ଅଧ୍ୟାୟ ୭

ଉତ୍ପାଦନର କାରକ

“ଭୂମି, ଶ୍ରମ ଓ ପୁଞ୍ଜିର ଅଧିକ କୁଶଳ ବ୍ୟବହାର ଦ୍ଵାରା ହିଁ ଭାରତ ପରି ଏକ ଦେଶରେ ଅଭିବୃଦ୍ଧି ଓ ଉତ୍ପାଦକତାର ସର୍ବୋତ୍ତମ ଅବଦାନ ସମ୍ଭବ, ସୁତରାଂ ଏହି କାରକଗୁଡ଼ିକୁ ଅଧିକ କୁଶଳତାର ସହ ବ୍ୟବହାର କରାଯିବା ଉଚିତ୍।”

— ବିବେକ ଦେବରାୟ,

ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (୨୦୧୭-୨୦୨୪)

[ଚିତ୍ର ୭.୧: ମହାକାଶରେ ଉପଗ୍ରହ, କ୍ଷେତରେ ଟ୍ରାକ୍ଟର ସାହାଯ୍ୟରେ କୃଷିକାର୍ଯ୍ୟ, କାରଖାନାରେ ଯନ୍ତ୍ରପାତି ପରିଚାଳନା, ଚା’ ପତ୍ର ପ୍ରକ୍ରିୟାକରଣ ଏବଂ ଲାପଟପ୍ ସମ୍ମୁଖରେ ବସି କାର୍ଯ୍ୟରତ କର୍ମଜୀବୀମାନଙ୍କର ଏକ ସମାହାର]

ଆସ ଚିନ୍ତା କରିବା ? ୧. ଉତ୍ପାଦନର କାରକ ଗୁଡ଼ିକ କ'ଣ ? ୨. ସେହି କାରକଗୁଡ଼ିକ କିପରି ପରସ୍ପର ସହ ସମ୍ପର୍କିତ ? ୩. ଉତ୍ପାଦନରେ ମାନବ ପୁଞ୍ଜିର ଭୂମିକା କ'ଣ ଏବଂ ଏହାର ପ୍ରବନ୍ଧକ ଗୁଡ଼ିକ କ'ଣ ?

[ଚିତ୍ର ୭.୨: ବିଭିନ୍ନ ଉତ୍ପାଦନ କ୍ଷେତ୍ର ଯଥା— ଫଳ ଛଟେଇ କରୁଥିବା ଶ୍ରମିକ, ପୋଷାକ ସିଲେଇ କରୁଥିବା କାରିଗର, ଇଲେକ୍ଟ୍ରୋନିକ୍ସ ଉପକରଣ ପ୍ରସ୍ତୁତକାରୀ କର୍ମଚାରୀ ଏବଂ ଧାତବ କାର୍ଯ୍ୟରେ ନିୟୋଜିତ କାରିଗରଙ୍କ ଦୃଶ୍ୟ]

ଚିତ୍ର ୭.୨ – କିଛି ସାମଗ୍ରୀ ଉତ୍ପାଦନ ଉପରେ ଏକ ଦୃଷ୍ଟିପାତ ।

ଉପକ୍ରମ

ତୁମେ ବ୍ୟବହାର କରୁଥିବା ପୋଷାକ, ଜୋତା, ସ୍କୁଲ୍ ବ୍ୟାଗ, ଘର ଆସବାବପତ୍ର, ଫୋନ, କମ୍ପ୍ୟୁଟର ଆଦି କିପରି ତିଆରି ହୁଏ, ଏ ବିଷୟରେ କେବେ ଚିନ୍ତା କରିଛ କି ? ତୁମ ଚାରିପାଖରେ ଥିବା ପ୍ରତ୍ୟେକ ଉତ୍ପାଦ ଏକ ଏକ ଉତ୍ପାଦନ ପ୍ରକ୍ରିୟାରେ ଗତିକରି ଶେଷରେ ତୁମ ପାଖରେ ପହଞ୍ଚୁଥାଏ। ଉତ୍ପାଦନ ପ୍ରକ୍ରିୟାରେ ଚୂଡ଼ାନ୍ତ ଉତ୍ପାଦ ପାଇଁ ଅନେକ ସମ୍ବଳ ବା ସାଧନ ଆବଶ୍ୟକ ପଡ଼ିଥାଏ । ଦ୍ରବ୍ୟ ଓ ସେବା ଉତ୍ପାଦନରେ ବ୍ୟବହୃତ ସମ୍ବଳ ବା ସାଧନଗୁଡ଼ିକୁ ଉତ୍ପାଦନର କାରକ (Factors of Production) ବୋଲି କୁହାଯାଏ।

ବ୍ୟବସାୟ (Business):

ଏକ ପ୍ରତିଷ୍ଠାନ, ଏକ ଦୋକାନ, ଏକ କାରଖାନା ଇତ୍ୟାଦି ଯାହା ସାମଗ୍ରୀ ବା ଦ୍ରବ୍ୟ ଉତ୍ପାଦନ କିମ୍ବା ବିକ୍ରୟ କରିବା ସହିତ ସେବା ପ୍ରଦାନ କରିଥାଏ ।

ସହର ଉପକଣ୍ଠରେ ‘ଆମ ରୋଷେଇଘର’ ନାମକ ଏକ ଛୋଟ ଭୋଜନାଳୟ (restaurant) ଚଳାଉଥିବା ଶ୍ୟାମା ବିଷୟରେ ଆସ ଜାଣିବା। ସ୍ଵାଦିଷ୍ଟ ଓ ଉଚ୍ଚମାନର ଖାଦ୍ୟ ପାଇଁ ରାଜପଥ ଯାତ୍ରୀଙ୍କ ମଧ୍ୟରେ ଏହି ଭୋଜନାଳୟ ଅତ୍ୟନ୍ତ ଲୋକପ୍ରିୟ। ‘ଆମ ରୋଷେଇଘର’ ଭୋଜନାଳୟ ପରିଚାଳନାରେ ଶ୍ୟାମାକୁ ୭ ଜଣ କର୍ମଚାରୀ ସହାୟତା କରନ୍ତି । ଯେତେବେଳେ ସେ ପାଞ୍ଚ ବର୍ଷ ପୂର୍ବେ ଏହାକୁ ଆରମ୍ଭ କରିଥିଲେ, ସେତେବେଳେ ତାଙ୍କୁ ସ୍ଥାନ ବାଛିବା, ଭଡ଼ା ଏବଂ ଉପକରଣ ପାଇଁ ଅର୍ଥ ଯୋଗାଡ଼ କରିବା, କର୍ମଚାରୀ ନିଯୁକ୍ତି କରିବା, ଆବଶ୍ୟକ ସାମଗ୍ରୀ କିଣିବା ଓ ସର୍ବୋପରି ନିଜର ସ୍ଵପ୍ନକୁ ସାକାର କରିବାପାଇଁ ଯୋଜନା କରିବା ଜରୁରୀ ଥିଲା।

ବ୍ୟବସାୟ ଗୁଡ଼ିକ ଦ୍ରବ୍ୟ ଓ ସେବା ସୃଷ୍ଟି କରିବାପାଇଁ ବିଭିନ୍ନ ସାଧନ କିମ୍ବା ଉତ୍ପାଦନର କାରକଗୁଡ଼ିକୁ ଏକାଠି କରନ୍ତି। ଏହା ଲୋକଙ୍କୁ ଆର୍ଥିକ କାର୍ଯ୍ୟକଳାପରେ ନିୟୋଜିତ ହେବାର ସୁଯୋଗ ପ୍ରଦାନ କରିଥାଏ।


ଆସ ଅନୁସନ୍ଧାନ କରିବା

  • ଗୋଟିଏ କ୍ଷୁଦ୍ର ଦଳ ଗଠନ କରି ତୁମ ଅଞ୍ଚଳର ଅର୍ଥନୈତିକ କାର୍ଯ୍ୟାବଳୀଗୁଡ଼ିକୁ ଅଧ୍ୟୟନ କର। କେଉଁ ପ୍ରକାର ଦ୍ରବ୍ୟ ଓ ସେବା ଏଠାରେ ପ୍ରସ୍ତୁତ ହେଉଛି ବା ଯୋଗାଇ ଦିଆଯାଉଛି ?
  • ଏଠାରେ ଲତା, ଆଶା, ମୋହନ ଓ ରୁଦ୍ର ମିଶି ଏକ କ୍ଷୁଦ୍ର ତାଲିକା ପ୍ରସ୍ତୁତ କରିଛନ୍ତି। ତୁମେ ଏହିପରି ଏକ ଦୋକାନ ପାଇଁ ନିଜ ପସନ୍ଦର ତାଲିକାଟିଏ ପ୍ରସ୍ତୁତ କର।
ଦୋକାନର ପ୍ରକାରଅଞ୍ଚଳରେ ଉପଲବ୍ଧ ସଂଖ୍ୟାଉତ୍ପାଦିତ ଦ୍ରବ୍ୟ କିମ୍ବା ସେବା ପ୍ରଦାନଆବଶ୍ୟକ ବିଭିନ୍ନ ସାଧନ
କିରାଣା/ ତେଜରାତି ଦୋକାନ୧୩ଡାଲିଚାଉଳ, ତେଲ, ଲୁଣ, ମସଲା, ପାଉଁରୁଟି ଇତ୍ୟାଦିପ୍ୟାକେଟ ଦ୍ରବ୍ୟ (packaged goods), ଶୀଘ୍ର ନଷ୍ଟ ହୋଇଯାଉଥିବା ଦ୍ରବ୍ୟ, ସଂରକ୍ଷଣ ସ୍ଥାନ ଇତ୍ୟାଦି
ଭୋଜନାଳୟ/ ଖାଦ୍ୟ ଷ୍ଟଲ୍ରନ୍ଧନ ଖାଦ୍ୟ, ଜଳଖୁଆ, ପାନୀୟକଞ୍ଚାମାଲ (raw ingredients), ଯଥା— ଡାଲି, ଚାଉଳ, ତେଲ, କଞ୍ଚା ପନିପରିବା ଓ ଫଳ, ଗ୍ୟାସ (gas), ବାସନକୁସନ, ରୋଷେୟା/ ସହାୟତାକାରୀ ଇତ୍ୟାଦି
ପରିବା ବେପାର୧୫ତାଜା ପନିପରିବା ଓ ଫଳତାଜା ପନିପରିବା, ଟୋକେଇ, ନିକିତି ବା ତରାଜୁ, ଠେଲାଗାଡ଼ି ବା ଷ୍ଟଲ୍ ଇତ୍ୟାଦି
ମୋବାଇଲ୍ ମରାମତି ଦୋକାନମୋବାଇଲ ମରାମତି ପାଇଁ ଦରକାରୀ ଉପକରଣଯନ୍ତ୍ରପାତି (Tools), ଯନ୍ତ୍ରାଂଶ (spareparts), ମୋବାଇଲର ଗଠନ ଓ କାର୍ଯ୍ୟ ସମ୍ପର୍କରେ ଜ୍ଞାନ ଓ ଦକ୍ଷତା ଇତ୍ୟାଦି
ସେଲୁନ୍ ଓ ପାରଲର୍କେଶ କାଟିବା, ସଜବାଜ, ସୌନ୍ଦର୍ଯ୍ୟ ସେବାକଇଁଚି, ମଲମ (creams), ସୌନ୍ଦର୍ଯ୍ୟ ଉତ୍ପାଦ, ଜଳ, ବିଦ୍ୟୁତ୍ ଇତ୍ୟାଦି

ତୁମ ଦଳର ତଥ୍ୟ (Report)କୁ ଅନୁଧ୍ୟାନ କରି, ନିମ୍ନୋକ୍ତ ବିଷୟରେ ଚିନ୍ତା କର।

  • ଲୋକମାନେ ସେମାନଙ୍କ ବ୍ୟବସାୟ ପାଇଁ ଆବଶ୍ୟକ ଅର୍ଥ କେଉଁଠାରୁ ପାଆନ୍ତି ?
  • କେଶ ସଜ୍ଜାକାରୀ କେଉଁଠାରୁ ତାଲିମ ପାଇଛନ୍ତି ?
  • ଖାଦ୍ୟ ବିକ୍ରେତାମାନଙ୍କୁ ରୋଷେଇ କରିବା କିଏ ଶିଖାଇଲା ?
  • ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟ ଆରମ୍ଭ କରିବାକୁ କେଉଁଠୁ ପ୍ରେରଣା ପାଇଥିଲେ ?

ଦକ୍ଷତା (Skill):

ଅଭ୍ୟାସ ଓ ତାଲିମ ଦ୍ଵାରା କୌଣସି କାର୍ଯ୍ୟକଳାପ ଭଲ ଭାବରେ କରିବାର କ୍ଷମତା।

ଅର୍ଥଶାସ୍ତ୍ରରେ, ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ସାଧନ କିମ୍ବା ଉତ୍ପାଦନର କାରକଗୁଡ଼ିକୁ ଚାରି ପ୍ରକାରରେ ବିଭକ୍ତ କରାଯାଉଛି– ଯଥା: ଭୂମି, ଶ୍ରମ, ପୁଞ୍ଜି ଏବଂ ଉଦ୍ୟୋଗିକୀ । ପ୍ରଯୁକ୍ତିବିଦ୍ୟା ଏକ ସହାୟକ ଏବଂ ଗୁରୁତ୍ଵପୂର୍ଣ୍ଣ କାରକ ଭାବେ ବ୍ୟବସାୟଗୁଡ଼ିକୁ ସମାନ କିମ୍ବା କମ୍ ସାଧନ ସହିତ ଅଧିକ ସାମଗ୍ରୀ ଉତ୍ପାଦନ କରିବାକୁ ସକ୍ଷମ କରିଥାଏ । ଆସ, ପରବର୍ତ୍ତୀ ପାଠରେ ଏହି ସାଧନଗୁଡ଼ିକ ବିଷୟରେ ଅଧିକ ଜାଣିବା।

ଉତ୍ପାଦନର କାରକ

ଭୂମି (ପ୍ରାକୃତିକ ସମ୍ବଳ)

ଅର୍ଥଶାସ୍ତ୍ରରେ ‘ଭୂମି’ ଶବ୍ଦଟି କେବଳ ପୃଥିବୀଗତ ଜମିକୁ ବୁଝାଏ ନାହିଁ, ବରଂ ଏହା ମୃତ୍ତିକା, ଜଙ୍ଗଲ, ଜଳ, ବାୟୁ, ସୂର୍ଯ୍ୟକିରଣ, ଖଣିଜ ପଦାର୍ଥ, ତୈଳ ଏବଂ ପ୍ରାକୃତିକ ଗ୍ୟାସ ଭଳି ପ୍ରାକୃତିକ ସମ୍ବଳକୁ ଅନ୍ତର୍ଭୁକ୍ତ କରିଥାଏ। ପ୍ରାକୃତିକ ସମ୍ବଳ ଏବଂ ଏହାର ବ୍ୟବହାର ଉପରେ ଆଧାରିତ ଅଧ୍ୟାୟଟିକୁ ମନେ ପକାଅ । ଏଥିରେ ପ୍ରକୃତି ଆମକୁ ଉପହାର ଦେଇଥିବା ବିଭିନ୍ନ ପ୍ରକାର ସମ୍ବଳ ଏବଂ ଆମେ ସେଗୁଡ଼ିକୁ କିପରି ବ୍ୟବହାର କରୁ ତାହା ଆଲୋଚନା କରାଯାଇଥିଲା। ସାଧାରଣତଃ ବ୍ୟବସାୟ ପାଇଁ ଆବଶ୍ୟକୀୟ ଜମି କ୍ରୟ କରାଯାଇଥାଏ ବା ଏହାକୁ ବ୍ୟବହାର ପାଇଁ ଭଡ଼ା ସୂତ୍ରରେ ଆଣି ସମୟାନୁସାରେ ଦେୟ ଦେବାକୁ ପଡ଼ିଥାଏ।

ଆସ ଅନୁସନ୍ଧାନ କରିବା

ତୁମେ ପ୍ରସ୍ତୁତ କରିଥିବା ତଥ୍ୟ (Report) ଭିତ୍ତିକ ସାରଣୀକୁ ଅନୁଧ୍ୟାନ କର। ସାରଣୀରେ ଥିବା କେଉଁ ଜିନିଷଗୁଡ଼ିକ ‘ଭୂମି’ ଭାବରେ ଗ୍ରହଣ କରାଯାଇପାରିବ ?

ଶ୍ରମ (ମାନବ ସମ୍ବଳ)

ଉତ୍ପାଦନପାଇଁ ଶ୍ରମ ଅତ୍ୟାବଶ୍ୟକ। ଏଥିରେ ଶାରୀରିକ ଓ ମାନସିକ ପ୍ରୟାସ ଅନ୍ତର୍ଭୁକ୍ତ। ବଢ଼େଇ, କୃଷକ, ନିର୍ମାଣ ଶ୍ରମିକ, ଶିକ୍ଷକ ଏବଂ ଡାକ୍ତର ବିଭିନ୍ନ ସ୍ତରରେ ନିଜ ନିଜର ଶାରୀରିକ ଶକ୍ତି, ଜ୍ଞାନ ଓ ଦକ୍ଷତା ବ୍ୟବହାର କରିଥାନ୍ତି। ସମସ୍ତେ ସେମାନଙ୍କ ଅବଦାନ ମାଧ୍ୟମରେ ସମାଜର ଆବଶ୍ୟକତା ପାଇଁ ଦ୍ରବ୍ୟ ଏବଂ ସେବା ସୃଷ୍ଟି କରିବାରେ ସାହାଯ୍ୟ କରିଥା'ନ୍ତି ।

ମାନବ ହିଁ ସମ୍ବଳ

ମନୁଷ୍ୟ ନିଜର ଜ୍ଞାନ, ଦକ୍ଷତା ଓ ନିଷ୍ପତ୍ତି ନେବାର କ୍ଷମତା ପ୍ରୟୋଗଦ୍ଵାରା ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ଉତ୍ପାଦନ ପ୍ରକ୍ରିୟାରେ ଦ୍ରବ୍ୟ, ସେବା ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଉଦାହରଣ ସ୍ଵରୂପ, ଜଣେ ପୋଲିସ ଅଧିକାରୀ ଆଇନ ଶୃଙ୍ଖଳା ବଜାୟ ରଖନ୍ତି, ବୈଜ୍ଞାନିକ ନୂତନ ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ କରନ୍ତି, ରୋଷେୟା ନୂତନ ଶୈଳୀରେ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି ଇତ୍ୟାଦି। ଭଲ ପ୍ରଦର୍ଶନ କରିବାପାଇଁ ସମସ୍ତଙ୍କର ବିଶେଷ ଜ୍ଞାନ ଓ ଦକ୍ଷତା ଜରୁରୀ ଏବଂ ନିଶ୍ଚିତ ଭାବରେ, ପ୍ରତ୍ୟେକ ନିଜେ ନିଜର କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ହୋଇ ଉତ୍ତମ ପ୍ରଦର୍ଶନ କରିବା ଆବଶ୍ୟକ। ‘ଶ୍ରମ’ ଶବ୍ଦଟି ଉତ୍ପାଦନରେ ବ୍ୟବହୃତ ଶାରୀରିକ ଓ ମାନସିକ ପ୍ରୟାସକୁ ବୁଝାଏ । କିନ୍ତୁ ‘ମାନବ ପୁଞ୍ଜି’ କହିଲେ ଶ୍ରମ କରିବାପାଇଁ ଆବଶ୍ୟକୀୟ ବିଶେଷ ଦକ୍ଷତା, ଜ୍ଞାନ, କ୍ଷମତା ଏବଂ ପ୍ରବୀଣତାକୁ ବୁଝାଏ । ତେଣୁ, ମାନବ ପୁଞ୍ଜି କେବଳ ଶ୍ରମର ମୌଳିକ ପ୍ରୟାସ ନୁହେଁ, ବରଂ ଏହା ସେହି ଶ୍ରମର ଗୁଣବତ୍ତା ଓ ଦକ୍ଷତାକୁ ବୁଝାଇଥାଏ।

[ଚିତ୍ର ୭.୩: ଚା’ ବଗିଚା ଶ୍ରମିକ ପତ୍ର ତୋଳୁଥିବା ଦୃଶ୍ୟ]

[ଚିତ୍ର ୭.୪: ପରୀକ୍ଷାଗାରରେ ଗବେଷଣାରତ ରାସାୟନିକ ଯନ୍ତ୍ରୀ (Chemical Engineer)]

[ଚିତ୍ର ୭.୫: କାଠ ମିସ୍ତ୍ରୀ କାର୍ଯ୍ୟ କରୁଥିବା ଦୃଶ୍ୟ]

[ଚିତ୍ର ୭.୬: କମ୍ପ୍ୟୁଟର ସମ୍ମୁଖରେ ବସିଥିବା ସଫ୍ଟୱେୟାର ବିକାଶକର୍ତ୍ତା (Software developer)]

ମାନବ ପୁଞ୍ଜିର ସହାୟକ

ଶିକ୍ଷା ଏବଂ ତାଲିମ

ଶିକ୍ଷା ବ୍ୟକ୍ତିବିଶେଷଙ୍କୁ ଜ୍ଞାନ ହାସଲ କରିବାରେ ସାହାଯ୍ୟ କରେ ଓ ମୌଳିକ ସାକ୍ଷରତା ଠାରୁ ଆରମ୍ଭ କରି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ଏହାର ଭୂମିକା ରହିଛି। ତୁମେ ବିଦ୍ୟାଳୟରେ ଯାହାସବୁ ଶିକ୍ଷା ଲାଭ କର, ତାହା ତୁମର ଜ୍ଞାନକୁ ସମୃଦ୍ଧ କରିବା ସହିତ ତୁମକୁ ବାସ୍ତବ ଦୁନିଆର ସମସ୍ୟା ସମାଧାନ ପାଇଁ ପ୍ରସ୍ତୁତ କରେ।


[ଚିତ୍ର ୭.୭: ସେମିନାର ହଲ୍‌ରେ ଶିକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ତଥା ଲାବୋରେଟୋରୀରେ ଯନ୍ତ୍ରାଂଶ ପ୍ରୟୋଗ ସମ୍ବନ୍ଧୀୟ ପ୍ରାକ୍ଟିକାଲ୍ ତାଲିମ୍ ନେଉଥିବା ଛାତ୍ରଛାତ୍ରୀ]

ଚିତ୍ର ୭.୭ ଶିକ୍ଷା ଏବଂ ତାଲିମ୍

ପ୍ରଶିକ୍ଷଣ ବା ତାଲିମ (Training):

ନିର୍ଦ୍ଦିଷ୍ଟ କାମ କରିବା ପାଇଁ ଆବଶ୍ୟକୀୟ ଦକ୍ଷତା ହାସଲ କରିବାର ପ୍ରକ୍ରିୟା।

ଜ୍ଞାନମୂଳକ (Cognitive):

ଏହା ଶିଖିବା, ଜାଣିବା ଏବଂ ବୁଝିବାର ପ୍ରକ୍ରିୟାକୁ ବୁଝାଏ।

ଉଦାହରଣ ସ୍ଵରୂପ, ସିଭିଲ ଇଞ୍ଜିନିୟରିଂ (Civil Engineering) ର ଛାତ୍ର ନିର୍ମାଣ କୌଶଳ (Principle of design) ଏବଂ ବିଭିନ୍ନ ସାମଗ୍ରୀ ସମ୍ପର୍କରେ ଶିକ୍ଷା ଲାଭ କରେ ଏବଂ ଏହି ଶିକ୍ଷାକୁ ସେ ରାସ୍ତା ଏବଂ ସେତୁଭଳି ଭିତ୍ତିଭୂମି ନିର୍ମାଣରେ ପ୍ରୟୋଗ କରେ । ସ୍ଥାୟୀ, ସୁଲଭ ଓ ପରିବେଶ ଅନୁକୂଳ ସମାଧାନ ହାସଲ କରିବା ଏକ ଆହ୍ୱାନ। ନିର୍ମାଣ ସ୍ଥଳଗୁଡ଼ିକର ପର୍ଯ୍ୟବେକ୍ଷଣ, ବିଭିନ୍ନ ସାମଗ୍ରୀର ପରୀକ୍ଷଣ, ନିରାପତ୍ତା ଜନିତ ପ୍ରକ୍ରିୟା ଓ ପ୍ରତ୍ୟକ୍ଷ ପ୍ରୟୋଗ ତଥା ଶିକ୍ଷଣ ଆଦିର ତାଲିମ ମାଧ୍ୟମରେ ଏହା ହାସଲ କରିବା ସମ୍ଭବ ହୁଏ । ଶିକ୍ଷା ଓ ତାଲିମ ମାଧ୍ୟମରେ ମନୁଷ୍ୟ ନିଜ ଜୀବନରେ ଉତ୍କର୍ଷତା ଲାଭ କରିଥାଏ।

ସ୍ବାସ୍ଥ୍ୟସେବା

ଉତ୍ତମ ସ୍ଵାସ୍ଥ୍ୟ ବୁଦ୍ଧି, ଜ୍ଞାନ ବିକାଶର ମୂଳଦୁଆ। ଏହା ପିଲାମାନଙ୍କୁ ନିୟମିତ ବିଦ୍ୟାଳୟକୁ ଯାଇ ଉନ୍ନତ ଶିକ୍ଷା ଲାଭ କରିବାରେ ସାହାଯ୍ୟ କରେ। ସେହିପରି, ଶ୍ରମିକମାନେ ସ୍ଵାସ୍ଥ୍ୟବାନ ହେଲେ ଶାରୀରିକ ଓ ମାନସିକ ଭାବରେ ସର୍ବୋତ୍ତମ ଅବଦାନ ଦେଇପାରିବେ। ସେମାନେ କମ୍ ସମୟ ମଧ୍ୟରେ ଅଧିକ କାମ କରିପାରିବେ ଓ ସୃଜନଶୀଳ ହୋଇପାରିବେ। ଅସୁସ୍ଥତା ଯୋଗୁଁ ସେମାନଙ୍କୁ କାମରୁ ଦୂରେଇ ରହିବାକୁ ପଡ଼ିବ ନାହିଁ।

ଏହା ବିଷୟରେ ଚିନ୍ତା କର

ଡାକ୍ତରଖାନା, ପ୍ରାଥମିକ ସ୍ଵାସ୍ଥ୍ୟସେବା କେନ୍ଦ୍ର, ଡାକ୍ତର, ଔଷଧ ଦୋକାନ, ନିଦାନାଗାର (diagnostic labs) ଇତ୍ୟାଦି ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମାନବ ପୁଞ୍ଜି ବିକାଶରେ କିପରି ସହାୟକ ହୋଇଥାଏ ?

ସାମାଜିକ ଓ ସାଂସ୍କୃତିକ ପ୍ରଭାବ :

କଠିନ ପରିଶ୍ରମ, ନିରନ୍ତର ଉନ୍ନତି ପାଇଁ ପ୍ରୟାସ, ଭଲ ଭାବରେ କାମ କରିବାପାଇଁ ପ୍ରଚେଷ୍ଟା ଭଳି ସଂସ୍କୃତି ଦେଶମାନଙ୍କର ପ୍ରଗତିରେ ସାହାଯ୍ୟ କରିଛି। କାଇଜେନ (Kaizen) ନାମକ ଏକ ଜାପାନୀ ତତ୍ତ୍ଵ ରହିଛି, ଯାହାର ଅର୍ଥ ‘ନିରନ୍ତର ଉନ୍ନତି’। ଏହି ତତ୍ତ୍ୱ ୧୯୪୦ ଦଶକର ମଧ୍ୟଭାଗରୁ ଜାପାନରେ ପ୍ରୟୋଗ ହୋଇଆସୁଛି ଓ ଏହା ଜାପାନୀମାନଙ୍କର ଉଚ୍ଚ ଜୀବନଧାରଣ ମାନ ହାସଲ କରିବାରେ ସାହାଯ୍ୟ କରିଛି। ଅନ୍ୟ ଏକ ଉଦାହରଣରେ, ଆମେ ଇତିହାସରେ ଗଭୀର ଛାପ ପକାଇଥିବା ଜର୍ମାନୀର ପେଶାଗତ ନୀତି (Work ethics) କୁ ନେଇ ପାରିବା । ଜର୍ମାନୀ ନିଜର ଉଚ୍ଚ-ଗୁଣବତ୍ତା ଶିଳ୍ପ ଉତ୍ପାଦ ପାଇଁ ପ୍ରସିଦ୍ଧ । ସେମାନେ ସମୟାନୁବର୍ତ୍ତିତା, ଗୁଣବତ୍ତା ଓ ଟିକିନିଖି ଅନୁଧ୍ୟାନ ଉପରେ ଗୁରୁତ୍ଵ ପ୍ରଦାନ କରିଥା’ନ୍ତି। ମାନବ ପୁଞ୍ଜିର ଏହି ଗୁଣ‌ଗୁଡ଼ିକ ପ୍ରଯୁକ୍ତିବିଦ୍ୟା ଓ ଉତ୍ପାଦନ କ୍ଷେତ୍ରରେ ସେମାନଙ୍କୁ ବିଶ୍ଵ ସ୍ତରରେ ନେତୃତ୍ୱ ନେବାରେ ସହାୟକ ହୋଇଛି।

ଆସ ଅନୁସନ୍ଧାନ କରିବା

  • ଆସ ଏକ ପରୀକ୍ଷଣ କରିବା। ତୁମ ପରିବାର ଏବଂ ପଡ଼ୋଶୀର ୧୦ ଜଣ ବୟସ୍କ କର୍ମଜୀବୀଙ୍କ ଏକ ତାଲିକା ପ୍ରସ୍ତୁତ କର। ସେମାନଙ୍କୁ ସେମାନଙ୍କ କର୍ମକ୍ଷେତ୍ରସ୍ଥ ସଂସ୍କୃତି ବର୍ଣ୍ଣନା କରିବାକୁ କୁହ । ସହପାଠୀଙ୍କ ସହ ତୁମ ଅଭିଜ୍ଞତା ଲିଖିତ ଭାବେ ଆଲୋଚନା କର। ତୁମେ ଏଥିରେ କ’ଣ ଅନୁଭବ କଲ ? ଏଥିରେ କେଉଁ ବିଶେଷଣାତ୍ମକ ଶବ୍ଦ ଅଧିକ ପ୍ରୟୋଗ ଘଟିଛି ?
  • ଅତୀତର ସ୍ମୃତି ଫର୍ଦ୍ଦ ଅଧ୍ୟାୟରେ, ତୁମେ ଦୀର୍ଘ ଶତାବ୍ଦୀ ଧରି ଭାରତରେ କଳା ଏବଂ ସ୍ଥାପତ୍ୟର ଉଦାହରଣ ଦେଖିଛ। ଏତେ ଉଚ୍ଚ ସ୍ତରର ଉତ୍କର୍ଷତା ହାସଲ କରିବାର କାରକ ଗୁଡ଼ିକ କ’ଣ ? ଦଳଗତ ଭାବେ ଆଲୋଚନା କରି ଶ୍ରେଣୀରେ ଉତ୍‌ଥାପନ କର।

ମାନବ ପୁଞ୍ଜି ପ୍ରତି ଆହ୍ବାନ :

ବିଭିନ୍ନ ଦୃଷ୍ଟିକୋଣରୁ ସ୍ୱାଧୀନତା ପରଠାରୁ ମାନବ ପୁଞ୍ଜିର ବିକାଶ କ୍ଷେତ୍ରରେ ଆମ ଦେଶ ବହୁତ ଆଗକୁ ବଢ଼ିଛି। ସାକ୍ଷରତା, ଜନସଂଖ୍ୟାର ଏକ ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟ । ଏହା ମାନବ ପୁଞ୍ଜିର ଦକ୍ଷତା ଏବଂ ଉତ୍ପାଦକତା ବୃଦ୍ଧି କରିବାରେ ସାହାଯ୍ୟ କରେ। ବିଶ୍ୱ ବ୍ୟାଙ୍କ ଆକଳନ ଅନୁଯାୟୀ, ୨୦୨୩ ମସିହା ସୁଦ୍ଧା ଭାରତରେ ପ୍ରାପ୍ତବୟସ୍କ ସାକ୍ଷରତା ହାର ପୁରୁଷଙ୍କ କ୍ଷେତ୍ରରେ ୮୫ ପ୍ରତିଶତ ଏବଂ ମହିଳାଙ୍କ କ୍ଷେତ୍ରରେ ୭୦ ପ୍ରତିଶତ ରହିଛି। ବହୁ କ୍ଷେତ୍ରରେ ପ୍ରଗତି ହାସଲ ସତ୍ତ୍ୱେ ଭାରତ ମାନବ ପୁଞ୍ଜି ବିକାଶ କରିବାରେ ଅନେକ ଆହ୍ବାନର ସମ୍ମୁଖୀନ ହେଉଛି।

ଉତ୍ପାଦନଶୀଳତା (Productivity):

ଏକ ନିର୍ଦ୍ଦିଷ୍ଟ ସମୟ ଅବଧିରେ ଅଧିକ କାର୍ଯ୍ୟ କରିବାର କ୍ଷମତା ।

ପ୍ରୌଢଶିକ୍ଷା ହାର (Adult Literacy rate):

ଦୈନନ୍ଦିନ ଜୀବନରେ ଆବଶ୍ୟକ ସରଳ ବିବୃତି ପଢ଼ି, ଲେଖି, ବୁଝିପାରୁଥିବା ୧୫ ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ଲୋକଙ୍କ ଶତକଡ଼ା ସଂଖ୍ୟା।


[ଚିତ୍ର ୭.୮: ପରୀକ୍ଷା ହଲ୍‌ରେ ବସି ପରୀକ୍ଷା ଦେଉଥିବା ଡାକ୍ତରୀ/ବୃତ୍ତିଗତ ଶିକ୍ଷାର୍ଥୀମାନଙ୍କ ଦୃଶ୍ୟ]

ଚିତ୍ର ୭.୮ ପରୀକ୍ଷାରତ ଶିକ୍ଷାର୍ଥୀ

ଏହା ବିଷୟରେ ଚିନ୍ତା କର

  • କୌଣସି ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର ଶୁଭାଶୀଷକୁ ଦୁଇ ବର୍ଷ ପୂର୍ବେ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା, କାରଣ ତା’ର ବାପା ନିଜର ଚାକିରି ହରାଇଥିଲେ। ତୁମେ ଭାବୁଛ କି ଏହି ପାଠପଢ଼ା ଛାଡ଼ିବା ଶୁଭାଶୀଷର ଭବିଷ୍ୟତ ଜୀବନକୁ ପ୍ରଭାବିତ କରିବ ?
  • ଆବଶ୍ୟକୀୟ ଦକ୍ଷତା ଥିବା କର୍ମଚାରୀ ନପାଇଲେ ବ୍ୟବସାୟଗୁଡ଼ିକ କେଉଁ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଛି ?

ଭାରତର ଅର୍ଥନୈତିକ ସର୍ଭେ ୨୦୨୪ ଅନୁଯାୟୀ, ଆମ ଦେଶରେ ୩୫ ବର୍ଷରୁ କମ୍ ବୟସର ଲୋକସଂଖ୍ୟା ୬୫ ଶତକଡ଼ା ଅଟେ। ଏହାର ଅର୍ଥ ଭାରତରେ ଏକ ଯୁବ, ଉତ୍ପାଦନକ୍ଷମ ଜନସଂଖ୍ୟା ରହିଛି, ଯାହା ଦେଶକୁ ଜନସାଂଖ୍ୟକୀୟ ଲାଭାଂଶ (demographic dividend) ର ସୁଫଳ ପାଇବାରେ ସାହାଯ୍ୟ କରିବ । ବହୁ ସଂଖ୍ୟକ ଯୁବ ଓ କର୍ମଜୀବୀ ବିଶିଷ୍ଟ ଜନସଂଖ୍ୟାର ଦେଶର ଉନ୍ନତିରେ ଯୋଗଦାନକୁ ଜନସାଂଖ୍ୟକୀୟ ଲାଭାଂଶ କୁହାଯାଏ । ଗୋଟିଏ ଦେଶର ଅଧିକ ଲୋକ କାମ କରି ରୋଜଗାର କରିବା ଓ କମ୍ ଲୋକ ସେମାନଙ୍କ ଉପରେ ନିର୍ଭର କରିବା ଦ୍ୱାରା ଦେଶଟି ଅର୍ଥନୈତିକ କ୍ଷେତ୍ରରେ ପ୍ରଗତି ଲାଭ କରିବା ସହିତ ଜୀବନ‌ଧାରଣର ମାନରେ ଉନ୍ନତି ହୁଏ। ମାତ୍ର ଏହି ସମ୍ଭାବନାର ଲାଭ ପାଇବାପାଇଁ ଏହି ବ୍ୟକ୍ତିବିଶେଷଙ୍କ ପାଖରେ ଗୁଣାତ୍ମକ ଶିକ୍ଷା, ସ୍ଵାସ୍ଥ୍ୟ, ତାଲିମ୍ ଓ ଦକ୍ଷତାର ସୁଯୋଗ ରହିବା ଆବଶ୍ୟକ। ପରବର୍ତ୍ତୀ ଶ୍ରେଣୀରେ ତୁମେମାନେ ଜନସଂଖ୍ୟା ସମ୍ବନ୍ଧୀୟ ଅଧ୍ୟାୟରେ ଏ ବିଷୟରେ ଅଧିକ ଜାଣିବାକୁ ପାଇବ ।

ଏହା ବିଷୟରେ ଚିନ୍ତା କର

କିଛି ଜୀବିକା ବା ଚାକିରି ଅନ୍ୟ ତୁଳନାରେ ଅଧିକ ଗୁରୁତ୍ଵପୂର୍ଣ୍ଣ କି ? ଯଦି କେହି ରାସ୍ତା ସଫା ନ କରନ୍ତି, ଅଳିଆ ସଂଗ୍ରହ ନ କରନ୍ତି, ଚାଷୀମାନେ ଚାଷ କରିବା ବନ୍ଦ କରିଦିଅନ୍ତି, ରୋଗୀଙ୍କ ଚିକିତ୍ସା ପାଇଁ ନର୍ସ ଉପଲବ୍ଧ ନ‌ହୁଅନ୍ତି, ତେବେ କି ପରିସ୍ଥିତି ସୃଷ୍ଟି ହେବ ?

ଆଜିର ସମୟରେ ଅନେକ ପ୍ରକାର ଚାକିରି ବା ଧନ୍ଦା ପାଇଁ ବିଭିନ୍ନ ପ୍ରକାର ଦକ୍ଷତାର ଆବଶ୍ୟକତା ରହିଛି। ଏଠାରେ ମନେ ରଖିବାକୁ ହେବ ଯେ, ଭାରତରେ ଦକ୍ଷତା-ଆଧାରିତ ଜ୍ଞାନ ପ୍ରଣାଳୀ ଏବଂ କାରିଗରିର ଏକ ସମୃଦ୍ଧ ଐତିହ୍ୟ ରହିଛି।


[ଚିତ୍ର ୭.୯: ପଞ୍ଚମ ଶତାବ୍ଦୀରେ ପ୍ରଚଳିତ ପାରମ୍ପରିକ କାଠ ସିଲେଇ କୌଶଳରେ ନିର୍ମିତ ଡଙ୍ଗା/ବୋଇତର ପୁନଃନିର୍ମାଣ ପ୍ରକ୍ରିୟାର ତିନୋଟି ପର୍ଯ୍ୟାୟ ଚିତ୍ର]

ଚିତ୍ର ୭.୯ : ପଞ୍ଚମ ଶତାବ୍ଦୀରେ ସିଲେଇ ହୋଇଥିବା ବୋଇତ ପୁନଃନିର୍ମାଣ

ଭାରତର ପ୍ରାଚୀନ କୁଶଳତା ଐତିହ୍ୟ

ପ୍ରାଚୀନ ଭାରତୀୟମାନେ ସେମାନଙ୍କର କାର୍ଯ୍ୟରେ ସିଦ୍ଧିଲାଭ କରିବା ପାଇଁ ନିଜ ସ୍ୱଭାବର ପରିପ୍ରକାଶ ଓ ସମ୍ପୂର୍ଣ୍ଣତା ପାଇଁ ଯତ୍ନଶୀଳ ଥିଲେ। ସ୍ଥଳ ବିଶେଷରେ ଏହା ଦେବତା କିମ୍ବା ଗ୍ରହୀତାଙ୍କ ଏକ ସମର୍ପଣ ଥିଲା । କୌଣସି ଦ୍ରବ୍ୟ ନିର୍ମାଣ କାର୍ଯ୍ୟପ୍ରତି ସେମାନଙ୍କର ଶ୍ରଦ୍ଧା ଓ ଭକ୍ତି ଥିଲା। ଯେଉଁ ସାଧନ ସାମଗ୍ରୀ (tools) ବ୍ୟବହୃତ ହେଉଥିଲା, ତାହାକୁ ପୂଜା କରାଯାଉଥିଲା। ଏହି ପ୍ରଥା ଆଜି ପର୍ଯ୍ୟନ୍ତ ବିଶ୍ୱକର୍ମା ପୂଜା ବା ଆୟୁଧ ପୂଜା ଭାବରେ ପ୍ରଚଳିତ ହୋଇ ଆସୁଛି। ଏହିପରି, ଉତ୍ପାଦଗୁଡ଼ିକର ସୃଷ୍ଟି କଳା ଓ ବିଦ୍ୟାର ବିରଳ ସମ୍ମିଶ୍ରଣ ଥିଲା। ପିଢ଼ି ପରେ ପିଢ଼ି ଏହି ଜ୍ଞାନ ଗଡ଼ି ଆସୁଥିଲା ଏବଂ ଏହା ଉପରେ ନୂତନ ଜ୍ଞାନ ନିର୍ମାଣ ହେଉଥିଲା। ପୁରାତନ ଗ୍ରନ୍ଥ ଶିଳ୍ପଶାସ୍ତ୍ରରେ ମୂର୍ତ୍ତି ନିର୍ମାଣ, ଚିତ୍ରକଳା, ଗୃହ ନିର୍ମାଣ, କାଠ ସାମଗ୍ରୀ ଓ ଅଳଙ୍କାର ପ୍ରସ୍ତୁତି ଉପରେ ବିସ୍ତୃତ ବର୍ଣ୍ଣନା ରହିଛି। ଉଦାହରଣ ସ୍ୱରୂପ, ସ୍ଥାପତ୍ୟ ନିର୍ମାଣ ସମ୍ପର୍କିତ ଲେଖାଗୁଡ଼ିକରେ, ମୂର୍ତ୍ତିର ଶୈଳୀ, ରଙ୍ଗ, ମାପ ଓ ଅନୁପାତ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରାଯାଇଛି।

ମନେରଖ

ଅନେକ ଶତାବ୍ଦୀ ଧରି ସ୍ଥପତିମାନେ ପିଢ଼ି ପରେ ପିଢ଼ି ଭାରତରେ ମନ୍ଦିର ଗୁଡ଼ିକ ନିର୍ମାଣ କରି ଆସିଛନ୍ତି । ସେମାନେ ଅନ୍ତିମ କୃତି ଦେଖିବା ଆଶା ନକରି ନିଜସ୍ଵ ଦକ୍ଷତା ପ୍ରଦର୍ଶନ କରୁଥିଲେ। ସେମାନେ ନିୟମିତ ଅଭ୍ୟାସ ବଳରେ ନୂତନ କୌଶଳ ଶିଖି “କର୍ମ ହିଁ ପୂଜା” ବିଚାର ଦ୍ଵାରା ଉତ୍କୃଷ୍ଟତା ଲାଭ କରୁଥିଲେ।

ସିଲେଇ ବୋଇତ ନିର୍ମାଣ

ଭାରତୀୟମାନେ ଜାହାଜ ଏବଂ ଡଙ୍ଗା ତିଆରି କରିବା ପାଇଁ ୨୦୦୦ ବର୍ଷରୁ ଅଧିକ ପୁରୁଣା ଏକ ଅନନ୍ୟ ସିଲେଇ କୌଶଳର ବ୍ୟବହାର କରୁଥିଲେ। ସେମାନେ ଭାରତ ମହାସାଗରରେ ସାମୁଦ୍ରିକ ବାଣିଜ୍ୟ ଏବଂ ସାଂସ୍କୃତିକ ଆଦାନପ୍ରଦାନ ପାଇଁ ଏହି ବୋଇତ ବ୍ୟବହାର କରୁଥିଲେ। ଏହି ନିର୍ମାଣ କୌଶଳରେ ଲୁହାକଣ୍ଟା ବଦଳରେ ରଶି ବା ଦଉଡ଼ି ବ୍ୟବହାର କରି କାଠ ପଟାଗୁଡ଼ିକୁ ଏକାଠି ସିଲେଇ କରାଯାଉଥିଲା। ଫଳତଃ, ବୋଇତ ପଟାଗୁଡ଼ିକ ନମନୀୟ ହୋଇପାରୁଥିଲା ଏବଂ ଭାରତ ମହାସାଗରରେ ସହଜ ନୌଚାଳନାରେ ସହାୟକ ହେଉଥିଲା।


ଆସ ଅନୁସନ୍ଧାନ କରିବା

  • ଉତ୍ପାଦନର ଅନେକ ପାରମ୍ପରିକ କୌଶଳ ହଜିଗଲାଣି ବା ଲିଭିବାକୁ ବସିଲାଣି। ଉଦାହରଣ ସ୍ଵରୂପ, ଷୋଡ଼ଶ ଶତାବ୍ଦୀରେ ଭାରତରେ ୟୁରୋପୀୟମାନଙ୍କ ଆଗମନ ପରେ ସିଲେଇ ବୋଇତ ନିର୍ମାଣ କୌଶଳର ଦ୍ରୁତ ଅବକ୍ଷୟ ହେଲା । ଏହି କୌଶଳ ଏବେ ଛୋଟ ମାଛଧରା ଡଙ୍ଗା ପାଇଁ ବ୍ୟବହୃତ ହେଉଛି।
  • ସ୍ଵଦେଶୀ ଜ୍ଞାନ କୌଶଳର ବ୍ୟବହାର ହ୍ରାସ ପାଉଛି ବୋଲି ତୁମେ କାହିଁକି ଭାବୁଛ ? ନିଜ ଶ୍ରେଣୀରେ ଏହାକୁ ଆଲୋଚନା କର।
  • ମନୁଷ୍ୟର ପ୍ରୟାସ ଓ ଦକ୍ଷତାକୁ ପ୍ରଦର୍ଶିତ କରୁଥିବା ନିଜ ଅଞ୍ଚଳର କିଛି ପାରମ୍ପରିକ କୌଶଳ ଓ ଉତ୍ପାଦନ ବିଷୟରେ ତଥ୍ୟ ବାହାର କର। ଚିତ୍ର ତଥା ଲେଖା ମାଧ୍ୟମରେ ଏହାକୁ ଶ୍ରେଣୀଗୃହରେ ବୁଝାଅ।

ପୁଞ୍ଜି (Capital):

ଅର୍ଥନୀତିରେ ଦ୍ରବ୍ୟ ଓ ସେବା ଉତ୍ପାଦନ ପାଇଁ ବ୍ୟବହୃତ ଯେକୌଣସି ଭୌତିକ କିମ୍ବା ଆର୍ଥିକ ସମ୍ପତ୍ତି ।

ପୁଞ୍ଜି

ବ୍ୟବସାୟ ପାଇଁ ପୁଞ୍ଜିର ଆବଶ୍ୟକତା ରହିଛି। ବ୍ୟବସାୟର ଦୈନନ୍ଦିନ ପରିଚାଳନା ନିମନ୍ତେ ଆର୍ଥିକ ସମ୍ବଳ ଏବଂ ସ୍ଥାୟୀ ସମ୍ପତ୍ତି, ଯଥା— ଯନ୍ତ୍ରପାତି, ଉପକରଣ, ସାଧନ, ଯାନବାହାନ, ଠେଲାଗାଡ଼ି, କମ୍ପ୍ୟୁଟର, ଦୋକାନ, କାରଖାନା, କାର୍ଯ୍ୟାଳୟ ଇତ୍ୟାଦି ଆବଶ୍ୟକ। ଶ୍ୟାମାର ‘ଆମ ରୋଷେଇ ଘର’ ପ୍ରସଙ୍ଗରୁ ଆମେ ଜାଣିଛେ ଯେ ଜମି ଲିଜ୍ ନେବା, ଆସବାବପତ୍ର ଓ ରୋଷେଇ ଉପକରଣ କିଣିବାପାଇଁ ଅର୍ଥ ଆବଶ୍ୟକ। ଉପରୋକ୍ତ ଏସବୁକୁ ପୁଞ୍ଜି କୁହାଯାଏ। ଦ୍ରବ୍ୟ ଓ ସେବା ଉତ୍ପାଦନ ପାଇଁ ବ୍ୟବହୃତ ଅର୍ଥ ଓ ମାନବକୃତ ସମ୍ବଳ ହିଁ ପୁଞ୍ଜି ଅଟେ। ଉତ୍ପାଦନ ବା ସେବା କ୍ଷେତ୍ର ପାଇଁ ପୁଞ୍ଜି ଅତ୍ୟାବଶ୍ୟକ। କିନ୍ତୁ ବ୍ୟବସାୟ ସଂସ୍ଥାଗୁଡ଼ିକ ପୁଞ୍ଜି କେଉଁଠାରୁ ପାଇପାରିବେ ?

[ଚିତ୍ର ୭.୧୦: କାର୍ ନିର୍ମାଣ କାରଖାନାର ଆସେମ୍ବ୍ଲି ଲାଇନ୍ ଏବଂ ମେସିନାରୀ]

[ଚିତ୍ର ୭.୧୧: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ର ଏକ ବୃହତ ଭବନ, ଯାହା ଆର୍ଥିକ ପୁଞ୍ଜି ଓ ଋଣ ସୁବିଧାକୁ ଦର୍ଶାଉଛି]

ଚିତ୍ର : ୭.୧୦ ମେସିନ୍

ଚିତ୍ର : ୭.୧୧ ଋଣ


ସାଧାରଣତଃ ବ୍ୟବସାୟ ଆରମ୍ଭ କରିବା ସମୟରେ ବ୍ୟକ୍ତିଗତ ସଞ୍ଚୟ, ପରିବାର ଏବଂ ବନ୍ଧୁବାନ୍ଧବ ହିଁ ପାଣ୍ଠି ଏବଂ ସମର୍ଥନର ପ୍ରଥମ ଉତ୍ସ। ଶ୍ୟାମା ତାଙ୍କ ବ୍ୟବସାୟ ଆରମ୍ଭ କରିବା ସମୟରେ ଏହିପରି ପୁଞ୍ଜି ଯୋଗାଡ଼ କରିଥିଲେ। ତଥାପି, ବ୍ୟବସାୟ ଆରମ୍ଭ କରିବା ପାଇଁ ଶ୍ୟାମାଙ୍କ ପାଖରେ ପର୍ଯ୍ୟାପ୍ତ ପାଣ୍ଠି ନ ଥିଲା। ତେଣୁ ସେ ଅଭାବ ପୂରଣ କରିବା ପାଇଁ ବ୍ୟାଙ୍କରୁ ଋଣ ନେଇଥିଲେ। ସେ କିଛି ବର୍ଷ ଧରି କିସ୍ତି ଆକାରରେ ଋଣ ଓ ସୁଧ ସହ ବ୍ୟାଙ୍କ ଟଙ୍କା ପରିଶୋଧ କରିଥିଲେ। ସେହିପରି ବଡ଼ ବଡ଼ କମ୍ପାନୀଗୁଡ଼ିକ ସେମାନଙ୍କର ବ୍ୟବସାୟ ବିସ୍ତାର କରିବା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ କରିଥା’ନ୍ତି। ସେହି ଅର୍ଥ ସେମାନେ ପୁଞ୍ଜି ବଜାର (Stock Market) ମାଧ୍ୟମରେ ସାଧାରଣ ଲୋକଙ୍କଠାରୁ ସଂଗ୍ରହ କରିଥା’ନ୍ତି। ଯେଉଁ ବିଶେଷ ପ୍ରକାରର ବଜାରରେ ଅଂଶଧନ କିଣାବିକା ହୋଇଥାଏ, ତାକୁ ପୁଞ୍ଜି ବଜାର କୁହାଯାଏ। ବଡ଼ ବଡ଼ କମ୍ପାନୀଗୁଡ଼ିକ ଜନସାଧାରଣଙ୍କଠାରୁ ଅର୍ଥ ସଂଗ୍ରହ କରିଥାନ୍ତି ଓ ସେମାନଙ୍କୁ ଲାଭାଂଶର (Dividend) ଭାଗ ପ୍ରଦାନ କରିଥାନ୍ତି । ଅନ୍ୟ ଅର୍ଥରେ କହିଲେ ବଡ଼ ବଡ଼ ବ୍ୟବସାୟ ସଂସ୍ଥାଗୁଡ଼ିକ ପୁଞ୍ଜି ବଜାର ମାଧ୍ୟମରେ ଅର୍ଥ ସଂଗ୍ରହ କରିଥାନ୍ତି ଏବଂ ସେମାନଙ୍କ ବ୍ୟବସାୟର ଅଂଶଧନ (Share) ବିକ୍ରି କରିଥାନ୍ତି। ପରବର୍ତ୍ତୀ ଶ୍ରେଣୀରେ ଏହି ପୁଞ୍ଜିବଜାର ପରିଚାଳନା ବିଷୟରେ ତୁମେ ଅଧିକରୁ ଅଧିକ ଜାଣିପାରିବ।

ଆସ ଅନୁସନ୍ଧାନ କରିବା

ତୁମ ଅଞ୍ଚଳରେ ଥିବା ଗୋଟିଏ କାରଖାନା ଚିହ୍ନଟ କର। କାରଖାନା ନିର୍ମାଣରେ କେତେ ପୁଞ୍ଜି ନିବେଶ ହୋଇଥିବ ବୋଲି ତୁମେ ଭାବୁଛ, ତାହା ହିସାବ କରି ନିର୍ଣ୍ଣୟ କର (ତୁମେ ଏହାର ଏକ ଆକଳନ ଦେଇ ପାରିବ)। କାରଖାନା ତା’ର ଉତ୍ପାଦ ପ୍ରସ୍ତୁତ ପାଇଁ କେଉଁ ପ୍ରକାର ସରଞ୍ଜାମ ବା ଉପକରଣ ବ୍ୟବହାର କରୁଛି, ତାହା ଉଲ୍ଲେଖ କର।

ଔଦ୍ୟୋଗିକୀ

ନିଜର ବ୍ୟବସାୟ ଆରମ୍ଭ କରିବା କିମ୍ବା କୌଣସି ସମସ୍ୟାର ସମାଧାନ ପାଇଁ ନୂଆ ସର୍ଜନା କରିବାକୁ ଔଦ୍ୟୋଗିକୀ କୁହାଯାଏ ।

ସୁଧ (Interest):

ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଋଣଦାତାଙ୍କଠାରୁ ଆଣିଥିବା ଟଙ୍କାର ବିନିଯୋଗ ଦୃଷ୍ଟିରୁ ଋଣଗ୍ରହୀତା ପରିଶୋଧ କରୁଥିବା ଅଧିକ ଅର୍ଥର ପରିମାଣ ।

ଲାଭାଂଶ (Dividend):

କମ୍ପାନୀଦ୍ୱାରା ଅଂଶଧନଧାରୀ (Share holder) ମାନଙ୍କୁ ପ୍ରଦତ୍ତ ନିଜ ଲାଭାଂଶର ଅର୍ଥ ବା ଟଙ୍କା।

[ଚିତ୍ର ୭.୧୨: ଅରୁଣାଚଳ ପ୍ରଦେଶରେ ମହିଳା କାରିଗରଙ୍କ ଦ୍ୱାରା ହସ୍ତନିର୍ମିତ ବାଉଁଶ ଓ ଆଖୁ ସାମଗ୍ରୀ ପ୍ରସ୍ତୁତି ଓ ବିକ୍ରୟ]

[ଚିତ୍ର ୭.୧୩: ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ରେ କନଭେୟର ବେଲ୍ଟ ଯୋଗେ ଫଳ ସଂରକ୍ଷଣ ଓ ପ୍ରକ୍ରିୟାକରଣ କାର୍ଯ୍ୟ]

ଚିତ୍ର : ୭.୧୨ : ଅରୁଣାଚଳ ପ୍ରଦେଶ ବାଉଁଶ ଓ ଆଖୁ ଉତ୍ପାଦ

ଚିତ୍ର : ୭.୧୩ : ଖାଦ୍ୟ ପ୍ରକ୍ରିୟାକରଣ


ଶୁଭାରମ୍ଭ (Start up):

ସୀମିତ ସମ୍ବଳ ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଦ୍ରୁତ ଅଭିବୃଦ୍ଧି ଓ ବିସ୍ତାର ପାଇଁ ଉଦ୍ୟୋଗପତିଙ୍କ ଦ୍ଵାରା ଆରମ୍ଭ ହୋଇଥିବା ବ୍ୟବସାୟ।

[ଚିତ୍ର ୭.୧୪: ନୂଆଦିଲ୍ଲୀରେ ଖୋଲା ରାସ୍ତା କଡ଼ରେ ସଜା ହୋଇଥିବା ରଙ୍ଗୀନ ହସ୍ତକଳା ମୃଣ୍ମୟ ପାତ୍ର ଓ ମାଟିପାତ୍ର ସାମଗ୍ରୀ]

[ଚିତ୍ର ୭.୧୫: ଏକ ବୃହତ୍ ପେଟ୍ରୋକେମିକାଲ କାରଖାନାର ଶିଳ୍ପାଞ୍ଚଳ ସଂରଚନା]

ଚିତ୍ର : ୭.୧୪: ମୃଣ୍ମୟ ପାତ୍ର, ନୂଆଦିଲ୍ଲୀ

ଚିତ୍ର : ୭.୧୫: ପେଟ୍ରୋକେମିକାଲ କାରଖାନା (Petrochemical Plant)

ଜଣେ ଉଦ୍ୟୋଗପତି ନୂତନ ଧାରଣାକୁ ଆପଣେଇଥା’ନ୍ତି ଓ ବିଭିନ୍ନ ଆହ୍ବାନ ବା ଆଶଙ୍କାର ସମ୍ମୁଖୀନ ହେବାପାଇଁ ସଦା ପ୍ରସ୍ତୁତ ଥାଆନ୍ତି। ସେ ଉତ୍ପାଦନର ବିଭିନ୍ନ କାରକଗୁଡ଼ିକୁ ସଂଗ୍ରହ କରନ୍ତି ଓ କଠିନ ପରିଶ୍ରମ କରି ନୂଆ ବ୍ୟବସାୟର ଶୁଭାରମ୍ଭ ସଫଳତାର ସହ କରିଥାନ୍ତି। ଜଣେ ଉଦ୍ୟୋଗପତିଙ୍କ ଦୂରଦୃଷ୍ଟି ବଜାରକୁ ଅଭିନବ ଉତ୍ପାଦ ଓ ସେବା ଆଣିବାରେ ସାହାଯ୍ୟ କରିଥାଏ ଓ ଏହା ସମାଜ ତଥା ଦେଶପାଇଁ ଲାଭଦାୟକ ହୋଇଥାଏ। ସେମାନେ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତି ଓ ଜୀବନ ଜୀବିକାକୁ ସହାୟତା କରିଥାନ୍ତି। ପ୍ରତିବଦଳରେ ଉଦ୍ୟୋଗପତିମାନେ ନିଜର ସ୍ୱପ୍ନ ସାକାର ହେବା ଓ ଲୋକଙ୍କୁ ସେବା ଯୋଗାଇ ଦେବା ଯୋଗୁ ଆତ୍ମ ସନ୍ତୋଷ ଲାଭ କରିଥାନ୍ତି।

ଉଦ୍ୟୋଗପତି

[ଚିତ୍ର ୭.୧୬: ଜଣେ ଉଦ୍ୟୋଗୀଙ୍କ କାର୍ଯ୍ୟାବଳୀର ଇନଫୋଗ୍ରାଫିକ୍ ଚିତ୍ର]

  • ଉଦ୍ୟୋଗୀ ସମୟ ଓ ଅର୍ଥର ବିନିମୟରେ ଆଶଙ୍କାକୁ ଗ୍ରହଣ କରନ୍ତି।
  • ସମସ୍ୟାକୁ ଚିହ୍ନଟ କରନ୍ତି ଏବଂ ଅଭିନବ ଉପାୟରେ ସମସ୍ୟାର ସମାଧାନ କରନ୍ତି।
  • ଉତ୍ପାଦନର ବିଭିନ୍ନ କାରକଗୁଡ଼ିକୁ ଏକଜୁଟ କରନ୍ତି।
  • ବ୍ୟବସାୟ ପରିଚାଳନା ଏବଂ କାର୍ଯ୍ୟକାରିତା ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତି।
  • ନିଜର ନବସୃଜନ ମାଧ୍ୟମରେ ସମାଜର କଲ୍ୟାଣରେ ଯୋଗଦାନ କରନ୍ତି।

ଚିତ୍ର : ୭.୧୬ : ଜଣେ ଉଦ୍ୟୋଗୀ ଦ୍ବାରା ସମ୍ପାଦିତ କାର୍ଯ୍ୟଗୁଡ଼ିକ


ଭାରତ ପାଇଁ ବୃହତ୍ ସ୍ୱପ୍ନ ଦେଖୁଥିବା ବ୍ୟକ୍ତି

ଜେ.ଆର୍.ଡି. ଟାଟା – ଉଦ୍ୟୋଗପତି, ଶିଳ୍ପପତି ଓ ସମାଜସେବୀ।

[ଚିତ୍ର ୭.୧୭: ଜେ.ଆର୍.ଡି. ଟାଟାଙ୍କ ପ୍ରତିଛବି]

ଚିତ୍ର ୭.୧୭ ଜେ.ଆର୍.ଡି.ଟାଟା

ଜେହାଙ୍ଗୀର ରତନ୍‌ଜୀ ଦାଦାଭୋୟ (ଜେ.ଆର୍.ଡ଼ି) ଟାଟା ଭାରତର ଜଣେ ମହାନ୍ ଉଦ୍ୟୋଗପତି ଥିଲେ ଏବଂ ଆଧୁନିକ ଭାରତ ନିର୍ମାଣରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। ୧୯୦୪ ମସିହାରେ ଜନ୍ମିତ ଜେ. ଆର.ଡ଼ି. ଟାଟା ଦେଶର ବୃହତ୍ ବ୍ୟବସାୟିକ ଗୋଷ୍ଠୀ ମଧ୍ୟରୁ ଅନ୍ୟତମ ଟାଟା ଗ୍ରୁପର ମୁଖ୍ୟ ଥିଲେ । ବ୍ୟବସାୟ ସଂସ୍ଥାଗୁଡ଼ିକ ଅର୍ଥ ସର୍ବସ୍ଵ ନ ହୋଇ ସମାଜ କଲ୍ୟାଣରେ ବ୍ରତୀ ହେବା ଉଚିତ ବୋଲି ସେ ବିଶ୍ବାସ କରୁଥିଲେ। ସେ ୧୯୩୨ ମସିହାରେ ଭାରତର ପ୍ରଥମ ବିମାନ କମ୍ପାନୀ, ‘‘ଟାଟା ଏୟାରଲାଇନ୍ସ’’ ଆରମ୍ଭ କରିଥିଲେ। ଏହା ପରେ ‘ଏୟାର ଇଣ୍ଡିଆ’ ନାମରେ ନାମିତ ହେଲା । ତାଙ୍କ ନେତୃତ୍ୱରେ, ଇସ୍ପାତ, କାର, ବିଦ୍ୟୁତ୍ ଏବଂ ରାସାୟନିକ ଆଦି କ୍ଷେତ୍ରରେ ଟାଟା ଗ୍ରୁପ ବିସ୍ତାର ଲାଭ କରିଥିଲା। ସେ ତାଙ୍କ କର୍ମଚାରୀମାନଙ୍କ ପ୍ରତି ଯତ୍ନବାନ ହେବା ସହ, କର୍ମକ୍ଷେତ୍ରରେ ସେମାନଙ୍କୁ ଉପଯୁକ୍ତ ବାତାବରଣ ପ୍ରଦାନ କରିବାରେ ବିଶ୍ଵାସ କରୁଥିଲେ। ସେ ଜଣେ ସଚ୍ଚୋଟ, ପରିଶ୍ରମୀ ଓ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ। ତାଙ୍କୁ ୧୯୯୨ ମସିହାରେ, ଦେଶ ପ୍ରତି ମହାନ ସେବା ପାଇଁ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର, ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।

ଏହା ବିଷୟରେ ଚିନ୍ତା କର

  • ଉପରୋକ୍ତ ଘଟଣାରୁ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଏଥିରୁ କି ଶିକ୍ଷା ମିଳିବ ବୋଲି ତୁମେ ଭାବୁଛ ?
  • ଉଦ୍ୟୋଗୀମାନେ ଉପଲବ୍‌ଧ ନିଜସ୍ଵ ଜ୍ଞାନ ଦ୍ଵାରା ସେମାନଙ୍କ ସମସ୍ୟାର ଆସନ୍ନ ସମାଧାନ କରିପାରିବେ କି ? କିମ୍ବା ସେମାନେ ଏହାର ସମାଧାନ ପାଇଁ ଅନ୍ୟ ଉତ୍ସର ସାହାଯ୍ୟ ନେବେ ?
  • ଜଣେ ଉଦ୍ୟୋଗୀଙ୍କ ପାଇଁ ‘ଲାଭ’ ହିଁ ଏକମାତ୍ର ପ୍ରେରଣା କି ? ଯଦି ‘ହଁ’ କାହିଁକି ? ଯଦି ‘ନା’ କାହିଁକି ନୁହେଁ ?
  • ଜଣେ ସଫଳ ଉଦ୍ୟୋଗୀ ହେବା ପାଇଁ ଅନ୍ୟାନ୍ୟ ବ୍ୟକ୍ତିତ୍ୱ ଲକ୍ଷଣଗୁଡ଼ିକ କ’ଣ ହେବା ଆବଶ୍ୟକ ?

ପ୍ରଯୁକ୍ତିବିଦ୍ୟା : ଉତ୍ପାଦନର ଏକ ସାହାଯ୍ୟକାରୀ ଉପାଦାନ

ପ୍ରଯୁକ୍ତିବିଦ୍ୟା ହେଉଛି ବୈଜ୍ଞାନିକ ଜ୍ଞାନର ପ୍ରୟୋଗ। ଉଦାହରଣ ସ୍ଵରୂପ, ଏକ କ୍ୟାମେରା ଡିଜିଟାଲ ପ୍ରତିଛବି ସୃଷ୍ଟି କରିବା ପାଇଁ ଆଲୋକକୁ ବୈଦ୍ୟୁତିକ ସଙ୍କେତରେ ରୂପାନ୍ତରିତ କରେ। ଯେକୌଣସି ଉତ୍ପାଦନ ସମ୍ପର୍କିତ କାର୍ଯ୍ୟକଳାପରେ କିଛି ନା କିଛି ପ୍ରଯୁକ୍ତିବିଦ୍ୟାର ବ୍ୟବହାର ହୋଇଥାଏ। ପ୍ରାଚୀନ କାଳରେ ପ୍ରଚଳିତ କିଛି ପ୍ରାରମ୍ଭିକ ପ୍ରଯୁକ୍ତିବିଦ୍ୟା ଆଜି ମଧ୍ୟ ବ୍ୟବହୃତ ହେଉଛି।

ଆଜି ବିଭିନ୍ନ କ୍ଷେତ୍ରରେ ନୂତନ ତଥା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବିକାଶ ଓ ପ୍ରୟୋଗ ଦ୍ଵାରା ଆମର ଜୀବନ ସହଜ ହେଉଛି। ଉଦାହରଣ ସ୍ଵରୂପ, ୟୁ.ପି.ଆଇ (UPI - Unified Payment Interface) ମାଧ୍ୟମରେ ଏକ ଅଙ୍ଗୁଠି ସ୍ପର୍ଶ (Touch Screen) କରି ଦେୟ ପୈଠ କରାଯାଇ ପାରୁଛି ; ଚାଷୀମାନେ ମଧ୍ୟ ଆଗୁଆ ପାଣିପାଗର ସଦ୍ୟତମ ସୂଚନା ପାଇ ପାରୁଛନ୍ତି; ବିଶ୍ଵ ସ୍ଥାନ ନିର୍ଦ୍ଧାରଣ ପଦ୍ଧତି (GPS - Global Positioning System) ଦ୍ୱାରା ସାମଗ୍ରୀ ପରିବହନର ନ୍ୟୁନତମ ଦୂରତା ନିର୍ଣ୍ଣୟ କରାଯାଇ ପାରୁଛି।

[ଚିତ୍ର ୭.୧୮: କୃଷି କ୍ଷେତରେ ଔଷଧ/ସାର ସିଞ୍ଚନ ପାଇଁ ଉଡୁଥିବା କୃଷି ଡ୍ରୋନ୍ (Drone)]

[ଚିତ୍ର ୭.୧୯: ଅପରେସନ ଥିଏଟରରେ ଶଲ୍ୟଚିକିତ୍ସା କାର୍ଯ୍ୟରେ ଡାକ୍ତରମାନଙ୍କୁ ସହାୟତା କରୁଥିବା ରୋବୋଟ୍]

ଚିତ୍ର : ୭.୧୮: ଡ୍ରୋନ (Drone) ଦ୍ବାରା ଫସଲ ସ୍ଵାସ୍ଥ୍ୟର ଉନ୍ନତି ପାଇଁ ସାର ସିଞ୍ଚନ କରୁଥିବା ଡ୍ରୋନ୍ (Drone)

ଚିତ୍ର ୭.୧୯: ଶଲ୍ୟଚିକିତ୍ସା ପ୍ରକ୍ରିୟାରେ ସହାୟତା କରୁଥିବା ରୋବୋଟ୍।

ତୁମ ଅଞ୍ଚଳରେ ପୁରାତନ ପ୍ରଯୁକ୍ତି ବିଦ୍ୟା ବଦଳରେ ନୂତନ ଓ ଉନ୍ନତ ପ୍ରଯୁକ୍ତି ବିଦ୍ୟା କିପରି ବ୍ୟବହୃତ ହେଉଛି, ତୁମେ ଲକ୍ଷ୍ୟ କରିଛ କି ?

ପ୍ରଯୁକ୍ତି ପ୍ରକ୍ରିୟା ଜନସାଧାରଣ ଓ ବ୍ୟବସାୟ ପାଇଁ କାର୍ଯ୍ୟ କରେ ଏବଂ ସେମାନଙ୍କର କାର୍ଯ୍ୟଶୈଳୀକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ। ଉଦାହରଣ ସ୍ୱରୂପ, ଡାକ ଦ୍ବାରା ଚିଠି ପଠାଇବା ପରିବର୍ତ୍ତେ, ଲୋକମାନଙ୍କ ସହିତ ଶୀଘ୍ର ଓ କମ୍ ଖର୍ଚ୍ଚରେ ଯୋଗାଯୋଗ କରିବା ପାଇଁ ଆମେ ଇମେଲ୍ (email) ବ୍ୟବହାର କରୁଛୁ। ତେବେ, ମନେରଖିବାକୁ ହେବ ଯେ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ବେଳେ ଆମେ ପୁରାତନ ପ୍ରଯୁକ୍ତିବିଦ୍ୟାଠାରୁ ଦୂରେଇ ଯିବା ନାହିଁ– କାହିଁକିନା ଏବେ ମଧ୍ୟ ପୁଲି (Pulleys) ଏବଂ ଠେଲାଗାଡ଼ି (Wheel barrows) ବ୍ୟବହାରରେ ଲାଗୁଛି।


[ଚିତ୍ର ୭.୨୦: ଇଟା ଭର୍ତ୍ତି ନିର୍ମାଣ ସ୍ଥଳରେ ଏକ ହାତଚଳା ଠେଲାଗାଡ଼ି (Wheel barrow)]

[ଚିତ୍ର ୭.୨୧: ପାଲଟଣା ଜାହାଜ/ଡଙ୍ଗାରେ ଦଉଡ଼ି ଟାଣିବା ପାଇଁ ଖଞ୍ଜା ଯାଇଥିବା କାଠ ପୁଲି (Pulley) ଶୃଙ୍ଖଳ]

[ଚିତ୍ର ୭.୨୨: ଲାପଟପ୍ ସମ୍ମୁଖରେ ବସି ଅନଲାଇନ୍ କ୍ଲାସ୍ ପଢ଼ୁଥିବା ଜଣେ ଛାତ୍ରୀ]

ଚିତ୍ର : ୭.୨୦: ନିର୍ମାଣ ସ୍ଥାନରେ ଏକ ଠେଲାଗାଡ଼ି (Wheel barrow)

ଚିତ୍ର : ୭.୨୧: ଡଙ୍ଗା ବା ଜାହାଜରେ ବ୍ୟବହୃତ ପୁଲି (Pulley)

ଚିତ୍ର ୭.୨୨ ଆଭାସୀ ଅଧ୍ୟୟନ

ଏବେ ଆସ ଜାଣିବା ପ୍ରଯୁକ୍ତି ବିଦ୍ୟା କିପରି ଶିକ୍ଷାର୍ଥୀମାନଙ୍କୁ ଜ୍ଞାନ ଆହରଣ କରିବା, ନୂତନ ଦକ୍ଷତା ନିର୍ମାଣ କରିବା ଓ ନିଯୁକ୍ତି କ୍ଷେତ୍ରରେ ସାହାଯ୍ୟ କରୁଛି।

ଜ୍ଞାନ, ଦକ୍ଷତା ଓ ନିଯୁକ୍ତି ସୁଯୋଗ ପାଇଁ ପଥ ପ୍ରସ୍ତୁତ କରୁଥିବା ପ୍ରଯୁକ୍ତିବିଦ୍ୟା

ସ୍ଵୟମ୍ (SWAYAM - Study Webs of Active-Learning for Young Aspiring Minds) ଭଳି ଅନେକ ସରକାରୀ ମଞ୍ଚ (Platform) ଆଭାସୀ ପାଠ୍ୟକ୍ରମ (Online Course) ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କ ପାଇଁ ପଢ଼ିବାର ସୁଯୋଗ ସୃଷ୍ଟି କରିଛି। ଏହି ସ୍ଵୟମ୍ ମଞ୍ଚ (Platform) ନବମ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ପାଠ୍ୟକ୍ରମ ପ୍ରସ୍ତୁତ କରିଛି। ଏହି ବ୍ୟାପକ ମୁକ୍ତ ଆଭାସୀ ପାଠ୍ୟକ୍ରମ (MOOC - Massive Open Online Course) ମାଧ୍ୟମରେ ଶିକ୍ଷାର୍ଥୀମାନେ ରୋବୋଟିକ୍ସ (Robotics), ଜଳୀୟ କୃଷି (Aquaculture), ବୟନ ଛାପ (Textile Printing) ଆଦି ବିଷୟଗୁଡ଼ିକୁ ଅଧ୍ୟୟନ କରିପାରୁଛନ୍ତି। ଶିକ୍ଷାର୍ଥୀମାନେ ନିଯୁକ୍ତି ଓ ଅନ୍ୟାନ୍ୟ ପାଠ୍ୟକ୍ରମ ଅଧ୍ୟୟନ କରିବା ସହିତ, ନିଜ ସମୟ ସୁବିଧା ଅନୁସାରେ ଯେକୌଣସି ସ୍ଥାନରୁ ଏହି ଆଭାସୀ କ୍ଷେତ୍ରଦ୍ୱାରା ଉପକୃତ ହୋଇ ପାରୁଛନ୍ତି। ସରକାରଙ୍କ ଜାତୀୟ ବୃତ୍ତି ସେବା (National Career Service) ପରି ଆଭାସୀ ପୋର୍ଟାଲଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ଚାକିରି ସୁଯୋଗ ଖୋଜିବାରେ ଲୋକଙ୍କୁ ସାହାଯ୍ୟ କରୁଛି। ପାଇପ୍ ମିସ୍ତ୍ରୀ କାମ (Plumbing) ଠାରୁ ଆରମ୍ଭ କରି ହିସାବ ପତ୍ର କରିବା କାମ (Accounting) ଏହାର ଅନ୍ତର୍ଭୁକ୍ତ। ଏହିପରି ଭାବରେ ପ୍ରଯୁକ୍ତିବିଦ୍ୟା ଭୌଗୋଳିକ ପ୍ରତିବନ୍ଧକକୁ ଦୂର କରି ଲୋକମାନଙ୍କର ଜ୍ଞାନ ଓ ଦକ୍ଷତାର ବିକାଶ ତଥା ଭାରତ ତଥା ବିଦେଶରେ ନିଯୁକ୍ତି ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ଆଭାସୀ ପୋର୍ଟାଲ (Online Portal) ସେବା ଗୁଡ଼ିକର ଉପଲବ୍ଧତା ନିମ୍ନଲିଖିତ ଆଭାସୀ ସଂଯୋଗ (Online link) ରେ ମିଳିପାରିବ ।

ଆସ ଅନୁସନ୍ଧାନ କରିବା

  • ତୁମ ଆଖପାଖର ଲୋକ ତଥା ଗୋଷ୍ଠୀଗତ ଜୀବନକୁ ପ୍ରଭାବିତ କରୁଥିବା ବିକଶିତ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଚିନ୍ତା କରିପାରିବ କି ? ଏ ବିଷୟରେ ଘରେ ତଥା ପଡ଼ୋଶରେ ଥିବା ବୟସ୍କ ବ୍ୟକ୍ତିଙ୍କ ସହ ଆଲୋଚନା କର।
  • କୌଣସି ଏକ ସମସ୍ୟା ସମାଧାନ ପାଇଁ ତୁମେ ଚିନ୍ତା କର। ଏହା ସମ୍ପର୍କିତ ସୂଚନା ଗୋଟିଏ କାଗଜରେ ଲେଖ। ଯଥା: ଏହାର ନାମ, ଏହାର କାର୍ଯ୍ୟପ୍ରଣାଳୀ ଦର୍ଶାଇବା ପାଇଁ ଏକ ନକ୍ସା ପ୍ରସ୍ତୁତ କର। ଏ ବିଷୟରେ ତୁମେ ତୁମ ସହପାଠୀମାନଙ୍କ ସହ ଆଲୋଚନା କର ।

ଉତ୍ପାଦନର କାରକଗୁଡ଼ିକ କିପରି ପରସ୍ପର ସହ ସଂଯୁକ୍ତ ?

ଦ୍ରବ୍ୟ ଓ ସେବା ଉତ୍ପାଦନ ପାଇଁ ଭୂମି, ଶ୍ରମ, ପୁଞ୍ଜି, ଉଦ୍ୟୋଗ ଏବଂ ପ୍ରଯୁକ୍ତିବିଦ୍ୟା କାରକ ଗୁଡ଼ିକର ମିଳିତ ଆବଶ୍ୟକତା ରହିଛି। ଉତ୍ପାଦର ପ୍ରକାର ଉପରେ ବ୍ୟବହୃତ ପ୍ରତ୍ୟେକ କାରକର ଅନୁପାତ ନିର୍ଭର କରେ। ଉଦାହରଣ ସ୍ଵରୂପ, କୃଷି, ନିର୍ମାଣ ଏବଂ ହସ୍ତଶିଳ୍ପ କ୍ଷେତ୍ରରୁ ଉତ୍ପାଦନ ଶ୍ରମ ଉପରେ ଅଧିକ ନିର୍ଭରଶୀଳ। ତେଣୁ ସେଗୁଡ଼ିକୁ ଶ୍ରମ-ପ୍ରଧାନ (Labour intensive) ଉତ୍ପାଦନ କ୍ଷେତ୍ର କୁହାଯାଏ। ତେବେ ଅର୍ଦ୍ଧ ପରିବାହୀ ଚିପ୍ (Semi Conductor Chips) ବା ଉପଗ୍ରହ ଆଦିର ଉତ୍ପାଦନ ପାଇଁ ଅଧିକ ପୁଞ୍ଜି ଓ ସ୍ଵତନ୍ତ୍ର ଯନ୍ତ୍ରପାତି ଆବଶ୍ୟକ ହେଉଥିବାରୁ, ଏହାକୁ ପୁଞ୍ଜି-ପ୍ରଧାନ (Capital intensive) କ୍ଷେତ୍ର ବୋଲି କୁହାଯାଇଥାଏ।

ଆଲୋଚ୍ୟ କାରକଗୁଡ଼ିକ ପରସ୍ପର ପରିପୂରକ ଏବଂ ପରସ୍ପର ସହ ସମ୍ପର୍କିତ। କିଛି କାରକର ଅନୁପସ୍ଥିତି ବା ଅନୁପଯୁକ୍ତ ବ୍ୟବହାର ଦ୍ବାରା ଉତ୍ପାଦନ ବନ୍ଦ ବା ନିରୁତ୍ସାହଜନକ ହୋଇପାରେ। କିନ୍ତୁ କିଛି କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଦ୍ଵାରା ଏହି କାରକଗୁଡ଼ିକର ଆନୁପାତିକ ଉପଯୋଗ ତଥା ଉତ୍ପାଦନ ଉପରେ ପ୍ରଭାବ ପଡ଼ିପାରେ। ଉଦାହରଣ ସ୍ଵରୂପ, କୃଷିରେ ଯନ୍ତ୍ର (Machine) ର ବ୍ୟବହାର ବୃଦ୍ଧି ଶ୍ରମ ଉପରେ ନିର୍ଭରଶୀଳତା ହ୍ରାସ କରିପାରେ। ସେହିଭଳି ତ୍ରିମାତ୍ରିକ (3–D) ଛପାପଦ୍ଧତି, ହସ୍ତତନ୍ତ କ୍ଷେତ୍ରରେ ବହୁଳ ଉତ୍ପାଦନ ସହ ବୟନ ଶିଳ୍ପ ଜଗତରେ ରଙ୍ଗଦେବା କଳାକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କରୁଛି। ଉତ୍ପାଦନର ଏହି କାରକଗୁଡ଼ିକ ବିଭିନ୍ନ ଭୌଗୋଳିକ ସ୍ଥାନରେ ଉପଲବ୍ଧ। ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବିଭିନ୍ନ ସ୍ଥାନରୁ ସେଗୁଡ଼ିକୁ ସଂଗ୍ରହ ଓ ସଂଯୁକ୍ତ କରି ଦ୍ରବ୍ୟ ଓ ସେବା ଉତ୍ପାଦନରେ ବ୍ୟବହାର କରିଥାନ୍ତି । ଏଣୁ ଭୌଗୋଳିକ ଆନ୍ତଃସଂଯୁକ୍ତତା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବିଭିନ୍ନ କାରକ ଉପଲବ୍ଧ କରାଇଥାଏ। ତଥାପି, ଉତ୍ପାଦନ କାର୍ଯ୍ୟକଳାପ କେତେକ ସମୟରେ ଗୁରୁତର ଯୋଗାଣ ଶୃଙ୍ଖଳ (Supply Chain) ସମସ୍ୟାର ସମ୍ମୁଖୀନ ହୋଇଥାଏ। ଯୋଗାଣ ଶୃଙ୍ଖଳ ସାମଗ୍ରୀର ଉତ୍ପାଦନ ଓ ବିକ୍ରୟ ସହ ଜଡ଼ିତ। ଏହା ବ୍ୟକ୍ତି, ସଂଗଠନ, ସମ୍ବଳ, କାର୍ଯ୍ୟକଳାପ ଓ ପ୍ରଯୁକ୍ତି ବିଦ୍ୟାର ଏକ ସାମୂହିକ ଜାଲକ।

ସ୍ଥାନୀୟ ଉତ୍ସ ପରିବର୍ତ୍ତେ ଦୂର ସ୍ଥାନର ଉତ୍ସ ଉପରେ ନିର୍ଭର କରିବା ଯୋଗୁଁ ଯୋଗାଣ–ଶୃଙ୍ଖଳରେ ବାଧା ସୃଷ୍ଟି ହୁଏ ଓ ଉତ୍ପାଦନ ପ୍ରକ୍ରିୟା ବନ୍ଦ ହୋଇଯାଏ। ଏହିଭଳି ପରିସ୍ଥିତି କୋଭିଡ଼୍—୧୯ (COVID-19) ମହାମାରୀ ସମୟରେ ଦେଖା ଦେଇଥିଲା।

ମନେରଖ

୨୦୨୪ ମସିହାରେ ଚୀନ୍ ପରେ ଭାରତ ବିଶ୍ଵର ଦ୍ଵିତୀୟ ବୃହତ୍ତମ ମୋବାଇଲ ଫୋନ୍ ନିର୍ମାତା! ଆସ ଏହି ମୋବାଇଲ୍ ଫୋନ୍ ନିର୍ମାଣର ପ୍ରକ୍ରିୟାକୁ ଏକ ଧାରା ସାରଣୀ (ଫ୍ଲୋ-ଚାର୍ଟ) ମାଧ୍ୟମରେ ବୁଝିବାକୁ ଚେଷ୍ଟା କରିବା।

[ଚିତ୍ର ୭.୨୩: ମୋବାଇଲ୍ ଫୋନ୍ ଉତ୍ପାଦନ ପର୍ଯ୍ୟାୟର ଧାରା ସାରଣୀ ଫ୍ଲୋ-ଚାର୍ଟ ଏବଂ ତାଳମେଳ କାର୍ଯ୍ୟରତ ଟିମ୍]

ବିଭିନ୍ନ ସ୍ତରରେ ମୋବାଇଲ ଫୋନ୍‌ର ସରଞ୍ଚନା ଓ ନିର୍ମାଣ ପ୍ରକ୍ରିୟା

  • ଆରମ୍ଭ
  • ଗବେଷଣା ଓ ବିକାଶ ଗୋଷ୍ଠୀ (R & D team) ଦ୍ୱାରା ନୂତନ ବୈଶିଷ୍ଟ୍ୟ ପରିକଳ୍ପନା
  • ଜମି ଅଧିଗ୍ରହଣ ଏବଂ କାରଖାନା ସ୍ଥାପନ
  • କଞ୍ଚାମାଲ ଅଧିଗ୍ରହଣ
  • ବିଭିନ୍ନ ଘଟକ (components)ର ଏକତ୍ରୀକରଣ ଓ ସଫ୍ଟୱେର ସଂସ୍ଥାପନ
  • ଫୋନ୍‌ର ପରୀକ୍ଷଣ (କାର୍ଯ୍ୟକାରିତା, ଗୁଣବତ୍ତା ଏବଂ କାର୍ଯ୍ୟଦକ୍ଷତା)
  • ବହୁଳ ଉତ୍ପାଦନ ଏବଂ ପ୍ୟାକେଜିଂ
  • ଖୁଚୁରା ଦୋକାନଗୁଡ଼ିକୁ ବଣ୍ଟନ
  • ଶେଷ

ଚିତ୍ର ୭.୨୩ ଧାରା ସାରଣୀ

ଉତ୍ପାଦନ ପ୍ରକ୍ରିୟାଗୁଡ଼ିକୁ ସଠିକ୍ ରୂପରେଖ ଦେବା (design), ତଦାରଖ କରିବା ଏବଂ ଉନ୍ନତ କରିବା ପାଇଁ ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ମାନବ ପ୍ରୟାସ ଜଡ଼ିତ। ଉଦାହରଣ ସ୍ଵରୂପ, ପ୍ରକଳ୍ପ ପରିଚାଳକ (Project Manager) ମାନଙ୍କ ସହିତ ସଫ୍ଟୱେର୍‌, ବୈଦ୍ୟୁତିକ ଏବଂ ଯାନ୍ତ୍ରିକ ଇଞ୍ଜିନିୟରମାନେ ମିଳିତ ହୋଇ ଉତ୍ପାଦନ ପାଇଁ ସେମାନଙ୍କର ଦକ୍ଷତାକୁ ବ୍ୟବହାର କରିଥା'ନ୍ତି। ସମ୍ବଳଗୁଡ଼ିକୁ କିପରି ବ୍ୟବହାର କରାଯିବ ସେ ସମ୍ବନ୍ଧରେ ଉଦ୍ୟୋଗପତିମାନେ ମାର୍ଗଦର୍ଶନ କରାଇଥାନ୍ତି । ଏହାପରେ ଜମି, କାରଖାନା ସ୍ଥାନ, ଯନ୍ତ୍ରପାତି ଏବଂ ଦକ୍ଷ ଶ୍ରମିକ ଭଳି ସଂସାଧନ ଗୁଡ଼ିକୁ ଏକାଠି କରିବା ପାଇଁ ଆର୍ଥିକ ସମ୍ବଳର ଆବଶ୍ୟକ ହୁଏ। ସମ୍ମିଳିତ ଭାବେ, ଉପରୋକ୍ତ ସମସ୍ତ ସାଧନ ଉତ୍ପାଦନ ପ୍ରକ୍ରିୟା ପାଇଁ ଅତ୍ୟାବଶ୍ୟକ । ଆମେ ନିର୍ଭର କରୁଥିବା ଦ୍ରବ୍ୟ ଓ ସେବା ସୃଷ୍ଟି କରିବା ପାଇଁ ଏହା ଏକ ଗୋଲକ ଧନ୍ଦା (Puzzle Piece) ଭଳି କାର୍ଯ୍ୟ କରିଥାଏ।


ଉତ୍ପାଦନର କାରକ ପ୍ରତି ଦାୟିତ୍ଵ

ଦ୍ରବ୍ୟ ଉତ୍ପାଦନ କଲାବେଳେ ଆମେ ଭୂମି, ଜଳ ଏବଂ ଖଣିଜ ପଦାର୍ଥ ଭଳି ପ୍ରାକୃତିକ ସମ୍ବଳଗୁଡ଼ିକୁ ବ୍ୟବହାର କରୁ। ଏହି ସମ୍ବଳଗୁଡ଼ିକ ସୀମିତ ଏବଂ ଆମେ ସତର୍କ ନରହିଲେ ଏଗୁଡ଼ିକ କ୍ଷତିଗ୍ରସ୍ତ ହୋଇପାରେ। ଉଦାହରଣ ସ୍ୱରୂପ, ତାମିଲନାଡ଼ୁରେ ଅନେକ ଲୋକ ଚମଡ଼ା କାରଖାନାରେ କାମ କରି ଅର୍ଥ ଉପାର୍ଜନ କରନ୍ତି ଓ ଏହା ସ୍ଥାନୀୟ ଅର୍ଥନୀତିର ବିକାଶରେ ସାହାଯ୍ୟ କରିଥାଏ । କିନ୍ତୁ ଏହି କାରଖାନାରୁ ବାହାରୁଥିବା ଆବର୍ଜନା ନଦୀ ଓ ମୃତ୍ତିକାକୁ ପ୍ରଦୂଷିତ କରନ୍ତି। ସେହିପରି, ଯଦି ପୁରୁଣା ସ୍ମାର୍ଟଫୋନ୍ (Smart Phone) ଗୁଡ଼ିକୁ ସଠିକ୍ ଭାବରେ ପୁନଃଚକ୍ରଣ କରାନଯାଏ, ସେଥିରେ ଥିବା ସୀସା ଓ ପାରଦ ଭଳି କ୍ଷତିକାରକ ପଦାର୍ଥ ଭୂମି ଓ ଜଳରେ ମିଶିଯାଏ। ଏହି ପ୍ରଦୂଷଣ ମନୁଷ୍ୟ, ପଶୁପକ୍ଷୀ ଓ ଉଦ୍ଭିଦ ଜଗତ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଏଥିପାଇଁ ଉତ୍ପାଦନକାରୀମାନଙ୍କ ପାଇଁ ପ୍ରାକୃତିକ ସମ୍ବଳର ଦାୟିତ୍ଵପୂର୍ଣ୍ଣ ବ୍ୟବହାର ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହାଦ୍ୱାରା ଆମେ ଭବିଷ୍ୟତ ପିଢ଼ିର ଆବଶ୍ୟକତା ପୂରଣକୁ ସୁଗମ କରିବା ସହିତ ଆଜିର ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରିବା। ଉତ୍ପାଦନକାରୀମାନେ ଉତ୍ପାଦନ ପ୍ରକ୍ରିୟାରେ ବର୍ଜ୍ୟବସ୍ତୁ କମେଇବା, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ।

ଏହା ବିଷୟରେ ଚିନ୍ତା କର

ମାନବିକ କାର୍ଯ୍ୟକଳାପ ଦ୍ବାରା ସ୍ଥାନୀୟ ସମ୍ପ୍ରଦାୟ ଏବଂ ଜୈବ ବିବିଧତା କିପରି ପ୍ରଭାବିତ ହୁଏ ? ତୁମ ଚତୁଃପାର୍ଶ୍ଵସ୍ଥ କୌଣସି ସ୍ଥାନରେ ସମୟାନୁସାରେ ଜଳ ଓ ଭୂମି ଅବକ୍ଷୟ ହେଉଥିବାର ଜାଣିଛ କି ? ଶ୍ରେଣୀ ଗୃହରେ ଆଲୋଚନା କର।

ତେଣୁ ଉତ୍ପାଦନକାରୀମାନେ ଭବିଷ୍ୟତ ବ୍ୟବହାର ପାଇଁ ପ୍ରାକୃତିକ ସମ୍ବଳଗୁଡ଼ିକର ପୁନଃଭରଣ ନିମନ୍ତେ ଧାରଣୀୟ ଅଭ୍ୟାସ (Sustainable Practice) ନିଶ୍ଚିତ କରିବା ଗୁରୁତ୍ଵପୂର୍ଣ୍ଣ।

[ଚିତ୍ର ୭.୨୪: ଶିଳ୍ପ ବର୍ଜ୍ୟଜଳ ବିଶୋଧନାଗାର (Effluent Treatment Plant)]

[ଚିତ୍ର ୭.୨୫: ରିସାଇକ୍ଲିଂ ପାଇଁ ଗଦା ହୋଇଥିବା କାଗଜ ଓ କାର୍ଡ଼ବୋର୍ଡ଼ ବର୍ଜ୍ୟବସ୍ତୁ]

ଚିତ୍ର : ୭.୨୪: ଶିଳ୍ପ ବର୍ଜ୍ୟବସ୍ତୁକୁ ଜଳାଶୟରେ ଛାଡ଼ିବା ପୂର୍ବରୁ ପୁନଃଚକ୍ରଣ

ଚିତ୍ର : ୭.୨୫: ପୁନଃଚକ୍ରଣ ଉତ୍ପାଦଗୁଡ଼ିକର ସାଧନ ଭାବେ ବ୍ୟବହାର

ଭୂମି ଏବଂ ପ୍ରାକୃତିକ ସମ୍ବଳକୁ ଛାଡ଼ି, ବ୍ୟବସାୟ ସଂସ୍ଥାଗୁଡ଼ିକର ସେମାନଙ୍କ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତି ମଧ୍ୟ ଦାୟିତ୍ଵ ଅଛି। ଏ ବିଷୟରେ ନିମ୍ନରେ ସଂକ୍ଷେପରେ ଆଲୋଚନା କରାଯାଇଛି।

  • ନ୍ୟାୟୋଚିତ କ୍ଷତିପୂରଣ ଏବଂ କାର୍ଯ୍ୟ ପରିବେଶ : ନିଯୁକ୍ତିଦାତାମାନଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ଯେ ଶ୍ରମିକମାନଙ୍କୁ ସେମାନଙ୍କ ଶ୍ରମ ପାଇଁ ଯଥୋଚିତ ଦରମା ଦିଆଯାଇଛି ଓ ସେମାନେ ସୁରକ୍ଷିତ ପରିବେଶରେ କାମ କରୁଛନ୍ତି।
  • ଦକ୍ଷତା ବିକାଶ ଓ ତାଲିମ : ପ୍ରତିଯୋଗିତାପୂର୍ଣ୍ଣ ଶ୍ରମ ବଜାରରେ ତିଷ୍ଠି ରହିବା ପାଇଁ ଶ୍ରମିକମାନଙ୍କୁ ଦକ୍ଷତା ବିକାଶ ସହିତ ଉଚିତ ତାଲିମ ସୁନିଶ୍ଚିତ କରିବା ଉଦ୍ୟୋଗ ସଂସ୍ଥାଗୁଡ଼ିକର ଦାୟିତ୍ଵ ।
  • କର୍ମକ୍ଷେତ୍ର ଅଧିକାର ଏବଂ ସୁରକ୍ଷା : ନ୍ୟାୟପୂର୍ଣ୍ଣ ତଥା ଭେଦଭାବ ଶୂନ୍ୟ ବ୍ୟବହାର, ସ୍ୱାସ୍ଥ୍ୟ ସେବା ପ୍ରଦାନ, ସବେତନ ଛୁଟି ପ୍ରଦାନ ସହ ଶ୍ରମିକଙ୍କ ଅଧିକାର ପାଇଁ ଆଇନ ଏବଂ ନିୟମ ପାଳନ କରାଯିବା ଉଚିତ।

ସଂଗଠିତ ସାମାଜିକ ଦାୟିତ୍ଵବୋଧ (Corporate Social Responsibility) ମାଧ୍ୟମରେ ସମାଜ ଓ ଜୈବ ବିବିଧତାର କଲ୍ୟାଣ ନିମନ୍ତେ ବିଭିନ୍ନ ସାମାଜିକ ତଥା ପରିବେଶଗତ କାର୍ଯ୍ୟକ୍ରମ ପ୍ରତି ସମ୍ବେଦନଶୀଳ ହେବାପାଇଁ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକୁ ପ୍ରେରଣା ଦିଆଯାଉଛି। ଏଥିରେ ପ୍ରଦୂଷଣକାରୀ କାର୍ଯ୍ୟକଳାପ ହ୍ରାସ, ସ୍ଥାନୀୟ ବାସିନ୍ଦାଙ୍କ କଲ୍ୟାଣକୁ ଗୁରୁତ୍ବ, କର୍ମଚାରୀଙ୍କ ପ୍ରତି ଉତ୍ତମ ବ୍ୟବହାର ଆଦି ଅନ୍ତର୍ଭୁକ୍ତ ।

ମନେରଖ

ଭାରତ ବିଶ୍ଵର ପ୍ରଥମ ରାଷ୍ଟ୍ର ଭାବେ ୨୦୧୪ ମସିହାରେ ସଂଗଠିତ ସାମାଜିକ ଦାୟିତ୍ବ (CSR Corporate Social Responsibility) ଆଇନ ପ୍ରଣୟନ କରିଥିଲା। ଏଥିରେ କମ୍ପାନୀଗୁଡ଼ିକ ତିନିବର୍ଷ ଧରି ସେମାନଙ୍କର ହାରାହାରି ଲାଭର ଶତକଡ଼ା ୨ ଭାଗ ଅର୍ଥ ବିଭିନ୍ନ ସାମାଜିକ କାର୍ଯ୍ୟକଳାପରେ ଖର୍ଚ୍ଚ କରିବାକୁ ବାଧ୍ୟ ବୋଲି ଉଲ୍ଲେଖ କରାଯାଇଛି ।

ଆମେ କ'ଣ ଶିଖିଲେ...

  • ଭୂମି, ଶ୍ରମ, ପୁଞ୍ଜି ଓ ଉଦ୍ୟୋଗ ହେଉଛି ଉତ୍ପାଦନର କାରକ। ଏଗୁଡ଼ିକ ଦ୍ରବ୍ୟ ଓ ସେବା ଉତ୍ପାଦନ ପାଇଁ ଭିନ୍ନ ଭିନ୍ନ ଅନୁପାତରେ ବ୍ୟବହୃତ ହୁଏ । ଏହି କାରକଗୁଡ଼ିକ ପରସ୍ପରର ପରିପୂରକ ଓ ସମ୍ପର୍କିତ।
  • ବ୍ୟକ୍ତିବିଶେଷଙ୍କ ଜ୍ଞାନ, ଦକ୍ଷତା, ଅଭିଜ୍ଞତାକୁ ମାନବ ପୁଞ୍ଜି କୁହାଯାଏ। ମାନବ ପୁଞ୍ଜି ଦ୍ୱାରା ବିଭିନ୍ନ କାର୍ଯ୍ୟ ସମ୍ପାଦନ ଏବଂ ଆର୍ଥିକ ମୂଲ୍ୟ ସୃଷ୍ଟି ହୋଇଥାଏ। ଏହା ଶିକ୍ଷା, ତାଲିମ, ସ୍ଵାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଓ ସାମାଜିକ ପରିସ୍ଥିତି ଦ୍ୱାରା ପ୍ରଭାବିତ ହୋଇଥାଏ, ଯଦ୍ୱାରା କର୍ମ କ୍ଷେତ୍ରରେ ଉତ୍ପାଦନଶୀଳତା ବୃଦ୍ଧି ପାଏ ।
  • ସମ୍ବଳଗୁଡ଼ିକ ଦ୍ରବ୍ୟ ଓ ସେବା ଉତ୍ପାଦନରେ ସାହାଯ୍ୟ କରେ ଏବଂ ସମାଜର ସେବାରେ ଲାଗେ । ତେଣୁ ଏହାର ଯଥୋଚିତ ବ୍ୟବହାରର ଆବଶ୍ୟକତା ରହିଛି।

ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

୧. ଉତ୍ପାଦନର କାରକଗୁଡ଼ିକ ପରସ୍ପରଠାରୁ କିପରି ଭିନ୍ନ ଅଟନ୍ତି ? ତୁମ ବହି ଅନ୍ତର୍ଗତ ପ୍ରଦତ୍ତ ପ୍ରଶ୍ନରେ ଉତ୍ପାଦନର କାରକଗୁଡ଼ିକୁ ବର୍ଗୀକରଣ କରିବାରେ ତୁମେ କେଉଁ ଅସୁବିଧାର ସମ୍ମୁଖୀନ ହୋଇଛ ?

୨. ମାନବ ପୁଞ୍ଜି ଭୌତିକ ପୁଞ୍ଜିଠାରୁ କିପରି ଭିନ୍ନ ?

୩. ପ୍ରଯୁକ୍ତିବିଦ୍ୟା ଦ୍ବାରା ଲୋକଙ୍କର ଦକ୍ଷତା ଏବଂ ଜ୍ଞାନ ବିକାଶ କରିବାର ପଦ୍ଧତି କିପରି ପରିବର୍ତ୍ତିତ ହେଉଛି ବୋଲି ତୁମେ ଭାବୁଛ ?

୪. ଶିକ୍ଷା ତଥା ଅଭ୍ୟାସ ଦ୍ବାରା ନିଜକୁ ଉନ୍ନତ କରିବା ହିଁ ଦକ୍ଷତା । ଦକ୍ଷତା ତୁମକୁ ଭଲ ଭାବରେ କାମ କରିବାରେ ସାହାଯ୍ୟ କରେ । କ୍ରୀଡ଼ା, ସୃଜନଶୀଳ ଲିଖନ, ଗାଣିତିକ ସମସ୍ୟାର ସମାଧାନ, ରୋଷେଇ କାମ, କିମ୍ବା ଲୋକଙ୍କ ସହିତ ସୁସମ୍ପର୍କ ରଖିବା ଆଦି ଏହାର ଉଦାହରଣ। ତୁମେ ଆଜି ଗୋଟିଏ ଦକ୍ଷତା ଶିଖିପାରିବ ବୋଲି ଭାବୁଛ କି ? ତାହା କ’ଣ ଓ କାହିଁକି ?

୫. ଔଦ୍ୟୋଗିକୀକୁ ଉତ୍ପାଦନର ‘ଚାଳକ ଶକ୍ତି’ ବୋଲି ତୁମେ ଭାବୁଛ କି ? କାହିଁକି ବା କାହିଁକି ନୁହେଁ ?

୬. ଉତ୍ପାଦନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା, ଶ୍ରମ ପରି ଅନ୍ୟ କାରକଗୁଡ଼ିକୁ ବଦଳାଇ ପାରିବ କି ? ଏହା ଭଲ ନା ଖରାପ ? ଏକ ଉଦାହରଣ ସାହାଯ୍ୟରେ ତୁମର ଉତ୍ତରକୁ ଯଥାର୍ଥ ବୋଲି ପ୍ରତିପାଦନ କର।

୭. ମାନବ ପୁଞ୍ଜିକୁ ଶିକ୍ଷା ଓ ଦକ୍ଷତା ତାଲିମ କିପରି ପ୍ରଭାବିତ କରେ ? ସେମାନେ ପରସ୍ପରର ବିକଳ୍ପ ବା ପରିପୂରକ ହୋଇ ପାରିବେ କି ?

୮. ଧାତବ ପାଣି ବୋତଲ ଉତ୍ପାଦନ ଭଳି ଏକ ବ୍ୟବସାୟ ତୁମେ ଆରମ୍ଭ କରିବାକୁ ଚାହୁଁଛ ବୋଲି ଭାବ। ସେଥିପାଇଁ କି ପ୍ରକାର ସାଧନ ଆବଶ୍ୟକ ? ସେଗୁଡ଼ିକୁ ତୁମେ କିପରି ପାଇବ ? ମନେକର ଗୋଟିଏ ସାଧନ ତୁମେ ପାଇଲ ନାହିଁ, ତାହା ତୁମ ବ୍ୟବସାୟକୁ କିପରି ପ୍ରଭାବିତ କରିବ ?

୯. ବ୍ୟବସାୟ ପାଇଁ ପ୍ରେରଣା, ସୁଯୋଗ ଓ ଆହ୍ବାନଗୁଡ଼ିକୁ ବୁଝିବା ପାଇଁ ଜଣେ ଉଦ୍ୟୋଗୀ କିମ୍ବା ବ୍ୟବସାୟୀଙ୍କ ସାକ୍ଷାତକାର ନିଅ। ତୁମେ ଦୁଇ ଦୁଇଜଣ ହୋଇ ସୂଚନା ସଂଗ୍ରହ ନିମିତ୍ତ ପ୍ରଶ୍ନାବଳୀ ତିଆରି କର ଏବଂ ମିଳିଥିବା ସୂଚନାରୁ ଯାହା ଶିକ୍ଷା ଲାଭ କଲ ତାହାକୁ ଅନ୍ୟମାନଙ୍କ ସହ ଆଲୋଚନା କର।

୧୦. ନିଜକୁ ଜଣେ ଅର୍ଥନୀତିଜ୍ଞ ବୋଲି ଚିନ୍ତା କର। ପରିସ୍ଥିତିରେ ପରିବର୍ତ୍ତନ ହେଲେ, ‘ଆମ ରୋଷେଇଘର’ ବ୍ୟବସାୟରେ କ’ଣ ଘଟିପାରେ ବୋଲି ଭାବୁଛ, ଅନୁସନ୍ଧାନ କର। ଯଦି ତୁମେ ଶ୍ୟାମା ହୋଇଥାନ୍ତ, ନିମ୍ନଲିଖିତ ପରିସ୍ଥିତିରେ କ’ଣ କରିଥାନ୍ତ ? ନିଜ ସହପାଠୀଙ୍କ ସହ ଆଲୋଚନା କର ।

(କ) ମନେକର ତୁମ ଭୋଜନାଳୟ ଘରର ଭଡ଼ା ହଠାତ୍ ଦ୍ବିଗୁଣିତ ହୋଇଗଲା—

  • ତୁମେ ଏହି ଖର୍ଚ୍ଚ ପୂରଣ କରିବା ପାଇଁ ପରିବେଷିତ ଖାଦ୍ୟର ମୂଲ୍ୟ ବୃଦ୍ଧି କରିବ କି ?
  • ତୁମେ ଆଉ ଗୋଟିଏ ଶସ୍ତା ସ୍ଥାନ ଖୋଜିବ କି ?
  • ଏହା ତୁମ ବ୍ୟବସାୟକୁ କିପରି ପ୍ରଭାବ ପକାଇବ ? (ଖ) କଳ୍ପନା କର ଯେ ତୁମର ଜଣେ ସହାୟକ ହଠାତ୍ ଚାକିରି ଛାଡ଼ିଦେଲା ।
  • ଅବଶିଷ୍ଟ କର୍ମଚାରୀମାନେ କ’ଣ ସେହି କାମକୁ ସମାନ ଭାବରେ ପରିଚାଳନା କରିପାରିବେ ?
  • ତୁମେ କ’ଣ ଅଧିକ ଦରମା ଦେଇ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବ ? (ଗ) ତୁମ ଭୋଜନାଳୟରେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ପାଇଁ ତୁମେ ଏକ କ୍ଷୁଦ୍ର ଋଣ ନେଲ।
  • ଏହାଦ୍ଵାରା ଉତ୍ପାଦନ ବୃଦ୍ଧି ସହିତ ଗୁଣବତ୍ତାରେ ଉନ୍ନତି ହେବ କି ?
  • ଏହା ତୁମକୁ ଅଧିକ ଗ୍ରାହକଙ୍କ ପାଖରେ ପହଞ୍ଚେଇବାରେ ସାହାଯ୍ୟକାରୀ ହେବ କି ? (ଘ) ମନେକର ତୁମ ପଡ଼ୋଶୀରେ ଅନ୍ୟ ଏକ ଭୋଜନାଳୟ ଖୋଲିଲା—
  • ତୁମେ କିପରି ଗ୍ରାହକମାନଙ୍କୁ ଆକର୍ଷିତ କରିବ ଏବଂ ତୁମର ପୁରୁଣା ଗ୍ରାହକମାନଙ୍କୁ ନିଜ ପାଖରେ ରଖିପାରିବ ?
  • ତୁମେ କ’ଣ ଉନ୍ନତ ସେବା ଦେଇ ମୂଲ୍ୟ ହ୍ରାସ କରିପାରିବ ବା ନୂତନ କିଛି ପ୍ରଦାନ କରିପାରିବ ? (ଙ) ବ୍ୟବସାୟକୁ ସହଜ ଓ ସୁଗମ କରିବା ସହିତ ଏହାର ଉନ୍ନତି ପାଇଁ କେଉଁ ସରକାରୀ ଆଇନ କିମ୍ବା ନିୟମ ପରିବର୍ତ୍ତନ କରାଯିବା ଉଚିତ ବୋଲି ତୁମେ ଭାବୁଛ ?

[ଚିତ୍ର: ଭାରତର ରାଜନୈତିକ ମାନଚିତ୍ର (POLITICAL MAP OF INDIA), ଯେଉଁଥିରେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ପଡ଼ୋଶୀ ଦେଶଗୁଡ଼ିକ ପ୍ରଦର୍ଶିତ]

POLITICAL MAP OF INDIA

ରାଜନୈତିକ ମାନଚିତ୍ର

https://pminewyork.gov.in/pdf/menu/Political_Map_of_India.pdf


[ଚିତ୍ର: ଭାରତର ପ୍ରାକୃତିକ ଭୂଗୋଳ ମାନଚିତ୍ର (Physical Map of India), ଯେଉଁଥିରେ ହିମାଳୟ, ଗାଙ୍ଗେୟ ସମତଳ ଭୂମି, ମାଳଭୂମି, ଉପକୂଳ ଓ ପ୍ରମୁଖ ନଦୀଗୁଡ଼ିକ ପ୍ରଦର୍ଶିତ]

Physical Map of India

ପ୍ରାକୃତିକ ମାନଚିତ୍ର

ଆମ ଲେଖା ଆମ ଚିତ୍ର