ଅଧ୍ୟାୟ ୬
ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା
“ସମ୍ବିଧାନ କେବଳ କେତେକ ଆଇନଜୀବୀଙ୍କ ଦ୍ବାରା ପ୍ରସ୍ତୁତ ଏକ ଦସ୍ତାବିଜ ନୁହେଁ; ଏହା ଜୀବନର ସ୍ରୋତ ଏବଂ ସମୟର ଆଭିମୁଖ୍ୟ ହିଁ ଏହାର ଆଭିମୁଖ୍ୟ।” — ଆଲ୍ଲାଦି କୃଷ୍ଣସ୍ଵାମୀ ଆୟାର, ନଭେମ୍ବର ୧୯୪୯, ସମ୍ବିଧାନ ପ୍ରଣୟନ ସଭା ବିତର୍କ
[ଚିତ୍ର ବର୍ଣ୍ଣନା : ୬.୧ : ନୂତନ ସଂସଦ ଗୃହର କାରୁକାର୍ଯ୍ୟପୂର୍ଣ୍ଣ ଗ୍ୟାଲେରୀ, ଅଶୋକ ଚକ୍ର ଓ ଭିତର ପାର୍ଶ୍ଵର ବିଭିନ୍ନ ଦୃଶ୍ୟ।]
ଆସ ଚିନ୍ତା କରିବା
୧. ଭାରତର ସଂସଦୀୟ ବ୍ୟବସ୍ଥା କ’ଣ ଏବଂ ଏହାର ଗଠନ ବିନ୍ୟାସ କିପରି ? ୨. ସଂସଦର ପ୍ରମୁଖ କାର୍ଯ୍ୟାବଳୀ କ’ଣ ଅଟେ ? ୩. ଭାରତୀୟ ସଂସଦୀୟ ଗଣତନ୍ତ୍ରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର ଭୂମିକା କ’ଣ ? ୪. କେନ୍ଦ୍ର ଓ ରାଜ୍ୟ ସ୍ତରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା କିପରି ସଂଗଠିତ ହୋଇଥାଏ ?
ନାଳନ୍ଦା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଏକ ଶିକ୍ଷଣୀୟ ଯାତ୍ରାରେ ଭାରତର ରାଜଧାନୀ ନୂଆଦିଲ୍ଲୀକୁ ଯାଇଥିଲେ। ଉଷା, ଆଲୋକ, ଅଞ୍ଜଳୀ ଏବଂ ବିକାଶ ଆଦି ଭାରତର ନୂତନ ସଂସଦ ସୌଧ ଭ୍ରମଣ କରିବାକୁ ଉତ୍ସାହିତ ଥିଲେ।
-
ଏହା ନା ଚତୁର୍ଭୁଜ ନା ଗୋଲାକାର। ଏହା ଏକ ସୂକ୍ଷ୍ମ ତ୍ରିଭୁଜାକାର ସୌଧ।
-
ଏହାର ତିନୋଟି ପାର୍ଶ୍ଵ ସମତୁଲତା, ସମାବେଶିତା ଏବଂ ଉଦ୍ଦେଶ୍ୟକୁ ଦର୍ଶାଇଥାଏ।
-
ସବୁଜ ନିର୍ମାଣ ଶୈଳୀରେ ନିର୍ମିତ ଏହି ସୌଧ ବିଦ୍ୟୁତ୍ ଶକ୍ତିର ବ୍ୟବହାର ୩୦ ପ୍ରତିଶତ କମାଇଥାଏ।
[ଚିତ୍ର ବର୍ଣ୍ଣନା : ନୂତନ ସଂସଦ ଭବନ ଭିତରେ ସ୍ଥାପିତ ଧଳା ପଥରର ଗଜ (ହାତୀ) ମୂର୍ତ୍ତି ଏବଂ ସୌଧର ତ୍ରିଭୁଜାକାର ଛାତର ଆଭ୍ୟନ୍ତରୀଣ ସ୍ଥାପତ୍ୟ କଳା।]
ମୟୂର, ଜନଜାତି କଳା, ମନ୍ଦିର ଏବଂ ସ୍ଵାଧୀନତା ସଂଗ୍ରାମୀ ଥିବା କାରୁକାର୍ଯ୍ୟଭରା କାନ୍ଥମାନ ସେମାନେ ଦେଖିଲେ।
-
ଏହା ଭାରତର ଏକ ସଂଗ୍ରହାଳୟ ପରି ମନେ ହେଉଛି।
-
ଅଶୋକ ସ୍ତମ୍ଭ— ଏହି ନୂତନ ସୌଧଟି ଅନେକ ପ୍ରାଚୀନ ପ୍ରତୀକରେ ଭରପୂର।
-
ବାସ୍ତବରେ, ଗଣତନ୍ତ୍ର ଭବିଷ୍ୟମୁଖୀ ହେବା ଆବଶ୍ୟକ, କିନ୍ତୁ ଏହାର ମୌଳିକତାକୁ ଭୁଲିବା ଅନୁଚିତ।
ଉପକ୍ରମ
ଉପନିବେଶବାଦ ଶାସନ ବିରୋଧରେ ଅସଂଖ୍ୟ ଲୋକଙ୍କର ଦୀର୍ଘ ବର୍ଷ ସଂଗ୍ରାମ ଓ ଅସୀମ ତ୍ୟାଗର ଫଳସ୍ୱରୂପ, ଭାରତ ସ୍ୱାଧୀନ ହେଲା। ଏହି ସ୍ଵାଧୀନ ଦେଶର ନାଗରିକମାନେ ନିଜ ଶାସନ ବ୍ୟବସ୍ଥାରେ ଏଣିକି ନିଜସ୍ଵ ନିଷ୍ପତ୍ତି ନେବାରେ ସକ୍ଷମ ହେଲେ। ନୂତନ ଯୁଗର ପ୍ରଥମ ପଦକ୍ଷେପ ସ୍ଵରୂପ ସ୍ଵାଧୀନ ଭାରତ ନିମନ୍ତେ ଏକ ନିଜସ୍ଵ ସମ୍ବିଧାନ ପ୍ରସ୍ତୁତି ଗୁରୁତ୍ଵପୂର୍ଣ୍ଣ ଥିଲା। ବିସ୍ତୃତଭାବେ ବର୍ଣ୍ଣିତ ଏହି ଦସ୍ତାବିଜ କେତେକ ମୌଳିକ ଏବଂ ଗୁରୁତ୍ବପୂର୍ଣ୍ଣ ନୀତି ଓ ନିୟମର ସମାହାର ଅଟେ। ଏହାର ମୂଳାଧାର ସ୍ଵରୂପ, ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଏବଂ ସାମାଜିକ ଓ ଆଧ୍ୟାତ୍ମିକ ପୃଷ୍ଠଭୂମି ନିର୍ବିଶେଷରେ ସମସ୍ତ ନାଗରିକଙ୍କୁ ସାର୍ବଜନୀନ ସାବାଳକ ମତଦାନ ସୁନିଶ୍ଚିତ କରାଗଲା।
ଭାରତର ନାଗରିକମାନେ ଲୋକସଭାକୁ ସେମାନଙ୍କର ପ୍ରତିନିଧି ପ୍ରତ୍ୟକ୍ଷ ଭାବେ ନିର୍ବାଚିତ କରିଥାନ୍ତି। ସେହି ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରୁ ସଂଖ୍ୟାଗରିଷ୍ଠ ଦଳ ସରକାର ଗଢ଼ିଥାନ୍ତି। ସଂସଦ ହେଉଛି ଆମ ଗଣତନ୍ତ୍ରର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା (ଏହା ସମଗ୍ର ଦେଶ ପାଇଁ ଆଇନ ପ୍ରସ୍ତୁତ କରେ)। ଏହାର ନିର୍ବାଚିତ ଓ ମନୋନୀତ ସଭ୍ୟଗଣ ସରକାରଙ୍କ କାର୍ଯ୍ୟ ନିୟନ୍ତ୍ରଣ ଓ ମାର୍ଗଦର୍ଶନ କରିଥାନ୍ତି। ଏଣୁ ଲୋକମାନଙ୍କ ସହମତିରେ ସରକାର କାର୍ଯ୍ୟ କରନ୍ତି ବୋଲି ବିବେଚନା କରାଯାଏ। ୧୯୫୨ ମସିହାର ପ୍ରଥମ ଲୋକସଭାଠାରୁ ଆଜି ପର୍ଯ୍ୟନ୍ତ ମୋଟ ୧୮ ଥର ନିର୍ବାଚନ କରାଯାଇଅଛି। ୨୦୨୪ ମସିହା ନିର୍ବାଚନ ମାଧ୍ୟମରେ ୧୮ତମ ଲୋକସଭା ଗଠିତ ହୋଇଅଛି।
[ଚିତ୍ର ବର୍ଣ୍ଣନା : ୬.୨ : ଆମ ପୁରାତନ ସଂସଦ ଗୃହ (ବର୍ତ୍ତମାନ ସମ୍ବିଧାନ ସଦନ ନାମରେ ନାମିତ) ୧୯୨୦ ମସିହା ବେଳକୁ ନିର୍ମିତ ହୋଇଥିଲା। ସେଠାରେ ସମ୍ବିଧାନ ପ୍ରଣୟନ ସଭାର ବୈଠକମାନ ବସୁଥିଲା। ଏହା ସାତ ଦଶନ୍ଧିରୁ ଅଧିକ କାଳ ସଂସଦ ଗୃହ ରୂପେ କାର୍ଯ୍ୟ କରିଥିଲା।]
[ଚିତ୍ର ବର୍ଣ୍ଣନା : ୬.୩ : ନୂତନ ସଂସଦ ସୌଧ (ସଂସଦ ଭବନ) ନୂଆଦିଲ୍ଲୀଠାରେ ନିର୍ମାଣ କରାଗଲା। ଅଧିକ ସ୍ଥାନର ଆବଶ୍ୟକତା, ବୈଷୟିକ ଜ୍ଞାନକୌଶଳର ପ୍ରୟୋଜନୀୟତା, ସୁରକ୍ଷା ଓ ପୋଷଣୀୟତାର ଗୁରୁତ୍ଵ ଅନୁଭବ କରି ଏହା ନିର୍ମାଣ କରାଯାଇଛି।]
ଭାରତ ସଂସଦର ଗଠନ
ଭାରତର ସଂସଦ ରାଷ୍ଟ୍ରପତି ଏବଂ ଦୁଇଟି ସଦନ ଯଥା— ରାଜ୍ୟସଭା (ଉଚ୍ଚ ସଦନ / ରାଜ୍ୟମାନଙ୍କ ପରିଷଦ) ଏବଂ ଲୋକସଭା (ନିମ୍ନ ସଦନ / ଲୋକଙ୍କ ଗୃହ)କୁ ନେଇ ଗଠିତ। ଦୁଇଟି ସଦନର ଉପସ୍ଥିତି ରହିଥିବାରୁ ଆମ ସଂସଦକୁ ଦ୍ଵି-ସଦନୀୟ କୁହାଯାଏ।
[ଚିତ୍ର ବର୍ଣ୍ଣନା : ୬.୪ : ନୂତନ ସଂସଦ ଗୃହରେ ମୟୂର ଥିମ୍ ରେ ନିର୍ମିତ ଲୋକସଭାର ଦୃଶ୍ୟ।]
[ଚିତ୍ର ବର୍ଣ୍ଣନା : ୬.୫ : ପ୍ରେସ ଗ୍ୟାଲେରୀରୁ ଉତ୍ତୋଳିତ ପଦ୍ମ ଫୁଲ ଥିମ୍ ବିଶିଷ୍ଟ ରାଜ୍ୟସଭାର ଦୃଶ୍ୟ।]
ଆସ ମନେରଖିବା
ପ୍ରତ୍ୟକ୍ଷ ନିର୍ବାଚନ (ସାର୍ବଜନୀନ ସାବାଳକ ମତଦାନ) ମାଧ୍ୟମରେ ଭାରତର ନାଗରିକମାନେ ଲୋକସଭାକୁ ସେମାନଙ୍କ ପ୍ରତିନିଧି ନିର୍ବାଚିତ କରିଥାନ୍ତି। ଏହାର ସମ୍ବିଧାନ ସ୍ଥିରୀକୃତ ସର୍ବାଧିକ ସଭ୍ୟ ସଂଖ୍ୟା ୫୫୦ ଅଟେ। ରାଜ୍ୟସଭାର ସାଂସଦମାନେ ଏକ ନିର୍ବାଚନ ମଣ୍ଡଳୀ ମାଧ୍ୟମରେ ପରୋକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି, ଏ ସମ୍ବନ୍ଧରେ ତୁମେ ପୂର୍ବ ଅଧ୍ୟାୟରେ ପଢ଼ି ସାରିଛ। ଏହାର ସର୍ବାଧିକ ସଭ୍ୟ ସଂଖ୍ୟା ୨୫୦ ମଧ୍ୟରେ ସୀମିତ। ଉଭୟ ସଦନର ସଭ୍ୟ ସଂଖ୍ୟା ରାଜ୍ୟଗୁଡ଼ିକର ଜନସଂଖ୍ୟା ଭିତ୍ତିରେ ସ୍ଥିର କରାଯାଇଥାଏ।
ମନେରଖ
[ଚିତ୍ର ବର୍ଣ୍ଣନା : ୬.୬ : ଭାରତର ସମ୍ବିଧାନ (Constitution of India) ପୁସ୍ତକର ମୁଖପୃଷ୍ଠ।]
ଆମେ ଜାଣିଛେ ଯେ ଭାରତ ସମ୍ବିଧାନରେ ଗ୍ରହଣ କରାଯାଇଥିବା ଅନେକ ବ୍ୟବସ୍ଥା ପୃଥିବୀର ଅନ୍ୟ ଦେଶର ସମ୍ବିଧାନରୁ ଅଣାଯାଇଛି। ଆମ ଭାରତର ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ବ୍ରିଟେନ ଦେଶର ସମ୍ବିଧାନରୁ ଅନୁକରଣ ହୋଇଛି। ତଥାପି, ଏହା ସ୍ପଷ୍ଟ ଯେ ଆମ ସ୍ଵାଧୀନତା ସଂଗ୍ରାମୀଗଣ ଏବଂ ସମ୍ବିଧାନ ପ୍ରଣେତାମାନେ ପୂର୍ବରୁ କେତେକ ଅନୁଭବକୁ ହାସଲ କରିଥିଲେ। ସାମାନ୍ୟ ଅଂଶରେ ହେଲେ ମଧ୍ୟ ବ୍ରିଟିଶ ଶାସନ ପରିଚାଳନାଗତ କେତେକ ପ୍ରତ୍ୟକ୍ଷ ଅନୁଭୂତି ଆମକୁ ସଂସଦୀୟ ବ୍ୟବସ୍ଥା ସହିତ ପରିଚିତ କରାଇଥିଲା। ଆମେ ପୂର୍ବରୁ ପଢ଼ିଛେ ଯେ, ବୟସ୍କ ବ୍ୟକ୍ତିମାନେ ମିଳିତ ଭାବେ ନିଷ୍ପତ୍ତି ନେଉଥିବା ପ୍ରାଚୀନ ଭାରତର ସାଧାରଣତନ୍ତ୍ର (ମହାଜନପଦ) ଓ ଗ୍ରାମ ପଞ୍ଚାୟତ ଆମ ସଂସଦୀୟ ବ୍ୟବସ୍ଥାରେ ମଧ୍ୟ ପ୍ରତିଫଳିତ ହୋଇଅଛି।
ଭାରତରେ ଦ୍ବି-ସଦନୀୟ ସଂସଦ ବ୍ୟବସ୍ଥା ରହିବ ବା ନାହିଁ ସେ ସମ୍ପର୍କୀୟ ବିସ୍ତୃତ ଆଲୋଚନା ସମ୍ବିଧାନ ପ୍ରଣୟନ ସଭା ବିତର୍କରେ ହୋଇଥିଲା। ଏହା ଅନୁଭୂତ ହେଲା ଯେ, ଗୋଟିଏ ମାତ୍ର ପ୍ରତ୍ୟକ୍ଷଭାବେ ନିର୍ବାଚିତ ସଦନଦ୍ଵାରା ସ୍ଵାଧୀନ ଭାରତ ସାମନା କରିବାକୁ ଥିବା ସମସ୍ୟାଗୁଡ଼ିକର ସମାଧାନ ସମ୍ଭବ ନୁହେଁ। ସଂଘୀୟ ବ୍ୟବସ୍ଥାର ମୌଳିକତା ଭିତ୍ତିରେ ଅନୁଭବ କରାଗଲା ଯେ ରାଜ୍ୟଗୁଡ଼ିକର ପରିଷଦ– ରାଜ୍ୟସଭାର ମଧ୍ୟ ଆବଶ୍ୟକତା ରହିଛି। ରାଜ୍ୟସଭାର ଗଠନ ଏବଂ ନିର୍ବାଚନ ପଦ୍ଧତି ମଧ୍ୟ ଭିନ୍ନ ଭାବରେ ସ୍ଥିର କରାଗଲା। ଫଳତଃ, କେନ୍ଦ୍ର ଓ ରାଜ୍ୟ ତଥା ସ୍ଥାନୀୟ ଅଞ୍ଚଳ ଭିତ୍ତିରେ କ୍ଷମତା ବଣ୍ଟନ ଭିତ୍ତିକ ସଂଘୀୟ ବ୍ୟବସ୍ଥା ଭାରତ ଗ୍ରହଣ କଲା। ଏହି ବ୍ୟବସ୍ଥା ଦ୍ଵାରା ଜାତୀୟ ଏକତା ଓ ସ୍ଥାନୀୟ ସ୍ୱାର୍ଥ ମଧ୍ୟରେ ଏକ ଉତ୍ତମ ବୁଝାମଣା ସମ୍ଭବ ହେଲା।
କାର୍ଯ୍ୟକାରିତା
ବିତର୍କ ଓ ଆଲୋଚନାଗୁଡ଼ିକ ଏକ ନିର୍ଦ୍ଧାରିତ ପଦ୍ଧତିରେ ପରିଚାଳନା କରିବା ନିମନ୍ତେ ସଂସଦର ପ୍ରତ୍ୟେକ ସଦନରେ ଜଣେ ସଭାପତି ରହିବା ସୁନିଶ୍ଚିତ କରାଗଲା। ଲୋକସଭାର ସଭ୍ୟମାନେ ବାଚସ୍ପତିଙ୍କୁ ନିର୍ବାଚିତ କରିଥାନ୍ତି। ସେ ସଦନ ପରିଚାଳନା ସହ ଶୃଙ୍ଖଳା ରକ୍ଷା କରିବା ଓ ସଦସ୍ୟମାନଙ୍କୁ ସଦନରେ ଆଲୋଚନା କରିବାକୁ ସୁଯୋଗ ଦେବା ସୁନିଶ୍ଚିତ କରିଥାନ୍ତି। ରାଜ୍ୟସଭା ବୈଠକରେ ଭାରତର ଉପରାଷ୍ଟ୍ରପତି ଅଧ୍ୟକ୍ଷତା କରିଥାନ୍ତି।
ମନେରଖ
ରାଜଦଣ୍ଡ (Sceptre): କ୍ଷମତା ଆଧାରରେ ବିଭିନ୍ନ ଉତ୍ସବରେ ରାଜା ବା ରାଣୀ ଧରୁଥିବା ଏକ ସୁସଜ୍ଜିତ ଦଣ୍ଡ ବା ବାଡ଼ି।
ଭାରତର ସ୍ଵାଧୀନତା ପରେ କ୍ଷମତା ହସ୍ତାନ୍ତରର ପ୍ରତୀକ ଭାବେ ଏକ ସ୍ଵର୍ଣ୍ଣାଚ୍ଛାଦିତ ରୂପାଦଣ୍ଡ-ସିଙ୍ଗୋଲ (ପାର୍ଶ୍ଵ ଚିତ୍ରରେ) ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଏହା ଲୋକସଭାର ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାନିତ କରାଯାଇଅଛି। ଏହା ନ୍ୟାୟିକତା ଓ ଧାର୍ମିକତାକୁ ପ୍ରତିପାଦନ କରୁଅଛି। ଚୋଳ ବଂଶ ରାଜତ୍ଵ ସମୟରୁ ଶାସନରେ ନ୍ୟାୟିକତା ଓ ଧାର୍ମିକତାକୁ ନିଶ୍ଚିତରୂପେ ପାଳନ କରିବାର ପ୍ରତୀକ ରୂପେ ଏହା ଶାସକଙ୍କୁ ହସ୍ତାନ୍ତର କରାଯାଇଥାଏ। ଏହାର ଅଗ୍ରଭାଗରେ ନ୍ୟାୟର ପ୍ରତୀକ ରୂପେ ନନ୍ଦୀ (ବୃଷଭ)ଙ୍କ ପ୍ରତିଛବି ରହିଥାଏ।
[ଚିତ୍ର ବର୍ଣ୍ଣନା : ୬.୭ : ଲୋକସଭାରେ ସ୍ଥାପିତ ସ୍ଵର୍ଣ୍ଣାଚ୍ଛାଦିତ ଐତିହାସିକ ସିଙ୍ଗୋଲ (ରାଜଦଣ୍ଡ)।]
ସଂସଦର ଆଲୋଚନାଗୁଡ଼ିକ ସମସ୍ତଙ୍କ ବୋଧଗମ୍ୟ ହେବା ନିମନ୍ତେ ସେଗୁଡ଼ିକ ଅନେକ ଭାରତୀୟ ଭାଷାରେ ଉପଲବ୍ଧ କରାଯାଇଥାଏ। ପୂର୍ବରୁ ଏହି ଭାଷାନ୍ତର ହିନ୍ଦୀ, ଇଂରାଜୀ, ଅହମୀୟା, ବଙ୍ଗାଳୀ, ଗୁଜରାଟୀ, କନ୍ନଡ଼, ମାଲାୟଲମ, ମରାଠୀ, ଓଡ଼ିଆ, ତାମିଲ, ପଞ୍ଜାବୀ ଏବଂ ତେଲୁଗୁ ଆଦି ୧୨ଟି ଭାଷାରେ ଉପଲବ୍ଧ ହେଉଥିଲା। ନିକଟ ଅତୀତରେ ଅନ୍ୟ ୬ଟି ଭାଷା ଯଥା— ବୋଡ଼ୋ, ଡୋଗରୀ, ମୈଥିଳୀ, ମଣିପୁରୀ, ଉର୍ଦ୍ଦୁ ଏବଂ ସଂସ୍କୃତ ଏହି କ୍ରମରେ ସ୍ଥାନ ପାଇଲା। ଅନ୍ୟ କେତେକ ଭାଷା ମଧ୍ୟ ଏଥିରେ ସାମିଲ କରାଯିବାର ପ୍ରସ୍ତାବ ରହିଛି।
ବ୍ୟବସ୍ଥାପିକା (ଆଇନ ପ୍ରଣୟନ) କାର୍ଯ୍ୟ ପରି କାର୍ଯ୍ୟପାଳିକା (ପ୍ରଣୀତ ଆଇନର କାର୍ଯ୍ୟକାରିତା ସୁନିଶ୍ଚିତ କରିବା) କାର୍ଯ୍ୟ ମଧ୍ୟ ସଂସଦର ଅନ୍ୟ ଏକ ମୁଖ୍ୟ ଦାୟିତ୍ଵ ଅଟେ। କେନ୍ଦ୍ର କାର୍ଯ୍ୟପାଳିକା ସଂସଦର କ୍ଷମତା ଓ ବ୍ୟବସ୍ଥାପିକା କାର୍ଯ୍ୟାବଳୀକୁ ଜୀବନ୍ତ କରି ରଖେ।
କେନ୍ଦ୍ର କାର୍ଯ୍ୟପାଳିକାର ଶୀର୍ଷ ସ୍ତରରେ :
-
ଭାରତର ରାଷ୍ଟ୍ରପତି
-
ଭାରତର ଉପରାଷ୍ଟ୍ରପତି
-
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀପରିଷଦ ଆଦି ରହିଥାନ୍ତି।
ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଥିବା ମନ୍ତ୍ରୀଗଣ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସାଂସଦମାନଙ୍କ ମଧ୍ୟରୁ ଚୟନ କରାଯାଇଥାନ୍ତି। ଏହି ମନ୍ତ୍ରୀଗଣ ନିଜ କାର୍ଯ୍ୟ ନିମନ୍ତେ ବ୍ୟକ୍ତିଗତ ଓ ମିଳିତ ଭାବେ ଲୋକସଭା ନିକଟରେ ଉତ୍ତରଦାୟୀ ରହିଥାନ୍ତି।
ଏବେ ଆସ ସଂସଦର ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିବା।
ସଂସଦର ବ୍ୟବସ୍ଥାପକ କାର୍ଯ୍ୟ
ସଂସଦ କରିବାକୁ ଥିବା ସମସ୍ତ ବ୍ୟବସ୍ଥାପକ କାର୍ଯ୍ୟ ସମ୍ବିଧାନ ଦ୍ଵାରା ସ୍ଥିରୀକୃତ। ନିମ୍ନରେ ଏହା ବର୍ଗୀକରଣ କରାଗଲା: ୧. ସାମ୍ବିଧାନିକ କାର୍ଯ୍ୟ ୨. ଆଇନ ପ୍ରଣୟନ ୩. କାର୍ଯ୍ୟପାଳିକା ଉତ୍ତର ଦାୟିତ୍ୱ ୪. ଆର୍ଥିକ ଉତ୍ତର ଦାୟିତ୍ଵ
ଏସବୁ ଆସ ନିମ୍ନରେ ଆଲୋଚନା କରିବା
(୧) ସାମ୍ବିଧାନିକ କାର୍ଯ୍ୟ
ଆସ ମନେରଖିବା
ତୁମେ ପଢ଼ିଥିବା ପୂର୍ବ ପାଠ୍ୟକ୍ରମରୁ ଗଣତନ୍ତ୍ର ଏବଂ ଶାସନ ବିଷୟକ କେତେକ ସାମ୍ବିଧାନିକ କାର୍ଯ୍ୟ ଉଲ୍ଲେଖ କର। ତୁମେ କ’ଣ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ଏହି ତାଲିକାରେ ରଖିଛ କି ? ସମ୍ବିଧାନ ସଂଶୋଧନ ବିଷୟରେ ତୁମର ମତ କ’ଣ ? ବାସ୍ତବରେ ଏଗୁଡ଼ିକ ସଂସଦର କେତେକ ପ୍ରମୁଖ ସାମ୍ବିଧାନିକ କାର୍ଯ୍ୟ ଅଟେ। ଏହା ବ୍ୟତୀତ ଅନ୍ୟ କେତେକ କାର୍ଯ୍ୟ ସମ୍ବନ୍ଧରେ ଆମେ ପରବର୍ତ୍ତୀ ଶ୍ରେଣୀମାନଙ୍କରେ ଆଲୋଚନା କରିବା।
ସମ୍ବିଧାନର ମୂଳତତ୍ତ୍ୱ ଏବଂ ମୂଲ୍ୟବୋଧ ରକ୍ଷା କରିବା ନିମନ୍ତେ ସଂସଦକୁ ପୂର୍ଣ୍ଣ ଦାୟିତ୍ଵ ପ୍ରଦାନ କରାଯାଇଅଛି। ତନ୍ମଧ୍ୟରେ ଅନ୍ତର୍ଭୁକ୍ତ:
-
କ. ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା ମାଧ୍ୟମରେ ସଂସଦୀୟ ଗଣତନ୍ତ୍ର ସୁନିଶ୍ଚିତ କରିବା।
-
ଖ. ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ମଧ୍ୟରେ କ୍ଷମତା ପୃଥକୀକରଣ ଅନୁସୃତ କରିବା।
-
ଗ. ସଂଘୀୟ ବ୍ୟବସ୍ଥା ସୁନିଶ୍ଚିତ କରିବା।
-
ଘ. ଆଇନ ଓ ନୀତି ପ୍ରଣୟନ ମାଧ୍ୟମରେ ମୌଳିକ ଅଧିକାର ଏବଂ ରାଷ୍ଟ୍ରନୀତି (ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି)ର ଆଦର୍ଶ ବଜାୟ ରଖିବା।
(୨) ଆଇନ ପ୍ରଣୟନ
ବିଧେୟକ (Bills): ବିଧେୟକ (ବିଲ୍) ହେଉଛି କୌଣସି ପ୍ରସ୍ତାବିତ ଅଧିନିୟମର ଏକ ଚିଠା ପ୍ରସ୍ତାବ, ଯାହାକି ଅଧିନିୟମରେ ପରିଣତ ହେବା ପୂର୍ବରୁ ସଂସଦର ଅନୁମୋଦନ ଲାଭ କରିଥାଏ।
ଆଇନ ପ୍ରଣୟନ ବ୍ୟବସ୍ଥାପିକ ସଭାର ଅନ୍ୟତମ ପ୍ରାଥମିକ କାର୍ଯ୍ୟ। ଆଇନ ପ୍ରଣୟନ ସମ୍ବନ୍ଧରେ ଆମ ସମ୍ବିଧାନ ଅତି ବିସ୍ତାର ଏବଂ ଦୃଢ଼ ଭାବରେ ବର୍ଣ୍ଣନା କରିଛି। ସାଧାରଣ ଭାବରେ ଅଧିନିୟମ (Act) ମାଧ୍ୟମରେ ଆଇନକୁ କାର୍ଯ୍ୟକାରୀ କରାଯାଇଥାଏ। ଅଧିନିୟମ ରୂପାନ୍ତର ପୂର୍ବରୁ ବିଧେୟକର (ବିଲ୍) ପ୍ରସ୍ତୁତ ଚିଠା ସଂସଦରେ ଉପସ୍ଥାପିତ ହୋଇଥାଏ। ଦୀର୍ଘ ଏବଂ ପ୍ରଭାବୀ ଆଲୋଚନାରେ ଗୃହୀତ ହେବାପରେ ଆଇନରେ ପରିଣତ ହୁଏ। ଉଦାହରଣ ସ୍ୱରୂପ “ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷାଦାନ ବ୍ୟବସ୍ଥା ଅଧିନିୟମ ୨୦୦୯ (RTE) କିପରି ଆଇନରେ ପରିଣତ ହେଲା ତାହା ଦର୍ଶାଯାଇଛି।”
“ଲୋକମାନେ ପ୍ରାୟତଃ ମତେ ଆରଟିଇ କହିଥାନ୍ତି। ପ୍ରାୟ ଶହେ ବର୍ଷ ପୂର୍ବରୁ ଏହାର ଧାରଣା ଥିଲେ ମଧ୍ୟ ମୁଁ ୨୦୦୯ ମସିହା ଅଗଷ୍ଟରେ ମୋ ସତ୍ତା ପାଇଲି।
ଭାରତ ସମ୍ବିଧାନର ରାଷ୍ଟ୍ରନୀତି ମଧ୍ୟରେ ମୋର ମୂଳଭିତ୍ତି ନିହିତ ରହିଛି। ସ୍ଵାଧୀନତାର ୧୦ ବର୍ଷ ମଧ୍ୟରେ ମୁଁ ଆସିଯାଏ ବୋଲି ସମ୍ବିଧାନ ପ୍ରଣେତାଙ୍କର ଆଗ୍ରହ ଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରି ନଥିଲା। ଫଳରେ ଅସଂଖ୍ୟ ଶିଶୁ ଶିକ୍ଷା ସୁଯୋଗରୁ ବଞ୍ଚିତ ହୋଇଥିଲେ।
ବାସ୍ତବ ଜୀବନରେ ଶିକ୍ଷାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଦୃଷ୍ଟିରୁ କେହି ଜଣେ ୧୯୯୦ ମସିହାରେ ନ୍ୟାୟାଳୟରେ ବଳିଷ୍ଠ ଯୁକ୍ତି ବାଢ଼ିଥିଲେ ଯେ ଜୀବନର ଅଧିକାର ଭାବେ ମୁଁ ସମ୍ବିଧାନର ମୌଳିକ ଅଧିକାର ଅନ୍ତର୍ଭୁକ୍ତ। ଏହି ଆଧାରରେ ସଂସଦର କାର୍ଯ୍ୟ ଆରମ୍ଭ ହେଲା ଏବଂ ୨୦୦୨ ମସିହାରେ ସମ୍ବିଧାନର ୮୬ତମ ସଂଶୋଧନ ପ୍ରସ୍ତାବ ମାଧ୍ୟମରେ – ଧାରା ୨୧ (କ) ଯୋଗ କରାଯାଇ ୬ ରୁ ୧୪ ବର୍ଷ ବୟସର ସମସ୍ତ ବାଳକ ଓ ବାଳିକା ମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ରାଷ୍ଟ୍ରକୁ ବାଧ୍ୟ କଲା।
କିନ୍ତୁ ଏହାର ୬ ବର୍ଷ ପରେ ମୁଁ ରାଜ୍ୟସଭା ଆଲୋଚନାକୁ ଆସିଲି। ଏକ ନୂତନ ସମିତି ଗଠନ କରାଯାଇ ମୋ ସମ୍ବନ୍ଧରେ ପୁନଃ ଆଲୋଚନା କରାଯାଇ କେତେକ ପରିବର୍ତ୍ତନ ମଧ୍ୟ କରାଗଲା।
ମୋ ସମ୍ବନ୍ଧରେ ମୁଖ୍ୟ ବିତର୍କ ଥିଲା ଅର୍ଥ ସମ୍ବନ୍ଧୀୟ – ନୂତନ ବିଦ୍ୟାଳୟ, ଭିତ୍ତିଭୂମି ଏବଂ ନିୟୁତ ନିୟୁତ ପିଲାଙ୍କ ନିମନ୍ତେ ଆବଶ୍ୟକୀୟ ଶିକ୍ଷକଙ୍କ ପାଇଁ ଅର୍ଥର ଆବଶ୍ୟକତା ଅତିଶୟ ଥିଲା। ୨୦୦୮ ମସିହା ବେଳକୁ ସାଂସଦମାନେ ଅନୁଭବ କଲେ ଯେ ଏବେ ହିଁ ସମୟ ଉପନୀତ।
୨୦୦୯ ମସିହା ଅଗଷ୍ଟ ମାସ ବେଳକୁ ନୂତନ ସରକାର ଏହାକୁ ଆଗେଇ ନେଲେ। ଲୋକସଭାରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ସ୍ଵୀକୃତି ଲାଭ କଲି ଏବଂ ଅଧିନିୟମରେ ପରିଣତ ହେଲି।
ଆଜି ପିଲାମାନେ ବିଦ୍ୟାଳୟ ଯିବାପାଇଁ ମୁଁ ଆଇନଗତ ପଥ ସୃଷ୍ଟି କରିଛି, ନୂତନ ବିଦ୍ୟାଳୟ ଗୃହ ନିର୍ମାଣ କରିଛି ଓ ସମସ୍ତଙ୍କ ପାଇଁ ମାଗଣା ବହି ଓ ସମାନ ରଙ୍ଗର ପୋଷାକ ସୁନିଶ୍ଚିତ କରିଛି।”
ବିଧେୟକ (ବିଲ)ରୁ ଅଧିନିୟମ (ଆକ୍ଟ) – ସଂସଦରେ ଆଇନ ପ୍ରଣୟନ ପଦ୍ଧତି
[ଚିତ୍ର ବର୍ଣ୍ଣନା : ୬.୮ : ଆଇନ ପ୍ରଣୟନ ପଦ୍ଧତି – ଏକ ସରଳୀକୃତ ରେଖାଚିତ୍ର ମାଧ୍ୟମରେ କେତେକ ମୁଖ୍ୟ ଧାରଣା ବର୍ଣ୍ଣନା।]
ପ୍ରକ୍ରିୟା ପର୍ଯ୍ୟାୟକ୍ରମେ: ୧. ସଂସଦର ଯେକୌଣସି ସଦନରେ ଉପସ୍ଥାପନ ୨. ବିଧେୟକର ଉଦ୍ଦେଶ୍ୟ ପଠନ ୩. ବିଧେୟକ ଆଲୋଚନା ପାଇଁ ଗ୍ରହଣ ୪. ବିସ୍ତୃତ ଆଲୋଚନା ଏବଂ ଆବଶ୍ୟକୀୟ ସଂଶୋଧନ ନିମନ୍ତେ ମତ ସଂଗ୍ରହ (ବା ସ୍ଥାୟୀ ସମିତିର ମତାମତ ନିମନ୍ତେ ପ୍ରେରଣ) ୫. ବିଧେୟକ ନିମନ୍ତେ ଭୋଟ ଗ୍ରହଣ ୬. ପୂର୍ବ ପରି ଦ୍ବିତୀୟ ସଦନରେ ମଧ୍ୟ ସମଭାବରେ ଆଲୋଚନା ଏବଂ ମତ ସଂଗ୍ରହ ୭. ରାଷ୍ଟ୍ରପତିଙ୍କ ଦ୍ବାରା ଅନୁମୋଦନ ୮. ସରକାରୀ ରାଜପତ୍ରରେ ପ୍ରକାଶନ
(ବିଶେଷ ଦ୍ରଷ୍ଟବ୍ୟ : ସମସ୍ତ ବିଧେୟକ ସ୍ଥାୟୀ ସମିତିକୁ ପ୍ରେରଣ କରିବା ବାଧ୍ୟତାମୂଳକ ନୁହେଁ।)
ସ୍ଥାୟୀ ସମିତି (Standing Committee): ସାଂସଦମାନଙ୍କୁ ନେଇ ଗଠିତ ଏକ ସ୍ଥାୟୀ ସମିତି (ସାଂସଦ ପରିବର୍ତ୍ତନ ହୋଇପାରିବେ କିନ୍ତୁ ସମିତି ଏକ ଢାଞ୍ଚାଭାବେ ସ୍ଥିର ରହିବ)। ଏହା ସରକାରୀ କାର୍ଯ୍ୟକଳାପ ତଦାରଖ କରି ଆବଶ୍ୟକୀୟ ସୁପାରିଶ କରିଥାଏ ଓ କେଉଁ ପଦକ୍ଷେପ ନିଆଗଲା ସେ ସମ୍ପର୍କିତ ପ୍ରଶ୍ନ ମଧ୍ୟ ପଚାରିଥାଏ।
ପଠନ (Reading) : ବ୍ରିଟିଶ ସଂସଦରୁ ପଠନ ବ୍ୟବସ୍ଥାର ଆରମ୍ଭ ହୋଇଥିଲା। ଅନେକ ସାଂସଦ ନିରକ୍ଷର ଥିବା ଯୋଗୁଁ ନିଯୁକ୍ତ ହୋଇଥିବା କିରାଣୀମାନଙ୍କ ଦ୍ୱାରା ବିଧେୟକ ଓ ବିଷୟବସ୍ତୁ ପଢ଼ାଯାଉଥିଲା ଓ ସାଂସଦମାନେ ଏହା ଉପରେ ଆଲୋଚନା କରୁଥିଲେ। ଏବେ ଆଲୋଚନା ପୂର୍ବରୁ ସାଂସଦମାନେ ବିଧେୟକ ପଢୁଛନ୍ତି।
ଖଣ୍ଡବାକ୍ୟ (Clause) : ବିଧେୟକରେ ବର୍ଣ୍ଣିତ କେତେକ ବାକ୍ୟାଂଶ ଯାହା ବିଧେୟକକୁ ଅଧିକ ସରଳ ରୂପେ ବ୍ୟାଖ୍ୟା କରିଥାଏ। ଆରଟିଇ ଯେପରି ବୟସ ସୀମା (୬ ରୁ ୧୪ ବର୍ଷ) ବର୍ଣ୍ଣନା କରିଥାଏ।
ରାଜପତ୍ର (Gazette) : ଏକ ସରକାରୀ ପ୍ରକାଶନ ଯାହା ଆଇନଗତ ଦସ୍ତାବିଜ ଏବଂ ସରକାରୀ ସୂଚନା ସମ୍ପର୍କିତ ସମସ୍ତ ଦସ୍ତାବିଜ ଘୋଷଣା କରିଥାଏ।
ଆସ ଅନୁସନ୍ଧାନ କରିବା
ଏକ କ୍ଷୁଦ୍ର ପ୍ରବାହ ଚିତ୍ର ଅଙ୍କନ କରି ଆରଟିଇ କିପରି ଅଧିନିୟମରେ ରୂପାନ୍ତରିତ ହୋଇଥିଲା ଦର୍ଶାଅ। ଯଦି ଏହା ଲୋକସଭାରେ ଆଲୋଚନା କରାଯାଇଥାନ୍ତା ତେବେ କେଉଁ ପଦ୍ଧତି ସବୁ ଅନୁସରଣ କରାଯାଇଥାନ୍ତା ?
ମନେରଖ
କେତେକ ବିଧେୟକ କେବଳ ଲୋକସଭାରେ ହିଁ ଉପସ୍ଥାପନ କରାଯିବାର ବ୍ୟବସ୍ଥା ରହିଛି। ଅର୍ଥ ସମ୍ବନ୍ଧୀୟ (ଟିକସ ପ୍ରଣାଳୀ, ସରକାରୀ ଋଣ ଗ୍ରହଣ ଆଦି) ଅର୍ଥବିଧେୟକ ଏହାର ଏକ ଉଦାହରଣ ଅଟେ। ଏହା ଏକ ଚିଠା ପ୍ରସ୍ତାବ ଭାବେ କେବଳ ଲୋକସଭାରେ ଉପସ୍ଥାପିତ ହୋଇଥାଏ। ଅବଶ୍ୟ ଏହାର ଉପସ୍ଥାପନ ରାଷ୍ଟ୍ରପତିଙ୍କ ପୂର୍ବ ଅନୁମତି ବିନା ଅସମ୍ଭବ।
(୩) କାର୍ଯ୍ୟପାଳିକା ଉତ୍ତର ଦାୟିତ୍ୱ
ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ ହେଉଛନ୍ତି କେନ୍ଦ୍ର କାର୍ଯ୍ୟପାଳିକାର ଅଂଶବିଶେଷ। ସେମାନେ :
-
ପ୍ରଧାନତଃ ଆଇନର ପ୍ରବର୍ତ୍ତନ ଓ ବାସ୍ତବ କାର୍ଯ୍ୟକାରିତା ଏବଂ ସରକାରର ସଫଳ ପରିଚାଳନା ନିମନ୍ତେ ଦାୟୀ;
-
ସମ୍ବିଧାନ ଓ ଏହାର ଆଇନଗତ ନୀତି ଆଧାରରେ ଦୈନନ୍ଦିନ ସରକାରୀ କାର୍ଯ୍ୟ ସମ୍ବନ୍ଧୀୟ ନିଷ୍ପତ୍ତି ଗ୍ରହଣ କରିଥାନ୍ତି;
-
ପ୍ରଶ୍ନକାଳ ସମୟରେ ମନ୍ତ୍ରୀମାନେ ସେମାନଙ୍କ କାର୍ଯ୍ୟ ଓ ନିଷ୍ପତ୍ତିର ଯଥାର୍ଥତା ପ୍ରତିପାଦନ ନିମନ୍ତେ ଲୋକସଭାରେ ଉତ୍ତର ଦାୟୀ ରହନ୍ତି। ପ୍ରଶ୍ନକାଳ ହେଉଛି ଲୋକସଭାର ଏକ ନିର୍ଦ୍ଧାରିତ ସମୟସୀମା (ସଂସଦୀୟ କାର୍ଯ୍ୟକାଳର ପ୍ରଥମ କେତେକ ଘଣ୍ଟା) ଯେତେବେଳେ ସାଂସଦମାନେ ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ସମ୍ପର୍କୀୟ ବିଭିନ୍ନ ନୀତି, ନିଷ୍ପତ୍ତି ଏବଂ କାର୍ଯ୍ୟକ୍ରମ ସଂକ୍ରାନ୍ତୀୟ ପ୍ରଶ୍ନ ପଚାରିବାକୁ କ୍ଷମତାପ୍ରାପ୍ତ ହୋଇଥାନ୍ତି।
ଏହି ସଂସଦୀୟ ପଦ୍ଧତି କାର୍ଯ୍ୟପାଳିକାକୁ ପ୍ରତ୍ୟୁତ୍ତରଦାୟୀ କରିଥାଏ (ଅର୍ଥାତ୍ ତାଙ୍କ ନୀତି ତଥା କାର୍ଯ୍ୟର ଯଥାର୍ଥତା ପ୍ରତିପାଦନ ପାଇଁ ବାଧ୍ୟ କରିଥାଏ)। ଏତଦ୍ଭିନ୍ନ ସ୍ଵତନ୍ତ୍ର ସମିତି ଦ୍ଵାରା ଆହୂତ ଆଲୋଚନା ସଭାରେ ମନ୍ତ୍ରୀମାନେ ଗ୍ରହଣ କରିଥିବା ନୀତି ସମ୍ପର୍କୀୟ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ ହୋଇଥାନ୍ତି। ଏହି ସମିତି ବିଭିନ୍ନ ଦଳର ସାଂସଦମାନଙ୍କୁ ନେଇ ଗଠନ କରାଯାଇପାରେ।
ସଂସଦ ସର୍ବଦା ଔପଚାରିକ କିମ୍ବା ଭାବ ଗମ୍ଭୀର ନଥାଏ। ବେଳେବେଳେ କବିତା ପାଠ କିମ୍ବା ଥଟ୍ଟାମଜା ମାଧ୍ୟମରେ ଗମ୍ଭୀର ପରିସ୍ଥିତିକୁ ସହଜ କରିଦିଆଯାଏ।
ଉଦାହରଣ ୦୧ : ସଂସଦରେ ପଂକ୍ତି
ଫେବୃଆରୀ ୧ ତାରିଖ ୨୦୨୦ ମସିହାରେ ୨୦୨୦-୨୦୨୧ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଥିବା ସମୟରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ତିରୁକୁରାଳ (ପ୍ରାଚୀନ ଭାରତର ନୀତି ସମ୍ବଳିତ ତାମିଲଭାଷାରେ ଲିଖିତ ପ୍ରବନ୍ଧ)ରୁ ଉଦ୍ଧାର କରି ନିମ୍ନ ପଂକ୍ତି ଗାୟନ କରିଥିଲେ:
ତାମିଲ ଭାଷାରେ – ଭାନୋକ୍କି ଭାଲୁମ୍ ଉଲାକେଲ୍ଲାମ୍। ମାନ୍ନବନ୍ କୋଲନୋକ୍କି ଭାଲୁଙ୍ଗ କୁଡି ॥
ଏହାର ଓଡ଼ିଆ ରୂପାନ୍ତର: (ଯେପରି) ଜୀବଜଗତ ବଞ୍ଚେ ବରଷା ଆଶାରେ (ସେପରି) ନାଗରିକ ରହେ ସୁଶାସନ ଭରଷାରେ ॥
ଏହା ଶୁଣିବା ମାତ୍ରକେ, ଶାସକ ଦଳର ସାଂସଦମାନେ ଖୁସିରେ ଟେବୁଲ ବାଡ଼େଇ ଏହାକୁ ସ୍ଵାଗତ କରିଥିଲେ।
ଉଦାହରଣ ୦୨ : ସଂସଦରେ ହସକଥା
୨୦୧୧ ମସିହାରେ ସଂସଦରେ ଏକ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ସମୟରେ ତତ୍କାଳୀନ ସରକାରଙ୍କୁ ସମାଲୋଚନା କରି ସାଂସଦ ଶ୍ରୀମତୀ ସୁଷମା ସ୍ଵରାଜ ଏକ କବିତାର ପଂକ୍ତି ଶୁଣାଇଥିଲେ:
ମୂଳ ହିନ୍ଦୀରେ – “ତୁ ଇଧର ଉଧର କି ନା ବାତ୍ କର, ୟେ ବତା କି କାଫିଲା କ୍ୟୁଁ ଲୁଟା। ହମେ ରହଯାନୋ ସେ ଗିଲାନେହିଁ, ତେରୀ ରହବାରୀ କା ସୱାଲ୍ ହେ।”
ଓଡ଼ିଆରେ : ଏଣୁ ତେଣୁ ନ ଗପି କୁହ, ଗାଡ଼ି କିମ୍ପାଇଁ ଲୁଟ୍ ହେଲା। ଆମେ ଚୋରଙ୍କୁ ଦୋଷ ଦେବୁନି, ତୁମ ନେତୃତ୍ୱ କିପରି କୁହ ଭଲା ?
ଏହାର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଡ: ମନମୋହନ ସିଂହ ସ୍ଥିର ଚିତ୍ତରେ ଅନ୍ୟ ଏକ ଗୀତର ପଂକ୍ତି ଗାଇଲେ :
ମୂଳ ହିନ୍ଦୀରେ : “ମାନା କି ତେରୀ ଦିଦ୍ କେ କାବିଲ୍ ନେହିଁ ହୁଁ ମେ, ତୁ ମେରା ସୌକ୍ ଦେଖ, ମେରା ଇନ୍ତେଜାର୍ ଦେଖ।”
ଓଡ଼ିଆରେ : ମୁଁ ମାନି ନେବି ଯେ ତୁମ ନଜରରେ ମୋହର ସାମର୍ଥ୍ୟ ନାହିଁ (ହେଲେ) ମୋହର ଉତ୍ସାହ ଆଉ ମୋ ପ୍ରୟାସ ତୁମେ ନଦେଖିଲ କାହିଁ।
[ଚିତ୍ର ବର୍ଣ୍ଣନା : ୬.୯: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ପର୍କିତ ସ୍ଥାୟୀ ସମିତିର ଏକ ବିବରଣୀର ଦସ୍ତାବିଜ (Parliament of India Rajya Sabha Report on Review of National AYUSH Mission)।]
ଆସ ଅନୁସନ୍ଧାନ କରିବା
୧.୨ : ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ, ଗୋଷ୍ଠୀ କେନ୍ଦ୍ର ଓ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଆୟୁଷ ଚିକିତ୍ସା ସୁବିଧା ସୁଯୋଗ ସହାବସ୍ଥାନ ସମ୍ପର୍କିତ
ସୁପାରିଶ :
୧.୨୧. ଏହି ସନ୍ଧିକ୍ଷଣରେ, କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଵତନ୍ତ୍ର ଆୟୁଷ ବିଭାଗ ଖୋଲାଯାଇନାହିଁ ବୋଲି ସମିତିର ଦୃଷ୍ଟିକୁ ଆସିଛି। ଆୟୁଷ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ତଥା ଆୟୁଷ ଚିକିତ୍ସାରେ ଅଧିକ ସମନ୍ବୟ ପାଇଁ ଆୟୁଷ ମନ୍ତ୍ରଣାଳୟ ନଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବୁଝେଇମନେଇ ନୂତନ ଆୟୁଷ ମନ୍ତ୍ରଣାଳୟ ଖୋଲିବାକୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଉଛି, ଯଦ୍ୱାରା ଆୟୁଷ ଚିକିତ୍ସାକ୍ଷେତ୍ର ଓ ଯୋଜନାଗୁଡ଼ିକର ତ୍ବରିତ୍ ବିକାଶ ଓ କାର୍ଯ୍ୟାନ୍ଵୟନ ସମ୍ଭବ ହେବ। (ବିବରଣୀର ୨.୧୩ ଅନୁଚ୍ଛେଦ)
କାର୍ଯ୍ୟାନ୍ବୟନ :
୧.୨୨: ଜନସ୍ୱାସ୍ଥ୍ୟ ଏକ ରାଜ୍ୟ ତାଲିକାଭୁକ୍ତ ବିଷୟ ହୋଇଥିବାରୁ ଆୟୁଷ ବିଭାଗର ସୃଷ୍ଟି ସଂପୃକ୍ତ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ସରକାର ଉପରେ ନିର୍ଭର କରେ। ତଥାପି ବିଭିନ୍ନ ସମାବେଶରେ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ସୃଷ୍ଟି କରିବା ସପକ୍ଷରେ ମତ ଦେଇଥିଲେ। ଏଥିସହିତ ଷ୍ଟେଟ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ (SPMU) ଏବଂ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ (DPMU)ରେ ଅଧିକ କର୍ମଚାରୀ ନିୟୋଜନ କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନାମ୍ (NAM) ଯୋଜନାର କ୍ଷିପ୍ର ବିକାଶ ଓ କାର୍ଯ୍ୟାନ୍ଵୟନ ନିମନ୍ତେ ମତାମତ ଦେଇଥିଲେ। ଆଜି ପର୍ଯ୍ୟନ୍ତ ସର୍ବମୋଟ ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି। (ବିବରଣୀର ୨.୨୩ ଅନୁଚ୍ଛେଦ)
ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ସଂକ୍ରାନ୍ତୀୟ ସ୍ଥାୟୀ ସମିତି ଓ ପରିବାର କଲ୍ୟାଣ ମନ୍ତ୍ରାଳୟର କେତେକ ଅଧିକାରୀଙ୍କ ମିଳିତ ବୈଠକର ବିବରଣୀର ଉଦ୍ଧୃତି ଏଠାରେ ପ୍ରକାଶ କରାଯାଇଛି। ଉପର ବର୍ଣ୍ଣିତ ସ୍କ୍ରିନ୍ ସଟ୍ ନିରୀକ୍ଷଣ କର ଓ ତୁମ ମଧ୍ୟରେ ଛୋଟଛୋଟ ଦଳ ଗଢ଼ି ଆଲୋଚନା କର। କିଏ କାହାକୁ ବିବରଣୀ ଦେଇଛନ୍ତି ? ସମୀକ୍ଷା ହୋଇଥିବା ବିଷୟଟି କ’ଣ ଅଟେ ? ସମିତି ସୁପାରିଶକୁ ଚିହ୍ନଟ କର। ସରକାରଙ୍କ ଉତ୍ତର କ’ଣ ଥିଲା ?
(୪) ଆର୍ଥିକ ଉତ୍ତର ଦାୟିତ୍ଵ
ବାର୍ଷିକ ବଜେଟ୍ (ଆୟ ଓ ବ୍ୟୟ ପରିକଳ୍ପନା) ପ୍ରସ୍ତୁତି ଏବଂ ବିଭିନ୍ନ ମନ୍ତ୍ରାଳୟ ନିମନ୍ତେ ବଣ୍ଟନ କରାଯାଇଥିବା ପୁଞ୍ଜି ଅନୁଧ୍ୟାନ ମାଧ୍ୟମରେ ସଂସଦ ସରକାରୀ ଖର୍ଚ୍ଚ ଅନୁମୋଦନ ଏବଂ ନିୟନ୍ତ୍ରଣ କରେ।
ଆସ ଅନୁସନ୍ଧାନ କରିବା
ତୁମେ କାହିଁକି ଭାବୁଛ ଯେ ସରକାରୀ ଖର୍ଚ୍ଚଗୁଡ଼ିକ ଉପରେ ସଂସଦ ତୀକ୍ଷ୍ଣ ନଜର ରଖୁଛି ? (ସୂତ୍ର : ସରକାର କାହାର ଅର୍ଥ ଖର୍ଚ୍ଚ କରିଥାନ୍ତି ?)
ସରକାର ନିର୍ଦ୍ଦିଷ୍ଟ ସମୟ ଏବଂ ସମସ୍ତ ସଠିକ୍ ତଥ୍ୟ ଓ ସୂଚନା ସଂସଦକୁ ପ୍ରଦାନ କରିବା ଆଶା କରାଯାଏ।
ସଂସଦର କାର୍ଯ୍ୟପାଳିକା କ୍ଷମତା
ପୂର୍ବ ଆଲୋଚନାରେ ଆମେ କାର୍ଯ୍ୟପାଳିକାର ଭୂମିକା ସଂକ୍ରାନ୍ତୀୟ କେତେକ ବିଷୟବସ୍ତୁ ଉନ୍ମୋଚନ କରି ସାରିଲେଣି। ଏଥର ଆମେ ଅନ୍ୟ କେତେକ ଦିଗ ଉପରେ ସବିଶେଷ ଆଲୋଚନା କରିବା।
ମନେରଖ
ସମ୍ବିଧାନର ପଞ୍ଚମ ଭାଗର ପ୍ରଥମ ଅଧ୍ୟାୟ କାର୍ଯ୍ୟପାଳିକାରୁ ଆରମ୍ଭ ହୁଏ। ଅନ୍ୟାନ୍ୟ ବିଷୟ ସହିତ ଏହା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ମନ୍ତ୍ରୀ ପରିଷଦର ଭୂମିକା ଓ ଦାୟିତ୍ଵ ଆଲୋଚନା କରିଥାଏ। ଦ୍ଵିତୀୟ ଅଧ୍ୟାୟରେ ସଂସଦର ଭୂମିକା ଓ କାର୍ଯ୍ୟାବଳୀର ତାଲିକା ରହିଅଛି। ଏହା ଏପରି କାହିଁକି ହୋଇଥିବ ?
(୧) ଭାରତର ରାଷ୍ଟ୍ରପତି
ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ ଏବଂ ସେ ନାମକୁ ମାତ୍ର କାର୍ଯ୍ୟପାଳିକାର ମୁଖ୍ୟ ଅଟନ୍ତି। ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ସରକାର ଚଳାଇବା ଦାୟିତ୍ଵରେ ରହିଥାନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରିଥାନ୍ତି, ସଂସଦର ବୈଠକ ଆହ୍ୱାନ କରିଥାନ୍ତି ଏବଂ ବିଧେୟକକୁ ଅନୁମୋଦନ କରି ଆଇନ ପ୍ରଣୟନ କରିଥାନ୍ତି। ମନ୍ତ୍ରୀ ପରିଷଦ ରାଷ୍ଟ୍ରପତିଙ୍କୁ ସାହାଯ୍ୟ ଓ ପରାମର୍ଶ ପ୍ରଦାନ କରିଥାନ୍ତି। ଅବଶ୍ୟ କେତେକ କ୍ଷେତ୍ରରେ ରାଷ୍ଟ୍ରପତି ନିଜ ବିବେକାନୁମୋଦିତ କାର୍ଯ୍ୟ କରିବାକୁ ଅଧିକାର ପାଇଛନ୍ତି। ଏହା ସାଧାରଣତଃ ରାଜନୈତିକ ସଂକଟ ସମୟରେ ବ୍ୟବହୃତ ହୋଇଥାଏ— ଉଦାହରଣ ସ୍ଵରୂପ ଲୋକସଭା ନିର୍ବାଚନରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ ନକଲେ, ସରକାର ଗଠନ ନିମନ୍ତେ କୌଣସି ଦଳ ବା ମେଣ୍ଟଭୁକ୍ତ ଦଳକୁ ସରକାର ଗଠନ ସୁଯୋଗ ଦେବା ରାଷ୍ଟ୍ରପତିଙ୍କ ଇଚ୍ଛାଧୀନ ଅଟେ।
(୨) ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ
ଭାରତୀୟ ସଂସଦୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ହେଉଛନ୍ତି ବାସ୍ତବ କାର୍ଯ୍ୟନିର୍ବାହୀ ଅଧିକାରୀ। ନିର୍ବାଚନରେ ସଂଖ୍ୟାଗରିଷ୍ଠ ଦଳ କିମ୍ବା ମେଣ୍ଟର ନେତାଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପ୍ରଦାନ କରିଥାନ୍ତି। ଲୋକସଭାରେ ସଂଖ୍ୟାଧିକ ସାଂସଦଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରିଥାନ୍ତି।
ପ୍ରଧାନମନ୍ତ୍ରୀଙ୍କର କେତେକ ମୁଖ୍ୟ କାର୍ଯ୍ୟାବଳୀ :
-
ମନ୍ତ୍ରୀ ପରିଷଦର ନେତୃତ୍ୱ ନେବା
-
ବିଭିନ୍ନ ମନ୍ତ୍ରାଳୟ ମଧ୍ୟରେ ସମନ୍ବୟ ରଖିବା
-
ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବା
-
ଜାତୀୟ ନୀତି ନିର୍ଦ୍ଧାରଣ କରିବା
ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ସମସ୍ତ ନିଷ୍ପତ୍ତି ଗ୍ରହଣ କରି ସରକାର ଚଳାଇଥାନ୍ତି। ସେମାନେ ମିଳିତ ଭାବରେ ଲୋକସଭା ନିକଟରେ ଉତ୍ତରଦାୟୀ ରହିଥାନ୍ତି। ସଂସଦରେ ଆଲୋଚନା ନିମନ୍ତେ ସମସ୍ତ ବିଧେୟକ ସରକାରଙ୍କ ଦ୍ଵାରା ଉପସ୍ଥାପିତ ହୋଇଥାଏ। ଆଇନ ଓ ନୀତିଗୁଡ଼ିକର କାର୍ଯ୍ୟକାରିତା ନିମନ୍ତେ ସରକାରୀ କର୍ମଚାରୀ ନାମକ ଏକ ସ୍ଥାୟୀ ଗୋଷ୍ଠୀ ସହାୟତା ପ୍ରଦାନ କରିଥାନ୍ତି। ସାଧାରଣ ଭାବେ ପ୍ରଶାସକ ବା ଅମଲା ନାମରେ ପରିଚିତ ସେହି ଅଧିକାରୀଗଣ ବିଭିନ୍ନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଥାନ୍ତି ଏବଂ ସରକାରୀ ବିଭାଗ କାର୍ଯ୍ୟର ସୁଚାରୁ ସମ୍ପାଦନ ସୁନିଶ୍ଚିତ କରିଥାନ୍ତି।
ଆସ ଅନୁସନ୍ଧାନ କରିବା
ଯଦି କାର୍ଯ୍ୟପାଳିକା, ବ୍ୟବସ୍ଥାପିକାର ଏକ ଅଂଶ, ତେବେ ଏଠାରେ କ୍ଷମତାର ବିଭାଜନ ହୋଇଛି ବୋଲି ଆମେ କିପରି କହିପାରିବା ? (ସୂତ୍ର : ବ୍ୟବସ୍ଥାପିକା ବିଭାଗ ପୁନଃ ଅବଲୋକନ କର)
ମନେରଖ
୧୯୫୬ ମସିହାରେ ରେଳମନ୍ତ୍ରୀ ଥିବା ଲାଲ ବାହାଦୁର ଶାସ୍ତ୍ରୀ ଏକ ରେଳ ଦୁର୍ଘଟଣା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଦୁର୍ଘଟଣା ନିମନ୍ତେ ତାଙ୍କୁ କେହି ଦାୟୀ କରି ନଥିଲେ ମଧ୍ୟ ସେ ବିଶ୍ଵାସ କରୁଥିଲେ ଯେ ନିଜ ମନ୍ତ୍ରାଳୟର ସମସ୍ତ ତ୍ରୁଟି ବିଚ୍ୟୁତି ନିମନ୍ତେ ମନ୍ତ୍ରୀ ନିଜେ ନୈତିକ ଦାୟିତ୍ଵ ନେବା ଉଚିତ। ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ। ପ୍ରଥମେ ନେହେରୁ ଅନିଚ୍ଛା ପ୍ରକାଶ କରିଥିଲେ, ମାତ୍ର ଶାସ୍ତ୍ରୀ ବାଧ୍ୟ କରିବାରୁ ଶେଷରେ ତାଙ୍କ ଇସ୍ତଫାପତ୍ର ଗୃହୀତ ହୋଇଥିଲା।
[ଚିତ୍ର ବର୍ଣ୍ଣନା : ୬.୧୦: ଲାଲ ବାହାଦୁର ଶାସ୍ତ୍ରୀ (ଭାରତର ପୂର୍ବତନ ରେଳମନ୍ତ୍ରୀ ଏବଂ ପରେ ପ୍ରଧାନମନ୍ତ୍ରୀ)।]
ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମଧ୍ୟରେ ପାର୍ଥକ୍ୟ
ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମଧ୍ୟରେ ଥିବା କେତେକ ମୁଖ୍ୟ ପାର୍ଥକ୍ୟ ଗୁଡ଼ିକ ଆମେ ଜାଣିବା ଆବଶ୍ୟକ। ନିମ୍ନ ସାରଣୀରେ ଏହା ସାରାଂଶ ଭାବେ ଦର୍ଶାଯାଇଛି।
| ଦୃଷ୍ଟିକୋଣ | ବ୍ୟବସ୍ଥାପିକା | କାର୍ଯ୍ୟପାଳିକା |
|---|---|---|
| ଗଠନ | ଭାରତର ସଂସଦ ଦେଶର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ଅନୁଷ୍ଠାନ। ଏହା ରାଷ୍ଟ୍ରପତି, ରାଜ୍ୟସଭା ଓ ଲୋକସଭାକୁ ନେଇ ଗଠିତ ହୋଇଅଛି। | ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀପରିଷଦକୁ ନେଇ କାର୍ଯ୍ୟପାଳିକା ଗଠିତ। |
| ମୁଖ୍ୟ ଭୂମିକା | ଆଇନ ପ୍ରଣୟନ ଏବଂ କାର୍ଯ୍ୟପାଳିକାର କାର୍ଯ୍ୟ ତଦାରଖ | ବ୍ୟବସ୍ଥାପିକା ଦ୍ବାରା ପ୍ରଣୀତ ଆଇନ ପ୍ରବର୍ତ୍ତନ କରିବା |
| କାର୍ଯ୍ୟାବଳୀ | * ସଂସଦରେ କେତେକ ବିଧେୟକ ଉପସ୍ଥାପନ * ପ୍ରଶ୍ନୋତ୍ତର ମାଧ୍ୟମରେ କାର୍ଯ୍ୟପାଳିକାର ଗତିବିଧି ନିୟନ୍ତ୍ରଣ * ସମସ୍ତ ସରକାରୀ ଖର୍ଚ୍ଚ ମଞ୍ଜୁର କରିବା * ବିଭିନ୍ନ ସଂସଦୀୟ ସମିତିର ପରାମର୍ଶ ନେବା | * ଅଧିକାଂଶ ବିଧେୟକ ସଂସଦରେ କାର୍ଯ୍ୟପାଳିକା ଦ୍ବାରା ଉପସ୍ଥାପନ * ନିଜ କାର୍ଯ୍ୟ ସମ୍ବଳିତ ନିଷ୍ପତ୍ତି ବ୍ୟବସ୍ଥାପିକାକୁ ସୂଚାଇ ତତ୍ ସଂକ୍ରାନ୍ତୀୟ କାରଣ ଦର୍ଶାଇବା। * ଗୁରୁତ୍ବପୂର୍ଣ୍ଣ ବ୍ୟାପାରରେ ରାଷ୍ଟ୍ରପତିଙ୍କୁ ସାହାଯ୍ୟ ଓ ପରାମର୍ଶ ଦେବା ସହିତ ସଂସଦ ବୈଠକ ଆହ୍ବାନ ଓ ସ୍ଥଗିତ ରଖିବା। * ସଂସଦ ଦ୍ଵାରା ଗୃହୀତ ବଜେଟ୍ ପ୍ରସ୍ତୁତି ଓ କାର୍ଯ୍ୟକାରୀ କରିବା * ଦୈନନ୍ଦିନ କାର୍ଯ୍ୟରେ ସ୍ୱାଧୀନ ଭାବେ କାର୍ଯ୍ୟ କରିବା ସହିତ ଆବଶ୍ୟକ ସ୍ଥଳେ ସମିତି ଗୁଡ଼ିକର ପରାମର୍ଶ ନେବା। |
ନ୍ୟାୟପାଳିକା – ନିୟନ୍ତ୍ରଣ ଓ ସନ୍ତୁଳନର ଭୂମିକା
ସରକାରଙ୍କ ଏକ ଅଙ୍ଗ ଭାବେ ନ୍ୟାୟପାଳିକା ନିର୍ଦ୍ଦିଷ୍ଟ ବିବାଦିତ ମାମଲା ବ୍ୟତିରେକେ ଆଇନର ତର୍ଜମା ଓ ପ୍ରଣୟନରେ ସହାୟତା ପ୍ରଦାନ କରିଥାଏ। ନ୍ୟାୟାଳୟ ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟ କରି ଏହା ଗଣତାନ୍ତ୍ରିକ ସମାଜ ଓ ଶାସନ ପ୍ରକ୍ରିୟାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ନ୍ୟାୟପାଳିକା ସମ୍ବିଧାନର ରକ୍ଷାକର୍ତ୍ତା ଭାବେ କାର୍ଯ୍ୟ କରିଥାଏ ଏବଂ ସରକାରଙ୍କ ସବୁ ବିଭାଗ ସମ୍ବିଧାନର ସିଦ୍ଧାନ୍ତ ଓ ମାପଦଣ୍ଡ ମଧ୍ୟରେ ରହି କାର୍ଯ୍ୟ କରିବା ସୁନିଶ୍ଚିତ କରେ। ଆଇନର ବ୍ୟାଖ୍ୟା, ବିଭିନ୍ନ ବିବାଦର ସମାଧାନ ଓ ମୌଳିକ ଅଧିକାରର ସୁରକ୍ଷା ମାଧ୍ୟମରେ ଏହା ସମାଜ ତଥା ସରକାରୀ ଅନୁଷ୍ଠାନଗୁଡ଼ିକର ସଫଳ କାର୍ଯ୍ୟାନ୍ଵୟନ ନିମନ୍ତେ ଆବଶ୍ୟକ ନିୟନ୍ତ୍ରଣ ଲାଗୁ କରିଥାଏ।
ଦେଶ ଶାସନରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା କିଭଳି କ୍ଷମତା ପ୍ରାପ୍ତ ହୋଇଛନ୍ତି ତାହା ସମ୍ବିଧାନ ବର୍ଣ୍ଣନା କରି ନଥାଏ, ଅଧିକନ୍ତୁ ଏହା ସେହି ସଂସ୍ଥାଗୁଡ଼ିକର ନିର୍ଦ୍ଦିଷ୍ଟ ଦାୟିତ୍ଵ ସମ୍ପର୍କିତ ତାଲିକା ପ୍ରଦାନ କରିଥାଏ। ବିଧିବଦ୍ଧ ଓ ଦାୟିତ୍ଵସମ୍ପନ୍ନ ଭାବେ ବ୍ୟବସ୍ଥାପିକା କ୍ଷମତାର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନିମନ୍ତେ ନ୍ୟାୟପାଳିକାକୁ ଏକ ଅଦ୍ଵିତୀୟ ଓ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ପ୍ରଦାନ କରାଯାଇଛି। ସଂସଦଦ୍ବାରା ପାରିତ ଆଇନ ଯେପରି ସାମ୍ବିଧାନିକ ଢାଞ୍ଚା ଅତିକ୍ରମ ନ କରେ, ନ୍ୟାୟପାଳିକା ତା’ର ଯାଞ୍ଚ କରିଥାଏ। ସେହିପରି ଆଇନ କାର୍ଯ୍ୟକାରିତା ସମୟରେ କାର୍ଯ୍ୟପାଳିକା ଯଦି କୌଣସି ସାମ୍ବିଧାନିକ ବ୍ୟବସ୍ଥା ଭଙ୍ଗ କରେ, ସେଠାରେ ନ୍ୟାୟପାଳିକା ହସ୍ତକ୍ଷେପ କରିବା ପାଇଁ କ୍ଷମତାପ୍ରାପ୍ତ ହୋଇଛି। ଯେପରି ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମାଧ୍ୟମରେ ସଂସଦ ତାହାର କାର୍ଯ୍ୟ ସମ୍ପାଦନ କରିଥାଏ, ସେହିପରି ନ୍ୟାୟାଳୟ ମାଧ୍ୟମରେ ନ୍ୟାୟପାଳିକା କାର୍ଯ୍ୟ କରିଥାଏ।
ଏହି ଅଧ୍ୟାୟରେ, ସଂସଦ କିପରି ନିଜସ୍ବ ସଂସ୍ଥା ମଧ୍ୟରେ ସମତୁଲତା ରକ୍ଷାକରି ଆଇନ ସୃଷ୍ଟି କରି ତାହାକୁ କାର୍ଯ୍ୟକାରୀ କରେ ଏବଂ ନ୍ୟାୟପାଳିକା କିପରି ଏହାକୁ ନିୟନ୍ତ୍ରଣ କରେ ଆମେ ଅନୁସନ୍ଧାନ କଲେ। ଏହା ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରେ କ୍ଷମତା ବିଭାଜନ ତଥା ନିୟନ୍ତ୍ରଣ ଓ ସନ୍ତୁଳନ ପ୍ରଣାଳୀର ଏକ ଉଦାହରଣ। କୌଣସି ଏକ ସଂସ୍ଥା ଯେପରି ଅଧିକ କ୍ଷମତାଶାଳୀ ନହୁଏ, ଏହା ସୁନିଶ୍ଚିତ କରେ।
ଆସ ଅନୁସନ୍ଧାନ କରିବା
-
ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରୁ କେବଳ ଗୋଟିଏକୁ ସମସ୍ତ କ୍ଷମତା ପ୍ରଦାନ କରାଗଲେ କ’ଣ ହେବ ? ଏହା ଲୋକମାନଙ୍କ ଅଧିକାରକୁ କିପରି ପ୍ରଭାବିତ କରିବ ? ତୁମ ସହପାଠୀଙ୍କ ସହିତ ଆଲୋଚନା କର।
-
ପ୍ରତ୍ୟେକ ସଂସ୍ଥା ଅନ୍ୟକୁ କିପରି ନିୟନ୍ତ୍ରଣ କରନ୍ତି ? ଉଦାହରଣ ସ୍ୱରୂପ : ବ୍ୟବସ୍ଥାପିକା କିପରି କାର୍ଯ୍ୟପାଳିକାର କାର୍ଯ୍ୟକୁ ପ୍ରଶ୍ନ କରିପାରିବ ? ନ୍ୟାୟପାଳିକା କିପରି ସୁନିଶ୍ଚିତ ହେବେ ଯେ ଆଇନ ଓ ସରକାରୀ କାର୍ଯ୍ୟକଳାପ ସମ୍ବିଧାନ ଅନୁକୂଳ ହେଉଛି ? ନ୍ୟାୟପାଳିକା ନିଜ କାର୍ଯ୍ୟ ନିଜେ ହିଁ ସମୀକ୍ଷା କରିପାରିବେ ବୋଲି କିଛି ବିକଳ୍ପ ଅଛି ବୋଲି ଭାବୁଛ କି ?
-
ନ୍ୟାୟପାଳିକା ଆଇନ ପ୍ରଣେତାଙ୍କୁ ଆଇନର ସମୀକ୍ଷା କରିବାକୁ କହିବାର କି ଉଦାହରଣ ତୁମେ ଦେଇପାରିବ କି ? ତୁମେ କେତେକ ଉଦାହରଣ ଦେଇ ପାରିବ କି ଯେଉଁଠି ଆଇନର କାର୍ଯ୍ୟକାରିତା ନେଇ ନ୍ୟାୟପାଳିକା ଉଠାଇଥିବା ପ୍ରଶ୍ନର କିଛି ଉଦାହରଣ ତୁମେ ଦେଇପାରିବ କି ?
ଆମେ ନ୍ୟାୟପାଳିକା ସମ୍ବନ୍ଧରେ ପରବର୍ତ୍ତୀ ଅଧ୍ୟାୟରେ ବିସ୍ତୃତ ଭାବେ ଜାଣିବା।
ରାଜ୍ୟସ୍ତରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର କାର୍ଯ୍ୟଧାରା
ଆମେ ପଢ଼ିଲେ, ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା ନିମନ୍ତେ କେନ୍ଦ୍ରରେ ସଂସଦ ରହିଅଛି। ଠିକ୍ ସେହିପରି ‘ରାଜ୍ୟ ବିଧାନସଭା’ ନାମରେ ରାଜ୍ୟରେ ମଧ୍ୟ ନିଜସ୍ଵ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ରହିଅଛି। କେନ୍ଦ୍ରୀୟ ସଂସଦର ସାଂସଦଙ୍କ ଦ୍ଵାରା ଆଇନ ପ୍ରଣୟନ ପରି ବିଧାନସଭାରେ ବିଧାୟକମାନେ ‘ରାଜ୍ୟ ତାଲିକା’ ଏବଂ ‘ଯୁଗ୍ମ ତାଲିକା’ ଭୁକ୍ତ ବିଷୟ ମଧ୍ୟରୁ ଆଇନ ପ୍ରଣୟନ କରିଥାନ୍ତି।
କେନ୍ଦ୍ରତାଲିକା, ରାଜ୍ୟତାଲିକା ଏବଂ ଯୁଗ୍ମ ତାଲିକା
[ଚିତ୍ର ବର୍ଣ୍ଣନା : ଭେନ୍ ଡାଏଗ୍ରାମ୍ ମାଧ୍ୟମରେ କେନ୍ଦ୍ର ତାଲିକା (ନୀଳ ବୃତ୍ତ), ରାଜ୍ୟ ତାଲିକା (ଗୋଲାପୀ ବୃତ୍ତ) ଏବଂ ମଝିରେ ସାଧାରଣ ଥିବା ଯୁଗ୍ମ ତାଲିକାର ପ୍ରଦର୍ଶନ।]
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଇନ ପ୍ରଣୟନ ସୀମା ସ୍ପଷ୍ଟ କରିବା ନିମନ୍ତେ ସମ୍ବିଧାନରେ ‘କେନ୍ଦ୍ର ତାଲିକା’ ଓ ‘ରାଜ୍ୟ ତାଲିକା’ ସୂଚୀ ରହିଛି। ଏଥିସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରିବାକୁ କ୍ଷମତା ପ୍ରାପ୍ତ ହୋଇଥିବା ଏକ ଯୁଗ୍ମ ତାଲିକା ମଧ୍ୟ ରହିଛି। ଅବଶ୍ୟ, ଯୁଗ୍ମ ତାଲିକା ଭୁକ୍ତ ବିଷୟ ମଧ୍ୟରୁ ଯଦି କେନ୍ଦ୍ର ସରକାର ଆଇନ ପ୍ରଣୟନ କରିଥାନ୍ତି, ତେବେ ରାଜ୍ୟ ସରକାର ସେଗୁଡ଼ିକ କାର୍ଯ୍ୟକାରୀ କରିବାକୁ ବାଧ୍ୟ ଅଟନ୍ତି। ଉଦାହରଣ ସ୍ଵରୂପ ଶିକ୍ଷା ଯୁଗ୍ମ ତାଲିକାଭୁକ୍ତ ବିଷୟବସ୍ତୁ ହୋଇଥିଲେହେଁ ଆରଟିଇ (RTE) କ୍ଷେତ୍ରରେ ଗୃହୀତ ଅଧିନିୟମ (ACT) ସମଗ୍ର ଭାରତରେ କାର୍ଯ୍ୟକାରୀ କରାଗଲା। ଶିକ୍ଷା, ପରିବେଶ ଆଦି କେତେକ ବିଶେଷ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସହଯୋଗ ମାଧ୍ୟମରେ ନୀତି ଆପଣେଇ ଥାନ୍ତି ଯାହା ସଂଘୀୟ ପ୍ରକୃତିର ପାରସ୍ପରିକ ନିର୍ଭରଶୀଳତା ଦର୍ଶାଏ।
ଭାରତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେତେକ ସମାନ୍ତରାଳ ସଂରଚନା
ରାଜ୍ୟ ସ୍ତରର ଶାସନଢାଞ୍ଚା କେନ୍ଦ୍ର ସରକାରର ଏକ ନକଲ ଅଟେ। ନିମ୍ନ ସାରଣୀରେ ତୁମେ ଏହି ସଂରଚନା ବୁଝି ପାରିବ :
| ବିଶେଷତ୍ବ | କେନ୍ଦ୍ର ସରକାର | ରାଜ୍ୟ ସରକାର |
|---|---|---|
| ସାମ୍ବିଧାନିକ ମୁଖ୍ୟ | ରାଷ୍ଟ୍ରପତି – ଏକ ନିର୍ବାଚକ ମଣ୍ଡଳୀ ଦ୍ବାରା ନିର୍ବାଚିତ | ରାଜ୍ୟପାଳ — ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତ |
| କାର୍ଯ୍ୟକାଳ | ୫ ବର୍ଷ | ସାଧାରଣ ଭାବେ ୫ ବର୍ଷ କିନ୍ତୁ ପରିବର୍ତ୍ତନୀୟ |
| ମୁଖ୍ୟ କାର୍ଯ୍ୟପାଳିକା | ରାଷ୍ଟ୍ରପତି ନାମକୁ ମାତ୍ର ମୁଖ୍ୟ କିନ୍ତୁ ବାସ୍ତବରେ ପ୍ରଧାନମନ୍ତ୍ରୀ | ରାଜ୍ୟପାଳ ନାମକୁ ମାତ୍ର କିନ୍ତୁ ବାସ୍ତବରେ ମୁଖ୍ୟମନ୍ତ୍ରୀ |
| କାର୍ଯ୍ୟପାଳିକା ଚୟନ | ସଂଖ୍ୟାଗରିଷ୍ଠ ଦଳ / ମେଣ୍ଟର ଲୋକସଭା ନେତା | ବିଧାନସଭାରେ ସଂଖ୍ୟାଗରିଷ୍ଠ / ମେଣ୍ଟ ଦଳର ନେତା |
| ମନ୍ତ୍ରୀ ପରିଷଦ | ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଚୟନ | ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚୟନ |
| ଦାୟିତ୍ବବୋଧତା | ମିଳିତଭାବେ ଲୋକସଭା ନିକଟରେ | ମିଳିତଭାବେ ବିଧାନସଭା ନିକଟରେ |
| ବ୍ୟବସ୍ଥାପିକା ସଂରଚନା | ଦ୍ବି-ସଦନୀୟ — ରାଜ୍ୟସଭା ଏବଂ ଲୋକସଭା | କେତେକ ରାଜ୍ୟରେ ଦ୍ବି-ସଦନୀୟ (ବିଧାନ ପରିଷଦ ଓ ବିଧାନ ସଭା), କେତେକ ରାଜ୍ୟରେ ଏକ ସଦନୀୟ (ବିଧାନସଭା)। ଓଡ଼ିଶାର ଏକ ସଦନୀୟ। |
| ନିମ୍ନ ସଦନ | ଲୋକସଭା | ବିଧାନସଭା |
| ଉଚ୍ଚ ସଦନ | ରାଜ୍ୟସଭା | ବିଧାନ ପରିଷଦ – କେତେକ ରାଜ୍ୟରେ (ଓଡ଼ିଶାରେ ନାହିଁ) |
| ନିମ୍ନ ସଦନର କାର୍ଯ୍ୟକାଳ | ୫ ବର୍ଷ | ୫ ବର୍ଷ |
| ଅଧ୍ୟକ୍ଷ (ନିମ୍ନ ସଦନ) | ବାଚସ୍ପତି | ବାଚସ୍ପତି |
| ବ୍ୟବସ୍ଥାପିକା କ୍ଷମତା | କେନ୍ଦ୍ର ତାଲିକା ଓ ଯୁଗ୍ମ ତାଲିକାଭୁକ୍ତ ବିଷୟରୁ ଆଇନ ପ୍ରଣୟନ | ରାଜ୍ୟ ତାଲିକାଭୁକ୍ତ ଓ ଯୁଗ୍ମ ତାଲିକାଭୁକ୍ତ ବିଷୟରୁ ଆଇନ ପ୍ରଣୟନ |
| ଆର୍ଥିକ କ୍ଷମତା | ଅର୍ଥ ବିଧେୟକ କେବଳ ଲୋକସଭାରୁ ଆରମ୍ଭ ହୁଏ | ଅର୍ଥ ବିଧେୟକ ବିଧାନସଭାରୁ ଆରମ୍ଭ ହୁଏ। |
ରାଜ୍ୟ ବ୍ୟବସ୍ଥାପିକାର ସଂରଚନା
କେନ୍ଦ୍ର ବ୍ୟବସ୍ଥାପିକା ପରି ନ ହୋଇ ରାଜ୍ୟ ବ୍ୟବସ୍ଥାପିକା ଏକ ସଦନୀୟ (କେବଳ ଗୋଟିଏ ମାତ୍ର ସଦନ) କିମ୍ବା ଦ୍ବି-ସଦନୀୟ (ଦୁଇଟି ସଦନ ଯୁକ୍ତ) ହୋଇଥାଏ। ଏହାର ବ୍ୟବସ୍ଥାପିକା ସଦନ ‘ବିଧାନସଭା’ ନାମରେ ନାମିତ। ଦ୍ବିସଦନ ବିଶିଷ୍ଟ ରାଜ୍ୟରେ ଦ୍ବିତୀୟ ସଦନଟି ‘ବିଧାନ ପରିଷଦ’ ନାମରେ ନାମିତ। ଦୁଇଟି ସଦନ ଥିବା ବ୍ୟବସ୍ଥାପିକା ରାଜ୍ୟଗୁଡ଼ିକ ହେଲା ଆନ୍ଧ୍ର ପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଉତ୍ତର ପ୍ରଦେଶ। ଏତଦ୍ଭିନ୍ନ ଅନ୍ୟ ରାଜ୍ୟଗୁଡ଼ିକ ଏକ ସଦନୀୟ ଅଟେ। ଓଡ଼ିଶାର ରାଜ୍ୟ ବ୍ୟବସ୍ଥାପିକା ଏକ ସଦନୀୟ ଯାହା ‘ବିଧାନସଭା’ ନାମରେ ପରିଚିତ। ଏହା ଆମ ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ଅବସ୍ଥିତ।
[ଚିତ୍ର ବର୍ଣ୍ଣନା : ୬.୧୨ : ବିଧାନ ସୌଧ (ବେଙ୍ଗାଲୁରୁ/ଓଡ଼ିଶା ବିଧାନସଭା ସମ୍ପର୍କିତ ସୂଚନା) – ଓଡ଼ିଶାର ବିଧାନ ସୌଧ ନିର୍ମାଣ ନିମନ୍ତେ ୧୯୫୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଶୁଭ ପ୍ରଦାନ କରିଥିଲେ। ଏହାର ନିର୍ମାଣ କାର୍ଯ୍ୟ ସରିବା ପରେ ୧୯୬୧ ମସିହା ଫେବୃଆରୀ ୧୨ ତାରିଖ ଦିନ ଭାରତର ତତ୍କାଳୀନ ଉପରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍ ଏହାର ଶୁଭ ଉଦ୍ଘାଟନ କରିଥିଲେ। ସେହି ସମୟରେ ଏହା ୨୫ ଲକ୍ଷ ଟଙ୍କାରେ ୪୭ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯାଇଥିଲା।]
ଆସ ଅନୁସନ୍ଧାନ କରିବା
ଆମ ରାଜ୍ୟର ବ୍ୟବସ୍ଥାପିକା କିପରି ଅଟେ ?
ବ୍ୟବସ୍ଥାପିକାର ସଫଳ କାର୍ଯ୍ୟାନ୍ବୟନ ପ୍ରତି ଆହ୍ବାନ
ଆମେ ଜାଣିଛେ, ଭାରତର ବ୍ୟବସ୍ଥାପିକା (କେନ୍ଦ୍ର ସଂସଦ ଓ ରାଜ୍ୟ ବିଧାନସଭା ସହିତ) ଆଇନ ପ୍ରଣୟନ, ପ୍ରଶାସନିକ କାର୍ଯ୍ୟ ତଦାରଖ ଏବଂ ବଜେଟ୍ ଅନୁମୋଦନ ଆଦି ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି। ଏହା ମଧ୍ୟ ଜାତୀୟ ନୀତି, ବିକାଶମୂଳକ ଯୋଜନା ପ୍ରସ୍ତୁତି, ଆନ୍ତର୍ଜାତୀୟ ସମ୍ପର୍କ ଏବଂ ଜନ ଅଭିଯୋଗ ଶୁଣାଣି ଆଦିର ଆଲୋଚନା ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିଥାଏ। ଅବଶ୍ୟ ଏସବୁ କାର୍ଯ୍ୟ କରୁଥିବା ସମୟରେ ବ୍ୟବସ୍ଥାପିକା କେତେକ ଆହ୍ବାନ ବା ସମସ୍ୟାର ସାମନା କରିଥାଏ। ସଦସ୍ୟମାନଙ୍କର ଲଗାତର ଅନୁପସ୍ଥିତି, ଅସହଯୋଗ ମନୋବୃତ୍ତି ଓ ଯୋଗାଯୋଗ, ମୁଖ୍ୟ ବିତର୍କରେ ଗୁଣାତ୍ମକତା ହ୍ରାସ ଏବଂ ପ୍ରଶ୍ନ କାଳର ବାରମ୍ବାର ବ୍ୟାଘାତ ସୃଷ୍ଟି ଆଦି ଏହାର କେତେକ ଉଦାହରଣ।
ଉତ୍ପାଦିକତା (Productivity): ଲୋକସଭା କିମ୍ବା ରାଜ୍ୟସଭାର ସ୍ଥିରୀକୃତ ସମୟ ନିର୍ଘଣ୍ଟ ମଧ୍ୟରୁ ବାସ୍ତବରେ କେତେ ଘଣ୍ଟା ଆଲୋଚନାରେ ଅତିବାହିତ ହୋଇଛି, ତାହାହିଁ ସଂସଦ ପ୍ରସଙ୍ଗରେ ଉତ୍ପାଦିକତାର ମାପକ।
ସାଧାରଣତଃ ଭାରତର ସଂସଦର ବୈଠକ ବର୍ଷରେ ତିନିଥର ବସିଥାଏ। ଏହି ବୈଠକକୁ ‘ଅଧିବେଶନ’ କୁହାଯାଏ – ବଜେଟ ଅଧିବେଶନ, ମୌସୁମୀ ଅଧିବେଶନ ଏବଂ ଶୀତକାଳୀନ ଅଧିବେଶନ। ପ୍ରତ୍ୟେକ ଅଧିବେଶନରେ ପ୍ରସ୍ତାବିତ ଆଇନର ବିଚାର ବିମର୍ଶ, ମୁଖ୍ୟ ଶାସନ ବିଷୟକ ଆଲୋଚନା ଏବଂ କାର୍ଯ୍ୟପାଳିକା ଠାରୁ ତାଙ୍କର ନିଷ୍ପତ୍ତି ଓ କାର୍ଯ୍ୟଧାରା ଉପରେ ସଂସଦ ସ୍ପଷ୍ଟୀକରଣ ମାଗିଥାଏ। ସାଧାରଣତଃ ସଂସଦ ଦୈନିକ ପ୍ରାୟ ୬ ଘଣ୍ଟା କାର୍ଯ୍ୟ କରିଥାଏ। ଆବଶ୍ୟକସ୍ଥଳେ, କେତେକ ବିଶେଷ କ୍ଷେତ୍ରରେ କିମ୍ବା ଜରୁରୀ ଆଲୋଚନାର ପୂର୍ଣ୍ଣତା ନିମନ୍ତେ ଦୈନିକ କାର୍ଯ୍ୟ ସୀମା ବୃଦ୍ଧି କରାଯାଇପାରେ। ରାଜ୍ୟ ବିଧାନସଭା ଗୁଡ଼ିକ ମଧ୍ୟ ସମାନ ଧାରଣାରେ କାର୍ଯ୍ୟ କରିଥାନ୍ତି।
ଆସ ଅନୁସନ୍ଧାନ କରିବା
- ନିମ୍ନ ସାରଣୀରେ ଦିଆଯାଇଥିବା ତଥ୍ୟ ଅନୁଶୀଳନ କର। ସଂସଦର ଅତିରିକ୍ତ ସମୟ କାର୍ଯ୍ୟ ନିର୍ଘଣ୍ଟ ସମ୍ବନ୍ଧରେ ତୁମେ କେଉଁ ନିଷ୍କର୍ଷରେ ପହଞ୍ଚିବ ? ନିକଟ ଅତୀତର କେତେକ ତଥ୍ୟ ସଂକଳନ କର।
| ଲୋକସଭାର ସମୟ ସୀମା | ଅଧିବେଶନ ସଂଖ୍ୟା | ବୈଠକ ସଂଖ୍ୟା |
|---|---|---|
| ପ୍ରଥମ ଲୋକସଭା (୧୯୫୨ – ୧୯୫୭) | ୧୪ | ୬୭୭ |
| ଦ୍ୱିତୀୟ ଲୋକସଭା (୧୯୫୭ – ୧୯୬୨) | ୧୬ | ୫୬୭ |
| ଦଶମ ଲୋକସଭା (୧୯୯୧ – ୧୯୯୬) | ୧୬ | ୪୨୩ |
| ତ୍ରୟୋଦଶ ଲୋକସଭା (୧୯୯୯ – ୨୦୦୪) | ୧୪ | ୩୫୬ |
- ରାଜ୍ୟସଭାର ପୂର୍ବତନ ଅଧ୍ୟକ୍ଷ ଏମ୍.ଭେଙ୍କୟା ନାଇଡୁ ୨୦୨୧ ମସିହାରେ ଦେଇଥିବା ନିମ୍ନ ବକ୍ତବ୍ୟଟି ପାଠ କର: “...୨୦୦୪ ମସିହା ଠାରୁ ୨୦୧୪ ମସିହା ମଧ୍ୟରେ ରାଜ୍ୟସଭାର ଉତ୍ପାଦିକତା ପାଖାପାଖି ୭୮ ପ୍ରତିଶତ ଥିଲା ଏବଂ ତାହା ପରଠାରୁ ହ୍ରାସ ପାଇ ଏହା ଏବେ ୬୫ ପ୍ରତିଶତରେ ପହଞ୍ଚିଲାଣି। (ସେ ସଭାପତିତ୍ୱ କରିଥିବା) ୧୧ଟି ଅଧିବେଶନ ମଧ୍ୟରୁ ୪ଟି ନିମ୍ନ ଉତ୍ପାଦିକତା ୬.୮୦ ପ୍ରତିଶତ, ୨୭.୩୦ ପ୍ରତିଶତ, ୨୮.୯୦ ପ୍ରତିଶତ ଏବଂ ୨୯.୫୫ ପ୍ରତିଶତ ବିଶିଷ୍ଟ ଥିଲା। ୨୦୧୮ ମସିହାରେ ରାଜ୍ୟସଭା ସର୍ବନିମ୍ନ ଉତ୍ପାଦିକତା – ୩୫.୭୫ ପ୍ରତିଶତ ରହିଥିଲା ଯାହା ବିଭିନ୍ନ ବ୍ୟାଘାତ ଦ୍ଵାରା ପ୍ରଭାବିତ।” ଏହି ବକ୍ତବ୍ୟରୁ ତୁମେ କେଉଁ ନିଷ୍ପତ୍ତିରେ ପହଞ୍ଚିଲ ? ଏହାଦ୍ଵାରା ରାଜ୍ୟସଭାର ସମ୍ଭାବ୍ୟ ଭୂମିକା ଉପରେ କି ପ୍ରଭାବ ପଡ଼ୁଛି ?
ସଂସଦ ଏବଂ ରାଜ୍ୟ ବିଧାନସଭା ଗୁଡ଼ିକ ଜନସ୍ୱାର୍ଥରେ ପ୍ରଣୀତ ଆଇନ ନିମନ୍ତେ ତର୍କ ଓ ଆଲୋଚନାର ଏକ ପ୍ରକୃଷ୍ଟ ସ୍ଥାନ ବୋଲି କଳ୍ପନା କରାଯାଇଥିଲା। ମାତ୍ର ଯେତେବେଳେ ତର୍କରେ ବ୍ୟାଘାତ ସୃଷ୍ଟି ହୁଏ, ଅଧିବେଶନକୁ ସଙ୍କୁଚିତ କରାଯାଏ ଏବଂ କେତେକ ବିଧେୟକ ଆଲୋଚିତ ଓ ଗୃହୀତ ହେବାପାଇଁ ବର୍ଷ ବର୍ଷ ଲାଗେ, ସେତେବେଳେ ଏହା ଏକ ଚିନ୍ତାଜନକ ବିଷୟ ହୋଇପଡ଼େ।
ଆସ ଅନୁସନ୍ଧାନ କରିବା
-
ମିଳିମିଶି ଏକ କ୍ଷୁଦ୍ର ପ୍ରକଳ୍ପ ନିଅ। ତୁମ ରାଜ୍ୟ ବ୍ୟବସ୍ଥାପିକାର କାର୍ଯ୍ୟକାରିତା ସମ୍ପର୍କିତ ତଥ୍ୟ ଏକାଠି କର।
-
କୌଣସି ବିଧାୟକଙ୍କୁ ଦେଖାକର ଏବଂ ବିଧାନସଭାର ଆହ୍ଵାନ ସମ୍ପର୍କିତ ସୂଚନାଗୁଡ଼ିକ ତାଙ୍କଠାରୁ ସଂଗ୍ରହ କର।
ସମାଜର କେତେକ ବର୍ଗର ଲୋକ ଚିନ୍ତା ପ୍ରକଟ କରୁଛନ୍ତି ଯେ, ସେମାନଙ୍କ ପ୍ରତିନିଧିମାନଙ୍କ ଏକ ପ୍ରମୁଖ ଭାଗ ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତ। ଏହାଛଡ଼ା ଅନେକ ଅଧିବେଶନରେ ସାଂସଦଙ୍କ ଉଗ୍ର ଏବଂ ପକ୍ଷପାତୀ ବିତର୍କ ଯୋଗୁଁ ସାଧାରଣ ଜନତାଙ୍କୁ ପ୍ରଭାବିତ କରୁଥିବା ବିଷୟଗୁଡ଼ିକର ସମାଧାନ ହୋଇପାରୁ ନାହିଁ।
ମତଦାତାଙ୍କ ଆବଶ୍ୟକତାଗୁଡ଼ିକୁ ପହଞ୍ଚାଇବାରେ ଗଣମାଧ୍ୟମ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସବୁ ସୁସ୍ଥ ଗଣତନ୍ତ୍ର ଗ୍ରହଣ କରୁଥିବା କେତେକ ସାଧାରଣ ରୀତିନୀତି ମଜାଳିଆ ଢଙ୍ଗରେ ନିମ୍ନ ବ୍ୟଙ୍ଗ ଚିତ୍ରଗୁଡ଼ିକ ପ୍ରତିପାଦନ କରୁଛି।
[ଚିତ୍ର ବର୍ଣ୍ଣନା : ୬.୧୩ (କ) : ସଂସଦ ବାହାରେ ହଙ୍ଗାମା, ପୋଲିସ ଏବଂ ଦମକଳ ଗାଡ଼ି ସହ ମୌସୁମୀ ଅଧିବେଶନର ଝଡ଼ଝଞ୍ଜାକୁ ବ୍ୟଙ୍ଗ କରି ଅଙ୍କାଯାଇଥିବା କାର୍ଟୁନ୍।]
[ଚିତ୍ର ବର୍ଣ୍ଣନା : ୬.୧୩ (ଖ) : ନିର୍ବାଚନ ଆୟୋଗଙ୍କ ନିକଟରେ ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ (Criminal Record of Candidates) ଦାଖଲ ସମ୍ପର୍କିତ ଏକ ବ୍ୟଙ୍ଗ ଚିତ୍ର।]
ତଥାପି, ଯେତେବେଳେ ନାଗରିକମାନେ ଅଧିକ ସୂଚନା ସହିତ ଯୋଡ଼ି ହୋଇ ରହନ୍ତି, ସେତେବେଳେ ଗଣତନ୍ତ୍ର ଶକ୍ତିଶାଳୀ ହୋଇଥାଏ। ବିଭିନ୍ନ ପ୍ରଶ୍ନ, ମତାମତର ଆଦାନ ପ୍ରଦାନ ଏବଂ ସାଧାରଣ ଆଲୋଚନାରେ ଭାଗ ନେଇ ଜନସାଧାରଣ ଭଲ ନୀତି ଗ୍ରହଣରେ ସହାୟତା କରିଥାନ୍ତି। ତେଣୁ ନାଗରିକମାନେ ଅଧିକ ମାତ୍ରାରେ ସାମାଜିକ ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ସମ୍ବନ୍ଧୀୟ ସୂଚନା ରଖିବା, ନୀତି ନିର୍ଦ୍ଧାରଣ ସମୟରେ ବିଭିନ୍ନ ସରକାରୀ ବିଭାଗର ‘ଡିଜିଟାଲ ସ୍ପେସ୍’ରେ କିମ୍ବା ସର୍ବସାଧାରଣ ବିତର୍କରେ ଅଂଶଗ୍ରହଣ କରିବା ଏବଂ ରାଜନୈତିକ ପ୍ରତିନିଧିଙ୍କ ସହିତ ନୀତି ସମ୍ବଳିତ କାର୍ଯ୍ୟରେ ଗଠନମୂଳକ ଯୋଗଦାନ କରିବା ହିଁ ଭାରତ ସାମନା କରୁଥିବା ବିଭିନ୍ନ ଆହ୍ବାନ ସମାଧାନର ସର୍ବୋତ୍ତମ ଉପାୟ।
ଅନେକ ଯୁବ ନେତା ତଥା ଭିନ୍ନ ଭିନ୍ନ ମତ ସାଧାରଣ ଜନଜୀବନରେ ପ୍ରବେଶ କରୁଅଛି ଏବଂ ବୈଷୟିକ ଜ୍ଞାନକୌଶଳ ଶାସନ ସହ ଶାସିତଙ୍କୁ ଯୋଡ଼ିବା ସହଜ କରି ଦେଉଛି। ଭବିଷ୍ୟତର ମତଦାତା ରୂପେ, ତୁମର ପସନ୍ଦ ଏବଂ ଅଂଶଗ୍ରହଣ ଆମ ସଂସଦ ଏବଂ ତୁମେ ବସବାସ କରୁଥିବା ରାଜ୍ୟ ବିଧାନସଭାର ଗୁରୁତ୍ଵ ବଢ଼ାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ଏବଂ ସବୁଲୋକଙ୍କୁ ବାସ୍ତବ ସେବା ସୁନିଶ୍ଚିତ କରିବ।
ମନେରଖ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଲୋକସଭାରେ ଏକ ବକ୍ତବ୍ୟ ସମୟରେ କହିଥିଲେ : “ସରକାର ଆସିବେ ଓ ଯିବେ, ରାଜନୈତିକ ଦଳ ଗଢ଼ା ହେବେ, ନଷ୍ଟ ମଧ୍ୟ ହେବେ। କିନ୍ତୁ ଆମ ଦେଶ ରହିବା ଉଚିତ, ଏ ଦେଶର ଲୋକତନ୍ତ୍ର ଅମର ରହିବା ଉଚିତ।”
ଗଣତନ୍ତ୍ରରେ ଆମ ସଂସଦ ଏବଂ ନେତାଙ୍କ ଭୂମିକା ସମ୍ବନ୍ଧରେ ଏହା କେଉଁ ବାର୍ତ୍ତା ଦେଉଛି ବୋଲି ତୁମେ ଭାବୁଛ ? ରାଜନୈତିକ କ୍ଷମତା ପରିବର୍ତ୍ତନ ସତ୍ତ୍ୱେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା କାହିଁକି ଗୁରୁତ୍ବପୂର୍ଣ ?
[ଚିତ୍ର ବର୍ଣ୍ଣନା : ୬.୧୪ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ର।]
ଆମେ କ'ଣ ଶିଖିଲେ...
-
କ୍ଷମତାର ବଣ୍ଟନ, ତର୍କଭିତ୍ତିକ ନିଷ୍ପତ୍ତି ଓ ନେତାମାନେ ଉତ୍ତରଦାୟୀ ରହିବା ଭାରତୀୟ ସଂସଦୀୟ ବ୍ୟବସ୍ଥା ସୁନିଶ୍ଚିତ କରେ।
-
ବ୍ୟବସ୍ଥାପିକା ଆଇନ ପ୍ରଣୟନ କରେ, କାର୍ଯ୍ୟପାଳିକା ସେଗୁଡ଼ିକୁ କାର୍ଯ୍ୟକାରୀ କରେ ଏବଂ ସେମାନେ ସମ୍ବିଧାନ ଅନୁପାଳନ କରୁଛନ୍ତି ବୋଲି ନ୍ୟାୟପାଳିକା ସୁନିଶ୍ଚିତ କରେ।
-
ସଂସଦ ଲୋକଙ୍କ ମତକୁ ପ୍ରତିନିଧିତ୍ଵ କରେ ଏବଂ ଆମ ଗଣତନ୍ତ୍ରର ସଂଘୀୟ ଭାବନା ପ୍ରତିଫଳନ କରେ।
-
ପ୍ରତିନିଧିତ୍ବ, ଦାୟିତ୍ଵ ଓ ସମନ୍ବୟ ମଧ୍ୟରେ ସନ୍ତୁଳନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସଂସ୍ଥାମାନ ଗଢ଼ାଯାଇଛି।
-
ସଂସ୍ଥାଗତ ନିୟନ୍ତ୍ରଣ ଓ ସନ୍ତୁଳନ, ନାଗରିକ ଅଧିକାର ସୁରକ୍ଷା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ରକ୍ଷା କରିବାରେ ସହାୟତା କରେ।
-
ଦେଶର ଉନ୍ନତି ଅବ୍ୟାହତ ରଖିବାପାଇଁ ସଂସଦର କାର୍ଯ୍ୟାବଳୀ ଅଧିକ ଦକ୍ଷ ଓ ଫଳପ୍ରସୂ ହେବା ଆବଶ୍ୟକ।
ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ
୧. ସଂସଦର ଉଭୟ ସଦନରେ ତୁମ ରାଜ୍ୟରୁ କେତେଜଣ ପ୍ରତିନିଧି ସ୍ଥାନ ପାଇଛନ୍ତି ? ୨. ଭାରତର ସଂସଦ “ଲୋକଙ୍କ ମତ”କୁ କିପରି ଦର୍ଶାଏ ? ଭିନ୍ନ ଭିନ୍ନ ମତ ଉପସ୍ଥାପନା ବୋଲି ଏହା କିପରି ସୁନିଶ୍ଚିତ କରେ ? ୩. ସମ୍ବିଧାନ କାର୍ଯ୍ୟପାଳିକାକୁ ବ୍ୟବସ୍ଥାପିକା ନିକଟରେ ଉତ୍ତରଦାୟୀ କରିଛି ବୋଲି ତୁମେ କାହିଁକି ଭାବୁଛ ? ୪. ଆମେ କେନ୍ଦ୍ର ସ୍ତରରେ ଦ୍ବିସଦନୀୟ ବ୍ୟବସ୍ଥାପିକା କାହିଁକି ଗ୍ରହଣ କରିଛେ ? ୫. ସଂସଦରେ ନିକଟରେ ଗୃହୀତ ହୋଇଥିବା ଏକ ବିଧେୟକ କେଉଁ କେଉଁ ପଥ ଅତିକ୍ରମ କଲା ଅନୁଧ୍ୟାନ କର। ଏହା କେଉଁ ସଦନରେ ଉପସ୍ଥାପିତ ହେଲା ଚିହ୍ନଟ କର। ଏଥିରେ କିଛି ପ୍ରମୁଖ ବିତର୍କ କିମ୍ବା ମତ ପାର୍ଥକ୍ୟ ଲକ୍ଷ୍ୟ କଲ କି ? ବିଧେୟକଟି ଆଇନ ହେବା ପାଇଁ କେତେ ଦିନ ଲାଗିଲା ? ସମ୍ବାଦପତ୍ର, ଅଭିଲେଖାଗାର, ସରକାରୀ ୱେବସାଇଟ୍ ଏବଂ ଲୋକସଭା ବିତର୍କ ଉପଯୋଗ କର କିମ୍ବା ତୁମ ଶିକ୍ଷକଙ୍କ ସହାୟତା ନିଅ। ୬. ନିକଟରେ ସଂସଦଦ୍ୱାରା ଗୃହୀତ ଏକ ଆଇନ ବାଛିନିଅ। ତୁମେମାନେ ଭିନ୍ନ ଭିନ୍ନ ଦଳ ଗଢ଼ି ଏହି ପ୍ରକ୍ରିୟାର ବିଭିନ୍ନ ଭାଗର ଅଭିନୟ କର – ବିତର୍କରତ ଲୋକସଭା ଏବଂ ରାଜ୍ୟସଭା ସାଂସଦ, ଉତ୍ତରଦେଉଥିବା ମନ୍ତ୍ରୀ ଏବଂ ସ୍ଵୀକୃତି ଦେଉଥିବା ରାଷ୍ଟ୍ରପତି। ବିଧେୟକ କିପରି ଆଇନରେ ପରିଣତ ହୁଏ ଦର୍ଶାଇବା ପାଇଁ ଏକ ଲଘୁ ନାଟକ ଉପସ୍ଥାପନ ମାଧ୍ୟମରେ ଏକ ‘ଆଦର୍ଶ ସଂସଦ’ ପରିବେଷଣ କର। ୭. ପ୍ରବଳ ସମର୍ଥନରେ ମହିଳା ସଂରକ୍ଷଣ ବିଧେୟକ, ୨୦୨୩ ଗୃହୀତ ହେଲା। ଅନେକ ବର୍ଷ ଧରି ଆଲୋଚନା ହୋଇଥିଲେ ମଧ୍ୟ ଏହା ଗୃହୀତ ହେବାକୁ ୨୫ ବର୍ଷରୁ ଅଧିକ ସମୟ ନେବାର କାରଣ କ'ଣ ହୋଇପାରେ ? ୮. ବେଳେବେଳେ ସଂସଦୀୟ କାର୍ଯ୍ୟକଳାପରେ ବ୍ୟାଘାତ ଯୋଗୁଁ ଏହା ଧାର୍ଯ୍ୟ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିପାରେ ନାହିଁ। ଆଇନର ଗୁଣବତ୍ତା ଏବଂ ଲୋକମାନେ ସେମାନଙ୍କ ପ୍ରତିନିଧିଙ୍କ ଉପରେ ରଖିଥିବା ଆସ୍ଥା ଏହାଦ୍ବାରା କିପରି ପ୍ରଭାବିତ ହୋଇଥାଏ ବୋଲି ତୁମେ ଭାବୁଛ ? ୯. ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ସ୍ଵାର୍ଥାନ୍ଵେଷୀ ଗୋଷ୍ଠୀ ଗଠନ କରି ତୁମେ ତୁମ ସାଂସଦ କିମ୍ବା ବିଧାୟକଙ୍କୁ ପଚାରିବା ନିମନ୍ତେ କେତେକ ପ୍ରଶ୍ନର ତାଲିକା ପ୍ରସ୍ତୁତ କରିପାରିବ କି ? ଏହି ପ୍ରଶ୍ନ ସାଂସଦ କିମ୍ବା ବିଧାୟକଙ୍କ କ୍ଷେତ୍ରରେ କିପରି ଭିନ୍ନଭିନ୍ନ ହୋଇପାରିବ ? ୧୦. ଭାରତୀୟ ଗଣତନ୍ତ୍ରରେ ନ୍ୟାୟପାଳିକା କେଉଁ ଭୂମିକା ତୁଲାଇ ଥାଏ ? ଏକ ସ୍ଵାଧୀନ ନ୍ୟାୟପାଳିକା ନଥିଲେ ଆମ ପାଇଁ କ’ଣ ଅସୁବିଧା ହୋଇଥାନ୍ତା ?