ଡମକଚ୍ (ଭ୍ରମଣ କାହାଣୀ)

ଶାନ୍ତନୁ କୁମାର ଆଚାର୍ଯ୍ୟ

ପ୍ରଥମେ ପିଲାଟା ଲାଜକଲା । ଚଉଦ ପନ୍ଦରବର୍ଷର ସୁନ୍ଦର ଗୋଲଗାଲ କଳାମତମତ ପିଲାଟିଏ । ଆମେ ତାକୁ କହୁଥାଉ— ହଁ, ଦେଖାମ ଖଣ୍ଡେ ! ତମଆଡ଼େ କେମିତି ନାଚନ୍ତି ସେ ନାଚ-ଡମକଚ୍ ! ହଁ, ଡମକଚ୍ ଖଣ୍ଡେ ଦେଖାନା !

ପିଲାଟା ନାଚିଲାନାଇଁ ଖାଲି— ଗୀତଟିଏ ମଧ୍ୟ ବୋଲିଲା । ସେ ଗୀତର ପହିଲି ପଦ କେତୋଟି ହେଲା— ‘ଗୋମୁଲାକ୍ ଟୋଙ୍ଗରିମେ କା ମେଲା ଲାଗେଲା । ରାମ୍ଳାକର ମେଲା ଲାଗେଲା । ସାତାଳା ଆଇଗ୍ ଜୋରେନା ଅଗିନକୁଡ଼େ ଆଇଗ୍ ଲାଗେ । ରାମୁ ତ ଲଛୁମନଜା ଭେଲୟଁ ଧାଆନ...’ (ଅର୍ଥ— ଗୋମୁଲା ସବଡ଼ିଭିଜନ ହେଡ଼କ୍ୱାର୍ଟରର ଛୋଟ ପାହାଡ଼ (ଟୋଙ୍ଗରି) ଉପରେ କି ମେଳା ଲାଗିଲା ରେ ? ରାମଙ୍କର ମେଳା ଲାଗିଲା । ସାତାଳା ବୁଲିରେ ନିଆଁ ଧରାଉଚନ୍ତି । ବୁଲିରେ ନିଆଁ ଧରିଚି । ରାମ ଓ ଲକ୍ଷୁଣ ଧାନରେ ବସିଚନ୍ତି...)

ଦେଖିଲି ଅପୂର୍ବ ଭଙ୍ଗୀ ସେ ନୃତ୍ୟର । ଶୁଣିଲି ଅଶ୍ରୁତ ସ୍ୱର ସେ କଣ୍ଠରୁ । ସେ ତାଳ ଆଉ ଧ୍ୱନି ଲୟରୁ ରାମନାମ ଶୁଣି ମନ ପବିତ୍ର ହୋଇଗଲା । ହୃଦୟ ବିଗଳିତ ହୋଇଗଲା । ପଚାରିଲି— ଏ କେଉଁଠିକାର ନାଚ, କେଉଁଠିକାର ଗୀତ ? ଅଧ୍ୟାପକ ରଥ ଉତ୍ତର ଦେଲେ, “ଆମ ଆଡ଼ିକାର—ରାଞ୍ଛି ସାଇଡ଼ର ।”

“ରାଞ୍ଚିର ଲୋକସଙ୍ଗୀତ କ’ଣ ଏହିପରି ? ଶୁଭୁଚି ତ ବୌଦ୍ଧଗାନ ଦୋହା ପରି !”

ଅଧ୍ୟାପକ ରଥ ହସିଲେ । କହିଲେ, “ଏ ଭାଷାର ନାଁ ସାଦ୍ରି, ଏ ଓଡ଼ିଆ ଓ ହିନ୍ଦୀ ମିଶାମିଶି; କିନ୍ତୁ ସହଜେ ବୁଝି ହେବନାଇଁ ।”

“ଆପଣଙ୍କ ସେଆଡ଼େ ସାଧାରଣତଃ କୋଉ ମାସରେ ନାଚଗୀତ ଚାଲେ ?”

ରଥ ଗମ୍ଭୀର ହୋଇଗଲେ, କହିଲେ, “କୋଉମାସ ? ବାରମାସ । ବର୍ଷକ ବାରମାସ ନାଚଗୀତ । ତେବେ ଗୋଟିଏ

ବିଭାଜକ ରେଖା ଅଛି । କାର୍ତ୍ତିକ ପୁର୍ଣ୍ଣମାଠୁ ବାହୁଡ଼ା (ରଥ) ଯାକେ ‘ଡମକଚ୍’ । ସେଥି ପୁଣି କାର୍ତ୍ତିକ ପୁର୍ଣ୍ଣମାଯାକେ ‘ଅଙ୍ଗନାଇ’ ଆଉ ‘ଝୁମର’ ।”

ଆଶ୍ଚର୍ଯ୍ୟ ହେଲି – “ଋତୁର ଗୁଣକୁ ନେଇ, ସମୟର ମୁଡ୍‌କୁ ନେଇ ସ୍ୱତନ୍ତ୍ର ଧରଣର ନୃତ୍ୟ, ସ୍ୱତନ୍ତ୍ର ଧରଣର ସଙ୍ଗୀତର ଆବଶ୍ୟକତା ଏ ଅଞ୍ଚଳର ଆଦିବାସୀ ଜାଣିନେଇ ପାରିଛି ନା କଅଣ !” ପଚାରିଲି ।

ଅଧ୍ୟାପକ ଉତ୍ତର ଦେଲେ – “ଏଇ ଆସୁଚି

ଆଗକୁ-ଭାଦ୍ରବ ଶୁକ୍ଳ ଏକାଦଶୀ । ମୟୂରଭଞ୍ଜ, ଷଡ଼େଇକଳା, ଖରସୁଆଁ, ସିଂହଭୂମିର ଦକ୍ଷିଣାଂଶ ଅର୍ଥାତ୍ ରାଞ୍ଚି ଅଞ୍ଚଳ – ଏକ ବିରାଟ ଭୂଭାଗ, କମ୍ପିବ ସେଇ ଦିନଠୁଁ କାର୍ତ୍ତିକଯାକେ ବରାବର । ରାତିରେ ମାଦଲ ଶୁଣିବେ । ଶୁଣିବେ ଝୁମର ନହେଲେ ଅଙ୍ଗନାଇ ଗୀତର ତାନ ।”

“ଏ ଏକାଦଶୀ ତିଥିରୁ ଆଜ୍ଞା କ’ଣ ? କି ତାତ୍ପର୍ଯ୍ୟ ?”

“କରମା ପର୍ବ। ଏ ପର୍ବ ଭଉଣୀଙ୍କର ଭାଇର ମଙ୍ଗଳ ପାଇଁ। ନିଃସନ୍ତାନ ନାରୀମାନେ ପୁତ୍ରକାମନା ପାଇଁ। କୁମାରୀମାନେ ମଧ୍ୟ ମନାସନ୍ତି ନିଜର ଭବିଷ୍ୟତ। ତେବେ ଏଠି ଗୋଟିଏ କଥା ମାର୍କ କରିବେ। କରମା ଗଛର ଡାଳଟିଏ ବଣରୁ ଅଣାହେଇ ପୋତାହବ। ତା ପାଖରେ ‘ଜାୱା’ ସ୍ଥାପନା କରାଯାଇଥିବ।”

“ଜାୱା ?”

“ବଡ଼ ଇଣ୍ଟରେଷ୍ଟିଂ ସେ ଜାୱା ଆଜ୍ଞା! ପର୍ବର ସାତ ଆଠଦିନ ପୂର୍ବରୁ ଓଦା ବାଲିରେ ଜଅ, ଧାନ, ଗହମ, ହରଡ଼ ପ୍ରଭୃତିର ବିହନ ବତୁରି ଗଜା ହେଇସାରିଥିବ। ଏହାକୁ ଚାଙ୍ଗୁଡ଼ିରେ ରଖି ଅତି ସୁନ୍ଦରଭାବେ ସଜାଇ ଦିଅନ୍ତି ବଣଫୁଲରେ— କାକୁଡ଼ି, ଜହ୍ନି ଫୁଲର ଗଜରାମାଳରେ। ସେଇଠୁ ଗୋଟିଏ ଗୋଟିଏ କାକୁଡ଼ିକୁ ହଳଦାକନାରେ ଗୁଡ଼େଇ କନ୍ୟାମାନେ, ନିଃସନ୍ତାନ ନାରୀମାନେ ଆସନ୍ତି। ପୂଜା ଚାଲେ।”

“କି ପୂଜା ?”

“କରମା ପୂଜା। ସେ ଗୋଟିଏ ଗଛ ବା ଉପାଖ୍ୟାନ। ବ୍ରାହ୍ମଣ ଏ ଉପାଖ୍ୟାନ ପଢ଼ି ଶୁଣାନ୍ତି। ପୂଜା କାକୁଡ଼ିକୁ ଧରି ଝିଅମାନେ ଉଠନ୍ତି। କରମା ପୂଜାସ୍ଥଳୀ ସାତଥର ପରିକ୍ରମା କରନ୍ତି। ସେଠୁ ଘରକୁ ଯା’ନ୍ତି। ଖୁଆପିଆ ସାରି ଫେରନ୍ତି। ସେଇଠୁ ନାଚ— ଝିଅ ପୁଅ ସମସ୍ତେ ଏକାଠି। ମାଦଲ ବାଜେ। ମାଦଲ ଶବ୍ଦ ଶୁଣିନାହାନ୍ତି ଆଜ୍ଞା? ସେ ମୃଦଙ୍ଗ ନୁହେଁ, ଢୋଲ ନୁହେଁ। ଆପଣଙ୍କ ଗୋଡ଼ ତୁଛେଇଁକି ଡେଇଁବ। ଆଉ, ହଁ— ଏ ନୃତ୍ୟର ତାଳ ମାତ୍ରା ସବୁ ସୁନିର୍ଦ୍ଦିଷ୍ଟ! ଡମକଚ୍— ତା’ ସିଜନରେ ଅଙ୍ଗ୍ନାଇ ବା ଝୁମର ତା ସିଜନରେ। ମିଶାମିଶି ନୁହେଁ। ବର୍ତ୍ତମାନ ଝୁମର ବେଳ। ଆଶ୍ୱିନ ମାସରେ ପଡ଼ିବ ଜିତିଆ ପର୍ବ। ସେତେବେଳେ ଅଙ୍ଗ୍ନାଇ।”

“ଏ ଜିତିଆ କଅଣ? ଦୂତିଆ ଓଷା ?”

“ହଁ ହଁ— ଏ ପର୍ବ ମା’ କରେ ପୁଅପାଇଁ। ଏଥିରେ କରମ ଗଛର ଡାଳ ବଦଳରେ ଅଶ୍ୱତ୍‌ଥ ଗଛର ଡାଳ ପୂଜା ହୁଏ, ତାରି ଚାରିପଟେ ନୃତ୍ୟ ହୁଏ।”

“ଆଉ ଜାୱା ?”

“ହଁ-ହଁ, ଜାୱା ତ ନିଶ୍ଚିତ! ସ୍ତ୍ରୀଲୋକମାନେ ଏ ଜାୱାକୁ ମନେକରନ୍ତି ଅତି ପବିତ୍ର। ଗଭାରେ ଖୋଷନ୍ତି। ବାହୁରେ ବାନ୍ଧନ୍ତି। ନାଚକରୁଥାନ୍ତି।”

“ଆଛା, ଅଙ୍ଗନାଇରୁ ପଦେ କହିପାରିବେ କି ?”

ଅଧ୍ୟାପକ ରଥ ଆଖିବୁଜି ଭାବିବସିଲେ । କହିଲେ, “ଯଦୁପତି ନଟବର ନନ୍ଦ ଛେକଲେଇଁ ତଗରେ । ଜଲଯାବ କୈସେ ଭରେ । ତୋଲଡ଼ ଦେଲଇଁ ମୁଙ୍ଗମୋତି । ଛେକଲଇଁ ତଗରେ ।” ସେଇଠୁ ଓଡ଼ିଆରେ ଅର୍ଥ କଲେ, “ଯଦୁପତି ନଟବର କୃଷ୍ଣ ବାଟ ଖୋଳିତନ୍ତି, ମୁଁ ପାଣି ଆଣିଯିବି କେମିତି ? ମୋ କାଢ଼ବମାଳି ଧରି ନଟବର ଯେ ଟାଣି ଅଟକଉଚନ୍ତି ମତେ, ମୋ ମାଳ ଛିଣିଯିବ, ମୁଁ ଜଳ ଆଣିଯିବି କେମିତି ?”

ରାମ ଓ କୃଷ୍ଣ ନାମ । ଏଇ ଦୁଇ ନାମକୁ ଜପାମାଳି କରି ଭାରତ ବଞ୍ଚିରହିଛି । ଯେତେ ଗୀତ, ଯେତେ ନାଚ, ଯେତେ ହାଣିଆ, ଯେତେ ମହୁରୀ ସବୁ ଏଇ ନାମ ଦୁଇଟିର ପାଦତଳେ ସମର୍ପିତ । ଏଇ ସମର୍ପଣ ହିଁ ଭାରତର ସତ୍ୟତା, ଭାରତର ସଂସ୍କୃତି-ଆଉ କିଛି ନୁହେଁ ।

ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ନିଜ ଆଖିରେ ଏଠାକାର ଗୋଟିଏ ଗାଁରେ ପାଳିତ ହେଉଥିବା କରମା ପର୍ବ ଦେଖିଲି । ଅଧ୍ୟାପକ ରଥ ରାଞ୍ଚିର ଲୋକ- ସଂସ୍କୃତି ସମ୍ପର୍କରେ ଯାହା କହିଥିଲେ ତାହା ଏଠି ମୟୂରଭଞ୍ଜର ଗାଏଁ ଗାଏଁ ଅବିକଳ ଏକାଭଳି ଚାଲିବା ଦେଖିଲି । ଏହାକୁ ଖାଲି ଆଦିବାସୀ ଅର୍ଥାତ୍ ହୋ, ମୁଣ୍ଡା, ଓରାଂମାନେ ପାଳନ୍ତି ନାହିଁ-ପାଳନ୍ତି ମଧ୍ୟ ମହାନ୍ତମାନେ । ପାଳନ୍ତି ମଧ୍ୟ ଅନ୍ୟ ସମସ୍ତେ, ଯେଉଁମାନେ ଜୀବନକୁ ଦୁଃଖର ଗନ୍ତ്ധର ନକହି ଆନନ୍ଦର ଉତ୍ସ ମନେକରନ୍ତି । ସାରାରାତି ମାଦଲର ଗୁମ୍ ଗୁମ୍ ଆଉ ଝୁମରର ସ୍ୱର ଶୁଭୁଚି ଏଇଲେ କରମା ଉତ୍ସବ ଉପଲକ୍ଷ୍ୟ ।

ଲେଖକ ପରିଚୟ

ଶାନ୍ତନୁ କୁମାର ଆଚାର୍ଯ୍ୟ ଜଣେ ଯଶସ୍ୱୀ ସାରସ୍ୱତ ସ୍ତମ୍ଭ। କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଗ୍ରାମରେ ୧୯୩୩ ମସିହା ମଇ ମାସ ୧୫ ତାରିଖ ଦିନ ତାଙ୍କର ଜନ୍ମ। ପିତାଙ୍କ ନାମ ଅନନ୍ତ ଚରଣ ଆଚାର୍ଯ୍ୟ ଓ ମାତା କୃଷ୍ଣପ୍ରିୟା ଦେବୀ। ସେ ଏକାଧାରାରେ ଜଣେ ଔପନ୍ୟାସିକ, ଗାଳ୍ପିକ, ଅନୁବାଦକ, ଭ୍ରମଣକାହାଣୀ ଲେଖକ ଏବଂ ଶିଶୁ ସାହିତ୍ୟିକ। ଜୀବନର ଅନେକ ଉପଲବ୍ଧିକୁ ସେ ନିଛକ ଭାବରେ ବର୍ଣ୍ଣନା କରି ଯଥେଷ୍ଟ ପାଠକୀୟ ଆଦୃତି ଲାଭ କରିଛନ୍ତି। ତାଙ୍କ ଦ୍ୱାରା ରଚିତ ପୁସ୍ତକଗୁଡ଼ିକ ହେଉଛି, 'ନରକିନ୍ନର', 'ଶତାବ୍ଦୀର ନଚିକେତା', 'ତିନୋଟି ରାତିର ସକାଳ', 'ଦକ୍ଷିଣାବର୍ତ୍ତୀ', 'ଶକୃଷ୍ଣଜ୍ଞା', 'ଧରିତ୍ରୀର କାନ୍ଦ', 'ଚଳନ୍ତି ଠାକୁର', 'ଅଦିନ ବଉଜ', 'କରଞ୍ଜିଆ ଡାଏରି' ଇତ୍ୟାଦି। 'ଡମକଚ୍' ପ୍ରସଙ୍ଗଟି ଲେଖକଙ୍କ 'କରଞ୍ଜିଆ ଡାଏରି' ଭ୍ରମଣକାହାଣୀରୁ ଆନୀତ। ଏଥିରେ ମୟୂରଭଞ୍ଜ ଅଧିବାସୀମାନଙ୍କର ପର୍ବପର୍ବାଣି, ନୃତ୍ୟଗୀତ ସମ୍ପର୍କରେ ଆଲୋଚନା କରାଯାଇଛି।

ପାଠ୍ୟ ଅନ୍ତର୍ଗତ

ମୋ ବୁଝିବାରେ

ଆସ ବିଷୟଟିକୁ ଭଲଭାବେ ପଢ଼ିବା, ବୁଝିବା ଓ ଉତ୍ତର ଲେଖିବା।

ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା (★) ଚିହ୍ନ ଦେବା।

(୧) 'ସାଦ୍ରି' ଭାଷା କେଉଁ ଦୁଇଟି ଭାଷାର ସମ୍ମିଶ୍ରଣରେ ସୃଷ୍ଟି ?

  • ଓଡ଼ିଆ ଓ ହିନ୍ଦୀ - ଓଡ଼ିଆ ଓ ବଙ୍ଗଳା - ହିନ୍ଦୀ ଓ ଆସାମୀ - ଓଡ଼ିଆ ଓ ତେଲୁଗୁ

(୨) କେଉଁ ମାସରେ ଜିତିଆ ପର୍ବ ପଡ଼ିଥାଏ ?

  • ଭାଦ୍ରବ - ବୈଶାଖ - ଆଶ୍ୱିନ - କାର୍ତ୍ତିକ

(୩) ‘ଡମକଚ୍’, ନୃତ୍ୟଟି କେଉଁ ମାସରୁ କେଉଁ ମାସ ପର୍ଯ୍ୟନ୍ତ ପାଳନ କରାଯାଏ ?

  • ବୈଶାଖପୂର୍ଣ୍ଣମାଠାରୁ ଜ୍ୟେଷ୍ଠପୂର୍ଣ୍ଣମାଠାରୁ - କାର୍ତ୍ତିକପୂର୍ଣ୍ଣମାଠାରୁ ବାହୁଡ଼ା (ରଥ) - ଭାଦ୍ରବପୂର୍ଣ୍ଣମାଠାରୁ ଆଶ୍ୱିନଦ୍ୱାଦଶୀ - ଶ୍ରୀପଞ୍ଚମୀଠାରୁ ବାହୁଡ଼ା

(୪) ରାଞ୍ଚିର ଲୋକସଙ୍ଗୀତ ଲେଖକଙ୍କୁ କେଉଁ ଗୀତ ପରି ଲାଗୁଥିଲା ?

  • ବୌଦ୍ଧଗାନ ଓ ଦୋହା - ବୈଷ୍ଣବପଦାବଳୀ - ନାଉରିଆ ଗୀତ - ଶଗଡ଼ିଆ ଗୀତ

(୫) ଦୂତିଆ ଓଷାଟି କାହାର ମଙ୍ଗଳ କାମନାପାଇଁ କିଏ ପାଳନ କରିଥାନ୍ତି ?

  • ଭଉଣୀ, ଭାଇର ମଙ୍ଗଳ ପାଇଁ - ସ୍ତ୍ରୀ, ସ୍ୱାମୀର ମଙ୍ଗଳ ପାଇଁ - ମା’ ପୁଅର ମଙ୍ଗଳ ପାଇଁ - ମା’ ଝିଅର ମଙ୍ଗଳ ପାଇଁ

ମିଳିମିଶି ଯୋଡ଼ିବା

‘କ’ ସ୍ତମ୍ଭରେ ଦିଆଯାଇଥିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ଉତ୍ତରକୁ ରେଖା ଚିହ୍ନଦ୍ୱାରା ଯୋଡ଼ ।

‘କ’ ସ୍ତମ୍ଭ‘ଖ’ ସ୍ତମ୍ଭ
୧. ଜାୱା୧. କରମା ଗଛର ଡାଳକୁ ପୂଜା କରାଯାଏ ।
୨. ଅଙ୍ଗନାଇ୨. ଅଶ୍ୱତ୍‌ଥ ଗଛର ଡାଳ ପୂଜା ହୁଏ ।
୩. କରମା ପର୍ବ୩. ଓଡ଼ିଆ ଓ ହିନ୍ଦୀ ଭାଷା ମିଶାମିଶି
୪. ଜିତିଆ୪. ଓଦା ବାଲିରେ ଯଅ, ଧାନ, ଗହମ, ହରଡ଼ ପ୍ରଭୃତିର ବିହନ ବତୁରି ଗଜା ।
୫. ସାଦ୍ରି୫. ଏକ ଗୀତ

ମିଳିମିଶି ଠିକ୍ ଉତ୍ତର ବାଛନ୍ତୁ

(କ) ପାଠରୁ ଏକ ନିର୍ଦ୍ଦିଷ୍ଟ ବାକ୍ୟ ପାଇଁ ଦୁଇଟି ସମାନ ଉତ୍ତର ବୋଧକ ବାକ୍ୟ ଦିଆଯାଇଛି। ସାଙ୍ଗମାନଙ୍କ ସହ ମିଶି ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ (✓) ଦିଅ।

| କ୍ରମିକ | ବାକ୍ୟ | ଉତ୍ତରବୋଧକ ବାକ୍ୟ | | --- | --- | --- | | | ପର୍ବର ସାତ ଆଠ ଦିନ ପୂର୍ବରୁ ଓଦା ବାଲିରେ ଯଅ, ଧାନ, ଗହମ, ହରଡ଼ ପ୍ରଭୃତିର ବିହନ ବତୁରି ଗଜା ହୋଇ ସାରିଥିବ। | - କରମା ପର୍ବ ସମୟରେ କରମା ଡାଳ ପୋତା ହେବା ପରେ ଜାୱା ସ୍ଥାପନ କରାଯାଏ। - ଅଶ୍ୱତ୍ଥ ଗଛର ଡାଳ ପୂଜା ହୋଇ ଚାରିପଟେ ନୃତ୍ୟ ହୁଏ। | | | ରାଞ୍ଚିର ଲୋକସଙ୍ଗୀତ କ'ଣ ଏହିପରି ? | - ଓଡ଼ିଆ ଓ ହିନ୍ଦୀ ଭାଷାର ମିଶ୍ରଣର ସଙ୍ଗୀତ। - ବୌଦ୍ଧଗାନ ଓ ଦୋହାର ସଙ୍ଗୀତ ପରି। | | | ଏ ପର୍ବ ଭଉଣୀ କରେ ଭାଇର ମଙ୍ଗଳ ପାଇଁ। | - କରମା ପର୍ବ ପାଳନ କରାଯାଏ। - ଦୂତିଆ ଓଷା ପାଳନ କରାଯାଏ। | | | କାର୍ତ୍ତିକ ପୂର୍ଣ୍ଣମାଠୁ ବାହୁଡ଼ା (ରଥ) ଯାକେ। | - ଡମକଚ୍ ନୃତ୍ୟ ହୁଏ। - ଅଙ୍ଗନାଇ ଗୀତ ଗାନ କରାଯାଏ। |

ଗଦ୍ୟାଂଶର ଚର୍ଚ୍ଚା

ନିମ୍ନରେ ପାଠରୁ ଚୟନ କରାଯାଇଥିବା ଗଦ୍ୟାଂଶକୁ ଭଲଭାବରେ ପଢ଼ି ନିଜର ଚିନ୍ତାଧାରାକୁ ସାଙ୍ଗମାନଙ୍କ ସହ ଆଲୋଚନା କରି ଲେଖ ।

(କ) “ଦେଖିଲି ଅପୂର୍ବ ଭଙ୍ଗୀ ସେ ନୃତ୍ୟର । ଶୁଣିଲି ଅଶ୍ରୁତ ସ୍ୱର ସେ କଣ୍ଠରୁ । ସେ ତାଳ ଆଉ ଧ୍ୱନି ଲୟରୁ ରାମ ନାମ ଶୁଣି ମନ ପବିତ୍ର ହୋଇଗଲା ।”

(ଖ) “ଋତୁର ଗୁଣକୁ ନେଇ, ସମୟର ମୁଡ୍‌କୁ ନେଇ ସ୍ୱତନ୍ତ୍ର ଧରଣର ନୃତ୍ୟ, ସୁତନ୍ତ ଧରଣର ସଙ୍ଗୀତର ଆବଶ୍ୟକତା ଏ ଅଞ୍ଚଳର ଆଦିବାସୀ ଜାଣି ନେଇ ପାରିଛି ନା କଅଣ !”

ବିଷୟର ଚିନ୍ତନ

ପାଠଟିକୁ ଭଲଭାବରେ ପଢ଼ିବା, ଉତ୍ତର ଖୋଜିବା ଏବଂ ଲେଖିବା ।

(କ) “କରମା ପର୍ବ । ଏ ପର୍ବ ଭଉଣୀଙ୍କର ଭାଇର ମଙ୍ଗଳ ପାଇଁ । ନିଃସନ୍ତାନ ନାରୀମାନେ ପୁତ୍ର କାମନା ପାଇଁ । କୁମାରୀମାନେ ମଧ୍ୟ ମନାସନ୍ତି ଭବିଷ୍ୟତ ।”

ଲେଖକଙ୍କ ଏହି ବାକ୍ୟଗୁଡ଼ିକରେ କ’ଣ ଦେଖିବାକୁ ପାଉଛ ? ତୁମ ଅଞ୍ଚଳରେ ଏଭଳି କିଛି ପର୍ବ ପାଳିତ ହୁଏ କି ? ସାଙ୍ଗସାଥୀମାନଙ୍କ ସହିତ ଆଲୋଚନା କରି ଲେଖ ।

(ଖ) “ଋତୁର ଗୁଣକୁ ନେଇ, ସମୟର ମୁଡ୍‌କୁ ନେଇ ସ୍ୱତନ୍ତ୍ର ଧରଣ ନୃତ୍ୟ, ସୁତନ୍ତ ଧରଣର ସଙ୍ଗୀତର ଆବଶ୍ୟକତା ଏ ଅଞ୍ଚଳର ଆଦିବାସୀ ଜାଣିନେଇ ପାରିଛି ନା କଅଣ !”

ଋତୁ ଅନୁସାରେ କାହିଁକି ପର୍ବ ପାଳନ ହୁଏ ? ଏହା

କ’ଣ ଆମ ସଂସ୍କୃତିର ପରିଚୟ ? ଏମିତି ଋତୁଭିତ୍ତିକ କିଛି ପର୍ବ ତୁମ ଅଞ୍ଚଳରେ ପାଳିତ ହୁଏ କି ? ତାହା ଲେଖ ।

(ଗ) “ପାଳନ୍ତି ମଧ୍ୟ ଅନ୍ୟ ସମସ୍ତେ, ଯେଉଁମାନେ ଜୀବନକୁ ଦୁଃଖର ଗନ୍ତ്ധର ନକହି ଆନନ୍ଦର ଉତ୍ସ ମନେ କରନ୍ତି ।”

ଲେଖକ ଏପରି କହିବାର ତାତ୍ପର୍ଯ୍ୟ କ’ଣ ? ପର୍ବପର୍ବାଣି ସୁଖ ଓ ଦୁଃଖକୁ ପ୍ରକାଶ କରେ କି ? ତୁମେ ଯାହା ଚିନ୍ତା କରୁଛ ଲେଖ ।

(ଘ) “ରାମ ଓ କୃଷ୍ଣ ନାମ। ଏ ଦୁଇ ନାମକୁ ଜପାମାଳି କରି ଭାରତ ବଞ୍ଚି ରହିଛି।”

ଭାରତର ଅଧିକାଂଶ ପର୍ବପର୍ବାଣି ରାମ ଓ କୃଷ୍ଣଙ୍କ ଜୀବନଧାରା ସହିତ ଜଡ଼ିତ। ଯଦି ତୁମ ଅଞ୍ଚଳରେ ରାମ ଓ କୃଷ୍ଣଙ୍କୁ ଦେବତା ରୂପେ ନେଇ ଯେଉଁ ପର୍ବ ପାଳନ କରାଯାଉଅଛି, ତାହାର ତାଲିକା ପ୍ରସ୍ତୁତ କର।

(ତ) “ପର୍ବର ସାତ ଆଠ ଦିନ ପୂର୍ବରୁ ଓଦା ବାଲିରେ ଯଅ, ଧାନ, ଗହମ, ହରଡ଼ ପ୍ରଭୃତିର ବିହନ ବତୁରି ଗଜା ହୋଇ ସାରିଥିବ।”

ପର୍ବ ସହିତ ଶସ୍ୟ ଓ ପ୍ରକୃତିର ସମ୍ପର୍କକୁ ତୁମେ କିପରି ଦେଖ? ଏହିପରି ଶସ୍ୟ ଓ ପ୍ରକୃତିର ସମ୍ପର୍କକୁ ନେଇ ଥିବା ପର୍ବପର୍ବାଣିର ନାମ ଲେଖ।

ଅନୁମାନ ଏବଂ କଳ୍ପନା

(କ) “ମୟୂରଭଞ୍ଜ, ଷଡ଼େଇକଳା, ଖରସୁଆଁ, ସିଂହଭୂମିର ଦକ୍ଷିଣାଂଶ ଅର୍ଥାତ୍ ରାଞ୍ଚି ଅଞ୍ଚଳ।”

କଳ୍ପନା କର ତୁମେ ରାଞ୍ଚି ଅଞ୍ଚଳରେ ଅଛ, ତୁମେ ସେଠାରେ କି କାର୍ଯ୍ୟ କରିପାରିବ।

(ଖ) “ସେଇଠୁ ନାଚ-ଝିଅ ପୁଅ ସମସ୍ତେ ଏକାଠି।”

କଳ୍ପନା କର ତୁମେ ସେହି ନାଚ ସ୍ଥାନରେ ଅଛ। ବାଦ୍ୟ ବାଜୁଛି। ତୁମେ ବାଦ୍ୟକୁ ଶୁଣି କ’ଣ ଅନୁଭବ କରୁଛ, ଲେଖ।

(ଗ) କଳ୍ପନା କର ତୁମେ ଡମକଚ୍ ନୃତ୍ୟ ହେଉଥିବା ସ୍ଥାନରେ ଠିଆହୋଇ ନୃତ୍ୟ ଉପଭୋଗ କରୁଛ। ତାହା କିପରି ଲାଗିଲା ଉଲ୍ଲେଖ କର।

(ଖ) କଳ୍ପନା କର, ତୁମକୁ ପାହାଡ଼ ଘେରା ବଣ ଅଞ୍ଚଳର ପ୍ରକୃତି କୋଳରେ ବୁଲିବାକୁ କିପରି ଲାଗିଥାଏ, ତାହା ଲେଖ।

ସଂଳାପ (କଥାବାର୍ତ୍ତା) ଲେଖ

(କ) “ଆପଣଙ୍କ ଅଞ୍ଚଳରେ ସାଧାରଣତଃ କୋଉ ମାସରେ ନାଚଗୀତ ଚାଲେ?” କର୍ତ୍ତା ଉପରେ ଲେଖକ ଏବଂ ଅଧ୍ୟାପକ ରଥଙ୍କ ମଧ୍ୟରେ ହୋଇଥିବା କଥା ଆଧାରରେ ଏକ କାଳ୍ପନିକ ସଂଳାପ ଲେଖ।

(ଖ) “ଏହାକୁ ଖାଲି ଆଦିବାସୀ ଅର୍ଥାତ୍ ହୋ, ମୁଣ୍ଡା, ଓରାଂମାନେ ପାଳନ୍ତି ନାହିଁ- ପାଳନ୍ତି ମଧ୍ୟ ମହାନ୍ତମାନେ।” ଏହି ସଂଳାପ ପରି-

ଲେଖକ ଏବଂ ତୁମ ମଧ୍ୟରେ ଆଦିବାସୀମାନେ ପାଳନ କରୁଥିବା ଏକ ପର୍ବକୁ ନେଇ କାଳ୍ପନିକ ସଂଳାପ ଲେଖ।

‘ଟିଏ’ ଏବଂ ‘ମାନେ’ ର ପ୍ରୟୋଗ

ନିମ୍ନଲିଖିତ ବାକ୍ୟ ଦୁଇଟିକୁ ଲକ୍ଷ୍ୟ କର ।

  • କୁମାରୀମାନେ ମଧ୍ୟ ନିଜର ଭବିଷ୍ୟତ ମନାସନ୍ତି ।
  • କରମା ଗଛର ଡାଳଟିଏ ବଣରୁ ଅଣା ହୋଇ ପୋତା ହେବ ।

ଏଠାରେ ‘ମାନେ’ ପ୍ରୟୋଗଦ୍ୱାରା ବହୁବଚନକୁ ସୂଚାଉଥିବା ବେଳେ ‘ଟିଏ’ ପ୍ରୟୋଗଦ୍ୱାରା ଏକବଚନକୁ ସୂଚାଉଅଛି ।

(ଗ) ‘ମାନେ’ ଓ ‘ଟିଏ’ ଲଗାଇ ଶୂନ୍ୟସ୍ଥାନ ପୂରଣ କର ।

  • (୧) ଲୋକ ... ସାଧୁସବୁ ବାଣୀକୁ ଶୁଣିବାକୁ ଭଲ ପାଆନ୍ତି ।
  • (୨) ଗଛ ... ଲଗାଇବା ।
  • (୩) ଖେଳାଳି ... ପଡ଼ିଆରେ ଖେଳୁଛନ୍ତି ।
  • (୪) ଗଛ ଡାଳରେ ପକ୍ଷୀ ... ବସିଛି ।
  • (୫) କଥା ... କହୁଁ କଥାଟିଏ ।

ଭାବନାକୁ ଚିହ୍ନିବା

କରୁଣାଶାନ୍ତିଦୟାଆଶ୍ଚର୍ଯ୍ୟସନ୍ତୋଷ
ଭକ୍ତିଶ୍ରଦ୍ଧାହାସ୍ୟଦୁଃଖପ୍ରେମ

ନିମ୍ନରେ ଦିଆଯାଇଥିବା ବାକ୍ୟର ଭାବକୁ ବୁଝି ଉପରେ ଦିଆଯାଇଥିବା ସେହି ଭାବାତ୍ମକ ଶବ୍ଦକୁ ଶୂନ୍ୟସ୍ଥାନରେ ଲେଖ ।

  • (୧) ସ୍ତ୍ରୀଲୋକମାନେ ଏ ଜାୱାକୁ ମନେ କରନ୍ତି ଅତି ପବିତ୍ର । ଗଭାରେ ଖୋଷନ୍ତି, ବାହୁରେ ବାନ୍ଧନ୍ତି, ନାଚ କରୁଥାନ୍ତି ।

  • (୨) ସେ ତାଳ ଆଉ ଧ୍ୱନି ଲୟରୁ ରାମନାମ ଶୁଣି ମନ ପବିତ୍ର ହୋଇଗଲା ।

(୩) “ଋତୁର ଗୁଣକୁ ନେଇ, ସମୟର ମୁଡ୍‌କୁ ନେଇ ସ୍ୱତନ୍ତ୍ର ଧରଣର ସଙ୍ଗୀତର ଆବଶ୍ୟକତା ଏ ଅଞ୍ଚଳର ଆଦିବାସୀ ଜାଣି ନେଇ ପାରିଛି ନା କ’ଣ!”

(୪) ଏହାକୁ ଚାଙ୍ଗୁଡ଼ିରେ ରଖି ଅତି ସୁନ୍ଦରଭାବେ ସଜାଇ ଦିଅନ୍ତି ବଣ ଫୁଲରେ— କାକୁଡ଼ି, ଜହ୍ନିଫୁଲର ଗଜରାମାଳରେ।

(୫) ହଁ-ହଁ— ଏ ପର୍ବ ମା’ କରେ ପୁଅ ପାଇଁ।

କାଳ (ସମୟ)ର ପରିଚୟ :

“ପିଲାଟି ନାଚିଲା ନାଇଁ ଖାଲି— ଗୀତଟିଏ ମଧ୍ୟ ବୋଲିଲା।”

ତୁମେ ନିଶ୍ଚୟ ତିନୋଟି କାଳ ସମ୍ପର୍କରେ ଜାଣିଥିବ। ଏହି ତିନୋଟି କାଳ ହେଉଛି, ବର୍ତ୍ତମାନ, ଅତୀତ ଏବଂ ଭବିଷ୍ୟତ କାଳ। ଉପରୋକ୍ତ ବାକ୍ୟଟି ଅତୀତକାଳ ସୂଚିତ କରୁଛି।

(କ) ପାଠ୍ୟର ନିମ୍ନଲିଖିତ ଧାଡ଼ିଗୁଡ଼ିକୁ ପଢ଼ ଏବଂ କେଉଁ କାଳର ସୂଚନା ଦେଉଛି ତାହା ଲେଖ।

(ବର୍ତ୍ତମାନ / ଅତୀତ / ଭବିଷ୍ୟତ)

(୧) ହୃଦୟ ବିଗଳିତ ହୋଇଗଲା।

(୨) ରାତିରେ ମାଦଲ ଶୁଣିବେ।

(୩) ପୂଜା କାକୁଡ଼ିକୁ ଧରି ଝିଅମାନେ ଉଠନ୍ତି।

(୪) ଆଶ୍ୱିନ ମାସରେ ପଡ଼ିବ ଜିତିଆ ପର୍ବ।

(୫) ଅଧ୍ୟାପକ ରଥ ଆଖିବୁଜି ଭାବି ବସିଛନ୍ତି।

(୬) ଯଦୁପତି ନଟବର ବାଟ ଖୋଳିଛନ୍ତି।

ପତ୍ର ରଚନା

‘ସମ୍ପାଦକ ମହୋଦୟ ! ... ମୋର ଭ୍ରମଣକାଳୀନ ଅନୁଭବ ଏବେବି ମୋ ମନ ମଧ୍ୟରେ ରହିଅଛି।’

ଉପରିଲିଖିତ ବାକ୍ୟରେ ଲେଖକ ସମ୍ପାଦକ ମହୋଦୟକୁ ସମ୍ଭୋଧନ କରି ନିଜର ଭ୍ରମଣକାଳୀନ ଅନୁଭବକୁ ଲେଖିଛନ୍ତି । ତୁମେ ଜାଣିଛ ଯେ ଯେଉଁ ବ୍ୟକ୍ତିଙ୍କ ନିକଟକୁ ପତ୍ର ଲେଖାଯାଏ, ତାଙ୍କୁ ପ୍ରଥମେ ସମ୍ଭୋଧନ କରାଯାଏ । ପତ୍ରର ଶେଷରେ ତୁମର ନାମ ଲେଖାଯାଏ । ଏହାଦ୍ୱାରା ପତ୍ର ପାଇଥିବା ବ୍ୟକ୍ତି ତାଙ୍କ ପାଖକୁ କିଏ ପତ୍ର ଦେଇଛନ୍ତି ଜାଣି ପାରନ୍ତି ।

ନିମ୍ନରେ ପତ୍ରଲିଖନର କିଛି ବିଶେଷତ୍ୱ ସହ ଉଦାହରଣ ଦିଆଯାଇଛି । ତୁମେ ତୁମ ସାଙ୍ଗମାନଙ୍କ ସହ ମିଶି ପତ୍ରର ବିଶେଷତ୍ୱ ସହ ଉଦାହରଣକୁ ରେଖା ମାଧ୍ୟମରେ ଯୋଡ଼ ।

ଭୂମିକା ନଂପତ୍ରର ବିଶେଷତ୍ୱପତ୍ରର ଉଦାହରଣ
୧.ବ୍ୟକ୍ତିଭିତ୍ତିକ : ଏହି ପତ୍ରରେ ଲେଖକ ନିଜର ବିଚାର, ଅନୁଭବ ଏବଂ ମନୋଭାବନାକୁ ପ୍ରମୁଖ ରୂପେ ଗ୍ରହଣ କରିଥାନ୍ତି ।ଶ୍ରୀଯୁକ୍ତ ସମ୍ବାଦପତ୍ରର ସମ୍ପାଦକ ମହୋଦୟ
୨.ଯୋଗାଯୋଗ ଭିତ୍ତିକ : ପତ୍ର ଯୋଗାଯୋଗର ଏକ ରୂପ; ପାଠକ ସହିତ ସିଧାସଳଖ ଯୋଗାଯୋଗ ହୋଇଥାଏ ।‘ଆପଣଙ୍କ ସେଆଡ଼େ ସାଧାରଣତଃ କୋଉ ମାସରେ ନାଚଗୀତ ଚାଲେ ?’
୩.ସ୍ୱାଭାବିକ ଶୈଳୀ : ଭାଷା କୃତ୍ରିମ ନୁହେଁ; ଭାବନାର ଅନୁରୂପ ହୋଇଥାଏ ।କାର୍ତ୍ତିକ ପୂର୍ଣ୍ଣମାଠୁ ବାହୁଡ଼ା (ରଥ) ଯାକେ ‘ଡମକଚ୍’ । ସେଥି ପୁଣି କାର୍ତ୍ତିକପୂର୍ଣ୍ଣମାୟାକେ ‘ଅଙ୍ଗନାଇ’ ଆଉ ‘ଝୁମର’ ।
୪.ବ୍ୟକ୍ତିଗତ ଅନୁଭବର ବର୍ଣ୍ଣନା : ଯେଉଁଥିରେ ଲେଖକ ନିଜର ବାସ୍ତବ ଅଭିଜ୍ଞତାକୁ ବର୍ଣ୍ଣନା କରିଥାଏ ।ତୁମର ବନ୍ଧୁ ନାମ-
୫.ସମ୍ବୋଧନ ବା ଅଭିବାଦନ : ପତ୍ରର ଆରମ୍ଭରେ ଯେଉଁ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ପତ୍ର ଲେଖାଯାଏ, ତାହାଙ୍କୁ ଆଦର ପୂର୍ବକ ସମ୍ୟାଧନ କରାଯାଏ ।ସମ୍ପାଦକ ମହୋଦୟ, ସତରେ ମୁଁ କରଞ୍ଜିଆରେ ରହିଯିବାକୁ ଇଚ୍ଛା କରୁଛି ।
୬.ସ୍ୱାକ୍ଷର : ଲେଖକ ପତ୍ରର ଶେଷରେ ନିଜର ନାମ କିମ୍ବା ସମସ୍ତଙ୍କୁ ସୂଚିତ କରି ପତ୍ରଟି ଶେଷ କରିଥାଏ ।ମୋତେ କର୍ତ୍ତୃଆର ସମାଜର ଲେଖକକୁ ବଡ଼ ଆନନ୍ଦ ଲାଗେ ।
୭.ଉପସଂହାର : ଲେଖକ ପତ୍ର ଶେଷ କରିଥାଏ କିମ୍ବା ନିଜର ଇଚ୍ଛାକୁ ନିବେଦନ କରିଥାଏ ।ମହାଶୟ ! ଏହିସବୁ ପର୍ବ କେବଳ ଆଦିବାସୀମାନେ ପାଳନ କରନ୍ତି ନାହିଁ, ପାଳନ ମଧ୍ୟ ମହାନ୍ତମାନେ ।
୮.ମୁଖ୍ୟ ବିଷୟବସ୍ତୁ : ପତ୍ରଟି ଯେଉଁ ଉଦ୍ଦେଶ୍ୟ ସାଧନ ପାଇଁ ଲେଖାଯାଇଥାଏ ।ଦେଖିଲି ଅପୂର୍ବ ଭଙ୍ଗୀ ସେ ନୃତ୍ୟର ।

ପତ୍ର

ତୁମେ ପତ୍ରର ବିଶେଷତ୍ୱ ସହ ଅଧିକବାକ୍ୟ ନିଜ ମନରୁ ଯୋଡ଼ ।

ତୁମେ ଯେଉଁ ଭ୍ରମଣ କାହାଣୀ ପଢ଼ିଛ, ତା'ର ଅନୁଭୂତି ବିଷୟରେ ନିକଟସ୍ଥ ସମ୍ବାଦପତ୍ରର ସମ୍ପାଦକଙ୍କ ନିକଟକୁ ପତ୍ର ଲେଖ ।

ଶବ୍ଦ ସହ ଶବ୍ଦ ଯୋଡ଼

ନିମ୍ନରେ ଦିଆଯାଇଥିବା ଖାଲି ସ୍ଥାନରେ ‘ଡମକଚ୍’ ଶବ୍ଦ ସହିତ ଯୋଡ଼ି ହେଉଥିବା ଶବ୍ଦକୁ ନିଜ ମନରୁ କିମ୍ବା ବହିରୁ ଆଣି ଲେଖ ।

ଲେଖିବାର ଅନନ୍ୟ ଉପାୟ

‘ଡମକଚ୍’ ଅଧ୍ୟାୟରେ ଲେଖକ କରଞ୍ଜିଆରେ ଭ୍ରମଣ କରୁଥିବା ସମୟରେ ନିଜର ଅନୁଭୂତିକୁ ସୁନ୍ଦରଭାବେ ନିଜସ୍ୱ ଶୈଳୀରେ ଉପସ୍ଥାପନ କରିଛନ୍ତି ।

ଯେପରି–

  • (୧) ଚଉଦ ପନ୍ଦରବର୍ଷର ସୁନ୍ଦର ଗୋଲଗାଲ କଳାମତମତ ପିଲାଟିଏ ।
  • (୨) ପିଲାଟା ନାଚିଲା ନାଇଁ ଖାଲି– ଗୀତଟିଏ ମଧ୍ୟ ବୋଲିଲା ।
  • (୩) ଆପଣଙ୍କ ଗୋଡ଼ ତୁଛେଇଁକି ଡେଇଁବ ।

ଉପରୋକ୍ତ ଧାଡ଼ିଗୁଡ଼ିକୁ ଭଲ ଭାବରେ ପଢ଼ନ୍ତୁ, ବହୁ ଦେଶଜ ଶବ୍ଦର ପ୍ରୟୋଗ ହୋଇଛି । ପାଠରୁ ତୁମେ ଦେଶକ ଶବ୍ଦ ବାଛି ତାଲିକା ପ୍ରସ୍ତୁତ କର ।

ଲେଖକ କେବଳ ନିଜସ୍ୱ ଶୈଳୀ ଦେଇନାହାନ୍ତି ବରଂ ଆମ ଭାଷାରୁ ଦୂରେଇ ଯାଉଥିବା ଦେଶଜ ଶବ୍ଦଗୁଡ଼ିକୁ ପାଠକମାନଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ।

ଅନ୍ୟ ଏକ ବିଶେଷ ଦିଗ ହେଉଛି, ଲେଖକ ସ୍ଥାନୀୟ ଭାଷାକୁ ଗୁରୁତ୍ୱ ଦେଇଥାନ୍ତି । ଯେପରି-

(୧) ଗୋମୁଲାକ୍ ଟୋଙ୍ଗରିମେ କା ମେଲା ଲାଗିଲା ।

(୨) ଯଦୁପତି ନଟବର ନନ୍ଦ ଛେକଲେଇଁ ତଗରେ ।

ପାଠରେ ରହିଥିବା ଏହିପରି ସ୍ଥାନୀୟ ଭାଷାକୁ ଖୋଜି ଲେଖ ।

ପାଠ୍ୟ ବହିର୍ଭୂତ

ତୁମକଥା

(୧) “ସେ ତାଳ ଆଉ ଧ୍ୱନି ଲୟରୁ ରାମ ନାମ ଶୁଣି ମନ ପବିତ୍ର ହୋଇଗଲା ।”

ତୁମେ କେବେ ଏହିଭଳି ପବିତ୍ର ଧୂନ (ସୁର) ଶୁଣିଛ କି ? ଏହା ସମାଜର ଅନ୍ୟ ଧୂନ (ସୁର) ମାନଙ୍କଠାରୁ କିପରି ଭିନ୍ନ ଲେଖ ।

(୨) “ଋତୁର ଗୁଣକୁ ନେଇ, ସମୟର ମୁଡ୍‌କୁ ନେଇ ସ୍ୱତନ୍ତ୍ର ଧରଣର ନୃତ୍ୟ, ସୁତନ୍ତ ଧରଣର ସଙ୍ଗୀତର ଆବଶ୍ୟକତା ଏ ଅଞ୍ଚଳର ଆଦିବାସୀ ଜାଣି ନେଇପାରିଛି ନା କ’ଣ !”

ତୁମେ ଋତୁର ଗୁଣ ଓ ସମୟର ମୁଡ୍‌କୁ ନେଇ କୌଣସି ନୃତ୍ୟ ଓ ଗୀତ ଶୁଣିଛ କି ? ଗୀତ ଓ ନୃତ୍ୟଗୁଡ଼ିକର ନାମ ଲେଖ । ତୁମ ଅଞ୍ଚଳରେ ଋତୁ ଅନୁସାରେ ହେଉଥିବା ନୃତ୍ୟଗୁଡ଼ିକର ତାଲିକା ପ୍ରସ୍ତୁତ କର ।

(୩) “ମାଦଲ ଶବ୍ଦ ଶୁଣି ନାହାନ୍ତି ଆଜ୍ଞା ? ସେ ମୃଦଙ୍ଗ ନୁହେଁ, ଢୋଲ ନୁହେଁ । ଆପଣଙ୍କ ଗୋଡ଼ ତୁଛେଇଁକି ଡେଇଁବ ।”

ତୁମ ଅଞ୍ଚଳରେ ଏପରି କିଛି ବାଦ୍ୟ ଅଛି, ଯାହା ବାଜିଲେ ଆପେ ଗୋଡ଼ ଉଠିଥାଏ, ତାହାର ତାଲିକା ପ୍ରସ୍ତୁତ କର ।

ପ୍ରକୃତିର ସୌନ୍ଦର୍ଯ୍ୟ ଏବଂ ସଂରକ୍ଷଣ

“ଏହାକୁ ଚାଙ୍ଗୁଡ଼ିରେ ରଖି ଅତି ସୁନ୍ଦରଭାବେ ସଜାଇ ଦିଅନ୍ତି ବଣଫୁଲରେ— କାକୁଡ଼ି, ଜହ୍ନିଫୁଲର ଗଜରାମାଳରେ।”

ତୁମେ ଭ୍ରମଣ କାହାଣୀରେ ପ୍ରକୃତିର ପୂଜା ବିଷୟରେ ପଢ଼ିଅଛ। ଯୁଗ ଯୁଗରୁ ଭାରତୀୟ ସଂସ୍କୃତି ପ୍ରକୃତିକୁ ପୂଜା କରିଆସୁଛି। ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛେ। ତୁମେ ବନ୍ଧୁମାନଙ୍କ ସହ ମିଶି ପ୍ରକୃତି ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ପୋଷ୍ଟର ତିଆରି କର।

ସ୍ୱାସ୍ଥ୍ୟ ଏବଂ ଯୋଗ

“ଯେଉଁମାନେ ଜୀବନକୁ ଦୁଃଖର ଗନ୍ତ്ധର ନକହି ଆନନ୍ଦର ଉତ୍ସ ମନେ କରନ୍ତି।”

ଆଜି ମଧ୍ୟ ଲୋକମାନେ ମାନସିକ ଶାନ୍ତି, ସ୍ୱାସ୍ଥ୍ୟ ଲାଭ ଏବଂ ଭକ୍ତି ପାଇଁ ତୀର୍ଥ ଏବଂ ପର୍ବତସ୍ଥଳକୁ ଯାତ୍ରା କରନ୍ତି। ମାନସିକ ଶାନ୍ତି ଓ ସ୍ୱାସ୍ଥ୍ୟ ପାଇଁ ଆମ ଦେଶରେ ହଜାର ହଜାର ବର୍ଷ ଧରି ଯୋଗ ଅଭ୍ୟାସର ପରଂପରା ରହିଛି। ଏହି ଯୋଗ ପରଂପରାକୁ ଅନୁଭବ କରିବାପାଇଁ ନିମ୍ନରେ ଯାହା ନିର୍ଦ୍ଦେଶ ଦିଆଯାଇଛି ତାହା ପାଳନ କର।

(କ) ୫ ମିନିଟ୍ ଧ୍ୟାନ କର କିମ୍ବା ନୀରବରେ ବସି, ତୁମ ଚାରିପାଖର ଶବ୍ଦ ଶୁଣ, ତୁମେ ଶ୍ୱାସକ୍ରିୟା ଉପରେ ଧ୍ୟାନ ଦିଅ ଏବଂ ଏକାଗ୍ର ହେବାକୁ ଚେଷ୍ଟା କର। ଏହି ଅଭିଜ୍ଞତା ବିଷୟରେ ଏକ ଅନୁଚ୍ଛେଦ ଲେଖ।

(ଖ) ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ, ତୁମ ସ୍କୁଲର କାର୍ଯ୍ୟକ୍ରମ ବିଷୟରେ ଏକ ‘ନୋଟିସ୍’ ଲେଖ, ଯାହାକୁ ନୋଟିସ୍ ବୋର୍ଡ଼ରେ ଲଗାଯାଇପାରିବ।

ବୃକ୍ଷ ହିଁ ଜୀବନ :

ତୁମେ ଜାଣ ଯେ ବୃକ୍ଷ ଆମ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆମର ନିଜସ୍ୱ କାର୍ଯ୍ୟ ଯୋଗୁଁ ସେଗୁଡ଼ିକ ଧୀରେ ଧୀରେ ହ୍ରାସ ପାଇବାକୁ ଯାଉଛନ୍ତି। ଆସ, ବୃକ୍ଷଲତାକୁ ଆମର ବନ୍ଧୁ କରିବା।

(କ) ଗୋଟିଏ ଚାରା ଲଗାଅ ଏବଂ ତାହାକୁ ଏପରି ପାଳନ କର ଯେ ଏହା କିଛି ବର୍ଷ ମଧ୍ୟରେ ଏକ ବଡ଼ ଗଛରେ ପରିଣତ ହେବ। ଏହାର ଏକ ନାମ ଦିଅ ଏବଂ ତା’ର ବନ୍ଧୁ ହୁଅ।

(ଖ) ପ୍ରତିଦିନ ବୃକ୍ଷଟିକୁ କିପରି ଯତ୍ନ ନେଉଛି ତୁମ ଦୈନନ୍ଦିନୀ ଖାତାରେ ଲେଖ।

ଶବ୍ଦ ଓ ତା'ର ବିଭିନ୍ନ ରୂପ

“ସ୍ତ୍ରୀଲୋକମାନେ ଏ ଜାୱାକୁ ମନେକରନ୍ତି ଅତି ପବିତ୍ର।”

ଆସ ଏକ ଆକର୍ଷଣୀୟ କାର୍ଯ୍ୟକଳାପ କରିବା। ‘ପବିତ୍ର’ ଶବ୍ଦକୁ କେନ୍ଦ୍ରରେ ରଖି ନିର୍ଦ୍ଦେଶ ଅନୁସାରେ ଶୂନ୍ୟସ୍ଥାନ ପୂରଣ କରିବା।

ଏହିପରି ତୁମେ ପାଠରୁ କିଛି ଶବ୍ଦ ଚୟନ କରି ସେଗୁଡ଼ିକର ବିଭିନ୍ନ ରୂପ ଲେଖ।

ଭ୍ରମଣ ଖର୍ଚ୍ଚ ଗଣନା

ତୁମେ ‘ଡମକଚ୍’ ଭ୍ରମଣକାହାଣୀ ପଢ଼ିଛ। ଠିକ୍ ସେହିପରି ଭାବେ ତୁମକୁ ଭ୍ରମଣ କରିବାକୁ ସୁଯୋଗ ଦିଆଯିବ। ସେହି ସ୍ଥାନକୁ ମନେରଖି, ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ।

(କ) ଧରାଯାଉ ତୁମକୁ ଯାତ୍ରା ପାଇଁ ୧୦୦୦ ଟଙ୍କା ଦିଆଯାଇଛି। ଏହି ଟଙ୍କାରୁ ଯାତ୍ରା ଓ ଖାଦ୍ୟରେ ଖର୍ଚ୍ଚ ହୋଇଥିବା ଅର୍ଥ ସମ୍ପର୍କରେ ଏକ ଖର୍ଚ୍ଚ ବିବରଣୀ ପ୍ରସ୍ତୁତ କର।

(ଖ) ଧରନ୍ତୁ ତୁମେ ଭ୍ରମଣ ସମୟରେ କିଛି ଜିନିଷ କିଣିବାକୁ ଚାହୁଁଛି, ତୁମେ କେଉଁ ଜିନିଷ କିଣିବ ଏବଂ କାହିଁକି ?

ସମସ୍ତଙ୍କ ପାଇଁ ଯାତ୍ରା

(କ) କଳ୍ପନା କର ତୁମେ ବନ୍ଧୁମାନଙ୍କ ସହ ଏକ ଭ୍ରମଣରେ ଯାଉଅଛି। ଏହି ଗୋଷ୍ଠୀ ମଧ୍ୟରେ ତୁମକୁ ତତ୍ତ୍ୱାବଧାରକ (ଗାଇଡ୍) ରୂପେ ଚୟନ କରାଯିବ। ସମସ୍ତଙ୍କ ଆରାମଦାୟକ ଭ୍ରମଣ ପାଇଁ ତୁମେ କେଉଁ କେଉଁ କାର୍ଯ୍ୟ ପ୍ରତି ଅଧିକ ଯତ୍ନଶାଳ ହେବ ? ତାହାର ଏକ ତାଲିକା ପ୍ରସ୍ତୁତ କର।

(କ) ଉପରୋକ୍ତ ଚିତ୍ରରେ ଭ୍ରମଣକାରୀଙ୍କର ଭିନ୍ନଭିନ୍ନ ଆବଶ୍ୟକତା ଥାଇପାରେ, ଏଗୁଡ଼ିକୁ ମନେରଖ। ତୁମେ ସେଠାରେ ପହଞ୍ଚିବା, ବୁଲିବା ଓ ଖାଦ୍ୟ ଇତ୍ୟାଦିରେ କିପରି ସାହାଯ୍ୟ କରିବ, ସେ ବିଷୟରେ ଭାବ। (ଖ) ତୁମେ କଥାବାର୍ତ୍ତା ନହୋଇ ଜଣେ ବନ୍ଧୁଙ୍କ ସହ ପ୍ରତ୍ୟେକ ମାଧ୍ୟମରେ ଯୋଗାଯୋଗ କର— ଏବେ ଚିନ୍ତାକର ଯେ ଜଣେ ଶ୍ରବଣ ବାଧିତ ବ୍ୟକ୍ତି ଯାତ୍ରା ସମୟରେ କ'ଣ ସବୁ ଆବଶ୍ୟକ କରିବେ ? (ଗ) ତୁମେ ଭ୍ରମଣ କରିବା ସମୟରେ ସ୍ଥାନ ବିଶେଷର ଐତିହ୍ୟର ସୁରକ୍ଷା ପାଇଁ କେଉଁ ବିଷୟରେ ଚିନ୍ତା କରିବ ଲେଖ।

ପାଠଟିକୁ ଭଲଭାବେ ପଢ଼, ବୁଝ ଓ ଠିକ୍ ରୂପେ ଶୂନ୍ୟସ୍ଥାନ ପୂରଣ କର।

(୧) ସେ ତାଳ ଆଉ ଧ୍ୱନି ଲୟରୁ ରାମନାମ ଶୁଣି ମନ ______ ହୋଇଗଲା। (୨) ______ ଗଛର ଡାଳଟିଏ ବଣରୁ ଅଣାହୋଇ ପୋତା ହେବ। (୩) କରମା ପୂଜାସ୍ଥଳ ______ ଥର ପରିକ୍ରମା କରନ୍ତି। (୪) ଆଶ୍ୱିନ ମାସରେ ପଡ଼ିବ ______ ପର୍ବ। (୫) ଯଦୁପତି ନଟବର ______ ବାଟ ଓଗାଳିଚନ୍ତି। (୬) ଏଇ ସମର୍ପଣ ହିଁ ଭାରତର ସତ୍ୟତା, ଭାରତର ______ ଆଉ କିଛି ନୁହେଁ। (୭) ______ ର ଲୋକସଙ୍ଗୀତ କ'ଣ ଏହିପରି ? (୮) କାର୍ତ୍ତିକ ପୂର୍ଣ୍ଣମାଠୁ ______ ଯାକେ ଡମକଚ୍।

ଝରକାରୁ

ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ‘କରଞ୍ଜିଆ ଡାଏରି’ ଭ୍ରମଣକାହାଣୀରୁ ଅନ୍ୟ ଏକ ଅଂଶ ନିମ୍ନରେ ଦିଆଗଲା। ଏହାକୁ ପଢ଼ ଏବଂ ସାଙ୍ଗମାନଙ୍କ ସହ ଆଲୋଚନା କର।

ପୁଞ୍ଜ ପଣ୍ଡା

ପୁଞ୍ଜ ପଣ୍ଡା ଅଶୀ ବର୍ଷର ବୃଦ୍ଧ । କିନ୍ତୁ ଶାରୀରିକ କ୍ଷମତା ଦୃଷ୍ଟିରୁ ସେ ଜଣେ ଖୁବ୍ ଶକତ ମଣିଷ । ତାଙ୍କୁ ରାତି ଅଧରେ ଭୋକ ଲାଗେ । ସେଇଠୁ ତାଙ୍କ ଶୋଇବା ଘରୁ ଶୁଭେ କଡ଼ମଡ଼ ଶବ୍ଦ । ଲୋକେ ଜାଣନ୍ତି ପୁଞ୍ଜ ରାତି ଅଧରେ ବୁଟ୍ ଚୋବାଏ । ଭଜା ବୁଟ୍ । ହଁ, ଅଶୀବର୍ଷ ବୟସରେ ବି କଡ଼ମଡ଼ କରି ବୁଟ୍ ଚୋବାଇବାକୁ ଭଗବାନ ତାକୁ ଦେଇଥାନ୍ତି ଦି' ଧାଡ଼ି ଶକତ ଶକତ ଦାନ୍ତ ।

କିନ୍ତୁ ମଣିଷର ଅସାଧାରଣତ୍ୱକୁ ମଣିଷମାନେ କ୍ୱଚିତ୍ ସହ୍ୟ କରିପାରନ୍ତି । ରାତି ଅଧରେ ଭୋକ, ପୁଣି ବୁଟ୍ ହେବେ— ଏସବୁ ଅସାଧାରଣ ଘଟଣା । ତା' ସାଙ୍ଗକୁ ପୁଞ୍ଜ ପଣ୍ଡା ଭଳି ଜଣେ ସାଧାରଣ ଦେଉଳିଆ ପଣ୍ଡା ଅଶୀବର୍ଷରେ ବି ରାତି ଅଧରେ କ୍ଷୁଧାର ଜ୍ୱାଳା ଭୋଗୃତି; ଆଉ ସେ କ୍ୱାଳା ଉପଶମ ପାଇଁ କାତୁମାତୁକିନା ବୁଟ୍‌ଗୁଡ଼ାକ ଚୋବାଇ ପକଉତି । ଏସବୁ ଶୁଣିଲେ କିଏ ବିରକ୍ତ ନ ହବ ?

ଅନୁସନ୍ଧାନ କର :

ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଏକ ପ୍ରସିଦ୍ଧ ଉପନ୍ୟାସ ହେଉଛି 'ଶତାବ୍ଦୀର ନଚିକେତା' । ଏହାକୁ ଗ୍ରନ୍ଥାଗାର କିମ୍ବା ଇଣ୍ଟରନେଟରୁ ଖୋଜି ପଢ଼ ଏବଂ ତୁମ ସହପାଠୀଙ୍କ ସହିତ ଆଲୋଚନା କର । ସୁଯୋଗ ପାଇଲେ ଲେଖକଙ୍କ "କରଞ୍ଜିଆ ଡାଏରି" ଭ୍ରମଣ କାହାଣୀ ପଢ଼ିବାପାଇଁ ଚେଷ୍ଟା କର ।