେକ୍ଷୀରେ ଏକ ଦେଶୀୟ ରାଜ୍ୟ ଭାରତର ଜଣେ ରାଜକୁମାର, ମହାରାଜା ବା ନବାବଙ୍କ ଅଧୀନରେ ରହିଥିଲା କିନ୍ତୁ ଆଭ୍ୟନ୍ତରୀଣ ଶାନ୍ତିଶୃଙ୍ଖଳା ରକ୍ଷା କରିବା ନିମିତ୍ତ ବ୍ରିଟିଶମାନଙ୍କର ସୁରକ୍ଷା ଓ ମାର୍ଗ ଦର୍ଶନକୁ ଗ୍ରହଣ କରିଥିଲା। ହାଇଦ୍ରାବାଦ, ମହୀଶୂର, ଟ୍ରାଭାଙ୍କୋର ଓ ଜାମ୍ମୁକାଶ୍ମୀର ପରି ବଡ଼ ବଡ଼ ରାଜ୍ୟ ସହିତ ଶହ ଶହ ସଂଖ୍ୟାର ଛୋଟ ଛୋଟ ରାଜ୍ୟ ମଧ୍ୟ ଏହିପରି ଦେଶୀୟ ରାଜ୍ୟର ଅନ୍ତର୍ଭୁକ୍ତ ଥିଲା। ଏପରିକି ଭାରତର ସ୍ଵାଧୀନତା ସମୟରେ ଉପମହାଦେଶର ପ୍ରାୟ ୪୦ ଭାଗ ଅଞ୍ଚଳରେ ୫୦୦ ରୁ ଅଧିକ ଦେଶୀୟ ରାଜ୍ୟ ରହିଥିଲେ।

‘ରାଜସ୍ୱତ୍ୱ ଲୋପ ନୀତି’ ଦ୍ୱାରା ଅନେକ ରାଜ୍ୟ ବ୍ରିଟିଶ ସାମ୍ରାଜ୍ୟଭୁକ୍ତ ହେଲା ଯାହାଦ୍ୱାରା ବ୍ରିଟିଶର ଆଞ୍ଚଳିକ ନିୟନ୍ତ୍ରଣର ପରିସର ବୃଦ୍ଧି ପାଇଲା। ଏହା ଭାରତୀୟ ସମାଜର ବିଭିନ୍ନ ବର୍ଗ ମଧ୍ୟରେ ଅସନ୍ତୋଷ ସୃଷ୍ଟିକଲା ଏବଂ ଏହାର ଫଳସ୍ଵରୂପ ୧୮୫୭ର ବିଦ୍ରୋହର ସୂତ୍ରପାତ ହୋଇଥିଲା (ଏ ବିଷୟରେ ଆମେ ପରବର୍ତ୍ତୀ ସମୟରେ ଜାଣିବା)।

ବ୍ରିଟିଶମାନଙ୍କର ଅନ୍ୟ ଏକ କପଟ ଉପାୟ ଥିଲା ‘ସାମନ୍ତ ସନ୍ଧି’। ଏହାଦ୍ଵାରା ଜଣେ ବ୍ରିଟିଶ ପ୍ରତିନିଧ୍ ରାଜଦରବାରରେ ଅବସ୍ଥାପିତ ହେଉଥିଲେ ଯିଏକି ରାଜ୍ୟର ଆଭ୍ୟନ୍ତରୀଣ ଓ ବାହ୍ୟ ବିପଦ ସମୟରେ ରାଜାଙ୍କୁ ସହାୟତା କରିବେ ଏବଂ ବଦଳରେ ରାଜ୍ୟମାନେ ନିଜ ଖର୍ଚ୍ଚରେ ଏକ ବ୍ରିଟିଶ ସୈନ୍ୟବାହିନୀକୁ ପରିଚାଳନା କରିବେ ଓ ତତ୍ ସଙ୍ଗେ ସଙ୍ଗେ ବ୍ରିଟିଶ ମାଧ୍ଯମରେ ସେମାନେ ସେମାନଙ୍କର ବୈଦେଶିକ ନୀତି ଅବଲମ୍ବନ କରିବେ। ଦେଶୀୟ ରାଜ୍ୟମାନଙ୍କର ସାର୍ବଭୌମତ୍ୟର ସୁରକ୍ଷା କଥା ଆସିବା ବେଳକୁ ଏହି ବ୍ୟବସ୍ଥା ଦ୍ଵାରା ପ୍ରକୃତ କ୍ଷମତା ବ୍ରିଟିଶମାନଙ୍କ ହାତକୁ ଚାଲି ଯାଇଥିଲା। ବଦଳରେ ଦେଶୀୟ ରାଜାମାନେ ନିଜର ପରାଧୀନତା ପାଇଁ ସମସ୍ତ ବୋଝ ନିଜେହିଁ ବହନ କରିଥିଲେ।

ହାଇଦ୍ରାବାଦର ଶାସକ (ନିଜାମ) ହେଉଛନ୍ତି ପ୍ରଥମ ଯିଏ ୧୭୯୮ ମସିହାରେ ଏହି ସାମନ୍ତ ସନ୍ଧିକୁ ଗ୍ରହଣ କରିଥିଲେ। ଏହା ପରେ ପରେ ଅନ୍ୟ କେତେକ ଶାସକ ଏହି ନୀତିକୁ ଆପଣେଇ ଥିଲେ। ଏହି ତ‌ଥାକଥିତ ‘ସାମନ୍ତ ସନ୍ଧି’ ବ୍ରିଟିଶମାନଙ୍କୁ ପ୍ରତ୍ୟକ୍ଷ ଶାସନର ବିନା ପ୍ରଶାସନିକ ଖର୍ଚ୍ଚରେ ବିସ୍ତୃତ ଅଞ୍ଚଳରେ ନିୟନ୍ତ୍ରଣ କରିବାର ସୁଯୋଗ ଦେଇଥିଲା, ଯାହାକୁ କୁହାଗଲା ‘ଶସ୍ତାରେ ଗୋଟିଏ ସାମ୍ରାଜ୍ୟ’ ଲାଭ। ଥରେ ଏହି ସନ୍ଧିରେ ପ୍ରବେଶ କରିବା ପରେ ଏଥିରୁ ମୁକୁଳିବା ଅସମ୍ଭବ ଥିଲା। କାରଣ ଏଥିରୁ ମୁକ୍ତ ହେବା ପାଇଁ ପ୍ରୟାସ କରୁଥିବା ରାଜ୍ୟମାନଙ୍କୁ ବ୍ରିଟିଶ ସାମରିକ ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା।

ସ୍ୱର୍ଗରୁ ନର୍କକୁ ? ବିନାଶକାରୀ ଦୁର୍ଭିକ୍ଷ

ପଲାସୀ ବିଜୟର କିଛି ବର୍ଷ ପରେ, ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତର କେତେକ ସମୃଦ୍ଧ ଅଞ୍ଚଳ ଯଥା— ବଙ୍ଗଳା, ବିହାର ଏବଂ ଓଡ଼ିଶାରେ ରାଜସ୍ୱ ସଂଗ୍ରହ କରିବାର ଅଧିକାର ଲାଭକଲା। କ୍ଲାଇଭ୍ ବଙ୍ଗଳାକୁ ‘ପୃଥିବୀର ସ୍ଵର୍ଗ’ ଭାବରେ ବର୍ଣ୍ଣନା କରିଥିଲେ। କମ୍ପାନୀର ଏଜେଣ୍ଟମାନେ ଶାସନ ଓ ବିକାଶ ନିମନ୍ତେ ସର୍ବନିମ୍ନ ବିନିଯୋଗ କରି ସର୍ବାଧିକ ରାଜସ୍ୱ ଆଦାୟ କରିବା ଫଳରେ ସାଧାରଣ ଜନତା ସର୍ବସ୍ୱାନ୍ତ ହୋଇଥିଲେ।

ସ୍ଵର୍ଗ (Paradise): ଧାର୍ମିକ ଭାବନାରେ ସ୍ବର୍ଗର ବର୍ଣ୍ଣନା ରହିଛି। ସମ୍ପଦ ଏବଂ ଖୁସିର ଏକ ସ୍ଥାନ।

୧୭୭୦–୧୭୭୨ ମସିହା ବେଳକୁ ଲଗାତର ଦୁଇବର୍ଷ ଫସଲ ଅମଳରେ ଅତ୍ୟଧିକ ହ୍ରାସ ହୋଇଥିଲା। କିନ୍ତୁ ତାହାକୁ ଅଣଦେଖା କରି, ଫସଲ ଉତ୍ପାଦନର ପରିମାଣକୁ ଭ୍ରୂକ୍ଷେପ ନକରି, ଏକ କଠୋର ରାଜସ୍ୱ ଆଦାୟ ଲକ୍ଷ୍ୟରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବଙ୍ଗଳାର କୃଷକମାନଙ୍କ ଉପରେ ଅତ୍ୟଧିକ କର ବସାଇଥିଲା। ଯାହା ଫଳରେ ସେଠାକାର ଏକ ତୃତୀୟାଂଶ ବା ପ୍ରାୟ ୧୦ ନିୟୁତ ଲୋକଙ୍କ ମୃତ୍ୟୁର କାରଣ ସାଜି ଥିଲା। ଏପରିକି ଦୁର୍ଭିକ୍ଷ ସମୟରେ ମଧ୍ଯ ଭୂମି ଖଜଣା ହାର ବୃଦ୍ଧି କରାଯାଇଥିଲା। ପରବର୍ତ୍ତୀ ସମୟରେ, କେବଳ ଭାରତୀୟ ବ୍ୟକ୍ତିତ୍ଵ ନୁହନ୍ତି ବରଂ କେତେକ ବ୍ରିଟିଶ ଅଧିକାରୀ ଓ ବୁଦ୍ଧିଜୀବୀ (ଯେପରିକି ୱିଲିଅମ୍ ଡିଗ୍‌ବି ଯାହାଙ୍କ ଉଦ୍ଧୃତି ଆମର ଏହି ଅଧ୍ୟାୟ ଆରମ୍ଭରେ ଲେଖାଅଛି) ଏହି ନିର୍ଦ୍ଦୟ ବ୍ୟବସ୍ଥାକୁ ଘୃଣା କରିଥିଲେ। ଉଦାହରଣ ସ୍ୱରୂପ ଏକ ଶତାବ୍ଦୀ ପରେ ଡବ୍ଲ୍ୟୁ.ଡବ୍ଲ୍ୟୁ ହଣ୍ଟର, ଯେ କି ଜଣେ ଅଧିକାରୀ ଲେଖୁଥିଲେ:

“ଯେତେବେଳେ ବର୍ଷ ବର୍ଷ ଧରି ଦେଶ ସମ୍ପୂର୍ଣ୍ଣ ନିସ୍ଵ ହେଉଥିଲା, ଇଂରେଜ ସରକାର ନିୟମିତ ଭାବରେ ଭୂ-ରାଜସ୍ୱ ବୃଦ୍ଧି କରିବାରେ ଲାଗିଥିଲେ। ୧୭୭୦ ମସିହାର ଶ୍ଵାସରୁଦ୍ଧ ଗ୍ରୀଷ୍ମ ଋତୁରେ ଲୋକମାନେ ମରିବାକୁ ଲାଗିଲେ। କୃଷକମାନେ ସେମାନଙ୍କ ପଶୁ ସମ୍ପଦ ଓ କୃଷି ଉପକରଣ ବିକିବାକୁ ଲାଗିଲେ। ଅଭାବରେ ପଡ଼ି କୃଷି ବିହନ ସବୁ ଖାଇଦେଲେ, ସେମାନଙ୍କ ପୁତ୍ର ଓ କନ୍ୟାମାନଙ୍କୁ ବିକିବାରେ ଲାଗିଲେ, ତଥାପି ପିଲାମାନଙ୍କୁ ଖରିଦ କରିବାକୁ କେହି କ୍ରେତା ମିଳିଲେ ନାହିଁ, ଶେଷରେ ସେମାନେ ଘାସ ଓ ପତ୍ର ସବୁ ଖାଇଲେ.... ଦୁର୍ଭିକ୍ଷ ଓ ରୋଗ ପ୍ରପୀଡ଼ିତ ଲୋକଙ୍କର ସ୍ରୋତ ପ୍ରତିଦିନ ବଡ଼ ବଡ଼ ସହର ଆଡ଼କୁ ପ୍ରବାହିତ ହେଲା।”

ଏପରି ଦୁଃଖଦ ଦୁର୍ଭିକ୍ଷ, ସମଗ୍ର ବ୍ରିଟିଶ ଶାସନାଧୀନ ଭାରତରେ ବାରମ୍ବାର ଘଟୁଥିଲା। ଉଦାହରଣ ସ୍ଵରୂପ ୧୮୭୬ ରୁ ୧୮୭୮ ମଧ୍ୟରେ ଭୟଙ୍କର ଦୁର୍ଭିକ୍ଷରେ, ମୁଖ୍ୟତଃ ଡେକାନ ମାଳଭୂମି ଅଞ୍ଚଳରୁ ପ୍ରାୟ ଆଠ ନିୟୁତ ଭାରତୀୟ ମୃତ୍ୟୁବରଣ କରିଥିଲେ।

[ଚିତ୍ର ବର୍ଣ୍ଣନା: ମାଡ୍ରାସ ବନ୍ଦରରେ ଲୋକେ ଦୁର୍ଭିକ୍ଷରେ ପୀଡ଼ିତ ଥିବା ସମୟରେ ରପ୍ତାନୀ ପାଇଁ ଜମା କରାଯାଇଥିବା ଖାଦ୍ୟଶସ୍ୟ ବସ୍ତାର ଚିତ୍ର।] ଚିତ୍ର : ୪.୮ : ଖାଦ୍ୟାଭାବରେ ଅସଂଖ୍ୟ ଲୋକ ମୃତ୍ୟୁବରଣ କରୁଥିବା ସମୟରେ, ମାଡ୍ରାସ ସମୁଦ୍ର କୂଳରେ ରପ୍ତାନୀ ପାଇଁ ରଖା ଯାଇଥିବା ଖାଦ୍ୟ ଶସ୍ୟ ଭରା ବସ୍ତା।

[ଚିତ୍ର ବର୍ଣ୍ଣନା: ୧୮୭୭ ମସିହାରେ ବାଙ୍ଗାଲୋରରେ ରିଲିଫ୍ ସହାୟତା ପାଇଁ ଅପେକ୍ଷା କରିଥିବା କଙ୍କାଳସାର ଅସହାୟ ଲୋକମାନଙ୍କର ଚିତ୍ର।] ଚିତ୍ର : ୪.୯ : ୧୮୭୭ ମସିହା ଦୁର୍ଭିକ୍ଷ ସମୟରେ ରିଲିଫ୍ ଖାଦ୍ୟ ଅପେକ୍ଷାରେ ଥିବା ବାଙ୍ଗାଲୋର ଅଧିବାସୀଗଣ। (ଲଣ୍ଡନ ନ୍ୟୁଜ୍‌ରେ ବର୍ଣ୍ଣିତ)

ସେହି ସମୟରେ ଖାଦ୍ୟ ସଙ୍କଟର ଭୟାବହତାକୁ ଅଣଦେଖା କରି କେତେକ ଭାରତୀୟ ବ୍ୟବସାୟୀ ମଧ୍ୟ ପରବର୍ତ୍ତୀ ସମୟରେ ମୂଲ୍ୟ ବୃଦ୍ଧି ସମ୍ଭାବନାରେ ଓ ଅଧିକ ଲାଭ ଆଶାରେ ସେମାନଙ୍କ ପାଖରେ ଗଚ୍ଛିତ ଖାଦ୍ୟଶସ୍ୟ ଦ୍ଵାରା କୃତ୍ରିମ ଅଭାବ ସୃଷ୍ଟି କରିଥିଲେ ଏବଂ ବ୍ରିଟିଶ ସରକାର ବିଦେଶକୁ ରପ୍ତାନୀ ଜାରି ରଖୁଥିଲେ। ତିନିବର୍ଷ ମଧ୍ଯରେ ପାଖାପାଖି ଏକ ନିୟୁତ ଟନ୍ ଚାଉଳ ପ୍ରତିବର୍ଷ ରପ୍ତାନୀ କରାଯାଉଥିଲା (ଚିତ୍ର: ୪.୮) । ଏତଦ୍ ବ୍ୟତୀତ, ବ୍ରିଟିଶ ଅର୍ଥନୀତିର ମୁକ୍ତ ବଜାର ବ୍ୟବସ୍ଥା ଜିନିଷପତ୍ରର ଦରଦାମକୁ ଅସ୍ଥିର କରୁଥିଲା, ଯାହା ଦୁର୍ଭିକ୍ଷର ଭୟାବହତା ବୃଦ୍ଧି କରିବାରେ ସହାୟକ ହୋଇଥିଲା। ଭାରତର ତତ୍କାଳୀନ ଭାଇସ୍‌ରଏ ଲର୍ଡ଼ ଲିଟନ୍ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ, “ଖାଦ୍ୟ ସାମଗ୍ରୀର ଦର ହ୍ରାସ କରିବା ଲକ୍ଷ୍ୟରେ ସରକାରଙ୍କ ତରଫରୁ କୌଣସି ପ୍ରକାର ହସ୍ତକ୍ଷେପ କରାଯିବ ନାହିଁ।”

ସେହି ସମୟରେ, ୧୮୭୬ ମସିହାରେ, ଦୁର୍ଭିକ୍ଷର ଏହି ମହା ସଙ୍କଟ ସମୟରେ, ଏକ ବ୍ୟୟବହୁଳ ଦରବାର ଆୟୋଜନ କରି, ଲିଟନ୍ ଦିଲ୍ଲୀଠାରେ ଅଠଶଠୀ ହଜାର ସରକାରୀ ଅଧିକାରୀ, ସୁବେଦାର ଓ ମହାରାଜାମାନଙ୍କୁ ନେଇ ସପ୍ତାହ ବ୍ୟାପି ଭୋଜିର ବନ୍ଦୋବସ୍ତ କରିଥିଲେ।

ବ୍ରିଟିଶ ଶାସନ କାଳରେ ଏପରି ଭୟଙ୍କର ଦୁର୍ଭିକ୍ଷ ପାଖାପାଖି ୧୮ ରୁ ୨୦ ଥର ଅନୁଭୂତ ହୋଇଥିଲା। କେତେକ ଦୁର୍ଭିକ୍ଷ ଆୟୋଗ ଓ ଅନ୍ୟାନ୍ୟ ରିପୋର୍ଟ ଆଧାରରୁ ପ୍ରକାଶ ଯେ ସେହି ସମୟରେ ପ୍ରଭାବିତ ଓ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫୦ ରୁ ୧୦୦ ନିୟୁତ ମଧ୍ଯରେ ଅନୁମାନ କରାଯାଏ, ଯାହା ଦ୍ଵିତୀୟ ବିଶ୍ଵଯୁଦ୍ଧ ମୃତ୍ୟୁ ସଂଖ୍ୟା ସହ ପାଖାପାଖି ସମାନ। (ଏତଦ୍ ବ୍ୟତୀତ ଅସଂଖ୍ୟ ଗୋରୁଗାଈ ଓ ପଶୁମାନେ ମଧ୍ୟ ମୃତ୍ୟୁବରଣ କରିଥିଲେ।)

କେତେକ ସହରରେ (ଚିତ୍ର : ୪.୯) ବ୍ରିଟିଶ ପ୍ରଶାସନ ତରଫରୁ ଦୁର୍ଭିକ୍ଷ ରିଲିଫ୍ ବା ସହାୟତା ଶିବିର ସ୍ଥାପନ କରାଯାଇଥିଲେ ମଧ୍ୟ ତାହା ନଗଣ୍ୟ ଓ ଅପର୍ଯ୍ୟାପ୍ତ ଥିଲା। କେତେକ ଅଧିକାରୀଙ୍କ ମତ ଥିଲା ଯେ ଦୁର୍ଭିକ୍ଷ ସହାୟତା ସର୍ବନିମ୍ନ ରହିବା ଉଚିତ। ଉଦାହରଣ ସ୍ଵରୂପ ୧୮୭୮-୧୮୮୦ ମସିହାର ଦୁର୍ଭିକ୍ଷ ଆୟୋଗ କହିଥିଲେ, “ଦୁର୍ଭିକ୍ଷ ସମୟରେ ଗରୀବ ଲୋକଙ୍କମାନଙ୍କୁ ସହାୟତା ଦାବି .... ଏହାକୁ ସେମାନଙ୍କର ଏକ ପୂର୍ଣ୍ଣକାଳୀନ ଅଧିକାର ଆଡ଼କୁ ନେଇଯାଇପାରେ।”

ଆମକୁ ଏଠାରେ ମନେ ରଖିବାକୁ ହେବ ଯେ, ଭାରତରେ ଅନେକ ବାର ଦୁର୍ଭିକ୍ଷ ପଡ଼ିଅଛି ଯାହା ମରୁଡ଼ି, ବନ୍ୟା, ସାମରିକ ଅଭିଯାନ ବା ଅନ୍ୟ ପରିସ୍ଥିତିରୁ ସୃଷ୍ଟ । କିନ୍ତୁ ଏପରି ପ୍ରଳୟଙ୍କରୀ କେବେ ହୋଇନଥିଲା। ଉପନିବେଶ ଯୁଗରେ, ଭାରତ, ବିଶେଷତଃ ଗ୍ରାମାଞ୍ଚଳ ଏପରି ଦାରିଦ୍ର୍ୟରେ ବୁଡ଼ିଗଲା ଯେ ତାହା ପୁନରୁଦ୍ଧାର ହୋଇ ପାରିଲା ନାହିଁ।

ଭାରତର ସମ୍ପତ୍ତି ହରଣ

ଆମେ ଆଗରୁ ଜାଣିଛନ୍ତି, କେବଳ ଆର୍ଥିକ ଶୋଷଣହିଁ ବ୍ରିଟିଶ ଉପନିବେଶ ନୀତିର ମୂଳଦୁଆ ଥିଲା। ୧୮୯୫ ମସିହାରେ, ଆମେରିକୀୟ ଐତିହାସିକ ଏବଂ ରାଜନୀତି ବିଶାରଦ ବ୍ରୁକ୍‌ସ ଆଡାମସ୍ ଲେଖୁଥିଲେ;

“ପଲାସୀ ଯୁଦ୍ଧ ପରେ ପରେ, ବଙ୍ଗଳାରୁ ଲୁଣ୍ଠନର ପ୍ରଭାବ ତୁରନ୍ତ ଲଣ୍ଡନରେ ଦେଖିବାକୁ ମିଳିଲା। ସମସ୍ତ ଅଧିକାରୀଗଣ ସହମତ ହେଲେ ଯେ, ୧୭୬୦ ମସିହାରୁ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବ ଏତେ ପରିମାଣରେ ଲାଭ ଦେଇ ପାରିନଥିଲା ଯାହା କେବଳ ଭାରତ ଲୁଣ୍ଠନରୁ ହିଁ ମିଳିଥିଲା।”

ଅନ୍ୟ ଭାବରେ କହିଲେ, ଆଡାମଙ୍କ ମତରେ ବ୍ରିଟେନର ଶିଳ୍ପ ବିପ୍ଳବ ଯାହା ପର୍ଯ୍ୟାପ୍ତ ପରିମାଣର ପୁଞ୍ଜି ନିବେଶ ଆବଶ୍ୟକ କରୁଥିଲା, କେତେକାଂଶରେ ଭାରତରୁ ଚୋରୀ କରାଯାଇଥିବା ସମ୍ପତ୍ତି ଦ୍ବାରାହିଁ ସମ୍ଭବ ହୋଇଥିଲା। (ଏହି ଉକ୍ତିଟି ଆମେରିକୀୟ ଐତିହାସିକ ଉଇଲ୍ ଦୁରାନ୍ତଙ୍କର ଅଟେ)

ହାଉସ ଅଫ୍ କମନସ୍ (House of Commons) : (ନିମ୍ନ ସଦନ) ଯୁକ୍ତରାଜ୍ୟର ଦ୍ବିସଦନୀୟ ବ୍ୟବସ୍ଥାପିକା ସଭାର ଏହା ହେଉଛି ନିମ୍ନ ସଦନ। ଦାଦାଭାଇ ନାରୋଜୀ ଏହି ସଭାକୁ ପ୍ରଥମ ଭାରତୀୟ ରୂପେ ନିର୍ବାଚିତ ହୋଇଥିଲେ।

ଆଡାମସ୍ ଓ ଦିଗବିଙ୍କ ପରି ଶିକ୍ଷା ନବୀସଙ୍କ ଦ୍ଵାରା ପ୍ରଭାବିତ ହୋଇ ଭାରତର ଖ୍ୟାତନାମା ରାଜନେତା ଦାଦାଭାଇ ନାରୋଜୀ ୧୯୦୧ ମସିହାରେ “ଦାରିଦ୍ର୍ୟ ଓ ଭାରତରେ ଅଣ-ବ୍ରିଟିଶ ଶାସନ” (Poverty and Un-British Rule in India) ନାମରେ ଏକ ପୁସ୍ତକ ରଚନା କରିଥିଲେ। ଏହି ପୁସ୍ତକରେ ସେ ବ୍ରିଟିଶ ରିପୋର୍ଟଗୁଡ଼ିକରୁ ତଥ୍ୟ ସଂଗ୍ରହ କରି ଭାରତରୁ ହରଣ କରାଯାଇଥିବା ସମ୍ପତ୍ତିର ପରିମାଣ ଆକଳନ କରିଥିଲେ। ସେହି ସମୟରେ ରମେଶ ଚନ୍ଦ୍ର ଦତ୍ତ ନାମରେ ଅନ୍ୟ ଜଣେ ଐତିହାସିକ, ‘ଭାରତର ଅର୍ଥନୈତିକ ଇତିହାସ’ (Economic History of India) ନାମକ ପୁସ୍ତକରେ ସମାନ କଥାର ଅବତାରଣା କରିଥିଲେ। ଏହିସବୁ ଚିନ୍ତାଶୀଳ ଲେଖାରୁ ଜଣାଯାଏ ଉପନିବେଶବାଦୀ ଦେଶଗୁଡ଼ିକ ଭାରତରୁ ନିୟୁତ ନିୟୁତ ପାଉଣ୍ଡର (ଇଂଲଣ୍ଡ ମୁଦ୍ରା) ହରଣ କରିଛନ୍ତି। ଅପେକ୍ଷାକୃତ ନିକଟ ଅତୀତରେ କରାଯାଇଥିବା (ଉତ୍ସା ପଟ୍ଟନାୟକଙ୍କ ଦ୍ଵାରା) ତଥ୍ୟ ଅନୁଯାୟୀ ୧୭୬୫ ମସିହାଠାରୁ ୧୯୩୮ ମସିହା ମଧ୍ୟରେ, ପ୍ରାୟ ୪୫ ଟ୍ରିଲିଅନ ଆମେରିକୀୟ ଡଲାର (ବର୍ତ୍ତମାନର ମୂଲ୍ୟ ଅନୁଯାୟୀ) ବା ୨୦୨୩ ମସିହାର ବ୍ରିଟେନ GDP (ମୋଟ ଘରୋଇ ଉତ୍ପାଦ ୧୩ ଗୁଣା ସମ୍ପତ୍ତି) ହରଣ କରାଯାଇଥିଲା। ଏହା କେବଳ ଟିକସ ମାଧ୍ୟମରେ ନୁହେଁ, ବରଂ ରେଳବାଇ, ଟେଲିଗ୍ରାଫ୍ ଓ ଯୁଦ୍ଧ ସମୟରେ କରାଯାଇଥିବା ଖର୍ଚ୍ଚର ଉପନିବେଶବାଦୀ ଅଂଶ ରୂପେ ଭାରତୀୟମାନଙ୍କ ଠାରୁ ଆଦାୟ କରାଯାଉଥିଲା।

ଯଦି ସେହି ସମ୍ପତ୍ତି ଭାରତରେ ବିନିଯୋଗ ହୋଇଥାନ୍ତା, ତେବେ ସ୍ୱାଧୀନତା ପ୍ରାପ୍ତି ବେଳକୁ ଭାରତ ଏକ ଭିନ୍ନ ଓ ସ୍ୱତନ୍ତ୍ର ଦେଶ ରୂପେ ପରିଗଣିତ ହୋଇଥାନ୍ତା।

ଆସ ଅନୁସନ୍ଧାନ କରିବା

ଭାରତରେ ଅଣବ୍ରିଟିଶ ଶାସନ ବୋଲି ଦାଦାଭାଇ ନାରୋଜୀ କାହାକୁ ଲକ୍ଷ୍ୟ କରି କହିଥିଲେ ବୋଲି ତୁମେ ଭାବୁଛ ? (ସୂଚନା: ସେ ୧୮୯୨ ମସିହାରେ ଯୁକ୍ତ ରାଜ୍ୟର ହାଉସ ଅଫ୍ କମନସ୍‌ର ସଦସ୍ୟ ଥିଲେ)।

[ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଚିତ୍ର:]

  • ଚିତ୍ର : ୪.୧୦ : ବ୍ରୁକସ୍ ଆଡାମସ୍

  • ଚିତ୍ର : ୪.୧୧ : ଉଇଲିୟମ ଡିଗବି

  • ଚିତ୍ର : ୪.୧୨ : ଦାଦାଭାଇ ନାରୋଜୀ

  • ଚିତ୍ର : ୪.୧୩ : ଆର୍.ସି. ଦତ୍ତ

ଏହା ବିଷୟରେ ଚିନ୍ତା କର

ଆସ ଏଥର (ଚିତ୍ର : ୪.୧୪) ଏହି ଚିତ୍ରପଟ୍ଟକୁ ଫେରିବା କିନ୍ତୁ କେତେକ ପ୍ରତୀକାତ୍ମକ ସୂଚନା ସହିତ। ଦେଖ, ବ୍ରିଟାନିଆ କିପରି ନିଜ ଉପନିବେଶଠାରୁ ଉଚ୍ଚ ସ୍ଥାନରେ ବସିଅଛି।

[ଚିତ୍ର ବର୍ଣ୍ଣନା: ‘ପୂର୍ବ ନିଜର ସମ୍ପଦ ବ୍ରିଟାନିଆକୁ ଅର୍ପଣ କରୁଛି’ ଚିତ୍ରର ପ୍ରତୀକଗୁଡ଼ିକର ବିଶ୍ଳେଷଣ:]

  • କ୍ଷମତାର ପ୍ରତୀକ ସିଂହ ସହିତ ବ୍ରିଟାନିଆ

  • ମୁକ୍ତା ଏବଂ ଅଳଙ୍କାର ପ୍ରଦାନ କରୁଥିବା ଭାରତ

  • ଭାରତରୁ ପଶୁ

  • ଯାତ୍ରା ଓ ବାଣିଜ୍ୟର ପ୍ରତୀକ ଭଗବାନ ବୁଦ୍ଧ

  • ଲଣ୍ଡନକୁ ସୂଚାଉଥିବା ବୃଦ୍ଧ ପିତା ଥେମସ୍

  • ଇଷ୍ଟଇଣ୍ଡିଆ କମ୍ପାନୀର ନୌଶକ୍ତି

  • ଚୀନ ପ୍ରଦାନ କରୁଥିବା ଏକ ମୂଲ୍ୟବାନ ପାତ୍ର

  • ଦୁଇଜଣ କଳା ଲୋକ (ଭାରତୀୟ) ସୂତା ବିଡ଼ା ପ୍ରଦାନ କରୁଛନ୍ତି ଚିତ୍ର : ୪.୧୪: ପୃଥିବୀର ପୂର୍ବଦେଶଗୁଡ଼ିକ ବ୍ରିଟାନିଆକୁ ନିଜର ଧନସମ୍ପତ୍ତି ପ୍ରଦାନ କରୁଛନ୍ତି।

ଉପନିବେଶଗୁଡ଼ିକର ନିମ୍ନ ଅବସ୍ଥିତି ଓ ନଇଁବା ଅବସ୍ଥା ଦର୍ଶାଉଛି ଯେ ବ୍ରିଟାନିଆ ଉଚ୍ଚ କ୍ଷମତା ସମ୍ପନ୍ନ ଅଟେ। ସେମାନେ କ’ଣ ସତରେ ସେମାନଙ୍କ ସମ୍ପତ୍ତି ପ୍ରଦାନ କରିଦେଉଥିଲେ ? ଅଥବା ବ୍ରିଟେନ୍ ସେଗୁଡ଼ିକୁ ବଳପୂର୍ବକ ଅକ୍ତିଆର କରୁଛି ? ଆହୁରି ମଧ୍ୟ ଭାରତୀୟମାନଙ୍କ କଳା ଶରୀରକୁ ଦେଖ (ଯାହା ବ୍ରିଟାନିଆ ଠାରୁ ପୃଥକ) ଏହା ଗୋରା ଲୋକମାନଙ୍କର, କଳା ଲୋକମାନଙ୍କ ଅପେକ୍ଷା ଉତ୍କୃଷ୍ଟ ଅବସ୍ଥାର ବିଶ୍ୱାସ ଜନ୍ମାଉଛି।

ପରିବର୍ତ୍ତିତ ଦୃଶ୍ୟପଟ

କ୍ରମ ବର୍ଦ୍ଧିଷ୍ଣୁ ଉପନିବେଶ ଶାସନ ବ୍ୟବସ୍ଥା ଭାରତୀୟ ଜୀବନଯାତ୍ରାର ସମସ୍ତ ଦିଗକୁ ପ୍ରଭାବିତ କରିଥିଲା। କାରଣ ଆମ ଶାସକମାନେ ଗ୍ରହଣ କରି ନେଇଥିଲେ ଯେ, ସେମାନଙ୍କର ଉତ୍କୃଷ୍ଟ ଅବଧାରଣା ଭାରତକୁ ପୁନର୍ଗଠିତ କରିବାରେ ସହାୟକ ହେବ। ଏଥର ଆସ ସେ ସମ୍ପର୍କିତ କେତେକ ପ୍ରଭାବ ଦେଖିବା।

ଖୋଦିତ / ଅଙ୍କିତ (Embossed): କପଡ଼ା ଉପରେ ଅଙ୍କିତ ଏକ ଛବି ଯାହା ଲୁଗାକୁ ସୁନ୍ଦରତା ଆଣି ଦେଇଥାଏ।

ଭାରତର ସ୍ବଦେଶୀ ଶିଳ୍ପର ଅବନତି

ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଭାରତ ନିଜର ଉତ୍ପାଦନ କ୍ଷମତା ନିମନ୍ତେ ପ୍ରସିଦ୍ଧ ଥିଲା। ଏହା ମୁଖ୍ୟତଃ, ସୂତା, ଶିଳ୍ପ, ଉଲ୍, ଝୋଟ ଏବଂ କତା ପ୍ରସ୍ତୁତ ଦ୍ରବ୍ୟ ଥିଲା। ଭାରତର ସୂତା ବୁଣା ଲୁଗା, ଏହାର ସମୃଦ୍ଧ ଓ ସୂକ୍ଷ୍ମ କାରୁକାର୍ଯ୍ୟ, ଉଜ୍ଜ୍ବଳ ରଙ୍ଗ ଏବଂ ମସଲିନ୍ ଠାରୁ ଆରମ୍ଭ କରି ମୁଦ୍ରାଙ୍କିତ କପଡ଼ାର ମସୃଣ ଅନୁଭବ ଯୋଗୁଁ ପୃଥିବୀର ବିଭିନ୍ନ ଭାଗରେ ଅଧିକ ଚାହିଦା ଯୁକ୍ତ ଥିଲା।

ଆସ ଅନୁସନ୍ଧାନ କରିବା

ଭାରତୀୟ ବୟନ ଶିଳ୍ପକୁ ବର୍ଣ୍ଣନା କରିବା ନିମନ୍ତେ ଉପରେ ବର୍ଣ୍ଣିତ ତାଲିକାଗୁଡ଼ିକୁ ତୁମେ ବୁଝି ପାରିଲ କି ? ଯଦି ନୁହେଁ, ତେବେ ଚାରି ବା ପାଞ୍ଚଟି ଦଳରେ ବିଭାଜିତ ହୋଇ ଏହାକୁ ଆଲୋଚନା କର ଏବଂ ପରସ୍ପରର ଆବିଷ୍କାରକୁ ତୁଳନା କର। ଦରକାର ପଡ଼ିଲେ ଶିକ୍ଷକଙ୍କ ସାହାଯ୍ୟ ନିଅ।

ବ୍ରିଟିଶ ନୀତି ଅନୁଯାୟୀ ବ୍ରିଟେନ୍ ଭାରତରୁ ଆମଦାନୀ କରୁଥିବା ବସ୍ତ୍ର ଉପରେ ଅତ୍ୟଧିକ କର ବସାଇଥିବା ବେଳେ ବ୍ରିଟେନରୁ ଭାରତକୁ ରପ୍ତାନୀ କରୁଥିବା ଦ୍ରବ୍ୟ ଉପରେ ସର୍ବନିମ୍ନ କର ବସାଇବାକୁ ବାଧ୍ୟ କରୁଥିଲା। ଏଥିସହିତ, ସେହି ସମୟରେ ବ୍ରିଟେନ୍ ଅଧିକାଂଶ ବାଣିଜ୍ୟ ଓ ମୁଦ୍ରା ବିନିମୟକୁ ନିୟନ୍ତ୍ରିତ କରୁଥିବାରୁ ଭାରତୀୟ ବ୍ୟବସାୟୀମାନେ ଅଧିକ ରପ୍ତାନୀ କରିବାକୁ କଷ୍ଟକର ଅନୁଭବ କଲେ। ଫଳରେ ଭାରତୀୟ ବୟନ ଶିଳ୍ପ ଧ୍ୱଂସ ହେବାକୁ ଲାଗିଲା। ଊନବିଂଶ ଶତାବ୍ଦୀ ବେଳକୁ ଭାରତର ବୟନ ରପ୍ତାନୀ ଆଶାତୀତ ଭାବେ ହ୍ରାସ ପାଉଥିବା ବେଳେ ବ୍ରିଟେନରୁ ଭାରତକୁ ଆମଦାନୀ ଅନେକ ମାତ୍ରାରେ ବଢ଼ି ଚାଲିଲା। କୁଶଳୀ କାରିଗର ସମ୍ପ୍ରଦାୟ ଯେଉଁମାନେ ପୁରୁଷ ପୁରୁଷ ଧରି ହସ୍ତଶିଳ୍ପରେ ନିପୁଣ ଥିଲେ, ଦାରିଦ୍ର୍ୟର ତାଡ଼ନାରେ ବାଧ୍ୟ ହୋଇ ଜୀବନ ବିକଳରେ କୃଷି କାର୍ଯ୍ୟ ଆରମ୍ଭ କଲେ। ମାତ୍ର ତାହା ମଧ୍ୟ ଅତ୍ୟଧିକ କରଯୁକ୍ତ ଥିଲା। ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ୱିଲିୟମ୍‌ ବେଣ୍ଟିଙ୍କ ୧୮୩୪ ମସିହାରେ ଅନୁଭବ କଲେ ଯେ, “ବୁଣାକାରଙ୍କ ଅସ୍ଥି ସାରା ଭାରତର ସମତଳ ଭୂମିକୁ ଧଳା ରଙ୍ଗରେ ପରିଣତ କରି ଦେଇଛି।”

ଭାରତୀୟ ଶିଳ୍ପ ଜଗତର ଅନ୍ୟ ଦିଗ ଗୁଡ଼ିକରେ ଯଥା— ଲୁହା, ଷ୍ଟିଲ, କାଗଜ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଲା। ବିଶ୍ଵ ବଜାରରେ ଭାରତର ଅଂଶ ଧନ ନିମ୍ନଗାମୀ ହେବାକୁ ଲାଗିଲା, ଉପନିବେଶ ସମୟରେ ଏହା ଏତେ କମିଗଲା ଯେ ଭାରତ ସ୍ଵାଧୀନତା ବେଳକୁ ତାହା ପାଞ୍ଚ ଶତାଂଶରୁ ମଧ୍ୟ କମ୍ ଥିଲା। ଦୁଇ ଶତାବ୍ଦୀରୁ କମ୍ ସମୟରେ ପୃଥିବୀର ବୈଭବଶାଳୀ ଅଞ୍ଚଳ ଏକ ଦରିଦ୍ର ଅଞ୍ଚଳରେ ପରିଣତ ହୋଇଗଲା।

ପାରମ୍ପରିକ ଶାସନ ଢାଞ୍ଚାର ବିନାଶ

ବ୍ରିଟିଶ ଉପନିବେଶ ପୂର୍ବରୁ ଭାରତରେ ଏକ ସୁସଂଗଠିତ ସ୍ଥାନୀୟ ଶାସନ ବ୍ୟବସ୍ଥା ରହିଥିଲା। ଗୋଷ୍ଠୀଗତ ଜୀବନ ଶୈଳୀ, ବିବାଦର ସମାଧାନ, ଜଳସେଚନ ଓ ରାସ୍ତା ନିର୍ମାଣ ଆଦି ସର୍ବସାଧାରଣ କାର୍ଯ୍ୟସମୂହ ଗ୍ରାମ୍ୟ ପରିଷଦ ଦ୍ବାରା ପରିଚାଳିତ ହେଉଥିଲା। ସ୍ଥାନୀୟ ଆବଶ୍ୟକତା ଓ ଅବସ୍ଥା ଭିତ୍ତିରେ, ଆଞ୍ଚଳିକ ରାଜ୍ୟଗୁଡ଼ିକ ଶତାବ୍ଦୀରୁ ଊର୍ଦ୍ଧ୍ବ ସମୟ ଧରି ଏକ ଦୃଢ଼ ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ କରିଥିଲେ। ନିଜର ଏକ ଗୁରୁତ୍ଵପୂର୍ଣ୍ଣ ମତାମତରେ ୧୮୩୦ ମସିହାରେ ସେ ସମୟର କାର୍ଯ୍ୟକାରୀ ଗଭର୍ଣ୍ଣର ଜେନେରାଲ ଚାର୍ଲସ ମେଟକାଫ୍ ଲେଖୁଥିଲେ,

“ଗ୍ରାମ୍ୟ ସମାଜ ଏକ ଛୋଟ ଗଣରାଜ୍ୟ ପରି ଥିଲା, ଯେଉଁଠି ଲୋକଙ୍କ ପ୍ରାୟ ସମସ୍ତ ଆବଶ୍ୟକତା ନିଜ ନିଜ ମଧ୍ୟରେ ପୂରଣ ହେଉଥିଲା। ସେମାନେ ସେଠାରେ ବଞ୍ଚି ରହୁଥିଲେ ଯେଉଁଠାରେ ଅନ୍ୟ କେହି ବଞ୍ଚିବା ପାଇଁ ଅସମର୍ଥ। ଶାସକଙ୍କ ପରେ ଶାସକଙ୍କର ପତନ ହୋଇଛି, ଗୋଟିଏ ବିପ୍ଳବ ପରେ ଅନ୍ୟ ବିପ୍ଳବ ଆସିଛି, କିନ୍ତୁ ଗ୍ରାମ୍ୟ ସମାଜ ସେହିପରି ତିଷ୍ଠି ରହିଛି। ପ୍ରତ୍ୟେକ କ୍ଷୁଦ୍ର ରାଜ୍ୟର ନିଜସ୍ଵ ସ୍ଥିତି ମଧ୍ଯରେ ଗ୍ରାମ୍ୟ ସମାଜର ଏକତା ସୂଚାଇ ଦିଏ ଯେ ତାହାହିଁ ଭାରତୀୟମାନଙ୍କ ନିରବଚ୍ଛିନ୍ନ ସ୍ଥିତିର ମୁଖ୍ୟ ଆଧାର।”

ଭାରତର ଏହି ନିଜସ୍ଵ ମୌଳିକ ଶାସନ ବ୍ୟବସ୍ଥା ସୁନିଶ୍ଚିତ ଭାବରେ ବ୍ରିଟିଶ ଶାସନ ସମୟରେ ଧ୍ୱଂସ କରିଦିଆଗଲା। ଶାସନରେ ବିକଳ୍ପ ଭାବରେ ଏକ କେନ୍ଦ୍ରୀଭୂତ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରାଗଲା ଯାହା ଜନତାଙ୍କ ମଙ୍ଗଳ ପରିବର୍ତ୍ତେ ମୁଖ୍ୟତଃ ଟିକସ ଆଦାୟ ଓ ଆଇନ ଶୃଙ୍ଖଳା ରକ୍ଷାକୁ ଗୁରୁତ୍ଵ ଦେଉଥିଲା। ଏହି ପରିବର୍ତ୍ତନ ଭାରତରେ ଶତାବ୍ଦୀ ଶତାବ୍ଦୀ ବ୍ୟାପି ପ୍ରଚଳିତ ସାମାଜିକ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ଟାଣି ଦେଲା।

ବ୍ରିଟିଶ ଆଇନ ସଂହିତା ପ୍ରଚଳନ ମାଧ୍ୟମରେ ଭାରତରେ ପୁରୁଷ ପୁରୁଷ ଧରି ଚାଲି ଆସୁଥିବା ଶାସନଗତ ଅଭ୍ୟାସ ଓ ଆଇନ ଆଦିକୁ ଅବମାନନା କରାଗଲା। ଆଧୁନିକତା ନାମରେ ଏପରି ଏକ ବିଦେଶୀ ଶାସନ ବ୍ୟବସ୍ଥାର ଜବରଦସ୍ତି ପ୍ରଣୟନ ଭାରତ ନିମନ୍ତେ ଗ୍ରହଣୀୟ ନଥିଲା। ଏହାଦ୍ଵାରା ସାଧାରଣ ଭାରତୀୟଙ୍କୁ ନ୍ୟାୟିକ ପ୍ରକ୍ରିୟାରୁ ଦୂରେଇ ରଖ୍, ନ୍ୟାୟାଳୟକୁ ଏକ ବିଦେଶୀ ଭାଷା ମାଧ୍ଯମରେ ପରିଚାଳନା କରି, ସମୟ ସାପେକ୍ଷ ଓ ଖର୍ଚ୍ଚାନ୍ତ କରାଇଥିଲା।

ଭାରତୀୟ ଶିକ୍ଷାର ରୂପାନ୍ତରୀକରଣ : ‘ବାଦାମୀ ଇଂରେଜୀ’ର ସୃଷ୍ଟି

ଶିକ୍ଷାକୁ ଏକ ବଳିଷ୍ଠ ମାଧ୍ଯମ ରୂପେ ବ୍ୟବହାର କରି ଇଂରେଜ ସରକାର ଭାରତୀୟମାନଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ଶ୍ରେଣୀ ସୃଷ୍ଟି ସହିତ ନିଜ ସ୍ୱାର୍ଥପୂରଣ କରିବାରେ ଲାଗିଲେ। ପୂର୍ବରୁ ଭାରତରେ ଏକ ବିବିଧ ଶିକ୍ଷା ପରମ୍ପରା ଯଥା— ପାଠଶାଳା, ମଦ୍ରାସା, ବିହାର ଏବଂ ବିଭିନ୍ନ ପ୍ରକାରର ଶିକ୍ଷାର୍ଥୀ ଶିକ୍ଷା ବ୍ୟବସ୍ଥା ରହିଥିଲା। ସେହି ଶିକ୍ଷାନୁଷ୍ଠାନଗୁଡ଼ିକ କେବଳ ବ୍ୟବହାରିକ ଜ୍ଞାନ ନୁହେଁ ବରଂ ସାଂସ୍କୃତିକ ମୂଲ୍ୟବୋଧ ଓ ପରମ୍ପରା ସମ୍ପର୍କିତ ଶିକ୍ଷା ପ୍ରଦାନ କରୁଥିଲେ। ଏପରିକି ଊନବିଂଶ ଶତାବ୍ଦୀର ବ୍ରିଟିଶ ରିପୋର୍ଟ ପ୍ରକାଶ କରିଥିଲା ଯେ ସାରା ଭାରତର ବିଭିନ୍ନ ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଗ୍ରାମ ବିଦ୍ୟାପୀଠ ରହିଅଛି (ଉଦାହରଣ ସ୍ୱରୂପ ୧୦୦,୦୦୦ ରୁ ୧୫୦,୦୦୦ କେବଳ ବଙ୍ଗଳାରେ ଏବଂ ପ୍ରାୟ ୧୮୩୦ ବିହାରରେ ଅବସ୍ଥିତ)।

“ଯେଉଁଠାରେ ସ୍ଥାନୀୟ ଯୁବକମାନଙ୍କୁ ପଢ଼ିବା, ଲେଖିବା ଏବଂ ଗଣିତ ଶିକ୍ଷା ଦିଆଯାଏ। ଏହି ବ୍ୟବସ୍ଥା ମିତବ୍ୟୟୀ, ସରଳ ଏବଂ ପ୍ରଭାବଶାଳୀ ଥିଲା।”

୧୮୩୫ ମସିହାରେ ବ୍ରିଟିଶ ଐତିହାସିକ ଓ ରାଜନୀତି ବିଶାରଦ ଥୋମାସ୍ ବି.ମାକ୍‌ଲେଙ୍କ “ଭାରତୀୟ ଶିକ୍ଷା ସମ୍ବନ୍ଧରେ ପଦେ” (Minute on Indian Education) ରଚନା ଭାରତୀୟ ଶିକ୍ଷା ବ୍ୟବସ୍ଥାର ଇତିହାସରେ ଏକ ଗୁରୁତ୍ଵପୂର୍ଣ୍ଣ ମୋଡ଼ ଦେଇଥିଲା। ସେଠାରେ ସେ ସ୍ଵୀକାର କରିଥିଲେ ଯେ, ତାଙ୍କର “ଆରବୀୟ କିମ୍ବା ସଂସ୍କୃତ ଜ୍ଞାନ ନାହିଁ।” ତଥାପି ସେ ବିଶ୍ବାସ କରୁଥିଲେ ଯେ ୟୁରୋପର ଜ୍ଞାନ, ଭାରତୀୟ ଜ୍ଞାନଠାରୁ ଅଧିକ ଉନ୍ନତ। ସେ ଲେଖିଥିଲେ, “ମୁଁ ସେମାନଙ୍କ ମଧ୍ୟରୁ (ପ୍ରାଚ୍ୟରୁ) ଜଣଙ୍କୁ ବି ଦେଖିଲି ନାହିଁ ଯିଏ ଏକଥା ମାନିବ ନାହିଁ ଯେ ୟୁରୋପର ଭଲ ଲାଇବ୍ରେରୀର ଏକ ଥାକର ମହତ୍ତ୍ବ ସାରା ଭାରତ ଓ ଆରବୀୟ ସ୍ଥାନୀୟ ସମସ୍ତ ଲେଖନ କୃତୀଠାରୁ ଅଧିକ ମହତତର।” ତେଣୁ ଭାରତୀୟମାନଙ୍କୁ ବ୍ରିଟିଶ ଶିକ୍ଷାର ଆବଶ୍ୟକତା ଅଛି; ଯାହାର ଲକ୍ଷ୍ୟ ହେଉଛି ଭାରତୀୟଙ୍କ ମଧ୍ୟରେ ଏପରି ଏକ ଶ୍ରେଣୀ ସୃଷ୍ଟି କରିବା ଯିଏ, “ରକ୍ତ ଓ ରଙ୍ଗରେ ଭାରତୀୟ ହୋଇଥିବେ, କିନ୍ତୁ, ଜ୍ଞାନ ମତାମତ, ନୈତିକତା ଓ ଗ୍ରହଣୀୟତାରେ ଇଂରେଜ ପରି ହୋଇଥିବେ।”

ଯଦିଓ ଅଳ୍ପ କେତେକ ପ୍ରାଚ୍ୟ ବିଶାରଦ ଯୁକ୍ତି କରିଥିଲେ ଯେ, ଭାରତୀୟ ଛାତ୍ରମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ଦିଆଯିବା ଆବଶ୍ୟକ, ମାକଲେଙ୍କ ନୀତି ଅଧିକ ଗ୍ରହଣ ଯୋଗ୍ୟ ହୋଇଥିଲା ଏବଂ ଭାରତର ପାରମ୍ପରିକ ବିଦ୍ୟାଳୟଗୁଡ଼ିକ ଧୀରେ ଧୀରେ ଅପସରିଗଲା। ସେହି ସମୟରେ ଇଂରାଜୀ ଏକ ସମ୍ମାନବୋଧକ ଭାଷା ରୂପେ ଉପନିବେଶକାରୀ ମୁନିବଙ୍କ ଭାଷା ହୋଇ ରହିବା ଫଳରେ ଭାରତୀୟ ସମାଜକୁ ଦୁଇ ଭାଗରେ ବିଭାଜିତ କଲା ଯଥା- ଇଂରାଜୀ ପାଠୁଆ ଉଚ୍ଚବର୍ଗ ଓ ସାଧାରଣ ଜନତା।

ନୂତନ ଶିକ୍ଷା ନୀତି ଉପନିବେଶଗତ ଏକାଧିକ ଲକ୍ଷ୍ୟ ପୂରଣରେ ସାହାଯ୍ୟ କରିଥିଲା। ଏହା ଭାରତୀୟମାନଙ୍କ ମଧ୍ୟରୁ କେତେ ଜଣଙ୍କୁ କିରାଣୀ ଏବଂ କ୍ଷୁଦ୍ର କର୍ମଚାରୀ ସୃଷ୍ଟି କରାଇଥିଲା, ଯେଉଁମାନଙ୍କ ନିମନ୍ତେ ପ୍ରଶାସନ ବ୍ରିଟିଶ କର୍ମଋରୀଙ୍କ ଅନୁପାତରେ ଅତି କମ୍ ଖର୍ଚ୍ଚ କରୁଥିଲା। ଏଥି ସହିତ ଏହା ମଧ୍ୟ ପାରମ୍ପରିକ ଶିକ୍ଷାର ମୂଳ ଉତ୍ସରୁ ଭାରତୀୟମାନଙ୍କୁ ଦୂରେଇ ରଖ୍ ଏପରି ଏକ ପିଢ଼ିର ସୃଷ୍ଟି କରିବାରେ ସଫଳ ହେଲା ଯେଉଁମାନେ ନିଜ ସଂସ୍କୃତିଠାରୁ ଦୂରେଇ ଗଲେ।

ଏହା ବିଷୟରେ ଚିନ୍ତା କର

ସେ ଲେଖିଥିବା “ୟୁରୋପର ଏକ ଭଲ ଲାଇବ୍ରେରୀର ଏକ ଥାକର ମହତ୍ତ୍ବ ଭାରତ ଓ ଆରବୀୟ ସମସ୍ତ ଲେଖନ କୃତୀ ସହିତ ସମାନ” ମାଧ୍ୟମରେ ମାକଲେ କ’ଣ ଦର୍ଶାଇବାକୁ ଚାହୁଁଥିଲେ ? ସେ କାହିଁକି ଭାରତୀୟମାନଙ୍କୁ, “ଜ୍ଞାନ, ମତାମତ, ନୈତିକତା ଓ ଗ୍ରହଣୀୟତାରେ ଇଂରେଜଙ୍କ ପରି” ହେବାକୁ ଋହୁଁଥିଲେ ? ଏହା କିପରି ସଭ୍ୟତା ମିଶନ୍ ସହିତ ଜଡ଼ିତ ହୋଇପାରିବ ? ତୁମ ଶ୍ରେଣୀ ଶିକ୍ଷକଙ୍କୁ କହି ଏକ ତର୍କର ଆୟୋଜନ କର।

ସାମ୍ରାଜ୍ୟବାଦ ଆବଶ୍ୟକ‌ତା ପୂରଣ ନିମନ୍ତେ ଆର୍ଥିକ ଢାଞ୍ଚାର ପୁନର୍ଗଠନ

ଏକ କୃଷିଭିତ୍ତିକ ଏବଂ ହସ୍ତଶିଳ୍ପ ଓ ଉତ୍ପାଦନଭିତ୍ତିକ ସ୍ୱୟଂ ସମ୍ପୂର୍ଣ୍ଣ ଭାରତୀୟ ଅର୍ଥନୀତିକୁ ବଦଳାଇ ଦେଇ ବ୍ରିଟିଶ ଶାସକମାନେ ଭାରତକୁ ଏକ କଞ୍ଚାମାଲ ରପ୍ତାନୀକାରୀ ଏବଂ ବ୍ରିଟିଶ କଳକାରଖାନା ଉତ୍ପାଦିତ ଦ୍ରବ୍ୟର ପଣ୍ୟ ବଜାରରେ ପରିଣତ କରିଥିଲେ। ଏହି ଆର୍ଥିକ ପରିବର୍ତ୍ତନର ଗଭୀରତାକୁ ନଯାଇ ଚାଲ ଆମେ ଭାରତର ବିସ୍ତୃତ ରେଳବାଇ ନେଟୱାର୍କ ନିର୍ମାଣର ଉଦାହରଣ ଆଲୋଚନା କରିବା, ଯାହାକୁ ସାଧାରଣ ଭାବରେ ଔପନିବେଶିକ ଆଶୀର୍ବାଦ ବୋଲି କୁହାଯାଇଥାଏ। ଯଦିଓ ରେଳବାଇ ବ୍ୟବସ୍ଥାର ପ୍ରଚଳନ ଲୋକମାନଙ୍କୁ ଅଧିକ ନିକଟତର କରି ଭାରତର ଆଭ୍ୟନ୍ତରୀଣ ବଜାରକୁ ଏକୀକୃତ କରିଥିଲା, ବାସ୍ତବରେ ଏହାର ମୂଳଲକ୍ଷ୍ୟ ରହିଥିଲା ଆମ ମାଟିତଳେ ଗଚ୍ଛିତ କଞ୍ଚାମାଲକୁ ଆଭ୍ୟନ୍ତରୀଣ ଅଞ୍ଚଳରୁ ନେଇ ବନ୍ଦର ଅଞ୍ଚଳରେ ପହଞ୍ଚାଇବା ଏବଂ ବ୍ରିଟିଶ ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକୁ ଆଣି ସାରା ଭାରତରେ ପହଞ୍ଚାଇବା। ଏହି ରେଳପଥ ଭାରତର ପ୍ରତିଷ୍ଠିତ ବ୍ୟାପାରକୁ ଅଣଦେଖା କରି ଔପନିବେଶିକ ଆର୍ଥିକ ସ୍ୱାର୍ଥକୁ ପାଳନ କରିଥିଲା।

[ଚିତ୍ର ବର୍ଣ୍ଣନା: ୧୮୬୦ ମସିହାର ମାଡ୍ରାସ ରେଳବାଇର ଏକ ପ୍ରାରମ୍ଭିକ ବାଷ୍ପୀୟ ରେଳ ଇଞ୍ଜିନର ଐତିହାସିକ ଆଲୋକଚିତ୍ର।] ଚିତ୍ର : ୪.୧୫ : ମାଡ୍ରାସ ରେଳବାଇର ଏକ ବାଷ୍ପୀୟ ଇଞ୍ଜିନ । ୧୮୬୦ ମସିହା (ଭାରତରେ ରେଳପଥ ବିସ୍ତାର କରିଥିବା ଏକ କମ୍ପାନୀ)

ଏହି ରେଳପଥ ସୃଷ୍ଟିର ଅନ୍ୟ ଆବଶ୍ୟକ‌ତା ଥିଲା ବିଦ୍ରୋହ କିମ୍ବା ଯୁଦ୍ଧ ସମୟରେ ସୈନିକମାନଙ୍କୁ କାଣ୍ଟନମେଣ୍ଟ (ସାମରିକ ଛାଉଣି)ରୁ ଆଣିବା ଓ ଯୁଦ୍ଧ କ୍ଷେତ୍ର ନିକଟରେ ପହଞ୍ଚାଇବା।

ଏତଦବ୍ୟତୀତ, ଏହି ରେଳବାଇ ବ୍ୟବସ୍ଥା ବ୍ରିଟିଶ ସରକାରଙ୍କଠାରୁ ଭାରତକୁ ଏକ ଉପହାର ନଥିଲା। ଏହି ବ୍ୟବସ୍ଥାରେ ହୋଇଥିବା ସମସ୍ତ ଖର୍ଚ୍ଚ ଭାରତୀୟମାନଙ୍କ ଉପରେ ବସା ଯାଇଥିବା ଟିକସରୁ ଭରଣା କରାଯାଇଥିଲା। ଅର୍ଥାତ୍ ଏହା ଜନତାଙ୍କ ଆବଶ୍ୟକ‌ତା ଅପେକ୍ଷା ବ୍ରିଟିଶ ସରକାରଙ୍କ ବାଣିଜ୍ୟିକ ସ୍ୱାର୍ଥକୁ ଗୁରୁତ୍ୱ ଦେଇଥିଲା। ଭାରତରେ ଟେଲିଗ୍ରାଫ୍ ବିକାଶର ଇତିହାସ ମଧ୍ଯ ସେହିପରି ହୋଇଥିଲା।

ଏପରିକି ସେ ସମୟରେ ପ୍ରଶାସନିକ ଖର୍ଚ୍ଚସବୁ ଭାରତୀୟମାନଙ୍କ ଦ୍ବାରା ବହନ କରାଯାଉଥିଲା। ଉପନିବେଶର ପ୍ରଶାସନିକ ଉପକରଣ, ସାମରିକ ପ୍ରତିଷ୍ଠାନ ଏବଂ ଭାରତରେ ରହୁଥିବା ବ୍ରିଟିଶ ଅଧିକାରୀମାନଙ୍କର ରାଜକୀୟ ଜୀବନଯାପନ ଶୈଳୀ ଆଦି ଭାରତରୁ ଆଦାୟ କରାଯାଉଥିବା ବିଭିନ୍ନ ଟିକସରୁ ବହନ କରାଯାଉଥିଲା। ସଂକ୍ଷେପରେ କହିବାକୁ ଗଲେ, ଭାରତୀୟମାନେ ନିଜେ ନିଜର ପରାଧୀନତାର ପାଣ୍ଠି ଯୋଗାଉଥିଲେ।

ପ୍ରତିବାଦର ପ୍ରାରମ୍ଭିକ ଆନ୍ଦୋଳନ: ଔପନିବେଶିକ କର୍ତ୍ତୃପକ୍ଷଙ୍କୁ ଏକ ଆହ୍ବାନ

ଭାରତ ଥିଲା ବ୍ରିଟିଶମାନଙ୍କ ପାଇଁ ବିପୁଳ ଧନ, ପ୍ରାକୃତିକ ଓ ମାନବ ସମ୍ବଳର ଉତ୍ପତ୍ତି ସ୍ଥଳ। ସେମାନେ ଭାରତକୁ ‘ବ୍ରିଟିଶ ସାମ୍ରାଜ୍ୟର ମୁକୁଟ ମଣି’ କହୁଥିଲେ। ସେମାନେ ଦୃଢ଼ ଥିଲେ ଯେ ଭାରତ ଚିରଦିନ ଲାଗି ବ୍ରିଟିଶ ସାମ୍ରାଜ୍ୟର ଅଂଶ ହୋଇ ରହିବ, ଯେଉଁଠି କେବେ ସୂର୍ଯ୍ୟାସ୍ତ ହୁଏ ନାହିଁ।

ଏହା ବିଷୟରେ ଚିନ୍ତା କର

“ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ” ର ଅର୍ଥ କ'ଣ ? ତୁମେ କ’ଣ ଭାବୁଛ ଏ ଉକ୍ତିଟି ଠିକ୍ ?

ତଥାପି ବ୍ରିଟିଶ ଭାରତ ବିଜୟର ଆରମ୍ଭରୁ ଅଣଘୋଷିତ ଅତିଥିକୁ ପ୍ରତିହତ କରିବାପାଇଁ ପ୍ରତିବାଦର ଆନ୍ଦୋଳନ ପ୍ରକାଶ ପାଇଥିଲା। ଆମେ ସଂକ୍ଷେପରେ ଏଭଳି କିଛି ଆନ୍ଦୋଳନର ସର୍ଭେକ୍ଷଣ କରିବା, କିନ୍ତୁ ଏହା କରିବା ପୂର୍ବରୁ ଆମେ ବ୍ରିଟିଶ ଭାରତୀୟ ସାମ୍ରାଜ୍ୟର ମାନଚିତ୍ର (ଚିତ୍ର : ୪.୧୬) ଉପରେ ଦୃଷ୍ଟିପାତ କରିବା। ଲାଲ ଏବଂ ଗୋଲାପୀ ଅଂଶଗୁଡ଼ିକ ହେଉଛି ସିଧାସଳଖ ବ୍ରିଟିଶ ଶାସନ ଅଧୀନରେ ଥିବା ଅଞ୍ଚଳ, ଯେତେବେଳେ ହଳଦିଆ ଅଞ୍ଚଳଗୁଡ଼ିକ ହେଉଛି ଆମେ ଆଗରୁ ଆଲୋଚନା କରିଥିବା ରାଜକୀୟ ରାଜ୍ୟ (କଳା ରେଖାଗୁଡ଼ିକ ରେଳପଥକୁ ବୁଝାଏ)

[ଚିତ୍ର ବର୍ଣ୍ଣନା: ୧୯୦୯ ମସିହାର ବ୍ରିଟିଶ ଭାରତୀୟ ସାମ୍ରାଜ୍ୟ (ଇମ୍ପେରିଆଲ୍ ଗେଜେଟିଅର୍ ଅଫ୍ ଇଣ୍ଡିଆ) ର ରାଜନୈତିକ ବିଭାଜନ ଦର୍ଶାଉଥିବା ଏକ ଐତିହାସିକ ମାନଚିତ୍ର।] ଚିତ୍ର : ୪.୧୬. ୧୯୦୯ରେ ବ୍ରିଟିଶ ଭାରତୀୟ ସାମ୍ରାଜ୍ୟର ମାନଚିତ୍ରର ଏକ ଚିତ୍ର

ଆସ ଅନୁସନ୍ଧାନ କରିବା

ମାନଚିତ୍ରକୁ ଦେଖ। ସୀମା ଓ ନାମ ଉଭୟ ଦୃଷ୍ଟିରୁ ଆଜିର ଭାରତର ମାନଚିତ୍ର ସହିତ ଏହି ମାନଚିତ୍ରର ମୁଖ୍ୟ ପାର୍ଥକ୍ୟ କ’ଣ ?

ସନ୍ନ୍ୟାସୀ ଫକୀର ସଂଗ୍ରାମ

ପ୍ରାରମ୍ଭିକ ସଂଗଠିତ ଆନ୍ଦୋଳନଗୁଡ଼ିକ ମଧ୍ୟରୁ ଏହା ଗୋଟିଏ ଆନ୍ଦୋଳନ ଯାହାକୁ ସନ୍ନ୍ୟାସୀ (କିମ୍ବା ସନ୍ନ୍ୟାସୀ ଫକୀର) ସଂଗ୍ରାମ କୁହାଯାଏ। ୧୭୭୦ର ଭୟଙ୍କର ଦୁର୍ଭିକ୍ଷ ପରେ ଏହା ବଙ୍ଗଳାରେ ଆରମ୍ଭ ହୋଇଥିଲା।

ଗୋଟିଏ ସନ୍ନ୍ୟାସୀ ଦଳ (ହିନ୍ଦୁ ତପସ୍ୱୀ) ଏବଂ ଫକୀର (ମୁସଲମାନ ତପସ୍ଵୀ) ଗଣ ପାରମ୍ପରିକ ଭାବେ ତୀର୍ଥଯାତ୍ରା ଓ ଦାନାଦି କର୍ମ ପାଇଁ ମୁକ୍ତଭାବେ ଭ୍ରମଣ କରୁଥିଲେ। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ବିଶେଷକରି ନୂତନ ଭୂମି ଓ କରନୀତି ଦ୍ୱାରା ତାଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ରଖାଗଲା। ସନ୍ନ୍ୟାସୀ ଓ ଫକୀରମାନଙ୍କର ସଠିକ୍ ପ୍ରେରଣା ବିଷୟରେ ବିତର୍କ ହୋଇଛି। କିନ୍ତୁ ପରବର୍ତ୍ତୀ ତିନି ଦଶନ୍ଧି ଧରି ସେମାନେ ବ୍ରିଟିଶ କୋଷାଗାରର କର ସଂଗ୍ରହ କାରଣରୁ ଆକ୍ରମଣ କରିଥିଲେ। ବ୍ରିଟିଶମାନେ ସେମାନଙ୍କୁ ‘ଦସ୍ୟୁ’ ବୋଲି କହୁଥିଲେ। ସେମାନଙ୍କ ମଧ୍ୟରୁ କେତେକଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ଓ ସେମାନଙ୍କୁ ପରାସ୍ତ କରିବା ପାଇଁ ଶେଷରେ ସେମାନଙ୍କର ସର୍ବୋଚ୍ଚ କ୍ଷମତା ବ୍ୟବହାର କରିଥିଲେ। ଏହି ବିଦ୍ରୋହ ପରେ ବଙ୍ଗଳା ଲେଖକ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଉପନ୍ୟାସ ଆନନ୍ଦମଠ (୧୮୮୨)କୁ ପ୍ରେରଣା ଦେଇଥିଲା। ଏଥିରେ ‘ବନ୍ଦେ ମାତରମ୍’ ଗୀତ ଥିଲା ଯାହା ବିଂଶ ଶତାବ୍ଦୀର ଆରମ୍ଭରେ ସ୍ଵାଧୀନତା ସଂଗ୍ରାମରେ ଭାରତୀୟମାନଙ୍କୁ ଅନୁପ୍ରାଣିତ କରିବା ସ‌ହ ସ୍ଵାଧୀନତା ପରେ ଭାରତର ଜାତୀୟ ସଙ୍ଗୀତ ହୋଇଗଲା।

ଜନଜାତୀୟ ସଂଗ୍ରାମ

ଭାରତୀୟ ଜନଜାତି ଗୋଷ୍ଠୀ ସେତେବେଳେ ଅଦ୍ବିତୀୟ ବିପଦର ସାମ୍‌ନା କରିଥିଲେ ଯେତେବେଳେ ବ୍ରିଟିଶମାନେ ବଣ ପାହାଡ଼ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରି ସେମାନଙ୍କ ପାରମ୍ପରିକ ଜୀବନ ଶୈଳୀକୁ ବାଧା ଦେଇଥିଲେ (ଭାଙ୍ଗି ଦେଇଥିଲେ) । ବ୍ରିଟିଶମାନେ ଜନଜାତିକୁ ‘ଆଦିମ’ ଭାବେ ବର୍ଣ୍ଣନା କରିଥିଲେ, ଜଙ୍ଗଲ ଓ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ତାଙ୍କ ଅଧିକାରକୁ ସୀମିତ କରିଥିଲେ। ଅନେକ ସମୟରେ ଜନଜାତିଙ୍କ ଜମିକୁ ଅଧିଗ୍ରହଣ କରିଥିଲେ କିମ୍ବା ଏହାକୁ ବ୍ୟକ୍ତିଗତ ସମ୍ପତ୍ତିରେ ପରିଣତ କରିଥିଲେ। ଏହା ଉପରେ ନଗଦ କର ଲାଗୁ କରିଥିଲେ, ସେମାନଙ୍କୁ ଋଣ ଯନ୍ତାରେ ପକାଉଥିଲେ। ସେମାନଙ୍କର ପାରମ୍ପରିକ ଜନଜାତି ପରିଷଦକୁ ବ୍ରିଟିଶ ଆଇନ ବ୍ୟବସ୍ଥା ସହିତ ବଦଳାଇ ଦେଉଥିଲେ ଏବଂ ମିଶନାରୀଙ୍କୁ ‘ସଭ୍ୟ’ କହି ଜନଜାତିକୁ ଖ୍ରୀଷ୍ଟିଆନ ଧର୍ମରେ ପରିବର୍ତ୍ତନ କରିବାକୁ ଉତ୍ସାହିତ କରିଥିଲେ। ଏହା ବ୍ୟତୀତ ଏକ ଉପନିବେଶବାଦୀ ଆଇନ ଶହଶହ ଜନଜାତି ଗୋଷ୍ଠୀକୁ ‘ଅପରାଧୀ ଜନଜାତି’ ଭାବରେ ଶ୍ରେଣୀଭୁକ୍ତ କରିଥିଲା ଯାହା ସେମାନଙ୍କୁ ଅନ୍ୟାୟ ଭାବରେ ଦଶନ୍ଧି ଦଶନ୍ଧି ଧରି ଉପୀଡ଼ନ କରି ଚାଲିଥିଲା।

ଉପରୋକ୍ତ କିଛି ଆଇନର ଅପବ୍ୟବହାର କେତେକ ଜନଜାତିକୁ ଉପନିବେଶବାଦୀ ଶକ୍ତି ବିରୁଦ୍ଧରେ ସଂଗ୍ରାମ କରିବାକୁ ବାଧ୍ଯ କରିଥିଲା। ଏପରି ଘଟଣାଗୁଡ଼ିକ ମଧ୍ୟରେ ପ୍ରଥମେ ଛୋଟ ନାଗପୁର (ବର୍ତ୍ତମାନର ଝାଡ଼ଖଣ୍ଡ)ରେ କୋହ୍ଲ ସଂଗ୍ରାମ (୧୮୩୧–୧୮୩୨) ରେ ଆରମ୍ଭ ହୋଇଥିଲା। ସେତେବେଳେ ବ୍ରିଟିଶମାନେ ମୂଳ ଜନଜାତିଙ୍କ ଅପେକ୍ଷା ବାହାର ଲୋକଙ୍କୁ ସୁହାଇଲାଭଳି ଭୂମିନୀତି ପ୍ରଚଳନ କରିଥିଲେ। କୋହ୍ଲ ଜନଜାତି (ଯାହା ମଧ୍ଯରେ ମୁଣ୍ଡା ଏବଂ ଓରାଓଁ ଅନ୍ତର୍ଭୁକ୍ତ ଥିଲେ), ବ୍ରିଟିଶ ସେନା ଦ୍ୱାରା ପରାସ୍ତ ହେବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ଅସ୍ଥାୟୀ ଭାବରେ ସେମାନଙ୍କର ନିୟନ୍ତ୍ରଣ ସ୍ଥାପନ କରିଥିଲେ। ୧୮୫୫-୧୮୫୬ ମସିହାର ସାନ୍ତାଳ ସଂଗ୍ରାମ, ଯାହା ବର୍ତ୍ତମାନର ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମ ବଙ୍ଗର କିଛି ଅଂଶରେ ସାନ୍ତାଳ ଲୋକମାନଙ୍କର ଏକ ମହା ସଂଗ୍ରାମ ଆରମ୍ଭ ହୋଇଥିଲା ସେହି ଜନଜାତିର ଦୁଇଭାଇ ସିଧୁ ମୁର୍ମୁ ଏବଂ କାହ୍ନୁ ମୁର୍ମୁ ଏହାର ନେତୃତ୍ବ ନେଇଥିଲେ। ବ୍ରିଟିଶ ସମର୍ଥନରେ ସେମାନଙ୍କ ପୈତୃକ ଜମି ଛଡ଼ାଇ ନେଉଥିବା ମହାଜନ ଓ ଜମିଦାରଙ୍କ ବିରୋଧରେ ସାନ୍ତାଳମାନେ ସଂଗ୍ରାମ କରିଥିଲେ। ସାନ୍ତାଳମାନେ ଶେଷ ରକ୍ତ ବିନ୍ଦୁ ଥିବା ଯାଏ ସରକାରଙ୍କ ବିରୋଧରେ ସଂଗ୍ରାମ କରିବାକୁ ଶପଥ ନେଇଥିଲେ। ବ୍ରିଟିଶ ପ୍ରତିକ୍ରିୟା କିନ୍ତୁ ପାଶବିକ ଥିଲା। ବ୍ରିଟିଶମାନଙ୍କର କିଛି ପ୍ରାରମ୍ଭିକ କ୍ଷତି ପରେ ସେମାନେ ସଂଗ୍ରାମୀମାନଙ୍କର ଗାଁଗୁଡ଼ିକୁ ପୋଡ଼ି ଦେଲେ ଏବଂ ସଂଗ୍ରାମୀ ନେତାମାନଙ୍କ ସମେତ ହଜାର ହଜାର ସାନ୍ତାଳୀଙ୍କୁ ହତ୍ୟା କଲେ। ତଥାପି ସାହସୀ ସାନ୍ତାଳ ସଂଗ୍ରାମ ଅନ୍ୟ ଜନଜାତି ସଂପ୍ରଦାୟକୁ ଉପନିବେଶବାଦୀ ଶାସନ ବିରୋଧରେ ଲଢ଼େଇ କରିବାକୁ ପ୍ରେରଣା ଦେଇଥିଲା।

[ଚିତ୍ର ବର୍ଣ୍ଣନା: ଧନୁତୀର ଧାରଣ କରିଥିବା ସାନ୍ତାଳ ବିଦ୍ରୋହୀ ଏବଂ ଆଧୁନିକ ବନ୍ଧୁକଧାରୀ ବ୍ରିଟିଶ ସୈନ୍ୟଙ୍କ ମଧ୍ୟରେ ଅସମାନ ଯୁଦ୍ଧର ଐତିହାସିକ ସ୍କେଚ୍।] ଚିତ୍ର : ୪.୧୭: ସାନ୍ତାଳ ସଂଗ୍ରାମୀ ଏବଂ ବନ୍ଧୁକଧାରୀ ସିପାହୀଙ୍କ ମଧ୍ୟରେ ଏକ ଅସମାନ ମୁକାବିଲାର ଚିତ୍ର ଯାହା ଇଲଷ୍ଟ୍ରେଟେଡ଼୍ ଲଣ୍ଡନ ନ୍ୟୁଜ୍‌ରେ ୧୮୫୬ ମସିହାରେ ଅଙ୍କିତ ସ୍କେଚ୍

ଓଡ଼ିଶାର ଜନଜାତୀୟ ସଂଗ୍ରାମ

ଓଡ଼ିଶାରେ ଖୋର୍ଦ୍ଧା ପାଇକ ବିଦ୍ରୋହ (୧୮୧୭) ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ପାରଳାଖେମୁଣ୍ଡି, ଘୁମୁସର, ମହୁରୀ, ବଡ଼ଖେମୁଣ୍ଡି, ଖଲ୍ଲିକୋଟ ପ୍ରଭୃତି ଜମିଦାରୀ ଅଞ୍ଚଳରେ ଇଂରେଜ-ଶାସନ ବିରୋଧରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଗଞ୍ଜାମର ମାଳ ଅଞ୍ଚଳର ଆଦିବାସୀ ଶବର, କନ୍ଧ ଓ କୋରାପୁଟର ବିଭିନ୍ନ ଜନଜାତି ଶୋଷଣରେ ଅତିଷ୍ଠ ହୋଇ ସଂଗଠିତ ହୋଇଥିଲେ। ପଶ୍ଚିମାଞ୍ଚଳରେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ଜନଜାତି ଅନେକ ଦିନ ଯାଏଁ ଗରିଲା ଯୁଦ୍ଧ କରିଥିଲେ। ୧୮୧୭ ଖ୍ରୀ:ଅ: ମାର୍ଚ୍ଚ ମାସ ୨୯ ତାରିଖରେ ପ୍ରାୟ ୪୦୦ କନ୍ଧ ଘୁମୁସରରୁ ଆସି ବକ୍ସି ଜଗବନ୍ଧୁଙ୍କ ପାଇକ ସେନାବାହିନୀ ସହିତ ମିଳିତ ହୋଇଥିଲେ। ପାରଳାଖେମୁଣ୍ଡିର ରାଧାକୃଷ୍ଣ ଦଣ୍ଡସେନାଙ୍କ ନେତୃତ୍ୱରେ ଶବର ସୈନ୍ୟ, ଚକ୍ରା ବିଷୋୟୀ ଓ ଦୋରା ବିଷୋୟୀଙ୍କ ନେତୃତ୍ୱରେ କନ୍ଧସୈନ୍ୟ କ୍ରମାଗତ ବିଦ୍ରୋହରେ ମାତିଥିଲେ। ସ୍ୱାଧୀନତା ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଇଂରେଜମାନଙ୍କ ବିରୋଧରେ ଜନଜାତିଙ୍କ ବିଦ୍ରୋହ ବେଶ୍ ଉଲ୍ଲେଖନୀୟ। ଏହି ଜନଜାତି ବୀରଙ୍କ ମଧ୍ୟରେ ଲକ୍ଷ୍ମଣ ନାୟକ (କୋରାପୁଟ), ରତ୍ନାକର ନାୟକ (କେଉଁଝର), ନବଘନ କହଁର (ବୌଦ୍ଧ), ଦୟାନିଧି ଧାରୁଆ (ମୟୂରଭଞ୍ଜ), ମାଧୋ ସିଂ (ସମ୍ବଲପୁର), ରିଣ୍ଡୋ ମାଝୀ (କଳାହାଣ୍ଡି), ହନୁ ପ୍ରଧାନ (ଗଜପତି), ତାମା ଦୋରା (ମାଲକାନଗିରି), ଧରଣୀଧର ନାୟକ (କେଉଁଝର), ସୋନୁ ମାଝୀ ଓ ବଗା ପୂଜାରୀ (ନବରଙ୍ଗପୁର) ଇତ୍ୟାଦିଙ୍କ ଯୋଗଦାନ, ଓଡ଼ିଶା ଜନଜାତି ବିଦ୍ରୋହର ଏକ ଉଜ୍ଜ୍ବଳ ଅଧ୍ୟାୟ। ପାପଡ଼ାହାଣ୍ଡି ଗୁଳିକାଣ୍ଡର ଲୋମହର୍ଷଣ କାହାଣୀ ମୁକ୍ତି ସଂଗ୍ରାମରେ ଜନଜାତିଙ୍କର ଅପୂର୍ବ ସାହସ ଓ ବଳିଦାନର ଉତ୍କଳ ଦୃଷ୍ଟାନ୍ତ।

[ଚିତ୍ର ବର୍ଣ୍ଣନା: ଭଦ୍ରକ ଜିଲ୍ଲାର ରକ୍ତତୀର୍ଥ ଇରମଠାରେ ଅବସ୍ଥିତ ଉଚ୍ଚ ଧଳା ଶହୀଦ ସ୍ମୃତିସ୍ତମ୍ଭ।] ରକ୍ତତୀର୍ଥ ଇରମ (ଶହୀଦ ସ୍ମୃତିସ୍ତମ୍ଭ)

ଜାତିର ରକ୍ତତୀର୍ଥ ପାପଡ଼ାହାଣ୍ଡି :

ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଯୋଗଦାନ ଏବଂ ଅବିଭକ୍ତ କୋରାପୁଟ ଜନଜାତିଙ୍କର ତ୍ୟାଗ ଓ ବୀରତ୍ଵର କାହାଣୀ ଜାଣିବା ପାଇଁ ‘ପାପଡ଼ାହାଣ୍ଡି ଗୁଳିକାଣ୍ଡ’ ବିଷୟରେ ଆମକୁ ଜାଣିବାକୁ ହେବ। ୧୯୪୨ ମସିହା ଅଗଷ୍ଟ ୨୪ ତାରିଖ ଦିନ ଏକ ବିରାଟ ଜନ ଆନ୍ଦୋଳନ ପାପଡ଼ାହାଣ୍ଡିଠାରେ ସଂଗଠିତ ହୋଇଥିଲା। ଯେଉଁମାନେ ଏଥିରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିଲେ ସେମାନେ ହେଲେ– ରାଧାକୃଷ୍ଣ ବିଶ୍ଵାସ ରାୟ, ରାଧାମୋହନ ସାହୁ, ଲକ୍ଷ୍ମୀଚନ୍ଦ୍ର ଦାଶ, ରବି ସିଂ ମାଝୀ, ବଗା ପୂଜାରୀ, ସଦାଶିବ ତ୍ରିପାଠୀ, ମହମ୍ମଦ ବାଜୀ, ସୀମାଞ୍ଚଳ ବେହେରା, ସନୁ ମାଝୀ, ଜଗନ୍ନାଥ ତ୍ରିପାଠୀ, ସଦାନନ୍ଦ ମହାନ୍ତି ମାଧବ ପ୍ରଧାନଙ୍କ ନେତୃତ୍ୱରେ ଝୁରୀ ନଦୀକୂଳରେ ଜନଜାତି ଇଂରେଜ ସରକାର ବିରୋଧରେ ଏକାଠି ହେଲେ। ତା’ ପୂର୍ବରୁ ଅଗଷ୍ଟ ୨୦ ତାରିଖରେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ମାଥୁଲି ଥାନା ଉପରେ ତ୍ରିରଙ୍ଗା ପତାକା ଉଡ଼ାଇବା ଯୋଗୁଁ ଇଂରେଜମାନଙ୍କ ଗୁଳିରେ ୫ ଜଣ ଟଳିପଡ଼ିଲେ।

[ଚିତ୍ର ବର୍ଣ୍ଣନା: ପାପଡ଼ାହାଣ୍ଡିଠାରେ ନିର୍ମିତ ଶହୀଦ ସ୍ମାରକୀ ସ୍ତମ୍ଭ।] ପାପଡ଼ାହାଣ୍ଡି ଶହୀଦ ସ୍ମୃତିସ୍ତମ୍ଭ

ଅଗଷ୍ଟ ୧୬ ତାରିଖରେ ମାଧବ ପ୍ରଧାନୀଙ୍କ ନେତୃତ୍ୱରେ ୨୦୦ କର୍ମୀ ଚିକିଲି କାଠ ପୋଲ ଭାଙ୍ଗିଥିଲେ। ଅଗଷ୍ଟ ୨୦ ତାରିଖ ଦିନ କୁସୁମାବନ୍ଧର ସନୁ ମାଝୀଙ୍କ ନେତୃତ୍ୱରେ ୭୦୦ ଜନଜାତି ସଂଗ୍ରାମୀ ସରାଗୁଡ଼ା କାଠପୋଲ ଭାଙ୍ଗିଥିଲେ ଏବଂ ଅଗଷ୍ଟ ୨୩ ତାରିଖ ଦିନ ତାରାଗାଁ ଗୁମ୍ଫାଗୁଡ଼ାଠାରେ ବିରାଟ ସଭାବସି ୨୪ ତାରିଖ ଦିନ ଶହ ଶହ ସଂଗ୍ରାମୀ ହାତରେ ଟାଙ୍ଗିଆ, ଧନୁ, ତୀର ଓ ତ୍ରିରଙ୍ଗା ପତାକା ଧରି ଝୁରୀ ନଦୀ କୂଳରେ ରକ୍ତମୁଖା ହୋଇ ପହଞ୍ଚିଲେ। ପ୍ରଥମେ ଇଂରେଜ ସେନାଙ୍କ ସହ ଧସ୍ତାଧସ୍ତି ପାଟି ତୁଣ୍ଡ ଭିତରେ ଜଣେ ଇଂରେଜ ମୂତ୍ୟାଲୁର କାନ ସଂଗ୍ରାମୀଙ୍କ ଟାଙ୍ଗିଆ ଚୋଟରେ କଟିବା ପରେ ଲାଠି ଚାଳନା, ପଛେ ପଛେ ପୁଲିସ ଡି.ଏସ୍.ଆଇ. କେ ଗୌଡ଼ ଗୁଳିଚାଳନାର ଆଦେଶ ଦେଲେ। ୧୧ ଜଣ ଏଥିରେ ଟଳି ପଡ଼ିଲେ। ବହୁ ଜନଜାତି ସଂଗ୍ରାମୀ ନଈକୁ ଡେଇଁ ପଡ଼ିଲେ, ଅନେକ ଛତ୍ରଭଙ୍ଗଦେଲେ, ପୁଲିସ ଗୁଳିରେ ଚାହୁଁ ଚାହୁଁ ଝୁରୀ ନଈର ଜଳ ରକ୍ତାକ୍ତ ହୋଇଗଲା। ୧୦୦ ଜଣ କର୍ମୀ ଆହତ ହେଲେ, ୮ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଶହୀଦ ହେଲେ। ୧୪୦ ଜଣଙ୍କୁ ଗିରଫ କରି ପୋଲିସ ଅମାନୁଷିକ ଭାବରେ ନବରଙ୍ଗପୁର ଯାଏଁ ରାସ୍ତାରେ ଚଲାଇ ଚଲାଇ ନେଲା। ଅନେକଙ୍କର ଖୋଜ ଖବର ମିଳିଲା ନାହିଁ। ୯୨ ଜଣ ସଂଗ୍ରାମୀଙ୍କୁ ୬ ରୁ ୯ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ମିଳିଲା। ଯେଉଁମାନେ ଏ ଗୁଳିକାଣ୍ଡରେ ଶହୀଦ ହୋଇଥିଲେ ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ଜନଜାତିର। ସେମାନେ ହେଲେ– ବସ୍ତରିଆ ଭତ୍ରା, ସନୁ ଭତ୍ରା, ବଳି ସଉରା, ବୁଦୁ ଅମାନାତ୍ୟ, ରତନ ରନ୍ଧାରି, ଶୁକ୍ର ମୁଦୁଲି, ଖଗପତି ଅମାନାତ୍ୟ, ଭରତ ପୂଜାରୀ, ରାମଚନ୍ଦ୍ର ଅମାନାତ୍ୟ, ଘାସି ଜାନୀ, ଦୀନବନ୍ଧୁ ଜାନୀ, ଜଗବନ୍ଧୁ ଅମାନାତ୍ୟ, ସହଦେବ ପୂଜାରୀ, ମଙ୍ଗୁ ଭତ୍ରା, ଆନନ୍ଦ ଗୌଡ଼, ପରମାନନ୍ଦ ସଉରା, ଭଗବାନ ଭତରା, ଶ୍ୟାମ ସୁନ୍ଦର ଗୌଡ଼ ଓ ବୁଦ୍ଧି ଅମାନାତ୍ୟ (ତୁରୁଞ୍ଜିଆ)। ଏମାନଙ୍କର ତ୍ୟାଗ ଓ ବଳିଦାନ ପାଇଁ ସେଠାରେ ଆଜି ଠିଆହୋଇଛି ଭବ୍ୟ ଶହୀଦ ମିନାର, ଯେଉଁଠି ପ୍ରତିବର୍ଷ ରାଷ୍ଟ୍ରସ୍ତରୀୟ ଶହୀଦ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।

ଆସ ଅନୁସନ୍ଧାନ କରିବା

ଜଣେ କଳାକାରଙ୍କ କଳ୍ପନାରୁ ଉତ୍ପନ୍ନ ୧୮୫୬ ମସିହାର ଏକ ସ୍କେଚ୍ (ଚିତ୍ର : ୪.୧୭)ରେ ସାନ୍ତାଳମାନଙ୍କୁ କିପରି ଚିତ୍ରିତ କରାଯାଇଛି ତାହା ଲକ୍ଷ୍ୟକର। ସେମାନଙ୍କର ରଙ୍ଗ, ପୋଷାକ, ଅସ୍ତ୍ରଶସ୍ତ୍ରକୁ ପର୍ଯ୍ୟବେକ୍ଷଣ କର ଏବଂ ଏହି ଚିତ୍ରଟି ବ୍ରିଟେନ୍‌ର ଲୋକମାନଙ୍କ ମନରେ କି ପ୍ରକାର ପ୍ରତିଛବି ସୃଷ୍ଟି କରିଥିବ, ତା’ର ନିଷ୍କର୍ଷ ଆଲୋଚନା କରି ପ୍ରକାଶ କର।

ଆର୍ଥିକ ଶୋଷଣ ବିରୋଧରେ କୃଷକ ସଂଗ୍ରାମ

ବିନା ଦୁର୍ଭିକ୍ଷରେ ମଧ୍ୟ କୃଷକମାନେ ଅନ୍ୟାୟ ବ୍ରିଟିଶ ରାଜସ୍ୱ ସଂଗ୍ରହର ଶିକାର ହୋଇଥିଲେ। ସେ ସମୟର ମହାଜନ କିମ୍ବା ନୂତନ ଜମିଦାରଙ୍କ ପାଖରେ ସେମାନଙ୍କ ଜମି ହରାଇଥିଲେ।

ନୀଳଚାଷ ବିଦ୍ରୋହ (ଇଣ୍ଡିଗୋ ବିଦ୍ରୋହ ୧୮୫୯–୧୮୬୨) ଶୋଷଣର କଥାକୁ ଦର୍ଶାଏ। ୟୁରୋପୀୟ ବଗିଚାର ମାଲିକମାନେ ବଙ୍ଗର ଉତ୍ତର ଭାଗରେ ଚାଷୀମାନଙ୍କୁ ଖାଦ୍ୟ ଶସ୍ୟ ଋଷ ପରିତ୍ୟାଗ କରି ଲାଭଜନକ ନୀଳ ଋଷ କରିବାକୁ ବାଧ୍ୟ କରିଥିଲେ, କାରଣ ସେତେବେଳେ ୟୁରୋପରେ ନୀଳ ରଙ୍ଗର ବହୁତ ଚାହିଦା ଥିଲା। ଚାଷୀଠୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଚୁର ଲାଭ ପାଉଥିଲେ, କିନ୍ତୁ କୃଷକମାନେ ଏଥିରୁ ବାଦ୍ ପଡ଼ିଥିଲେ। କେବଳ କିଛି ଅର୍ଥ ରୋଜଗାର କରୁ କରୁ ଋଣଯନ୍ତାରେ ସେମାନେ ଫସିଗଲେ। ଯେତେବେଳେ ସେମାନେ ନୀଳଚାଷ କରିବାକୁ ମନା କଲେ, ସେତେବେଳେ ସେମାନେ ଇଂରେଜମାନଙ୍କ ଦ୍ଵାରା ଜେଲଦଣ୍ଡ, ନିର୍ଯ୍ୟାତନା ଭୋଗିବା ସହ ନିଜ ଗୃହ ବାଡ଼ି ହରାଇଲେ।

ସେମାନଙ୍କ ସଂଗ୍ରାମ ମୁଖ୍ୟତଃ ବଗିଚା ମାଲିକଙ୍କ ବିରୋଧରେ ଥିଲା। ଯେଉଁମାନେ କୃଷକମାନଙ୍କ ଉପରେ ଆକ୍ରମଣ କରିବାପାଇଁ ଭଡ଼ାଟିଆ ସୈନିକମାନଙ୍କୁ ନିଯୁକ୍ତି ଦେଇ ପ୍ରତିଶୋଧ ନେଇଥିଲେ।

[ଚିତ୍ର ବର୍ଣ୍ଣନା: ପାଇକ ସୈନ୍ୟମାନେ ଖୋର୍ଦ୍ଧା ଦୁର୍ଗ ସମ୍ମୁଖରେ ଇଂରେଜ ସେନାଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିବାର ଏକ ରଙ୍ଗୀନ ଚିତ୍ର।]

ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ବିଦ୍ରୋହ : ଓଡ଼ିଶାର ପାଇକ ସଂଗ୍ରାମ

ଭାରତରେ ସ୍ଵାଧୀନତା ସଂଗ୍ରାମ ଆଗରୁ ଓଡ଼ିଶାରେ ପାଇକମାନଙ୍କର ସଂଗ୍ରାମର କାହାଣୀ ଏକ ଗୌରବମୟ ଅଧ୍ୟାୟ। ଏହି ସଂଗ୍ରାମ ଥିଲା ପୂର୍ବ ଭାରତ ଇଷ୍ଟଇଣ୍ଡିଆ କମ୍ପାନୀର ଅତ୍ୟାଚାରୀ ଶାସନ ବିରୋଧରେ ଏକ ସୁସଂଗଠିତ ସଂଘର୍ଷ। ଇଂରେଜମାନେ ସାରା ଦେଶକୁ ଅଧିକାର କରିବା ପରେ ତାଙ୍କର ନଜର ପଡ଼ିଥିଲା ଓଡ଼ିଶା ଉପରେ। ସେତେବେଳର ଓଡ଼ିଶା କହିଲେ ଘୁମୁସର, ପାରଳାଖେମୁଣ୍ଡି, ଖୋର୍ଦ୍ଧା, ପୁରୀ, କଟକ ଓ ବାଲେଶ୍ୱରର କିଛି ଅଧିକ ଅଞ୍ଚଳକୁ ବୁଝାଉଥିଲା। ଓଡ଼ିଶା ଅଧିକାର ପରେ ଏଠାରେ ଇଂରେଜ ଶାସନର ପ୍ରତିଷ୍ଠା ଓ ଇଂରେଜ ଶକ୍ତିର ବୃଦ୍ଧି ପାଇଁ ଉଦ୍ୟମ କରିଥିଲେ। ଓଡ଼ିଆ ଜାତିର ମଉଡ଼ମଣି ଶ୍ରୀଜଗନ୍ନାଥ ମନ୍ଦିର ଓ ଠାକୁର ରାଜାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଷଡ଼ଯନ୍ତ୍ର କଲେ ଏବଂ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ଭାର ନିଜ ହାତକୁ ନେଲେ। ଏଥିରେ ସନ୍ଦେହ ପ୍ରକାଶ କରି ନାବାଳକ ଠାକୁର ରାଜା ମୁକୁନ୍ଦ ଦେବ ଦୁଇ ହଜାର ପାଇକ ସେନାଙ୍କ ସହ ତାଙ୍କ ପ୍ରଧାନ ସେନାପତି ଓ ଦେୱାନ୍ ଜୟକୃଷ୍ଣ ରାଜଗୁରୁ (ଜୟୀ ରାଜଗୁରୁ) ଙ୍କୁ ପଠାଇଲେ ୧୮୦୪ ଖ୍ରୀ:ଅ: ମାର୍ଚ୍ଚ ମାସରେ। ହାରକୋର୍ଟ ସାହେବଙ୍କ ନିକଟରେ ସେ ତିନୋଟି ମୁଖ୍ୟ ଦାବି ରଖିଥିଲେ ଯଥା: (କ) ୫୦ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ରଖନ୍ତୁ (ଖ) ଖୋର୍ଦ୍ଧାର ବାର୍ଷିକ ପେସକସ୍ ଭାର କମାନ୍ତୁ (ଗ) ରାହାଙ୍ଗ ଓ ଲେମ୍ବାଇ ସମେତ ୪ ଟି ମହଲକୁ ଖୋର୍ଦ୍ଧାକୁ ପ୍ରତ୍ୟାର୍ପଣ କରାଯାଉ। ଜୟୀ ରାଜଗୁରୁଙ୍କ ପ୍ରଥମ ଦାବିକୁ ହାରକୋର୍ଟ ଗ୍ରହଣ କରିଥିଲେ ହେଁ ଅଞ୍ଚଳ ଫେରାଇବା ବଦଳରେ ପୁରା ଖୋର୍ଦ୍ଧା ଅଧିକାର କରିବା ପାଇଁ ବ୍ୟଗ୍ରହୋଇ ଉଠିଲେ। ଫଳରେ ଏ କଥା ଜାଣିପାରି ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଗଜପତି ନିଜର ସେନାବାହିନୀର ଶକ୍ତି ବୃଦ୍ଧି କରିଚାଲିଲେ। କିଛି ମରହଟ୍ଟା ସର୍ଦ୍ଦାରଙ୍କୁ ନୌସେନାବାହିନୀରେ ନିଯୁକ୍ତ କରିବା ସହ ନାଗପୁର ରାଜାଙ୍କ ସହ ଗୁପ୍ତ ମନ୍ତ୍ରଣା କଲେ ଏବଂ ମରହଟ୍ଟା ସନ୍ନ୍ୟାସୀ ଶମ୍ଭୁ ଭାରତୀଙ୍କୁ ସାହାଯ୍ୟ ଦେଲେ। ଇତ୍ୟବସରରେ ଗଡ଼ଜାତ ରାଜ୍ୟର ରାଜାମାନଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଇଂରେଜ ସରକାର ଏକ ଉଦାର ସର୍ଭ ସମ୍ବଳିତ ଚୁକ୍ତିପତ୍ର ପ୍ରସ୍ତୁତ କଲେ ଏବଂ ନିଃସର୍ଭରେ ପ୍ରାୟସବୁ ରାଜା ଏହାକୁ ଗ୍ରହଣ କରିନେଲେ, କେବଳ ବିଳମ୍ବ କଲେ ଖୋର୍ଦ୍ଧାରାଜା। ବହୁ ବାଦବିବାଦ ପରେ ଯଦିଓ ସେ ସ୍ୱାକ୍ଷର କଲେ କିନ୍ତୁ ନିଜ ନିରାପତ୍ତା ପାଇଁ ସୈନ୍ୟବଳ ବଢ଼ାଇ ଚାଲିଲେ। ଏହା ଭିତରେ ହାରକୋର୍ଟ ବାରବାଟୀ ଦୁର୍ଗ ଅଧିକାର ପରେ ଇଂରେଜ ଓ ଗଜପତିଙ୍କ ମଧ୍ୟରେ ତିକ୍ତତା ବଢ଼ିଲା। କାଳେ ବିଳମ୍ବ କଲେ ଅନ୍ୟ ଗଡ଼ଜାତ ରାଜାମାନେ ଗଜପତିଙ୍କୁ ସମର୍ଥନ କରିବେ ଭାବି ଖୋର୍ଦ୍ଧା ଉପରେ ସାମରିକ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଲେ। କିନ୍ତୁ ଭାରତର ବଡ଼ଲାଟ ଲର୍ଡ଼ ୱେଲେସେଲିଙ୍କ ସମର୍ଥନ ଏଥିରେ ନଥିଲା। ଫଳରେ ହାରକୋର୍ଟ କୂଟନୀତି ଅବଲମ୍ବନ କରି ମରହଟ୍ଟା ସନ୍ନ୍ୟାସୀ ଶମ୍ଭୁ ପ୍ରସାଦଙ୍କୁ ବନ୍ଦୀ କଲେ; ଜୟୀ ରାଜଗୁରୁଙ୍କୁ କାର୍ଯ୍ୟରୁ ବହିଷ୍କାର ପାଇଁ ଚାପ ପକାଇଲେ। ତାହା ବିଫଳ ହେବାରୁ ହାରକୋର୍ଟଙ୍କ ନିର୍ଦ୍ଦେଶରେ ପିପିଲିଠାରେ ଥିବା ଇଂରେଜ ସେନାପତି କ୍ୟାପଟେନ୍ ହିକ୍‌ଲେଣ୍ଡ ୧୮୦୪ ଖ୍ରୀ. ନଭେମ୍ବର ୨୨ରେ ଅଚାନକ ଖୋର୍ଦ୍ଧା ଆକ୍ରମଣ କରି ପାଇକ ସେନାବାହିନୀକୁ ବିପର୍ଯ୍ୟସ୍ତ କଲେ। ଏ ସମୟରେ ହାରକୋର୍ଟ ବରୁଣେଇ ପାହାଡ଼ ଉପରେ ଥିବା ଦୁର୍ଗ ଉପରେ ଅତର୍କିତ ଆକ୍ରମଣ କଲେ। ତିନି ସପ୍ତାହ ଯୁଦ୍ଧ ପରେ ବରୁଣାଇ ଦୁର୍ଗର ପତନ ହେଲା।

ରାଜା ଅନୁଚରଙ୍କ ସହ ଆତ୍ମଗୋପନ କଲେ ଏବଂ ୧୮୦୫ ଜାନୁଆରୀ ୩ ତାରିଖରେ ଧରା ପଡ଼ିଲେ। ତାଙ୍କୁ ପ୍ରଥମେ କଟକ ଓ ପରେ ମେଦିନୀପୁର ଜେଲକୁ ପଠାଇଦେଲେ। ବିଷ୍ଣୁପୁର, ହରିପୁର, ମାରୀଚପୁର, କୁଜଙ୍ଗପୁର, କନିକାର ରାଜାମାନେ ଗଜପତିଙ୍କୁ ସାହାଯ୍ୟ କରିଥିବାରୁ ଦଣ୍ଡ ପାଇଲେ। ଯଦିଓ ୧୮୦୭ରେ ରାଜା ମୁକ୍ତି ପାଇଲେ, କେବଳ ନାମକୁ ମାତ୍ର ଠାକୁର ରାଜାଭାବେ ବାଲିସାହି ନଅରରେ ରହିଲେ। ଖୋର୍ଦ୍ଧା ରାଜ୍ୟ ଇଂରେଜ ଅଧୀନରେ ରହିଲା, ଫ୍ଲେଚର ହେଲେ ଖୋର୍ଦ୍ଧାର ସର୍ବେସର୍ବା।

ମଧ୍ୟଯୁଗୀୟ ଓଡ଼ିଶାରେ ପାଇକ ନାମରେ ଏକ କୃଷକ ସୈନିକ ଶ୍ରେଣୀ ରାଜାଙ୍କ ଶକ୍ତିବୃଦ୍ଧିରେ ସାହାଯ୍ୟ କରୁଥିଲେ। ରାଜା ବା ସାମନ୍ତଙ୍କ ଅଧୀନରେ ନିଷ୍କର ଜମି/ଜାଗିରୀ ଲାଭ କରି କୃଷି କାର୍ଯ୍ୟ ସହ ଯୁଦ୍ଧ ବେଳେ ଦକ୍ଷ ସୈନିକଭାବେ ଯୁଦ୍ଧ କ୍ଷେତ୍ରରେ ନିଜ ପରାକ୍ରମ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ। ଢାଲ, ଧନୁଶର, ଖଣ୍ଡା, ପରେ ବନ୍ଧୁକ ଚାଳନାରେ ସେମାନେ ଦକ୍ଷ ଥିଲେ। ତାଙ୍କ ଶରୀର ତେଲ ଓ ହଳଦୀ ରଞ୍ଜିତ, ବ୍ୟାଘ୍ରଚର୍ମ ପରିହିତ ବିଶାଳ ବପୁ, କପାଳରେ ସିନ୍ଦୂର ଟୋପା, ମସ୍ତକରେ ପଗଡ଼ି ଯୋଗୁଁ ଯୁଦ୍ଧ ଭୂମିରେ ଶତ୍ରୁସୈନିକ ଭିତରେ ଭୟ ସଂଚାର କରୁଥିଲା। ପାଇକମାନଙ୍କ ନେତା ଦଳାଇ, ଦଳବେହେରା ଓ ପାଇକରାୟ ଉପାଧି ପାଉଥିଲେ। ତାଙ୍କର ସର୍ବୋଚ୍ଚ ନେତା ଥିଲେ ପ୍ରଧାନ ସେନାପତି ବା ବକ୍ସି।

[ଚିତ୍ର ବର୍ଣ୍ଣନା: ପାଇକ ବିଦ୍ରୋହର ବୀର ଶହୀଦମାନଙ୍କ ପ୍ରତିମୂର୍ତ୍ତି ସ୍ମାରକୀ।]

ଜୟୀ ରାଜଗୁରୁଙ୍କୁ ନିଷ୍ଠୁର ଭାବେ ବରଗଛ ଡାଳରେ ସର୍ବସାଧାରଣରେ ଫାଶୀ ଦେବା ପରେ ଇଂରେଜମାନେ ଭାବୁଥିଲେ ପାଇକ ଜାତି ଦୁର୍ବଳ ହୋଇଯିବ କିନ୍ତୁ ପ୍ରକାରାନ୍ତରେ ଏହାହିଁ ପାଇକଙ୍କ ଭିତରେ ପ୍ରତିଶୋଧର ବହ୍ନି ହୋଇ ଜଳିବାକୁ ଲାଗିଲା।

ଗୋଟିଏ ଟଙ୍କା ପାଇଁ ଦେଢ଼ ଟଙ୍କାର କଉଡ଼ି ଦେବାକୁ ପଡ଼ୁଥିଲା

ଫ୍ଲେଚରଙ୍କ ଆଦେଶରେ ପାଇକମାନଙ୍କୁ ତାଙ୍କ ନିଷ୍କର ଜମିରୁ ଉଚ୍ଛେଦ କରିବା ସହ କଉଡ଼ି ବଦଳରେ ଟଙ୍କା ଆକାରରେ ଜମିକର ଦେବା ପାଇଁ ବାଧ୍ୟ କରାଗଲା। ଫଳରେ ପାରମ୍ପରିକ ଶସ୍ୟ ବା କଉଡ଼ି ବଦଳରେ ଟଙ୍କା ଯୋଗାଡ଼ କରିବା ପାଇଁ ସେମାନଙ୍କୁ ଅଧିକ ଶସ୍ୟ ବ୍ୟବସାୟୀଙ୍କୁ ଦେଇ ଟଙ୍କା ଆଣି ଇଂରେଜମାନଙ୍କୁ ପୈଠ କରିବାକୁ ପଡୁଥିଲା। ଦାରିଦ୍ର୍ୟ ଓ ଖାଦ୍ୟାଭାବରେ ଯେମିତି ସେମାନଙ୍କୁ ପାଇକମାନଙ୍କର ବୀରତ୍ଵ ଓ ଦେଶପ୍ରେମକୁ ନଷ୍ଟ କରାଯିବ ସେଥ୍‌ପାଇଁ ଇଂରେଜ ସରକାର ସବୁ ଷଡ଼ଯନ୍ତ୍ର କଲେ। ପାଇକମାନଙ୍କୁ ଅଧିକ ବାଧିଲା ବ୍ରିଟିଶର ‘ଲବଣ ନୀତି’। ଅଧିକାଂଶ ପାଇକ ୬ ମାସ କୃଷି ଏବଂ ଶୀତ ପରେ ପରେ ଆଉ ୬ ମାସ ଲୁଣମାରି ବ୍ୟବସାୟ କରି ଲାଭବାନ ହେଉଥିଲେ। ଏଥିରୁ ବି ସେମାନଙ୍କୁ ‘ଲବଣ ଆଇନ’ ଦ୍ଵାରା ବଞ୍ଚିତ କରାଗଲା। ଏଥିପାଇଁ ପାଇକମାନେ ସଂଗଠିତ ହେବା ପାଇଁ ସୁଯୋଗ ଖୋଜୁଥିଲେ।

ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ (ବକ୍ସି ଜଗବନ୍ଧୁ) ଖୋର୍ଦ୍ଧା ରାଜାଙ୍କର ବକ୍ସି ବା ପ୍ରଧାନ ସେନାପତି ଥିଲେ। ଏହି ପଦବୀ ଥିଲା ବଂଶାନୁକ୍ରମିକ। ଗଜପତିଙ୍କର ବକ୍ସି ରୂପେ ସେ ପୁରୀ ଜିଲ୍ଲାର ବ୍ରହ୍ମଗିରି ନିକଟସ୍ଥ ଗଡ଼ ରୋଡ଼ଙ୍ଗ କିଲ୍ଲା ଓ ନିଷ୍କର ଜମି ସାମାନ୍ୟ ରାଜସ୍ୱ ଦେଇ ଉପଭୋଗ କରି ଆସୁଥିଲେ। ୧୮୦୩ ମସିହାରେ ଇଂରେଜମାନଙ୍କର ଓଡ଼ିଶା ଅଧିକାର ପରେ କୃଷ୍ଣଚନ୍ଦ୍ର ସିଂହ ନାମକ ଏକ ପ୍ରଭାବଶାଳୀ ବଙ୍ଗାଳୀ (ଇଂରେଜ କଲେକ୍ଟରଙ୍କ ଦେୱାନ) ରୋଡ଼ଙ୍ଗ କିଲ୍ଲା ଅଧିକାର ପାଇଁ ଉଦ୍ୟମ କଲେ। ତାଙ୍କ ଭାଇ ଗୌରହରି ସିଂ ପୁରୀର ତହସିଲଦାର ଭାବେ ରାହାଙ୍ଗ ସମେତ କିଛି ପରଗଣାର ରାଜସ୍ୱ ଆଦାୟ ଦାୟିତ୍ଵରେ ଥିଲେ। କୃଷ୍ଣଚନ୍ଦ୍ର ସିଂହ ୧୮୧୦ରେ ପରଗଣାକୁ କିଣି ନେଲେ। ବଙ୍ଗାଳୀମାନଙ୍କର ବିଭିନ୍ନ ଷଡ଼ଯନ୍ତ୍ରର ଶିକାର ହୋଇ ଜଗବନ୍ଧୁ ନିଜ ଜମି ଜାଗିରୀ ହରାଇ ନିଃସ୍ଵ ହୋଇପଡ଼ିଲେ ଏବଂ ଶେଷରେ ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରିବା ପାଇଁ ନିଜକୁ ପ୍ରସ୍ତୁତ କଲେ। ଘୁମୁସର ନିକଟରେ ଥିବା ଗଞ୍ଜାମର ଶେରଗଡ଼ ରାଜାଙ୍କ ସହ ଜଗବନ୍ଧୁଙ୍କର ବୈବାହିକ ସମ୍ପର୍କ ଥିଲା। ତେଣୁ ୧୮୧୭ ଖ୍ରୀ: ମାର୍ଚ୍ଚ ୨୯ ତାରିଖରେ ପ୍ରାୟ ୪୦୦ କନ୍ଧ ଘୁମୁସରରୁ ଆସି ଜଗବନ୍ଧୁଙ୍କ ପାଇକ ବାହିନୀ ସହ ଯୋଗଦେବା ପରେ ଏହି ଐତିହାସିକ ସଂଗ୍ରାମ ଆରମ୍ଭ ହେଲା। ବାଣପୁରଠାରୁ ଆରମ୍ଭ କରି ସାରା ପାର୍ବତ୍ୟାଞ୍ଚଳରେ, ଖୋର୍ଦ୍ଧା ଓ ପୁରୀରେ ବନାଗ୍ନି ଭଳି ଏ ବିପ୍ଳବର ନିଆଁ ଜଳି ଉଠିଲା। ତାପଙ୍ଗର ଦଳବେହେରାଙ୍କ ସହଯୋଗ ବି ଏଥିରେ କମ୍ ନଥିଲା।

କଟକରେ ଅବସ୍ଥିତ ଇଂରେଜ ସାହେବ କେତେକ ସୈନ୍ୟ ସହ କମାଣ୍ଡିଂ ମାଜିଷ୍ଟ୍ରେଟଙ୍କୁ ଖୋର୍ଦ୍ଧା ପଠାଇଲେ। ସେ କିନ୍ତୁ ଖୋର୍ଦ୍ଧାରେ ପହଞ୍ଚିବା ଆଗରୁ କନ୍ଧ ଓ ପାଇକମାନେ ମିଶି ସେଠାରେ ସରକାରୀ ଗୃହଗୁଡ଼ିକୁ ଧ୍ୱଂସ କରି ରାଜ୍ୟକୋଷ ଲୁଣ୍ଠନ କରି ସାରିଥିଲେ। ଫଳରେ ସରକାରୀ କର୍ମଚାରୀ ଭୟଭୀତ ହୋଇ ପଳାୟନ କଲେ। ଖୋର୍ଦ୍ଧାଠାରୁ ପ୍ରାୟ ୩ ମାଇଲ ଦୂର ଗଙ୍ଗପଡ଼ାଠାରେ ମାଜିଷ୍ଟ୍ରେଟ ଡେରାପକାଇ ସୈନ୍ୟ ଓ ଲୋକ ସଂଗ୍ରହ କରିବାକୁ ଚେଷ୍ଟା କଲାବେଳେ ଚାରିଆଡ଼ୁ ବିଦ୍ରୋହୀଙ୍କ ଆକ୍ରମଣ ହେଲା ଏବଂ ମାଜିଷ୍ଟ୍ରେଟ୍ ସେଠାରୁ ପ୍ରାଣ ବିକଳରେ ଖସି ଚାଲିଗଲେ। ଫଳରେ ଖୋର୍ଦ୍ଧାଞ୍ଚଳରେ ପାଇକମାନଙ୍କର ମନୋବଳ ବଢ଼ିଲା ଓ ଅଧିକ ସଂଖ୍ୟାରେ ଏ ବିପ୍ଳବରେ ମାତି ଉଠିଲେ। ଫଳରେ ଇଂରେଜ ଶାସନ ସଂସ୍ଥା ଖୋର୍ଦ୍ଧାଅଞ୍ଚଳରୁ ଏକ ପ୍ରକାର ଭୁଷୁଡ଼ି ପଡ଼ିଲା। ପାଇକମାନେ ଖୋର୍ଦ୍ଧା ଅଞ୍ଚଳ ଓ ପିପିଲିରେ ଥିବା ସୈନ୍ୟମାନଙ୍କୁ ହତ୍ୟାକଲେ। ପିପିଲି ଥାନାରେ ସଂଗ୍ରାମୀମାନେ ନିଆଁ ଲଗାଇଦେଲେ ଗଙ୍ଗପଡ଼ାଠାରେ ବ୍ରିଟିଶ କମାଣ୍ଡର ନିହତ ହେଲେ। ଫଳରେ ଅବଶିଷ୍ଟ ଇଂରେଜ ସୈନ୍ୟ, ପ୍ରାଣ ବଞ୍ଚାଇ କଟକ ଫେରିଯିବାକୁ ବାଧ୍ୟ ହେଲେ। ଏହା ସାରା ଭାରତରେ ଲୋକମାନଙ୍କ ଭିତରେ ଅପୂର୍ବ ଜାଗରଣ ଆଣିଦେଲା। ଭାରତରେ ପ୍ରଥମ ସ୍ୱାଧୀନତା ସଂଗ୍ରାମର ୪୦ ବର୍ଷ ପୂର୍ବରୁ ଓଡ଼ିଶାରେ ଘଟିଥିବା ପାଇକ ସଂଗ୍ରାମରେ ଏ ମାଟିର ତ୍ୟାଗ, ବୀରତ୍ଵ ଓ ବଳିଦାନର ଗାଥା ପରବର୍ତ୍ତୀ ସଂଗ୍ରାମୀମାନଙ୍କୁ ସ୍ଵାଧୀନତା ସଂଗ୍ରାମରେ ବଳ ଯୋଗାଇ ଥିଲା।

ଏହି ବିଦ୍ରୋହ ପରେ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବ୍ୟାପି ଯାଇଥିଲା। କନିକା ଓ କୁଜଙ୍ଗରେ ଏହା ଉଗ୍ରରୂପ ନେଲା। ଏହି ଦୁଇ ରାଜ୍ୟର ପାଇକମାନେ ନାରାୟଣ ପରମଗୁରୁ ଓ ବାମଦେବ ପଟ୍ଟଯୋଶୀଙ୍କ ନେତୃତ୍ୱରେ ସଂଗଠିତ ହେଲେ। ୧୮୧୭ ସେପ୍ଟେମ୍ବର ୧୩ କ୍ୟାପ୍‌ଟେନ କେନେଟ୍ ନିଜ ସୈନ୍ୟଙ୍କୁ ନେଇ ସେମାନଙ୍କୁ ପରାସ୍ତ କଲେ। ଉଭୟ ନେତାଙ୍କୁ ବନ୍ଦୀ କରି ଦ୍ବୀପାନ୍ତର ଦଣ୍ଡ ଦେଲେ ଓ କୁଜଙ୍ଗ ରାଜାଙ୍କୁ ବାରବାଟୀ ଦୁର୍ଗରେ ବନ୍ଦୀ କଲେ। କରୁଣାକର ସର୍ଦ୍ଦାରଙ୍କୁ ଗୋପଠାରେ ଗିରଫ କଲେ। କିନ୍ତୁ ବକ୍ସି ଜଗବନ୍ଧୁ ଏବଂ ତାଙ୍କ ସହକର୍ମୀ କୃଷ୍ଣଚନ୍ଦ୍ର ଭ୍ରମରବର ରାୟ, ମଧୁସୂଦନ ମଙ୍ଗରାଜ, ଗୋପାଳ ଛୋଟରାୟ ବଣଜଙ୍ଗଲରେ ଲୁଚି ଛପି ଇଂରେଜମାନଙ୍କୁ ଆକ୍ରମଣ କଲେ। ଘୁମୁସର ରାଜା ଶ୍ରୀକର ଭଞ୍ଜ ଅନେକ ସମୟରେ ବକ୍ସି ଜଗବନ୍ଧୁଙ୍କୁ ଗୁପ୍ତରେ ସାହାଯ୍ୟ କରୁଥିଲେ। ନୟାଗଡ଼ ରାଜା ବିନାୟକ ସିଂହ ମାନ୍ଧାତା ମଧ୍ୟ ବକ୍ସି ଜଗବନ୍ଧୁଙ୍କୁ ସାହାଯ୍ୟ କରିଥିଲେ। ୧୮୧୮ ସେପ୍ଟେମ୍ବର ମାସରେ ଦଶପଲ୍ଲା ରାଜାଙ୍କ ଯୋଗୁଁ ଜଗବନ୍ଧୁ ଏକ ମହାବିପତ୍ତିରୁ ରକ୍ଷା ପାଇ ପୁନଶ୍ଚ ସଂଗ୍ରାମକୁ ଜାରି ରଖିଲେ। ନୟାଗଡ଼ ରାଜା ବିନାୟକ ସିଂହଙ୍କ ମୃତ୍ୟୁ ପରେ (୧୮୨୩) ନୟାଗଡ଼ର ନୂତନ ରାଜା ବ୍ରଜବନ୍ଧୁ ସିଂହ ମାନ୍ଧାତା ଇଂରେଜମାନଙ୍କର ଅନୁଚର ଥିବା ହେତୁ ସାହାଯ୍ୟ ପାଇବା ଦୂରର କଥା ବରଂ ବକ୍ସି ଜଗବନ୍ଧୁ ଧରାପଡ଼ିବା ଆଶଙ୍କାରେ ନିଜକୁ ବିପଦ ମଣିଲେ। ଏତିକି ବେଳେ ଇଂରେଜ ସରକାରଙ୍କର ଦୃଢ଼ ଦମନ ମୂଳକ ନୀତି ଯୋଗୁଁ ବହୁ ସଂଗ୍ରାମୀ ଗିରଫ ହୋଇ ଦଣ୍ଡ ପାଇଲେ। ଧୀରେ ଧୀରେ ସଂଗ୍ରାମର ଗତି ଧୂମେଇ ଗଲା। ଜନସାଧାରଣଙ୍କ ଗୁପ୍ତ ସମର୍ଥନ କମି କମି ଆସିଲା। ଇଂରେଜ ସରକାରଙ୍କ ନିକଟରେ ଆତ୍ମ ସମର୍ପଣ କଲେ କ୍ଷମା ପ୍ରଦାନ କରାଯିବ ବୋଲି ଘୋଷଣା କଲା ପରେ ଅନେକ ସଂଗ୍ରାମୀ, ଆତ୍ମସମର୍ପଣ କଲେ। ଶେଷରେ ବାଧ୍ୟ ହୋଇ ବକ୍ସି ଜଗବନ୍ଧୁ ୧୮୨୫ ଖ୍ରୀ: ମେ ୨୭ ତାରିଖ ଦିନ କଟକରେ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରି ଏକ ଚୁକ୍ତିନାମାରେ ସ୍ୱାକ୍ଷର କଲେ। ମାସିକ ୧୫୦ ଟଙ୍କା ପେନସନ ଦେଇ ଇଂରେଜମାନେ ତାଙ୍କୁ ନଜର ବନ୍ଦୀରେ ରଖିଲେ। ଶେଷରେ ପାଇକ ବିପ୍ଳବର ମହାନାୟକ ସଂଗ୍ରାମର ଶେଷ ଦୀପଶିଖା ୧୮୨୯ ଜାନୁଆରୀ ୨୪ ତାରିଖ ଦିନ ସ୍ତ୍ରୀ ଓ ନାବାଳକ ପୁତ୍ରକୁ ଛାଡ଼ି ଆଖି ବୁଜିଲେ। ମହାସଂଗ୍ରାମର ମହାନାୟକ ଭାବେ ଯେଉଁ ସଂଗ୍ରାମର ମଶାଲ ଜାଳି ଦେଇଗଲେ ତାହା, ୪୦ ବର୍ଷ ପରେ ଉତ୍ତର ଭାରତରେ ସିପାହୀ ବିଦ୍ରୋହ ନାମରେ ମୁଣ୍ଡ ଟେକି ସାରା ଦେଶରେ ଇଂରେଜ ସାମ୍ରାଜ୍ୟକୁ ଦୋହଲାଇ ଦେଲା। ଏହି ମାଟିର ତ୍ୟାଗ, ବୀରତ୍ଵ ଓ ବଳିଦାନର ରକ୍ତାକ୍ତ କାହାଣୀ ଆଜିବି ଏ ଜାତିର ପ୍ରାଣରେ ଯେଉଁ ସ୍ଵାଭିମାନ ସ୍ପନ୍ଦନ ତୋଳେ ତା’ର ପଟ୍ଟାନ୍ତର ନାହିଁ। ଏହା ହିଁ ଆମ ଗୌରବ ଗାଥା ଯାହା ପରବର୍ତ୍ତୀ ସମୟରେ ସାରା ରାଜ୍ୟର ସ୍ଵାଧୀନତା ସଂଗ୍ରାମକୁ ପ୍ରେରଣା ଦେଇ ସଂଗ୍ରାମୀଙ୍କ ମନୋବଳକୁ ବହୁଗୁଣିତ କରିଥିଲା। ସମସ୍ତ ପ୍ରକାର ଜନଜାତିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ଏ ବିଦ୍ରୋହରେ ଆପଣାର ଧନ ଜୀବନକୁ ଉତ୍ସର୍ଗ କରି ଦେଶପାଇଁ ଲଢ଼ିଥିଲେ।

ଆସ ଅନୁସନ୍ଧାନ କରିବା

ନୀଳ ହେଉଛି କପଡ଼ା ରଙ୍ଗାଇବାରେ ବ୍ୟବହୃତ ହେଉଥିବା ଏକ ଗାଢ଼ ନୀଳ ରଙ୍ଗର ଦ୍ରବ୍ୟ। ତୁମେ ଅନ୍ୟ ପ୍ରାକୃତିକ ପଦାର୍ଥ ବିଷୟରେ ଚିନ୍ତା କର ଯାହା ଭାରତରେ ପାରମ୍ପରିକ ଭାବରେ କପଡ଼ା ରଙ୍ଗ କରିବା ପାଇଁ ବ୍ୟବହୃତ ହୋଇ ଆସୁଛି।

ସାରା ଉପମହାଦେଶ ଭାରତରେ ସଂଗ୍ରାମର ଆହୁରି ଅନେକ ଉଦାହରଣ ଅଛି, ଯାହା ବ୍ରିଟିଶ ଶାସନର ଅନ୍ୟାନ୍ୟ ଦିଗ ସହିତ ପୂର୍ବରୁ ଆମେ ଦେଖୁଥିଲୁ। ଏହା ଉନବିଂଶ ଶତାବ୍ଦୀର ସବୁଠୁ ବଡ଼ ସଂଗ୍ରାମକୁ ଜନ୍ମ ଦେଇଥିଲା। ଆସ ସେହି ବିଷୟ ଉପରେ ଆଲୋଚନା କରିବା।

୧୮୫୭ ର ମହାସଂଗ୍ରାମ

ବ୍ରିଟିଶମାନେ ଉକ୍ତ ସଂଗ୍ରାମକୁ ‘ସିପାହୀ ବିଦ୍ରୋହ’ ବୋଲି କହିଥିଲେ। ଆସ ସେ ବିଷୟରେ ମନେପକାଇବା। ଦେଶ ସ୍ଵାଧୀନ ହେବା ପରେ ଐତିହାସିକମାନେ ‘ସିପାହୀ ବିଦ୍ରୋହ’କୁ ୧୮୫୭ ମସିହାର ‘ମହାନ ସଂଗ୍ରାମ’ ବୋଲି ନାମିତ କରିଥିଲେ। ଏହା ପ୍ରକୃତରେ କ’ଣ ଓ କିପରି ଘଟିଥିଲା ?

ଆସ ଅନୁସନ୍ଧାନ କରିବା

ଭାରତ ସ୍ଵାଧୀନତା ଲାଭ କରିବା ପରେ ‘ସିପାହୀ ବିଦ୍ରୋହ’ ଶବ୍ଦକୁ କାହିଁକି ପ୍ରତ୍ୟାଖ୍ୟାନ କରାଯାଇଥିଲା ବୋଲି ତୁମେ ଭାବୁଛ ? ଏହାର କାରଣ ବ୍ୟାଖ୍ୟା କରି ତୁମେ ଏକ ଅନୁଚ୍ଛେଦ ଲେଖ।

[ଚିତ୍ର ବର୍ଣ୍ଣନା: ୧୮୫୭ ମସିହାରେ ମିରଟରେ ସିପାହୀମାନଙ୍କ ବିଦ୍ରୋହ ଓ ଆକ୍ରମଣର ଐତିହାସିକ ସ୍କେଚ୍।] ଚିତ୍ର : ୪.୧୮: ମିରଟରେ ସିପାହୀ ସଂଗ୍ରାମର ଏକ କାଳ୍ପନିକ ଚିତ୍ର (ଲଣ୍ଡନ ସମାଚାର – ୧୮୫୭)

ଏହା ପୂର୍ବରୁ ସିପାହୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ୧୮୦୬ ମସିହାରେ ଦେଖା ଦେଇଥିଲା ଯାହା ‘ଭେଲୋର ସଂଗ୍ରାମ’ ନାମରେ ପରିଚିତ। ବ୍ରିଟିଶମାନେ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ପାଇଁ ନୂତନ ସମାନ ‘ୟୁନିଫର୍ମ ନିୟମ’ ପ୍ରଚଳନ କରିଥିଲେ ଯାହା ସେମାନଙ୍କ ଧାର୍ମିକ ପ୍ରଥାକୁ ଉଲ୍ଲଙ୍ଘନ କରିଥିଲା। ଉଦାହରଣ ସ୍ଵରୂପ ହିନ୍ଦୁ ସୈନ୍ୟମାନଙ୍କୁ କପାଳରେ ଧାର୍ମିକ ଚିହ୍ନ ବା ତିଳକ ପିନ୍ଧିବାକୁ ବାରଣ କରାଯାଇଥିଲା ଏବଂ ମୁସଲମାନ ସୈନିକମାନଙ୍କୁ ଦାଢ଼ି କାଟିବାକୁ ବାଧ୍ୟ କରାଯାଇଥିଲା। ଏହାର ପ୍ରତିବାଦ କରି ସିପାହୀମାନେ ଭେଲୋର ଦୁର୍ଗ (ତାମିଲନାଡ଼ୁରେ) ଦଖଲ କରି, ବହୁ ବ୍ରିଟିଶ ଅଧିକାରୀ ଓ ବ୍ରିଟିଶ ସୈନ୍ୟଙ୍କୁ ହତ୍ୟା କରିଥିଲେ। ତଥାପି ବ୍ରିଟିଶମାନେ ବିଦ୍ରୋହକୁ ଦମନ କରିଥିଲେ। ଶହଶହ ସିପାହୀଙ୍କୁ ହତ୍ୟା କରିଥିଲେ କିମ୍ବା ମୃତ୍ୟୁଦଣ୍ଡ ଦେଇଥିଲେ।

ଅନ୍ୟ ଏକ ଘଟଣାକୁ ଆମକୁ ମନେପକାଇବାକୁ ହେବ। ସେ ସମୟର ଅଧିକାଂଶ ସିପାହୀ କୃଷି ପରିବାରରୁ ଆସିଥିଲେ, ଯେଉଁମାନେ ବ୍ରିଟିଶମାନଙ୍କର ଭୁଲ ଭୂ-ରାଜସ୍ୱ ନୀତି ଯୋଗୁଁ ବହୁ କଷ୍ଟ ଭୋଗୁଥିଲେ। ଦଶନ୍ଧି ଦଶନ୍ଧି ଧରି ବଢ଼ୁଥିବା ଅସନ୍ତୋଷ ପରେ ୧୮୫୭ ମସିହାରେ ଉତ୍ତର ଓ ମଧ୍ୟ ଭାରତରେ ସୈନ୍ୟମାନଙ୍କ ଭିତରେ ଗୁଜବ ବ୍ୟାପିଗଲା ଯେ, ରାଇଫଲ କାଟ୍ରିଜ୍‌ରେ ଗାଈ ଓ ଘୁଷୁରୀ ଚର୍ବି ଲଗାଯାଇଥିଲା ଯାହା ହିନ୍ଦୁ ଓ ମୁସଲମାନଙ୍କର ଭାବାବେଗକୁ ଆଘାତ ଦେଇଥିଲା। ବାରାକପୁର (ପଶ୍ଚିମବଙ୍ଗରେ) ରେଜିମେଣ୍ଟର ସିପାହୀ ମଙ୍ଗଳ ପାଣ୍ଡେ ବ୍ରିଟିଶ ଅଧିକାରୀମାନଙ୍କୁ ଆକ୍ରମଣ କରିଥିଲେ। ପରେ ଇଂରେଜମାନେ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ଯାହା ସିପାହୀଙ୍କ ମଧ୍ୟରେ ଅଧିକ ଅସନ୍ତୋଷ ସୃଷ୍ଟି କରିଥିଲା। ମିରଟରେ (ଉତ୍ତର ପ୍ରଦେଶରେ) ସେମାନଙ୍କ ମଧ୍ୟରୁ କିଛି ଲୋକ ସେମାନଙ୍କର ବ୍ରିଟିଶ ଅଧିକାରୀମାନଙ୍କୁ ହତ୍ୟାକରି ଦିଲ୍ଲୀ ଅଭିମୁଖେ ଯାତ୍ରା କଲେ ଓ ଯେଉଁଠାରେ ସେମାନେ ବୃଦ୍ଧ ଓ ରାଜନୈତିକ ଭାବରେ ଶକ୍ତିହୀନ ମୋଗଲ ସମ୍ରାଟ ବାହାଦୁର ଶାହା ଜାଫରଙ୍କୁ ସେମାନଙ୍କ ନେତା ଭାବରେ ଘୋଷଣା କଲେ। ତାଙ୍କର ସାମ୍ରାଜ୍ୟ ଦିଲ୍ଲୀର ଏକ ଛୋଟ ଅଞ୍ଚଳ ମଧ୍ୟରେ ସୀମିତ ଥିଲା ତଥାପି ସାମରିକ ନିଷ୍ପତ୍ତି କମାଣ୍ଡରମାନେ ନେଇଥିଲେ। ଏହି ବିଦ୍ରୋହ ଅତିଶୀଘ୍ର ଉତ୍ତର ଓ ମଧ୍ୟ ଭାରତରେ ବ୍ୟାପିଗଲା। ସିପାହୀମାନେ କାନପୁର, ଲକ୍ଷ୍ନୌ ଏବଂ ଝାନ୍ସୀ ଭଳି ପ୍ରମୁଖ ସହରଗୁଡ଼ିକୁ ଦଖଲ କଲେ। କାନପୁରରେ ନାନା ସାହେବଙ୍କ ନେତୃତ୍ୱରେ ବିଦ୍ରୋହୀ ବାହିନୀ ପ୍ରଥମେ ବ୍ରିଟିଶ ନାଗରିକମାନଙ୍କୁ ନିରାପଦର ଆଶ୍ଵାସନା ଦେଇଥିଲେ କିନ୍ତୁ ପରେ ୨୦୦ ରୁ ଅଧିକ ପୁରୁଷ, ମହିଳା ଓ ଶିଶୁଙ୍କୁ ହତ୍ୟା କରାଯାଇଥିଲା ଯାହାର କାରଣ ଏ ପର୍ଯ୍ୟନ୍ତ ବିତର୍କିତ।

ବ୍ରିଟିଶ ପ୍ରତିକ୍ରିୟା ଏ ଦିଗରେ ବ୍ୟବସ୍ଥିତ ଓ ଅତ୍ୟନ୍ତ ନିଷ୍ଠୁର ଥିଲା। ୧୮୫୭ରେ ଦିଲ୍ଲୀ ପୁନର୍ବାର ଦଖଲ କରିବା ସହିତ ବ୍ରିଟିଶ ସେନା ଘରେ ଘରେ ପଶି ଗଣହତ୍ୟା ଆରମ୍ଭ କରିଥିଲେ। କାନପୁରରେ ସେମାନେ ଜନସାଧାରଣରେ ଆତଙ୍କ ସୃଷ୍ଟି କରିବା ପାଇଁ ଯୋଜନାବଦ୍ଧ ଗଣହତ୍ୟା କରିଥିଲେ। ଏକ ଦୀର୍ଘ ଦଣ୍ଡମୂଳକ ଅଭିଯାନ ସ୍ଵରୂପ ସେମାନେ ବହୁ ଗାଁ ପୋଡ଼ିଲେ, ଫସଲ ନଷ୍ଟ କଲେ ଯାହା ବିଦ୍ରୋହୀଙ୍କ ଦ୍ଵାରା ହୋଇଥିବା ମୃତ୍ୟୁ ଅପେକ୍ଷା ଅଗଣିତ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଥିଲା।

ଅନେକ ବୀର ନେତା ଥିବା ସତ୍ତ୍ବେ କିଛି ଐତିହାସିକଙ୍କ ମତରେ ଏହି ମହାନ ସଂଗ୍ରାମ ବିଫଳ ହେବାର କାରଣ ସିପାହୀଙ୍କ ମଧ୍ୟରେ ଦୃଢ଼ ମନୋବଳ, ଏକତା ଓ ନିର୍ଦ୍ଦିଷ୍ଟ ରଣ ନୀତିର ଅଭାବ ରହିଥିଲା।

ସଂଗ୍ରାମ ବିଫଳ ହୋଇଥିଲା ସତ କିନ୍ତୁ ଏହା ଏକ ଭିନ୍ନ ମୋଡ଼ ନେଇଥିଲା। ବିଶେଷତଃ ବିଦେଶୀ ପ୍ରଭୁତ୍ଵ ଗ୍ରହଣୀୟ ନୁହେଁ ବୋଲି ଭାରତୀୟଙ୍କ ମନରେ ଏକ ବୀଜବପନ କଲା। ବିଂଶ ଶତାବ୍ଦୀ ପ୍ରାରମ୍ଭରେ ଏହି ବୀଜ ସ୍ଵାଧୀନତା ପାଇଁ ବିଭିନ୍ନ ବାଟରେ ସଂଗ୍ରାମର ମହାଦ୍ରୁମରେ ପରିଣତ ହେଲା। ୧୮୫୮ ମସିହାରେ ବ୍ରିଟିଶ ରାଜ ଇଷ୍ଟଇଣ୍ଡିଆ କମ୍ପାନୀଠାରୁ ଭାରତର ଶାସନ ଭାର ନିଜ ନିୟନ୍ତ୍ରଣକୁ ନେଲା। ଏହା ପରେ ବ୍ରିଟିଶ ଶାସନ ଆକ୍ରମଣାତ୍ମକ ନୀତିରୁ ଓହରି ଶାସନ ଧାରାକୁ ନିୟନ୍ତ୍ରଣାତ୍ମକ କରିବା ପାଇଁ ସେ ଚେଷ୍ଟା କରିଥିଲା। ଭବିଷ୍ୟତରେ ଏଭଳି ସଂଘବଦ୍ଧ ପ୍ରତିରୋଧକୁ ରୋକିବା ପାଇଁ ବିଦେଶୀ ଶାସନ ଭାରତୀୟ ସେନାଙ୍କୁ ପୁନଃସଂଗଠିତ କରିଥିଲେ।

ଭାରତରେ ୟୁରୋପୀୟ ଉପନିବେଶବାଦର ପରମ୍ପରା

ୟୁରୋପୀୟ (ବ୍ରିଟିଶ) ମାନଙ୍କର ଭାରତ ଅଧିକାର ଓ ଭାରତରେ ଶାସନ ‘ସଭ୍ୟତା ପ୍ରସାରଣ ଅଭିଯାନ’ ନଥିଲା। ୟୁରୋପ ଅପେକ୍ଷା ଭାରତର ସଭ୍ୟତା ଥିଲା ଅଧିକ ପ୍ରାଚୀନ ଓ ନିଜସ୍ଵ। ପରାଧୀନତାର ଏହା ଥିଲା ଏକ ପ୍ରକ୍ରିୟା ଏବଂ ଆବଶ୍ୟକସ୍ଥଳେ ନିଷ୍ଠୁର ଦମନ ନୀତି ପ୍ରୟୋଗ ଦ୍ଵାରା ଶୋଷଣ ନୀତିକୁ ବ୍ୟବସ୍ଥିତ ଭାବରେ କାର୍ଯ୍ୟକାରୀ କରାଯାଇଥିଲା। ଭାରତର ଏକ କ୍ଷୁଦ୍ର ଶିକ୍ଷିତ ଗୋଷ୍ଠୀ ଇଂରେଜମାନଙ୍କର ଆବଶ୍ୟକ‌ତାକୁ ଗୁରୁତ୍ଵ ଦେଇଥିଲେ। କିନ୍ତୁ ବିଶ୍ଵର ଅନେକ ଉପନିବେଶିତ ଜନତାଙ୍କ ଭାଗ୍ୟ ପରି ଭାରତୀୟମାନେ ବିଭିନ୍ନ ଶୋଷଣ, ହିଂସା ଓ ଉପୀଡ଼ନ ଭଳି ନିର୍ଯାତନାର ଶିକାର ହୋଇଥିଲେ।

ଦୁଇ ବୀର ରମଣୀ

[ଚିତ୍ର ବର୍ଣ୍ଣନା: ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କ ପ୍ରତିଚ୍ଛବି (ତୈଳଚିତ୍ର)।] ରାଣୀ ଲକ୍ଷ୍ମୀବାଈ : ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ନିଜ ରାଜ୍ୟକୁ ବ୍ରିଟିଶ କବଳରୁ ରକ୍ଷା କରିବା ପାଇଁ ଅତି ସାହସର ସହିତ ଯୁଦ୍ଧ କରିଥିଲେ। ନାନା ସାହେବଙ୍କ ସାମରିକ ପରାମର୍ଶଦାତା ତାତିଆ (ତାନ୍ତିଆ) ତୋପେଙ୍କ ସହାୟତାରେ ରାଣୀ ଲକ୍ଷ୍ମୀବାଈ ବ୍ରିଟିଶମାନଙ୍କ ଝାନ୍ସୀ ଘେରାବନ୍ଦୀରୁ ଖସିଯିବାକୁ ସକ୍ଷମ ହେବା ସଙ୍ଗେ ସଙ୍ଗେ ଗ୍ବାଲିୟର ଦୁର୍ଗକୁ ଜୟ କରିଥିଲେ ଏବଂ ରାଜକୋଷ ଓ ଅସ୍ତ୍ରାଗାରକୁ ନିଜ ଅକ୍ତିଆରକୁ ନେଇ ପାରିଥିଲେ। ୧୮୫୮ ମସିହା ଜୁନ୍ ୧୮ ତାରିଖରେ ଯୁଦ୍ଧ କ୍ଷେତ୍ରରେ ତାଙ୍କୁ ହତ୍ୟା କରାଯାଇଥିଲା। ଝାନ୍ସୀ ଉପରେ ବ୍ରିଟିଶ ସେନାଙ୍କ ଆକ୍ରମଣର ନେତୃତ୍ୱ ନେଇଥିବା ବ୍ରିଟିଶ ସେନା ଅଧିକାରୀ ଉଲ୍ଲେଖ କରିଥିଲେ, ଯେ “ରାଣୀ ତାଙ୍କର ସୌନ୍ଦର୍ଯ୍ୟ, ଚତୁରତା ଓ ସାହସିକତା ପାଇଁ ପ୍ରଶଂସନୀୟ ହେବା ସହିତ ତାଙ୍କ ଅଧୀନସ୍ଥମାନଙ୍କ ପ୍ରତି ଅତ୍ୟନ୍ତ ଉଦାରଭାବ ପୋଷଣ କରୁଥିଲେ। ଏହି ସବୁ ଗୁଣ ତାଙ୍କର ସମ୍ମାନ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବିଦ୍ରୋହୀ ନେତାମାନଙ୍କ ମଧ୍ୟରେ ସେ ସବୁଠାରୁ ବିପଦଜନକ ଥିଲେ । କହିବାକୁ ଗଲେ ସେ ଥିଲେ ସବୁଠାରୁ ସାହସୀ ଓ ଉତ୍ତମ ବିଦ୍ରୋହୀ।” ତାନ୍ତିଆ ତୋପେ ୧୮୫୯ ମସିହା ପର୍ଯ୍ୟନ୍ତ ଲଢ଼େଇ ଚାଲୁ ରଖିଥିଲେ। କିନ୍ତୁ ତାଙ୍କ ପ୍ରତି ବିଶ୍ଵାସଘାତକତା କରାଯାଇ ବ୍ରିଟିଶମାନଙ୍କ ହାତରେ ଧରାଇ ଦିଆଯାଇଥିଲା ଏବଂ ପରେ ତାଙ୍କୁ ଫାଶୀରେ ଝୁଲାଇ ଦିଆଯାଇଥିଲା।

[ଚିତ୍ର ବର୍ଣ୍ଣନା: ଅବଧର ବେଗମ୍ ହଜରତ ମହଲଙ୍କ ପେନ୍ସିଲ୍ ସ୍କେଚ୍ ଚିତ୍ର।] ବେଗମ୍ ହଜରତ ମହଲ : ଅବଧର ବେଗମ୍ ହଜରତ ମହଲଙ୍କ ରାଜ୍ୟ ବ୍ରିଟିଶମାନେ ଅଧିକାର କରିବା ପରେ ସେ ବ୍ରିଟିଶମାନଙ୍କର ପ୍ରତିରୋଧ କରିଥିଲେ। ୧୮୫୭ରେ ସେ ବିଦ୍ରୋହୀମାନଙ୍କ ସହିତ ଯୋଗ ଦେଇଥିଲେ ଏବଂ ବ୍ରିଟିଶମାନେ ଯେତେବେଳେ ଲକ୍ଷ୍ନୌ ସହରକୁ ପୁନର୍ବାର ଦଖଲ କରିବାକୁ ଉଦ୍ୟମ କରିଥିଲେ ସେ ଏହାର ପ୍ରତିରକ୍ଷା କରିଥିଲେ। ବ୍ରିଟିଶମାନଙ୍କ ନିକଟରେ ଆତ୍ମ ସମର୍ପଣ କଲେ ତାଙ୍କୁ ନିରାପତ୍ତା ଯୋଗାଇ ଦିଆଯିବା ପ୍ରସ୍ତାବକୁ ହଜରତ ମହଲ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ବାଧ୍ୟହୋଇ ତାଙ୍କୁ ନିକଟସ୍ଥ ନେପାଳରେ ଆଶ୍ରୟ ନେବାକୁ ପଡ଼ିଥିଲା।

୧୮୫୮ ମସିହା ନ‌ଭେମ୍ବର ମାସରେ ରାଣୀ ଭିକ୍ଟୋରିଆ ଘୋଷଣା କଲେ ଯେ, ଭାରତରୁ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ଲୋପପାଇଲା। ଆହୁରି ମଧ୍ୟ ସେ ପ୍ରତିଶ୍ରୁତି ନେଇଥିଲେ ଯେ ଭାରତୀୟମାନଙ୍କ ଧାର୍ମିକ ବ୍ୟାପାରରେ ଆଉ ହସ୍ତକ୍ଷେପ କରାଯିବ ନାହିଁ ଓ ପ୍ରଶାସନିକ କ୍ଷେତ୍ରରେ ଭାରତୀୟମାନଙ୍କୁ ଅଧିକ ସଂଖ୍ୟାରେ ଅନ୍ତର୍ଭୁକ୍ତ କରାଯିବ। ବେଗମ୍‌ ହଜରତ ମହଲ ରାଣୀ ଭିକ୍ଟୋରିଆଙ୍କର ଏହି ଘୋଷଣାର ପ୍ରତ୍ୟୁତ୍ତରରେ ଭାରତୀୟମାନଙ୍କୁ ସତର୍କ କରାଇଦେଇ କହିଥିଲେ, ଯେ “ଏହି ପ୍ରତିଶ୍ରୁତିରେ ଆଦୌ ବିଶ୍ଵାସ କରିବା ଠିକ୍ ନୁହେଁ। କାରଣ ଏହା ହେଉଛି ଇଂରେଜମାନଙ୍କର ଏକ ଅପରିବର୍ତ୍ତନୀୟ ପ୍ରଥା ଯେ ସେମାନେ ବଡ଼ ହେଉ ବା ଛୋଟ କୌଣସି ଦୋଷକୁ କ୍ଷମା କରିବେ ନାହିଁ।”

ଠିକ୍ ସେହି ସମୟରେ ଉପନିବେଶବାଦୀ ଶାସନର କିଛି ମୁଖ୍ୟ ଅନିଚ୍ଛାକୃତ ପରିଣାମ ଥିଲା। ଏହା ଭାରତକୁ ବିଶ୍ଵ ପାଇଁ ଏବଂ ବିଶ୍ୱକୁ ଭାରତ ପାଇଁ ଉନ୍ମୁକ୍ତ କଲା ବା ପୁନଃ ଉନ୍ମୁକ୍ତ କଲା। ବିଶେଷକରି ଇଂରେଜମାନେ ଏବଂ ଅଳ୍ପ କେତେକ ଫରାସୀ ଏ ଦେଶର ଭୌଗୋଳିକ ଦୃଷ୍ଟିକୋଣରୁ ସେମାନଙ୍କର ସମସ୍ତ ଅଭିଯାନ ଓ ବିଜୟକୁ ସୁଚାରୁରୂପେ ଲିପିବଦ୍ଧ କରି ରଖୁଥିଲେ। ସେମାନେ ସମସ୍ତ ଜାତିଗତ ଗୋଷ୍ଠୀର ଏକ ପ୍ରଭାବଶାଳୀ ତାଲିକା ସୃଷ୍ଟି କରିଥିଲେ କିନ୍ତୁ ଅବୈଜ୍ଞାନିକ ତଥା ପ୍ରଚଳିତ ଧାରଣା ଯୋଗୁଁ ଏହି ତାଲିକା ତ୍ରୁଟିପୂର୍ଣ୍ଣ ଥିଲା। ସେମାନେ ଭାରତୀୟ ସ୍ମାରକଗୁଡ଼ିକର କଳା ଓ ସ୍ଥାପତ୍ୟକୁ ଅନୁଧ୍ୟାନ କରି ତଥ୍ୟ ସଂଗ୍ରହ କରିଥିଲେ। ଭଗ୍ନ ଅବସ୍ଥାରେ ଥିବା କେତେକ ସ୍ମାରକର ପୁନରୁଦ୍ଧାର ସହିତ ପ୍ରତ୍ନତତ୍ତ୍ୱ ପାଠ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ପ୍ରକ୍ରିୟା ମଧ୍ୟରେ ସେମାନଙ୍କ ସହିତ ଅନ୍ୟ ୟୁରୋପୀୟ ଉପନିବେଶବାଦୀ ଶକ୍ତିଗୁଡ଼ିକ ଭାରତର ହଜାର ହଜାର ସଂଖ୍ୟାର ମୂର୍ତ୍ତି, ଚିତ୍ରକଳା, ଅଳଙ୍କାର, ପାଣ୍ଡୁଲିପି ଏବଂ ଅନ୍ୟାନ୍ୟ ସାଂସ୍କୃତିକ କଳାକୃତି ଚୋରାଇ ନେଇ ୟୁରୋପର ବିଭିନ୍ନ ସଂଗ୍ରହାଳୟ ତଥା ବ୍ୟକ୍ତିଗତ ସଂଗ୍ରହାଳୟଗୁଡ଼ିକୁ ପଠାଇଥିଲେ। ଯଦିଓ ଏହାଦ୍ୱାରା ଭାରତର ପ୍ରଭୁତ ସାଂସ୍କୃତିକ କ୍ଷତି ଘଟିଥିଲା ଏବଂ ଭାରତର ଐତିହ୍ୟ ଓ ପରମ୍ପରାର ପରିପନ୍ଥୀ ଥିଲା, ତଥାପି ଏହାଦ୍ଵାରା ୟୁରୋପୀୟ ସମାଜରେ ଭାରତୀୟ କଳା ଓ ସଂସ୍କୃତିର ପ୍ରଭୁତ ଆଦର ଓ ପ୍ରଶଂସା ବଢ଼ି ଯାଇଥିଲା। ଏହିପରି ବଡ଼ ଧରଣର କଳା ଓ ସାଂସ୍କୃତିକ ଅପହରଣ ବିଶ୍ଵର ଅଧିକାଂଶ ଉପନିବେଶିତ ଦେଶରେ ଦେଖାଦେଇଥିଲା। ଏହିସବୁ ଅପହୃତ ସାଂସ୍କୃତିକ ସମ୍ପଦ ମଧ୍ୟରୁ କେତେକ ସେମାନଙ୍କର ମୂଳ ଦେଶକୁ ଫେରାଇ ଦେବା ପାଇଁ ତର୍କବିତର୍କ ଓ ପ୍ରୟାସ ଜାରି ରହିଛି।

ଆସ ଅନୁସନ୍ଧାନ କରିବା

  • ଏହା ଉନ୍ମୁକ୍ତ କଲା (ପୁନଃ ଉନ୍ମୁକ୍ତ କଲା) ଭାରତକୁ ବିଶ୍ୱ ପାଇଁ ଓ ବିଶ୍ୱକୁ ଭାରତ ପାଇଁ ବାକ୍ୟରେ ‘ପୁନଃ ଉନ୍ମୁକ୍ତ କଲା’ ଯୋଡ଼ିଛୁ ବୋଲି ତୁମେ କାହିଁକି ଭାବୁଛ ?

  • କେତେକ ଯୁକ୍ତି କରନ୍ତି ଯେ ଅପହୃତ ବା ଚୋରୀ ହୋଇଥିବା ସାଂସ୍କୃତିକ ଐତିହ୍ୟଗୁଡ଼ିକ ଭାରତ ଅପେକ୍ଷା ବିଦେଶରେ ଭଲ ଭାବରେ ସୁରକ୍ଷିତ ରହିଛି। ଏଗୁଡ଼ିକର ପ୍ରତ୍ୟର୍ପଣ ସମ୍ପର୍କରେ ତୁମର ମତ କ’ଣ ? ତୁମ ଦଳ ଭିତରେ ଆଲୋଚନା କର।

ପରିଶେଷରେ ଯଦିଓ ବ୍ରିଟିଶ ବିଦ୍ଵାନମାନେ ସଂସ୍କୃତ ଭାଷାରେ ନିପୁଣତା ହାସଲ କରିଥିବା ପ୍ରଥମ ୟୁରୋପୀୟ ନଥିଲେ, ତଥାପି ସେମାନେ ପ୍ରଥମେ କିଛି ସଂସ୍କୃତ ପୁସ୍ତକକୁ ୟୁରୋପୀୟ ଭାଷାରେ ଅନୁଦିତ କରି ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ଫରାସୀ, ଜର୍ମାନ ଓ ଅନ୍ୟମାନେ ଏହି ଧାରାକୁ ଅନୁସରଣ କରିଥିଲେ। ଏହି ଅଭିପ୍ରେରଣା ମିଶ୍ରିତ ଥିଲା। କେତେକ ବିଦ୍ଵାନ ଭାରତୀୟ ପ୍ରାଚୀନ ସଂସ୍କୃତିର ପ୍ରକୃତ ଗବେଷକ ବା ପ୍ରଶଂସକ ଥିବାବେଳେ ଅନ୍ୟମାନେ ବିଶ୍ଵାସ କରୁଥିଲେ ଯେ ଭାରତୀୟ ଭାଷା ଏବଂ ପୁସ୍ତକ ଅଧ୍ୟୟନ କରିବା ଦ୍ବାରା ଖ୍ରୀଷ୍ଟଧର୍ମର ଶ୍ରେଷ୍ଠତା ପ୍ରତିପାଦନ କରିବା ସହଜ ହୋଇଯିବ।

[ଚିତ୍ର ବର୍ଣ୍ଣନା: ଚାର୍ଲସ ୱିଲକିନ୍ସଙ୍କ ଦ୍ୱାରା ୧୭୮୫ ମସିହାରେ ଅନୁଦିତ ‘ଭଗବଦ୍‌ଗୀତା’ ପୁସ୍ତକର ମୁଖପୃଷ୍ଠାର ଛବି।] ଚିତ୍ର : ୪.୨୧ : ୧୭୮୫ ମସିହାର ପ୍ରଥମ ସଂସ୍କୃତ ପୁସ୍ତକର ଇଂରାଜୀ ଅନୁବାଦର ଶୀର୍ଷକ ପୃଷ୍ଠା – ଭଗବଦଗୀତାର କୃଷ୍ଣ ଏବଂ ଅର୍ଜୁନଙ୍କ ମଧ୍ୟରେ ସଂଳାପ (ଆଧୁନିକ ବନାନ ବ୍ୟବହାର କରାଯାଇଛି)। ଅନୁବାଦକ ଥିଲେ ଚାର୍ଲସ ୱିଲକିନ୍ସ।

ଜର୍ମାନ ଦାର୍ଶନିକ ଜର୍ଜ ହେଗେଲଙ୍କ ଭାଷାରେ ୟୁରୋପରେ ସଂସ୍କୃତ ଅଧ୍ୟୟନ ଓ ଗ୍ରନ୍ଥର ପ୍ରସାର (ପରେ ଅନ୍ୟ ଭାରତୀୟ ଭାଷାଗୁଡ଼ିକ ଦ୍ଵାରା ଅନୁକରଣ) ଏକ ନୂତନ ମହାଦେଶର ଆବିଷ୍କାର ପରି ଥିଲା। ୟୁରୋପୀୟ ଦାର୍ଶନିକ, ଲେଖକ, କବି, କଳାକାର ଏବଂ ବେଳେବେଳେ ରାଜନେତାମାନଙ୍କ ଉପରେ ଭାରତୀୟ ଗ୍ରନ୍ଥଗୁଡ଼ିକର ବହୁତ ପ୍ରଭାବ ପଡ଼ିଥିଲା। ଏହି ପ୍ରଭାବ ପରବର୍ତ୍ତୀ ସମୟରେ ଊନବିଂଶ ଶତାବ୍ଦୀରେ ଯୁକ୍ତରାଷ୍ଟ୍ର ଆମେରିକା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ଏହା ସ୍ମରଣ ଯୋଗ୍ୟ ଯେ ରାଜନୈତିକ ପ୍ରଭୁତ୍ୱ ଗୋଟିଏ ଦିଗରେ ପ୍ରବାହିତ ହୋଇଥିବା ବେଳେ ଅନ୍ୟ ଦିଗରେ ସାଂସ୍କୃତିକ ପ୍ରଭାବ ପ୍ରବାହିତ ହେଉଥିଲା।

ଆମେ କ'ଣ ଶିଖିଲେ...

  • ଭାରତର ପ୍ରଚୁର ସମ୍ପଦ ପର୍ତ୍ତୁଗୀଜ, ଡଚ୍, ଫରାସୀ ଓ ଇଂରେଜମାନଙ୍କୁ ଭାରତକୁ ଆକର୍ଷିତ କରିଥିଲା। ଏହି ଉପମହାଦେଶରେ ନିଜର ପ୍ରାଧାନ୍ୟ ପାଇଁ ସେମାନେ ପରସ୍ପର ମଧ୍ଯରେ ଲଢ଼ିଥିଲେ ଏବଂ ଯେଉଁଥରେ ଇଂରେଜମାନେ ସଫଳତା ହାସଲ କରିଥିଲେ।

  • ଇଂରେଜମାନଙ୍କର ନିଷ୍ଠୁର କର ନୀତି ଲୋକଙ୍କୁ ବହୁତ ଦୁଃଖ କଷ୍ଟ ଦେଇଥିଲା। ଭୟଙ୍କର ଦୁର୍ଭିକ୍ଷ ଯୋଗୁଁ ଲକ୍ଷଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ିଥିଲେ। ଉଦ୍ଦେଶ୍ୟମୂଳକ ଭାବେ ଭାରତରେ ଇଂରେଜମାନଙ୍କର ଶିଳ୍ପହ୍ରାସକରଣ ନୀତି ଏ ଦେଶର ଉତ୍ପାଦନ କ୍ଷେତ୍ରକୁ ଧ୍ୱଂସ କରିଦେଇଥିଲା।

  • ଇଂରେଜମାନେ ଧୀରେ ଧୀରେ ଭାରତୀୟ ସମାଜ ଉପରେ ସମ୍ପୂର୍ଣ ରୂପେ ଉପନିବେଶବାଦୀ ନିୟନ୍ତ୍ରଣକୁ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ପ୍ରଶାସନିକ ଗଠନ, ଆଇନଗତ ବ୍ୟବସ୍ଥା ଏବଂ ଶିକ୍ଷାନୁଷ୍ଠାନ ପ୍ରଚଳନ ପ୍ରଭୃତି ଆରମ୍ଭ କରିଦେଇଥିଲେ।

  • ପର୍ତ୍ତୁଗୀଜମାନେ ଗୋଆରେ ଧାର୍ମିକ ଓ ସାଂସ୍କୃତିକ ପରିବର୍ତ୍ତନ ଉପରେ ବିଶେଷ ଗୁରୁତ୍ଵ ଦେଇଥିଲେ ଯାହା ଦୀର୍ଘସ୍ଥାୟୀ ସାମାଜିକ ବିଭାଜନ ସୃଷ୍ଟି କରିଥିଲା। ଫରାସୀମାନଙ୍କର ସମନ୍ବୟ ନୀତି ପଣ୍ଡିଚେରୀରେ ଏକ ଛୋଟ ‘ଫରାସୀ–ଭାରତୀୟ’ ଶିକ୍ଷିତ ସାଂସ୍କୃତିକ ଗୋଷ୍ଠୀ ସୃଷ୍ଟି କରିଥିଲା।

  • ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗକୁ ଅନେକ ବିଦ୍ରୋହର ସୂତ୍ରପାତ ହୋଇଥିଲା। ବିଶେଷକରି ୧୮୫୭ର ମହାନ ସିପାହୀ ବିଦ୍ରୋହ ଭାରତରେ ଉପନିବେଶବାଦୀ ଶାସନକୁ କିଛି ସମୟ ପାଇଁ ବିପଦରେ ପକାଇଥିଲା। ଏହିସବୁ ବିଦ୍ରୋହଗୁଡ଼ିକୁ ଇଂରେଜମାନେ ଅତି ନିର୍ମମ ଭାବରେ ଦମନ କରିଥିଲେ।

  • ଊନବିଂଶ ଶତାବ୍ଦୀରେ ଭାରତର ପ୍ରାଚୀନ ସଂସ୍କୃତି ବିଶେଷ ଭାବରେ ସଂସ୍କୃତ ପୁସ୍ତକଗୁଡ଼ିକର ଅନୁବାଦିତ ରୂପ ପାଶ୍ଚାତ୍ୟ ସଭ୍ୟତାରେ ଦୀର୍ଘକାଳୀନ ପ୍ରଭାବ ପକାଇ ପାରିଥିଲା।

ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ :

୧. ଉପନିବେଶବାଦ କ’ଣ ? ଏହି ଅଧ୍ୟାୟକୁ ଭିତ୍ତିକରି କିମ୍ବା ତୁମ ନିଜ ଜ୍ଞାନରୁ ଏ ସମ୍ପର୍କିତ ତିନୋଟି ସଂଜ୍ଞା ପ୍ରଦାନ କର। ୨. ଉପନିବେଶବାଦୀ ଶାସକମାନେ ପ୍ରାୟତଃ ଦାବୀ କରୁଥିଲେ ଯେ ଉପନିବେଶର ଶାସିତ ଲୋକମାନଙ୍କୁ ‘ସଭ୍ୟ’ କରିବା ଆମର ଲକ୍ଷ୍ୟ। ଏହି ଅଧ୍ୟାୟ ଆଧାରରେ ତୁମେ ଚିନ୍ତାକର ଯେ ଏହି ଉକ୍ତି କ’ଣ ଭାରତ ପାଇଁ ଠିକ୍ ଥିଲା ? କାହିଁକି ବା କାହିଁକି ନୁହେଁ ? ୩. ଭାରତକୁ ଉପନିବେଶ କରିବାରେ କିପରି ବ୍ରିଟିଶ ଆଭିମୁଖ୍ୟ ପର୍ତ୍ତୁଗୀଜ ଓ ଫରାସୀମାନଙ୍କଠାରୁ ଭିନ୍ନ ଥିଲା ? ୪. ଭାରତୀୟମାନେ ସେମାନଙ୍କର ନିଜସ୍ଵ ପରାଧୀନତା ପାଇଁ ଇଂରେଜମାନଙ୍କୁ ପାଣ୍ଠି ଯୋଗାଇଥିଲେ। ବ୍ରିଟିଶମାନଙ୍କର ଭାରତରେ ରେଳ ଓ ଟେଲିଗ୍ରାଫ ପରି ଭିତ୍ତିଭୂମି ଓ ପ୍ରକଳ୍ପର ଅର୍ଥ କ'ଣ ? ୫. ‘ବିଭାଜନ ଓ ଶାସନ’ ବାକ୍ୟାଂଶର ଅର୍ଥ କ’ଣ ? ଭାରତରେ ବ୍ରିଟିଶମାନେ କିପରି ଏହାର ବ୍ୟବହାର କରିଥିଲେ ଉଦାହରଣ ଦିଅ। ୬. କୃଷି, ଶିକ୍ଷା, ବାଣିଜ୍ୟ କିମ୍ବା ଗ୍ରାମୀଣ ଜୀବନ ମଧ୍ୟରୁ ଭାରତୀୟ ଜୀବନର ଯେକୌଣସି ଗୋଟିଏ କ୍ଷେତ୍ରକୁ ବାଛ। ଉପନିବେଶିକ ଶାସନ ଦ୍ଵାରା ଏହା କିପରି ଭାବରେ ପ୍ରଭାବିତ ହୋଇଥିଲା ? ସେହି ପରିବର୍ତ୍ତନ ଆଜି ମଧ୍ୟ ସମାଜରେ ଦେଖିପାରୁଛ କି ? ଗୋଟିଏ ଛୋଟ ପ୍ରବନ୍ଧ, କବିତା ବା ଚିତ୍ର ମାଧ୍ୟମରେ ତୁମ ମନର ଭାବ ପ୍ରକାଶ କର। ୭. କଳ୍ପନା କର ଯେ ତୁମେ ୧୮୫୭ର ଜଣେ ସମ୍ବାଦଦାତା। ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କ ପ୍ରତିରୋଧ ସଂମ୍ପର୍କରେ ଏକ ଛୋଟ ସମ୍ବାଦ ଲେଖ। ମୁଖ୍ୟ ଘଟଣାବଳୀ ଏବଂ ନେତାମାନଙ୍କୁ ଗୁରୁତ୍ଵ ଦେଇ ବିଦ୍ରୋହ କିପରି ଆରମ୍ଭ, ପ୍ରସାରିତ ଓ ସମାପ୍ତ ହେଲା, ଏକ ସମୟରେଖା ବା ଷ୍ଟୋରି ବୋର୍ଡ଼ (ଗଳ୍ପ ଫଳକ) ମାଧ୍ୟମରେ ଦର୍ଶାଅ। ୮. ଭାରତ କେବେ ୟୁରୋପୀୟ ଶକ୍ତିମାନଙ୍କଦ୍ଵାରା ଉପନିବେଶିତ ହୋଇନଥିଲା ମନେକରି ଏକ ବିକଳ୍ପ ଇତିହାସ କଳ୍ପନା କର । ଭାରତ କିପରି ନିଜ ବାଟରେ ବିକଶିତ ହୋଇଥାଇ ପାରିଥାନ୍ତା, ସେ ସମ୍ପର୍କରେ ୩୦୦ ଶବ୍ଦ ମଧ୍ୟରେ ଏକ ସଂକ୍ଷିପ୍ତ କାହାଣୀ ଲେଖ। ୯. ଅଭିନୟ ମାଧ୍ୟମରେ : ଭାରତରେ ବ୍ରିଟିଶ ଉପନିବେଶବାଦୀ ଶାସନ ଉପରେ ଜଣେ ବ୍ରିଟିଶ ଅଧିକାରୀ ଏବଂ ଦାଦାଭାଇ ନାରୋଜୀଙ୍କ ପରି ଜଣେ ଭାରତୀୟ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଏକ ଐତିହାସିକ କଥୋପକଥନ ପ୍ରଦର୍ଶନ କର। ୧୦. ଉପନିବେଶବାଦୀ ଶାସନ ସମୟରେ ତୁମ ରାଜ୍ୟ ବା ଅଞ୍ଚଳର ଏକ ପ୍ରତିରୋଧ ଆନ୍ଦୋଳନ (ଆଦିବାସୀ, କୃଷକ କିମ୍ବା ରାଜକୀୟ) ବିଷୟରେ ଚିନ୍ତା କର। ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ବର୍ଣ୍ଣନା କରି ଏକ ବିବରଣୀ ପ୍ରସ୍ତୁତ କର:

  • ପ୍ରମୁଖ କାରଣ କ’ଣ ଥିଲା (ଯଦି ଥାଏ) ?

  • ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ ?

  • ସେମାନଙ୍କର ଦାବୀ କ’ଣ ଥିଲା ?

  • ଏଥିପ୍ରତି ବ୍ରିଟିଶମାନଙ୍କର ପ୍ରତିକ୍ରିୟା କିପରି ଥିଲା ?

  • ଆଜି ଏହି ଘଟଣାକୁ କିପରି ମନେ ରଖାଯାଇଛି (ଯଥା— ସ୍ଥାନୀୟ ପର୍ବପର୍ବାଣୀ, ନୃତ୍ୟ, ଗୀତ ବା ସ୍ମାରକୀ ମାଧ୍ୟମରେ)।