ବିହଙ୍ଗ ବିପ୍ଳବ

ପୃଷ୍ଠା - ୧୫ (Page 15)

୯. ବିହଙ୍ଗ ବିପ୍ଳବ ମହାପାତ୍ର ନୀଳମଣି ସାହୁ

ଥର ଥର କରି ତିନିଥର ଆମ୍ବଗଛର ଡାଳରେ ବସା ବାନ୍ଧିଲାଣି ହଳଦିବସନ୍ତ । ମାତ୍ର ତିନିଥରଯାକ ବୁଢ଼ା ମାଙ୍କଡ଼ ସେହି ଡାଳରେ ଡେଇଁ ତା' ବସାକୁ ଭାଙ୍ଗି ଦେଇଛି । ଯେତେ କାକୁତିମିନତି କରି କହିଲେ ବି ବୁଢ଼ା ମାଙ୍କଡ଼ ତା' କଥା ଶୁଣିବାକୁ ନାହିଁ ।

ମା' ହଳଦିବସନ୍ତ ମୁଣ୍ଡରେ ଚିନ୍ତା ମାଡ଼ି ପଡୁଛି । ବସନ୍ତ ଋତୁ ବା ଆଉ କେତେଦିନ ରହିବ ! ସାହାଡ଼ା ଗଛମାନଙ୍କରେ ଫୁଲକଷି ଧରିଲାଣି । ଆଉ ଅଳ୍ପ ଦିନରେ ପାଚି ହଳଦି ଗୁରୁଗୁରୁ ଦିଶିବ । ବୁଦାମାନଙ୍କରେ ଶଗଡ଼ ବାଟୁଆ କୋଳି ପାଚି ଲାଲ୍ ଟହ ଟହ ଦିଶିବ । ସେତେବେଳକୁ ଯଦି ଛୁଆ ହୋଇଯାଇଥିବେ, ତେବେ ସିନା ସେମାନଙ୍କ କୁନିକୁନି ଥଣ୍ଟରେ ଏଇସବୁ ମିଠା ପାଚିଲା କୋଳି ଆଧାର ଦେବ; ଛୁଆସବୁ ଚଞ୍ଚଳ ଚଞ୍ଚଳ ବଢ଼ିଯିବେ ! କିନ୍ତୁ ଏ ପରଘରଭଙ୍ଗା ବୁଢ଼ା ମାଙ୍କଡ଼ ତ ମୂଳରୁ ବସା ରଖାଇ ଦେଉ ନାହିଁ ! ସେ ଅଣ୍ଡା ଦେବ କେବେ, ଆଉ ଛୁଆ ଫୁଟିବେ କେବେ ?

କୁବୁରୁ କୁବୁ - କୁବୁରୁ କୁବୁ !

ପୁରୁଷ ହଳଦିବସନ୍ତଟି କୁଆଡ଼ୁ ବୁଲିବୁଲି ଆସି ମା' ହଳଦିବସନ୍ତ ପାଖେ ବସିଲା । ତା'ର ହଳଦିଆ ସୁନା ଦେହଟି ଖରାରେ ମଳିନ ଦିଶୁଥାଏ ।


ପୃଷ୍ଠା - ୧୬ (Page 16)

କହିଲା, "ବୁଝିଲୁ ! ପାଖଆଖରେ ଆଉ କୋଉ ଗଛ ଖାଲି ନାହିଁ । ଅନ୍ୟ ଚଢ଼େଇମାନେ ସବୁ ଗଛରେ ବସାବାନ୍ଧି ଅଣ୍ଡା ଦେଇସାରିଲେଣି । କେତେକ ଅଣ୍ଡା ଉଷୁମାଉଛନ୍ତି । ଆଉ କେତେକଙ୍କର ଛୁଆ ଫୁଟିଲେଣି । ଆମେ ଏବେ କ'ଣ କରିବା ?"

ମା' ହଳଦିବସନ୍ତ ଦୁଃଖରେ କାନ୍ଦି ପକାଇଲା । କାନ୍ଦି କାନ୍ଦି କହିଲା, "ସେହି ନିଆଁଗିଳା ବୁଢ଼ା ମାଙ୍କଡ଼କୁ ଜବତ କରିବା ପାଇଁ କ'ଣ ଏଠି କେହି ନାହିଁ ?"

କା—କା—କା !

ସେମାନଙ୍କର ବନ୍ଧୁ ଡାମରାକୁଆ ହଠାତ୍ ଆସି ପହଞ୍ଚିଗଲା । ସବୁ ଶୁଣିସାରି ସେ କହିଲା, "ତୁମେମାନେ ବଡ଼ ଭୀରୁ । ବୁଢ଼ା ମାଙ୍କଡ଼ଟାକୁ ଜବତ କରିପାରୁ ନାହିଁ ! ଆମେ କାଉମାନେ କାହାରି ଅତ୍ୟାଚାର ସହିପାରୁ ନାହୁଁ । ଆମ ପ୍ରତି କିଏ ଖରାପ ବ୍ୟବହାର କଲେ ଆମେ ତାକୁ ଥଣ୍ଟରେ ଖୁମ୍ପି ଆଉ ନଖରେ ବିଦାରି ଅସ୍ତବ୍ୟସ୍ତ କରିଦେଉଁ । ସର୍ବସାଧାରଣ ରାସ୍ତା ଉପରେ ସମସ୍ତେ ମିଶି ବଡ଼ ପାଟିରେ ତାକୁ ଗାଳି ଦେଉଁ । ତା'ର ଲାଞ୍ଜତ ମହତ ସାରି ଦେଉଁ । ସେଥିପାଇଁ ତ ବୁଢ଼ା ମାଙ୍କଡ଼ ଆମ ବସାର ଛାଇ ମାଡ଼େ ନାହିଁ ।"

ପୁରୁଷ ହଳଦିବସନ୍ତ କହିଲା, "କ'ଣ ଆଉ କରିବୁ, କହ ! ତାକୁ ଯେତେ ନେହୁରା ହୋଇ କହିଲୁ, ସେ କ'ଣ ଶୁଣୁଛି ! ଆମେ ହେଲୁ ଗାୟକ ଜାତି । ବସନ୍ତ ଋତୁରେ ଗୀତ ବୋଲିବା ଆମ କାମ । ଆମେ ତ ଆଉ ତୁମଭଳି ଲଢ଼ୁଆ ଜାତି ନୋହୁଁ !"

ଏହି ସମୟରେ ଆକାଶରେ ଶୁଭିଲା—

ଚିରି—ଚିରି—ଚିରି !

କାଉ ତା'ର ଢୋଲାଆଖିଟାକୁ ବୁଲାଇ ଉପରକୁ ଆଖି ଟେକି କହିଲା, "ଓ ! ଗଙ୍ଗେଇ ମହାରାଜ ପରା ! ଆସିବା ହେଉ, ଆସିବା ହେଉ !"

ଗଙ୍ଗେଇ ଆସି କାଉ ପାଖେ ବସିଲା । କାଉ ପଚାରିଲା, "ଆଉ ସବୁ ଖବର କ'ଣ, ଗଙ୍ଗେଇ ମହାରାଜ ! ଆଜିକାଲି ତ ତୁମମାନଙ୍କର କତେବାର । ଗାଡ଼ିଆ ପୋଖରୀ ତ ଶୁଖି ଆସିଲାଣି । ମାଛ ଦି'ଟା ଭଲ ମିଳୁଥିବ ।"

ଚିରି—ଚିରି—ଚିରି !

ଗଙ୍ଗେଇ କହିଲା, "ନାହିଁ ହୋ ! ମଣିଷ ପେଟକୁ ତ ସବୁ ନିଅଣ୍ଟ ପଡ଼ିଲାଣି । ଗାଡ଼ିଆ ପୋଖରୀରେ ଆଜିକାଲି କୁଜିଗେଣ୍ଡାଟିଏ ବି ମିଳିବା କଷ୍ଟକର...।"

ତା' ପରେ ହଳଦିବସନ୍ତ ଉଦ୍ଦେଶ୍ୟରେ କହିଲା, "ହଳଦିବସନ୍ତ ଭାଇ, ଇଆଡ଼େ ଏତେ ରଙ୍ଗର ଫୁଲ—ଏତେ ପ୍ରକାର କୋଳି—ଆଉ ଏତେ ସୁନ୍ଦର ପବନ! ହାୟ ଦେଖ ଗୋଟାଏ ଗୀତ, ତୁମର ସେହି ମନତୋଷିଆ କୁଲୁରୁ କୁଲୁ ସ୍ୱରରେ । ଅନେକ ଦିନୁଁ ଭଲ ଗୀତଟିଏ ଶୁଣାଯାଇ ନାହିଁ ।"


ପୃଷ୍ଠା - ୧୭ (Page 17)

ହଳଦିବସନ୍ତ ତା'ର ଦୁର୍ଦ୍ଦଶା ବିଷୟରେ କିଛି କହିବା ପୂର୍ବରୁ ସେମାନଙ୍କ ପ୍ରତି ବୁଢ଼ା ମାଙ୍କଡ଼ କିପରି ଅତ୍ୟାଚାର କରୁଛି, ସେ କଥା ବର୍ଣ୍ଣନା କରି କାଉ କହିଲା, "ଗଙ୍ଗେଇ ମହାରାଜ, ଏଥିକୁ ଉପାୟ କ'ଣ କୁହ ! ହଳଦିବସନ୍ତ, ଶାରୀ, କୋଇଲିହେରିକା ହେଲେ ଆମ ଭିତରେ ଶିଳ୍ପୀ । ପକ୍ଷୀଜାତିର ସଭ୍ୟତା, ସଂସ୍କୃତି, ଏହିମାନଙ୍କ ଯୋଗୁଁ ବଞ୍ଚିଛି । ଏମାନଙ୍କୁ ସାହାଯ୍ୟ ନ କଲେ ଆମ ଜୀବନ ବୃଥା ।"

କେହି ଜାଣନ୍ତି ନାହିଁ, ବଗ କେତେବେଳୁଁ ଆସି ସେମାନଙ୍କଠାରୁ ଅଳ୍ପ ଦୂରରେ ଗୋଟାଏ ଥୁଣ୍ଟା ଗଛର ଡାଳରେ ବୁଜ ପଟକୁ ଡେଣା ମେଲାଇ ଗୁମ୍ ମାରି ବସିଛି । ବଗ ସବୁଦିନେ ଗମ୍ଭୀର । କାହା ସଙ୍ଗେ ବେଶୀ କଥାବାର୍ତ୍ତା କରେନା—ମିଳାମିଶା ମଧ୍ୟ କରେନା; ନିଜକୁ ବଡ଼ ଧାର୍ମିକ ବ୍ୟକ୍ତି ବୋଲି ସବୁବେଳେ ପରିଚୟ ଦେଇ ବୁଲେ । କିନ୍ତୁ ଶୁଆ କହେ— "ବଗ ମନ୍ଦବ୍ରତ ଏକ, ସ୍ୱାର୍ଥପର । ପାଣିକୁଆ ସିନା ବୁଡ଼ିବୁଡ଼ି ମାଛ ଖାଏ ! ବଗ ଧ୍ୟାନ କଲାଭଳି ବସିଥିବ, ହେଲେ ଅସଲରେ ଉକିଥିବ, ମାଛଟିଏ କେତେବେଳେ ମୁଣ୍ଡ ଟେକୁଛି । ଶାରୀ କହେ— "ବଗ ଟିକିଏ ଗୋରା ବୋଲି ତା' ମନରେ ବଡ଼ ଗର୍ବ । କଳା ଓ ଅନ୍ୟ ରଙ୍ଗର ଚଢ଼େଇମାନଙ୍କୁ ସେ ଘୃଣା କରେ । କାଉ କଳା ତେଣୁ ବଗ ତାକୁ ପାଖ ପୂରାଏ ନାହିଁ । ପକ୍ଷୀଜଗତରେ ଶ୍ରେଷ୍ଠ ସ୍ୱରଶିଳ୍ପୀ କୋଇଲିର ରଙ୍ଗ କଳା ବୋଲି ତାକୁ ମଧյ ବଗ ଖାତିର କରେ ନାହିଁ । ତା' ମନରେ କଳାଗୋରା ଭେଦଭାବ ଖୁବ୍ ବେଶୀ ।"


ପୃଷ୍ଠା - ୧୮ (Page 18)

କାଉ ଏଡ଼େ ପାଟିରେ କଥା କହୁଥିବା ଶୁଣି ବଗ ଆଉ ସହି ପାରିଲା ନାହିଁ । ସେ ଉଦ୍ଧତ କଣ୍ଠରେ ବିଦ୍ରୂପ କରି କହିଲା—

"କକ୍କକ୍—କକ୍କକ୍ ।"

"ହେ ମୂର୍ଖ କଳା କାଉ, ବେଶୀଗୁଡ଼ାଏ ରାଉରାଉ ହୁଅନାହିଁ । ଶିଳ୍ପୀମାନଙ୍କ ପାଇଁ ତୋର ହୃଦୟ କେବେଠାରୁ ଏତେ ବ୍ୟାକୁଳ ହେଲା ? ଏହି ହଳଦିବସନ୍ତ, କୋଇଲି ଆଦି ଶିଳ୍ପୀମାନଙ୍କ ପାଇଁ ମୋର ତିଳାର୍ଦ୍ଧେ ହେଲେ ଦୟା ନାହିଁ । ଏମାନେ ହେଲେ ବିଦେଶୀ । ବର୍ଷାସାରା ଏମାନେ କୋଉଠି ଥା'ନ୍ତି ? ଏମାନେ ଜନ୍ମଭୂମିର ଖରା ସହିବେ ନାହିଁ, ବର୍ଷା ସହିବେ ନାହିଁ, ଶୀତ ସହିବେ ନାହିଁ ! ଏଇ ବସନ୍ତ ଋତୁ ଆସିଲେ ଦଳ ଦଳ ହୋଇ ଆସି ନାନା ଢଙ୍ଗ ଦେଖାଇ ଆମ ଆହାର ଉପରେ ଭାଗ ବସାଇବେ । ଏମାନଙ୍କର ଭଲା ଜନ୍ମଭୂମି ପ୍ରତି ମମତା ଅଛି !"

ହଳଦିବସନ୍ତ ବଗର ଏହି ଅପବାଦରେ ଭାରି ଦୁଃଖିତ ହେଲା; ଟିକିଏ ରାଗିଗଲା ମଧ୍ୟ । ତଥାପି ତା'ର ସ୍ୱଭାବସୁଲଭ ମଧୁର ଗଳାରେ କହିଲା—

"କୁଲୁରୁ କୁଲୁ—କୁଲୁରୁ କୁଲୁ । ଦେଖ ଭାଇ ବଗ, ଆମେ ହେଲୁ ଶିଳ୍ପୀ । ସମଗ୍ର ବସୁଧା ଆମର ଜନ୍ମଭୂମି । ଆମେ କାହାକୁ ପର ବୋଲି ଭାବୁ ନାହୁଁ । ସମସ୍ତେ ଆମ ନିଜର ।"


ପୃଷ୍ଠା - ୧୯ (Page 19)

କିନ୍ତୁ କାଉକୁ ଏତେ କଥା କହି ଆସେନା । ସେ କର୍କଶରାବରେ ବଗକୁ ଭର୍ତ୍ସନା କରି କହିଲା, "ତୁମେ ଅତି ସ୍ୱାର୍ଥପର, ଅସାମାଜିକ ଓ ଅହଙ୍କାରୀ । ବିପଦବେଳେ ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବା ଦୂରେ ଥାଉ, ଯିଏ ଏଭଳି ଅସହିଷ୍ଣୁ ଭାବ ଦେଖାଏ ସେ ଅତି କ୍ଷୁଦ୍ରମନା !"

କାଉ କଥା ଶୁଣି ସବୁ ଚଢ଼େଇ ଏକାଥରକେ ବୋବାଇ ଉଠିଲେ—କା-କା-କା—ଚିରି-ଚିରି-ଚିରି—କୁଲୁରୁ କୁଲୁ କୁଲୁ । ସମ୍ମිଳିତଭାବେ ସେମାନେ ବଗର ସ୍ୱଭାବକୁ ନିନ୍ଦା କଲେ ।

ବଗ ଅପମାନରେ ସେଠୁ ଉଡ଼ି ଚାଲିଗଲା । ଏହି ସମୟରେ କୁଆଡ଼ୁ ଆସି ସେଠି ପହଞ୍ଚିଗଲା କଜଳପାତି । ତାକୁ ଦେଖି ସବୁ ଚଢ଼େଇ ପୁଣି ଥରେ ବୋବାଇ ଉଠି ସ୍ୱାଗତ ଜଣାଇଲେ । କଜଳପାତି ପକ୍ଷୀସମାଜରେ ମଧ୍ୟସ୍ଥତାର କାମ କରେ, ଭଲଲୋକି କରି କଳିତକରାଳ ମେଣ୍ଟାଇ ଦିଏ । ଭଲରେ ନ ମେଣ୍ଟିଲେ କଜଳପାତି ନିଜର ଶକ୍ତି ଖଟାଇବାକୁ ବି ଭୁଲେ ନାହିଁ । ତା'ର ତୀକ୍ଷ୍ଣ ମୁନିଆ ଥଣ୍ଟରେ ସେ ଛେଳି, ମେଣ୍ଢା, ଗୋରୁଗାଈଙ୍କ ପିଠିକି ମଧ୍ୟ ହାଣି ଖଣ୍ଡିଆ କରି ଦିଏ । ତେଣୁ ପକ୍ଷୀମାନେ ତାକୁ ଶ୍ରଦ୍ଧା କରନ୍ତି, ଟିକିଏ ଭୟ ମଧ୍ୟ କରନ୍ତି ।

"ଚ୍ୟାଙ୍ଗ, ଚ୍ୟାଙ୍ଗ! — ଚ୍ୟାଙ୍ଗ, ଚ୍ୟାଙ୍ଗ— କଥା କ'ଣ? କଥା କ'ଣ? ହଳଦିବସନ୍ତ ଦୁହିଁଙ୍କ ମୁହଁ ଏମିତି ଶୁଖିଯାଇଛି କାହିଁକି?"

କାଉ ହଳଦିବସନ୍ତର ସମସ୍ତ ଦୁରବସ୍ଥା ଜଣାଇଲା । ତା'ପରେ କହିଲା, "ଦେଖ ବନ୍ଧୁ, ମା' ହଳଦିବସନ୍ତ ନିକଟରେ ଅଣ୍ଡା ଦେବ । ମାତ୍ର ବୁଢ଼ା ମାଙ୍କଡ଼ ତିନିତିନି ଥର ସେମାନଙ୍କ ବସା ଭାଙ୍ଗିଦେଲାଣି । ତା'ର ଦାଉ ବଡ଼ ଅସହ୍ୟ ହେଲାଣି ।"


ପୃଷ୍ଠା - ୨୦ (Page 20)

ସମସ୍ତ ଶୁଣି କଜଳପାତି ମାଙ୍କଡ଼ ପାଖକୁ ଗଲା । ବରଗଛରେ ଗୋଟାଏ ଡାଲରେ ବସି ଆଉ ଗୋଟାଏ ଡାଲକୁ ଆଉଜି ବୁଢ଼ା ମାଙ୍କଡ଼ ଘୁମାଉଛି । କଜଳପାତି ତା' ମୁଣ୍ଡ ଉପରେ ଚକ୍କର କାଟି ଉଡ଼ି ବୋବାଇବାକୁ ଲାଗିଲା—

ଚ୍ୟାଙ୍ଗ, ଚ୍ୟାଙ୍ଗ! — ଚ୍ୟାଙ୍ଗ, ଚ୍ୟାଙ୍ଗ!

ବୁଢ଼ା ମାଙ୍କଡ଼ର ନିଦ ଭାଙ୍ଗିଗଲା । ସେ କେତେ ଥର ତା'ର ଦୁଇ ଗାଲକୁ କୁଣ୍ଡାଇ ସାରି ବିରକ୍ତିରେ ନାଲି ଆଖି ଦେଖାଇ ପଚାରିଲା, "ଖଁକା ଖେଁ ! ଖଁକା ଖେଁ ! — କିରେ ତୁ ? କ'ଣ କହୁଛୁ ?"

"ଚ୍ୟାଙ୍ଗ, ଚ୍ୟାଙ୍ଗ—ମୁଁ କଜଳପାତି । ବିଚରା ହଳଦିବସନ୍ତର ବସା ଭାଙ୍ଗିବା କ'ଣ ତୁମର ଉଚିତ ହେଉଛି ?"

"ହୁଁ ! ଖଁ କା ଖେଁ— ଉଚିତ ଅନୁଚିତ ମୁଁ ବୁଝେ ନାହିଁ । ଗଛ ଡାଳରେ ଡେଇଁ ବୁଲିବା ମୋର ଅଭ୍ୟାସ । ଆମେ ବଳଶାଳୀ । ଆମର ଯା' ଇଚ୍ଛା ଆମେ ତା' କରିବୁ । ଜୋର୍ ଯା'ର ମୁଲକ ତା'ର ।"

କଜଳପାତି ତା'ପରେ ବହୁପ୍ରକାର ବୁଝାଇଲା; ମାତ୍ର ଗର୍ବିଆ ମାଙ୍କଡ଼ ତା' କଥା ବୁଝିଲା ନାହିଁ । କଜଳପାତିର ସବୁ କଥା ତା'ର ଏ କାନରେ ପଶି ସେ କାନରେ ବାହାରିଗଲା । ଶେଷରେ ସେଥି ନିରସ୍ତ ହୋଇ କଜଳପାତି କହିଲା, “ତା'ହେଲେ ମୁଁ ରାଜାଙ୍କ ପାଖେ ତୁମ ନାମରେ ଫେରାଦ ହେବି ।”

"ତା'ହେଲେ ମୁଁ ରାଜାଙ୍କ ପାଖେ ତୁମ ନାମରେ ଫେରାଦ ହେବି ।"

ବୁଢ଼ା ମାଙ୍କଡ଼ ତାଚ୍ଛଲ୍ୟ କରି କହିଲା, "ଖଁ କା ଖେଁ ! କରନା ଫେରାଦ ! ମୁଁ ତୁମ ରାଜାଙ୍କୁ ଡରିଛି ନା ମକଦ୍ଦମାକୁ ପରୁଆ କରିଛି ?"

ରାଜାଙ୍କ ଦରବାର: ବାରାହୁଦରବାର ପ୍ରବଳ ପ୍ରତାପୀ ଶ୍ରୀ ଶ୍ରୀ କଣ୍ଠକଲିପ୍ତ ଭଲ୍ଲୁକ ମହାରାଜ ସିଂହାସନ ଉପରେ ଉପବେଶନ କରିଛନ୍ତି । ପାଖରେ ଆଉ ଗୋଟିଏ ଆସନରେ ବସିଛନ୍ତି ପ୍ରଧାନମନ୍ତ୍ରୀ ମହାଶୟ ଶ୍ରୀଯୁକ୍ତ ହାନବୁଦ୍ଧି ଶୃଗାଳ ପ୍ରବର । ସେନାପତି ଶ୍ରୀଯୁକ୍ତ ତୀକ୍ଷ୍ଣଦନ୍ତ ବୃକ ଚତୁର୍ଦ୍ଦିଗକୁ ଆରକ୍ତ ନୟନରେ ଦୃଷ୍ଟିନିକ୍ଷେପକରି ଦରବାରରେ ଖଡ୍ଗହସ୍ତରେ ଦଣ୍ଡାୟମାନ । ପାରିଷଦମାନଙ୍କ ମଧ୍ୟରେ ଅରଣ୍ୟ ପଶୁଜଗତର କୋକି, କଟାସ, ଶୂକରହେତୁ ଦୁଷ୍ଟରାଜେ ପ୍ରତିନିଧି ଦରବାରରେ ଉପସ୍ଥିତ । ସମସ୍ତଙ୍କର ସମର୍ଥନ ପାଇ ରାଜୁ ମଧ୍ୟ ନିରଙ୍କୁଶଭାବେ ଶାସନକାର୍ଯ୍ୟ ଚଳାଇଛି । ଆଜି ଦରବାରରେ ଖୁଲ୍ଲିଜି ମାଙ୍କଡ଼ ବିରୋଧରେ ମକଦ୍ଦମା । ତେଣୁ ସମସ୍ତେ ଉଦଗ୍ରୀବ ହୋଇ ରାଜାଙ୍କ ରାୟ ଶୁଣିବା ପାଇଁ ଅପେକ୍ଷା କରିଛନ୍ତି ।

ହଳଦିବସନ୍ତ ପକ୍ଷରେ ସାକ୍ଷୀ ଦେଉଛନ୍ତି ଗଙ୍ଗେଇ, କୋଇଲି, କଜଳପାତି ଓ କପୋତ । ବୁଢ଼ା ମାଙ୍କଡ଼ ପକ୍ଷରେ ସାକ୍ଷୀ ଦେବାକୁ ଆସିଛନ୍ତି ପାତିମାଙ୍କଡ଼ ଓ ଶାଳିଆପତନି । ହଳଦିବସନ୍ତ ପାଇଁ କାଉ ଓକିଲାତି କରି ପ୍ରମାଣ କରିଦେଲା ଯେ ମାଙ୍କଡ଼ ଦୋଷୀ । ରାଜା କାଉର ଯուକ୍ତିକୁ ହୃଦୟଙ୍ଗମ କରି ରାୟ ଦେଲେ, "ହେ ଦୁଷ୍ଟ ମାଙ୍କଡ଼, ବିନାଦୋଷରେ ବାରମ୍ବାର ହଳଦିବସନ୍ତର ବସା ଭାଙ୍ଗିଥିବାରୁ ତୁମେ ଦୋଷୀ । ତୁମକୁ କଠିନ ଦଣ୍ଡ ଦିଆଯିବ ।"


ପୃଷ୍ଠା - ୨୧ (Page 21)

ରାଜାଙ୍କ ରାୟ ଶୁଣି ଚଢ଼େଇମାନେ ଆନନ୍ଦରେ ବୋବାଇ ଉଠିଲେ । ମାତ୍ର ମାଙ୍କଡ଼ ଦୁଇ ଗୋଡ଼ରେ ଠିଆ ହୋଇ ଦୁଇ ହାତ ଯୋଡ଼ି କହିଲା, "ଧର୍ମାବତାର, ଆପଣଙ୍କର ଆଦେଶ ଶିରୋଧାର୍ଯ୍ୟ । ମାତ୍ର ଆପଣ କେବଳ ଆଗକୁ ନୁହଁ ପଛକୁ ଚାହିଁ ବିଚାର କରନ୍ତୁ । କାରଣ ଆପଣଙ୍କୁ ଚାହିଁ ବିଚାର ନ କଲେ ବିଚାର ଏକତରଫା ହୋଇଯିବାର ଆଶଙ୍କା ଅଛି ।"

ରାଜା ପଛକୁ ଚାହିଁ ଦେଖିଲେ, ସିଂହାସନ ପଛପଟେ ଗୋଟିଏ ବିଶାଳ ପାତିଲା ପଣସ ଥୁଆହୋଇଛି । ତାକୁ ଦେଖି ରାଜାଙ୍କ ମନ ଓଳିଗଲା । ସେ ସଙ୍ଗେ ସଙ୍ଗେ ବିଚାର ବଦଳାଇ ଦେଇ ରାୟ ଦେଲେ, "ହେ ଅହଙ୍କାରୀ ହଳଦିବସନ୍ତ, ପ୍ରକୃତରେ ତୁମେ ହିଁ ଦୋଷୀ । ତୁମେ ହିଁ ଦଣ୍ଡ ପାଇବ ।"

କାଉ ବିଚଳିତ ହୋଇ କହିଲା, "କା' କା' କା' ନା' ନା' ନା—ମହାରାଜ ! ହଳଦିବସନ୍ତର ଦୋଷ କ'ଣ ?"

ରାଜା କହିଲେ, "ଆରେ ନିର୍ବୋଧ କାଉ, ବାନର ବଳବାନ୍ ଜୀବ । ପୁନଶ୍ច ସେ ଶାଖାମୃଗ ଅଟେ । ତା'ର ପ୍ରକୃତି, ସେ ଗଛଡାଳରେ ଡେଇଁବ ହିଁ ଡେଇଁବ ।"

କାଉ କହିଲା, "ସେ ଗଛଡାଳରେ ଡେଇଁପାରେ । ମାତ୍ର ଡେଇଁ ଡେଇଁ କରି ସେ ହଳଦିବସନ୍ତର ବସା ଭାଙ୍ଗିବ କାହିଁକି ?"

ରାଜା କହିଲେ, "ମାଙ୍କଡ଼ ଯେଉଁ ଡାଳରେ ଡେଇଁବ, ହଳଦିବସନ୍ତ ଆଗ ସେ ଡାଳରେ ବସା କରିବ କାହିଁକି ? ହଳଦିବସନ୍ତ ହିଁ ଦୋଷୀ । ତାକୁ ଜେଲ୍ ଓ ଜୋରିମାନା ଦଣ୍ଡ ଉଭୟ ଦିଆଯିବ ।"

ମାଙ୍କଡ଼ ମହାମନରେ ରାଜାଙ୍କୁ ସଲାମ ଠୁଙ୍କି ଡେଇଁଡେଇଁ ଦରବାର ତ୍ୟାଗ କଲା । ଚଢ଼େଇମାନେ ନିରାଶ ହୋଇ ନିରୁପାୟଭାବେ ଦଳବାନ୍ଧି ନୀରବରେ ଫେରିଲେ । ରାଜାଙ୍କର ଏପରି ବିଚାର ବଦଳିଯିବାର କାରଣ ବୁଦ୍ଧିମାନ୍ କାଉ ମଧ୍ୟ ବୁଝି ପାରିଲା ନାହିଁ ।

ସେମାନେ ଅଳ୍ପ ଦୂର ଯାଇଛନ୍ତି କି ନାହିଁ, କଜଳପାତି ଦେଖିଲା, ଘରଚଟିଆ ତା'ର ଚିକିଟିଚିକି ଦେଶାଙ୍ଗୁଳତି ହଲାଲ ଚାରବେଗରେ ତାଙ୍କ ପଛେପଛେ ଛୁଟିଛି । କାରଣ କ'ଣ ଜାଣିବାକୁ ସେ ଅନ୍ୟ ଚଢ଼େଇମାନଙ୍କୁ ଅପେକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଲା । ଘରଚଟିଆ ଅଣନିଶ୍ୱାସୀ ହୋଇଯାଇଥାଏ । ସେ କହିଲା—

"ଚିଂ-ଚିଂ-ଚିଂ-ଚିଂ-ଚିଂ-ଚିଂ-ଭାଇମାନେ, ମୁଁ ରାଜାଙ୍କ ସିଂହାସନ ପଛ କାନ୍ଥକୁରାରେ ବସା କରିଥାଏଁ । ମୁଁ ଦେଖିଲି, ବୁଢ଼ା ମାଙ୍କଡ଼ ବହୁ ଆଗରୁ ମନ୍ତ୍ରୀଙ୍କୁ ହାତକରି ରାଜସିଂହାସନ ପଛପଟେ ଗୋଟାଏ ପଣସ ଲାଞ୍ଚସ୍ୱରୂପ ରଖିଦେଇ ଥିଲା । ଲାଞ୍ଚ ପାଇ ରାଜା ଏପରି ବିଚାର ବଦଳାଇ ଦେଲେ ।"

କାଉ ଏ କଥା ଶୁଣି ବଡ଼ ଉଦ୍‌ବିଗ୍ନ ହୋଇଗଲା । 'କା' କା' ରଡ଼ିରେ ସେ ଚଉଦିଗ କମ୍ପାଇ ଦେଲା । ତା' ରଡ଼ି ଶୁଣି ଶହଶହ କାଉ, କଜଳପାତି, ଚିଲ ଓ ଶାଗୁଣା ଆଦି ପକ୍ଷୀ କୁଆଡ଼ୁ ଉଡ଼ିଆସି ଜମା ହୋଇଗଲେ । ସେମାନେ ଏକାଠି ବସି ସ୍ଥିର କଲେ— ସମସ୍ତେ ମିଶି ଏଭଳି ଲାଞ୍ଚୁଆ ରାଜା ଓ ମନ୍ତ୍ରୀଙ୍କୁ ଆକ୍ରମଣ କରିବେ ଓ ସିଂହାସନରୁ ତଡ଼ିଦେବେ ।

ପକ୍ଷୀବାହିନୀ ଛୁଟି ଆସିଲେ ରାଜାଙ୍କ ଅଭିମୁଖରେ । ସବା ଆଗରେ ଥାଏ ଶଙ୍ଖଚିଲ । ସେ ଶଙ୍ଖ ଫୁଙ୍କୁଥାଏ—


ପୃଷ୍ଠା - ୨୨ (Page 22)

କେଁ ଏଁ ଏଁ—କେଁ ଏଁ ଏଁ ।

ତା' ପଛକୁ ଚାମରାକୁଆ ଓ ତା'ର ଶତଶତ କୁଟୁମ୍ବବାହିନୀ । ତା' ପଛକୁ ଶହଶହ କଜଳପାତି ଓ ତା' ପଛକୁ ଦଳକୁଦଳ ଅନ୍ୟାନ୍ୟ ପକ୍ଷୀ । ସମସ୍ତେ ଏକାବେଳେ ରାଜାଙ୍କ ନଅର ଭିତରେ ପଶିଗଲେ । ଦେଖିଲେ, ଭଲ୍ଲୁକ ମହାରାଜ ଶୃଗାଳ ମନ୍ତ୍ରୀଙ୍କ ସହିତ ଏକତ୍ର ବସି ସେହି ପାତିଲା ପଣସଟିକୁ ମହାଆନନ୍ଦରେ ଖାଇଚାଲିଛନ୍ତି । ଶୁଣ୍ଠୀମୁଣ୍ଡା ମାଞ୍ଜି ବାହାର କରି ଖୋସାତିମାନ ବଢ଼ାଇ ଦେଉଛି ଶୃଗାଳ ମନ୍ତ୍ରୀକୁ । ଆଉ ସ୍ୱୟଂ ବୁଢ଼ା ମାଙ୍କଡ଼ ଗୋଟି ଗୋଟି କରି ପଣସ-କୋଷା ବଢ଼ାଇ ଦେଉଛି ଭଲ୍ଲୁକ ମହାରାଜଙ୍କ ପାଟିକୁ ।

ପକ୍ଷୀମାନେ ଏ ଦୃଶ୍ୟ ଦେଖି ଆହୁରି ରାଗିଗଲେ ଏବଂ ମହାକୋଳାହଳ କରି ଲାଞ୍ଚଖୁଆ ରାଜା, ମନ୍ତ୍ରୀ ଓ କର୍ମଚାରୀମାନଙ୍କୁ ଖୁମ୍ପି ଲାଗିଲେ । କୁଆମାନଙ୍କର ଥଣ୍ଟର ଆଘାତରେ ବୁଢ଼ା ମାଙ୍କଡ଼ ଖଣ୍ଡିଆଖାବରା ହୋଇଗଲା । ଶୃଗାଳ ଯେତେ ଲୁଚିଲେ ମଧ୍ୟ ଚିଲମାନଙ୍କ ଆକ୍ରମଣରୁ ରକ୍ଷା ପାଇପାରିଲା ନାହିଁ । ଶେଷକୁ କଜଳପାତି ରାଗରେ ଭଲ୍ଲୁକ ମହାରାଜ । ତାଙ୍କର ଲୋମଶ ଦେହ ଅଳ୍ପ କାଳ ମଧ୍ୟରେ ଲୋମଶୂନ୍ୟ ହୋଇଗଲା ।

● ● ●


ପୃଷ୍ଠା - ୨୩ (Page 23)

[ସୂଚନା: ଏହି ପୃଷ୍ଠାଟି ମୂଳ PDF ସ୍କାନରେ ଅନୁପସ୍ଥିତ ଅଛି । ଏଥିରେ "ବିହଙ୍ଗ ବିପ୍ଳବ" ର ପ୍ରଶ୍ନୋତ୍ତର ବିଭାଗର ପ୍ରଥମ ଦୁଇଟି ପ୍ରଶ୍ନ ରହିଥିବା ଅନୁମାନ କରାଯାଏ, ଯାହା ପରବର୍ତ୍ତୀ ପୃଷ୍ଠା ୨୪ ରୁ ସ୍ପଷ୍ଟ ହେଉଛି ।]


ପୃଷ୍ଠା - ୨୪ (Page 24)

୩. ନିମ୍ନଲିଖିତ ଚଢ଼େଇମାନଙ୍କ ମଧ୍ୟରେ କେଉଁ ଚଢ଼େଇ ଗାୟକ ଜାତିର ?

  • (କ) କୁଆ * (ଖ) ମୟୂର * (ଗ) ହଳଦିବସନ୍ତ * (ଘ) ବଗ

୪. 'ପକ୍ଷୀ ଜାତିର ସଭ୍ୟତା, ସଂସ୍କୃତି ଶିଳ୍ପୀମାନଙ୍କ ଦ୍ୱାରା ବଞ୍ଚିଛି' ଏ କଥା କିଏ କହିଛି ?

  • (କ) ମୟୂର * (ଖ) ବଗ * (ଗ) ବୁଲ୍‌ବୁଲ୍ * (ଘ) କାଉ

୫. 'ସମଗ୍ର ବସୁଧା ଆମର ଜନ୍ମଭୂମି । ଆମେ କାହାକୁ ପରବୋଲି ଭାବୁ ନାହୁଁ ।' ପଠିତ ଗପରେ ଏକଥା କିଏ କହିଛି ?

  • (କ) ହଳଦିବସନ୍ତ * (ଖ) କୋଇଲି * (ଗ) ଗେଣ୍ଡାଳିଆ * (ଘ) କଜଳପାତି

୬. ଚଢ଼େଇମାନଙ୍କ ମଧ୍ୟରେ କେଉଁ ଚଢ଼େଇ ଭଲଲୋକି କରି କଳିତକରାଳ ମେଣ୍ଟାଇ ଦିଏ ?

  • (କ) ହଳଦିବସନ୍ତ * (ଖ) ମୟୂର * (ଗ) କଜଳପାତି * (ଘ) ଶଙ୍ଖଚିଲ

୭. ହଳଦିବସନ୍ତ ପାଇଁ ରାଜାଙ୍କ ଦରବାରରେ କିଏ ଓକିଲାତି କରିଥିଲା ?

  • (କ) କାଉ * (ଖ) କଜଳପାତି * (ଗ) କାନକୁଆ * (ଘ) ଘରଚଟିଆ

ପୃଷ୍ଠା - ୨୫ (Page 25)

୮. ପ୍ରଥମେ ରାଜାଙ୍କର କେଉଁ ରାୟ ଶୁଣି ଚଢ଼େଇମାନେ ଆନନ୍ଦରେ ବୋବାଇ ଉଠିଲେ ?

  • (କ) ହଳଦିବସନ୍ତକୁ ଆଉ ଥରେ ବସା ତିଆରି କରିବାକୁ ନିର୍ଦ୍ଦେଶ ଦେବ ।
  • (ଖ) ବୁଢ଼ାମାଙ୍କଡ଼କୁ ହଳଦିବସନ୍ତର ବସା ତିଆରି କରିବାକୁ ନିର୍ଦ୍ଦେଶ ଦେବ ।
  • (ଗ) ଦୋଷୀ ବୁଢ଼ାମାଙ୍କଡ଼କୁ କଠିନ ଦଣ୍ଡ ଦିଆଯିବ ।
  • (ଘ) ବୁଢ଼ାମାଙ୍କଡ଼କୁ ବଣରେ କେହି କଥା କହିବେ ନାହିଁ

୯. ରାଜା ନିଜର ରାୟ ବଦଳାଇ ଦେବାର କାରଣ କ'ଣ ?

  • (କ) ମନ୍ତ୍ରୀ ଶୃଗାଳର ପରାମର୍ଶ ଯୋଗୁଁ * (ଖ) ବୁଢ଼ା ମାଙ୍କଡ଼ କଇଁକଇଁ ହୋଇ କାନ୍ଦି ପକେଇବା ଯୋଗୁଁ * (ଗ) ଚଢ଼େଇ କୁଳକୁ ଦୁର୍ବଳ ବୋଲି ଭାବି ଦେବା ଯୋଗୁଁ * (ଘ) ଲାଞ୍ଚସ୍ୱରୂପ ଗୋଟିଏ ପାତିଲା ପଣସର ଲୋଭ ଯୋଗୁଁ

୧୦. କେଉଁଥିପାଇଁ ଚଢ଼େଇମାନେ ଆହୁରି ରାଗିଯାଇ ରାଜା, ମନ୍ତ୍ରୀ ଓ ରାଜକର୍ମଚାରୀମାନଙ୍କୁ ଖୁମ୍ପିବାକୁ ଲାଗିଲେ ?

  • (କ) ଲାଞ୍ଚଖାଇ ରାଜା ନ୍ୟାୟ ପ୍ରଦାନ କରିବା ହେତୁ * (ଖ) ପଶୁବାହିନୀ ରାଜାଙ୍କୁ ବଣର ଶାସକ ରୂପେ ମାନୁନଥିବାରୁ * (ଗ) ରାଜାଙ୍କ ସହିତ ଶୃଗାଳ ମହାମନ୍ତ୍ରୀ ପାତିଲା ପଣସକୁ ଖାଉଥିବାର ଦେଖି * (ଘ) ବୁଢ଼ା ମାଙ୍କଡ଼ ଭଲ୍ଲୁକ ମହାରାଜାଙ୍କୁ ପଣସ କୋଷା ଖୁଆଇବାର ଦେଖି

(ଖ) ତୁମର ସାଙ୍ଗମାନେ ଭିନ୍ନଭିନ୍ନ ଉତ୍ତର ବାଛିଥାଇ ପାରନ୍ତି । ତୁମ ଉତ୍ତରଗୁଡ଼ିକ ଦଳରେ ଆଲୋଚନା କରି ଠିକ୍ ଉତ୍ତର ନିର୍ଣ୍ଣୟ କର ।

ମିଳିମିଶି ଯୋଡ଼ିବା (କ) ପଠିତ ପାଠରୁ ନିମ୍ନରେ କେତେଗୋଟି ବାକ୍ୟ ଦିଆଯାଇଛି । ପ୍ରତ୍ୟେକ ବାକ୍ୟ ପାଇଁ ଦୁଇଟି ଲେଖାଏଁ ଅର୍ଥସୂଚକ ବାକ୍ୟ ଦିଆଯାଇଛି । ତୁମେ ତୁମ ଦଳର ସାଙ୍ଗମାନଙ୍କ ସହିତ ଆଲୋଚନା କରି ସବୁଠାରୁ ଉପଯୁକ୍ତ ଅର୍ଥ ପ୍ରକାଶ କରୁଥିବା ବାକ୍ୟ ସହିତ ରେଖାଚିତ୍ର ଦ୍ୱାରା ସଂଯୋଗ କର ।


ପୃଷ୍ଠା - ୨୬ (Page 26)

| କ୍ରମିକ ସଂଖ୍ୟା | ବାକ୍ୟ | ଅର୍ଥ | | :---: | :--- | :--- | | | ଯେତେ କାକୁତି ମିନତି କହିଲେ ବି ବୁଢ଼ା ମାଙ୍କଡ଼ ତା' କଥା ଶୁଣିବାକୁ ନାହିଁ । | (କ) ହଳଦିବସନ୍ତର ଧୀର ସ୍ୱର ଯୋଗୁଁ ବୁଢ଼ାମାଙ୍କଡ଼ କର୍ଣ୍ଣକୁ ସ୍ପଷ୍ଟ ରୂପେ ଶୁଣୁନଥିଲା ।
(ଖ) ହଳଦିବସନ୍ତ ତା' ବସା ନଭାଙ୍ଗିବାକୁ ଅନୁରୋଧ କଲେ ମଧ୍ୟ, ବୁଢ଼ାମାଙ୍କଡ଼ ତା'କଥା କେବେହେଲେ ମାନୁନଥିଲା । | | | ସେଥିପାଇଁ ତ ବୁଢ଼ାମାଙ୍କଡ଼ ଆମ ବସାର ଛାଇ ମାଡ଼େ ନାହିଁ । | କ. ଡାମରା କାଉର ଆକ୍ରମଣକୁ ଭୟ କରି ବୁଢ଼ା ମାଙ୍କଡ଼ କାଉର ବସା ପାଖକୁ ଯାଏ ନାହିଁ ।
ଖ. କାଉ ବସାର ଛାଇଦେଖି ବୁଢ଼ାମାଙ୍କଡ଼ ସେହି ଛାଇକୁ ନଡେଇଁ ଦୂରେଇ କରି ଯାଇଥାଏ । | | | ଆଜିକାଲି ତ ତୁମମାନଙ୍କର କତେବାର । | କ. ଗାଡ଼ିଆ ପୋଖରୀର ପାଣି ଶୁଖୁଥିବାରୁ ଗଙ୍ଗେଇ ସହଜରେ ମାଛ ଗୁଡ଼ିକୁ ପାଇ ଆନନ୍ଦିତ ହେବା ।
ଖ. ଗାଡ଼ିଆ ପୋଖରୀର ପାଣି ଶୁଖି ଆସୁଥିବାରୁ ଗଙ୍ଗେଇ ସହଜରେ ମାଛ ପାଇ ଯାଉଥିବାରୁ ଏହି କଥା କୁହାଯାଇଛି । | | | ଜୋର ଯା'ର ମୁଲକ ତା'ର | କ. ଶକ୍ତିଶାଳୀ ହିଁ ଆଧିପତ୍ୟ ବିସ୍ତାର କରିଥାଏ ଏବଂ ବଳପ୍ରୟୋଗ କରି କାର୍ଯ୍ୟ ହାସଲ କରିଥାଏ ।
ଖ. ବଳୁଆ ମଣିଷ ବଳପ୍ରୟୋଗ କରି ରାଜ ସିଂହାସନର ଅଧିକାରୀ ହୋଇଥାଏ । | | | କଜଳପାତିର ସବୁକଥା ତା' ଏକାନରେ ପଶି ସେ କାନରେ ବାହାରି ଗଲା । | କ. ମାଙ୍କଡ଼, ଚଢ଼େଇ ତୁଳନାରେ ବହୁତ ବଡ଼ ହୋଇଥିବାରୁ କଜଳପାତିର ସରୁକଥା ତା' କାନରେ ପଶି ଆର କାନରେ ବାହାରିଗଲା ।
ଖ. ଗର୍ବୀ ଓ ଅହଙ୍କାରୀ ବୁଢ଼ାମାଙ୍କଡ଼ କଜଳପାତିର କୌଣସି କଥା ପ୍ରତି ଧ୍ୟାନ ଦେଲା ନାହିଁ । | | | ଆଗ ପଛକୁ ଚାହିଁ ବିଚାର ନକଲେ ବିଚାର ଏକତରଫା ହୋଇଯିବାର ଆଶଙ୍କା ଅଛି । | କ. ବୁଝି ବିଚାରି ସ୍ଥିର ମନରେ ବିଚାର ନକଲେ ରାୟ ଭୁଲ ହୋଇଯିବାର ସମ୍ଭାବନାକୁ ଏଡ଼େଇ ହେବ ନାହିଁ ।
ଖ. ବିଚାର କଲାବେଳେ ବିଚାରକ ଟିକିଏ ଆଗକୁ ଓ ପଛକୁ ଚାହିଁଲେ ମାନସିକ ଅବସ୍ଥା ଠିକ୍ ରହିବ । |


ପୃଷ୍ଠା - ୨୭ (Page 27)

(ଖ) ନିଜ ଉତ୍ତର ସହିତ ସାଙ୍ଗମାନଙ୍କର ଉତ୍ତରଗୁଡ଼ିକୁ ମିଳାଇ ତୁମେ ଯେଉଁ ଉତ୍ତରସବୁ ବାଛିଲ ସେ ବିଷୟରେ ଆଲୋଚନା କର ।

ବାକ୍ୟଗୁଡ଼ିକ ଉପରେ ଆଲୋଚନା ପଠିତ ପାଠରୁ କେତେଗୋଟି ବାକ୍ୟ ନିମ୍ନରେ ଦିଆଯାଇଛି । ସେଗୁଡ଼ିକୁ ମନଦେଇ ପଢ଼ିବା ଏବଂ ତା' ବିଷୟରେ ଚିନ୍ତାକରି ଏହାର ଅର୍ଥ ସରଳ ଭାବେ ନିଜନିଜ ମଧ୍ୟରେ ଆଲୋଚନା କରି ଲେଖିବା ।

  • (କ) କିନ୍ତୁ ଏ ପରଘର ଭଙ୍ଗା ବୁଢ଼ାମାଙ୍କଡ଼ ତ ମୂଳରୁ ବସା ରଖାଇ ଦେଉନାହିଁ ।
  • (ଖ) ନାହିଁହୋ ! ମଣିଷ ପେଟକୁ ତ ସବୁ ନିଅଣ୍ଟ ପଡ଼ିଲାଣି । ଗାଡ଼ିଆ ପୋଖରୀରେ ଆଜିକାଲି କୁଜି ଗେଣ୍ଡାଟିଏ ବି ମିଳିବା କଷ୍ଟକର।
  • (ଗ) ଆମେ ହେଲୁ ଶିଳ୍ପୀ ! ସମଗ୍ର ବସୁଧା ଆମର ଜନ୍ମଭୂମି । ଆମେ କାହାକୁ ପର ଭାବୁନାହୁଁ । ସମସ୍ତେ ଆମର ନିଜର ।

ଭାବିଚିନ୍ତି ଉତ୍ତର ଦେବା ପଠିତ ବିଷୟଟିକୁ ଭଲ ଭାବରେ ପଢ଼ି ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ।

  • (କ) ହଳଦିବସନ୍ତ ଦୁଃଖରେ କାହିଁକି କାନ୍ଦି ପକେଇଲା ?
  • (ଖ) କୁଆମାନେ କିପରି ଅନ୍ୟାୟର ପ୍ରତିରୋଧ କରନ୍ତି ?
  • (ଗ) ଗଙ୍ଗେଇ କେଉଁ ପରିବେଶ ଦେଖି ହଳଦିବସନ୍ତକୁ ଗୀତଗାଇବାକୁ କହିଲା ?
  • **(ଘ) **ବିଦେଶୀ ଚଢ଼େଇମାନଙ୍କ ପ୍ରତି ବଗର କେଉଁ ଧାରଣା ଥିଲା ?
  • (ଙ) କଜଳପାତିକୁ ଚଢ଼େଇମାନେ ଭୟ ଓ ଶ୍ରଦ୍ଧା କରିବାର କାରଣ କ'ଣ ?
  • (ଚ) ସେହି ବଣରେ ଭଲ୍ଲୁକୁ କାହିଁକି ରାଜା କରାଯାଇଥିଲା ?
  • (ଛ) ପ୍ରଥମେ ରାଜାଙ୍କର କେଉଁ ରାୟ ଶୁଣି ପକ୍ଷୀମାନେ ଆନନ୍ଦରେ ବୋବାଇ ଉଠିଲେ ?
  • (ଜ) କେଉଁଥିପାଇଁ ରାଜା ଦେଇଥିବା ରାୟକୁ ପୁଣି ବଦଳାଇ ଦେଲେ ?
  • (ଝ) ଘରଚଟିଆ ରାଜଦରବାରର ସମସ୍ତ ଖବର କିପରି ଜାଣି ପାରିଥିଲା ?
  • (ଞ) ଏହି ଗପରେ କାହାର ଚରିତ୍ର ତୁମକୁ ବେଶୀ ଭଲ ଲାଗୁଛି ?
  • (ଟ) ଚଢ଼େଇମାନେ ରାଜାଙ୍କ ଅନ୍ୟାୟ କାର୍ଯ୍ୟ ଜାଣିପାରି କ'ଣ କରିବାକୁ ସ୍ଥିର କଲେ ?
  • (ଠ) ବିହଙ୍ଗ ବିପ୍ଳବ ଗପରୁ କେଉଁ ଶିକ୍ଷା ମିଳିଲା ?

ପୃଷ୍ଠା - ୨୮ (Page 28)

ଅନୁମାନ ଓ କଳ୍ପନା ସାଙ୍ଗମାନଙ୍କ ସହିତ ଆଲୋଚନା କରିବା

  • (୧) ହଳଦିବସନ୍ତ ତୁମ ଘର ଚାଳା ଉପରେ ବସା ବାନ୍ଧିଥିଲେ, ତୁମେ କ'ଣ କରିଥାଆନ୍ତ ?
  • (୨) ବୁଢ଼ାମାଙ୍କଡ଼ ଦୁଷ୍ଟ ଓ ଗର୍ବୀ ହୋଇନଥିଲେ କ'ଣ ଭଲ ହୋଇଥାଆନ୍ତା ?
  • (୩) ଗାଡ଼ିଆ ପୋଖରୀର କେଉଁ ପରିସ୍ଥିତିରେ ଗଙ୍ଗେଇର "କତେବାର" ହୋଇପାରି ଥାଆନ୍ତା ?
  • (୪) ବିଦେଶୀମାନେ ତୁମର ଅତିଥି ହେଲେ, ତୁମେ ତାଙ୍କ ପ୍ରତି କିପରି ବ୍ୟବହାର ପ୍ରଦର୍ଶନ କରିବ ?
  • (୫) ବଗର କି ସ୍ୱଭାବ ହୋଇଥିଲେ ତାକୁ ସବୁ ଚଢ଼େଇ ଆଦର କରିଥାଆନ୍ତେ ?
  • (୬) ଭାଲୁ ରାଜା ହୋଇନଥିଲେ, ସେ କିପ୍ରକାର ବିଚାର କରିଥାଆନ୍ତେ ?
  • (୭) ଶାସକ ଯଦି ନ୍ୟାୟୋଚିତ ବିଚାର ନକରେ, ତେବେ ରାଜ୍ୟରେ କେଉଁ ପରିସ୍ଥିତି ସୃଷ୍ଟି ହେବ ?
  • (୮) ଘରଚଟିଆ ଯଦି ରାଜାଙ୍କ ସିଂହାସନ ପଛରେ ପାତିଲା ପଣସ ଦେଖି ନଥାନ୍ତା, ତେବେ କ'ଣ ହୋଇଥାଆନ୍ତା ?
  • (୯) ବିହଙ୍ଗ ବିପ୍ଳବ ସଫଳ ହେବାପରେ, ବଣ ମୁଲକର ଶାସନ କ୍ଷେତ୍ରରେ କେଉଁ ପରିବର୍ତ୍ତନ ଆସିଥାନ୍ତା ?

ଅଭିନୟ ତଳେ ଦିଆଯାଇଥିବା ପରିସ୍ଥିତି ପାଇଁ ସାଙ୍ଗମାନଙ୍କ ସହିତ ଆଲୋଚନା କର । ଚରିତ୍ରମାନଙ୍କ କଥୋପକଥନକୁ କଳ୍ପନା କରିବା ସହିତ ଲେଖିବା ଓ ତାକୁ ନେଇ ଅଭିନୟ କରିବା ।

  • (୧) ହଳଦିବସନ୍ତ ପାଖରେ କାଉ ପହଞ୍ଚିବା ପରଠାରୁ ସେମାନେ ଯାହାସବୁ କଥାବାର୍ତ୍ତା ହୋଇଥିଲେ ତା'ର ନାଟ୍ୟରୂପ ପ୍ରସ୍ତୁତ କରି ସାଙ୍ଗମାନଙ୍କୁ ନେଇ ଅଭିନୟ କରିବା ।
  • (୨) ବଗ ହଳଦିବସନ୍ତ ପାଖରେ ପକ୍ଷୀମାନଙ୍କ ସହିତ ଯେଉଁ ସବୁ ପ୍ରକାର କଥୋପକଥନ ହୋଇଛି, ତାକୁ ଖାତାରେ ଲେଖିବା ଏବଂ ତା'ର ନାଟ୍ୟରୂପ ଦେବା ସହିତ ସାଙ୍ଗମାନଙ୍କୁ ନେଇ ଅଭିନୟ କରିବା ।
  • (୩) ଭାଲୁ ରାଜାଙ୍କର ବିଚାରରେ ମାଙ୍କଡ଼ ଦୋଷୀ ହେବା ଏବଂ ପରେ ହଳଦିବସନ୍ତକୁ ଦୋଷୀ ବୋଲି ରାୟ ଦେବା ଘଟଣାକୁ ନାଟ୍ୟରୂପ ଦେବା ସହିତ ସାଙ୍ଗମାନଙ୍କ ସହିତ ମିଶି ଅଭିନୟ କର ।

ପୃଷ୍ଠା - ୨୯ (Page 29)

ବଦଳିଯାଉଥିବା ଗପ * (୧) ବୁଢ଼ାମାଙ୍କଡ଼ କଜଳପାତିର ପ୍ରସ୍ତାବ ମାନି ନେଇଥିଲେ, ଗପଟି କେଉଁ ମୋଡ଼ ନେଇ ଲେଖାଯାଇପାରିଥା'ନ୍ତା ? ତାକୁ ଚିନ୍ତା କରି ନିଜେ ଲେଖିବା ।

ଶବ୍ଦର ଠିକ୍ ବନାନ * (୧) ନିମ୍ନଲିଖିତ ଶବ୍ଦମାନଙ୍କ ମଧ୍ୟରୁ ଠିକ୍ ଶବ୍ଦରେ ଗୋଲ ବୁଲାଇ ନିର୍ଦ୍ଦିଷ୍ଟ କରିବା ।

  • (କ) ଦୁରାବସ୍ଥା, ଦୂରବସ୍ଥା, ଦୁରବସ୍ଥା * (ଖ) ଶିରୋଧାର୍ଯ୍ୟ, ଶିରଧାର୍ଯ୍ୟ, ଶିରୋଭାର୍ଯ୍ୟ * (ଗ) ଭର୍ତ୍ସନା, ଭର୍ସନା, ଭସର୍ନା * (ଘ) ଅସ୍ତବ୍ୟସ୍ତ, ଅସ୍ତବସ୍ତ, ଅସ୍ତବ୍ୟସ୍ତ୍ୟ * (ଙ) ଦୁର୍ଦ୍ଦଶା, ଦୁର୍ଦଶା, ଦୁର୍ଦ୍ଦଶୀ

  • (୨) ବିଶେଷ୍ୟ ଓ ବିଶେଷଣର ମେଲ * ଉଦାହରଣ: ବୁଢ଼ା ମାଙ୍କଡ଼; କୁନିକୁନି ଥଣ୍ଟ * ଉପର ଲିଖିତ ଯୋଡ଼ାପଦମାନଙ୍କରେ ଦୁଇଟି ଲେଖାଏଁ ପଦ ଯୋଡ଼ି ହୋଇଛନ୍ତି । ସେଥିମଧ୍ୟରୁ ପ୍ରଥମ ରେଖା ଚିହ୍ନିତ ପଦ ଦ୍ଵିତୀୟ ପଦକୁ ବିଶେଷିତ କରୁଥିବାରୁ ସେହି ପଦକୁ ବିଶେଷଣ ଓ ପରପଦକୁ ବିଶେଷ୍ୟ ପଦ କୁହାଯାଏ । ଏହିପରି କେତେକ ଶବ୍ଦ ପଠିତ ଗପରୁ ଖୋଜି ସଂଗ୍ରହ କରିବା ଏବଂ ସାଙ୍ଗମାନଙ୍କ ସହିତ ଆଲୋଚନା କରିବା ଏବଂ ଲେଖିବା ।

କହିବାର ଢଙ୍ଗ / ଶୈଳୀ ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକରେ ଥିବା ରେଖା ଚିହ୍ନିତ ପଦଗୁଡ଼ିକୁ ଧ୍ୟାନର ସହିତ ପଢ଼ିବା । ଏହାର ଆକ୍ଷରିକ ଅର୍ଥ ବାକ୍ୟରେ ପ୍ରକାଶିତ ନହୋଇ ଅଲଗା ଅର୍ଥ ପ୍ରକାଶିତ ହେଉଛି । ତେଣୁ ଏହାକୁ ରୂଢ଼ି କୁହାଯାଏ ।

  • (୧) ବୁଢ଼ାମାଙ୍କଡ଼ ମନ୍ତ୍ରୀଙ୍କୁ ହାତକରି ସିଂହାସନ ପଛପଟେ ଗୋଟିଏ ପାତିଲା ପଣସ ଲାଞ୍ଚ ସ୍ଵରୂପ ରଖି ଦେଇଥିଲା ।
  • ହାତ କରିବା ଅର୍ଥ— ନିଜ ପକ୍ଷକୁ ଆଣିବା ।

ପୃଷ୍ଠା - ୩୦ (Page 30)

  • (୨) ସେଥିପାଇଁ ତ ବୁଢ଼ାମାଙ୍କଡ଼ ଆମ ବସାର ଛାଇ ମାଡ଼େ ନାହିଁ ।
  • ଛାଇମାଡ଼ିବା ନାହିଁ ଅର୍ଥ — ପାଖକୁ ଯାଏ ନାହିଁ ।

ପୁନଶ୍ଚ 'ହାତକରିବା' ରୂଢ଼ିପରି ଆଉ କେତୋଟି ରୂଢ଼ି ହେଲା— * ନାହିଁ କରିବା, ଚଳୁ କରିବା, ହାତ କରିବା, ତିଳକୁ ତାଳ କରିବା ଏହି ରୂଢ଼ିଗୁଡ଼ିକୁ ବାକ୍ୟରେ ବ୍ୟବହାର କରି ସାଙ୍ଗମାନଙ୍କୁ ଶୁଣାଇବା ଓ ଲେଖିବା ।

ବଣର ପଶୁପକ୍ଷୀ ଏହି ଗପରେ ବଣର କେତେକ ପଶୁପକ୍ଷୀ ମଣିଷ ଭଳି କଥାବାର୍ତ୍ତା କରିଛନ୍ତି । ତୁମେ ସେହି ପ୍ରାଣୀମାନଙ୍କର ଏକ ସୂଚୀ ତିଆରି କର । ସେମାନେ ମଣିଷମାନଙ୍କ ଭଳି କ'ଣ କ'ଣ କହିଛନ୍ତି, ତାହା ଲେଖ । * ଉଦାହରଣ— (କ) ମାଆ ହଳଦିବସନ୍ତ— "ସେହି ନିଆଁଗିଳା ବୁଢ଼ା ମାଙ୍କଡ଼କୁ ଜବତ କରିବା ପାଇଁ କ'ଣ ଏଠି କେହି ନାହିଁ ?"

ବାଦ ବିବାଦ > "ଭାଲୁ ମହାରାଜାଙ୍କର ଦ୍ଵିତୀୟ ରାୟ ଠିକ୍ ।"

ଶ୍ରେଣୀରେ ଥିବା ଅଧେ ପିଲା ଏହି ବାକ୍ୟଟିର ସପକ୍ଷରେ ତର୍କ କରିବେ, ଅବଶିଷ୍ଟ ପିଲା ବିପକ୍ଷରେ କହିବେ । ଶେଷରେ ଠିକ୍ କଥା ହିଁ ସ୍ଥିର କରାଯିବ । (କେବଳ ଶ୍ରେଣୀଗୃହରେ ଶିକ୍ଷକ / ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଆଲୋଚନା କର ।)

ଗପ ରଚନା > "ସେହି ନିଆଁଗିଳା ବୁଢ଼ାମାଙ୍କଡ଼କୁ ଜବତ କରିବା ପାଇଁ କ'ଣ ଏଠି କେହି ନାହିଁ ?"

  • ଅର୍ଥ : ଏଠାରେ ମାଆ ହଳଦିବସନ୍ତ କ୍ରୋଧରେ ଜର୍ଜରିତ ହୋଇ ତା' ଅସୁବିଧାର ପ୍ରତିକାର ପାଇଁ ଚିନ୍ତା ବ୍ୟକ୍ତ କରିଛି । ଏହାପରେ ମାଙ୍କଡ଼ର ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଉପାୟ ଖୋଜା ଯାଇଛି ।
  • ପଠିତ ଗପରେ ଏହିଭଳି ବିଶେଷତ୍ଵ ଥିବା ବାକ୍ୟଦୁଇଟି ଲେଖିବା ।

ପୃଷ୍ଠା - ୩୧ (Page 31)

ପାଠ୍ୟ ବହିର୍ଭୂତ * (କ) ଆମ ବାସସ୍ଥାନ ଚତୁର୍ଦ୍ଦିଗରେ ବାସ କରୁଥିବା ପକ୍ଷୀମାନେ କିପରି ନିଜନିଜ ମଧରେ ସମ୍ପର୍କ ସ୍ଥାପନ କରି ଚଳନ୍ତି, ସେ ସମ୍ବନ୍ଧରେ ଆଲୋଚନା କରିବା ।

  • (ଖ) ଯଦି ଶାସକ ଲୋଭର ବଶବର୍ତ୍ତୀ ହୋଇ ଏହିପରି ଏକତରଫା ବିଚାର କରନ୍ତି, ତେବେ ତା'ର କିପରି ପ୍ରତିକାର କରିବ, ସାଙ୍ଗମାନଙ୍କ ସହିତ ଆଲୋଚନା କର ।
  • (ଗ) ଆମ ସମାଜରେ ଘଟୁଥିବା ଅନ୍ୟାୟକୁ ବିରୋଧ କରିବା ପାଇଁ ତୁମ ଶକ୍ତି ଅନୁଯାୟୀ କ'ଣ କରିପାରିବ ସାଙ୍ଗମାନଙ୍କ ସହ ଆଲୋଚନା କର ।

ପକ୍ଷୀମାନଙ୍କ ବସା (କ) ଚଢ଼େଇମାନେ ନିଜ ବସାକୁ ବହୁତ ଭଲ ପାଆନ୍ତି । ମାଆ ଚଢ଼େଇ ସେଠାରେ ଅଣ୍ଡା ଦେଇ ଛୁଆକୁ ଅତି ଯତ୍ନରେ ପାଳିଥାଏ । ସେ ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ନିଜ ବସାର ମଧ୍ୟ ସଫାସୁତୁରା ରଖିବାରେ କେବେ ଅବହେଳା କରନ୍ତି ନାହିଁ । ଏମିତିକି ନିଜ ଶାବକର ମଳ ମଧ୍ୟ ସେମାନେ ସଫା କରନ୍ତି ।

ଭିନ୍ନଭିନ୍ନ ପକ୍ଷୀ ଭିନ୍ନ ଭିନ୍ନ ଢଙ୍ଗରେ ବସା ମଧ୍ୟ ତିଆରି କରନ୍ତି । ତୁମ ଆଖପାଖରେ ଥିବା ପକ୍ଷୀ ବସା ସବୁକୁ ଖୋଜି ଧ୍ୟାନ ସହ ଦେଖ କିନ୍ତୁ ସେମାନଙ୍କ ବସାକୁ ହାତ ବଢ଼ାଇବ ନାହିଁ । ସେମାନଙ୍କ ମନରେ ଦୁଃଖ ଦେବ ନାହିଁ କି ସେମାନଙ୍କୁ ଆଘାତ କରିବ ନାହିଁ । (ଅଭିଭାବକ କିମ୍ବା ଶିକ୍ଷକଙ୍କର ସହଯୋଗ ନେଇପାରିବ)

ଏଥିପାଇଁ ଗୋଟେ ସୂଚୀ ତିଆରି କରିବା:

| କ୍ରମିକ ସଂଖ୍ୟା | ଚଢ଼େଇର ନାମ | ବସା କେଉଁଥିରେ ତିଆରି ହୋଇଛି | ବସାରେ କ'ଣ ସବୁ ଆମେ ଦେଖୁଛେ | ବସାଟି କେଉଁ ସ୍ଥାନରେ ଅଛି (ସ୍ଥାନର ନାମ) | | :---: | :---: | :---: | :---: | :---: | | | | | | | | | | | | |


ପୃଷ୍ଠା - ୩୨ (Page 32)

(ଖ) ବିଭିନ୍ନ ପକ୍ଷୀମାନଙ୍କର ଚିତ୍ର ଏବଂ ସେମାନଙ୍କର ବସାର ଚିତ୍ର ନିଜ ଖାତାରେ କରିବା ସହିତ ସେହି ଚିତ୍ର ଗୁଡ଼ିକ କେଉଁ ଚଢ଼େଇବସା ତା' ତଳେ ଲେଖିବା ।

ଚଢ଼େଇମାନଙ୍କର ସ୍ୱର ଆମେ ସକାଳୁ ସଞ୍ଜ ଯାଏ ବିଭିନ୍ନ ପଶୁପକ୍ଷୀମାନଙ୍କର ରାବ ଶୁଣୁଛେ । ସେମାନଙ୍କ ରାବକୁ ରେକର୍ଡ଼ କରି ରଖିବା । ଅବସର ସମୟରେ ସେଇ ରାବଗୁଡ଼ିକୁ ଶୁଣିବା ଏବଂ ଅନ୍ୟମାନଙ୍କୁ ଶୁଣାଇବା । ନିଜେ ଏହି କାର୍ଯ୍ୟଟି କଲେ, ମନରେ ଆନନ୍ଦ ଆସିବା ସହିତ ଚଢ଼େଇମାନଙ୍କ ପ୍ରତି ଶ୍ରଦ୍ଧା ବଢ଼ିବ ଏବଂ ନିଜର ଆତ୍ମବିଶ୍ୱାସ ବଢ଼ିବ । ସାହସ ମଧ୍ୟ ବଢ଼ିବ । (ଏଥିପାଇଁ ଦରକାର ହେଲେ ଅଭିଭାବକମାନଙ୍କର ସହଯୋଗ ଯୋଡ଼ି ପାରିବ)

ଆଜିର ପହଳି / ପ୍ରହେଳିକା ନିମ୍ନରେ ଦିଆଯାଇଥିବା ଚିତ୍ର— ପହଳିରେ ବିଲେଇଟି କିପରି ମୂଷା ପାଖରେ ପହଞ୍ଚି ପାରିବ ପେନ୍‌ସିଲ ଗାର ପକାଇ ଦର୍ଶାଅ । ମନେ ରଖିବାକୁ ହେବ ଯେ, ପହଳିର ଗୋଟିଏ ବଡ଼ ଦିଗ ହେଉଛି, ପିଲା ମନରେ କୌତୁହଳ ସୃଷ୍ଟି କରିବା । ଏହା ଲୁକ୍କାୟିତ ଭାବ ହିଁ ପହଳିର କୌତୁହଳ ଉଦ୍ରେକକାରୀ ଉପାଦାନ । ଏଠାରେ ଚିତ୍ର ପହଳିଟି ଦିଆଯାଇଛି । ଯାହାକି ତୁମ ମନରେ ଅତ୍ୟନ୍ତ ଆଗ୍ରହ ଆଣିଦେବ ।


ପୃଷ୍ଠା - ୩୩ (Page 33)

ପଠନ ନିମନ୍ତେ — ୨

ପାଞ୍ଚ ବନ୍ଧୁ (ପଞ୍ଚତନ୍ତ୍ର କାହାଣୀ)

ଅନୁବାଦକ : ପ୍ରଭାକର ମିଶ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର

ଅନେକ ଦିନ ପୂର୍ବେ ମାଦ୍ରାସ ସହରରେ ମଇଳାପୁର ଯେଉଁଠି ଅଛି, ସେଠାରେ ଗୋଟିଏ ବିଶାଳ ଅରଣ୍ୟ ଥିଲା ଓ ସେଥିରେ ଗୋଟିଏ ବିରାଟ ବରଗଛ ଥିଲା । ଏହି ଗଛରେ ହଜାର ହଜାର ପକ୍ଷୀ ଓ ମାଙ୍କଡ଼ ଆଶ୍ରୟ ନେଇଥିଲେ । ପକ୍ଷୀ ଓ ମାଙ୍କଡ଼ମାନେ ଉତ୍ତମ ବନ୍ଧୁଭାବରେ ଗୋଟିଏ ବଡ଼ ପରିବାର ଭଳି ବାସ କରୁଥିଲେ ।

ଦିନେ ଲଘୁପତନକ ନାମକ କାଉ ବରଗଛର ସବୁଠାରୁ ଉଚ୍ଚ ଡାଳରେ ବସିଥିବା ସମୟରେ ଗୋଟିଏ ଶିକାରୀ ଗଛ ଆଡ଼କୁ ଆସୁଥିବାର ଦେଖିଲା । ସେ ଲୋକଟା କଳାହୋଇ—


ପୃଷ୍ଠା - ୩୪ (Page 34)

ବଡ଼ ମଣିଷଟାଏ ଏବଂ ତା'ର ମୁହଁଟା ଭୟଙ୍କର ଦିଶୁଥାଏ । ସେ କାନ୍ଧରେ ଗୋଟିଏ ଜାଲ ପକେଇଥାଏ । କାଉ ଜାଣିଥିଲା ଯେ ଶିକାରୀ ଗଛକୁ ଚଢ଼େଇକୁ ଧରିବାକୁ ଆସୁଛି । ତେଣୁ ସେ ତା'ର ବନ୍ଧୁମାନଙ୍କୁ ରକ୍ଷା କରିବାକୁ ଖୋଜିଲା । ଦେଖିଲା ଯେ ଶିକାରୀ ଗଛତଳେ ଜାଲ ବିଛେଇ ଦେଇ ବିଷାକ୍ତ ଖାଦ୍ୟ ବିଛେଇଦେଲା । କାଉ ଚଢ଼େଇମାନଙ୍କୁ ସତର୍କ କରିଦେଲା ଯେମିତି ସେମାନେ ଖାଇବା ଲୋଭରେ ନିରାପଦ ବରଗଛ ଛାଡ଼ି ନ ଯାଆନ୍ତି । ଶିକାରୀ ଗଛତଳେ ଅପେକ୍ଷା କରି ବସି ରହିଲା । ଚଢ଼େଇମାନେ ତଳକୁ ଓହ୍ଲାଇ ଖାଇବା ଖୋଜିବାକୁ ଗଲେନାହିଁ ଏବଂ ଶିକାରୀ ଗୋଟାଏ ସୁଦ୍ଧା ଚଢ଼େଇ ଧରିବାକୁ ସକ୍ଷମ ହେଲା ନାହିଁ ।

ଠିକ୍ ସେତିକିବେଳେ ଦଳେ କପୋତ ଉଡ଼ି ଆସିଲେ । କପୋତ ରାଜା ଚିତ୍ରଗ୍ରୀବ କପୋତମାନଙ୍କ ଆଗରେ ଥିଲା । ସେ ଭୂମିରେ ପଡ଼ିଥିବା ଖାଦ୍ୟ ଦେଖିଲା ଓ ଚଟପଟ୍‌ଶା ସବୁତକ କପୋତ ଖାଦ୍ୟ ଉପରକୁ ଝାମ୍ପ ଦେଇ ଜାଲରେ ଧରା ପଡ଼ିଲେ । କପୋତରାଜା ଅତି ଦୁଃଖିତ ହେଲା । କାରଣ ତା'ର ନିର୍ବୋଧତା ଯୋଗୁଁ ତା'ର ଅନୁଗାମୀମାନେ ମରିବାକୁ ଯାଉଛନ୍ତି । ତଥାପି ସେ ଆଶା ହରାଇଲା ନାହିଁ । ଶିକାରୀ କବଳରୁ ଖସିଯିବାର ଗୋଟିଏ ଉପାୟ ସେ ଭାବିଲା । ସେ କହିଲା, "ବନ୍ଧୁଗଣ, ଯାହା ଘଟିଗଲାଣି ସେଥିପାଇଁ ଲୁହ ଗଡ଼ାଇ କିଛି ଲାଭ ନାହିଁ । ଏହି ଜାଲରୁ ଖସିବା ପାଇଁ ମୁଁ ଗୋଟାଏ ଉପାୟ ଭାବିଛି । ଶିକାରୀ ଆସିବା ପୂର୍ବରୁ ସମସ୍ତେ ଏକ ସମୟରେ ଉଡ଼ିଯିବା । ଜାଲ ସହିତ ଲୋକଟାର ନଜରୁ ଦୂରେଇ ଯିବା ବର୍ତ୍ତମାନ ଏକମାତ୍ର ପନ୍ଥା ।" ଆଦେଶ ପାଇବାମାତ୍ରେ କପୋତମାନେ ଜାଲକୁ ନେଇ ଉଡ଼ିଗଲେ । କିଛି ଦୂର ଯାଏ ଶିକାରୀ ସେମାନଙ୍କ ପଛରେ ଗୋଡ଼ାଇଲା କିନ୍ତୁ ସେମାନେ ଗୋଟିଏ ପାହାଡ଼ ଉପରେ ଅଦୃଶ୍ୟ ହୋଇଗଲେ ଓ ଶିକାରୀ ଆଉ ସେମାନଙ୍କୁ ଦେଖି ପାରିଲା ନାହିଁ ।

ପାହାଡ଼ର ଆର ପଟରେ ଚିତ୍ରଗ୍ରୀବର ବନ୍ଧୁ ହିରଣ୍ୟକ ନାମକ ମୂଷା ବାସ—


ପୃଷ୍ଠା - ୩୫ (Page 35)

କରୁଥିଲା । ଚିତ୍ରଗ୍ରୀବ ତାକୁ କହିଲା, "ଶୀଘ୍ର ଆସ ଓ ଆମମାନଙ୍କୁ ରକ୍ଷା କର ।" ହିରଣ୍ୟକ ଚିତ୍ରଗ୍ରୀବକୁ ଦେଖି ଭାରି ଆନନ୍ଦିତ ହେଲା, କାରଣ ଅନେକ ଦିନ ହେଲା ସେ ତା'ର ବନ୍ଧୁକୁ ଦେଖି ନଥିଲା । ଯାହା ସବୁ ଘଟିଥିଲା ଚିତ୍ରଗ୍ରୀବ ସେ କଥା ହିରଣ୍ୟକ ଆଗରେ ବଖାଣି ସାରି କହିଲା, "ବନ୍ଧୁ, ଶୀଘ୍ର ଏ ଜାଲ କାଟି ଦେଇ ମୋର ଅନୁଗାମୀମାନଙ୍କୁ ମୁକ୍ତକର ଯାହା ଫଳରେ ସେମାନେ ତାଙ୍କର ବସାକୁ ଉଡ଼ିଯାଇ ପିଲାମାନଙ୍କୁ ଦେଖିବେ ।" ଚିତ୍ରଗ୍ରୀବର ବ୍ୟବହାରରେ ହିରଣ୍ୟକ ମୁଗ୍ଧ ହେଲା । ସେ କହିଲା "ବନ୍ଧୁ ତୁମେହିଁ ପ୍ରକୃତ ନେତା । ପ୍ରକୃତ ରାଜା ସେ' ଯେ ନିଜ କଥା ନଭାବି ସେମାନଙ୍କ ବିଷୟ ଚିନ୍ତା କରେ ଯେଉଁମାନେ ତା'ର ସେବା କରନ୍ତି । ମୁଁ ତୁମ ସମସ୍ତଙ୍କୁ ମୁକ୍ତ କରି ଦେବି ।" ହିରଣ୍ୟକ ମୂଷା ତା'ର ମୁନିଆ ଦାନ୍ତରେ ଜାଲକୁ କାଟି ପକାଇ ସବୁ କପୋତମାନଙ୍କୁ ମୁକ୍ତ କରିଦେଲା । ଚିତ୍ରଗ୍ରୀବ ଓ ତା'ର ଅନୁଗାମୀମାନେ ସେମାନଙ୍କର ବସାକୁ ଉଡ଼ିଗଲେ ।

ହିରଣ୍ୟକର ବିଜ୍ଞତା ଦେଖି ଲଘୁପତନକ ତା' ସହିତ ବନ୍ଧୁତା ସ୍ଥାପନ କରିବାକୁ ଇଚ୍ଛା କଲା । ତେଣୁ ସେ ହିରଣ୍ୟକର ଗାତପାଖକୁ ଯାଇ ମଧୁର ଗଳାରେ କହିଲା, "ହିରଣ୍ୟକ, ତୁମେ ଗାତରୁ ବାହାରି ଆସ । ମୁଁ ଲଘୁପତନକ ନାମକ କାଉ ତୁମ ସହିତ ଦେଖା କରିବାକୁ ଆସିଛି ।"

ହିରଣ୍ୟକ ସଙ୍ଗେ ସଙ୍ଗେ ଉତ୍ତର ଦେଲା, "ମୁଁ ତୁମକୁ ଜାଣେ ନାହିଁ । ମୁଁ ଗାତରୁ ବାହାରିଲା ପରେ ତୁମେ ମୋତେ ମାରି ପକାଇବ ।"

ଲଘୁପତନକ କହିଲା, "ବନ୍ଧୁ, ତୁମେ ଚିତ୍ରଗ୍ରୀବ ପାଇଁ ଯାହା କରିଛ, ମୁଁ ଦେଖିଲି । ତୁମ ସହିତ ମୁଁ ବନ୍ଧୁତା ସ୍ଥାପନ କରିବାକୁ ଚାହେଁ, କାରଣ ମୁଁ ଜାଣେ, ମୁଁ ଯଦି କେବେ ଜାଲରେ ପଡ଼େ, ତୁମେ—


ପୃଷ୍ଠା - ୩୬ (Page 36)

ମୋତେ ସାହାଯ୍ୟ କରିବ ।" ମୂଷା ତଥାପି ତା'ର ଗାତରୁ ବାହାରିଲା ନାହିଁ । ତେଣୁ କାଉ କହିଲା, "ମୁଁ ମୋର କଥା ରକ୍ଷା କରିବି । ମୁଁ ପ୍ରତିଜ୍ଞା କରୁଛି ତୁମର କୌଣସି ହାନି କରିବି ନାହିଁ ।"

ଶେଷରେ ହିରଣ୍ୟକ ରାଜି ହେଲା ଓ କହିଲା, "ଠିକ୍ ଅଛି । ଆମେ ବନ୍ଧୁ ହୋଇ ରହିବା । କିନ୍ତୁ ତուମେ ପ୍ରତିଜ୍ଞା କର କେବେହେଲେ ମୋର ଗାତ ଭିତରକୁ ଆସିବ ନାହିଁ ।"

କାଉ ପ୍ରତିଜ୍ଞା କଲା ଓ ସେହି ଦିନଠାରୁ ଦୁଇଜଣଯାକ ନିବିଡ଼ ବନ୍ଧୁ ହୋଇ ଚଳିଲେ ।

ଦିନେ କାଉ ମୂଷା ପାଖକୁ ଯାଇ କାନ୍ଦକାନ୍ଦ ହୋଇ କହିଲା, "ବନ୍ଧୁ, ଆମକୁ ଅଲଗା ହେବାକୁ ହେବ । ଏହି ସ୍ଥାନରେ ଦୁର୍ଭିକ୍ଷ ପଡ଼ିଛି ଓ ଲୋକେ ମୋତେ ଦେଖିଲେ ମାରି ଖାଇଯିବେ । ମୁଁ ଭାବିଛି ଏମିତି ଗୋଟାଏ ଜାଗାକୁ ଉଡ଼ିଯିବି ଯେଉଁଠି ପ୍ରଚୁର ପାଣି ଓ ଖାଦ୍ୟପଦାର୍ଥ ଥିବ । ମୋର ମନ୍ଥରକ ନାମକ ଗୋଟିଏ କଇଁଛ ବନ୍ଧୁ ଅଛି । ମୁଁ ତା' ପାଖକୁ ଯିବି । ସେ ମୋତେ ଖାଇବାକୁ ଦେବ ଓ ମୋର ଯତ୍ନ ନେବ ।"

ହିରଣ୍ୟକ କହିଲା, "ମୁଁ ମଧ୍ୟ ତୁମ ସହିତ ଯିବି ।" କାଉ ପଚାରିଲା, "କିନ୍ତୁ ତୁମେ ଯିବ କେମିତି ?" ହିରଣ୍ୟକ କହିଲା, "ମୁଁ ତୁମ ପିଠିରେ ବସିବି । ତୁମେ ଉଡ଼ିଯିବ ଓ ଆମେ ଦୁଇଜଣ ଯାକ ମନ୍ଥରକ ଘରକୁ ଚାଲିଯାଇ ପାରିବା ।"

ମୂଷା କାଉ ପିଠିରେ ବସିଲା ଓ କାଉ ଧୀରେ ଧୀରେ ମନ୍ଥରକ ରହୁଥିବା ହ୍ରଦକୁ ଉଡ଼ିଗଲା । ମନ୍ଥରକ ତା'ର ବନ୍ଧୁକୁ ଦେଖି ଅତି ଆନନ୍ଦିତ ହେଲା । ଅନେକ ବର୍ଷ ଧରି ସେମାନେ ପରସ୍ପରକୁ ଦେଖି ନଥିଲେ । ତା'ପରେ ମନ୍ଥରକ ମୂଷାକୁ ଦେଖି ପଚାରିଲା, "ତୁମେ କାହାକୁ ସାଙ୍ଗରେ ନେଇ ଆସିଛ ?"

କାଉ ଉତ୍ତର ଦେଲା, "ଏ ମୋର ଘନିଷ୍ଠ ବନ୍ଧୁ ହିରଣ୍ୟକ । ଏହାକୁ ମୁଁ ଅତି—


ପୃଷ୍ଠା - ୩୭ (Page 37)

ଭଲପାଏ ।" ତା'ପରେ ମୂଷାର ତା'ର ବନ୍ଧୁମାନଙ୍କ ଉପରେ କିଭଳି ନିଷ୍ଠା ରହିଛି ସେ ବିଷୟ କାଉ କହିଲା । ମନ୍ଥରକ ମୂଷାକୁ ସ୍ଵାଗତ କଲା ଓ ତିନିଜଣଯାକ ହ୍ରଦ କୂଳରେ ଆନନ୍ଦରେ ବାସ କରିବାକୁ ଆରମ୍ଭ କଲେ ।

ଦିନେ ଚିତ୍ରାଙ୍ଗ ନାମକ ହରିଣଟିଏ ଖୁବ୍ ବେଗରେ ହ୍ରଦ ନିକଟକୁ ଦୌଡ଼ିକରି ଆସି ପହଞ୍ଚିଲା । ତିନି ବନ୍ଧୁଯାକ ଡରିଯାଇ ଲୁଚିଗଲେ । କିଛି ସମୟ ପରେ ସେମାନେ ଦେଖିଲେ ଯେ ଚିତ୍ରାଙ୍ଗ ତାଙ୍କର କିଛି ଅନିଷ୍ଠ କରିବାକୁ ଆସିନାହିଁ । ଜଣେ ଶିକାରୀ ତା' ପଛରେ ଗୋଡ଼ାଉ ଥିବାରୁ ସେ କେବଳ ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରୁଥିଲା । ସେମାନେ ତାଙ୍କର ଲୁଚିବା ସ୍ଥାନରୁ ବାହାରି ଆସିଲେ ଓ ଚିତ୍ରାଙ୍ଗ ସେମାନଙ୍କୁ କହିଲା ଯେ ଜଣେ ଶିକାରୀ ତାକୁ ଗୋଡ଼ାଉଥିଲା । କିନ୍ତୁ ସେ କୌଣସି ପ୍ରକାରେ ଖସିଯାଇ ପାରିଛି । ତା'ପରେ ହରିଣ ଅନୁରୋଧ ଜଣାଇଲା, "ଆପଣମାନଙ୍କ ସହିତ ଏକତ୍ର ମିଳିମିଶି ସମାନ ରୀତିରେ ଜୀବନ ଯାପନ ନିମନ୍ତେ ଅନୁମତି ଦିଅନ୍ତୁ ।" ତିନିବନ୍ଧୁ ତାକୁ ସ୍ଵାଗତ କଲେ ଓ ଚାରିଜଣଯାକ ହ୍ରଦ କୂଳରେ ବାସ କରିବାକୁ ଲାଗିଲେ ।

ଦିନେ ଚିତ୍ରାଙ୍ଗ କୁଆଡ଼େ ଗଲା ଯେ ଆଉ ଆସିଲା ନାହିଁ । ତିନି ବନ୍ଧୁଯାକ ଭାବିଲେ ଯେ ତାଙ୍କର ବନ୍ଧୁକୁ ବିପତ୍ତି ପଡ଼ିଛି । ସିଂହ ହୁଏତ ତାକୁ ଖାଇ ଯାଇଛି କିମ୍ବା କୌଣସି ଶିକାରୀ ଧରି ପକାଇଛି । କଇଁଛ କାଉକୁ କହିଲା, "ହିରଣ୍ୟକ ଓ ମୁଁ ଚିତ୍ରାଙ୍ଗକୁ ଖୋଜିବାକୁ ଯାଇ ପାରିବୁ ନାହିଁ କାରଣ ଆମେ ଆସ୍ତେଆସ୍ତେ ଚାଲିବୁ । ତୁମେ ଯାଇ ତାକୁ ଖୋଜିବାକୁ ଚେଷ୍ଟାକର ଓ ଆମକୁ କୁହ ସେ ଜୀବିତ ଅବସ୍ଥାରେ ଅଛି କି ନାହିଁ ।"

ଲଘୁପତନକ ପାହାଡ଼ ଉପରୁ ଦେଖିଲା, ଚିତ୍ରାଙ୍ଗ ଗୋଟିଏ ଫାଶରେ ପଡ଼ିଛି । ହରିଣ ତା'ର ବନ୍ଧୁକୁ ଦେଖି କାନ୍ଦିପକାଇଲା । କହିଲା, "ମୋ କାଳ ପୂରିଲା, ହିରଣ୍ୟକ ଓ ମନ୍ଥରକକୁ କହିବ ମୁଁ ମରିବା ପୂର୍ବରୁ ସେମାନଙ୍କୁ ମନେ ପକାଉଥିଲି ।"


ପୃଷ୍ଠା - ୩୮ (Page 38)

କାଉ ଉତ୍ତର ଦେଲା, "ଚିତ୍ରାଙ୍ଗ, ତୁମର ଚିନ୍ତା କରିବା ଦରକାର ନାହିଁ । ତୁମେ ମରିବ ନାହିଁ । ମୁଁ ସଙ୍ଗେ ସଙ୍ଗେ ହିରଣ୍ୟକକୁ ନେଇ ଆସିବି ଓ ସେ ତୁମର ଜାଲ କାଟିପକାଇବ । ତୁମେ ପୁଣି ମୁକ୍ତ ହୋଇଯିବ ।"

କାଉ ହ୍ରଦକୁ ଉଡ଼ିଯାଇ ହିରଣ୍ୟକକୁ ପିଠିରେ ବସାଇ ହରିଣ ଯେଉଁଠାରେ ଫାଶରେ ପଡ଼ିଥିଲା, ସେଠାକୁ ନେଇ ଆସିଲା । ହିରଣ୍ୟକ ଜାଲ କାଟି ଚିତ୍ରାଙ୍ଗକୁ ମୁକ୍ତ କରିଦେଲା । ଠିକ୍ ସେତିକିବେଳେ ସେମାନେ ଦେଖିଲେ, ମନ୍ଥରକ ଧୀରେ ଧୀରେ ଖସି ଆସୁଛି । କାଉ କହିଲା, "ମନ୍ଥରକ ଏତେ ବାଟ ଚାଲିଆସିଲା, ଆମେ ବର୍ତ୍ତମାନ କଣ କରିବା ? ଶିକାରୀ ଯେ କୌଣସି ମୁହୂର୍ତ୍ତରେ ଆସିଯିବ । ମୁଁ ଆକାଶକୁ ଉଡ଼ିଯିବି, ଚିତ୍ରାଙ୍ଗ ଦୌଡ଼ି ପଳାଇବ ଓ ହିରଣ୍ୟକ ପାଖରେ ଗାତ ଭିତରେ ଲୁଚିଯିବ, କିନ୍ତୁ ମନ୍ଥରକର କ'ଣ ହେବ ?"

କଥା କହିବାକୁ ହେବ, ଏହି ବିଷୟରେ ସେମାନେ କଥାବାର୍ତ୍ତା ହେଉଛନ୍ତି, ସେତିକିବେଳେ କାଉ ଦେଖିଲା ଶିକାରୀ ଆସୁଛି । ହରିଣ ଡିଆଁ ମାରି ଜଙ୍ଗଲକୁ ପଳାଇଲା । ମୂଷା ଗାତ ଭିତରକୁ ଦୌଡ଼ିଗଲା ଓ କାଉ ଗୋଟାଏ ଉଚ୍ଚ ଡାଳ ଉପରକୁ ଉଡ଼ିଗଲା । ଶିକାରୀ କଇଁଛକୁ ଦେଖି କହିଲା, "ଯା ହେଉ, ମୁଁ ଏହାକୁ ତ ପାଇଲି । ସେ ହରିଣଟା ଖସିଗଲେ ମୋର କ'ଣ ହୋଇଗଲା ?" ସେ ମନ୍ଥରକକୁ ଗୋଟିଏ ଘାସ ଦଉଡ଼ିରେ ବାନ୍ଧି ନେଇଗଲା । ବାଟରେ ସେ ଗାଧୋଇବା ପାଇଁ ଗୋଟିଏ ପୋଖରୀ ନିକଟରେ ଅଟକିଲା ଓ କଇଁଛକୁ କୂଳରେ ବାନ୍ଧି ରଖିଗଲା ।

ତିନି ବନ୍ଧୁ ଯାକ ଶିକାରୀ ପଛେପଛେ ଯାଇଥିଲେ, ସେମାନେ ଏକାଠି ମିଶି ମନ୍ଥରକକୁ ଉଦ୍ଧାର କରିବାପାଇଁ ଉପାୟ ଚିନ୍ତା କଲେ । କାଉ କହିଲା, "ମୋତେ ଗୋଟିଏ ଉପାୟ ଦିଶୁଛି, ଚିତ୍ରାଙ୍ଗ ଯାଇ ପାଣି ପାଖରେ ଗୋଟିଏ ଜାଗାରେ ଶୋଇରହୁ । ମୁଁ ତା'ର ମୁଣ୍ଡ ଉପରେ ବସି ତାକୁ ଖୁମ୍ପିବାର ଛଳନା କରିବି । ଶିକାରୀ ଭାବିବ ହରିଣଟା ମରି ପଡ଼ିଛି । ସେ ତା'ର ଧନୁଶର କଇଁଛ ନିକଟରେ ଛାଡ଼ିଦେଇ ହରିଣକୁ ନେବାକୁ ଆସିବ । ଇତି ମଧ୍ୟରେ ହିରଣ୍ୟକ ତା'ର ଦାନ୍ତରେ ଘାସ ଦଉଡ଼ି କାଟିଦେଲେ ମନ୍ଥରକ ମୁକୁଳିଯିବ । ତା'ପରେ ମନ୍ଥରକ ପୋଖରୀ ପାଣି ଭିତରେ—


ପୃଷ୍ଠା - ୩୯ (Page 39)

ଲୁଚିଯିବ । ଚିତ୍ରାଙ୍ଗ ଯେତେ ଜୋରରେ ପାରେ ଦୌଡ଼ି ପଳାଇବ । ତା'ପରେ ଆମେ ସମସ୍ତେ ରକ୍ଷା ପାଇଯିବା ।"

କାଉ ଯେମିତି ଭାବିଥିଲା, ଠିକ୍ ସେମିତି ହେଲା ।

ଶିକାରୀ ଦେଖିଲା, ହରିଣ ଭୂମିରେ ପଡ଼ିରହିଛି ଓ କାଉ ତା'ର ଆଖିକୁ ଖୁମ୍ପୁଛି । ତା'ରି ଜାଲରୁ ଖସି ଯାଇଥିବା ହରିଣକୁ ସେ ଚିହ୍ନି ପାରିଲା, ସେ ତା'ର ଧନୁକୁ କଇଁଛ ପାଖରେ ପକାଇ ଦେଇ ହରିଣକୁ ଉଠାଇ ଆଣିବାକୁ ଗଲା । ମନ୍ଥରକ ମୁକ୍ତ ହୋଇ ପୋଖରୀ ଭିତରେ ଲୁଚିଗଲା । ଶିକାରୀ ହରିଣ ନିକଟକୁ ଆସିବା ମାତ୍ରକେ ଚିତ୍ରାଙ୍ଗ ଉଠି ଦୌଡ଼ି ପଳାଇଲା । କାଉ ଉଡ଼ିଯାଇ ଗଛ ଉପରେ ବସିଲା । ଶିକାରୀ ଫେରିଆସି ଦେଖିଲା କଇଁଛ ମଧ୍ୟ ଖସି ଯାଇଛି । କଇଁଛ କିମ୍ବା ହରିଣକୁ ନପାଇ ସେ ଘରକୁ ଫେରିଲା । ସେ ଆଖି ଆଗୁଆଲରୁ ଚାଲିଯିବା ପରେ ଚାରିବନ୍ଧୁଯାକ ମହା ଆନନ୍ଦରେ ଏକାଠି ମିଶି ପରସ୍ପରକୁ ଆଲିଙ୍ଗନ କଲେ । ସେମାନେ ହ୍ରଦକୁ ଫେରିଯାଇ ଆନନ୍ଦରେ କାଳ ଯାପନ କଲେ ।

ବିପଦ ସମୟରେ ପ୍ରକୃତ ବନ୍ଧୁମାନେ ପରସ୍ପରକୁ ସାହାଯ୍ୟ କରନ୍ତି ।


ପୃଷ୍ଠା - ୪୦ (Page 40)

ଝରକାରୁ

ଆସନ୍ତୁ "ବିଶ୍ୱ ଚଢ଼େଇ ଦିବସ" ଉପରେ ପ୍ରେସ ସୂଚନା ବ୍ୟୁରୋ ଦ୍ୱାରା ପ୍ରକାଶିତ ଲେଖାଟିର ଆମ ଉପଯୋଗୀ ଏକ ଅଂଶ ପଢ଼ିବା । ପଠିତ ଗପରେ ଯେଉଁ ଘରଚଟିଆ, ରାଜା ଲାଞ୍ଚ ନେଇଥିବା କଥାଟି କହି ସବୁ ପକ୍ଷୀଙ୍କୁ ଜଣାଇ ଦେଇଥିଲା, ସେ ରାଜଦରବାରରେ ଥିବା କାନ୍ଥକୁରାରେ ବାସ କରିବା କଥା ଆମେ ମଧ୍ୟ ଗପରୁ ପଢ଼ିଲେ ।

"ଘରଚଟିଆ, ଯାହା ପୂର୍ବରୁ ବହୁଳ ପରିମାଣରେ ଦେଖାଯାଉଥିଲେ, ଏବେ ଅନେକ ସ୍ଥାନରେ ଏମାନଙ୍କୁ ଦେଖିବା ବିରଳ ହୋଇପଡ଼ିଛି । ଏହି କ୍ଷୁଦ୍ର ପ୍ରାଣୀମାନଙ୍କ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସୁରକ୍ଷା ଦେବାପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ଭାରତ ସରକାର "ବିଶ୍ୱ ଚଢ଼େଇ ଦିବସ" ରୂପେ ଘୋଷଣା କରିଛନ୍ତି । ସେମାନେ ଆମ ଇତିହାସ ଓ ସଂସ୍କୃତିର ବାର୍ତ୍ତାବହ ଅଟନ୍ତି ।"

ହିନ୍ଦୀରେ ଗୌରେୟା, ତାମିଲରେ "କୁରୁଭି" ଉର୍ଦ୍ଦୁରେ "ଚିରିଆ" ନାମରେ ଜଣାଶୁଣା । ଚଢ଼େଇମାନେ ପିଢ଼ି ପରେ ପିଢ଼ି ଦୈନନ୍ଦିନ ଜୀବନର ଏକ ଅଂଶ ହୋଇ ଆସିଛନ୍ତି ।

ବର୍ତ୍ତମାନ ଦେଖାଯାଉଛି ବହୁ ଚଢ଼େଇ ବଂଶ ହ୍ରାସ ପାଇବାରେ ଲାଗିଛି । ଏହି ହ୍ରାସର କାରଣଗୁଡ଼ିକ ହେଲା; ସିସା ନଥିବା ପେଟ୍ରୋଲ ବ୍ୟବହାର ଯୋଗୁଁ ବିଷାକ୍ତ ଯୌଗିକ ଉତ୍ପାଦନ ହେତୁ, ଯାହା ଚଢ଼େଇମାନେ ଖାଦ୍ୟ ପାଇଁ ନିର୍ଭର କରୁଥିବା କୀଟପତଙ୍ଗମାନଙ୍କୁ କ୍ଷତି ପହଞ୍ଚାଉଛି । ସହରୀକରଣ ସେମାନଙ୍କର ପ୍ରାକୃତିକ ବାସସ୍ଥାନ ପ୍ରତି ବିପଦ ସୃଷ୍ଟି କରିଛି । ଆଧୁନିକ କୋଠାଗୁଡ଼ିକ ଚଢ଼େଇମାନଙ୍କର ବସାବାନ୍ଧି ରହିବା ପାଇଁ ସ୍ଥାନ ଦେଉ ନାହିଁ । ଯାହାଫଳରେ ସେମାନେ ସେମାନଙ୍କ ଛୁଆମାନଙ୍କୁ ପାଳନ କରିବା ପାଇଁ ସ୍ଥାନ ପାଉନାହାନ୍ତି । ତେଣୁ ପଶୁପକ୍ଷୀମାନଙ୍କ ପ୍ରତି ଦୟା ମନୋଭାବ ସମସ୍ତେ ପୋଷଣ କରିବା ଉଚିତ । ସେମାନେ ଜୀବଜଗତର ସମ୍ପଦ ।