ଭାଗବତ ସୂକ୍ତି ସଂଗ୍ରହ

ଜଗନ୍ନାଥ ଦାସ

ଅନେକ ଜନ୍ମ ତପଫଳେ ।

ମନୁଷ୍ୟ ଜନ୍ମ ମହାତଳେ ॥

ତା ଜନ୍ମ ଧନ୍ୟ ଏ ସଂସାରେ ।

ଯେ ରହେ ପର ଉପକାରେ ॥

ଯେ ପ୍ରାଣୀ ପରେ ହିଂସା କରେ ।

ଦେବତା ପୂଜି ସେ ନ ତରେ ॥

ଅମୃତ ବିନୟ ବଚନ ।

କହି ତୋଷିବ ପ୍ରାଣୀମନ ॥

ଉତ୍ତମ ସଙ୍ଗେ ସଙ୍ଗଯାର ।

ସେ କରେ ଉତ୍ତମ ବେଭାର ॥

ସାକ୍ଷାତେ ଗୁରୁ ଯେ ଈଶ୍ୱର ।

ଗୁରୁଙ୍କୁ ନମଣିବ ନର ॥

ମହତେ ଯାହା ଆଚରିବେ ।

ଇତରେ ତାହାହିଁ କରିବେ ॥

ନିକଟେ ଥିଲେ ଅନାଦର ।

ଏହିଟି ସଂସାର ବେଭାର ॥

କର୍ମ କରଣେ ଫଳପାଇ ।

ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ ॥

ପରମ ଶାସ୍ତ୍ର ଭାଗବତ

ଅଭ୍ୟାସ କରୁଥିବ ନିତ୍ୟ ॥

## କବି ପରିଚୟ

ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଦାସ (ପଞ୍ଚଦଶ ଶତାବ୍ଦୀ ଶେଷାର୍ଦ୍ଧ-ଷୋଡ଼ଶ ଶତାବ୍ଦୀ ପ୍ରଥମାର୍ଦ୍ଧ) ହେଉଛନ୍ତି ଜଣେ ଅମର ସ୍ତମ୍ଭ। ଓଡ଼ିଆ ଜାତିପାଇଁ ଜଗନ୍ନାଥ ଦାସଙ୍କ ‘ଓଡ଼ିଆ ଭାଗବତ’ ଏକ ଅନନ୍ୟ ଅନୁପମ ଅବଦାନ। ଏହା ସଂସ୍କୃତଭାଷାର ‘ଶ୍ରୀମଦ୍‌ଭାଗବତ’ ଗ୍ରନ୍ଥର ଛାୟାରେ ରଚିତ। ମୋଟ ଉପରେ କହିବାକୁ ଗଲେ ଓଡ଼ିଆ ଭାଗବତ ଓଡ଼ିଶାର ସଂସ୍କୃତି ଓ ଜନଜୀବନର ଏକ ଅଭିନ୍ନ ଅଙ୍ଗ। ଓଡ଼ିଶାର ଜନସାଧାରଣ ଏହି ଗ୍ରନ୍ଥକୁ ଘରେଘରେ ପୂଜାକରି ଆସୁଛନ୍ତି। ଜଗନ୍ନାଥ ଦାସ ପୁରୀ ଜିଲ୍ଲାର କପିଳେଶ୍ୱରପୁର ଗ୍ରାମରେ ପିତା ଭଗବାନ ଦାଶ ଓ ମାତା ପଦ୍ମାବତୀ ଦେବୀଙ୍କର କୋଳମଣ୍ଡନ କରିଥିଲେ। ସେ ଓଡ଼ିଆ ଭାଗବତ ବ୍ୟତୀତ ‘ଅର୍ଥ କୋଇଲି’, ‘ଗୁପ୍ତ ଭାଗବତ’, ‘ତୁଳାଭିଣା’, ‘ଦାରୁବ୍ରହ୍ମ ଗୀତା’, ‘ଶୈବାଗମ ଭାଗବତ’ ଇତ୍ୟାଦି ପ୍ରାୟ ଷାଠିଏ ଖଣ୍ଡରୁ ଊର୍ଦ୍ଧ୍ୱ ସଂଖ୍ୟକ ଗ୍ରନ୍ଥ ରଚନା କରିଥିବାର ସୂଚନା ମିଳେ। ପ୍ରସ୍ତୁତ ପାଠ୍ୟାଂଶଟି ଜଗନ୍ନାଥ ଦାସଙ୍କ ପ୍ରଣୀତ ଓଡ଼ିଆ ଭାଗବତ ଗ୍ରନ୍ଥର ବିଭିନ୍ନ ସ୍ତମ୍ଭରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ବେଶ ଶିକ୍ଷଣୀୟ ତଥା ବିଶେଷ ଉପଯୋଗୀ ଦଶଗୋଟି ପଦ ଉଦ୍ଧାର କରାଯାଇଛି।

## ପାଠ୍ୟ ଅନ୍ତର୍ଗତ

## ମୋ ବୁଝିବାରେ

ଆସ କବିତାକୁ ଭଲଭାବେ ପଢ଼ିବା, ବୁଝିବା ଓ ଭଲରେ ଲେଖିବା।

(କ) ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା (★) ଚିହ୍ନ ଦେବା।

(୧) ଅନେକ ଜନ୍ମ ତପଫଳେ।

ମନୁଷ୍ୟ ଜନ୍ମ ମହାତଳେ ॥

କାହା ଯୋଗୁଁ ପୃଥିବୀରେ ମନୁଷ୍ୟ ଜନ୍ମ ଲାଭ କରେ ବୋଲି ଉପରିଲିଖିତ ପଦରେ କୁହାଯାଇଛି ?

  • ପ୍ରକୃତିର ନିୟମ ଅନୁସାରେ।

  • ସୃଷ୍ଟିକର୍ତ୍ତାଙ୍କ ଅପାର କରୁଣା ଯୋଗୁଁ।

  • ଅନେକ ଜନ୍ମର ତପସ୍ୟା ଫଳ ଯୋଗୁଁ।

  • ପିତାମାତାଙ୍କ ଯୋଗୁଁ।

(୨) ତା' ଜନ୍ମ ଧନ୍ୟ ଏ ସଂସାରେ ।

ଯେ ରହେ ପର ଉପକାରେ ॥

ଏ ସଂସାରରେ କାହାର ଜନ୍ମ ଧନ୍ୟ ହୋଇଥାଏ ?

  • (କ) ଯିଏ ସବୁବେଳେ ପରର ଉପକାର କରୁଥାଏ ।

  • (ଖ) ଯିଏ ଅନେକ ଧନସମ୍ପଦର ଅଧିକାରୀ ହୋଇଥାଏ ।

  • (ଗ) ଯିଏ ସର୍ବଦା ନିଜର ଉନ୍ନତି କଥା ଚିନ୍ତା କରୁଥାଏ ।

  • (ଘ) ଯିଏ ପରର ଉପକାର କଥା ଚିନ୍ତା ବି କରେ ନାହିଁ ।

(୩) ଯେ ପ୍ରାଣୀ ପରେ ହିଂସା କରେ ।

ଦେବତା ପୂଜି ସେ ନ ତରେ ॥

କେଉଁ ପ୍ରାଣୀ ଦେବତାଙ୍କୁ ପୂଜା କଲେ ମଧ୍ୟ ସଂସାରରୁ ମୁକ୍ତି ପାଏ ନାହିଁ ବୋଲି ଉପରିଲିଖିତ ପଦରୁ ପ୍ରକାଶ ପାଇଛି ?

  • (କ) ଯେଉଁ ମନୁଷ୍ୟ ପିତାମାତାଙ୍କ କଥା ମାନେ ନାହିଁ ।

  • (ଖ) ଯେଉଁ ମନୁଷ୍ୟ ଅନ୍ୟର ଧନ ସମ୍ପଦ ଦେଖି ଈର୍ଷା କରେ ।

  • (ଗ) ଯେଉଁ ମନୁଷ୍ୟ ପରକୁ ହିଂସା କରୁଥାଏ ।

  • (ଘ) ଯେଉଁ ମନୁଷ୍ୟ ନିଜର ଜ୍ଞାତି କୁଟୁମ୍ବକୁ ଈର୍ଷା କରେ ।

(୪) ଅମୃତ ବିନୟ ବଚନ ।

କହି ତୋଷିବ ପ୍ରାଣୀମନ ॥

ପ୍ରାଣୀର ମନକୁ କିପରି ଭାବେ ସନ୍ତୁଷ୍ଟ କରିହେବ ବୋଲି ଉକ୍ତ ପଦରେ କୁହାଯାଇଛି ?

  • (କ) ଭଲ ଭଲ ଖାଦ୍ୟ ଖାଇବାକୁ ଦେଇ ।

  • (ଖ) ବିନମ୍ରତାର ସହ ମଧୁରକଥା କହି ।

  • (ଗ) ମନୁଷ୍ୟର ସେବା ଶୁଶ୍ରୂଷା କରି ।

  • (ଘ) ଯେକୌଣସି ପ୍ରକାରେ ପ୍ରଲୋଭନ ଦେଖାଇ ।

(୫) ଉତ୍ତମ ସଙ୍ଗେ ସଙ୍ଗ ଯାର ।

ସେ କରେ ଉତ୍ତମ ବେଭାର ॥

କେଉଁଭଳି ବ୍ୟକ୍ତିଙ୍କ ସାଥିରେ ମିଳାମିଶା କଲେ ତାଙ୍କଠାରୁ ଉତ୍ତମ ବ୍ୟବହାର ଶିକ୍ଷାଲାଭ କରିହୁଏ ?

(କ) ଭଲମନ୍ଦ ବିଚାର ନକରି ଅନ୍ୟ ସହିତ ମିଳାମିଶା କଲେ ।

(ଖ) ଉଚ୍ଚ ପଦପଦବୀ ଧାରୀ ବ୍ୟକ୍ତି ସହିତ ମିଳାମିଶା କଲେ ।

(ଗ) ବଳବାନ ଲୋକ ସହିତ ମିଳାମିଶା କଲେ ।

(ଘ) ଉତ୍ତମ ଲୋକ ସହିତ ମିଳାମିଶା କଲେ ।

(୬) ସାକ୍ଷାତେ ଗୁରୁ ଯେ ଈଶ୍ୱର ।

ଗୁରୁଙ୍କୁ ନମଣିବ ନର ॥

ଗୁରୁଙ୍କୁ ଈଶ୍ୱରଙ୍କ ସହିତ କାହିଁକି ତୁଳନା କରାଯାଇଛି ?

(କ) ଗୁରୁ ଈଶ୍ୱରଙ୍କ ଭଳି ଶିଷ୍ୟର ସର୍ବଦା ମଙ୍ଗଳ କାମନା କରୁଥିବାରୁ ।

(ଖ) ଗୁରୁ ଶିଷ୍ୟକୁ ସବୁବେଳେ ପାଠ ପଢ଼ାଉଥିବାରୁ ।

(ଗ) ଗୁରୁ ଶିଷ୍ୟକୁ ସତ୍ ଉପଦେଶ ଦେଇ ଆକଟ କରୁଥିବାରୁ ।

(ଘ) ଗୁରୁ ପିତାମାତାଙ୍କ ଅପେକ୍ଷା ଶିଷ୍ୟ ପାଇଁ ଅଧିକ ସମୟ ପରିଶ୍ରମ କରୁଥିବାରୁ ।

(୭) ମହତେ ଯାହା ଆଚରିବେ ।

ଇତରେ ତାହାହିଁ କରିବେ ॥

ଇତରଲୋକେ ମହତବ୍ୟକ୍ତିଙ୍କୁ କାହିଁକି ଅନୁସରଣ କରନ୍ତି ?

(କ) ଉଚ୍ଚ ପଦପଦବୀରେ ଥିବାରୁ ।

(ଖ) ବୟସରେ ବଡ଼ ହୋଇଥିବାରୁ ।

(ଗ) ବିବେକବାନ ସଜ୍ଜନ ହୋଇଥିବାରୁ ।

(ଘ) ବହୁଳ ଧନସମ୍ପଦର ଅଧିକାରୀ ହୋଇଥିବାରୁ ।

(୮) ନିକଟେ ଥିଲେ ଅନାଦର ।

ଏହିଟି ସଂସାର ବେଭାର ॥

ନିକଟରେ ଚଳପ୍ରଚଳ ହେଉଥିବା ବ୍ୟକ୍ତିଙ୍କୁ ଲୋକେ ଆଦର ନକରିବାର କାରଣ କ'ଣ ?

(କ) ଅତି ପରିଚିତ ବ୍ୟକ୍ତି ସବୁ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବାରୁ ।

(ଖ) ନିକଟରେ ଥିବା ବ୍ୟକ୍ତିକୁ ଭଲ ଭାବରେ ଜାଣିପାରୁ ଥିବାରୁ ।

(ଗ) ନିକଟରେ ଥିବା ବ୍ୟକ୍ତିକୁ ଜାଣିବା କଷ୍ଟକର ହୋଇଥିବାରୁ ।

(ଘ) ସାଂସାରିକ ବ୍ୟକ୍ତିମାନେ ଅତି ପରିଚିତ ବ୍ୟକ୍ତିକୁ ଗୁରୁତ୍ୱ ଦେଉ ନଥିବାରୁ ।

(୯) କର୍ମ କରଣେ ଫଳପାଇ ।

ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ ॥

ଏହି ପଦରୁ କେଉଁ ବାର୍ତ୍ତା ପ୍ରକାଶ ପାଉଛି ?

(କ) ଭଲ କର୍ମ କଲେ ମନ୍ଦ କର୍ମର ଫଳ ମିଳେ ନାହିଁ ।

(ଖ) କର୍ମଫଳ ନିଶ୍ଚିତଭାବେ ଭୋଗିବାକୁ ପଡ଼େ ।

(ଗ) ମନ୍ଦ କର୍ମ ଭଲ କର୍ମକୁ ନଷ୍ଟ କରିଦିଏ ।

(ଘ) କର୍ମ ସହିତ ଫଳର କିଛି ହେଲେ ସମ୍ପର୍କ ନାହିଁ ।

(ଖ) ତୁମର ସାଙ୍ଗମାନେ ଭିନ୍ନଭିନ୍ନ ଉତ୍ତର ବାଛି ଥାଇପାରନ୍ତି, ତୁମେ ଏହି ଉତ୍ତରଗୁଡ଼ିକ କାହିଁକି ବାଛିଲ ତାହା ତୁମ ସାଙ୍ଗସାଥୀମାନଙ୍କ ସହିତ ଆଲୋଚନା କର ।

## ମିଳିମିଶି ଯୋଡ଼ିବା

‘କ’ ସ୍ତମ୍ଭରେ କେତେଗୁଡ଼ିଏ ପଦ ଦିଆଯାଇଛି । ‘ଖ’ ସ୍ତମ୍ଭରେ ସେଗୁଡ଼ିକର ଅର୍ଥ ଦିଆଯାଇଛି । ଠିକ୍ ପଦ ସହିତ ଠିକ୍ ଅର୍ଥ ‘ଖ’ ସ୍ତମ୍ଭରୁ ବାଛି ରେଖା ଟାଣି ଯୋଗ କରିବା ।

|  ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ  |

| --- | --- |

|  (୧) ତା’ ଜନ୍ମ ଧନ୍ୟ ଏ ସଂସାରେ । ଯେ ରହେ ପର ଉପକାରେ ॥ | (୧) ଉତ୍ତମ ମନୁଷ୍ୟ ସହିତ ଯେ ମିଳାମିଶା କରେ ସେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିଥାଏ ।  |

|  (୨) ଯେ ପ୍ରାଣୀ ପରେ ହିଂସା କରେ । ଦେବତା ପୂଜି ସେ ନ ତରେ ॥ | (୨) ଗୁରୁଙ୍କ କୃପାବିନା ଶିଷ୍ୟର କେବେ ହେଲେ ଉନ୍ନତି ସମ୍ଭବ ହୋଇନଥାଏ । ତେଣୁ ଗୁରୁଙ୍କୁ ଭଗବାନଙ୍କ ସହିତ ତୁଳନା କରାଯାଇଛି ।  |

|  (୩) ଉତ୍ତମ ସଙ୍ଗେ ସଙ୍ଗଯାର । ସେ କରେ ଉତ୍ତମ ବେଭାର ॥ | (୩) ଯିଏ ପରର ଉପକାର ସାଧନ ପାଇଁ ନିଜକୁ ନିଯୋଗ କରିଥାଏ ତା’ର ଜନ୍ମ ଏ ସଂସାରରେ ଧନ୍ୟ ବୋଲି ଗଣାଯାଏ ।  |

|  (୪) ସାକ୍ଷାତେ ଗୁରୁ ଯେ ଈଶ୍ୱର । ଗୁରୁଙ୍କୁ ନମଣିବ ନର ॥ | (୪) ଯେଉଁ ପ୍ରାଣୀ ସବୁବେଳେ ଅନ୍ୟକୁ ହିଂସା କରୁଥାଏ, ସେ ଦେବତାଙ୍କୁ ଯେତେ ପୂଜା କଲେ ମଧ୍ୟ ସଂସାରରୁ ତରି ନଥାଏ ।  |

|  (୫) ମହତେ ଯାହା ଆଚରିବେ । ଇତରେ ତାହାହିଁ କରିବେ ॥ | (୫) ମନୁଷ୍ୟ ଯେଉଁ କର୍ମ କରିଥାଏ, ତାକୁ ସେହି କର୍ମର ଫଳ ନିଶ୍ଚିତ ଭାବେ ଭୋଗ କରିବାକୁ ପଡ଼ିଥାଏ ।  |

|  (୬) କର୍ମ କରଣେ ଫଳପାଇ । ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ ॥ | (୬) ମହତ ବ୍ୟକ୍ତିର ଆଚାର ବ୍ୟବହାର ଏବଂ ମହତକାର୍ଯ୍ୟ ପ୍ରତି ଅନ୍ୟଲୋକେ ଆକର୍ଷିତ ହୋଇ ସେହି କାର୍ଯ୍ୟ କରିଥାନ୍ତି ।  |

(ଖ) ନିମ୍ନର ‘କ’ ସ୍ତମ୍ଭରେ ଥିବା ପାଦକୁ ‘ଖ’ ସ୍ତମ୍ଭରେ ଥିବା ଉପଯୁକ୍ତ ପାଦ ସହିତ ଯୋଡ଼ି ସମ୍ପୂର୍ଣ୍ଣ ପଦଟିକୁ ଲେଖ ।

|  ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ  |

| --- | --- |

|  (୧) ଅନେକ ଜନ୍ମ ତପଫଳେ । | (୧) କହି ତୋଷିବ ପ୍ରାଣୀମନ ॥  |

|  (୨) ତା’ ଜନ୍ମ ଧନ୍ୟ ଏ ସଂସାରେ । | (୨) ସେ କରେ ଉତ୍ତମ ବେଭାର ॥  |

|  (୩) ଅମୃତ ବିନୟ ବଚନ । | (୩) ଏହିଟି ସଂସାର ବେଭାର ॥  |

|  (୪) ଉତ୍ତମ ସଙ୍ଗେ ସଙ୍ଗଯାର । | (୪) ମନୁଷ୍ୟ ଜନ୍ମ ମହାତଳେ ॥  |

|  (୫) ସାକ୍ଷାତେ ଗୁରୁ ଯେ ଈଶ୍ୱର । | (୫) ଯେ ରହେ ପର ଉପକାରେ ॥  |

|  (୬) ମହତେ ଯାହା ଆଚରିବେ । | (୬) ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ ॥  |

|  (୭) ନିକଟେ ଥିଲେ ଅନାଦର । | (୭) ଦେବତା ପୂଜି ସେ ନ ତରେ ॥  |

|  (୮) କର୍ମ କରଣେ ଫଳପାଇ । | (୮) ଗୁରୁଙ୍କୁ ନମଣିବ ନର ॥  |

|  (୯) ଯେ ପ୍ରାଣୀ ପରେ ହିଂସା କରେ । | (୯) ଇତରେ ତାହାହିଁ କରିବେ ॥  |

## କବିତାର ପଦଗୁଡ଼ିକ ଆଲୋଚନା କରିବା

ଧ୍ୟାନର ସହିତ ନିମ୍ନଲିଖିତ ପଦଗୁଡ଼ିକୁ ପଢ଼ିବା । ତା’ର ଠିକ୍ ଅର୍ଥ ବୁଝି, ଦଳ ମଧ୍ୟରେ ସାଙ୍ଗମାନଙ୍କ ସହ ଆଲୋଚନା କରିବା ଏବଂ ଲେଖିବା ।

  • (କ) ଅମୃତ ବିନୟ ବଚନ ।

କହି ତୋଷିବ ପ୍ରାଣୀମନ ॥

  • (ଖ) ସାକ୍ଷାତେ ଗୁରୁ ଯେ ଈଶ୍ୱର ।

ଗୁରୁଙ୍କୁ ନମଣିବ ନର ॥

## ଭାବିଚିନ୍ତି ଲେଖିବା

ନିମ୍ନଲିଖିତ ପଦଗୁଡ଼ିକୁ ଆଉଥରେ ମନଦେଇ ପଢ଼ିବା, ବୁଝିବା ଓ ସାଙ୍ଗମାନଙ୍କ ସହିତ ଆଲୋଚନା କରି ଲେଖିବା ।

(କ) ‘ତା ଜନ୍ମ ଧନ୍ୟ ଏ ସଂସାରେ ।

ଯେ ରହେ ପର ଉପକାରେ ॥’

ଅର୍ଥ : ଯେଉଁ ମଣିଷ ଅନ୍ୟର ଉପକାର କରୁଥାଏ, ତା’ର ଜୀବନ ଜଗତରେ ଧନ୍ୟ ବୋଲି ଗଣାଯାଏ ।

ପ୍ରଶ୍ନ : ତୁମେ ଏହି ଉତ୍ତର ସହିତ ଏକମତ କି ?

ସଂକ୍ଷେପରେ ଉଦାହରଣ ଦେଇ ନିଜର ମତାମତ ଲେଖିବା ।

(ଖ) ‘ଉତ୍ତମ ସଙ୍ଗେ ସଙ୍ଗଯାର ।

ସେ କରେ ଉତ୍ତମ ବେଭାର ॥’

ଅର୍ଥ : ଉତ୍ତମ ମଣିଷ ସାଙ୍ଗରେ ସାଙ୍ଗହେବା ଫଳରେ ସେହି ବ୍ୟକ୍ତି ମଧ୍ୟ ତା’ଠାରୁ ଉତ୍ତମ ବ୍ୟବହାର ଶିକ୍ଷା କରି ତାହା ଆଚରଣରେ ପ୍ରଦର୍ଶନ କରିଥାଏ ।

ପ୍ରଶ୍ନ : ଏହା କ’ଣ ସତ୍ୟ ? ତୁମେ ତୁମ ଜୀବନରେ ଏପରି କେବେ ଅନୁଭବ କରିଛ କି ? ତୁମର ସେଇ ଅନୁଭବକୁ ସଂକ୍ଷେପରେ ଲେଖ ।

(ଗ) ‘କର୍ମ କରଣେ ଫଳପାଇ ।

ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ ॥’

ଅର୍ଥ : ଏଠାରେ କର୍ମର ପ୍ରାଧାନ୍ୟ ଦିଆଯାଇଛି । ଯିଏ ଯେଉଁଭଳି କାର୍ଯ୍ୟକରେ ତା’ର ଫଳ ସେହି ପ୍ରାଣୀ ନିଶ୍ଚିତ ଭାବେ ଭୋଗ କରିଥାଏ ।

ପ୍ରଶ୍ନ : ତୁମେ ତୁମର ପାଠପଢ଼ା ଉପରେ ବିଚାର କର ? ନିଜ କର୍ମର ଫଳ ସେଇ ଅନୁଯାୟୀ କେତେ ପାଇବ ତାହା ମଧ୍ୟ କଳନା କର । ଏଥର ନିଜର ଅନୁଭବ ସମ୍ପର୍କରେ ସଂକ୍ଷେପରେ ଲେଖ ।

# ପଦର ରଚନା

‘ମହତେ ଯାହା ଆଚରିବେ ।

ଇତରେ ତାହାହିଁ କରିବେ ।’

ଉପରିଲିଖିତ ପଦର ଦୁଇ ପାଦ ପ୍ରତି ଧ୍ୟାନ ଦେବା । ଉକ୍ତପଦର ପ୍ରଥମ ପାଦରେ ‘ମହତେ’ ଓ ଦ୍ୱିତୀୟ ପାଦରେ ‘ଇତରେ’ ଉଭୟ ପଦ ଆରମ୍ଭରେ ରହି ପଦଟିକୁ ବେଶ୍ ପ୍ରଭାବଶାଳୀ କରିପାରୁଛନ୍ତି ।

ଏହାର ଅର୍ଥ ମହତେ – ମହତ ଲୋକମାନେ, ଇତରେ–ସାଧାରଣ ଲୋକମାନେ ସେହିପରି ପଠିତ ସୂକ୍ତି ସଂଗ୍ରହରେ ଅନେକ ବୈଶିଷ୍ଟ୍ୟ ଆମେ ଦେଖିପାରିବା ।

ବୈଶିଷ୍ଟ୍ୟଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିବା ।

(୧) ଦୁଇପାଦରେ ଗୋଟିଏ ପଦ ଗଠନ କରାଯାଇଛି । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ନିର୍ଦ୍ଦିଷ୍ଟ ଏବଂ ନଅ ଅକ୍ଷର ବିଶିଷ୍ଟ ।

(୨) ପ୍ରତ୍ୟେକ ପାଦ ପଠନ ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ବିନିଯୋଗ ହୋଇଥାଏ ।

(୩) ପଦଗୁଡ଼ିକ ଭାଗବତ ବାଣୀ ବା ଗୁଜ୍ଜରୀ ଛନ୍ଦରେ ଲିଖିତ ।

(୪) ପ୍ରତ୍ୟେକ ପାଦର ଶେଷ ଅକ୍ଷର ସମାନ ଥିବାରୁ ଏହାକୁ ପ୍ରାନ୍ତ ମିଳନ କୁହାଯାଏ । ପୁଣି କେତେକ ସ୍ଥାନରେ ଅନ୍ତଅକ୍ଷରର ପୂର୍ବ ଅକ୍ଷର ଅଥବା ପୂର୍ବସ୍ୱର ସମାନ ରହିଛି ଏହାକୁ ଉପାଧା ମିଳନ କୁହାଯାଏ ।

(୫) ଉପାଧା ଅର୍ଥ ଉପାନ୍ତ୍ୟବର୍ଣ୍ଣ (ଅନ୍ତ ର ପୂର୍ବବର୍ଣ୍ଣ) ଏକା ଅଟେ । ଯଥା– କରିବେ – ଆଚରିବେ । ର + ଇ + ବ + ଏ, ର + ଇ + ବ + ଏ ଅନ୍ତବର୍ଣ୍ଣ ପୂର୍ବରୁ ସ୍ୱରବର୍ଣ୍ଣ ‘ଇ’ ଉଭୟ ପାଦରେ ରହିଛି ।

(୬) ଗାୟନ ସମୟରେ ତୃତୀୟ, ପଞ୍ଚମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ । ଯତିପାତ ଅର୍ଥ ରଚନା ବା ଛନ୍ଦର ବିଭିନ୍ନ ସ୍ଥାନରେ ବିରାମ ବା ବିଶ୍ରାମର ନିୟମିତତା । ୩ + ୨ + ୪ = (ଯତିପାତ କ୍ରମର ଅକ୍ଷର ସଂଖ୍ୟା)

(୭) ପଦମାନଙ୍କ ମଧ୍ୟରେ ଏକପ୍ରକାର ଶବ୍ଦ ଥରକୁ ଥର କିମ୍ବା ଦୁଇଥର ବ୍ୟବହାର କରାଯାଇଛି । ଯଥା– ଜନ୍ମ ଓ ବେଭାର

(୮) ଏଠାରେ ସମାନ ଦୁଇଟି ପଦର ଗୋଟିଏରେ ‘େ’ ଏକାର ଯୋଗ ହେବା ଫଳରେ ଏହାର ପ୍ରାସିକ ପ୍ରୟୋଗରୁ ଭିନ୍ନ ଅର୍ଥ ପ୍ରକାଶ ପାଉଛି । ଯଥା– ସଙ୍ଗ – ସଙ୍ଗ ।

ଉପରିଲିଖିତ ବୈଶିଷ୍ଟ୍ୟଗୁଡ଼ିକ କେଉଁକେଉଁ ପଦରେ ରହିଛି ତାହା ଲେଖିବା ।

# ଅନୁମାନ ଓ କଳ୍ପନା

ଆସ ସମସ୍ତେ ମିଳିମିଶି ଆଲୋଚନା କରିବା ।

(କ) ‘ଅମୃତ ବିନୟ ବଚନ ।

କହି ତୋଷିବ ପ୍ରାଣୀମନ ।’

  • ଯଦି ସମସ୍ତେ ନିଜର କଥାକୁ କୋମଳ ତଥା ବିନୀତ ଭାବରେ ପ୍ରକାଶ କରିବେ, ତେବେ ଶୁଣୁଥିବା ଲୋକଙ୍କ ମନରେ କି ଭାବ ଜାଗ୍ରତ ହେବ ।

  • ବିନୟ ବଚନ କହୁନଥିବା ବ୍ୟକ୍ତିର କି କ୍ଷତି ହେବ ବୋଲି ଭାବୁଛ ?

  • ଏହିଭଳି ଯଦି ସମାଜରେ ସଭିଏଁ କଥାବାର୍ତ୍ତା କରିବେ ତେବେ ସମାଜର କି ପରିବର୍ତ୍ତନ ହୋଇପାରିବ ?

  • ବିନୟ ବଚନକୁ ‘ଅମୃତ’ ପଦ ସହିତ ଯୋଗ କାହିଁକି କରାଯାଇଛି ?

(ଖ) ‘ଉତ୍ତମ ସଙ୍ଗେ ସଙ୍ଗଯାର ।

ସେ କରେ ଉତ୍ତମ ବେଭାର ।’

  • ଯଦି ଜଣେ ବ୍ୟକ୍ତି ଉତ୍ତମ ମଣିଷ ସାଥିରେ ସବୁବେଳେ ସାଙ୍ଗ ହେଲା, ତାଙ୍କଠାରୁ ଉତମ ବ୍ୟବହାର ଶିକ୍ଷା କରିବ । ସେହିପରି ଯଦି ଜଣେ ଦୁର୍ଜନ ସାଥିରେ ସାଙ୍ଗହେଲା, ତେବେ ତା’ ଗୁଣରେ କି ପରିବର୍ତ୍ତନ ହେବ ?

  • ଯଦି ସମାଜରେ ଉତ୍ତମ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୁଦ୍ଧିପାଏ ତେବେ ସମାଜର କି ଉନ୍ନତି ସାଧିତ ହୋଇପାରିବ ?

  • ତୁମେ ଯଦି ତୁମ ଶ୍ରେଣୀର ଜଣେ ଉତ୍ତମ ସାଙ୍ଗ ସହିତ ମିଳାମିଶା କର, ତେବେ ତୁମର ସ୍ୱଭାବରେ କି ପରିବର୍ତ୍ତନ ଆସିବ ?

  • ନୀଚ ବ୍ୟକ୍ତିର ସଙ୍ଗତି ଫଳରେ କ’ଣ କ୍ଷତି ହେବ ବୋଲି ତୁମେ ଭାବୁଛ ।

(ଗ) ‘ସାକ୍ଷାତେ ଗୁରୁ ଯେ ଈଶ୍ୱର ।

ଗୁରୁଙ୍କୁ ନମଣିବ ନର ।’

  • • ଗୁରୁଙ୍କୁ ଅବହେଳା କଲେ ଶିଷ୍ୟର ଅବନତି ହେବ ବୋଲି କାହିଁକି ଭାବୁଛ ?

  • • ଗୁରୁଦିବସ ଦିନ ଗୁରୁପୂଜା କଲେ ତୁମମାନଙ୍କ ମନରେ ଗୁରୁଙ୍କ ପ୍ରତି କେଉଁ ଭଳି ଭାବନା ଜାଗ୍ରତ ହୁଏ ଭାବ ?

  • • ଗୁରୁ ଜଣେ ସାଧାରଣ ମଣିଷ ନୁହନ୍ତି । ଗୁରୁଙ୍କର କେଉଁ କାର୍ଯ୍ୟ ଦେଖି ତୁମେ ଏଭଳି କଥାକୁ ଗ୍ରହଣ କରୁଛ ?

  • • ଈଶ୍ୱର ଆମ ପାଇଁ କ'ଣ କ'ଣ କରନ୍ତି ? ଗୁରୁ ଆମ ପାଇଁ କ'ଣ କ'ଣ କରିପାରିବେ ? ସାଙ୍ଗମାନଙ୍କ ସହିତ ଆଲୋଚନା କର ।

(ଘ) ‘ନିକଟେ ଥିଲେ ଅନାଦର ।

ଏହିଟି ସଂସାର ବେଭାର ॥’

  • • ଆମର କଥାରେ ଅଛି ‘ଅତି ପରିଚୟେ ଗୌରବ ନଷ୍ଟ’ ଏହି ପ୍ରବଚନ ସହିତ ଉପରିଲିଖିତ ପଦର କିପରି ସମ୍ପର୍କ ଅଛି ସାଙ୍ଗମାନଙ୍କ ସହ ମିଶି ଆଲୋଚନା କରିବା ।

  • • ଜଣେ ଜ୍ଞାନୀ ଗୁଣୀ ବ୍ୟକ୍ତିଙ୍କ ସହ ଅତି ପରିଚିତ ଥିଲେ ମଧ୍ୟ ତାଙ୍କ ପ୍ରତି ତୁମର ଭାବନା କିମ୍ବା ବ୍ୟବହାର କିପରି ରହିବା ଉଚିତ ହେବ ?

  • • ଯଦି ଜଣେ ସମ୍ମାନାସ୍ପଦ, ଜ୍ଞାନୀ, ଗୁଣୀ ବ୍ୟକ୍ତିଙ୍କ ସହିତ ଅତି ପରିଚିତ ହେତୁ ଅବମାନନା କରାଯାଏ, ତେବେ ସମାଜର କି କ୍ଷତି ହେବ ?

  • • ‘ଦୂରପର୍ବତ ସୁନ୍ଦର’ ପ୍ରବଚନଟିର ଏ କ୍ଷେତ୍ରରେ କିପରି ସାମଞ୍ଜସ୍ୟ ରହୁଛି ବୋଲି ଭାବୁଛ, ନିଜ ଅନୁଭୂତିରୁ କିଛି କହିବା ।

ପ୍ରବଚନ—

ଓଡ଼ିଆ ଭାଷାରେ ଲୋକବାଣୀ ଲୋକଙ୍କ ମୁହଁରେ ବଞ୍ଚିରହିଛି । ଏହାର ଅନ୍ୟନାମ ହେଲା ପ୍ରବାଦ କିମ୍ବା ପ୍ରବଚନ । ଏମାନେ କଥିତ ଭାଷାରେ ବିଶେଷତ୍ୱରେ ପ୍ରଚଳିତ ଜନପ୍ରିୟ ଉକ୍ତି । ସମାଜରେ ଶିକ୍ଷାଦାନ ଉଦ୍ଦେଶ୍ୟରେ ଏହାର ବହୁଳ ପ୍ରୟୋଗ ହୋଇଥାଏ । ଏହା ହେଉଛି ବାକ୍ୟ ଓ ଖଣ୍ଡବାକ୍ୟ ।

(ଙ) ‘କର୍ମ କରଣେ ଫଳପାଇ ।

ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ ॥’

  • • କଠିନ ପରିଶ୍ରମ କରି ମଧ୍ୟ ପରୀକ୍ଷାରେ ସନ୍ତୋଷଜନକ ଫଳ ନମିଳିଲେ, ତୁମର ପରବର୍ତ୍ତୀ କର୍ତ୍ତବ୍ୟ କ'ଣ ହେବା ଉଚିତ । ସାଙ୍ଗମାନଙ୍କ ସହିତ ବିଚାର କରି ନିଜର ମତ ପ୍ରକାଶ କରିବା ।

  • • ତୁମେ ତୁମ ପାଠପଢ଼ାରେ ଅବହେଳା କରୁଥିଲେ, ନିଜକୁ କିମିତି ସଜାଡ଼ିବ ସାଙ୍ଗମାନଙ୍କ ସହ ଆଲୋଚନା କରିବା ।

## ବାଦବିବାଦ

‘ତା ଜନ୍ମ ଧନ୍ୟ ଏ ସଂସାରେ ।

ଯେ ରହେ ପର ଉପକାରେ ।’

(କ) ଏହି ପଦର ଆଜିକାଲି ସମୟରେ କ’ଣ ମହତ୍ତ୍ୱ ଅଛି ?

ସେଥିପାଇଁ ଗୋଟିଏ ବାଦବିବାଦ ପ୍ରତିଯୋଗିତା ଶ୍ରେଣୀରେ

ଆୟୋଜନ କରିବା ।

ଗୋଟିଏ ଦଳ ସପକ୍ଷରେ ଏବଂ ଅନ୍ୟ ଦଳଟି ବିପକ୍ଷରେ

କହିବେ । ତୃତୀୟ ଦଳଟି ଠିକ୍ ନିଷ୍ପତ୍ତି ନେବେ । ଠିକ୍ ଉତ୍ତରଟି କହିବେ ।

ଉଦାହରଣ – ସପକ୍ଷଦଳ – ପରଲୋକର ଉପକାର କଲେ ଜୀବନ ଧନ୍ୟ ହୁଏ ।

ବିପକ୍ଷଦଳ – ପରର ଉପକାର କଲେ ନିଜର ଅନେକ କ୍ଷତି ହୁଏ ।

ସପକ୍ଷ ଓ ବିପକ୍ଷରେ ହୋଇଥିବା ତର୍କର ଆଲୋଚନାକୁ ନିଜ ଖାତାରେ ଲେଖିବେ । ଶେଷରେ ତୃତୀୟଦଳ ସ୍ଥିର

କରାଯାଇଥିବା ଠିକ୍ ଉତ୍ତରଟିକୁ ସମସ୍ତଙ୍କୁ ଜଣାଇ ଦେବା ।

## ଓଡ଼ିଆ ଭାଗବତ ସୂକ୍ତି

ସୂକ୍ତିମାଳାରୁ ସଂଗ୍ରହୀତ ପଦଗୁଡ଼ିକରେ କେଉଁ କେଉଁ ଭାବ ପ୍ରକାଶ ପାଉଛି, ସେଗୁଡ଼ିକ ନିଜ ଦଳର ସାଙ୍ଗମାନଙ୍କ

ସହିତ ଆଲୋଚନା କରି ନିମ୍ନ ରେଖା ଚିତ୍ରରେ ପ୍ରକାଶ କରିବା । ଏଠାରେ ଦୁଇଟି ଉଦାହରଣ ଦିଆଯାଇଛି ।

## ପଦ ଓ ତା’ପାଇଁ ପ୍ରବଚନ

‘ନିକଟେ ଥିଲେ ଅନାଦର

ଏହିଟି ସଂସାର ବେଭାର ॥’

ଏହି ପଦ ସହିତ କେଉଁ ପ୍ରବଚନ / ଲୋକବାଣୀର ସମ୍ପର୍କ ରହିଛି, ତୁମ ଦଳର ସାଥୀମାନଙ୍କ ସହିତ ଆଲୋଚନା କରି ପ୍ରକାଶ କରିବା ।

## ସମସ୍ତଙ୍କ ଅଂଶଗ୍ରହଣ

ଉଦାହରଣ – ‘ଅମୃତ ବିନୟ ବଚନ ।

କହି ତୋଷିବ ପ୍ରାଣୀମନ ॥’

‘ସାକ୍ଷାତେ ଗୁରୁ ଯେ ଈଶ୍ୱର ।

ଗୁରୁଙ୍କୁ ନମଣିବ ନର ॥’

ଉପରଲିଖିତ ଦୁଇଟି ପଦର ବିଭିନ୍ନ ପ୍ରକାରରେ ପ୍ରୟୋଗ

  • ନବାକ୍ଷରୀ ଛନ୍ଦରେ ଗାଇବା (ଦଳଗତ)

  • ଅଭିନୟ ଦ୍ୱାରା ପ୍ରକାଶ କରିବା (ଦଳଗତ)

ଉଦାହରଣ – ଜଣେ ସାଙ୍ଗ ତୁମ ଉପରେ ରାଗୁଥିଲା ବେଳେ, ଆଉ ଜଣେ ସାଙ୍ଗ ତୁମେ ରାଗିବା ପୂର୍ବରୁ ତାକୁ ମିଠା ମିଠା କଥା କହି ବୁଝାଇବ । ଏଠାରେ ଅମୃତ ବଚନର କି ପ୍ରଭାବ ପଡୁଛି ଲକ୍ଷ୍ୟ କରିବା ।

  • ଏହି ପଦ ଦୁଇଟିକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିବା (ଦଳଗତ)

  • ଏହି ପଦ ଦୁଇଟିକୁ ମନେରଖି ଭିନ୍ନଭିନ୍ନ ସ୍ତରରେ ଗାନ କରିବା (ଦଳଗତ)

## ପାଠ୍ୟ ବହିର୍ଭୂତ

## ତୁମକଥା

(କ) “ଗୁରୁଙ୍କୁ ନମଣିବ ନର” ଅର୍ଥାତ୍ ଗୁରୁଙ୍କୁ ନରରୂପେ ଗଣାଯାଏ ନାହିଁ । ତୁମ ଜୀବନ ମଧ୍ୟରେ ଏମିତି କେହି ଦେବ ପ୍ରତିମ ଗୁରୁ ଆସିଛନ୍ତି କି ଯିଏ ତୁମକୁ ଉଚିତ ରାସ୍ତା ଦେଖାଇ ଭଲ ମଣିଷ କରିପାରିଛନ୍ତି, ସେହି ଆଦର୍ଶ ଗୁରୁଙ୍କ ସମ୍ପର୍କରେ ସଂକ୍ଷେପରେ କହିବା ଏବଂ ଲେଖିବା ।

(ଖ) “ଉତ୍ତମ ସଙ୍ଗେ ସଙ୍ଗଯାର” ତୁମେ ତୁମ ଜୀବନ ମଧ୍ୟରେ ଏମିତି ଜଣେ ଉତମ ସାଙ୍ଗ ସହିତ ସମ୍ପର୍କ ରଖିବା ଯୋଗୁ ତୁମର ଅନେକ ଖରାପଗୁଣ ଭୁଲିଯାଇଛି । ତୁମେ ଭଲ

ପିଲା ହୋଇଯାଇଛ । ତୁମର ଅନୁଭବ ବିଷୟରେ ସଂକ୍ଷେପରେ କହିବା ଏବଂ ଲେଖିବା ।

(ଗ) “ତା’ ଜନ୍ମ ଧନ୍ୟ ଏ ସଂସାରେ” ତୁମ ଆଖି ଆଗରେ କେହି ଜଣେ ପରର ଉପକାର କରୁଥିବା ଘଟଣା ତୁମେ ପ୍ରତ୍ୟକ୍ଷ ଭାବେ ଦେଖିଛ କି ? ତୁମକୁ ସେହି ମହତ କାର୍ଯ୍ୟ କେତେଦୂର ପ୍ରଭାବିତ କରିଛି, ସେହି ବିଷୟରେ ସାଙ୍ଗମାନଙ୍କ ସହିତ ଆଲୋଚନା କରିବା ଏବଂ ଲେଖିବା ।

## ସର୍ଜନଶୀଳତା

(କ) ‘ତା’ ଜନ୍ମ ଧନ୍ୟ ଏ ସଂସାରେ ।

ଯେ ରହେ ପର ଉପକାରେ ।’

ତୁମର ସାଙ୍ଗ ବିପଦରେ ପଡ଼ିଥିବା ବେଳେ ତୁମେ ଉପକାର କରିଥିବ । ତା’ର ଆଧାରରେ ଏକ କ୍ଷୁଦ୍ରଗଳ୍ପ ସଂକ୍ଷେପରେ ଲେଖିବା । ବାତ୍ୟା ଓ ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ବନ୍ଧୁକୁ ସାହାଯ୍ୟ କରାଯାଇପାରେ । ଅନୁମାନ ଓ କଳ୍ପନା କରି ଏହାକୁ ଭିତ୍ତି କରି ଗଳ୍ପଟିଏ ଲେଖ ଏବଂ ଏହାର ନାମକରଣ କର ।

(ଖ) ‘ସାକ୍ଷାତେ ଗୁରୁ ଯେ ଈଶ୍ୱର ।

ଗୁରୁଙ୍କୁ ନମଣିବ ନର ।’

ଏହି ସୂକ୍ତିଟିକୁ ଚିନ୍ତା କରି ତୁମକୁ ପଢ଼ାଇ ଆସୁଥିବା ଗୁରୁମାନଙ୍କ ମଧ୍ୟରୁ ଯେଉଁ ଗୁରୁ ତୁମକୁ ଦେବତୁଲ୍ୟ ମନେ ହେଉଛନ୍ତି ଏବଂ ତାଙ୍କର ପ୍ରତ୍ୟେକ ଭଲଗୁଣ ବର୍ଣ୍ଣନା କରି କ୍ଷୁଦ୍ର ପ୍ରବନ୍ଧଟିଏ ଲେଖିବା ।

(ଗ) ‘କର୍ମ କରଣେ ଫଳପାଇ ।

ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ ।’

କଠିନ ପରିଶ୍ରମର ମୂଲ୍ୟ କ’ଣ ଏହାକୁ ଏକ କାହାନିକ କ୍ଷୁଦ୍ରଗଳ୍ପ ମାଧ୍ୟମରେ ପ୍ରକାଶ କର । ଏହାର ନାମକରଣ କର, ଯେପରି - ‘ପରିଶ୍ରମର ଫଳ’, ‘କର୍ମଫଳ’ ।

## ସାଇବର ସୁରକ୍ଷା ପାଇଁ ପଦମାନଙ୍କର ସମ୍ପର୍କ

ଇଣ୍ଟରନେଟ୍ ଯୁଗରେ ଆସୁଥିବା ଅନାବଶ୍ୟକ ସୂଚନାଗୁଡ଼ିକ ଗ୍ରହଣ କରିବାଦ୍ୱାରା କେଉଁକେଉଁ ଅସୁବିଧା ହେଉଛି, ତାହା ସାଙ୍ଗମାନଙ୍କ ସହିତ ଆଲୋଚନା କରିବା ଏବଂ ପଠିତ 'ଭାଗବତ ସୂକ୍ତି ସଂଗ୍ରହରୁ' ଏଥିପାଇଁ ମିଳୁଥିବା ଉପଦେଶ ମଧ୍ୟ ଆଲୋଚନା କରିବା ।

  • ଇଣ୍ଟରନେଟରେ ପ୍ରସାରିତ ହିଂସାତ୍ମକ ଘଟଣାରୁ ନିଜକୁ ଦୂରେଇ ରଖିବା ପାଇଁ କେଉଁ ସୂକ୍ତି ତୁମକୁ ସାହାଯ୍ୟ କରିବ, ବାଛିବା ଏବଂ ଲେଖିବା ।

  • ଇଣ୍ଟରନେଟରେ ବେଳେବେଳେ ପ୍ରସାରିତ ହେଉଥିବା ଜଣେ ବ୍ୟକ୍ତି କିପରି ଜଣେ ଉତ୍ତମଲୋକ ସହିତ ମିଳାମିଶା କରିବା ଫଳରେ ତା'ର ଖରାପଗୁଣଗୁଡ଼ିକ ଆସ୍ତେଆସ୍ତେ ଅପସରି ଯିବା ସହିତ ସେ ମଧ୍ୟ ଉତ୍ତମ ମଣିଷ ହୋଇଯାଉଛି, ତାକୁ ଲକ୍ଷ୍ୟ କରି ତୁମ ପଠିତ ଭାଗବତ-ସୂକ୍ତି ସଂଗ୍ରହରୁ କେଉଁ ସୂକ୍ତି ତା'ର ଉଦାହରଣ ରୂପେ ଭାବୁଛ ସେହି ସୂକ୍ତି ଲେଖ ।

## ଆଜିକାଲି ସମୟରେ

(କ) ତୁମେ ରାଗରେ ତୁମ ସାନଭଉଣୀକୁ ଗାଳିଦେଲ । ଯାହାକି ପରିବେଶକୁ ଖରାପ କରିଦେଲା । ପୁଣି ଭାବିଲ ସାନ ଭଉଣୀକୁ କଠୋର କଥା ନକହି ବିନୟ ଭାବେ ତା' ଦୋଷ ତାକୁ ବୁଝାଇ କହିଥିଲେ କେତେ ଭଲ ହୋଇଥାଆନ୍ତା, ସେ ମଧ୍ୟ ତା' ଭୁଲ ସହଜରେ ବୁଝିପାରି ଥାଆନ୍ତା । ନିମ୍ନରେ ପଠିତ ପାଠରୁ ସମାନ ଅର୍ଥ ପ୍ରକାଶ କରୁଥିବା ସୂକ୍ତି ଲେଖିବା ।

(ଖ) ସ୍ୱପ୍ନ ତା' ଶ୍ରେଣୀର ଉତ୍ତମ ଛାତ୍ରୀ ପ୍ରଜ୍ଞା ସହିତ ବାରବାର ମିଶିବା ଫଳରେ ବେଳକୁ ବେଳ ତା'ର କଥାବାର୍ତ୍ତା, ଚାଲିଚଳଣ ଓ ବ୍ୟବହାର ମଧ୍ୟ ବଦଳିବାକୁ ଲାଗିଲା । କିଛିଦିନ ପରେ ସେ ମଧ୍ୟ ଉତ୍ତମ ଛାଡ଼ା ବନିଗଲା । ସେ ଆଗରୁ ଯେଉଁ ଖରାପ ସାଙ୍ଗ ସହିତ ମିଶୁଥିଲା ସେ ତା'ଠାରୁ ଦୂରେଇ ଯାଇଥିଲା । ଏଥିପାଇଁ ପଠିତ ସୂକ୍ତି ସଂଗ୍ରହରୁ କେଉଁ ସୂକ୍ତି ବେଶ ଉପଯୋଗୀ ବୋଲି ଭାବୁଛ ନିମ୍ନରେ ଲେଖିବା ।

(ଗ) ଅର୍ଦ୍ଧବାର୍ଷିକ ପରୀକ୍ଷା ସରିଲା। ପାପୁନର ଫଳ ବାହାରିଲା। ସେ ପରୀକ୍ଷାରେ ବହୁତ କମ୍ ନମ୍ବର ରଖିଥିବା ବେଳେ ସିପୁନ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲା। ପାପୁନ ବହୁତ ମନଦୁଃଖ କଲା। ସିପୁନ ତାକୁ ବୁଝାଇ କହିଲା, ସାଙ୍ଗ ! ଆମେ ଉଭୟେ ପାଠପଢ଼ୁଥିଲେ ସତ କିନ୍ତୁ ମୁଁ ମନଦେଇ ପାଠପଢ଼ୁଥିବା ସମୟରେ ତୋ ମନରେ ଏକାଗ୍ରତା ନଥିଲା। ତୋ ମନ ହନୁମାଙ୍କଡ଼ ପରି ଇଆଡ଼େ ସିଆଡ଼େ ଘୁରୁଥିଲା। ଯେମିତି କର୍ମ ସେମିତି ଫଳ। ତୁ ଏବେ ମନଧ୍ୟାନ ଦେଇ ପଢ଼, ଦେଖିବୁ ଭଲଫଳ ନିଶ୍ଚୟ ପାଇବୁ। ପାପୁନ ବୁଝିଲା ଏବଂ ସାଙ୍ଗକଥା ମାନି ମନଦେଇ ପାଠପଢ଼ିଲା। ବାର୍ଷିକ ପରୀକ୍ଷାରେ ସେ ବହୁତ ଭଲ ନମ୍ବର ରଖି ଖୁସି ହେଲା। ସିପୁନକୁ ଧନ୍ୟବାଦ ଦେଲା। ସୂକ୍ତି ସଂଗ୍ରହର ସମାନ ଅର୍ଥ ପ୍ରକାଶ କରୁଥିବା ସୂକ୍ତି ନିମ୍ନରେ ଲେଖ।

(ଘ) ଅର୍ଜୁନ ଜଣେ ଦୁଷ୍ଟ ଓ ଅମାନିଆ ପିଲା। ସେ ଗୁରୁଙ୍କ କଥାକୁ ବେଖାତିର କରୁଥିଲା। ତାଙ୍କ ଉପଦେଶ ମାନୁନଥିଲା। କିନ୍ତୁ ଗୁରୁ ତାକୁ ସତ୍ ମାର୍ଗରେ ଆଣିବା ପାଇଁ ଲାଗି ପଡ଼ିଥିଲେ। ସେ ଯେତେ ଦୂରେଇ ଦୂରେଇ ଯାଉଥିଲା, ଗୁରୁ ସେତିକି ସେତିକି ତା' ପାଖକୁ ପାଖେଇ ଯାଉଥିଲେ। ସେ ଗୁରୁଙ୍କର ଭଲ ପାଇବା କଥାଟି ଭାବି ଆତ୍ମିତ ହୋଇଗଲା। ସେ ତାକୁ ଭକ୍ତି କଲା। ତାଙ୍କ ଉପଦେଶ ମାନିଲା। କାର୍ଯ୍ୟରେ ଲଗେଇଲା। ସତକୁସତ ଶ୍ରେଣୀର ଜଣେ ଆଦର୍ଶ ଛାତ୍ର ବନିଗଲା। ସମସ୍ତେ ତାକୁ ପ୍ରଶଂସା କଲେ। ପଠିତ ସୂକ୍ତି ସଂଗ୍ରହରୁ କେଉଁ ପଦଟି ଏହି କଥା ସହ ସଂପୃକ୍ତ ସେହି ପଦଟି ନିମ୍ନରେ ଲେଖ।

## ଆମ ସମୟର ଜଗନ୍ନାଥ ଦାସ

(କ) କଳ୍ପନା କରିବା ଯେ, ଆଜି ଯଦି ଜଗନ୍ନାଥ ଦାସ ସମାଜରେ ରହିଥାନ୍ତେ ସମାଜର କେଉଁ କେଉଁ ବିଷୟକୁ ନେଇ ସେ କବିତା ଲେଖୁଥାନ୍ତେ, ତା'ର ଏକ ସୂଚୀ ତିଆରି କରିବା । ତୁମେ ମଧ୍ୟ ସେହିଭଳି ଭାବପ୍ରକାଶକ ନବାକ୍ଷରୀ ଛନ୍ଦ ବିଶିଷ୍ଟ ଦୁଇପଦ କବିତା ଲେଖି ସାଙ୍ଗମାନଙ୍କୁ ଦେଖାଅ ।

ଉଦାହରଣ : ପିଲାଏ, ମୋର ବୋଲକର ।

ବେଳହୁଁ ପରିଶ୍ରମ କର ।

### ଗୃହକର୍ମ

(କ) ପିଲାଏ ! ତୁମ ଘରେଥିବା ଜଗନ୍ନାଥ

ଦାସଙ୍କ ଓଡ଼ିଆ ଭାଗବତ ବହିରୁ ପ୍ରତିଦିନ ମାତ୍ର କିଛିକିଛି ପଦ ପାଠ କରିବ । ଯେଉଁ ପଦଗୁଡ଼ିକ ତୁମ ମନକୁ ଛୁଇଁବ ତାକୁ ଗୋଟେ ଖାତାରେ ସୁନ୍ଦର ଅକ୍ଷରରେ ଲେଖିବ । ଶିକ୍ଷକଙ୍କୁ ନେଇ ଦେଖାଇବ । ସେହି ପଦମାନଙ୍କୁ ଶ୍ରେଣୀ ଗୃହରେ ପାଠ କରିବା ।

(ଖ) କବିଙ୍କର କେତେଗୁଡ଼ିଏ ଛାୟାଚିତ୍ର ତୁମ ଖାତାରେ ଅଠାଦେଇ ମାରିବ । ତୁମ ନାମ ସଂଗ୍ରାହକ ଲେଖିବା ସ୍ଥାନରେ ଲେଖିବ । ଏହାକୁ ଘରେ ସାଇତି ରଖିବ ।

# ତୁମପାଇଁ କାମ

ନିମ୍ନଲିଖିତ ଧାର୍ମିକ ଭାବନା ସମ୍ପର୍କରେ ଦୁଇଟି କିମ୍ବା ତିନୋଟି ବାକ୍ୟ ଲେଖ ।

୧. ସନାତନ ଧର୍ମ :

______

______

______

୨. ମହିମା ଧର୍ମ :

______

______

______

୩. ବୌଦ୍ଧ ଧର୍ମ :

______

______

______

୪. ଜୈନ ଧର୍ମ :

______

______

______

୫. ଖ୍ରୀଷ୍ଟ ଧର୍ମ :

______

______

______

୬. ଇସଲାମ ଧର୍ମ :

______

______

______

ପଠନ ନିମନ୍ତେ

# ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ସନ୍ତକବି ଭୀମ ଭୋଇ

ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ,

ଦାସପଣେ କିଣି ଅର୍ଥବାଟେ ଆଣି କିମ୍ବା ଏତେ ସରି କଲେ । ୧ ।

ନାହିଁ ମୋ ଭରସା ଉଡୁଛି ସାହାସା କି ବୁଝି କରିବି କହ,

ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ ଭାର ତୁମ୍ଭେ ବହ । ୨ ।

ଭଗତଙ୍କ ଦୁଃଖ ନିରନ୍ତର ଦେଖ ଲାଗିଲାଟି ପଦାରବିନ୍ଦେ,

ବାନ୍ଧିଛ ଯୋଗାରି ଆଗପଛ କରି ବହିଥାଅ ନିଜ କାନ୍ଧେ । ୩ ।

ସମ୍ପତ୍ତି ବିପତ୍ତି ମୁକ୍ତି ଦୁର୍ଗତି ଭିଆଣ କରିଛ ଯୋଡ଼ି,

ପାପ ଦୁଃଖଭାଗ କେ ତୁମ୍ଭ ବହିବ ପାଦତଳେ ଥାଉ ପଡ଼ି । ୪ ।

ବିଜେ କରିଅଛ କିମ୍ବା ନ ବୁଝୁଛ ପଳାଇ ପଶିବି କାହିଁ,

ଅର୍ଜି ପାପଭାର କରିବି ପସରା ପାଦତଳେ ଦେବି ଥୋଇ । ୫ ।

ଶରଣ ବାଞ୍ଛତ କାହିଁ କାହିଁ ଭକ୍ତ ଗଡ଼ିଗଲେଣି ସକଳ,

ଦୋଷ ଅପରାଧ କ୍ଷମା କରି ଗୁରୁ ଜାଗ୍ରତରେ ପ୍ରତିପାଳ । ୬ ।

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ,

ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ । ୭ ।