ଭରତଙ୍କ ଚିତ୍ରକୂଟ ଯାତ୍ରା
ଶ୍ରୀଧର ଦାସ
ଭରତଙ୍କ ଆଦେଶରେ ସୁମନ୍ତ ଚତୁରଙ୍ଗବଳ ସାଜି ରାମଙ୍କ ସନ୍ଧାନରେ ଯିବାକୁ ପ୍ରସ୍ତୁତ ହେଲେ। ଭରତ ଓ ଶତ୍ରୁଘ୍ନ ରଥରେ ବସିଲେ। ସୁମନ୍ତ ରଥ ଚଳାଇଲେ। ଦୁର୍ଗମ ପଥ ପାରହୋଇ ସେମାନେ ଶୃଙ୍ଗବେରପୁରରେ ଶବରରାଜା ଗୃହକଙ୍କୁ ଭେଟିଲେ। କିପରି ରାମ, ଲକ୍ଷ୍ମଣ ଓ ସୀତା ବନର ଫଳମୂଳ ଖାଇ ବୃକ୍ଷମୂଳରେ ଶୋଇଥିଲେ ତାହା କହି ଗୃହକ ସ୍ଥାନଟି ଦେଖାଇଦେଲେ। ଏଥିରେ ଭରତଙ୍କର ଶୋକ ବୃଦ୍ଧି ପାଇଲା। ଗୃହକଙ୍କଠାରୁ ସମ୍ବାଦ ମିଳିଲା ଯେ ରାମ ଭରଦ୍ୱାଜ ମୁନିଙ୍କ ଆଶ୍ରମବାଟେ ଚିତ୍ରକୂଟକୁ ଯାଇଛନ୍ତି। ଗୃହକ ତାଙ୍କୁ ବାଟ ଦେଖାଇ ଚାଲିଲା।
ଭରତ ନିଜର ଅନୁଚରମାନଙ୍କ ସହିତ ଯାଇ ଭରଦ୍ୱାଜଙ୍କ ଆଶ୍ରମରେ ପହଞ୍ଚିଲେ। ଭରତ ମୁନିଙ୍କୁ ପ୍ରଣାମକରି ତାଙ୍କ ଆଗମନର କାରଣ ଜଣାଇଲେ। ମୁନି ଭରତ ଓ ତାଙ୍କର ଲୋକମାନଙ୍କୁ ଯଥାବିଧି ଚର୍ଚ୍ଚା କଲେ। ରାତିଟି ଆଶ୍ରମରେ କଟାଇ ସକାଳୁ ସେମାନେ ବାହାରିଲେ। ମୁନି ସେମାନଙ୍କୁ ପଥ ଦେଖାଇଦେଲେ। ଗୃହକ ଆଗେ ଆଗେ ଚାଲିଲେ।
ସୈନ୍ୟମାନଙ୍କ ପଦଧ୍ୱନିରେ ବନ କମ୍ପିତ ହେଲା, ଧୂଳିପଟଳ ଉଡ଼ିଲା। ଚିତ୍ରକୂଟ ନିକଟରେ ସେମାନେ ପହଞ୍ଚିଲେ। ଏପରି ଶବ୍ଦ ଶୁଣି ଲକ୍ଷ୍ମଣ ବିସ୍ମିତ ହୋଇ ଗୋଟିଏ ବଡ଼ ଗଛରେ ଚଢ଼ି ଚାହିଁଲେ। ସେ ଦେଖିପାରିଲେ ଯେ ଭରତ ଓ ଶତ୍ରୁଘ୍ନ ରଥରେ ବସି ଆସୁଛନ୍ତି ଓ ତାଙ୍କ ସଙ୍ଗରେ ଅସଂଖ୍ୟ ସୈନ୍ୟ ରହିଅଛନ୍ତି। ହଠାତ୍ ସେ ଭାବିଲେ, ବୋଧହୁଏ ଭରତ ରାଜ୍ୟ ଅଧିକାର କରି ମଧ୍ୟ ସନ୍ତୁଷ୍ଟ ନୁହନ୍ତି, ତେଣୁ ସେମାନଙ୍କୁ ବଧ କରିବାପାଇଁ ସୈନ୍ୟ ନେଇ ଆସୁଛନ୍ତି। ଏହା ଭାବି ସେ ବୃକ୍ଷରୁ ଓହ୍ଲାଇ ରାମଙ୍କୁ କହିଲେ, "ଭାଇ, ଭରତ ଓ ଶତ୍ରୁଘ୍ନ ଅନେକ ସୈନ୍ୟସାମନ୍ତ ଘେନି ଆମକୁ ମାରିବା ପାଇଁ ଆସୁଛନ୍ତି। ମୁଁ ସେମାନଙ୍କୁ ମାରିବାକୁ ଯାଉଛି।" ଏହା ଶୁଣି ରାମ ଲକ୍ଷ୍ମଣଙ୍କୁ ବାରଣ କରି କହିଲେ, "ଏପରି ଅଧୀର ହୁଅ ନାହିଁ। ଭରତ ଓ ଶତ୍ରୁଘ୍ନ ଆମର ଭାଇ। ସେମାନଙ୍କୁ ଦେଖିଲେ ଆମର ଆନନ୍ଦ ହେବ। ସେ ଦୁହେଁ ଆମକୁ ମାରିବେ ବୋଲି ଭାବିବା ତୁମର ଭୁଲ ବିଚାର।"
ଏଣେ ଭରତ ଓ ଶତ୍ରୁଘ୍ନ ସୈନ୍ୟମାନଙ୍କୁ ଦୂରରେ ରଖାଇ ରଥରୁ ଓହ୍ଲାଇଲେ ଓ ଗୃହକଙ୍କ ସହିତ ରାମଙ୍କ କୁଟୀର ଆଡ଼କୁ ଚାଲିଲେ। ଭରତ ରାମଙ୍କୁ ଦେଖି ସාଷ୍ଟାଙ୍ଗ ପ୍ରଣିପାତ କଲେ। ଲକ୍ଷ୍ମଣ ମଧ୍ୟ ଭରତଙ୍କୁ ପ୍ରଣାମ କଲେ। ଶତ୍ରୁଘ୍ନ ରାମ ଓ ଲକ୍ଷ୍ମଣଙ୍କୁ ଯଥାବିଧି ମାନ୍ୟ ଦେଖାଇଲେ। ଚାରି ଭାଇଙ୍କର ମିଳନ ହେଲା। ସମସ୍ତଙ୍କ ଚକ୍ଷୁରୁ ଲୋତକ ବହିଗଲା।
ଭରତ ଓ ଶତ୍ରୁଘ୍ନ କୁଶ ଆସନରେ ବସିଲେ। ଭରତ ରାମଙ୍କୁ କହିଲେ, "ଭାଇ, ତୁମେ ଆମର କୁଳଚନ୍ଦ୍ରମା। ଅଯୋଧ୍ୟା ରାଜ୍ୟ ରକ୍ଷାକରିବାକୁ ତୁମେ ହିଁ ଯୋଗ୍ୟ। ତୁମେ ବନକୁ ଆସିବାରୁ ଅଯୋଧ୍ୟାବାସୀ ଦୁଃଖରେ ହାହାକାର କରୁଛନ୍ତି। ତୁମକୁ ହରାଇ ପିତା 'ହା-ରାମ, ହା-ରାମ' କହି ଝୁରି ଝୁରି ପ୍ରାଣହରାଇଛନ୍ତି। ତୁମେ କ୍ଷମାର ସାଗର। ମୋର ମନ୍ଦବୁଦ୍ଧି ମାଆଙ୍କୁ କ୍ଷମା ଦିଅ। ଅଯୋଧ୍ୟାକୁ ଫେରିଯାଇ ରାଜସିଂହାସନରେ ବସ। ଆମେ ତୁମର ସେବା କରି ଧନ୍ୟ ହେବୁ।" ଭରତ ଏହା କହିଲେ ଓ ଦୁଇଭାଇଯାକ ରାମଙ୍କ ପାଦତଳେ ପଡ଼ିଗଲେ। ରାମ ସେ ଦୁହିଁଙ୍କୁ ଉଠାଇ ଆଲିଙ୍ଗନ କଲେ। ପିତାଙ୍କର ମୃତ୍ୟୁ ସମ୍ବାଦରେ ରାମ, ସୀତା ଓ ଲକ୍ଷ୍ମଣ ବିଲାପ କରିଉଠିଲେ। ତା'ପରେ ସେମାନେ ନଦୀ ଜଳରେ ସ୍ନାନକରି ଦଶରଥଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ଶ୍ରାଦ୍ଧ କଲେ।
କୁଳଗୁରୁ ବଶିଷ୍ଠ ମଧ୍ୟ ଫେରିଯିବା ପାଇଁ ରାମଙ୍କୁ ବହୁତ ବୁଝାଇଲେ। କିନ୍ତୁ ରାମ କୌଣସି ପ୍ରକାରେ ଅଯୋଧ୍ୟାକୁ ଫେରିଯିବା ପାଇଁ ସ୍ୱୀକୃତ ନ ହୋଇ କହିଲେ – "ଯେଉଁ ସତ୍ୟ ପାଳିବାକୁ ଯାଇ ଆମର ପିତା ଜୀବନ ହରାଇଲେ, ମୁଁ କିପରି ସେହି ସତ୍ୟ ଲଙ୍ଘନ କରିବି? ତାଙ୍କର ଶେଷ ଆଦେଶ ପାଳିତ ନହେଲେ ସେ ସ୍ୱର୍ଗରେ ସୁଦ୍ଧା ଶାନ୍ତି ପାଇବେ ନାହିଁ। ମୁଁ ତାଙ୍କର ସତ୍ୟରକ୍ଷା କରିବା ପାଇଁ ଅବଶ୍ୟ ଚଉଦବର୍ଷ ବନବାସ କରିବା ପରେ ଅଯୋଧ୍ୟାକୁ ଫେରିଯିବି। ଭରତ ଥାଉଁ ଥାଉଁ ରାଜ୍ୟଶାସନ ବାଧା ପାଇବ ନାହିଁ। ଭରତ ସିଂହାସନରେ ବସି ରାଜକର୍ମ ପାଳନକରୁ।"
ଏହା ଶୁଣି ଭରତ ରାମଙ୍କୁ କହିଲେ, "ସିଂହାସନରେ ତୁମେ ବସିବା କଥା। ତାହା ପାଇଁ ତୁମେ ହିଁ ଉପଯୁକ୍ତ। ସେଥିରେ ମୋ ପରି ଅଧମ ବସି ତାକୁ କଳଙ୍କିତ କରିନପାରେ। ତେଣୁ ମୋର ଅନୁରୋଧ ରକ୍ଷାକରି ତୁମେ ଅଯୋଧ୍ୟାର ସିଂହାସନ ମଣ୍ଡନକର।"
ରାମ ଯେତେ ବୁଝାଇଲେ ସୁଦ୍ଧା ଭରତ ରାଜସିଂହାସନରେ ବସିବାକୁ ରାଜି ହେଲେ ନାହିଁ। ତହୁଁ ରାମ କହିଲେ, "ତାହାହେଲେ ତୁମେ ମୋର ପ୍ରତିନିଧି ରୂପେ ରାଜ୍ୟ ଶାସନ କର।"
ଭରତ ଅତି ଦୁଃଖରେ ଏହି ପ୍ରସ୍ତାବରେ ସ୍ୱୀକୃତ ହେଲେ। ସେ ଶ୍ରୀରାମଙ୍କର ପାଦୁକା ଦୁଇଟି ନେଇ ରାଜନୀତି ବିଷୟରେ ଅନେକ ଉପଦେଶ ଗ୍ରହଣ କଲେ। ଭାଇଙ୍କର ଆଦେଶ ମାନି ତାଙ୍କର ପାଦୁକା ଦୁଇଟିକୁ ମୁଣ୍ଡରେ ଧରି ଶତ୍ରୁଘ୍ନ, ମନ୍ତ୍ରୀଗଣ ଓ ସୈନ୍ୟମାନଙ୍କ ସହିତ ଅଯୋଧ୍ୟାକୁ ଫେରିଆସିଲେ। ଅଯୋଧ୍ୟାବାସୀ ରାମ, ଲକ୍ଷ୍ମଣ ଓ ସୀତା ଫେରିଆସିନଥିବା ଦେଖି ଅତି ନିରାଶ ହେଲେ। ଭରତ ସେମାନଙ୍କୁ ସମସ୍ତ ଘଟଣା ଜଣାଇ ଆଶ୍ୱାସନା ଦେଲେ।
ଭରତ ସେହିଦିନଠାରୁ ସମସ୍ତ ରାଜସୁଖ ତ୍ୟାଗକରି ରାମଙ୍କ ଭଳି ତପସ୍ୱୀ ଜୀବନ ଯାପନ କରିବାକୁ ଲାଗିଲେ। ସେ ମସ୍ତକରେ ଜଟା ଧାରଣ କଲେ, ବଳକଳ ପିନ୍ଧିଲେ, ଫଳମୂଳ ଖାଇ ରହିଲେ। ପାଦୁକା ଦୁଇଟିକୁ ସିଂହାସନରେ ରଖି ରାମଙ୍କର ପ୍ରତିନିଧିରୂପେ ରାଜ୍ୟ ଶାସନ କଲେ।
ଏଥିପୂର୍ବରୁ କେହି କେହି ସନ୍ଦେହ କରିଥିଲେ ଯେ ଭରତ ରାଜ୍ୟଲୋଭରେ ମାଆଙ୍କ ଦ୍ୱାରା ରାମଙ୍କୁ ବନବାସ ପଠାଇଛନ୍ତି। କିନ୍ତୁ ଏବେ ଭରତଙ୍କ ଆଚରଣ ଦେଖି ସେମାନଙ୍କର ସେହି ଭୁଲ ଧାରଣା ଦୂର ହୋଇଗଲା। ସେମାନେ ଭରତଙ୍କର ମହାନତା ଓ ଭ୍ରାତୃଭକ୍ତିରେ ମୁଗ୍ଧ ହୋଇଗଲେ। ଭରତ ରାଜ୍ୟପୁରୀର ସୁଖ ତ୍ୟାଗକରି ନଗର ବାହାରେ ନନ୍ଦିଗ୍ରାମ ନାମକ ଏକ ସ୍ଥାନରେ ବାସ କଲେ।
କବି ପରିଚୟ
ଅଧ୍ୟାପକ ଶ୍ରୀଧର ଦାସ ପୁରୀ ଜିଲ୍ଲା ଅନ୍ତର୍ଗତ କଲ୍ୟାଣପୁର ଅଞ୍ଚଳର ନାଉସିରା ଗ୍ରାମରେ ୧୯୦୧ ମସିହା ଅକ୍ଟୋବର ମାସ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଶ୍ୟାମ ଚରଣ ଦାସ ଓ ମାତାଙ୍କ ନାମ ଥିଲା ଶ୍ରଦ୍ଧାମଣି ଦେବୀ। ତାଙ୍କର ସାରସ୍ୱତ କୃତି ହେଉଛି ଅତ୍ୟନ୍ତ ବିଚିତ୍ର ବର୍ଣ୍ଣା। ସେ ଏକାଧାରରେ ଜଣେ ବ୍ୟାକରଣବିତ୍, ଅନୁବାଦକ, ଜୀବନୀ ଓ ଆତ୍ମଜୀବନୀ ଲେଖକ, ଶିଶୁ ସାହିତ୍ୟିକ ଏବଂ ସଂପାଦକ ରୂପେ ବେଶ୍ ଆଦୃତ। ତାଙ୍କର ସାରସ୍ୱତ ସୃଷ୍ଟିମାନଙ୍କ ମଧ୍ୟରୁ ‘ସର୍ବସାର ବ୍ୟାକରଣ’, ‘ସରଳ ସଂସ୍କୃତ ବ୍ୟାକରଣ’, ‘କଥା ସୁମନ’, ‘ଆମ ଦେଶର ଇତିହାସ ଗପ’, ‘ବୃକ୍ଷ ଜଗତ’, ‘ଇଶପ କାହାଣୀ’, ‘ରାମାୟଣ କାହାଣୀ’, ‘ମହାଭାରତ କାହାଣୀ’ ଇତ୍ୟାଦି ଉଲ୍ଲେଖନୀୟ। ‘ଭରତଙ୍କ ଚିତ୍ରକୂଟ ଯାତ୍ରା’ ପ୍ରସଙ୍ଗଟି ଲେଖକଙ୍କ ‘ରାମାୟଣ କାହାଣୀ’ ପୁସ୍ତକରୁ ଆନୀତ। ଏହି କାହାଣୀଟି ରାମାୟଣ ଯୁଗର। ଭାଇର ଭାଇ ପ୍ରତି କିପରି ସ୍ନେହ, ସହାନୁଭୂତି ଏବଂ ସଦିଚ୍ଛା, ତାହା ଏଥିରେ ସୂକ୍ଷ୍ମ ଭାବେ ପ୍ରତିଫଳିତ ହୋଇଛି। ଭରତଙ୍କ ଅନାବିଳ ଭ୍ରାତୃଭକ୍ତି ଓ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ଥିବା ଅତଳାଚଳ ଭକ୍ତି ଅଯୋଧ୍ୟାର ରାଜ ସମ୍ପଦକୁ ତୁଚ୍ଛ କରି ଦେଇଛି। ଭରତଙ୍କ ଉଦାର ହୃଦୟର ଭାବୋଲ୍ଲାସ ସମଗ୍ର ରାମାୟଣକୁ ମଧୁମୟ କରିତୋଳିଛି।
ପାଠ୍ୟ ଅନ୍ତର୍ଗତ
ଆସ ପାଠଟିକୁ ଭଲଭାବରେ ପଢ଼ିବା, ବୁଝିବା ଓ ଉତ୍ତର ଲେଖିବା।
ମୋ ବୁଝିବାରେ
୧. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା (★) ଚିହ୍ନ ଦେବା।
(କ) ଭରତ ଶୃଙ୍ଗବେରପୁରରେ କାହାକୁ ଭେଟିଥିଲେ ?
- ରୁଷି ବିଶ୍ୱାମିତ୍ର * ମନ୍ତ୍ରୀ ସୁମନ୍ତ * ଶବର ରାଜ ଗୃହକ ★ * ଶ୍ରୀରାମ ଓ ଲକ୍ଷ୍ମଣ
(ଖ) ଭରତ କ'ଣ ସଜକରି ଶ୍ରୀରାମଙ୍କ ସନ୍ଧାନରେ ଯିବାପାଇଁ ପ୍ରସ୍ତୁତ ହେଲେ।
- ହାତୀଘୋଡ଼ା ସଜ କରି।
- ସୈନ୍ୟ ସମାଜକୁ ସଜ କରି।
- ଚତୁରଙ୍ଗ ବଳ ସଜ କରି। ★ * ଅଯୋଧ୍ୟାବାସୀଙ୍କୁ ସଜ କରି।
(ଗ) ସୈନ୍ୟମାନଙ୍କ ପାଦଧ୍ୱନିରେ କ'ଣ ଉଡ଼ିଲା ?
- ପତ୍ରଗୁଡ଼ିକ ଉଡ଼ିଲା।
- ପତାକା ଉଡ଼ିଲା।
- ଧୂଳିପଟଳ ଉଡ଼ିଲା। ★ * ଗୋଡ଼ିମାଟି ଉଡ଼ିଲା।
(ଘ) ଭରତ ଶତ୍ରୁଘ୍ନ ସୈନ୍ୟ ସାମନ୍ତ ନେଇ କ'ଣ କରିବାକୁ ଆସୁଛନ୍ତି ବୋଲି ଲକ୍ଷ୍ମଣ ଭାଇ ଶ୍ରୀରାମଙ୍କୁ କହିଲେ ?
- ଭେଟିବା ପାଇଁ ଆସୁଛନ୍ତି।
- ମାରିବା ପାଇଁ ଆସୁଛନ୍ତି। ★ * ଫେରାଇ ନେବା ପାଇଁ ଆସୁଛନ୍ତି।
- ଶିକାର କରିବାକୁ ଆସୁଛନ୍ତି।
(ଙ) ଭରତ କିପରି ରାଜ୍ୟ ଶାସନ କଲେ ?
- ରାଜା ଭାବରେ।
- ଶ୍ରୀରାମଙ୍କ ପ୍ରତିନିଧି ରୂପେ। ★ * ଅଯୋଧ୍ୟାବାସୀଙ୍କ ସେବକ ଭାବରେ।
- ତପସ୍ୱୀ ଭାବରେ।
ମିଳିମିଶି ଯୋଡ଼ିବା
ନିମ୍ନରେ ପାଠର କିଛି ବାକ୍ୟ ‘କ’ ସ୍ତମ୍ଭରେ ଦିଆଯାଇଛି। ‘ଖ’ ସ୍ତମ୍ଭରେ ଏହି ବାକ୍ୟଗୁଡ଼ିକର ଅର୍ଥ ବା ପ୍ରସଙ୍ଗ ଦିଆଯାଇଛି। ବୁଝି ବିଚାରି ‘କ’ ସ୍ତମ୍ଭର ବାକ୍ୟ ସହ ‘ଖ’ ସ୍ତମ୍ଭର ଅର୍ଥ ବା ପ୍ରସଙ୍ଗଟିକୁ ଯୋଡ଼।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ | | :--- | :--- | | ୧. ଭରତ ଓ ଶତ୍ରୁଘ୍ନ ରଥରେ ବସିଲେ। ସୁମନ୍ତ ରଥ ଚଳାଇଲେ। | ୧. ଭରତ ଶ୍ରୀରାମଙ୍କ ପାଦତଳେ ପଡ଼ି କହିଲେ, ଆପଣ ହେଉଛନ୍ତି ଅଯୋଧ୍ୟାର ରାଜା। ଆପଣ ରାଜସିଂହାସନରେ ବସନ୍ତୁ। ଆମେ ଚାରିଭାଇ ତୁମର ସେବା କରିବୁ। ଆପଣ ଫେରି ଚାଲନ୍ତୁ। | | ୨. ଭରତ ମୁନିଙ୍କୁ ପ୍ରଣାମ କରି ତାଙ୍କ ଆଗମନର କାରଣ ଜଣାଇଲେ। | ୨. ଶ୍ରୀରାମ ପିତୃସତ୍ୟ ପାଳନରୁ ବିଚ୍ୟୁତ ହେଲେ ନାହିଁ। ଭରତ ରାମଙ୍କ ପ୍ରଦତ୍ତ ପାଦୁକାକୁ ସିଂହାସନରେ ରଖି ଶ୍ରୀରାମଙ୍କ ପ୍ରତିନିଧି ଭାବେ ତପସ୍ୱୀ ବେଶରେ ରାଜ୍ୟ ଶାସନ କରିବାକୁ ସମ୍ମତ ହେଲେ। | | ୩. ଭରତ କହିଲେ— “ଅଯୋଧ୍ୟାକୁ ଫେରିଯାଇ ରାଜସିଂହାସନରେ ବସ। ଆମେ ତୁମର ସେବା କରି ଧନ୍ୟ ହେବୁ।” | ୩. ଭରତ ଓ ଶତ୍ରୁଘ୍ନ ରଥରେ ବସି ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କୁ ଖୋଜିବାକୁ ବାହାରି ଶୃଙ୍ଗବେରପୁରରେ ପହଞ୍ଚିଲେ। | | ୪. ପାଦୁକା ଦୁଇଟିକୁ ସିଂହାସନରେ ରଖି ରାମଙ୍କର ପ୍ରତିନିଧି ରୂପେ ରାଜ୍ୟ ଶାସନ କଲେ। | ୪. ଭରତ ଶ୍ରୀରାମଙ୍କୁ ଖୋଜିବା ପାଇଁ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ ଓ ନିଜର ମନର କଥା ଜଣାଇଲେ। ମୁନି ତାଙ୍କୁ ବାଟ ବତାଇ ଦେଲେ। |
ବାକ୍ୟଗୁଡ଼ିକର ଆଲୋଚନା କର
ନିମ୍ନରେ ପାଠ ମଧ୍ୟରୁ କିଛି ବାକ୍ୟ ଦିଆଯାଇଛି। ଏଗୁଡ଼ିକୁ ଧ୍ୟାନ ସହକାରେ ପଢ଼ ଓ ତୁମ ବିଚାରରେ ଏହାର ଅର୍ଥ ପ୍ରକାଶ କରି ସାଙ୍ଗମାନଙ୍କ ସହିତ ଆଲୋଚନା କର।
(କ) ‘ସିଂହାସନରେ ତୁମେ ବସିବା କଥା। ତାହା ପାଇଁ ତୁମେ ହିଁ ଉପଯୁକ୍ତ।’ (ଖ) ‘ଯେଉଁ ସତ୍ୟ ପାଳିବାକୁ ଯାଇ ଆମର ପିତା ଜୀବନ ହରାଇଲେ, ମୁଁ କିପରି ସେହି ସତ୍ୟ ଲଙ୍ଘନ କରିବି ?’ (ଗ) ‘ତାହାହେଲେ ତୁମେ ମୋର ପ୍ରତିନିଧି ରୂପେ ରାଜ୍ୟ ଶାସନ କର।’
ବୁଝିବିଚାରି ଲେଖ
ବର୍ତ୍ତମାନ ତୁମେ ଏହି ପାଠଟିକୁ ପୁଣିଥରେ ଭଲଭାବରେ ପଢ଼ ଓ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରି ଲେଖ।
(କ) ଭରତ ଶବରରାଜ ଗୃହକଙ୍କଠାରୁ କି ସମ୍ବାଦ ପାଇଲେ ? (ଖ) ଭରତ କାହିଁକି ତପସ୍ୱୀବେଶ ଧାରଣ କରିଥିଲେ ? (ଗ) ଶ୍ରୀରାମ କେଉଁ ସତ୍ୟ ଲଙ୍ଘନ କରିପାରିବେ ନାହିଁ ବୋଲି ଭରତଙ୍କୁ କହିଥିଲେ ? (ଘ) ଭରତ ଓ ଶତ୍ରୁଘ୍ନଙ୍କ ସହିତ ସୈନ୍ୟସାମନ୍ତମାନଙ୍କୁ ଦେଖି ଲକ୍ଷ୍ମଣଙ୍କ ମନରେ କି ଧାରଣା ସୃଷ୍ଟି ହେଲା ?
ଅନୁମାନ ଓ କଳ୍ପନା
(କ) ଗୃହକଙ୍କଠାରୁ କେଉଁ ସମ୍ବାଦ ଶୁଣି ଭରତଙ୍କ ଶୋକ ବୃଦ୍ଧି ପାଇଲା ? ତୁମେ ଭରତଙ୍କ ସ୍ଥାନରେ ରହିଥିଲେ କ’ଣ କରିଥାନ୍ତ, ଅନୁମାନ କରି ଲେଖ। (ଖ) ଭାଇ ଭାଇକୁ ଭେଟିଲେ ମନରେ କି ଭାବନା ସୃଷ୍ଟି ହେବ ? ଭରତ ଓ ଶତ୍ରୁଘ୍ନଙ୍କୁ ଦେଖି ଶ୍ରୀରାମଙ୍କ ମନରେ କ’ଣ ଭାବନା ସୃଷ୍ଟି ହେଲା ? (ଗ) ତୁମ ବିଚାର ଅନୁସାରେ ବଡ଼ଭାଇମାନଙ୍କୁ କେଉଁ ସମ୍ମାନ ପ୍ରଦାନ କରାଯାଏ ? ତାହା ଭରତ ପାଳନ କରିଛନ୍ତି ବୋଲି ତୁମେ ଯଦି ଭାବୁଛ, ତେବେ କାହିଁକି ? (ଘ) ତୁମେ ଯଦି ପିତାଙ୍କର ବଡ଼ ପୁଅ ହୋଇଥାନ୍ତ, ତେବେ ତୁମେ ତୁମ ସାନ ଭାଇମାନଙ୍କ ପ୍ରତି କିପରି ସ୍ନେହ ପ୍ରଦାନ କରିଥାନ୍ତ, ବର୍ଣ୍ଣନା କର। (ଙ) ଶ୍ରୀରାମଚନ୍ଦ୍ରଙ୍କ ପିତୃଭକ୍ତି ଓ ଭ୍ରାତୃସ୍ନେହ ପରି ଆଜିର ଯୁବପିଢ଼ି ଯଦି ପାଳନ କରନ୍ତି, ତେବେ କ’ଣ ହେବ ?
ପାଠଟିର ଶୀର୍ଷକ / ନାମକରଣ
ପାଠଟିର ଶୀର୍ଷକ ବା ନାମକରଣ ତୁମେ ଯଦି ପରିବର୍ତ୍ତନ କରିବାକୁ ଇଚ୍ଛା କରିବ, ତେବେ କେଉଁ ନାମ ଦେବ ଓ କାହିଁକି ଦେବ ?
ଭାଷା ବିଚାର
ନିମ୍ନରେ କେତେକ ଶବ୍ଦ ଦିଆଯାଇଛି। ସେଥିରେ ଅନେକ ବିଶେଷତା ଓ ଗୁଣ ରହିଛି। ତହିଁରୁ ବିଶେଷ୍ୟ ଓ ବିଶେଷଣ ପଦ ଚିହ୍ନାଅ।
| ଶବ୍ଦ | ବିଶେଷଣ | ବିଶେଷ୍ୟ | | :--- | :--- | :--- | | ଯେପରି: ମନ୍ଦବୁଦ୍ଧି | ମନ୍ଦ | ବୁଦ୍ଧି | | ଚଉଦବର୍ଷ | ଚଉଦ | ବର୍ଷ | | ଅଖଣ୍ଡବିଶ୍ୱାସ | ଅଖଣ୍ଡ | ବିଶ୍ୱାସ | | ଥଣ୍ଡାପାଣି | ଥଣ୍ଡା | ପାଣି | | କଷାଫଳ | କଷା | ଫଳ |
ବିପରୀତାର୍ଥବୋଧକ ଶବ୍ଦ ଓ ଏହାର ପ୍ରୟୋଗ
(କ) ନିମ୍ନସାରଣୀରେ କେତେକ ଶବ୍ଦ ଓ ତାହାର ବିପରୀତାର୍ଥବୋଧକ ଶବ୍ଦ ଦିଆଯାଇଛି। ସେଗୁଡ଼ିକୁ ରେଖା ଟାଣି ସଂଯୋଗ କର।
| ଶବ୍ଦ | ବିପରୀତାର୍ଥବୋଧକ ଶବ୍ଦ | | :--- | :--- | | ୧. ଦୁର୍ଗମ | ୧. ଠିକ୍ | | ୨. ଆଗମନ | ୨. ବିଚ୍ଛେଦ | | ୩. ସନ୍ତୁଷ୍ଟ | ୩. ସୁଖ | | ୪. ଆନନ୍ଦ | ୪. ଜନ୍ମ | | ୫. ଭୁଲ | ୫. ନିରର୍ଥକ | | ୬. ମିଳନ | ୬. ଅସ୍ୱୀକାର | | ୭. ଦୁଃଖ | ୭. ବିଷାଦ | | ୮. ମୃତ୍ୟୁ | ୮. ଅସନ୍ତୁଷ୍ଟ | | ୯. ସାର୍ଥକ | ୯. ପ୍ରତ୍ୟାଗମନ | | ୧୦. ସ୍ୱୀକାର | ୧୦. ସୁଗମ |
(ଖ) ଉପରିଲିଖିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କର।
ପାଠ୍ୟ ବହିର୍ଭୂତ
ତୁମକଥା
- (କ) ରାମାୟଣ ଗ୍ରନ୍ଥରୁ ତୁମେ ଶ୍ରୀରାମଚନ୍ଦ୍ରଙ୍କ ସତ୍ୟରକ୍ଷା ବିଷୟରେ କ'ଣ ଜାଣିଲ, ଲେଖ।
- (ଖ) ଶ୍ରୀରାମଙ୍କ ସତ୍ୟରକ୍ଷା ଓ ଭ୍ରାତୃପ୍ରେମକୁ ତୁମ ଜୀବନରେ କିପରି ପାଳନ କରିପାରିବ ଲେଖ।
ଆସ ଯୋଡ଼ିବା
ନିମ୍ନରେ ରାମାୟଣ କଥା ବିଷୟରେ କିଛି ତଥ୍ୟ ‘କ’ ସ୍ତମ୍ଭରେ ଦିଆଯାଇଛି ଓ ତାହାର ଉତ୍ତର ‘ଖ’ ସ୍ତମ୍ଭରେ ରହିଛି। ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭକୁ ଯୋଡ଼ିବା ପାଇଁ ତୁମେ ତୁମର ଶିକ୍ଷକ, ପିତାମାତା, ପୁସ୍ତକାଳୟ ଓ ଇଣ୍ଟରନେଟର ସହାୟତା ନେଇ ପାରିବ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ | | :--- | :--- | | ୧. ରାମାୟଣ ଗ୍ରନ୍ଥର ରଚୟିତା ? | ୧. ବଳରାମ ଦାସ | | ୨. ରାମାୟଣର ବିଭିନ୍ନ ଭାଗକୁ କ’ଣ କୁହାଯାଏ ? ଏହା କେତେ ଭାଗରେ ବିଭକ୍ତ ? | ୨. ବିଭୀଷଣ | | ୩. ଶ୍ରୀରାମଚନ୍ଦ୍ର କେଉଁଠାରେ ଅବସ୍ଥାନ କରୁଥିବା ସମୟରେ ଭରତ ସେଠାରେ ପହଞ୍ଚି ତାଙ୍କୁ ଫେରାଇ ଆଣିବାକୁ ଯାଇଥିଲେ। | ୩. ପର୍ବ, ୧୮ ପର୍ବ | | ୪. ମହାଭାରତର ବିଭିନ୍ନ ଭାଗକୁ କ’ଣ କୁହାଯାଏ ଏବଂ ଏହା କେତେ ଭାଗରେ ବିଭକ୍ତ ହୋଇଛି। | ୪. ମହର୍ଷି ବାଲ୍ମୀକି | | ୫. ଶ୍ରୀରାମଚନ୍ଦ୍ର ରାବଣକୁ ବଧ କରିବା ପରେ ଲଙ୍କାରେ କାହାକୁ ରାଜା କରାଇ ଥିଲେ ? | ୫. କାଣ୍ଡ, ୭ଟି କାଣ୍ଡ | | ୬. ଓଡ଼ିଆ ଭାଷାରେ ‘ଜଗମୋହନ ରାମାୟଣ’ କିଏ ରଚନା କରିଛନ୍ତି ? | ୬. ଚିତ୍ରକୂଟ |
ସୁସ୍ଥ ପରିବାର ଓ ସମାଜ
ପଠିତ ପାଠରେ ପିତାମାତାଙ୍କ ପ୍ରତି ସନ୍ତାନର ଭକ୍ତି ଏବଂ ଭାଇ ପ୍ରତି ଭାଇର ଅନାବିଳ ସ୍ନେହର ବାର୍ତ୍ତା ରହିଛି, ତାହା ଆଲୋଚନା କର। ନିମ୍ନରେ କେତୋଟି ବାର୍ତ୍ତା ଦିଆଯାଇଛି, ତୁମେ ନିଜେ କିଛି ଅଧିକ ସମାଜ ଉପଯୋଗୀ ମୂଳକ କଥା ଲେଖ।
- (କ) ରାମାୟଣରେ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଶ୍ରୀରାମଚନ୍ଦ୍ର ଅସ୍ତ୍ର ଉତ୍ତୋଳନ କରିଛନ୍ତି।
- (ଖ) ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହୋଇଛି।
- (ଗ) ଦୁଷ୍ಷ್ಟ ଶକ୍ତିର ବିନାଶ ଘଟିଛି।
- (ଘ) ଭାଇର ଭାଇପ୍ରତି ଅନାବିଳ ସ୍ନେହ ସଦିଚ୍ଛାର କଥା କୁହାଯାଇଛି।
- (ଙ) ପିତାମାତାଙ୍କ ପ୍ରତି ଭକ୍ତି ଓ ସମ୍ମାନ ରହିଛି।
- (ଚ) “ବୈକୁଣ୍ଠ ସମାନ ଆହା ଅଟେ ସେହି ଘର। ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।”
ସେହିପରି ତୁମେ ଆଦର୍ଶ ଘର ବିଷୟରେ କ’ଣ ଭାବୁଛ ଲେଖ: ୧. ______ ୨. ______ ୩. ______ ୪. ______
ନାରୀ ସମାଜକୁ ସମ୍ମାନ
ରାମାୟଣରେ ନାରୀ ସମାଜକୁ କିପରି ସମ୍ମାନ ଦିଆଯାଇଛି, ସେ ବିଷୟରେ ତୁମର ଗୁରୁ, ଗୁରୁଜନମାନଙ୍କ ସହିତ ଆଲୋଚନା କରି ଲେଖ।
ତୁମର ପ୍ରିୟ ଚରିତ୍ର
- (କ) ରାମାୟଣରେ ବର୍ଣ୍ଣିତ ଚରିତ୍ରମାନଙ୍କ ମଧ୍ୟରୁ କେଉଁ ଚରିତ୍ରଗୁଡ଼ିକ ତୁମକୁ ଅଧିକ ଭଲ ଲାଗେ ଓ କାହିଁକି ?
- (ଖ) ରାମାୟଣରେ ବର୍ଣ୍ଣିତ କେଉଁ ଚରିତ୍ରର ତ୍ୟାଗ, ଆଦର୍ଶ ଓ ସାଧନା ତୁମକୁ ଭଲ ଲାଗେ, ଲେଖ।
- (ଗ) ଶ୍ରୀରାମ ଓ ସୁଗ୍ରୀବଙ୍କ ବନ୍ଧୁତା ବିଷୟରେ ଲେଖ।
ଉପରିଲିଖିତ ଚରିତ୍ରମାନଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ତୁମେ ଶିକ୍ଷକ, ପିତାମାତା ଓ ପାଠାଗାରର ସହାୟତା ନିଅ।
ଚିତ୍ର ଦେଖି ନାମ ଲେଖ ଓ ସେମାନଙ୍କ ପ୍ରମୁଖ କାର୍ଯ୍ୟ ବିଷୟରେ ଲେଖ।
- ବୀର ହନୁମାନ - ଶ୍ରୀରାମଙ୍କ ଭକ୍ତ, ସୀତାମାତାଙ୍କ ସନ୍ଧାନ
ଖୋଜିବା, ଜାଣିବା
ରାମାୟଣ କଥା ଜାଣିବା ପାଇଁ ଚଳଚ୍ଚିତ୍ର ଦେଖିବା, ଇଣ୍ଟରନେଟ୍ ସହାୟତା ଓ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିବା।