Class 8 Odia (ଓଡ଼ିଆ) - Chapter 1

ଆସ ଉତ୍କଳୀୟ ଜାତୀୟ କବି ବୀରକିଶୋର ଦାସ


ପୃଷ୍ଠା ୧ (Page 1)

ଆସ ଉତ୍କଳୀୟ ଶୁଣ ସର୍ବେ ମିଳି ଏ ଦେଶ ଜାତିର ପୁରୁବ କଥା, ସୁରଣେ ଯାହାର ଗରବେ ତୋହର ଆପେଆପେ ନଇଁ ପଡ଼ିବ ମଥା।

ବକ୍ସି ଜଗବନ୍ଧୁ, ଚନ୍ଦନ ହଜୁରୀ ଗଲେଣି ଉଭେଇ ଅମର ପଥେ, ଯଶ କି ତାଙ୍କର ହେବକି ମଳିନ ଅମଳିନ ପରା ତାହା ଜଗତେ।

ପାଇକ ପୁଅର ଗାରିମା ଯା' ଥିଲା ସ୍ୱାଧୀନତା ଯାଗେ ଦେଲା ଆହୁତି, ସେ ଜାତି ଦାୟାଦ ଆମେତ ସରବେ ବୋଳି ହେବା ଅଙ୍ଗେ ସେହି ବିଭୂତି।

ତୋଷାଳି ପ୍ରାନ୍ତରେ ଦିନେ ବହିଥିଲା ସମରେ ବୀରର ରକ୍ତ ନଈ, ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ ପଚାରିଲେ ମାଟି ଯିବ ତ କହି।


ପୃଷ୍ଠା ୨ (Page 2)

ଶାନ୍ତି, ମୈତ୍ରୀ, ପ୍ରୀତି ପୂତବାଣୀ ଯହିଁ ସ୍ଫୁରୁଥିଲା ପ୍ରତି ଅନ୍ତର ଭରି, ଅହିଂସା ମନ୍ତରେ ଦେଲା ଯେଉଁ ଦୀକ୍ଷା କାହିଁ କେଉଁ ଦେଶ ହେବ ତା' ସରି ?

ଜାତି ପାଇଁ ଦିନେ ବାରବରଷର ଧରମା ଝାସିଥିଲା ପ୍ରାଣ ସାଗର ଜଳେ, ଲିଭିବ କି ତାର ଅଲିଭା କାହାଣୀ ଥିବା ଯାଏ ନର ଧରଣୀ ତଳେ।

ତ୍ୟାଗ, ଆଦର୍ଶ ଜାତିର ମହତ୍ତ୍ୱ ଦେଶ ପାଇଁ ଦେଲା ନିଜକୁ ବଳି, ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ ସେ ପୁଅ ମହିମା ହେବ କି କଳି ?

ବାଜି ରାଉତର ନାଆଁ ଲուଚି ନାହିଁ ମୁକ୍ତି ପଥର ସୈନିକ ସେହି, ତରପଣ କର ସେ ନାମ ଉଦ୍ଧାରି ସ୍ୱାଧୀନ ସଂଗ୍ରାମ ପୁରାଣ ଫେରି।

କବି ପରିଚୟ ଓଡ଼ିଆ ସାହିତ୍ୟରେ କବି ବୀରକିଶୋର ଦାସ ‘ଜାତୀୟ କବି’ ଭାବରେ ପରିଚିତ। ସେ ୧୮୯୬ ମସିହା ନଭେମ୍ବର ମାସ ୨୩ ତାରିଖରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପୁନଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ଦେଶଭକ୍ତ, ମାନବବାଦୀ, ଗାନ୍ଧୀ ଦର୍ଶନବାଦୀ ତଥା ଜାତୀୟବାଦୀ କବି ଥିଲେ। ସ୍ୱାଧୀନତା ସଂଗ୍ରାମର ବହ୍ନିଶିଖାକୁ ପ୍ରଜ୍ଜ୍ୱଳିତ କରିବା ଉଦ୍ଦେଶ୍ୟରେ ସେ ସରଳ, ତରଳ ଓ ସାବଲୀଳ ଭାଷାରେ କବିତାମାନ ରଚନା କରିଥିଲେ। ତାହାଦ୍ୱାରା ଓଡ଼ିଶାର ପୁରପଲ୍ଲୀର ଆବାଳ-ବୃଦ୍ଧ-ବନିତା ଉଦ୍ବୁଦ୍ଧ ହୋଇ, ପତଙ୍ଗ ପରି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। କବିଙ୍କ ଦ୍ୱାରା ଲିଖିତ ପୁସ୍ତକଗୁଡ଼ିକ ହେଉଛି, ‘ମୋହନ ବଂଶୀ’, ‘ବିଦ୍ରୋହୀ ବାଣୀ’, ‘ଫୁଲ ଚନ୍ଦନ’, ‘ରଣ ଗୀତିକା’ (ସ୍ୱାଧୀନତା ସଂଗ୍ରାମ ସମୟର ରଚନା), ପ୍ରଭୃତି। ‘ଆସ ଉତ୍କଳୀୟ’ କବିତାଟି କବିଙ୍କ ଦ୍ୱାରା ଲିଖିତ ‘ରଣ ଗୀତିକା’ କବିତା ସଂକଳନରୁ ଆନୀତ।


ପୃଷ୍ଠା ୩ (Page 3)

ପାଠ୍ୟ ଅନ୍ତର୍ଗତ ଆସ କବିତାକୁ ଭଲ ଭାବରେ ଆବୃତ୍ତି କରିବା, ବୁଝିବା ଓ ଉତ୍ତର ଲେଖିବା।

ମୋ ବୁଝିବାରେ (କ) ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା (★) ଚିହ୍ନ ଦେବା।

୧. “ଏ ଦେଶ ଜାତିର ପୁରୁବ କଥା”, ଏହି ପାଦରେ ଥିବା ‘ପୁରୁବ କଥା’ଟିରେ କେଉଁ କଥା ପ୍ରକାଶ କରୁଛି ? - [ ] ଅତୀତର ଗୌରବ କଥା - [ ] ଐତିହାସିକ କଥା - [ ] ସୃଜନଶୀଳ ଭାବ - [ ] ବୈଜ୍ଞାନିକ ଚିନ୍ତାଧାରା

୨. କବିତାର ବିଷୟବସ୍ତୁ ନିମ୍ନଲିଖିତ କେଉଁ ପ୍ରସଙ୍ଗ ଉପରେ ଆଧାରିତ ହୋଇଛି ? - [ ] ଦେଶର ପ୍ରଗତି - [ ] ଦେଶର ଅର୍ଥନୀତି - [ ] ଦେଶର ଅଲିଭା କାହାଣୀ - [ ] ଦେଶ ପାଇଁ ଉତ୍ସର୍ଗାକୃତ ଭାବନା

୩. “ସେ ପୁଅ ମହିମା ହେବ କି କଳି ?” ଏହି ପାଦରେ ‘ସେ’ ଶବ୍ଦ କାହା ପାଇଁ ବ୍ୟବହୃତ ହୋଇଛି ? - [ ] ବକ୍ସି ଜଗବନ୍ଧୁ - [ ] ଧର୍ମପଦ - [ ] ଗୋପବନ୍ଧୁ - [ ] ବାଜିରାଉତ


ପୃଷ୍ଠା ୪ (Page 4)

୪. ‘ମୁକ୍ତି ପଥର ସୈନିକ’ ବୋଲି କବିତାରେ କାହାକୁ କୁହାଯାଇଛି ? - [ ] ଚନ୍ଦନ ହଜୁରୀ - [ ] ଗୋପବନ୍ଧୁ - [ ] ଧରମା - [ ] ବାଜିରାଉତ

(ଖ) ତୁମର ସାଙ୍ଗମାନେ ଭିନ୍ନ ଭିନ୍ନ ଉତ୍ତର ବାଛି ଥାଇପାରନ୍ତି । ତୁମେ ଏହି ଉତ୍ତରଗୁଡ଼ିକ କାହିଁକି ବାଛିଲ, ତାହା ତୁମ ସାଙ୍ଗମାନଙ୍କ ସହିତ ଆଲୋଚନା କର।

ମିଳିମିଶି ଯୋଡ଼ିବା କବିତାରେ ମନୋନୀତ କିଛି ଧାଡ଼ି/ପାଦ ‘କ’ ସ୍ତମ୍ଭରେ ଦିଆଯାଇଛି । ସେହି ପଦଗୁଡ଼ିକର ଅର୍ଥ ବା ପ୍ରସଙ୍ଗ ‘ଖ’ ସ୍ତମ୍ଭରେ ଦିଆଯାଇଛି । ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଅର୍ଥ ରେଖାଚିତ୍ର ଦ୍ୱାରା ଯୋଡ଼ିବା।

| କ୍ର. ସଂଖ୍ୟା | ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ | | :---: | :--- | :--- | | ୧ | “ବକ୍ସି ଜଗବନ୍ଧୁ, ଚନ୍ଦନ ହଜୁରୀ ଗଲେଣି ଉଭେଇ ଅମର ପଥେ” | ୧. ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁଙ୍କ ମହିମା କାହାରି ସାଥିରେ କଳି ହେବ ନାହିଁ। | | ୨ | “ତୋଷାଳି ପ୍ରାନ୍ତରେ ଦିନେ ବହିଥିଲା ସମରେ ବୀରର ରକ୍ତ ନଈ ।” | ୨. ତୋଷାଳି ପ୍ରାନ୍ତରେ ରକ୍ତର ନଦୀ ପ୍ରବାହିତ ହୋଇଥିଲା। | | ୩ | “ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ ସେ ପୁଅ ମହିମା ହେବ କି କଳି ?” | ୩. ମୁକ୍ତିପଥର ସୈନିକ ବାଜିରାଉତର ନାଆଁ ଏବେବି ଲୁଚିଯାଇନାହିଁ। | | ୪ | “ବାଜିରାଉତର ନାଆଁ ଲୁଚି ନାହିଁ ମୁକ୍ତି ପଥର ସୈନିକ ସେହି ।” | ୪. ବକ୍ସି ଜଗବନ୍ଧୁ, ଚନ୍ଦନ ହଜୁରୀ ସ୍ୱାଧୀନତା ସଂଗ୍ରାମ କରି ଅମର ହୋଇଛନ୍ତି। |


ପୃଷ୍ଠା ୫ (Page 5)

କବିତାର ପଦଗୁଡ଼ିକୁ ଆଲୋଚନା କରିବା।

ନିମ୍ନରେ କବିତାର କିଛି ପଦ ଦିଆଯାଇଛି। ସେଗୁଡ଼ିକୁ ଭଲ ଭାବରେ ପଢ଼ିବା, ଚିନ୍ତା କରିବା, ବୁଝିବା ଏବଂ ସାଙ୍ଗମାନଙ୍କ ସହ ଆଲୋଚନା କରି ଲେଖିବା।

(କ) “ପାଇକ ପୁଅର ଗାରିମା ଯା’ ଥିଲା ସ୍ୱାଧୀନତା ଯାଗେ ଦେଲା ଆହୁତି, ସେ ଜାତି ଦାୟାଦ ଆମେତ ସରବେ ବୋଳି ହେବା ଅଙ୍ଗେ ସେହି ବିଭୂତି।”

(ଖ) “ଶାନ୍ତି, ମୈତ୍ରୀ, ପ୍ରୀତି ପୂତବାଣୀ ଯହିଁ ସ୍ଫୁରୁଥିଲା ପ୍ରତି ଅନ୍ତର ଭରି, ଅହିଂସା ମନ୍ତରେ ଦେଲା ଯେଉଁ ଦୀକ୍ଷା କାହିଁ କେଉଁ ଦେଶ ହେବ ତା' ସରି ?”

(ଗ) “ତ୍ୟାଗ, ଆଦର୍ଶ ଜାତିର ମହତ୍ତ୍ୱ ଦେଶ ପାଇଁ ଦେଲା ନିଜକୁ ବଳି, ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ ସେ ପୁଅ ମହିମା ହେବ କି କଳି ?”

ବୁଝି ବିଚାରି ଲେଖ କବିତାକୁ ଭଲ ଭାବରେ ପଢ଼ି ନିମ୍ନରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ।

(କ) “ଏ ଦେଶ ଜାତିର ପୁରୁବ କଥା” ଉକ୍ତ ଧାଡ଼ିରେ କେଉଁ ଦେଶ ଓ ଜାତିର ପୂର୍ବକଥା ସମ୍ପର୍କରେ କୁହାଯାଇଛି ଏବଂ କାହିଁକି ? (ଖ) ବକ୍ସି ଜଗବନ୍ଧୁ ଓ ଚନ୍ଦନ ହଜୁରୀ କେଉଁ ପଥର ପଥକ ଥିଲେ ? ସେମାନେ କେଉଁ କାର୍ଯ୍ୟ ପାଇଁ ଅମର ? (ଗ) “ସେ ଜାତି ଦାୟାଦ ଆମେତ ସରବେ” – ଉକ୍ତ ପଦରୁ ତୁମେ କ’ଣ ବୁଝିଲ ଲେଖ। (ଘ) କବିତାରେ ଦେଶପ୍ରେମ ସମ୍ପର୍କରେ ଅନେକ କଥା ଉଲ୍ଲେଖ କରାଯାଇଛି। ତୁମେ ଦେଶପ୍ରେମ ସମ୍ପର୍କରେ ଯାହା ଜାଣ ଲେଖ। (ଙ) ଏହି କବିତାଟି ଏକ ଦେଶାତ୍ମବୋଧକ କବିତା। ଯାହା ଆମକୁ ଆମ ରାଜ୍ୟ ଓ ଦେଶକୁ ଭଲ ପାଇବାର ପ୍ରେରଣା ଜାଗ୍ରତ କରାଏ। ଏହି କବିତାଟି ତୁମକୁ କେଉଁ ପ୍ରେରଣା ପ୍ରଦାନ କରୁଛି ଲେଖ।


ପୃଷ୍ଠା ୬ (Page 6)

ଭାଷା ବିଚାର

(କ) ଶବ୍ଦ ସହ ଶବ୍ଦ ଯୋଡ଼ ତୁମ ସାଙ୍ଗମାନଙ୍କ ସହ ମିଶି ଆଲୋଚନା କରି ତଳେ ଦିଆଯାଇଥିବା ଖାଲି ସ୍ଥାନରେ ‘ଧରଣୀ’ର ସମାର୍ଥବୋଧକ ଶବ୍ଦଗୁଡ଼ିକ ଲେଖ।
  • ଧରଣୀ: _______, _______, _______, _______
(ଖ) ନିମ୍ନଲିଖିତ ଶବ୍ଦଗୁଡ଼ିକର ଗଦ୍ୟ ରୂପ ଲେଖ।

ଯେପରି: ପୁରୁବ – ପୂର୍ବ

  • ଗରବେ – __________ - ସରବେ – __________ - ରକତ – __________ - ଆଦରଶ – __________ - ତରପଣ – __________
(ଗ) କାଳ (ସମୟ) ବିଚାର: ୧. “ପାଇକ ପୁଅର ଗାରିମା ଯା’ ଥିଲା” ୨. “ତୋଷାଳି ପ୍ରାନ୍ତରେ ଦିନେ ବହିଥିଲା ।”

ଉପରିଲିଖିତ ପଦ ଦୁଇଟି ଅତୀତ କାଳର ସୂଚନା ପ୍ରଦାନ କରିଥାଏ। ତୁମେମାନେ ଏହି ପଦ୍ୟାଂଶକୁ ନେଇ ବର୍ତ୍ତମାନ ଓ ଭବିଷ୍ୟତ କାଳରେ ପରିଣତ କର।


ପୃଷ୍ଠା ୭ (Page 7)

ଅନୁମାନ ଓ କଳ୍ପନା ତୁମେମାନେ ମିଳିମିଶି ଆଲୋଚନା କର ଏବଂ ଲେଖ।

(କ) ବକ୍ସି ଜଗବନ୍ଧୁ ପରି ହେବାପାଇଁ ତୁମେ କ’ଣ କରିବା ଉଚିତ ? (ଖ) ନିଜକୁ ପାଇକ ପୁଅ ଭାବି, ଦେଶସେବା ପାଇଁ କ’ଣ କରିପାରିବ ? (ଗ) କେଉଁ କାର୍ଯ୍ୟ ଜଣେ ବ୍ୟକ୍ତିକୁ ଅମର କରିଥାଏ ? (ଘ) ଯଦି ତୁମେ ତୋଷାଳି ପ୍ରାନ୍ତରେ ଥାଆନ୍ତ, ତେବେ ସେହି ରକ୍ତ ନଈକୁ ଦେଖିବା ପରେ ତୁମ ମନରେ କେଉଁ ଭାବ ଜାଗ୍ରତ ହୋଇଥାଆନ୍ତା ? (ଙ) ଯଦି ତୁମେ ସ୍ୱାଧୀନତା ସଂଗ୍ରାମୀ ହୋଇଥାଆନ୍ତ, ତେବେ ତୁମେ କେଉଁ କାର୍ଯ୍ୟ ପ୍ରତି ଅଧିକ ଗୁରୁତ୍ୱ ଦେଇଥାଆନ୍ତ ?

କବିତା ରଚନା “ଜାତି ପାଇଁ ଦିନେ ବାରବରଷର ଧରମା ଝାସିଥିଲା ପ୍ରାଣ ସାଗର ଜଳେ, ଲିଭିବ କି ତା'ର ଅଲିଭା କାହାଣୀ ଥିବାଯାଏ ନର ଧରଣୀ ତଳେ।”

ଏହି ପଦ୍ୟାଂଶର ଶେଷ ଶବ୍ଦକୁ ଧ୍ୟାନର ସହ ଦେଖ। ‘ସାଗର ଜଳେ’ ଏବଂ ‘ଧରଣୀ ତଳେ’ ରେ ‘ଜଳେ’ ଓ ‘ତଳେ’ ପଦର ବ୍ୟବହାର କରାଯାଇଛି। ଏହି ଦୁଇ ପଦର ଶେଷ ଧ୍ୱନି ଏକାଭଳି। ଏହି ବିଶେଷତାକୁ ଓଡ଼ିଆ ଭାଷାରେ ପୂର୍ଣ୍ଣ ମିତ୍ରାକ୍ଷର କୁହାଯାଏ। ଏବେ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକୁ ସାଙ୍ଗମାନଙ୍କ ସହ ଆଲୋଚନା କର ଏବଂ ଲେଖ।

(କ) ପୂର୍ଣ୍ଣ ମିତ୍ରାକ୍ଷରକୁ ନେଇ କବିତା ଲେଖିଲେ କେଉଁ ବିଶେଷ ପ୍ରଭାବ ପଡ଼ିଥାଏ ? (ଖ) କବିତାକୁ ପ୍ରଭାବଶାଳୀ କରିବା ପାଇଁ ଆଉ କେଉଁ କେଉଁ ଭାବ ପ୍ରୟୋଗ କରାଯାଇଛି ଲେଖ ?

ତୁମର କବିତା ‘ଆସ ଉତ୍କଳୀୟ’ କବିତାକୁ ତୁମେମାନେ ପଢ଼ିଲ। ନିମ୍ନରେ ଏହାର କିଛି ଅଂଶ ଦିଆଯାଇଛି। ତୁମେ ଚିନ୍ତାକରି ସେହି ଆଧାରରେ ଏକ କବିତା ଲେଖ।


ପୃଷ୍ଠା ୮ (Page 8)

(ଘ) ସମାନ ଅର୍ଥ ବୁଝାଉଥିବା ଶବ୍ଦ (ପ୍ରତିଶବ୍ଦ) କବିତାର କିଛି ଶବ୍ଦ ନିମ୍ନରେ ଦିଆଯାଇଛି। ତା’ ତଳକୁ ଦିଆଯାଇଥିବା ସମାନ ଅର୍ଥ ବୁଝାଉଥିବା ଶବ୍ଦକୁ ଖୋଜି ଖାଲି ଘର ପୂରଣ କର।

ମୂଳ ଶବ୍ଦ: 1. ପୁଅ 2. ନଈ 3. ସାଗର 4. ସୈନିକ

ମେଳ କରିବା ପାଇଁ ଶବ୍ଦ ଭଣ୍ଡାର: ପୁତ୍ର ସୁତ ସ୍ରୋତସ୍ୱିନୀ ତଟିନୀ ସିନ୍ଧୁ ପାରାବାର ଯବାନ ସିପାହି

କବିତାର ଶୀର୍ଷକ “ଆସ ଉତ୍କଳୀୟ ଶୁଣ ସର୍ବେ ମିଳି ଏ ଦେଶ ଜାତିର ପୁରୁବ କଥା।”

ଏହି କବିତାର ଶୀର୍ଷକ ‘ଆସ ଉତ୍କଳୀୟ’। ଅନେକ ସମୟରେ କବିମାନେ କବିତାର ଏକ ଧାଡ଼ିକୁ କବିତାର ଶୀର୍ଷକ ଭାବରେ ବ୍ୟବହାର କରିଥାନ୍ତି। ଏହିଭଳି ଯଦି ତୁମେ କବିତାରୁ ଅନ୍ୟ ଗୋଟିଏ ଧାଡ଼ି କବିତାର ଶୀର୍ଷକ ଭାବରେ ବାଛିବ, ତେବେ କାହିଁକି ବାଛିଲ ଲେଖ ?


ପୃଷ୍ଠା ୯ (Page 9)

ପାଠ୍ୟ ବହିର୍ଭୂତ

ତୁମ କଥା (କ) କିଛି ଚିତ୍ର ତଳେ ଦିଆଯାଇଛି । ଯେଉଁ ଚିତ୍ରଗୁଡ଼ିକ ତୁମେମାନେ ଦେଶପ୍ରେମ ଆଧାରିତ ବୋଲି ଭାବୁଛ, ତା' ପାଖରେ ଠିକ୍ (✓) ଚିହ୍ନ ଦିଅ।

ପାଠକଙ୍କ ପାଇଁ ସୂଚନା (ଚିତ୍ର ସମୂହ - କାର୍ଯ୍ୟକଳାପ): 1. ଜଣେ ଛାତ୍ରୀ ଜଣେ ଅସହାୟ ବୃଦ୍ଧାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କରୁଛନ୍ତି। 2. ଜଣେ ଯୁବକ/ସେବାକାରୀ ଜଣେ ଦରିଦ୍ର ଅସହାୟ ବୃଦ୍ଧଙ୍କ ଦୁଃଖ ବୁଝୁଛନ୍ତି। 3. ଜଣେ ବାଳକ ସର୍ବସାଧାରଣ ଐତିହାସିକ କୀର୍ତ୍ତିରାଜି (କୁତବ ମିନାର୍ ଭଳି ସ୍ଥଳ) କାନ୍ଥରେ ଚିତ୍ର କରି ନଷ୍ଟ କରୁଛନ୍ତି। 4. ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ସମ୍ମାନର ସହ ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି। 5. ବ୍ୟାଙ୍କରେ ଲୋକମାନେ କାର୍ଯ୍ୟ ପାଇଁ ଶୃଙ୍ଖଳିତ ଭାବରେ ଧାଡ଼ିରେ ଠିଆ ହୋଇଛନ୍ତି। 6. ଜଣେ ଛାତ୍ରୀ ସର୍ବସାଧାରଣ ବଗିଚାରେ "ଫୁଲ ଛିଣ୍ଡାନ୍ତୁ ନାହିଁ" ସୂଚନା ଫଳକ ଦେଖି ଫୁଲ ତୋଳିବାରୁ ବିରତ ରହୁଛନ୍ତି। 7. ଗୋଟିଏ ସରକାରୀ କାର୍ଯ୍ୟାଳୟରେ ପ୍ରଶାସନିକ ବ୍ୟବସ୍ଥା ଶୂନ୍ୟ ଏବଂ ଅପରିଷ୍କାର ହୋଇ ପଡ଼ିଛି। 8. ଜଣେ ବାଳକ ପାନୀୟ ଜଳ ନଷ୍ଟ କରୁଥିବା ବେଳେ ଅନ୍ୟମାନେ ତାଙ୍କୁ ତାଗିଦ୍ କରି ବାରଣ କରୁଛନ୍ତି।


ପୃଷ୍ଠା ୧୦ (Page 10)

(ପୃଷ୍ଠା ୧୦ ରେ ଥିବା ଚିତ୍ରଗୁଡ଼ିକର ନିରୀକ୍ଷଣ, ସେବା ମନୋଭାବ ଏବଂ ନୈତିକ କର୍ତ୍ତବ୍ୟ ଆଲୋଚନା)


ପୃଷ୍ଠା ୧୧ (Page 11)

ଆମର ଅସ୍ତ୍ରଶସ୍ତ୍ର “ପାଇକ ପୁଅର ଗାରିମା ଯା’ ଥିଲା ସ୍ୱାଧୀନତା ଯାଗେ ଦେଲା ଆହୁତି।”

ସୈନିକମାନେ ଦେଶର ସୀମାକୁ ସୁରକ୍ଷା ଦେବାପାଇଁ ବନ୍ଧୁକ, ତୋପ, ଖଣ୍ଡା ଇତ୍ୟାଦି ବ୍ୟବହାର କରନ୍ତି। ସେହିପରି ନିମ୍ନଲିଖିତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରିବା ପାଇଁ କ’ଣ ବ୍ୟବହାର କରନ୍ତି ?

  • କବି: ____________________ - କୃଷକ: ____________________ - ଛାତ୍ର: ____________________ - ବୈଜ୍ଞାନିକ: ____________________ - ଡାକ୍ତର: ____________________

ତୁମ ଭାଷା ଓ ଗୀତ (କ) ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ନିଜ ଭାଷାରେ ଦେଶପ୍ରେମ ସମ୍ପର୍କିତ କବିତା ଏବଂ ଗୀତ ସଂଗ୍ରହ କରି ପଢ଼ ଏବଂ ଲେଖ।

(ଖ) ତୁମମାନଙ୍କ ପାଠରେ ଦିଆଯାଇଥିବା ଯେକୌଣସି ଗୋଟିଏ ଦେଶାତ୍ମବୋଧ ଗୀତକୁ ନେଇ ଶ୍ରେଣୀଗୃହରେ ଅଭିନୟ କର।

ତ୍ରିରଙ୍ଗା ପତାକା ବା ଜାତୀୟ ପତାକା ଜାତୀୟ ପତାକା ଦେଶର ଗର୍ବ ଓ ଗୌରବ । ଯେକୌଣସି ଦିନ ଶୋଇବା ପୂର୍ବରୁ ତୁମେମାନେ ସମଗ୍ର ଦିନର ଦିନଚର୍ଯ୍ୟା ମନେ ପକାଅ। ଭାବ ଯେ ତୁମର କେଉଁ କାର୍ଯ୍ୟ ଜାତୀୟ ପତାକାକୁ ଖୁସି କରୁଛି ଓ କେଉଁ କାର୍ଯ୍ୟ ଜାତୀୟ ପତାକାକୁ ଦୁଃଖ ଦେଉଛି।

ଝରକାରୁ ତୁମେ ଦେଶପ୍ରେମ ମୂଳକ କବିତା ‘ଆସ ଉତ୍କଳୀୟ’ ପଢ଼ିଛ। ଏବେ ବିପିନ ବିହାରୀ ରାଉତଙ୍କ ଦେଶମାତୃକାର ସେବା ସଙ୍କଳିତ ‘ଯେଉଁ ଦେଶରେ ଗଙ୍ଗା ବହେ’ କବିତାକୁ ଭଲ ଭାବେ ପଢ଼ ଓ ମନେରଖ।


ପୃଷ୍ଠା ୧୨ (Page 12)

ପଠନ ନିମନ୍ତେ

ଯେଉଁ ଦେଶରେ ଗଙ୍ଗା ବହେ ବିପିନ ବିହାରୀ ରାଉତ

ଯେଉଁ ଦେଶରେ ଗଙ୍ଗା ବହେ, ଯୁଗ ଯୁଗର କାହାଣୀ କହେ ସେଇ ଦେଶ ମୋ ଜନମ ଭୂଇଁ, ସେଇ ମାଟି ମୋ ମାଆ। ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନାଆଁ ॥ ୦ ॥

ହିମଗିରି ଯା' ମୁକୁଟ ଶୋହେ ଯମୁନା ଗଳାମାଳ ସାଗର ଧୁଏ ଚରଣ ଯା'ର ଜଳ କଳକଳ ଯେଉଁ ମାଟିକୁ ପରଶି ଯାଏ ମଳୟ ଶୀତ ବାଆ ମୁଁ ତାହାରି ଲାଗି ପରାଣ ଦେବି ରଖିବି ତା'ର ନାଆଁ ॥ ୧ ॥

କୋଳରେ ଯା'ର ଜନମ ନେଲେ କୁଢ଼ କୁଢ଼ ସତୀ ବୀରା ସୀତା ଅହଲ୍ୟା ଦୁର୍ଗାବତୀ ଲକ୍ଷ୍ମୀବାଈ ମୀରା ଧରଣୀ ବୁକେ ଦେଖାଇ ଗଲେ ସରଣୀ ନୂଆ ନୂଆ ମୁଁ ତାହାରି ଲାଗି ପରାଣ ଦେବି ରଖିବି ତା'ର ନାଆଁ ॥ ୨ ॥

ଝରିଲା ଯହିଁ ବାଲ୍ମୀକିର କଣ୍ଠୁ ରାମଗାଥା କାଳିଦାସର ମେଘଦୂତ କବିର ନୀତି କଥା ରବୀନ୍ଦ୍ର ସଙ୍ଗୀତରେ ଦୁନିଆଁ କରେ ଆହା ମୁଁ ତାହାରି ଲାଗି ପରାଣ ଦେବି ରଖିବି ତା'ର ନାଆଁ ॥ ୩ ॥

ଯାହାର ଧୂଳି ବୋଳିଲେ ଦେହେ ଉଲ୍ଲସି ଉଠେ ପ୍ରାଣ ଜାତି ଜାତିକା କୁସୁମ ଫୁଟେ ଛୁଟେ କୋକիଳ ସ୍ୱନ (ଯହିଁ) ଶ୍ୟାମଳ ତରୁ ଗହଳ ଲତା କୁଞ୍ଜବନ ଛାୟା ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନାଆଁ ॥ ୪ ॥

ପାବନ ଯା'ର ସରଯୂ ଉମାପତିର ମନ ମୋହେ ପାବନ ଯା'ର ଯମୁନା ତୀର କୃଷ୍ଣବଂଶୀ ବାଏ ପାବନ ଯା'ର କୁରୁକ୍ଷେତ୍ରେ ନାରାୟଣ ସାହା ମୁଁ ତାହାରି ଲାଗି ପରାଣ ଦେବି ରଖିବି ତା'ର ନାଆଁ ॥ ୫ ॥


ପୃଷ୍ଠା ୧୩ (Page 13)

ବୁଝି ବୁଝାଅ ତୁମେ ‘ଆସ ଉତ୍କଳୀୟ’ ଏବଂ ‘ଯେଉଁ ଦେଶରେ ଗଙ୍ଗା ବହେ’ ଦୁଇଟି କବିତାକୁ ଆବୃତ୍ତି କର। ଏହିଭଳି ଦେଶାତ୍ମବୋଧକ କବିତା ପାଠଗାର ଓ ଇଣ୍ଟରନେଟ୍‌ରୁ ଖୋଜି ଆବୃତ୍ତି କର ଏବଂ ସାଙ୍ଗମାନଙ୍କ ସହ ଆଲୋଚନା କର।

ଅନୁସନ୍ଧାନ କରିବା ତଳେ ଦିଆଯାଇଥିବା ଇଣ୍ଟରନେଟ୍ ଲିଙ୍କ ବ୍ୟବହାର କରି ତୁମେମାନେ ଦେଶପ୍ରେମ ଏବଂ ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ ବିଷୟ ପଢ଼ିପାରିବ।


ପୃଷ୍ଠା ୧୪ (Page 14)

ଆମ ଲେଖା ଆମ ଚିତ୍ର