ଅଧ୍ୟାୟ ୫

ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

[ଚିତ୍ର ବର୍ଣ୍ଣନା : ଲୋକସଭା ନିର୍ବାଚନ ୨୦୨୪ ସମ୍ବନ୍ଧୀୟ ବିଭିନ୍ନ ସମ୍ବାଦପତ୍ରର ଖବର ଶିରୋନାମା ଯଥା— ଦୂରଦୂରାନ୍ତରେ ନିର୍ବାଚନ ପରିଚାଳନା, ମହିଳା ମତଦାତାଙ୍କ ଭାଗୀଦାରୀ, ୬୪.୨ କୋଟି ମତଦାତାଙ୍କ ରେକର୍ଡ଼ ମତଦାନ, ଗୃହରୁ ମତଦାନ ସୁବିଧା ଇତ୍ୟାଦି ପ୍ରଦର୍ଶିତ।]

“ଗଣତନ୍ତ୍ରର ସଫଳ ରୂପାୟନ ନିମନ୍ତେ ଓ ଜନସାଧାରଣଙ୍କ ଉପରେ ପୂର୍ଣ୍ଣ ଭରସା ପ୍ରତିପାଦନ କରି (ଭାରତ) ସାର୍ବଜନୀନ ସାବାଳକ ମତଦାନ ନୀତି ଗ୍ରହଣ କଲା... ଯାହା ଏତେ ଦୃଢ଼ତାର ସହିତ ପୃଥିବୀ ଇତିହାସରେ ପୂର୍ବରୁ କେବେ ଗ୍ରହଣ କରାଯାଇ ନଥିଲା।” — ଆଲ୍ଲାଦି କୃଷ୍ଣସ୍ୱାମୀ ଆୟାର, ନଭେମ୍ବର ୧୯୪୯, ସମ୍ବିଧାନ ପ୍ରଣୟନ ସଭା ବିତର୍କ

ଚିତ୍ର : ୫.୧- ଲୋକ ସଭା ନିର୍ବାଚନ ୨୦୨୪ ସମୟରେ, ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ କେତେକ ପ୍ରମୁଖ ଘଟଣାବଳୀ

ଆସ ଚିନ୍ତା କରିବା ?

  • ୧. ସାର୍ବଜନୀନ ସାବାଳକ ମତଦାନ କ’ଣ ?
  • ୨. ନିର୍ବାଚନ ବ୍ୟବସ୍ଥା କ'ଣ ?
  • ୩. ଭାରତର ନିର୍ବାଚନ ବ୍ୟବସ୍ଥା କିପରି କାର୍ଯ୍ୟ କରେ ?

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୨ - ଏକ ମତଦାନ କେନ୍ଦ୍ରର ବାହାର ଦୃଶ୍ୟ, ଯେଉଁଠାରେ ଲୋକମାନେ ଧାଡ଼ି ବାନ୍ଧି ଭୋଟ୍ ଦେବାକୁ ଛିଡ଼ା ହୋଇଛନ୍ତି ଏବଂ ଉପରେ 'EVERY VOTE COUNTS' ଓ 'YOUR VOTE MATTERS' ବ୍ୟାନର ଲାଗିଛି।]

ମତଦାନ : ଏହାକୁ ଇଂରାଜୀରେ Franchise କିମ୍ବା Suffrage କୁହାଯାଏ । ଏହା ସମ୍ବିଧାନ ପ୍ରଦତ୍ତ ଏକ ଅଧିକାର।

ସାର୍ବଜନୀନ ସାବାଳକ ମତଦାନ

ପ୍ରଥମରୁ ହିଁ ଭାରତର ସମ୍ବିଧାନ ପ୍ରଣେତାମାନେ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥାକୁ ଭାରତୀୟ ଗଣତନ୍ତ୍ରର ଏକ ଉପାଦାନ ବା ବୈଶିଷ୍ଟ୍ୟ ରୂପେ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ଅର୍ଥ ହେଉଛି ନିର୍ବାଚନ ସମୟରେ ସମସ୍ତ ସାବାଳକ ମତଦାତା ବା ନାଗରିକ ନିଜର ଗୋଟିଏ ମତ ପ୍ରଦାନ କରିପାରିବେ ଏବଂ ସମସ୍ତ ମତଦାନର ମୂଲ୍ୟ ସମାନ ଅଟେ । ଅର୍ଥାତ୍, ୧୮ ବର୍ଷ ବା ତଦୁର୍ଦ୍ଧ୍ୱ ପ୍ରତ୍ୟେକ ଭାରତୀୟ ନାଗରିକ ମତଦାନ କରିବାର ଅଧିକାର— ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ, ଶିକ୍ଷାଗତ ଯୋଗ୍ୟତା, ଆର୍ଥିକ ସ୍ଥିତି ଇତ୍ୟାଦି ନିର୍ବିଶେଷରେ ପାଇଛନ୍ତି । ସାର୍ବଜନୀନ ଶବ୍ଦ ଏହାହିଁ ସୂଚିତ କରେ।

ଆସ ଅନୁସନ୍ଧାନ କରିବା ୧୯୮୮ ମସିହାରେ ଭାରତରେ ସର୍ବନିମ୍ନ ମତଦାନ ବୟସକୁ ୨୧ ବର୍ଷରୁ କମାଇ ୧୮ ବର୍ଷ କରାଗଲା । ଏହା ଭଲ ପଦକ୍ଷେପ ଥିଲା ନା ନୁହେଁ ଆଲୋଚନା କର।

ସାର୍ବଜନୀନ ମତଦାନ ଭାରତୀୟ ଗଣତନ୍ତ୍ରର ମୂଳଦୁଆ ଅଟେ । ଲୋକସଭା, ପ୍ରତ୍ୟେକ ରାଜ୍ୟ ବିଧାନସଭା ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ଵାୟତ୍ତଶାସନ ନିମନ୍ତେ ନିର୍ବାଚନ, ସାର୍ବଜନୀନ ମତଦାନ ମାଧ୍ୟମରେ ସମ୍ପାଦନ କରାଯାଏ (ସମ୍ବିଧାନର ଧାରା ୩୨୬ ଅନୁଯାୟୀ) । ମନେରଖ ଯେ ଜଣେ ବ୍ୟକ୍ତି ନିମନ୍ତେ ଅନ୍ୟ ଜଣେ ମତଦାନ କରିପାରିବେ ନାହିଁ ।

  • ତୁମେ ମତଦାନ ନିମନ୍ତେ ଆଉ କେତେଦିନ ଅପେକ୍ଷା କରିବ ହିସାବ କରି ପାରିବ କି ?
  • ତୁମ ଅଧିକାର ସାବ୍ୟସ୍ତ ନିମନ୍ତେ, ତୁମକୁ ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀର (ଅଞ୍ଚଳ) ମତଦାତା ବା ନାଗରିକ ରୂପେ ପଞ୍ଜିକରଣ କରିବା ଆବଶ୍ୟକ। ଅବଶ୍ୟ କେତେକ ଗୁରୁତର ଅପରାଧରେ ଅଭିଯୁକ୍ତ ନାଗରିକଙ୍କୁ ଏହି ମତଦାନ ପ୍ରକ୍ରିୟାରୁ ବାରଣ କରାଯାଇଥାଏ।

ତୁମର ମନେ ଅଛି କି ୨୦୨୪ ମସିହା ଗ୍ରୀଷ୍ମ କାଳରେ ଭାରତରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ? ଏଥିରେ ୯୮୦ ନିୟୁତ ମତଦାତା ଲୋକସଭାର ୫୪୩ଟି ନିର୍ବାଚନ ମଣ୍ଡଳୀ ନିମନ୍ତେ ମତଦାନ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।

ମନେରଖ ସମଗ୍ର ଭାରତରେ ୩.୧ ନିୟୁତ ନିର୍ବାଚିତ ପ୍ରତିନିଧି ଅଛନ୍ତି (ସେମାନଙ୍କ ମଧ୍ୟରୁ ୧.୩ ନିୟୁତ ମହିଳା ଅଟନ୍ତି) ସେମାନେ ସାରା ଭାରତରେ ୨୫୦,୦୦୦ ସ୍ଥାନୀୟ ସରକାରରେ ପ୍ରତିନିଧିତ୍ଵ କରିଥାନ୍ତି। ସେମାନେ ଗଣତାନ୍ତ୍ରିକ ଉପାୟରେ ସାର୍ବଜନୀନ ସାବାଳକ ମତଦାନ ଦ୍ୱାରା ନିର୍ବାଚିତ ହୋଇଥାନ୍ତି।

ଏହି ବ୍ୟାପକ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ଏବଂ ସ୍ୱାଧୀନ ଓ ସ୍ୱଚ୍ଛ ନିର୍ବାଚନ ସୁନିଶ୍ଚିତ କରିବା ନିମନ୍ତେ ଆମକୁ ଏକ ବିସ୍ତୃତ ଓ ସୁସଂହତ ନିର୍ବାଚନୀ ବ୍ୟବସ୍ଥା ଆବଶ୍ୟକ ଅଟେ । ଏହି ଅଧ୍ୟାୟରେ ସଂକ୍ଷେପରେ ଆମେ ଆଲୋଚନା କରିବା– କିଏ ମତଦାନ କରିବାକୁ ଯୋଗ୍ୟ, ଆମେ ଗ୍ରହଣ କରିଥିବା କେତେକ ମତଦାନ ବ୍ୟବସ୍ଥା ଏବଂ ଏହା କିପରି ଆୟୋଜନ କରାଯାଏ।

ମନେରଖ

  • ସ୍ଵାଧୀନତା ପୂର୍ବରୁ ମାତ୍ର ୧୩ ପ୍ରତିଶତ ଭାରତୀୟ ମତଦାନ କରିବାକୁ ଅନୁମତି ପାଇଥିଲେ ଏବଂ ମତଦାନ ସାର୍ବଜନୀନ ନଥିଲା । ଏ ବିଷୟରେ ଆମେ ପୁସ୍ତକର ଅନ୍ୟ ଭାଗରେ ଅଧିକ ଆଲୋଚନା କରିବା।
  • ପୃଥିବୀର ଅନ୍ୟ ଦେଶମାନଙ୍କ ଠାରୁ ଆଗରେ ରହି ଭାରତ ମହିଳାମାନଙ୍କୁ ଭୋଟ ବା ମତଦାନ ଦେବାର ବ୍ୟବସ୍ଥା ସୁନିଶ୍ଚିତ କରିଥିଲା।

ଉଦାହରଣ ସ୍ୱରୂପ ସୁଇଜରଲ୍ୟାଣ୍ଡରେ ୧୯୭୧ ମସିହାରେ ମହିଳାମାନଙ୍କୁ ମତଦାନ ଅଧିକାର ପ୍ରଦାନ କରାଗଲା । ଏହି ମୌଳିକ ଅଧିକାର ହାସଲ ନିମନ୍ତେ ମହିଳାମାନେ ଅନେକ ଦିନ କଷ୍ଟ ସହ୍ୟ କରି ଆନ୍ଦୋଳନ କରିଥିଲେ। ଅପର ପକ୍ଷରେ ଏକ ପ୍ରଗତିଶୀଳ ସାମ୍ବିଧାନିକ ଦୂରଦୃଷ୍ଟି ଏବଂ ପ୍ରାଚୀନ ଭାରତରେ ଦୃଶ୍ୟମାନ ହୋଇଥିବା ଦୃଢ଼ ଗଣତାନ୍ତ୍ରିକ ମୂଲ୍ୟବୋଧ ଆଦି ଭାରତୀୟ ମହିଳାଙ୍କ ନିମନ୍ତେ ମତଦାନ ଅଧିକାର ପ୍ରଥମରୁହିଁ ସୁନିଶ୍ଚିତ କରିଥିଲା।

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୩ - ୧୯୧୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ମହିଳା ମାନଙ୍କ ମତଦାନ ଅଧିକାର ନିମନ୍ତେ ଶୋଭାଯାତ୍ରା ବା ପରେଡ଼ର ଏକ ଐତିହାସିକ ଆଲୋକଚିତ୍ର।]

ଚିତ୍ର : ୫.୩ : ମହିଳା ମତଦାନ ପରେଡ଼, ଯୁକ୍ତରାଷ୍ଟ୍ର ଆମେରିକା, ୧୯୧୩ ମସିହା

ନିର୍ବାଚନ ମଣ୍ଡଳୀ (Constituency) : ଏକ ଅଞ୍ଚଳ ଯେଉଁଠାରୁ ମତଦାତା ସେମାନଙ୍କ ପ୍ରତିନିଧିଙ୍କୁ ବ୍ୟବସ୍ଥାପିକା ସଭାକୁ ନିର୍ବାଚନ କରିଥାନ୍ତି। ବ୍ୟବସ୍ଥା (System) : ସର୍ବସାଧାରଣ କାର୍ଯ୍ୟ ନିମନ୍ତେ ଗଠିତ ଏକ ଗୋଷ୍ଠୀ ଯିଏ ପରସ୍ପର ଉପରେ ନିର୍ଭରଶୀଳ ।

ଆସ ଅନୁସନ୍ଧାନ କରିବା ୧୯୪୭ ମସିହାରେ ଭାରତର ସାକ୍ଷରତା ହାର ପାଖାପାଖି ୧୪ ପ୍ରତିଶତ ଥିଲା, ତନ୍ମଧ୍ୟରୁ ମହିଳା ସାକ୍ଷରତା ହାର ସଂଖ୍ୟା ମାତ୍ର ୮ ପ୍ରତିଶତ ଥିଲା। କେତେକ ମତ ଦିଅନ୍ତି ଯେ, ମତଦାନ ଅଧିକାର କେବଳ ଶିକ୍ଷିତ ଲୋକଙ୍କୁ ଦେବା ଉଚିତ । ଆମ ସମ୍ବିଧାନ ପ୍ରଣେତାମାନେ ସ୍ୱାଧୀନତା ସମୟରୁହିଁ କାହିଁକି ସାର୍ବଜନୀନ ମତଦାନ ବ୍ୟବସ୍ଥା ସପକ୍ଷରେ ମତ ରଖିଥିଲେ ତୁମ ଦଳ ମଧ୍ୟରେ ଆଲୋଚନା କର।

ସାର୍ବଜନୀନ ମତଦାନ କାହିଁକି ଏତେ ଗୁରୁତ୍ଵପୂର୍ଣ୍ଣ ତାହାର ଅନେକ କାରଣମାନ ରହିଛି। ତନ୍ମଧ୍ୟରୁ କେତେକ ନିମ୍ନରେ ଦର୍ଶାଗଲା। ତୁମେ ଅନ୍ୟ କିଛି ଚିନ୍ତା କରିପାରିବ କି ?

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୪ - ଏକ ଚାର୍ଟ ଯେଉଁଥିରେ ସାର୍ବଜନୀନ ସାବାଳକ ମତଦାନର ଗୁରୁତ୍ଵ ଦର୍ଶାଯାଇଛି (ନାଗରିକ ଭାଗୀଦାରୀ ବଢ଼ାଏ, ସମସ୍ତେ ସମାନ, ପ୍ରତ୍ୟେକଙ୍କ ମତ ଗୁରୁତ୍ଵପୂର୍ଣ୍ଣ, ନିର୍ବାଚିତ ପ୍ରତିନିଧି ଉତ୍ତରଦାୟୀ, ଦେଶର ଭବିଷ୍ୟତ ନିର୍ଦ୍ଧାରଣରେ ସମସ୍ତଙ୍କ ଯୋଗଦାନ ଇତ୍ୟାଦି)।]

ଚିତ୍ର : ୫.୪ : ଏକ ଗଣତନ୍ତ୍ରରେ ସାର୍ବଜନୀନ ମତଦାନର ଗୁରୁତ୍ଵ। ଖାଲିଥିବା ସ୍ଥାନରେ ଥିବା ଦୁଇଟି ଅନ୍ୟ କାରଣ (ଗୁରୁତ୍ଵ) ଲେଖ।

ପ୍ରତିବନ୍ଧକର ଉଚ୍ଛେଦ, ଅଂଶଗ୍ରହଣର ସୁନିଶ୍ଚିତତା

ସାର୍ବଜନୀନ ମତଦାନ ନିର୍ବାଚନ ପଦ୍ଧତିରେ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ଅବାଧ ଓ ମୁକ୍ତ ଅଂଶଗ୍ରହଣ ଗଣତନ୍ତ୍ରକୁ ସଫଳ କରାଏ। ନିଜ ମତକୁ ପ୍ରକାଶ କରିବାରେ ମତଦାନ ହେଉଛି ନିର୍ବାଚନର ଏକ ବଳିଷ୍ଠ ମାଧ୍ୟମ । ଏହା ଭାରତରେ କିପରି କାର୍ଯ୍ୟକାରୀ କରାଯାଏ ?

ଭାରତ ହେଉଛି ବିବିଧତା ଓ ଜଟିଳତା ଭରା ଏକ ବୃହତ୍ ଦେଶ। ଆୟତନରେ ଏହା ଫ୍ରାନ୍ସ ଦେଶ ଆୟତନର ଛ’ ଗୁଣ। ଏହାର ମତଦାତାଙ୍କ ସଂଖ୍ୟା ଯୁକ୍ତରାଜ୍ୟ ଜନସଂଖ୍ୟାର ୧୫ ଗୁଣ ଅଟେ । ଭୌଗୋଳିକ ବିବିଧତା ମଧ୍ୟ ଏହାର ଅନ୍ୟ ଏକ ସମସ୍ୟା। ଏହି ସବୁ ଜଟିଳତାକୁ ଆଧାର କରି ଭାରତରେ ନିର୍ବାଚନ ବ୍ୟବସ୍ଥା ସଂଗଠିତ ହେବା ଆବଶ୍ୟକ।

ଭାରତର ନିର୍ବାଚନ ଆୟୋଗ, ଭାରତରେ ନିର୍ବାଚନ ଆୟୋଜନ କରିଥାନ୍ତି (ଆମେ ଏ ବିଷୟରେ ପରବର୍ତ୍ତୀ ଅଧ୍ୟାୟରେ ଅଧିକ ପଢ଼ିବା)। ମତଦାନ ସାବ୍ୟସ୍ତର ସମସ୍ତ ପ୍ରତିବନ୍ଧକ ଦୂର କରିବା ଓ କୌଣସି ମତଦାତା ଯେପରି ମତଦାନ ଅଧିକାରରୁ ବଞ୍ଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବାରେ ଭାରତର ନିର୍ବାଚନ ଆୟୋଗ ଅନେକ ନୂତନ ପଦକ୍ଷେପମାନ ଗ୍ରହଣ କରିଛନ୍ତି।

ଦୂର ଓ ଦୁର୍ଗମ ଅଞ୍ଚଳକୁ ଗସ୍ତ କରି ନିର୍ବାଚନ ଅଧିକାରୀମାନେ ପ୍ରତ୍ୟେକ ନାଗରିକଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ସୁନିଶ୍ଚିତ କରିଥାନ୍ତି। ୨୦୨୪ ମସିହା ନିର୍ବାଚନରେ ପ୍ରଥମ ଥର ନିମନ୍ତେ ବୟସ୍କ ଓ ଦିବ୍ୟାଙ୍ଗ ନାଗରିକମାନେ ନିଜ ଘରେ ବସି ମତଦାନ ସାବ୍ୟସ୍ତ କରିଥିଲେ। ଏଥିସହିତ କେତେକ ବିଶେଷ ବର୍ଗ ମତଦାତାଙ୍କ ନିମନ୍ତେ ଡାକଦ୍ଵାରା ମଧ୍ୟ ମତଦାନ ବ୍ୟବସ୍ଥା କରାଯାଇଥିଲା । ସହାୟକ ଯନ୍ତ୍ର ଭାବରେ ବ୍ରେଲିଯୁକ୍ତ ଭୋଟର କାର୍ଡ଼, ଆପ୍ ଯୁକ୍ତ ସହାୟତା ଅନୁରୋଧ, ହୁଇଲ୍ ବା ଚକଲଗା ଚୌକି ଓ ରାମ୍ପ୍ ବା ଖସଡ଼ା ଆଦି ଅନେକ ସୁବିଧା ମଧ୍ୟ ପ୍ରଦାନ କରାଯାଇଥିଲା।

ଆସ ଅନୁସନ୍ଧାନ କରିବା ଦଳଗତ ଭାବେ ଆଲୋଚନା କର– ଏହି ପ୍ରଣାଳୀଗୁଡ଼ିକ ଗଣତନ୍ତ୍ରରେ କିପରି ଭୂମିକା ନିର୍ବାହ କରେ ? ଏହି ଉନ୍ନତ ସୁବିଧା ଗୁଡ଼ିକର ସୁଯୋଗ କେହି ଉପଲବ୍ଧ କରିଥିବା ତୁମେ ଜାଣିଛ କି ? ଏହା ତୁମ ଅଞ୍ଚଳର ନିର୍ବାଚନ (ଭୋଟର) ଅଂଶ ଗ୍ରହଣରେ ବୃଦ୍ଧି ଘଟାଇପାରିଛି କି ? ବୈଷୟିକ ଜ୍ଞାନ କୌଶଳ ଏଠାରେ କିପରି ସାହାଯ୍ୟ କରିବ ?

ଯଦି ତୁମ ପାଖରେ ଇଣ୍ଟରନେଟ୍ ଯୋଗାଯୋଗ ସୁବିଧା ଥିବ ଇସିଆଇ ୱେବସାଇଟ୍ (https://www.eci.gov.in/persons-with-disabilities) ସର୍ଚ୍ଚ କର । ଇସିଆଇ ଗ୍ରହଣ କରିଥିବା ଅନେକ ସୁବିଧା ଯାହା ଭିନ୍ନକ୍ଷମଙ୍କୁ ସୁବିଧା ପ୍ରଦାନ କରେ ତାହା ପଢ଼ ଏବଂ ଚିହ୍ନଟ କର।

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୫ - ଭାରତର ନିର୍ବାଚନ ଆୟୋଗଙ୍କ PwD (ଦିବ୍ୟାଙ୍ଗ) ସହାୟତା ସମ୍ବନ୍ଧିତ ୱେବପୃଷ୍ଠାର ଏକ ଝଲକ।]

ଚିତ୍ର : ୫.୫

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୬ - ଭିନ୍ନକ୍ଷମ, ବୟସ୍କ ଏବଂ ଦୁର୍ଗମ ଅଞ୍ଚଳର ମତଦାତାଙ୍କୁ ଭୋଟ୍ ଦେବାରେ ସହାୟତା ଯୋଗାଇ ଦେଉଥିବା ବିଭିନ୍ନ ପୋଲିଂ ଅଧିକାରୀ ଓ ସ୍ଵେଚ୍ଛାସେବୀଙ୍କର ଫଟୋଚିତ୍ରର ସମାହାର।]

ଚିତ୍ର : ୫.୬ : ଭାରତର ନିର୍ବାଚନ ବ୍ୟବସ୍ଥା ପ୍ରତ୍ୟେକ ନାଗରିକଙ୍କ ମତଦାନ ସୁନିଶ୍ଚିତ କରେ । ଏକାକିନୀ ମହିଳା, ଡାକ ମାଧ୍ୟମରେ ମତଦାନ ଏବଂ ଚକଲଗା ଚୌକି ସହାୟତା ଆଦି ପଦକ୍ଷେପମାନ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ।

ଆସ ଅନୁସନ୍ଧାନ କରିବା ପାଖାପାଖି ୩୪ ପ୍ରତିଶତ ଯୋଗ୍ୟ ମତଦାତା ୨୦୨୪ ମସିହା ନିର୍ବାଚନରେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରି ନଥିଲେ। ଏପରି ଘଟିବାର କାରଣ କ'ଣ ବୋଲି ତୁମେ ଅନୁମାନ କରୁଛ ? ନିଜ ଅଧିକାର ସାବ୍ୟସ୍ତ ନିମନ୍ତେ ଲୋକମାନେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ? ତୁମ ପରିବାର ଓ ପାଖ ପଡ଼ୋଶୀରେ ଥିବା ସାବାଳକମାନଙ୍କୁ ନେଇ ଏକ (ଅନୁସନ୍ଧାନ) ସର୍ଭେ କର। ଗୃହୀତ ତଥ୍ୟକୁ ଅନୁଶୀଳନ କରି ଏକ ରିପୋର୍ଟ ଲେଖ ଏବଂ ସମସ୍ତଙ୍କ ମତଦାନ କିପରି ସୁନିଶ୍ଚିତ ହୋଇପାରିବ ମତାମତ ଦିଅ।

ମନେରଖ ୧୦ମ ଶତାବ୍ଦୀର ଉତ୍ତରମେରୁର୍ (ଦକ୍ଷିଣ ଭାରତରେ ଏକ ସ୍ଥାନ) ଶିଳାଲେଖ ବର୍ଣ୍ଣନା କରେ ସେ ସମୟର ପ୍ରତିନିଧି ଚୟନର ସ୍ଵଚ୍ଛତା । ଯୋଗ୍ୟ ପ୍ରତିଦ୍ଵନ୍ଦୀଙ୍କ ନାମ ସବୁ ତାଳପତ୍ରରେ ଲେଖାଯାଇ ଏକ ପାତ୍ର ମଧ୍ୟରେ ମୁଦଦେଇ ରଖାଯାଉଥିଲା । ଚୟନ ହେଉଥିବା ଦିନ ଏହା ସର୍ବ ସମ୍ମୁଖରେ ଖୋଲାଯାଇ ଥାଏ ଏବଂ ଜଣେ ବାଳକ ଦ୍ଵାରା ସେହି ତାଳପତ୍ର ଗୁଡ଼ିକୁ ଗୋଟିକ ପରେ ଗୋଟିଏ ବିନା କ୍ରମରେ ବାହାର କରାଯାଏ । ଜଣେ ଦାୟିତ୍ଵ ସମ୍ପନ୍ନ ବ୍ୟକ୍ତି ନିଜର ମୁକ୍ତ ହସ୍ତ ଦେଖାଇବା ପରେ ଚୟନ କରାଯାଇଥିବା ପ୍ରତିଦ୍ଵନ୍ଦୀଙ୍କ ନାମ ସବୁ ପାଠ କରିଥାନ୍ତି ।

ଶ୍ରେଣୀ ପ୍ରତିନିଧିଙ୍କ ନିର୍ବାଚନ – ଗ୍ରେଡ଼୍ ୮, ରେଭେନ୍ସା ବାଳିକା ବିଦ୍ୟାଳୟ

ଶ୍ରେଣୀ ପ୍ରତିନିଧିଙ୍କ ବାର୍ଷିକ ନିର୍ବାଚନ ସମୟ ଉପନୀତ । ଶ୍ରେଣୀ ପ୍ରତିନିଧି, ଶିକ୍ଷକଙ୍କ ସହିତ ଆଲୋଚନା ଓ ଯୋଗାଯୋଗ, ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ଶ୍ରେଣୀ ତରଫରୁ ସ୍କୁଲ ଅଧିକାରୀମାନଙ୍କ ସହିତ ଏକ ସେତୁ ବା ମାଧ୍ୟମ ରୂପେ କାର୍ଯ୍ୟ କରିଥାନ୍ତି। ତିନିଜଣ ଛାତ୍ରୀ ସବିତା, ପୂଜା ଓ ପ୍ରିୟଙ୍କା ଏହି ପଦବୀ ନିମନ୍ତେ ପ୍ରତିଦ୍ଵନ୍ଦିତା କରିବାକୁ ସ୍ଥିର କଲେ। ଏଥି ନିମନ୍ତେ ଶ୍ରେଣୀ ଶିକ୍ଷୟିତ୍ରୀ ମିସ୍ ଉଷା ନିର୍ବାଚନ ଅଧିକାରୀ ରୂପେ ନିଯୁକ୍ତ ହେଲେ ଯିଏ ଶ୍ରେଣୀ ପ୍ରତିନିଧି ନିର୍ବାଚନରେ ସମସ୍ତ ନିୟମ ପାଳନ ସହିତ, ମୁକ୍ତ ଓ ସ୍ୱଚ୍ଛତା ସୁନିଶ୍ଚିତ କରିବେ।

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୭ - ଶ୍ରେଣୀଗୃହରେ ଶ୍ରେଣୀ ନିର୍ବାଚନ ନିମନ୍ତେ ବାଲଟ ବାକ୍ସ ସମ୍ମୁଖରେ ଶିକ୍ଷୟିତ୍ରୀ ଓ ପ୍ରତିଦ୍ୱନ୍ଦୀ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିବାର ଦୃଶ୍ୟ।]

ଚିତ୍ର ୫.୭

ଏଠାରେ ପ୍ରତ୍ୟେକ ପ୍ରତିଦ୍ଵନ୍ଦୀଙ୍କର ଏକ ସଂକ୍ଷିପ୍ତ ପରିଚୟ ଦିଆଗଲା :

  • ସବିତା ଶ୍ରେଣୀଗୃହ ଓ ଖେଳପଡ଼ିଆର ସ୍ୱଚ୍ଛତା ବୃଦ୍ଧି ନିମନ୍ତେ ପ୍ରତିଜ୍ଞା କଲେ ।
  • ପୂଜା ନିଜର ସମସ୍ତ ସହପାଠୀଙ୍କ ଶିକ୍ଷାର ଉନ୍ନତି ନିମନ୍ତେ ଆଗ୍ରହୀ ଥିଲେ । ସେ ଏକ ସହପାଠୀ ଶିକ୍ଷା ଓ ପାରସ୍ପରିକ ସହଯୋଗ ନିମନ୍ତେ ବ୍ୟବସ୍ଥାଗତ ଢାଞ୍ଚା ପ୍ରସ୍ତୁତ କରିବା ନିମନ୍ତେ ପ୍ରସ୍ତାବ ରଖିଲେ।
  • ପ୍ରିୟଙ୍କା ଶ୍ରେଣୀ ସମୟ ସାରଣୀରେ ସଙ୍ଗୀତ, ନାଟକ ଓ ଦୃଶ୍ୟକଳା ଆଦି ନିମନ୍ତେ ଅଧିକ ସମୟ ସପକ୍ଷରେ ନୂଆ କଳାତ୍ମକ ପାଠ୍ୟକ୍ରମ ପ୍ରସ୍ତାବ ଦେଲେ।

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୮ - ତିନିଜଣ ପ୍ରାର୍ଥୀ ଯଥାକ୍ରମେ 'ସ୍ଵଚ୍ଛତା', 'ସହକର୍ମୀ ଶିକ୍ଷା' ଏବଂ 'କଳାତ୍ମକ ପାଠ୍ୟକ୍ରମ' ଲେଖାଥିବା ପ୍ଲାକାର୍ଡ଼ ଧରି ଶ୍ରେଣୀରେ ପ୍ରଚାର କରୁଛନ୍ତି।]

ଚିତ୍ର: ୫.୮

ନିର୍ବାଚନ ପ୍ରଚାର ସବିତା ପୋଷ୍ଟର ମାଧ୍ୟମରେ, ପୂଜା ନୋଟିସ୍‌ବୋର୍ଡ଼ ଓ ସହପାଠୀଙ୍କ ସହିତ ବାର୍ତ୍ତାଳାପ ମାଧ୍ୟମରେ ଅନ୍ୟ ସାଥୀମାନଙ୍କୁ ପ୍ରଭାବିତ କରୁଥିବା ବେଳେ ପ୍ରିୟଙ୍କା ଖାଇବା ସମୟରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରି ନିଜ ମତାମତ ସପକ୍ଷରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ। ନିର୍ବାଚନ ଅଧିକାରୀ ଉଷା କୁମାରୀ ଏକ ମୁକ୍ତ ଓ ଅବାଧ ନିର୍ବାଚନ ନିମନ୍ତେ ସମସ୍ତଙ୍କୁ ଆଇନଗତ ସୂଚନା ଦେଲେ ଏବଂ ସମସ୍ତଙ୍କୁ ନିଜ ମତାମତକୁ ଗୁପ୍ତ ରଖିବାକୁ ପରାମର୍ଶ ଦେଲେ। କାରଣ ଏହା ଏକ ଗୁପ୍ତ ଓ ସ୍ୱଚ୍ଛ ପ୍ରକ୍ରିୟା ଅଟେ । ସେ ଶ୍ରେଣୀ ଗୃହର ଦୂର ଏକ କୋଣରେ ନିର୍ବାଚନ ବୁଥ୍ ସ୍ଥାପନା କଲେ ଯେଉଁଠାରେ ମତଦାନର ଗୋପନୀୟତା ରକ୍ଷା କରାଯାଇପାରିବ।

ନିର୍ବାଚନ ଦିବସ ନିର୍ବାଚନ ଧାର୍ଯ୍ୟ ଦିନ ପ୍ରତ୍ୟେକ ଛାତ୍ରୀଙ୍କୁ ବାଲଟ କାଗଜ ଦିଆଗଲା ଯେଉଁଥିରେ ସମସ୍ତ ତିନି ପ୍ରତିଦ୍ୱନ୍ଦୀଙ୍କ ନାମ ଉଲ୍ଲେଖ ଥିଲା । ନିଜ ପସନ୍ଦର ଛାତ୍ରୀଙ୍କ ନାମ କଡ଼ରେ ‘×’ ଚିହ୍ନ ଦେବାକୁ ସମସ୍ତଙ୍କୁ କୁହାଗଲା। ନେହା ନିମନ୍ତେ ଏକ ବ୍ରେଲୀଯୁକ୍ତ ବାଲଟର ବ୍ୟବସ୍ଥା କରାଯାଇଥିଲା। ସମସ୍ତେ ମତଦାନ କରି ସାରିବା ପରେ ଉଷା କୁମାରୀ ସେଗୁଡ଼ିକ ଏକାଠି କରି ଏକ ବାକ୍ସ ମଧ୍ୟରେ ମୁଦ ଦେଇ ରଖିଲେ । ପରେ ତାହା ଗଣତି କରାଯିବ।

ନିର୍ବାଚନ ଫଳାଫଳ (ଭୋଟ ଗଣତି) ସମସ୍ତ ୩୩ଟି ମତଦାନ ସରିବା ପରେ ଉଷା କୁମାରୀ ପାଖ ଶ୍ରେଣୀରୁ ଶିବା କୁମାରୀଙ୍କୁ ଭୋଟ ଗଣତିରେ ସାକ୍ଷୀ ରୂପେ ଚୟନ କଲେ। ଗୋଟିଏ ବାଲଟ କାଗଜରେ କୌଣସି ଚିହ୍ନ ଦିଆଯାଇ ନଥିଲା, ତେଣୁ ତାହାକୁ ଅସିଦ୍ଧ ଘୋଷଣା କରାଗଲା। ଫଳାଫଳ ଘୋଷଣାରୁ ଜଣାଗଲା ସବିତା ୮ଟି ଭୋଟ୍, ପୂଜା ୧୩ଟି ଭୋଟ୍ ଏବଂ ପ୍ରିୟଙ୍କା ୧୧ଟି ଭୋଟ୍ ପାଇଛନ୍ତି । ସର୍ବାଧିକ ଭୋଟ ପାଇ ପୂଜା ଶ୍ରେଣୀ ପ୍ରତିନିଧି ରୂପେ ନିର୍ବାଚିତ ହେଲା। ସେ ତା’ ସହପାଠୀଙ୍କୁ ଧନ୍ୟବାଦ ଦେବା ସହିତ ନିଜ ପ୍ରତିଶ୍ରୁତି ପାଳନ କରିବାକୁ ପ୍ରତିଜ୍ଞାବଦ୍ଧ ହେଲା । ସମସ୍ତେ ତାକୁ ଅଭିନନ୍ଦନ ଦେବା ସହିତ ସହଯୋଗ କରିବାକୁ ପ୍ରତିଜ୍ଞା କଲେ।

ଆସ ଅନୁସନ୍ଧାନ କରିବା

  • ଏହି ନିର୍ବାଚନ ବ୍ୟବସ୍ଥାର ଗୁରୁତ୍ଵପୂର୍ଣ୍ଣ ବିଷୟ ଗୁଡ଼ିକ କ’ଣ ଥିଲା ?
  • ଗୁପ୍ତ ମତଦାନର ଆବଶ୍ୟକତା କ’ଣ ?
  • ନିଜ ମତଦାନ ସମୟରେ ଛାତ୍ରୀମାନେ କେଉଁ ସବୁ ଦିଗଗୁଡ଼ିକୁ ଗୁରୁତ୍ବ ଦେଇଥିବେ ?
  • ତୁମେ ଭାବୁଛ କି ପୂଜା ନିର୍ବାଚିତ ହେବା ପରେ ମଧ୍ୟ ଅନ୍ୟ ଛାତ୍ରୀମାନଙ୍କର ଅନେକ ଦାୟିତ୍ୱ ରହିଛି ? ଯଦି ହଁ ସେଗୁଡ଼ିକ କ’ଣ ?
  • ଉଷା କୁମାରୀ କେଉଁ ଭୂମିକା ତୁଲାଇ ଥିଲେ ? ତାହା କାହିଁକି ଗୁରୁତ୍ୱପୂର୍ଣ୍ଣ ?
  • ନେହା ପାଇଁ ବ୍ରେଲି ବାଲଟ କାଗଜ ପ୍ରସ୍ତୁତ କରିବା ଉଷା କୁମାରୀଙ୍କ ପାଇଁ କାହିଁକି ଗୁରୁତ୍ଵପୂର୍ଣ୍ଣ ଥିଲା ?
  • ଯଦି ଅନେକ ଛାତ୍ରୀ କାହାକୁ ବାଛି ନଥାନ୍ତେ କ’ଣ ହୋଇଥାନ୍ତା ?

ମନେରଖ ଅନୁମାନ କର ଯଦି ଜଣେ ଛାତ୍ରୀ ସବିତା, ପୂଜା କିମ୍ବା ପ୍ରିୟଙ୍କାଙ୍କ ମଧ୍ୟରୁ କାହାକୁ ମତଦାନ କରି ନଥାନ୍ତା, ତାଙ୍କ ପାଖରେ କ’ଣ ବିକଳ୍ପ ଥିଲା ? ଭାରତ ପରି କେତେକ ଦେଶରେ ‘ନୋଟା’ ବା ‘କେହି ପସନ୍ଦ ନୁହନ୍ତି’ ନାମରେ ଏକ ବିକଳ୍ପ ଅଛି। ଏହା ସମସ୍ତ ପ୍ରତିଦ୍ଵନ୍ଦୀଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ମତଦାତାଙ୍କୁ ସୁଯୋଗ ଦିଏ । ଯଦିଓ ଏହା ଫଳାଫଳକୁ ପ୍ରଭାବିତ କରେ ନାହିଁ ତଥାପି ଏକ ବାର୍ତ୍ତା ଦେଇଥାଏ ଯେ ମତଦାତା ଅଧିକ ବିକଳ୍ପ ଚାହାନ୍ତି । ‘ନୋଟା’ ବା ‘କେହି ପସନ୍ଦ ନୁହନ୍ତି’ ଭାରତୀୟ ଗଣତନ୍ତ୍ରର ଏକ ଶକ୍ତିଶାଳୀ ଚିନ୍ତନ ଅଟେ।

ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଭୂମିକା

ଭାରତର ବିଶାଳତା ଓ ବିବିଧତା କଥା ଆମେ ଜାଣିଲେ, ଏହାକୁ ମନେରଖି ଦେଶର ନିର୍ବାଚନ ଆୟୋଜନ ନିମନ୍ତେ ଏକ ସଂସ୍ଥା ଗଠନ କରାଗଲା। ଏହି ପର୍ଯ୍ୟାୟରେ ନିର୍ବାଚନ ଆୟୋଗ, ଆୟୋଜନ ଏବଂ ପରିଦର୍ଶନ କରୁଥିବା ବିଭିନ୍ନ ପ୍ରକାର ନିର୍ବାଚନ ସମ୍ବନ୍ଧରେ ଆଲୋଚନା କରିବା।

ଆସ ମନେରଖିବା ଭାରତରେ ସଂସଦୀୟ ଗଣତନ୍ତ୍ର ପ୍ରଚଳିତ। ଏଠାରେ ଜାତୀୟ ସ୍ତରରେ ଲୋକସଭା (ସଂସଦର ନିମ୍ନ ସଦନ) ନିମନ୍ତେ ନାଗରିକ ବା ମତଦାତାମାନେ ପ୍ରତିନିଧି ଚୟନ କରିଥାନ୍ତି। ମତଦାତାମାନେ ବିଭିନ୍ନ ରାଷ୍ଟ୍ରୀୟ/ଜାତୀୟ ସମସ୍ୟା ଉପରେ ଅଧିକ ଗୁରୁତ୍ଵ ପ୍ରଦାନ କରି ମତଦାନ କରିଥାନ୍ତି। ଏଥି ସହିତ ମତଦାତାମାନେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ସେମାନଙ୍କ ନିଜ ନିଜ ନିର୍ବାଚନ ମଣ୍ଡଳୀ ନିମନ୍ତେ ମଧ୍ୟ ପ୍ରତିନିଧି ନିର୍ବାଚିତ କରନ୍ତି। ଏଠାରେ ସେମାନେ ସାଧାରଣତଃ ଆଞ୍ଚଳିକ ବିଷୟବସ୍ତୁକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି।

ଏହି ଦୁଇଟି ନିର୍ବାଚନ ଇସିଆଇଙ୍କ ଦ୍ଵାରା ଆୟୋଜନ ଓ ପରିଚାଳନା କରାଯାଇଥାଏ। ସେ ସମ୍ବନ୍ଧରେ ଆମେ ପରେ ବିଶଦ ଆଲୋଚନା କରିବା । ଅବଶ୍ୟ ନିର୍ବାଚନ ପରିଚାଳନାର ଝଲକ ପାଇବା ଆଗରୁ ଆସ ତୁମକୁ ଭାରତର ନିର୍ବାଚନ ଆୟୋଗଙ୍କ ସହିତ ପରିଚୟ କରାଇବା, ଯିଏ ଏହି ନିର୍ବାଚନ ସବୁ ତଦାରଖ କରିଥାନ୍ତି।

ଆସ ମନେରଖିବା ଷଷ୍ଠ ଶ୍ରେଣୀରେ ଆମେ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ସ୍ଥାନୀୟ ସରକାର ବିଷୟରେ ପଢ଼ିଥିଲେ। ରାଜ୍ୟ ନିର୍ବାଚନ ଆୟୋଗ ଏହାକୁ ପରିଚାଳନା କରିଥାନ୍ତି।

ଭାରତର ନିର୍ବାଚନ ଆୟୋଗ – ଏକ ସଂକ୍ଷିପ୍ତ ପରିଚୟ

ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଏକ ସ୍ୱାଧୀନ ସାମ୍ବିଧାନିକ ଅନୁଷ୍ଠାନ ଯିଏ ଦେଶରେ ସ୍ଵାଧୀନ ଓ ସ୍ଵଚ୍ଛ ନିର୍ବାଚନ ପରିଚାଳନା କରିଥାନ୍ତି। ଏହା ୧୯୫୦ ମସିହାରେ ସ୍ଥାପିତ ହୋଇଥିଲା। ଭାରତରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସଂସଦ (ରାଜ୍ୟସଭା ଏବଂ ଲୋକସଭା) ଏବଂ ରାଜ୍ୟ ବିଧାନ ସଭା ଗୁଡ଼ିକ ନିମନ୍ତେ ଏହା ନିର୍ବାଚନ କାର୍ଯ୍ୟ ସମ୍ପାଦନ କରିଥାଏ । ସ୍ଵାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ୧୯୫୧–୧୯୫୨ ମସିହାରେ ଅନୁଷ୍ଠିତ ହୋଇଥିଲା।

ଭାରତର ନିର୍ବାଚନ ଆୟୋଗଙ୍କର କେତେକ ପ୍ରମୁଖ କାର୍ଯ୍ୟ :

  • ନିର୍ବାଚନ ତାରିଖ ସ୍ଥିର କରିବା ।
  • ରାଜନୈତିକ ଦଳକୁ ସ୍ୱୀକୃତି ଓ ସଙ୍କେତ ପ୍ରଦାନ କରିବା ।
  • ଆଦର୍ଶ ଆଚରଣ ବିଧି ଲାଗୁ କରିବା ।
  • ସମ୍ପୂର୍ଣ୍ଣ ନିର୍ବାଚନ ବ୍ୟବସ୍ଥା ତଦାରଖ କରିବା ।
  • ମତଦାତାଙ୍କ ତାଲିକା ପ୍ରସ୍ତୁତ କରିବା ।
  • ନିର୍ବାଚନ ମଣ୍ଡଳୀ ସ୍ଥିର କରିବା ।

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୧୦ - ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନ (ଭାରତର ନିର୍ବାଚନ ଆୟୋଗଙ୍କ ମୁଖ୍ୟ କାର୍ଯ୍ୟାଳୟ)ର ଚିତ୍ର।]

ଚିତ୍ର : ୫.୧୦ : ଦିଲ୍ଲୀ ସ୍ଥିତ ଭାରତର ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ

ଚିତ୍ର : ୫.୯ : ନିର୍ବାଚନ ଆୟୋଗଙ୍କର କେତେକ କାର୍ଯ୍ୟ

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୧୧ - ନିର୍ବାଚନ ଆୟୋଗର ସାଂଗଠନିକ କ୍ରମ: ଜାତୀୟ ସ୍ତରରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଦୁଇଜଣ ନିର୍ବାଚନ ଆୟୁକ୍ତ; ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସ୍ତରରେ ମୁଖ୍ୟ ନିର୍ବାଚନ ଅଧିକାରୀ; ଜିଲ୍ଲା ସ୍ତରରେ ଜିଲ୍ଲା ନିର୍ବାଚନ ଅଧିକାରୀ, ତାଙ୍କ ଅଧୀନରେ ରିଟର୍ଣ୍ଣିଂ ଅଫିସର (ଆରଓ) ଓ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ)।]

ଚିତ୍ର : ୫.୧୧ : ଭାରତ ନିର୍ବାଚନ ଆୟୋଗର ଗଠନ କ୍ରମ

ନିର୍ବାଚନ ପରିଚାଳନା ପଦ୍ଧତି

ଭାରତରେ ନିର୍ବାଚନ ପରିଚାଳନା କରିବା ଏକ ବୃହତ୍ ତଥା ମହତ୍ କାର୍ଯ୍ୟ ଅଟେ । ଆଧୁନିକ ଭାରତରେ ଏକ ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ ଆୟୋଗ ସମୟ ସହିତ ତାଳଦେଇ ନିଜ କାର୍ଯ୍ୟକାରିତାକୁ ନିରନ୍ତର ଉନ୍ନତ କରାଉଛନ୍ତି। ଏକ ବ୍ୟାପକ ନିର୍ବାଚନ ବ୍ୟବସ୍ଥା ଦକ୍ଷତାର ସହିତ କାର୍ଯ୍ୟ ପରିଚାଳନା ଆବଶ୍ୟକ କରେ। ଏହାକୁ ବୁଝିବା ନିମନ୍ତେ ଆମେ ଲୋକସଭା ନିର୍ବାଚନର ଉଦାହରଣ ନେବା। ମନେ ରଖ ଯେ, ରାଜ୍ୟ ବିଧାନ ସଭା ନିର୍ବାଚନ ନିମନ୍ତେ ମଧ୍ୟ ସମାନ ପଦ୍ଧତି ଅନୁସରଣ କରାଯାଏ । ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏବଂ ଭିନ୍ନ ଭିନ୍ନ ସମୟରେ ଭାରତର ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ତେଣୁ ପ୍ରାୟ ପ୍ରତ୍ୟେକ ବର୍ଷ, ଯେତେବେଳେ ସମୟ ଉପଯୁକ୍ତ, ଦେଶର ବିଭିନ୍ନ ଭାଗରେ ନିର୍ବାଚନ ଚାଲୁ ରହିଥାଏ।

  • ପ୍ରାୟ ୯୮୦ ନିୟୁତ ମତଦାତା
  • ୫୪୩ ଲୋକସଭା ନିର୍ବାଚନ ମଣ୍ଡଳୀ
  • ଏକ ନିୟୁତରୁ ଊର୍ଦ୍ଧ୍ଵ ମତଦାନ କେନ୍ଦ୍ର

ଚିତ୍ର : ୫.୧୨: ୨୦୨୪ ମସିହାର ଲୋକ ସଭା ନିର୍ବାଚନ ସଂକ୍ରାନ୍ତୀୟ କେତେକ ତଥ୍ୟ

ଏବେ ତୁମେ ଜାଣି ପାରୁଥିବ ଯେ ଏହି ସଂଖ୍ୟା କେତେ ଅଧିକ। ଏହି ନିର୍ବାଚନୀ କାର୍ଯ୍ୟରେ ଶିକ୍ଷକ/ଶିକ୍ଷିକାମାନଙ୍କ ସମେତ ଅନେକ କର୍ମଚାରୀ ଓ ଜନତା ନିୟୋଜିତ ହୋଇଥାନ୍ତି ।

ଆସ ଅନୁସନ୍ଧାନ କରିବା ତୁମ ବିଦ୍ୟାଳୟରେ କିମ୍ବା ଆଖପାଖ ଅଞ୍ଚଳରେ ଥିବା ସେହି ଶିକ୍ଷକମାନଙ୍କୁ ଠାବ କର ଯେଉଁମାନେ ନିର୍ବାଚନ ଦାୟିତ୍ଵରେ ନିୟୋଜିତ ଥିଲେ। ସେମାନଙ୍କୁ ତୁମ ଶ୍ରେଣୀକୁ ନିମନ୍ତ୍ରଣ କରି ତାଙ୍କ ଅନୁଭୂତି ସବୁ ଶୁଣିବା ସହିତ ନିଜ ଜ୍ଞାନ ପରିସର ବୃଦ୍ଧି କର।

ମନେରଖ ଲୋକସଭା ନିର୍ବାଚନ ମଣ୍ଡଳୀର ୮୪ଟି ମଣ୍ଡଳୀରେ ତଫସିଲଭୁକ୍ତ ଜାତି ଏବଂ ୪୭ଟି ମଣ୍ଡଳୀରେ ତଫସିଲଭୁକ୍ତ ଜନଜାତିଙ୍କ ନିମନ୍ତେ ସଂରକ୍ଷିତ ରହିଅଛି । ୪୧୨ ସାଧାରଣ ବର୍ଗ। ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀ ସମସ୍ତଙ୍କ ନିମନ୍ତେ ମୁକ୍ତ ଅଟେ ।

ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପଦ୍ଧତି

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୧୩ - ମତଦାନ କେନ୍ଦ୍ରରେ ପୋଲିଂ ଅଧିକାରୀମାନଙ୍କର କାର୍ଯ୍ୟ ଶୈଳୀ ଦର୍ଶାଉଥିବା ଚିତ୍ର।]

  • ପ୍ରଥମ ପୋଲିଂ ଅଧିକାରୀ : ମତଦାତା ସୂଚୀରେ ନାମ ତଦାରଖ କରି ତାହାକୁ ପରିଚୟ ପତ୍ର ସହ ମିଳାଇଥାନ୍ତି।
  • ଦ୍ଵିତୀୟ ପୋଲିଂ ଅଧିକାରୀ : ପ୍ରଥମେ ବାମ ହାତ ବିଶି ଆଙ୍ଗୁଠିରେ କାଳି ଲଗାଇ ଥାନ୍ତି ଏବଂ ଦସ୍ତଖତ ରଖି ଚିରକୁଟି ପ୍ରଦାନ କରନ୍ତି ।
  • ତୃତୀୟ ପୋଲିଂ ଅଧିକାରୀ : ମତଦାତାଙ୍କଠାରୁ ଚିରକୁଟି ନେଇ ତାଙ୍କ ଆଙ୍ଗୁଠିରେ କାଳି ଲାଗିଛି କି ନାହିଁ ତଦାରଖ କରନ୍ତି।
  • ଚତୁର୍ଥ ପୋଲିଂ ଅଧିକାରୀ : ଇଭିଏମ୍ ସୁଇଚ ଚିପି ତାହାକୁ କାର୍ଯ୍ୟକ୍ଷମ କରନ୍ତି ଯାହା ଫଳରେ ମତଦାତା ମତ ସାବ୍ୟସ୍ତ କରିପାରିବେ। ଏଥିସହିତ ଭିଭିପାଟ୍‌କୁ ମଧ୍ୟ ନଜର ରଖୁଥାନ୍ତି ।

ଚିତ୍ର : ୫.୧୩

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ପରି ଯେଉଁ କେତେକ ରାଜ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନ ସଭା ନିର୍ବାଚନ ଏକକାଳୀନ ହୋଇଥାଏ ସେଠାରେ ପାଞ୍ଚଜଣ ପୋଲିଂ ଅଧିକାରୀ ରହିଥାନ୍ତି ଓ ସେଠାରେ ସେମାନଙ୍କ କାର୍ଯ୍ୟ ଶୈଳୀ ସାମାନ୍ୟ ଭିନ୍ନ ଅଟେ।

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୧୪ - ନିର୍ବାଚନ ପରିଚାଳନା ନିୟନ୍ତ୍ରଣ କକ୍ଷରେ ବୈଷୟିକ ଜ୍ଞାନକୌଶଳ ଓ ସିସିଟିଭି ମନିଟରିଂ ବ୍ୟବସ୍ଥାର ବ୍ୟବହାର।]

ଚିତ୍ର : ୫.୧୪ : ନିର୍ବାଚନ ପରିଚାଳନାରେ ବୈଷୟିକ କୌଶଳର ବ୍ୟାପକ ବ୍ୟବହାର

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୧୫ - ଭାରତର ପ୍ରଥମ ମତଦାତା ସ୍ୱର୍ଗତ ଶ୍ୟାମ ଶରଣ ନେଗୀଙ୍କ ଫଟୋଚିତ୍ର ଯେଉଁଥିରେ ସେ ବୃଦ୍ଧାବସ୍ଥାରେ ଭୋଟ୍ ଦେଉଛନ୍ତି।]

ଚିତ୍ର ୫.୧୫ : ଶ୍ୟାମ ଶରଣ ନେଗୀ, ହିମାଚଳ ପ୍ରଦେଶର ଜଣେ ଶିକ୍ଷକ ଯିଏ ୧୯୫୧ ମସିହାରେ ଭାରତର ପ୍ରଥମ ସାଧାରଣ ନିର୍ବାଚନରେ ପ୍ରଥମ ମତଦାତା ଥିଲେ। ସେ ଏଠାରେ ୨୦୧୭ ମସିହାରେ ୧୦୦ ବର୍ଷ ବୟସରେ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି ।

ଆସ ଅନୁସନ୍ଧାନ କରିବା

  • ଭାରତର ଇଲେକ୍‌ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଏବଂ ଭିଭିପାଟ୍ ପ୍ରଣୟନ ବ୍ୟବସ୍ଥା ନାମିବିୟା ଏବଂ ଭୁଟାନ ଆଦି ଦେଶରେ ଆମ ନିର୍ବାଚନ ଆୟୋଗଙ୍କ ସହଯୋଗରେ ବ୍ୟବହୃତ ହେଉଅଛି । ଅନ୍ୟ କେତେକ ଦେଶ ମଧ୍ୟ ଆମର ଏହି ବୈଷୟିକ ଜ୍ଞାନ କୌଶଳ ଅଧ୍ୟୟନ କରିବାକୁ ଭାରତ ଆସି ତାଲିମ୍ ନେବାପରେ ତାଙ୍କ ଦେଶରେ କାର୍ଯ୍ୟକାରୀ କରିବାକୁ ସ୍ଥିର କରିଛନ୍ତି।

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୧୬ - ବାଲଟ ୟୁନିଟ୍ ଏବଂ ଭିଭିପାଟ୍ (VVPAT) ଯନ୍ତ୍ରର ଚିତ୍ର।]

ଚିତ୍ର : ୫.୧୬ : ଇଲେକ୍‌ଟ୍ରୋନିକ୍‌ ଭୋଟିଂ ମେସିନ୍ (ଇଭିଏମ୍)

  • ଭିଭିପାଟ୍ (Voter verifiable paper audit trail) ହେଉଛି ଏକ କାଗଜ ଦସ୍ତାବିଜ ମୁଦ୍ରଣ କରୁଥିବା ମାଧ୍ୟମ ଯାହା ମତଦାତାଙ୍କ ସେ ଇଭିଏମ୍‌ରେ ପ୍ରଦାନ କରିଥିବା ମତ ସହିତ ମିଳାଇଥାଏ । ମତଦାତା ପ୍ରଦାନ କରିଥିବା ମତର ସଙ୍କେତ ସହିତ ଭିଭିପାଟରୁ ସଂଗୃହୀତ ମତ ମେଳ ଖାଇବା ନିତାନ୍ତ ଆବଶ୍ୟକ । ଏହା ମଧ୍ୟ ଆବଶ୍ୟକ ସ୍ଥଳେ ପରବର୍ତ୍ତୀ ସମୟରେ ସତ୍ୟ ଉନ୍ମୋଚନ କିମ୍ବା ପୁନଃ ଗଣନା ସମୟରେ ସହାୟକ ହୋଇଥାଏ।

ନିର୍ବାଚନର ଆଦର୍ଶ ନିୟମାବଳୀ (ଆଚରଣ ବିଧି)

ଭାରତରେ ନିର୍ବାଚନକୁ ସ୍ଵାଧୀନ ଓ ସ୍ଵଚ୍ଛ ରଖିବା ନିମନ୍ତେ କେତେକ ଆଦର୍ଶ ନିୟମାବଳୀ ଅନୁସରଣ କରାଯାଏ । ଏହା ନେତା, ରାଜନୈତିକ ଦଳ ଏବଂ ପ୍ରାର୍ଥୀ କେତେକ କାର୍ଯ୍ୟରୁ ବାରଣ କରିବା ସହିତ ଅନ୍ୟ କେତେକ ଗ୍ରହଣ ଯୋଗ୍ୟ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥାଏ।

ଆଚରଣବିଧିର କେତେକ ମୁଖ୍ୟାଂଶ :

  • କ. ସରକାରରେ ଥିବା ରାଜନୈତିକ ଦଳ ଏହି ନିୟମ ପାଳନ କରିବା ଉଚିତ; ଏହା ସୁନିଶ୍ଚିତ କରିବା ଉଚିତ ଯେ ସରକାରୀ ସମ୍ପତ୍ତି ଯେପରି କୌଣସି ରାଜନୈତିକ ଦଳ ଦ୍ଵାରା ନିର୍ବାଚନ କାର୍ଯ୍ୟରେ ବ୍ୟବହୃତ ହେବ ନାହିଁ। ଉଦାହରଣ ସ୍ଵରୂପ, ନିର୍ବାଚନ ତାରିଖ ଘୋଷଣା ପରେ ସରକାର ମତଦାତାଙ୍କୁ ପ୍ରଲୋଭିତ କରିବା ପାଇଁ କୌଣସି ନୂତନ ଯୋଜନା କିମ୍ବା ପ୍ରକଳ୍ପ ଘୋଷଣା କରିପାରିବେ ନାହିଁ ।
  • ଖ. ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରତ୍ୟେକ ପ୍ରାର୍ଥୀ କେତେକ ସୁବିଧା ହାସଲ କରିବା ସହିତ କେତେକ କଟକଣାକୁ ମାନିନେବା ଆଶା କରାଯାଏ।
  • ଗ. ଉପହାର ପ୍ରଦାନ ମାଧ୍ୟମରେ ମତଦାତାଙ୍କୁ ପ୍ରଭାବିତ କରିବାକୁ ଦଣ୍ଡନୀୟ ବିବେଚନା କରାଯାଏ।

ଆସ ଅନୁସନ୍ଧାନ କରିବା ନିର୍ବାଚନ ଆୟୋଗ ବିବେଚନା କରିଥିବା କେତେକ ଅଭିଯୋଗ ଏଠାରେ ଦିଆଗଲା।

[ଚିତ୍ର ବର୍ଣ୍ଣନା : ଚାରୋଟି ଚିତ୍ର ଯେଉଁଥିରେ ଆଚରଣ ବିଧି ଉଲ୍ଲଙ୍ଘନ ଦର୍ଶାଯାଇଛି — ପ୍ରାର୍ଥୀ ଉପହାର/ଶାଢ଼ୀ ବାଣ୍ଟୁଛନ୍ତି, ଭାଷଣରେ ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି, ସରକାରୀ କର୍ମଚାରୀ ପ୍ରଚାର କରୁଛନ୍ତି, ଏବଂ କାର୍ ଯାଞ୍ଚ ସମୟରେ ଟଙ୍କା ଜବତ ହେଉଛି।]

  • ଚିତ୍ର : ୫.୧୭ : ମହିଳା ମତଦାତାଙ୍କୁ ଶାଢ଼ୀ ଓ ଘରୋଇ ଉପକରଣ ବାଣ୍ଟୁଥିବା ଜଣେ ପ୍ରାର୍ଥୀ
  • ଚିତ୍ର : ୫.୧୮: ଅନ୍ୟ ଦଳ ପ୍ରାର୍ଥୀଙ୍କ ବିରୋଧରେ ଅଶାଳୀନ ଶବ୍ଦ ପ୍ରୟୋଗ କରୁଥିବା ଜଣେ ପ୍ରାର୍ଥୀ
  • ଚିତ୍ର : ୫.୧୯ : ଶାସକ ଦଳ ସପକ୍ଷରେ ନିର୍ବାଚନ ପ୍ରଚାର କରୁଥିବା ସରକାରୀ କର୍ମଚାରୀ
  • ଚିତ୍ର : ୫.୨୦ : ନିରୀକ୍ଷଣ ସମୟରେ ଜଣେ ପ୍ରାର୍ଥୀଙ୍କ କାରରୁ ଉଦ୍ଧାର କରାଯାଇଥିବା ୫୦୦ ଟଙ୍କା ବିଡ଼ା

ତୁମେ କାହିଁକି ଅନୁଭବ କରୁଛ ଯେ ଏସବୁ ଆଦର୍ଶ ନିୟମାବଳୀ ବା ଆଚରଣ ବିଧି ଉଲ୍ଲଙ୍ଘନ କରୁଛି ବୋଲି ?

ମନେରଖ ୧୯୬୦ ମସିହାରେ କେରଳ ରାଜ୍ୟରେ ଗ୍ରହଣ କରାଯାଇଥିବା କେତେକ ଆଦର୍ଶ ନିର୍ବାଚନ ଆଚରଣ ବିଧି ସେ ସମୟର ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ଏହି ଆଚରଣ ବିଧି ସମୂହକୁ ଭାରତର ନିର୍ବାଚନ ଆୟୋଗ ୧୯୬୨ ମସିହା ନିର୍ବାଚନ ସମୟରେ ପ୍ରସାରିତ କରିଥିଲେ ଏବଂ ୧୯୯୧ ମସିହା ନିର୍ବାଚନ ସମୟରେ ଏବଂ ତାହା ପରଠାରୁ ଏହି ଆଚରଣବିଧି ପାଳନ ନିମନ୍ତେ ଅଧିକ ସକ୍ରିୟ ହୋଇ ଉଠିଲେ।

ମନେରଖ ୧୯୯୦ ମସିହାରେ ଶ୍ରୀଯୁକ୍ତ ଟି.ଏନ୍. ଶେଷାନ୍ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବରେ ନିଯୁକ୍ତ ହୋଇଥିଲେ । ସେ ସ୍ଵଚ୍ଛ ଓ ଅବାଧ ନିର୍ବାଚନ ନିମନ୍ତେ କେତେକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ । କେତେକ ନିୟମାବଳୀ ମଧ୍ୟରେ ନିର୍ବାଚନ ପ୍ରଚାର, ସଠିକ୍ ମତଦାତାଙ୍କ ପରିଚୟ ନିମନ୍ତେ ନିର୍ବାଚକ ପରିଚୟପତ୍ର ଏବଂ ପ୍ରାର୍ଥୀ ବା ପ୍ରତ୍ୟାଶୀଙ୍କର ସମସ୍ତ ନିର୍ବାଚନ ଖର୍ଚ୍ଚ ଉପରେ ତୀକ୍ଷ୍ଣ ନଜର ରଖିବା ଆଦି ତାହା ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା। ଟି.ଏନ୍. ଶେଷାନ୍ ମତଦାତାଙ୍କ ଅଧିକାର ସୁରକ୍ଷା ନିମନ୍ତେ କଠିନ ପରିଶ୍ରମ କରିଥିଲେ। ସେ ଭାରତୀୟ ନିର୍ବାଚନକୁ ଅବାଧ, ଭୟଶୂନ୍ୟ ଓ ସ୍ୱଚ୍ଛ କରିବା ନିମନ୍ତେ ସବୁ ସମୟରେ ଉଦାହରଣ ହୋଇ ରହିବେ।

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୨୧ - ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ସ୍ୱର୍ଗତ ଟି.ଏନ୍. ଶେଷାନ୍‌ଙ୍କ ଫଟୋଚିତ୍ର।]

ଚିତ୍ର ୫.୨୧ : ଟି.ଏନ୍. ଶେଷାନ୍

ଆସ ଅନୁସନ୍ଧାନ କରିବା ତୁମେ ବାସ କରୁଥିବା ଅଞ୍ଚଳରେ ପରବର୍ତ୍ତୀ ନିର୍ବାଚନ କେବେ ଅନୁଷ୍ଠିତ ହେବ ? ଏହା ରାଜ୍ୟ, ସହରାଞ୍ଚଳ ସ୍ଥାନୀୟ ଶାସନ କିମ୍ବା ପଞ୍ଚାୟତ ନିର୍ବାଚନ ମଧ୍ୟରୁ କେଉଁଟି ?

ଭାରତର ନିର୍ବାଚନକୁ ବୁଝିବା – ଏକ ସମ୍ୟକ୍ ଧାରଣା

ଲୋକସଭା ଏବଂ ରାଜ୍ୟ ବିଧାନସଭା ନିମନ୍ତେ ନିର୍ବାଚନ ଭାରତର ନିର୍ବାଚନକୁ ଅନେକ ସମୟରେ ‘ଗଣତନ୍ତ୍ର ମହାପର୍ବ’ ବୋଲି କୁହାଯାଏ। ଏହି ସମୟରେ ମତଦାତାମାନେ ଅବାଧ, ସ୍ଵଚ୍ଛ ଓ ଦାୟିତ୍ଵପୂର୍ଣ୍ଣ ଭାବରେ ସେମାନଙ୍କ ପ୍ରତିନିଧି ଚୟନର ଅଧିକାର କାର୍ଯ୍ୟକାରୀ କରିଥାନ୍ତି।

ଆମେ ଜାଣୁ ଯେ ଭାରତରେ ସଂସଦୀୟ ଗଣତନ୍ତ୍ର ପ୍ରଚଳିତ ଅଛି ଏବଂ ବିଭିନ୍ନ ସ୍ତର ଯଥା ଲୋକସଭା (ଜାତୀୟ ସ୍ତରରେ), ବିଧାନସଭା (ରାଜ୍ୟ ସ୍ତରରେ) ଏବଂ ଆଞ୍ଚଳିକ (ସହର ଏବଂ ଗ୍ରାମାଞ୍ଚଳରେ) ନିର୍ବାଚନରେ ନାଗରିକମାନେ ଅଂଶଗ୍ରହଣ କରିଥାନ୍ତି। ସାରା ଦେଶ ୫୪୩ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଭାଜିତ ହୋଇଥାଏ। ଆମ ରାଜ୍ୟ ଓଡ଼ିଶା ମଧ୍ୟ ୧୪୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଭାଜିତ ହୋଇଥାଏ। ଲୋକସଭାକୁ ନିର୍ବାଚିତ ବ୍ୟକ୍ତିଙ୍କୁ ସଂସଦ ସଦସ୍ୟ ବା ସାଂସଦ ଏବଂ ବିଧାନ ସଭାକୁ ନିର୍ବାଚିତ ବ୍ୟକ୍ତିଙ୍କୁ ବିଧାନ ସଭା ସଦସ୍ୟ ବା ବିଧାୟକ କୁହାଯାଏ । ଭାରତର ନିର୍ବାଚନ ପଦ୍ଧତି ‘ଫାଷ୍ଟ-ପାଷ୍ଟ-ଦି-ପୋଷ୍ଟ’ କୁ ଆପଣେଇ ଅଛି। ଏହାର ଅର୍ଥ ନିର୍ବାଚନରେ ସର୍ବାଧିକ ମତ ପାଇଥିବା ପ୍ରାର୍ଥୀ ଜୟଯୁକ୍ତ ଘୋଷିତ ହେବା। ଅର୍ଥାତ୍ ଅର୍ଦ୍ଧାଧିକ ବା ୫୦ ପ୍ରତିଶତରୁ ଅଧିକ ସଂଖ୍ୟକ ମତଦାନ ନ ପାଇଲେ ମଧ୍ୟ ଜଣେ ପ୍ରାର୍ଥୀ ଜୟଯୁକ୍ତ ହୋଇଥାନ୍ତି। (ଯେପରି ୩୩ ଖଣ୍ଡ ଭୋଟରୁ ମାତ୍ର ୧୩ ଖଣ୍ଡ ଭୋଟ ପାଇ ପୂଜା ଶ୍ରେଣୀ ପ୍ରତିନିଧି ରୂପେ ଜୟଯୁକ୍ତ ହେଲା)

ମନେରଖ ଆଞ୍ଚଳିକ ଭାଷାରେ ବ୍ୟବସ୍ଥାପିକା ସଭା ଅନେକ ନାମରେ ପରିଚିତ ହୋଇଥାଏ ଯେପରି ବିଧାନସଭା କିମ୍ବା ନିୟମ ପ୍ରଣୟନ ସଭା ଆଦି । ଆମ ରାଜ୍ୟରେ ଏହାକୁ କ’ଣ କୁହାଯାଏ ?

ନିର୍ବାଚନ ପ୍ରକ୍ରିୟା ପରେ ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏକାକୀ କିମ୍ବା ମେଣ୍ଟ ଭାବରେ ଜୟଯୁକ୍ତ ରାଜନୈତିକ ଦଳ ସରକାର ଗଠନ କରିଥାନ୍ତି। ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ରାଜନୈତିକ ଦଳର ନେତା ପ୍ରଧାନ ମନ୍ତ୍ରୀ ହୋଇଥାନ୍ତି। ସେହିପରି ରାଜ୍ୟ ସ୍ତରରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ରାଜନୈତିକ ଦଳର ନେତା ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ।

ମେଣ୍ଟ (Coalition): ଏକାଧିକ ରାଜନୈତିକ ଦଳ ଏକାଠି କାର୍ଯ୍ୟ କରିବା ବ୍ୟବସ୍ଥା

ସାଂସଦ ଓ ବିଧାୟକଙ୍କ ମଧ୍ୟରେ ପାର୍ଥକ୍ୟ କ'ଣ ?

ସାଂସଦମାନେ ଆମ ଜାତୀୟ ସଂସଦରେ ଆମ ପ୍ରତିନିଧି ଅଟନ୍ତି, ମାତ୍ର ବିଧାୟକମାନେ ଆମର ବିଧାନ ସଭା ନିମନ୍ତେ ପ୍ରତିନିଧି ଅଟନ୍ତି । ଉଭୟେ ସମାନ ପଦ୍ଧତିରେ ନିର୍ବାଚିତ ହେଲେ ମଧ୍ୟ ଭିନ୍ନ ଭିନ୍ନ ସ୍ତରରେ ଶାସନ କରିଥାନ୍ତି ।

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୨୨ - କେନ୍ଦ୍ର ଓ ରାଜ୍ୟ ସ୍ତରରେ ସଂଖ୍ୟାଗରିଷ୍ଠ ଦଳର ନେତା ଯଥାକ୍ରମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହେବାର ଏକ ଦୃଶ୍ୟାବଳୀ।]

  • ଯଦି ଏକ କିମ୍ବା ମେଣ୍ଟ ଦଳ ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥାନ୍ତି ତେବେ ସେ ସରକାର ଗଠନ କରିବେ ଏବଂ ତାଙ୍କ ନେତା ପ୍ରଧାନମନ୍ତ୍ରୀ ହେବେ
  • ରାଜ୍ୟ ସ୍ତରରେ ମଧ୍ୟ ଏକ ବା ମିଳିତ ଦଳ ସଂଖ୍ୟା ଗରିଷ୍ଠତା ଲାଭ କରି ସରକାର ଗଠନ କରନ୍ତି ଏବଂ ଏହାର ନେତା ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ।

ଚିତ୍ର ୫.୨୨

ଚିତ୍ର ୫.୧୧ରେ ଆମେ ଦେଖିଲେ ଯେ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ନିର୍ବାଚନ ପ୍ରକ୍ରିୟାର ଏକ ଅଂଶବିଶେଷ। ଯିଏ ସ୍ଥାନୀୟ (ଗ୍ରାମାଞ୍ଚଳ ଓ ସହରାଞ୍ଚଳ) ସ୍ଵାୟତ୍ତ ଶାସନ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଏହି ସମସ୍ତ ନିର୍ବାଚନ ବ୍ୟବସ୍ଥାରେ ମଧ୍ୟ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା, ଏବଂ ଅନ୍ୟ ସମସ୍ତ ସାମ୍ବିଧାନିକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ।

ଆସ ଅନୁସନ୍ଧାନ କରିବା

  • ତୁମେ ବାସ କରୁଥିବା ଅଞ୍ଚଳର ସାଂସଦ ବା ବିଧାୟକ/ ବିଧାୟିକା କେଉଁମାନେ ଅଛନ୍ତି ? (ଏକ ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଅନେକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରହିଥାଏ)
  • ସେମାନେ ସମସ୍ତେ କେଉଁ ଦଳର ସଦସ୍ୟ ଅଟନ୍ତି ?
  • ସାଂସଦ ଓ ବିଧାୟକଙ୍କ କାର୍ଯ୍ୟ ସବୁ କ’ଣ ?

ରାଜ୍ୟସଭା ନିର୍ବାଚନ

ରାଜ୍ୟସଭାକୁ ନିର୍ବାଚିତ ହେଉଥିବା ପ୍ରାର୍ଥୀମାନେ ମଧ୍ୟ ସାଂସଦ ନାମରେ ପରିଚିତ ହୋଇଥାନ୍ତି କିନ୍ତୁ ସେମାନେ ଏକ ପରୋକ୍ଷ ନିର୍ବାଚନ ପଦ୍ଧତି ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ଏଥର ପୁଣି ଥରେ ରେଭେନ୍ସା ବାଳିକା ବିଦ୍ୟାଳୟକୁ ଫେରିବା । ମନେକର ସେଠାରେ ସ୍କୁଲ ସ୍ତରରେ ଏକ ସ୍ଵତନ୍ତ୍ର ପରିଷଦ ଗଠନ କରିବାକୁ ପ୍ରସ୍ତାବ ଆସିଲା। ଯଦି ସେହି ପରିଷଦର ସଦସ୍ୟମାନେ ଶ୍ରେଣୀ ପ୍ରତିନିଧିଙ୍କ ମାଧ୍ୟମରେ ନିର୍ବାଚିତ ହେବେ ତେବେ ତାହା ପରୋକ୍ଷ ନିର୍ବାଚନ କୁହାଯିବ।

ରାଜ୍ୟ ସଭାରେ ସର୍ବାଧିକ ୨୫୦ ଜଣ ସାଂସଦ ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ବାସ୍ତବରେ ୨୪୫ ଜଣ ସାଂସଦ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୩୩ ଜଣ ରାଜ୍ୟ ବିଧାନସଭାର ବିଧାୟକମାନଙ୍କ ଦ୍ଵାରା ନିର୍ବାଚିତ ହୋଇଥାନ୍ତି ଏବଂ ୧୨ ଜଣ ସାଂସଦ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଥାନ୍ତି। ଜନସଂଖ୍ୟା ଭିତ୍ତିରେ ପ୍ରତ୍ୟେକ ରାଜ୍ୟ ଭିନ୍ନ ଭିନ୍ନ ସଂଖ୍ୟକ ସାଂସଦ ରାଜ୍ୟସଭାକୁ ନିର୍ବାଚିତ କରିଥାନ୍ତି। ଉଦାହରଣ ସ୍ୱରୂପ ଉତ୍ତର ପ୍ରଦେଶ ସର୍ବାଧିକ ଓ ଅରୁଣାଚଳ ପ୍ରଦେଶ ସର୍ବନିମ୍ନ ସାଂସଦ ନିର୍ବାଚିତ କରିଥାନ୍ତି।

ରାଜ୍ୟସଭା ଏକ ସ୍ଥାୟୀ କକ୍ଷ ବା ସଦନ । ଏହା ଲୋକସଭା ଭଙ୍ଗ ପରି କୌଣସି ସମୟରେ ଭଙ୍ଗ କରାଯାଇ ନଥାଏ । ପ୍ରତି ଦୁଇ ବର୍ଷରେ ଥରେ ଏହାର ଏକ ତୃତୀୟାଂଶ ସଦସ୍ୟଙ୍କ ସଦସ୍ୟତା ସମାପ୍ତ ହୁଏ । ପ୍ରତି ସଦସ୍ୟ ୬ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥାନ୍ତି । ରାଜ୍ୟସଭା ନିର୍ବାଚନରେ ବ୍ୟବହୃତ ପଦ୍ଧତି ‘ଏକକ ହସ୍ତାନ୍ତରୀୟ ମତଦାନ’ ପଦ୍ଧତି ଅଟେ। ଏହା କ୍ଷୁଦ୍ର ରାଜ୍ୟଗୁଡ଼ିକରେ ଉପଯୁକ୍ତ ପ୍ରତିନିଧିତ୍ଵ ସୁନିଶ୍ଚିତ କରେ। ଏହି ନିର୍ବାଚନ ସମ୍ବନ୍ଧରେ ତୁମେ ଉପର ଶ୍ରେଣୀଗୁଡ଼ିକରେ ଅଧିକ ଜାଣିବ।

ଭଙ୍ଗ (Dissolution) : ସମୟ ସୀମା ସରିଗଲେ କିମ୍ବା ସାମ୍ବିଧାନିକ କାରଣରୁ ସ୍ଥିତିକୁ ନିଷ୍କ୍ରିୟ କରିବା ବ୍ୟବସ୍ଥା

ରାଜ୍ୟସଭା : କାଉନସିଲ ଅଫ ଷ୍ଟେଟସ୍

[ଚିତ୍ର ବର୍ଣ୍ଣନା : ଚିତ୍ର ୫.୨୩ - ରାଜ୍ୟସଭା କକ୍ଷର ପୃଷ୍ଠଭୂମି ସହ ଏହାର ଗଠନ, ସଦସ୍ୟ ଚୟନ ପ୍ରକ୍ରିୟା, ଏକକ ହସ୍ତାନ୍ତରୀୟ ଭୋଟିଂ ପ୍ରଣାଳୀ ଆଦି ବୁଝାଉଥିବା ଏକ ସୂଚନାପତ୍ର।]

  • ବିଧାୟକ ପରୋକ୍ଷ ନିର୍ବାଚନରେ ଭୋଟ ଦେଇଥାନ୍ତି
  • ଭାରତର ରାଷ୍ଟ୍ରପତି ୧୨ ଜଣ ସାଂସଦଙ୍କୁ ମନୋନୀତ କରିଥାନ୍ତି
  • ୨୩୩ ଜଣ ସାଂସଦ ନିର୍ବାଚିତ ହୁଅନ୍ତି ।
  • ପରୋକ୍ଷ ନିର୍ବାଚନ ଦ୍ଵାରା ରାଜ୍ୟ ସଭା ସାଂସଦଗଣ, ରାଜ୍ୟ ବିଧାନସଭାର ବିଧାୟକଙ୍କ ଦ୍ଵାରା ନିର୍ବାଚିତ ହୋଇଥାନ୍ତି। ରାଷ୍ଟ୍ରପତି ୧୨ ଜଣ ସ୍ଵତନ୍ତ୍ର ବ୍ୟକ୍ତିଙ୍କୁ ମନୋନୀତ କରିଥାନ୍ତି ।
  • ରାଜ୍ୟସଭାର ସଭ୍ୟ ସଂଖ୍ୟା ଏକ ରାଜ୍ୟର ଜନସଂଖ୍ୟା ଉପରେ ନିର୍ଭରଶୀଳ। ଉତ୍ତର ପ୍ରଦେଶ ପରି ଜନବହୁଳ ରାଜ୍ୟ ଅଧିକ ସଂଖ୍ୟକ ସଦସ୍ୟ ରାଜ୍ୟ ସଭାକୁ ପଠାଇଥାଏ । ଓଡ଼ିଶା ପରି ରାଜ୍ୟ ମାତ୍ର ୧୦ ଜଣଙ୍କୁ ରାଜ୍ୟ ସଭାକୁ ନିର୍ବାଚିତ କରିଥାଏ ।
  • ରାଜ୍ୟସଭା ଏକ ସ୍ଥାୟୀ ସଂସ୍ଥା । ଏହାର ଏକ ତୃତୀୟାଂଶ ସଦସ୍ୟ ପ୍ରତି ଦୁଇ ବର୍ଷରେ ଥରେ ଅବସର ନିଅନ୍ତି ଯାହା ଏହାର ନିରନ୍ତର କାର୍ଯ୍ୟକାରିତା ବଜାୟ ରଖେ।
  • ବିଧାୟକମାନେ ଏକକ ହସ୍ତାନ୍ତରୀୟ ମତଦାନ ପଦ୍ଧତି ମାଧ୍ୟମରେ ନିଜ ପସନ୍ଦକୁ ଏକ, ଦୁଇ, ତିନି ଆଦି କ୍ରମରେ ମତଦାନ କରିଥାନ୍ତି ।

ଚିତ୍ର ୫.୨୩

ଦ୍ଵିସଦନୀୟ ବ୍ୟବସ୍ଥାପିକା (Bicameral Legislature) : ଏହି ବ୍ୟବସ୍ଥାରେ ଏକ ବ୍ୟବସ୍ଥାପିକା ସଭା ଦୁଇଟି ସଦନ ବିଶିଷ୍ଟ ହୋଇଥାଏ ।

ଭାରତ ରାଷ୍ଟ୍ରପତିଙ୍କ ନିର୍ବାଚନ

ଭାରତର ରାଷ୍ଟ୍ରପତି ଦେଶର ସାଧାରଣ ମତଦାତାଙ୍କ ଦ୍ଵାରା ନିର୍ବାଚିତ ହୋଇ ନଥାନ୍ତି । ବରଂ ରାଷ୍ଟ୍ରପତିଙ୍କୁ ନିର୍ବାଚନ କରିବାକୁ ଏକ ନିର୍ବାଚକ ମଣ୍ଡଳୀ (electoral college) ଗଠନ କରାଯାଇ ମତଦାନ ନିଆଯାଇଥାଏ। ଏହି ନିର୍ବାଚକ ମଣ୍ଡଳୀର ଗଠନ :

  • ସଂସଦ ଉଭୟ (ରାଜ୍ୟ ସଭା ଓ ଲୋକସଭା) ଗୃହର ନିର୍ବାଚିତ ପ୍ରତିନିଧି ବା ସାଂସଦ ଗଣ
  • ଭାରତର ସମସ୍ତ ରାଜ୍ୟ ବିଧାନ ସଭା ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭାର ନିର୍ବାଚିତ ବିଧାୟକଗଣ

ଏହି ନିର୍ବାଚନରେ ଏକକ ହସ୍ତାନ୍ତରୀୟ ମତଦାନ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ଯେହେତୁ ରାଷ୍ଟ୍ରପତି ସାରା ଭାରତକୁ ପ୍ରତିନିଧିତ୍ଵ କରିଥାନ୍ତି, ଏହି ପଦ୍ଧତି ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସମର୍ଥନ ସୁନିଶ୍ଚିତ କରିଥାଏ। ଏଠାରେ ମତଦାନ ଓ ଗଣନ ସମ୍ପର୍କିତ ନିୟମାବଳୀ ବିସ୍ତୃତ ଏବଂ ସୁସ୍ପଷ୍ଟ । ଅଧିକ ଜନବହୁଳ ରାଜ୍ୟର ଭୂମିକା ଏଠାରେ ଅଧିକ ଗୁରୁତ୍ଵପୂର୍ଣ୍ଣ (ଉପର ଶ୍ରେଣୀରେ ଏ ବିଷୟରେ ଅଧିକ ଜାଣିବା)। ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୫ ବର୍ଷ ଅଟେ । ନିମ୍ନ ବର୍ଣ୍ଣିତ ପ୍ରତିନିଧିମାନେ ରାଷ୍ଟ୍ରପତିଙ୍କ ନିର୍ବାଚନରେ ଭାଗ ନେଇପାରନ୍ତି ନାହିଁ :

  • ରାଜ୍ୟ ସଭାର ସମସ୍ତ (୧୨) ମନୋନୀତ ସଦସ୍ୟଗଣ
  • ଲୋକସଭାର ସମସ୍ତ (୨) ମନୋନୀତ ସଦସ୍ୟଗଣ (ଯଦି ମନୋନୀତ ହୋଇଥାନ୍ତି)
  • ରାଜ୍ୟ ବିଧାନସଭାର ମନୋନୀତ ସଦସ୍ୟ ଗଣ
  • ରାଜ୍ୟ ବିଧାନ ପରିଷଦର ସମସ୍ତ ସଦସ୍ୟଗଣ (ନିର୍ବାଚିତ ଓ ମନୋନୀତ)
  • ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନ ସଭାର ମନୋନୀତ ସଦସ୍ୟଗଣ

ଏହା ବିଷୟରେ ଚିନ୍ତା କର ଉପର ବର୍ଣ୍ଣିତ ପ୍ରତିନିଧିଗଣ କେଉଁ କାରଣ ପାଇଁ ରାଷ୍ଟ୍ରପତିଙ୍କ ନିର୍ବାଚନରେ ଭାଗ ନିଅନ୍ତି ନାହିଁ ବୋଲି ତୁମେ ଭାବୁଛ ? ଭାରତର ସାଧାରଣ ନାଗରିକ କାହିଁକି ଏହି ନିର୍ବାଚନରେ ଭାଗ ନେଇ ନଥାନ୍ତି ?

କାରଣ, ଏହା ସୁନିଶ୍ଚିତ କରେ ଯେ, କେବଳ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ପ୍ରତିନିଧି ହିଁ ଭୋଟ ଦେବାକୁ ଯୋଗ୍ୟ। ଏହା ଗଣତାନ୍ତ୍ରିକ ଅଙ୍ଗୀକାରତା ବଜାୟ ରଖେ, ଯେହେତୁ ରାଷ୍ଟ୍ରପତି ଲୋକଙ୍କ ଇଚ୍ଛାର ପ୍ରତିନିଧିତ୍ୱ କରନ୍ତି।

ଭାରତର ଉପରାଷ୍ଟ୍ରପତିଙ୍କ ନିର୍ବାଚନ

ସଂସଦର ଉଭୟ (ରାଜ୍ୟସଭା ଓ ଲୋକସଭା) ସଦନର ସମସ୍ତ ସାଂସଦଙ୍କୁ ନେଇ ଗଠିତ ନିର୍ବାଚକ ମଣ୍ଡଳୀ ଦ୍ଵାରା ଭାରତର ଉପରାଷ୍ଟ୍ରପତି ଏକକ ହସ୍ତାନ୍ତରୀୟ ନିର୍ବାଚନ ପଦ୍ଧତି ମାଧ୍ୟମରେ ନିର୍ବାଚିତ ହୋଇଥାନ୍ତି । ତାଙ୍କ କାର୍ଯ୍ୟକାଳ ୫ ବର୍ଷ । ସେ ମଧ୍ୟ ସଂସଦର ଉଚ୍ଚ ସଦନ ରାଜ୍ୟସଭାର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିଥାନ୍ତି । ଯଦି କୌଣସି ସମୟରେ କିମ୍ବା କୌଣସି କାରଣରୁ ଭାରତର ରାଷ୍ଟ୍ରପତି ଆନୁଷ୍ଠାନିକ ଭାବେ ନିଜ କାର୍ଯ୍ୟ କରିବାରେ ଅସମର୍ଥ ହୋଇଥାନ୍ତି, ସେ ସମୟରେ ଉପରାଷ୍ଟ୍ରପତି, ରାଷ୍ଟ୍ରପତି ରୂପେ ଦାୟିତ୍ଵ ତୁଲାଇଥାନ୍ତି।

ଗଣତନ୍ତ୍ର ପ୍ରତି ଆହ୍ୱାନ ଏବଂ ଭବିଷ୍ୟତ କାର୍ଯ୍ୟ ପନ୍ଥା

ଭାରତର ନିର୍ବାଚନ ବ୍ୟବସ୍ଥା ପୃଥିବୀର ସର୍ବବୃହତ ଗଣତାନ୍ତ୍ରିକ ପ୍ରକ୍ରିୟା ଅଟେ। ତଥାପି, ଅନ୍ୟାନ୍ୟ ଅନେକ ବ୍ୟବସ୍ଥା ପରି ଏହା ମଧ୍ୟ କେତେକ ଆହ୍ୱାନର ସମ୍ମୁଖୀନ ହୋଇଥାଏ। ନିର୍ବାଚନରେ ଧର୍ମର ପ୍ରଭାବ, ପ୍ରାର୍ଥୀଙ୍କର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଅପରାଧିକ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ରେକର୍ଡ଼ ଏବଂ ମତଦାତାଙ୍କ ବୀତସ୍ପୃହ ମନୋଭାବ (ବିଶେଷତଃ ସହରାଞ୍ଚଳରେ) ଆଦି ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର କାର୍ଯ୍ୟକାରିତା ଓ ଭବିଷ୍ୟତ ସନ୍ଦେହଜନକ କରେ ।

ଆଗକୁ ଆମକୁ ଦେଖିବାକୁ ପଡ଼ିବ, ଆମ ମତଦାତାମାନେ ସମସ୍ତ ସୂଚନା ସଂଗ୍ରହ କରି କିପରି ଦାୟିତ୍ଵ ସମ୍ପନ୍ନ ମତଦାନ କରିପାରିବେ। ଗଣମାଧ୍ୟମ, ଶିକ୍ଷା ଏବଂ ସଚେତନତାର ପ୍ରଚାର ଏକୀକୃତ ଭାବରେ କାର୍ଯ୍ୟକରି ମତଦାତା, ବିଶେଷତଃ ଯୁବକମାନଙ୍କ କ୍ଷେତ୍ରରେ ସହଯୋଗ କରିବ ଯେପରି ସେମାନେ ଉପଯୁକ୍ତ ମତଦାନର ଆବଶ୍ୟକତାକୁ ହୃଦୟଙ୍ଗମ କରିପାରିବେ। କେବଳ ଦାୟିତ୍ଵସମ୍ପନ୍ନ ଓ ସଚେତନ ମତଦାତା ହେଉଛନ୍ତି ଆମ ଗଣତନ୍ତ୍ର ରକ୍ଷାକବଚ। ଏହା ଉପଯୁକ୍ତ ପ୍ରଶ୍ନ ପଚାରିବା ଠାରୁ ଆରମ୍ଭ ହୋଇ ଦାୟିତ୍ଵ ସମ୍ପନ୍ନ ମତଦାନରେ ସମାପ୍ତ ହୋଇଥାଏ।

ଆମେ କ'ଣ ଶିଖିଲେ...

  • ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା ଭାରତୀୟ ଗଣତନ୍ତ୍ରର ମୂଳତତ୍ତ୍ୱ ଅଟେ।
  • ମତଦାନ, ଅଧିକାର ସହିତ ଏକ ଦାୟିତ୍ବବୋଧ ମଧ୍ୟ ଅଟେ । ଏହା ପ୍ରତ୍ୟେକ ମତଦାତା ଗୁରୁତର ସହିତ ଗ୍ରହଣ କରିବା ଉଚିତ। ମତଦାତା ସଚେତନତା ମତଦାନ ଅଧିକାରର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ଅଟେ ।
  • ସମସ୍ତ ଯୋଗ୍ୟ ମତଦାତାଙ୍କୁ ନିର୍ବାଚନରେ ଅଂଶଗ୍ରହଣ ନିମନ୍ତେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ନିତାନ୍ତ ଆବଶ୍ୟକ।
  • ଭାରତର ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ଅନୁଷ୍ଠାନ ଯିଏ ସାରା ଭାରତରେ ନିର୍ବାଚନ ସମ୍ପାଦନ କରିଥାନ୍ତି ।
  • ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ସହିତ ସାରା ଭାରତ ନିର୍ବାଚନ ବ୍ୟବସ୍ଥା ଭାରତର ନିର୍ବାଚନ ଆୟୋଗଙ୍କ ତତ୍ତ୍ୱାବଧାନରେ ସମାପନ ହୁଏ।
  • ଭାରତୀୟ ଗଣତନ୍ତ୍ର କେତେକ ଆହ୍ୱାନର ସମ୍ମୁଖୀନ ହୋଇଥାଏ ଏବଂ ଏହା ମତଦାତାଙ୍କ ସଚେତନତା ଓ ସତର୍କତାକୁ ଆହ୍ୱାନ କରେ।

ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

  • ୧. ଏକ ସୁସ୍ଥ ଗଣତନ୍ତ୍ର ନିମନ୍ତେ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ ?
  • ୨. ଗୁପ୍ତ ମତଦାନର ଅର୍ଥ କ’ଣ ? ଏହା ଗଣତନ୍ତ୍ର ନିମନ୍ତେ କାହିଁକି ଆବଶ୍ୟକ ?
  • ୩. ପ୍ରତ୍ୟକ୍ଷ ଓ ପରୋକ୍ଷ ମତଦାନର ଉଦାହରଣ ଦିଅ।
  • ୪. ଲୋକସଭା ସାଂସଦ ନିର୍ବାଚନ, ରାଜ୍ୟସଭା ସାଂସଦ ନିର୍ବାଚନଠାରୁ କିପରି ଭିନ୍ନ ?
  • ୫. ତୁମ ମତରେ କାଗଜ ବାଲଟ୍ ଠାରୁ ଇଭିଏମ୍ କାହିଁକି ଅଧିକ ଗ୍ରହଣୀୟ ?
  • ୬. ଭାରତର କେତେକ ସହରାଞ୍ଚଳରେ ମତଦାତାଙ୍କ ଉପସ୍ଥିତି କମିବାରେ ଲାଗିଛି। ଏହାର କାରଣ କ'ଣ ହୋଇପାରେ ? ଅଧିକ ମତଦାତାଙ୍କୁ ଉତ୍ସାହିତ କରିବାକୁ କେଉଁ ସବୁ ପଦକ୍ଷେପ ନେବାକୁ ପଡ଼ିବ ?
  • ୭. ଲୋକସଭା ସଦସ୍ୟ ସଂଖ୍ୟାର ଏକ ନିର୍ଦ୍ଦିଷ୍ଟ ଅଂଶ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତି ନିମନ୍ତେ କାହିଁକି ସଂରକ୍ଷିତ ରହିଛି ବୋଲି ତୁମେ ଭାବୁଛ ? ସଂକ୍ଷେପରେ ଲେଖ।
  • ୮. ଆମେ ଅନୁଭବ କରୁଥିବା ନିର୍ବାଚନକୁ ସାମାଜିକ ଗଣମାଧ୍ୟମ କେତେକାଂଶରେ ପରିବର୍ତ୍ତନ କରୁଛି। ହୃଦୟଗ୍ରାହୀ ନିର୍ବାଚନ ପ୍ରଚାର ରିଲ୍ ଏବଂ ଭାଷଣ ଠାରୁ ଇନଷ୍ଟାଗ୍ରାମ୍ ଓ ଟୁଇଟ୍‌ରର ରାଜନୈତିକ ତର୍କ ପର୍ଯ୍ୟନ୍ତ । ମାତ୍ର ଏହା କ’ଣ ଗଣତନ୍ତ୍ରକୁ ସମୃଦ୍ଧ କରୁଛି ନା ଅଧିକ ଗୋଳମାଳିଆ କରୁଛି ? ତୁମ ମଧ୍ୟରେ ଦୁଇଜଣିଆ ଦଳ ହୋଇ ଆଲୋଚନା କର । ଆଜିର ଡିଜିଟାଲ ଦୁନିଆରେ ନିର୍ବାଚନ ବ୍ୟବସ୍ଥାର ସୁଫଳ ସବୁ କ’ଣ ? ଏ ସବୁର କ’ଣ ପ୍ରତିବନ୍ଧକ ରହିଛି ଏବଂ ଏହାର ଭବିଷ୍ୟତ କିପରି ରହିବ ?
  • ୯. https://www.indiavotes.com ୱେବସାଇଟ୍ ଖୋଜି ତନ୍ମଧ୍ୟରୁ ଏକ ସଂସଦୀୟ କ୍ଷେତ୍ର/ ମଣ୍ଡଳୀର କୌଣସି ଏକ ନିର୍ବାଚନ ବାଛି, ତାହାକୁ ଅନୁସନ୍ଧାନ କର। ସେହିପରି ତୁମ ରାଜ୍ୟର ଏକ ବିଧାନସଭା କ୍ଷେତ୍ର ବା ମଣ୍ଡଳୀର ତଥ୍ୟ ସଂଗ୍ରହ କରି ଅନୁସନ୍ଧାନ କର।