ଶପଥ
ଅନନ୍ତ ପଟ୍ଟନାୟକ
ସୂର୍ଯ୍ୟ ସମ ଜଳିବି ମୁହଁ
ଜହ୍ନ ସମ ଉଠିବି ଝଲି,
ପବନ ସମ ପୃଥ୍ବୀ ଛୁଇଁ
ପ୍ରାଣରୁ ପ୍ରାଣେ ଖେଳିବି ଢଳି।
ଝରଣା ସମ ଝରିବି ହସି
ତୃଷ୍ଣା କା’ର ରଖିବି ନାହିଁ,
ଶସ୍ୟ ଦଳେ ଧରିବି ଲସି
ଭୋକାର ଭୋକ ଯିବରେ କାହିଁ।
ଅଗ୍ନି ସମ ଦହିବି ସୁଖେ
ସ୍ୱାର୍ଥୀ ଜନ ମିଥ୍ୟା କଥା,
ଜଳଦ ସମ ସ୍ୱଚ୍ଛ ମୁଖେ
ନ ଥିବ କେବେ ହିଂସା ବ୍ୟଥା।
ପକ୍ଷୀ ସମ ଗାଇବି ଗୀତି
ହୃଦରୁ ହୃଦେ ଉଠିବି ବାଜି,
ପଦ୍ମ ସମ ତୋଳିବି ନିତି
ଅରୂପ-ରୂପ-ରଙ୍ଗେ-ସାଜି।
ଅଦ୍ରି ସମ ଧୈର୍ଯ୍ୟ ଧରି
ବଜ୍ରପାତେ ରହିବି ଥୟ,
ଗର୍ବ ଭରେ ଧର୍ମେ କରି
କର୍ମେ ମୋର ଟେକିବି ଶିର।
ସିନ୍ଧୁ ସମ ଫେରାଇ ଦେବି
ଯିଏ ସେ ଦେବ ସରଳ ହାସ,
ଧରଣୀ ସମ ନେବିରେ ନେବି
ବକ୍ଷେ ବହି ଦୁଃଖ-ତ୍ରାସ।
ରୁଗ୍ଣ ଜନ ପାରୁଶେ ରହି
ଶୁଶ୍ରୂଷାରେ ଲାଗିବି ତା’ର,
ନୃତ୍ୟ ରବେ ମୃତ୍ୟୁ ଯହିଁ
ଆଣିବି ତହିଁ ସୁଖିଲା ଧାର।
ଦୃଷ୍ଟି ହେବି ଅନ୍ଧ ଲାଗି
ଯଷ୍ଟି ହେବି ଖଞ୍ଜର,
ମର୍ମୁ କୋଟି ବାରତା ମାଗି
ନิର୍ବିକାର ହେବିରେ ଗିର।
ମୁହିଁ ତ ନୁହେଁ ମୋହରି
ପାଇଁ ସବୁରି ଲାଗି ମୋହରି ପ୍ରାଣ,
ସମତା ପଥେ ପତାକା ବାହି
ଶାନ୍ତିର ମୁଁ ରଚିବି ଗାନ।
କବି ପରିଚୟ
କବି ଅନନ୍ତ ପଟ୍ଟନାୟକ ଓଡ଼ିଆ ସାହିତ୍ୟରେ ପ୍ରଗତିଶୀଳ ଚିନ୍ତାଧାରାର ଜଣେ ବିଶିଷ୍ଟ ପ୍ରବକ୍ତା। ସେ ଖୋର୍ଦ୍ଧା ଜିଲ୍ଲାର ଚଣ୍ଡାହାଟ ଗ୍ରାମରେ ୧୯୧୨ ମସିହାରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାରେ ସାମ୍ୟବାଦୀ ଚିନ୍ତାଧାରାର କବିତା ରଚନା କରି ସେ ‘ନବଯୁଗ ସାହିତ୍ୟ ସଂସଦ’ ମାଧ୍ୟମରେ ତାଙ୍କର କାବ୍ୟିକ ସାଧନା ଜାରି ରଖିଥିଲେ। ତାଙ୍କର ‘ରକ୍ତଶିଖା’, ‘ଶାନ୍ତିଶିଖା’, ‘ତର୍ପଣ କରେ ଆଜି’, ‘ଅଲୋଡ଼ା ଲୋଡ଼ା’, ‘ଛାଇର ଛିଟା’ ପ୍ରଭୃତି କବିତା ଗ୍ରନ୍ଥ କବିଙ୍କ ପ୍ରଗତିବାଦୀ ମହାନ ସ୍ତମ୍ଭପଣର ଗୋଟିଏ ଗୋଟିଏ ଅମୂଲ୍ୟ ସୃଷ୍ଟି। ତାଙ୍କର କବି ଦୃଷ୍ଟି ଥିଲା ଅତ୍ୟନ୍ତ ସ୍ପଷ୍ଟ ଓ ତତୋଽଧିକ ପରିମାଣରେ ସମାଜ ସଚେତନଧର୍ମୀ। ସମାଜରୁ ଅଶିକ୍ଷା, ଧର୍ମାନ୍ଧତା ଓ ଅନ୍ଧବିଶ୍ୱାସ ଆଦିର ଦୂରୀକରଣ କରି ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ଶ୍ରେଣୀହୀନ ସମାଜ ଗଠନ କରିବା ଥିଲା କବିଙ୍କ କବିତାର ଅନ୍ତଃସ୍ୱର। ସେ ‘ଅବାନ୍ତର’ କବିତା ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ ହୋଇଛନ୍ତି।
ପଠିତ କବିତାଟି କବିଙ୍କର ସୃଜନ ଆଭିମୁଖ୍ୟର ବଳିଷ୍ଠ ପରିପ୍ରକାଶ। ସାମାଜିକ ଜୀବନରେ ସମତା ଆଣିବା ପାଇଁ ସେ ସ୍ୱାର୍ଥ, ମିଥ୍ୟା, ହିଂସା, ବ୍ୟଥା ଆଦିକୁ ଭ୍ରୂକ୍ଷେପ ନକରି ସୂର୍ଯ୍ୟସମ ଜଳି ସମାଜରେ ସଦ୍ଭାବ, ପ୍ରេମ ଓ କ୍ଷମାର ଝରଣା ପ୍ରବାହିତ କରିବା ପାଇଁ ପ୍ରୟାସ କରିଛନ୍ତି।
ପାଠ୍ୟ ଅନ୍ତର୍ଗତ ଆସ କବିତାଟି ଭଲ ଭାବେ ଆବୃତ୍ତି କରିବା, ବୁଝିବା ଓ ଉତ୍ତର ଲେଖିବା।
ମୋ ବୁଝିବାରେ (କ) ନିମ୍ନଲିଖିତ ପ୍ରଶ୍ନର ଉପଯୁକ୍ତ ଉତ୍ତର ପାଖରେ ତାରା ଚିହ୍ନ * ଦେବା।
(୧) ପଠିତ କବିତାରେ କେଉଁମାନଙ୍କୁ ଦହନ କରିବା ପାଇଁ କବି କହିଛନ୍ତି ?
- (କ) ସ୍ୱାର୍ଥୀଜନ ମିଥ୍ୟାକଥା * (ଖ) ଭୋକାର ଭୋକ * (ଗ) ହିଂସା ବ୍ୟଥା * (ଘ) ଦୁଃଖ ଗ୍ରାସ
(୨) ‘ଝରଣାସମ ଝରିବି ହସି’ ପଦଟିର ତାତ୍ପର୍ଯ୍ୟ କ’ଣ ?
- (କ) ପ୍ରାଣରୁ ପ୍ରାଣ ଖେଳିବି * (ଖ) ତୃଷ୍ଣାକାର ରଖିବି ନାହିଁ * (ଗ) ଭୋକାର ଭୋକ ଯିବରେ କାହିଁ * (ଘ) ଅରୂପରୂପ ରଙ୍ଗେ ସାଜି
(୩) ‘ଜଳଦସମ ସ୍ନିଗ୍ଧ’ କେଉଁ ଭାବ ନଥିବ ବୋଲି କବିତାରେ କୁହାଯାଇଛି ?
- (କ) ମିଥ୍ୟା କଥା * (ଖ) ସରଳହାସ * (ଗ) ହିଂସା ବ୍ୟଥା * (ଘ) ଦୁଃଖ ତ୍ରାସ
(୪) କାହା ପରି କବି ଦୁଃଖତ୍ରାସକୁ ଆବୋରି ନେବା ପାଇଁ କବିତାରେ କହିଛନ୍ତି ?
- (କ) ସିନ୍ଧୁସମ * (ଖ) ଅଗ୍ନିସମ * (ଗ) ପବନସମ * (ଘ) ଧରଣୀସମ
(୫) ସମତାପଥେ ଚାଲିବା ପାଇଁ କବି କେଉଁ ଗାନ ରଚିବା ପାଇଁ ଚାହିଁଛନ୍ତି ?
- (କ) ଶାନ୍ତିର ଗାନ * (ଖ) ପକ୍ଷୀର ଗାନ * (ଗ) ମେଘର ଗାନ * (ଘ) ସିନ୍ଧୁର ଗାନ
(ଖ) ତୁମର ସାଙ୍ଗମାନେ ଭିନ୍ନ ଉତ୍ତର ବାଛି ଥାଇ ପାରନ୍ତି, ତୁମେ ବାଛିଥିବା ଉତ୍ତର କାହିଁକି ବାଛିଛ ତାହା ସେମାନଙ୍କ ସହିତ ଆଲୋଚନା କର।
ମିଳିମିଶି ଯୋଡ଼ିବା କବିତାରୁ କିଛିପଦ ‘କ’ ସ୍ତମ୍ଭରେ ଦିଆଯାଇଛି । ସେହି ପଦଗୁଡ଼ିକର ଅର୍ଥ ‘ଖ’ ସ୍ତମ୍ଭରେ ଦିଆଯାଇଛି । ଠିକ୍ ଉତ୍ତରକୁ ରେଖାଦ୍ୱାରା ଯୋଡ଼ ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ | | :--- | :--- | | ୧. ପକ୍ଷୀସମ ଗାଇବି ଗୀତି
ହୃଦରୁହୃଦେ ଉଠିବି ବାଜି | ୧. ସ୍ୱାଭିମାନର ସହ ଧର୍ମକୁ ବରଣ କରି କର୍ମକରି ଚାଲିବା । | | ୨. ଗର୍ବଭରେ ଧର୍ମେ କରି
କର୍ମେମୋର ଟେକିବି ଶିର | ୨. ରୁଗ୍ଣ ଜନର ସେବାହିଁ ମାଧବ ସେବା । | | ୩. ରୁଗ୍ଣଜନ ପାରୁଶେ ରହି
ଶୁଶ୍ରୂଷାରେ ଲାଗିବି ତା’ର | ୩. ପରହିତ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା । | | ୪. ମୁହିଁତ ନୁହେଁ ମୋହରି ପାଇଁ
ସବୁରିଲାଗି ମୋହରି ପ୍ରାଣ | ୪. ସରଳ ବିହଙ୍ଗର କାକଳି ପରି ସମସ୍ତଙ୍କ ହୃଦୟରେ ପ୍ରତିଧ୍ୱନି ସୃଷ୍ଟି କରିବା । |
କବିତାର ପଦଗୁଡ଼ିକ ଆଲୋଚନା କରିବା କବିତାରୁ ଚୟନ କରାଯାଇଥିବା କେତେକ ପଦ ତଳେ ଦିଆଯାଇଛି । ସେଗୁଡ଼ିକ ଭଲ ଭାବରେ ପଢ଼ି ଓ ଚିନ୍ତାକର । ସେଥିରୁ ତୁମେ କ'ଣ ବୁଝିଲ ନିଜ ନିଜ ଭିତରେ ଆଲୋଚନା କର ଓ ଲେଖ ।
(୧) ସିନ୍ଧୁସମ ଫେରାଇ ଦେବି ଯିଏ ସେ ଦେବ ସରଳ ହାସ, ଧରଣୀ ସମ ନେବିରେ ନେବି ବକ୍ଷେ ବହି ଦୁଃଖ-ତ୍ରାସ।
(୨) ମୁହିଁତ ନୁହେଁ ମୋହରି ପାଇଁ ସବୁରି ଲାଗି ମୋହରି ପ୍ରାଣ, ସମତା ପଥେ ପତାକା ବାହି ଶାନ୍ତିର ମୁଁ ରଚିବି ଗାନ।
(୩) ଝରଣା ସମ ଝରିବି ହସି ତୃଷ୍ଣା କା’ର ରଖିବି ନାହିଁ, ଶସ୍ୟ ଦଳେ ଧରିବି ଲସି ଭୋକାର ଭୋକ ଯିବରେ କାହିଁ।
ଅନୁମାନ ଓ କଳ୍ପନା ଆସ ମିଳିମିଶି ଆଲୋଚନା କରିବା।
- (କ) ପଠିତ କବିତାରେ ‘ଶପଥ’ର ଆହ୍ୱାନ ଦିଆଯାଇଛି। ତୁମ ବିଚାର ଧାରାରେ କେଉଁ କେଉଁ ଶପଥ ଅଧିକ ମହତ୍ତ୍ୱପୂର୍ଣ୍ଣ ଏବଂ କାହିଁକି ଆଲୋଚନା କର ଏବଂ ଏହି ବିଷୟରେ ଏକ ପରିଚ୍ଛେଦ ଲେଖ।
- (ଖ) “ଧରଣୀ ସମ ନେବିରେ ନେବି ବକ୍ଷେ ବହି ଦୁଃଖତ୍ରାସ” – ଉକ୍ତ ପଦରେ କବିଙ୍କର ଆହ୍ୱାନକୁ ସାର୍ଥକ କରିବା ନିମିତ୍ତ ତୁମେ କେଉଁଭଳି କାର୍ଯ୍ୟ କରିବା କଥା ଭାବୁଛ ଆଲୋଚନା କର।
- (ଗ) ‘ଶପଥ’ କବିତାରେ ତୁମେ କେତୋଟି ଶପଥକୁ ନିଜେ ସାକାର କରିପାରିବ, ସାଙ୍ଗମାନଙ୍କ ସହିତ ଆଲୋଚନା କର।
- (ଘ) ସମାଜର କେଉଁ କେଉଁ ବର୍ଗର ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ କରିପାରିବ, ପଠିତ କବିତା ମାଧ୍ୟମରେ ଆଲୋଚନା କର।
କବିତା ରଚନା ପଠିତ କବିତାଟିରେ ମିଥ୍ୟାକଥା, ହିଂସା ବ୍ୟଥା, ଅଦ୍ରି ସମ ଧୈର୍ଯ୍ୟ, ଦୁଃଖ-ତ୍ରାସ, ଶାନ୍ତିର ଗାନ ପ୍ରଭୃତି ପଦ ଗୁଡ଼ିକର ବୈଶିଷ୍ଟ୍ୟକୁ ଆଲୋଚନା କରି, ଏ ସବୁର ଭାବଧାରାକୁ ନେଇ କିଛି କବିତା ଲେଖିବାକୁ ଚେଷ୍ଟା କର। (ଏହି ବିଷୟରେ ତୁମେ ଶିକ୍ଷକ, ସାଙ୍ଗସାଥୀ, ପିତାମାତା ଆଦିଙ୍କ ସାହାଯ୍ୟ ନେଇ ପାରିବ।)
ସର୍ଜନଶୀଳତା ‘ଶପଥ’ କବିତାରେ ସୂର୍ଯ୍ୟସମ ଜଳିବି, ପବନ ସମ ଛୁଇଁ, ଝରଣା ସମ ଝରିବି, ଅଗ୍ନି ସମ ଦହିବି ଆଦିରେ ବିଶେଷ୍ୟ ପଦ ସୂର୍ଯ୍ୟ, ପବନ, ଝରଣା, ଅଗ୍ନି ସହିତ କ୍ରିୟା ଜଳିବି, ଛୁଇଁ, ଝରିବି, ଦହିବି ଆଦି ବ୍ୟବହୃତ ହୋଇଛି। ସେହିପରି ତୁମେ କବିତାରୁ ଯେକୌଣସି ବିଶେଷ୍ୟ ପଦଟିଏ ବ୍ୟବହାର କରି ପଦ ରଚନା କର ଏବଂ ଶ୍ରେଣୀରେ ଆବୃତ୍ତି କର।
ଉଦାହରଣ : ଧରଣୀ ଧରଣୀ ସମ ବକ୍ଷେ ଧରି ଧରଣୀ ସମ ସହିବି ମୁହଁ ଧରଣୀ ସମ ପୁରିବି ମୁହଁ
କବିତାର ଶୀର୍ଷକ କବିତାର ଶୀର୍ଷକ ‘ଶପଥ’ ରହିଛି । ତୁମେ ଯଦି ଏହି କବିତାର ଶୀର୍ଷକ ପରିବର୍ତ୍ତନ କରିବାକୁ ଚାହୁଁଛ, ତେବେ ଏହାର ନାମକରଣ କ’ଣ ଦେବ ଓ କାହିଁକି ଦେବାକୁ ଭାବିଛ, ସାଙ୍ଗସାଥୀମାନଙ୍କ ସହିତ ବିଚାର ଆଲୋଚନା କର ।
ଭାଷା ବିଚାର (କ) ପଠିତ କବିତାରେ କବି କେଉଁପରି ହେବାପାଇଁ ଶପଥ ନେଇଛନ୍ତି ନିମ୍ନ ରେଖାଚିତ୍ରରେ ଥିବା ଶୂନ୍ୟ କୋଠରୀରେ ଲେଖ ।
(ଖ) କବିତାରୁ ଅଣାଯାଇଥିବା କିଛି ଶବ୍ଦ ତଳେ ଦିଆଯାଇଛି ଏବଂ ସେହି ଶବ୍ଦମାନଙ୍କର ପାର୍ଶ୍ୱରେ କେତେକ ସମାର୍ଥବୋଧକ ଶବ୍ଦ ଦିଆଯାଇଛି । ଯେଉଁ ଶବ୍ଦଟି ସେମାନଙ୍କ ମଧ୍ୟରୁ ଅଲଗା ଅର୍ଥ ବୁଝାଉଛି ତା' ଦେହରେ ଗୋଲ ବୁଲାଇବ ।
| ଶବ୍ଦ | ସମାର୍ଥବୋଧକ ଶବ୍ଦ | | | | :--- | :--- | :--- | :--- | | ସୂର୍ଯ୍ୟ | ରବି | ଦିବାକର | ସୁଧାକର | | ପବନ | ଅନଳ | ସମୀର | ପ୍ରଭଞ୍ଜନ | | ଅଦ୍ରି | ପଡ଼ିଆ | ଶିଖରୀ | ପର୍ବତ | | ଧରଣୀ | ଧରା | ସୁତା | ବସୁଧା | | ପଦ୍ମ | ପରାଗ | ପଙ୍କଜ | ଅରବିନ୍ଦ | | ଜହ୍ନ | ଶଶୀ | ନିଶାକର | ଶସ୍ୟ |
(ଗ) କବିତାରେ ଥିବା ନିମ୍ନଲିଖିତ କ୍ରିୟାପଦକୁ ନେଇ ବାକ୍ୟ ଗଠନ କରି ଚାର୍ଟ କାଗଜରେ ଲେଖିବା ଓ ଶ୍ରେଣୀ କକ୍ଷରେ ଟାଙ୍ଗିବା ।
- ଜଳିବି : ______ * ଜଳି : ______ * ଖେଳି : ______ * ଝରିବି : ______ * ଦହିବି : ______ * ଗାଇବି : ______
ଦୈନନ୍ଦିନୀ ତୁମେ ଯେକୌଣସି ଗୋଟିଏ ଦିନର କାର୍ଯ୍ୟକଳାପ ଉପରେ ଧ୍ୟାନ ଦିଅ ଏବଂ ତୁମର ଦୈନନ୍ଦିନୀ ପୁସ୍ତିକାରେ ଲେଖ ଯେ ତୁମେ କେଉଁ ସମୟରେ ହସିଥିଲ, ଗୀତ ଗାଇଥିଲ ଏବଂ କାନ୍ଦିଥିଲ ।
ପାଠ୍ୟ ବହିର୍ଭୂତ (କ) ଦେଶ ଓ ଜାତିର ଉନ୍ନତି ପାଇଁ କବିତା ମାଧ୍ୟମରେ ଲକ୍ଷ୍ୟ ରଖାଯାଇଛି, ସେଗୁଡ଼ିକ ହାସଲ କରିବା ପାଇଁ ପ୍ରେରଣା ଦିଆଯାଇଛି। ତୁମେ ତୁମ ଜୀବନରେ ତୁମର ପିତା-ମାତା, ଶିକ୍ଷକ-ଶିକ୍ଷିକା ଓ ପରିବାରଠାରୁ କି କି ପ୍ରେରଣା ପାଇଛ ଦୈନନ୍ଦିନୀ ପୁସ୍ତିକାରେ ଲେଖ।
(ଖ) ତୁମେ ତୁମର ସାନ ଭାଇଭଉଣୀମାନଙ୍କୁ କି କି ଉପଦେଶ ଦେଇଛ, ତାହା ମନେ ପକାଇ ଲେଖ।
ଜୀବନର ଲକ୍ଷ୍ୟ ଶ୍ରେଣୀ କକ୍ଷରେ ପ୍ରତ୍ୟେକ ପିଲା ନିଜ ନିଜର ଜୀବନର ଲକ୍ଷ୍ୟ ସମ୍ପର୍କରେ ଲେଖି ଗୋଟିଏ ବାକ୍ସରେ ପକାଇବେ। ଶିକ୍ଷକ ଗୋଟି ଗୋଟି କରି ସେହି ଲେଖାକୁ ବାକ୍ସରୁ କାଢ଼ି ପ୍ରତ୍ୟେକ ପିଲାଙ୍କୁ ସେମାନଙ୍କ ଜୀବନର ଲକ୍ଷ୍ୟ ବିଷୟରେ ଅବଗତ କରାଇବେ। ପ୍ରତ୍ୟେକ ପିଲା ଶିକ୍ଷକ ଓ ସାଙ୍ଗମାନଙ୍କ ସହିତ ଆଲୋଚନା କରି ନିଜ ଜୀବନର ଲକ୍ଷ୍ୟ ହାସଲ ପାଇଁ କିପରି ପଦକ୍ଷେପ ନେଇପାରିବ ଲେଖ।
- ପ୍ରଶ୍ନ – ୧ – ଜୀବନର ଲକ୍ଷ୍ୟ ପୂରଣ ପାଇଁ ପ୍ରଥମେ କିପରି ପ୍ରୟାସ କରିବ ?
- ପ୍ରଶ୍ନ – ୨ – କି କି ଯୋଜନା ପ୍ରସ୍ତୁତ କରିବ ?
- ପ୍ରଶ୍ନ – ୩ – କାହାର ସହଯୋଗ ନେବାକୁ ଚାହିଁବ ?
- ପ୍ରଶ୍ନ – ୪ – ଲକ୍ଷ୍ୟ ପୂରଣ ନିମିତ୍ତ ତୁମେ କି କି ଆହ୍ୱାନର ସମ୍ମୁଖୀନ ହେବ ?
ପରିବାରର ପ୍ରେରଣା ତୁମର ପିତାମାତା ତଥା ଅଭିଭାବକମାନେ ତୁମର ଆବଶ୍ୟକତା ଓ ଇଚ୍ଛାକୁ ଜାଣନ୍ତି ଓ ବୁଝନ୍ତି। ସେଗୁଡ଼ିକ ପୂରଣ କରିବାକୁ ସେମାନେ ଯଥାସମ୍ଭବ ଚେଷ୍ଟା କରନ୍ତି। ତୁମର ପିତାମାତା ଓ ଅଭିଭାବକ ତୁମପାଇଁ ଦେଖୁଥିବା ସ୍ୱପ୍ନ ବିଷୟରେ ସେମାନଙ୍କୁ ପଚାରି ତଳେ ଦିଆଯାଇଥିବା ସାରଣୀରେ ଲେଖିବା।
| ପରିବାର ସଦସ୍ୟ | ସ୍ୱପ୍ନ | | :--- | :--- | | ମାଆ : | | | ବାପା : | | | ଦାଦା : | | | ଭାଇ : | | | ଭଉଣୀ : | | | ଜେଜେମାଆ : | |
ଝରକାରୁ ପଠିତ ‘ଶପଥ’ କବିତାରେ ଦେଶ ଓ ଜାତିର ଉନ୍ନତି ପାଇଁ ବହୁ ତ୍ୟାଗ ଓ ସାଧନାର ତଥ୍ୟ ଦିଆଯାଇଛି । ଦେଶ ଓ ଜାତିକୁ ଭଲ ପାଇବା ପାଇଁ ପ୍ରଥମେ ମନ ମଧ୍ୟରେ ଆଦର୍ଶର ଭାବନା ଆଣିବାକୁ ହେବ । ସେଥିପାଇଁ ଝରକା ସ୍ତମ୍ଭରେ ଲେଖକ ହରିହର ନନ୍ଦଙ୍କ ଉଦ୍ବୋଧନ ମୂଳକ “ଏ ମାଟି ମୁଠାକ” କବିତା ପଠନ (ଆବୃତ୍ତି) ନିମନ୍ତେ ଦିଆଯାଇଛି । ତେଣୁ ଏ ବିଷୟରେ ତୁମେ ସାଙ୍ଗସାଥୀମାନଙ୍କ ସହିତ ଆଲୋଚନା କର ।
ପଠନ ନିମନ୍ତେ ## ଏ ମାଟି ମୁଠାକ ### ଶ୍ରୀ ହରିହର ନନ୍ଦ
ଏ ମାଟି ମୁଠାକ ପାଗଳ କରିଲା ଏ ମାଟିର ମାୟା ବାନ୍ଧିଲା ତୋର ଏଇ ତୋରେ ବନ୍ଧା ହୋଇ ଶତଶତ ସନ୍ତାନ ଦେଲେ ଆପଣା ଶିର । ୦ ।
ଜନକ ଜନନୀ ଭ୍ରାତା ଓ ଭଗିନୀ ପ୍ରିୟ ପ୍ରିୟତମା ସେନେହ ରୁଣ୍ଡି, ନିଜ ଜୀବନକୁ ଜାଳି ଦେଲେ ସୁଖେ ମାଟି ଗଉରବ ରଖିବେ ବୋଲି, ଏ ମାଟି ମମତା... ତୁଳନା ନାହିଁ ତା’ ଉପମା ଅଟେ ସେ ନିଜ ନିଜର । ୧ ।
ଏ ମାଟିର ଅରି ରକ୍ତେ ସିକ୍ତ କରି ଏ ମାଟିର ଧୂଳି ଗଲେ ଯେ ବାରି, ଅନନ୍ତ ଜୀବନ କଲେ ସେ ବରଣ ମରଣ ଛୁଇଁଲା ନାହିଁ ନାହିଁରେ, ଏ ମାଟିର ଗୁଣ ଗୁଣି କେ ପାରିବ ପରାଣ ଦେଇ ସେ ହେଲେ ଅମର । ୨ ।
ସୁଖ ଦୁଃଖ ମୋର ଏ ମାଟି ମାଆର କୋଳରେ ଲିଭାଇ ଆସିଛି ମୁହଁ, ତନ ମନ ଧନ ସବୁ ଦିଆ ତା’ର ଝରି ଯାଉ ସବୁ ତାହାରି ପାଇଁ, ଏ ମାଟି ମୋ ମାଆ... ସେ ତ ମହାମାୟା କାଟିବ କେ କରି ତା’ ମାୟା ଜୋର । ୩ ।
ଆସ ଅନୁସନ୍ଧାନ କରିବା ଆମ ଦେଶ ଓ ରାଜ୍ୟର କଳା, ବିଜ୍ଞାନ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଇତ୍ୟାଦି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତିମାନଙ୍କ କାହାଣୀ ବିଷୟରେ ପାଠାଗାର ଓ ଇଣ୍ଟରନେଟର ସହାୟତା ନେଇ ପାରିବ। ସେମାନଙ୍କ ଜୀବନ କାହାଣୀରୁ ତୁମେମାନେ ଅନେକ ପ୍ରେରଣା ପାଇପାରିବ। ଏ ବିଷୟରେ ତୁମେ ତୁମର ଶିକ୍ଷକ, ଶିକ୍ଷିକା ଓ ପିତାମାତାଙ୍କ ସହିତ ଆଲୋଚନା କରି ଅଧିକ ଜାଣିବା ପାଇଁ ଉଦ୍ୟମ କରିବ।
ପଠନ ନିମନ୍ତେ ## ଚାଲିବାକୁ ହେବ ସମତା ପଥେ ### ଅଟଳ ବିହାରୀ ବାଜପେୟୀଙ୍କ ଅନୁସୃଜନ - ଭେଙ୍କଟ ବାଲାଜୀ ବିଶ୍ୱନାଥ ଶତପଥୀ
ବାଧା ତ ଆସୁଛି ଆସିବ ପ୍ରଳୟ ରୂପ ବି ଦିଶିବ ମସ୍ତକେ କୁସୁମ ବରଷିବ ଆପଣା ହାତରେ ଅଗ୍ନି ଲଗାଇ ଚାଲିବାକୁ ହେବ ସମତା ପଥେ ॥
ହସ କାନ୍ଦରେ ଘୋର ତୋଫାନେ ଅସଂଖ୍ୟ ଅମର ବଳିଦାନରେ, ପ୍ରଗତି ସ୍ଥଳରେ ସବୁ ଉଦ୍ୟାନରେ ବିରାଜିବା ନବ ଏକତା ରଥେ, ଚାଲିବାକୁ ହେବ ସମତା ପଥେ ॥
ମାନ ଅପମାନ ମିଳିବ ବିଚଳିତ ମନ ଖେଳିବ, ଅନ୍ଧାରେ ଆଲୋକ ଜଳିବ, ଗଢ଼ିବା ଯୁଗକୁ ଆପଣା ହାତେ ଚାଲିବାକୁ ହେବ ସମତା ପଥେ ॥
ଘୃଣାରେ ଅଥବା ପ୍ରେମରେ, ଆଳସ୍ୟ ଅଥବା ଶ୍ରମରେ, ସହର କି ଅବା ଗ୍ରାମରେ, କ୍ଷଣିକ ବିଜୟ ଅବା ପରାଜୟ ସାଥେ ଚାଲିବାକୁ ହେବ ସମତା ପଥେ ॥
ଧରଣୀକୁ ଶ୍ରମ ଯୋଗାଇ, ସୁନ୍ଦର ରୂପରେ ସଜାଇ, ବିଜୟ ଶଙ୍ଖ ବଜାଇ, ନବ ଜୀବନର ଶତ ଆକର୍ଷଣ ଖୋଜିବା ସକାଳେ ଧେୟ ପଥେ, ଚାଲିବାକୁ ହେବ ସମତା ପଥେ ॥
କୁଶ କାଣ୍ଟେ ଜୀବନ ସଜା, ନବ ଯୌବନ ଘୃଣାରେ ଭିଜା, ଜୀବନ ଆହୁରି ସଙ୍କୋଚ ତେଜି ନିର୍ବାଣ ବିଜେ ମଧୁବନ ରଥେ ଚାଲିବାକୁ ହେବ ସମତା ପଥେ ।