ଏବେ ମଧ୍ୟ ବଞ୍ଚିଛି

ଗୋଦାବରୀଶ ମହାପାତ୍ର

--- ଏକ ---

ବେଣୁଧର କ'ଣ କରିବ କିଛି ଠିକ୍ କରିପାରିଲା ନାହିଁ।

ଯେତେବେଳେ ଗାଁ ଯାକ ଲୋକ ବାହାରନ୍ତି ସାହାଯ୍ୟ କେନ୍ଦ୍ରକୁ ସାହାଯ୍ୟ ପାଇଁ, ବେଣୁଧର ପିଣ୍ଡାରେ ତୁନିହୋଇ ଠିଆହୁଏ। ଭାବେ, ଏତେ ଲୋକ ଯାଉଛନ୍ତି; ସମସ୍ତଙ୍କ ଆଗରେ ମୁଁ ହାତ ପଡ଼େଇ ଠିଆହୋଇ ମାଗିବାଟା ସୁନ୍ଦର ହେବ ନାହିଁ।

ଯେଉଁଦିନ କେହି ଯାଆନ୍ତି ନାହିଁ, ସେଦିନ ବେଣୁଧର କାନ୍ଥରେ ଲଟକାଇଥିବା ଚିରା କାମିଜଟାକୁ ଦେହରେ ଗଳାଇଦେଇ ଖୁବ୍ ସାହସରେ ଦାଣ୍ଡକୁ ବାହାରିପଡ଼େ। ଦାଣ୍ଡ ଡେଇଁ, ବିଲ ପଡ଼ିଆ ଡେଇଁ ଯେତେବେଳେ ସେ ବଡ଼ ବରଗଛ ମୂଳେ ପହଞ୍ଚେ, ଟିକିଏ ବସିପଡ଼େ। ଶ୍ୟାମଳ ପତ୍ରଗହଳ ତଳେ ଶୀତଳ ପବନ ଟିକିଏ ପାଇ ସେ ଆଖି ବୁଜି ଅନେକ ଭାବେ। ଭାବେ--- ସେ ଯିବ, କେନ୍ଦ୍ର ଦୁଆରେ ଠିଆହେବ। କିପରି ଠିଆ ହେବ ? ହାତ ଯୋଡ଼ିବ ନା ହାତ ଦୁଇଟା ଦୁଇ ପାଖକୁ ଝୁଲାଇ ରଖିବ ? ମୁଣ୍ଡ ଟିକିଏ ନୁଆଁଇବ ନା ମୁଣ୍ଡକୁ ବୀରପରି ସିଧା ରଖି ଠିଆହେବ ? ହସିବ ନା ଦୁଃଖରେ ମୁହଁ ଶୁଖାଇ ରହିବ ? କ'ଣ କରିବ କିଛି ସେ ସ୍ଥିର କରିପାରେ ନାହିଁ। ବିଚାରେ, ସେଠି ଯେ ଥିବେ ସେ ଯେବେ ଚିହ୍ନାଲୋକ ହୋଇଥିବେ, ତେବେ କ'ଣ କରିବାକୁ ହେବ ?

ବସି ବସି, ବିଚାରୁ ବିଚାରୁ ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠେ, ତା'ର ଭାବନା ଶେଷ ହୁଏ ନାହିଁ। ସେହି ଜନଶୂନ୍ୟ ବିଲମାଳ ଭିତରେ ଗଛଡାଳରେ ଯେତେବେଳେ ଦୁଇଟା ଗୁଣ୍ଡିଚାମୂଷା ତେ' ତେ' ଶବ୍ଦ କରି ଏ ଡାଳରୁ ସେ ଡାଳକୁ ଧାଆଁନ୍ତି କିମ୍ବା କୁଆ କୋଇଲି ରାବିଉଠନ୍ତି, ସେ ଆଣ୍ଠୁ ଉପରୁ ମୁଣ୍ଡ ଉଠାଇ ଆଖି ଫିଟାଏ; କିନ୍ତୁ ଦେଖେ ସେହି ନିତିଦିନର ସଂସାର ତାହାରି ଆଗରେ। ଦୂରର ମରୀଚିକା ପାଣିପରି ଭାସିଯାଏ। ତା'ର ଆଶା ଠିକ୍ ସେହିପରି ଦୂରକୁ ବହିଯାଏ। ମୁହଁ ବୁଲେଇ ଦେଖେ, ଦୂରରେ ଗଛଗହଳରେ "ସିରେଇ" ଗାଁ। ସେହିଠାରେ ଗୋଟାଏ ଚାଳ ଉପରେ ଗୋଟାଏ ଜାତୀୟ ପତାକା। ତାହାରି ତଳେ ସ୍ୱେଚ୍ଛାସେବକ, ଦେଶସେବକ, ମାତୃପୂଜକ, ଜନନାୟକ, ଦରିଦ୍ର-ସାରଥୀ- ଯେ କେହି ଚାଉଳ ଧରି ବାଣ୍ଟିବାକୁ ବସିଥିବେ ବୋଲି ମନେକରେ। ଅନ୍ୟଆଡ଼େ ମୁହଁ ବୁଲେଇ ଦେଖେ, ସେହିପରି ଗୁଡ଼ାଏ ଗଛଗହଳରେ "ବାଗଲପଡ଼ା"। ତାହାରି ଭିତରେ ଗୋଟିଏ ଛୋଟ ଚାଳଘର, ସେହି ଚାଳଘର ଭିତରେ କେତୋଟି ପ୍ରାଣୀ, କାହା ପେଟରେ ଅନ୍ନ ନାହିଁ କି କାହା ମୁହଁରେ ହସ ନାହିଁ। ଦିନେ ନୁହେଁ, ଦୁଇଦିନ ନୁହେଁ, ପାଞ୍ଚଦିନ ହେଲା ସେହି କୁଡ଼ିଆ ତଳେ ଚୁଲି ଜଳି ନାହିଁ, ସେ ଭିତରେ ଅଇଁଠା ପଡ଼ି ନାହିଁ। ଏ କଥା ଭାବିଲାବେଳେ ସେ ପୁଣି ଆଖି ବୁଜିଦିଏ। ମାତ୍ର ନିଜ ଭିତରେ ସେ ଦେଖେ ଆଉ ଗୋଟାଏ ଜଗତ! କି ସୁନ୍ଦର, କି ଜୀବନମୟ ଜଗତ ସେ! ସେ ଭିତରେ ବେଣୁଧର ବୋଲି ସତର ବର୍ଷର ଯୁବକ କେତେ ଖେଳିଲା, କେତେ ହସି ହସେଇଲା, କେତେ ନାଚି ନଚେଇଲା। ସେ ଗଲା ଘର ଛାଡ଼ି ପାଠ ପଢ଼ିବାକୁ। ଯେଉଁଠାରେ ଦେବତା ମଣିଷର ସାକ୍ଷୀ, ସେହିଠାରେ ସେ ପାଠ ପଢ଼ିଲା। ପାଠ ପଢ଼ି ପଢ଼ି ସେ ଭାବିଲା- ସେ ଜାଗିବ, ଦେଶକୁ ଜଗାଇବ।

ବେଣୁଧର ଆଖି ଫିଟେଲା। ସେ ଦେଖିଲା, ପୁଣି ସେହି ଆଖି ଆଗରେ ପୁରୁଣା ସଂସାର। ସେହି ଭଙ୍ଗାରୁଜା ସଂସାର ଭିତରେ ତା'ର ପାଠପଢ଼ା ଅକାଳରେ ଶେଷ ହୋଇଛି; ସେହି ନୀରସ ସଂସାର ଭିତରେ ତା'ର ଆଶାର ଝରଣା ଶୁଖିଆସିଛି, ପ୍ରାଣର ରସ ମରିଯାଇଛି। ସେ ଆସିଛି ଭିକ ମାଗି କେତୋଟି ପ୍ରାଣୀକୁ ପୋଷିବ ବୋଲି।

ବେଣୁଧର ପାରିଲା ନାହିଁ। ବରଗଛ ମୂଳେ ଠିଆହୋଇ ମୁହଁ ବୁଲେଇଲା ଗାଁ ଆଡ଼କୁ। ଭାବିଲା, "ନା, ମୁଁ ଏପରି ଭାବରେ ଯାଇ ଭିକ ମାଗିବାଟା ସୁନ୍ଦର ହେବ ନାହିଁ। କେହି ଯେତେବେଳେ ଯାଉ ନାହାନ୍ତି, ମୁଁ ଏକାକୀ ଗଲେ ସେମାନେ ମନେକରିବେ କ'ଣ? ବରଂ ଗହଳି ଭିତରେ ପଶି କାନି ପଡ଼େଇ ମାଗିଦେଲେ ଚଳିପାରେ।"

ତଥାପି ବେଣୁଧର କ'ଣ କରିବ ବୁଝିପାରିଲା ନାହିଁ। ଦିନେ ଗଲା, ଦୁଇ ଦିନ ଗଲା, ଚାରି ଦିନ ଗଲା। ଆଠ ଦିନ ଗଲା। ଦିନ ସତେ ଅବା ପାଣିପରି ବହିଗଲା। ସେ ଦେଖିଲା, ସେଇ ସୁଅରେ ତା' ନିଜ ଗାଁର ଶହ ଶହ ପ୍ରାଣୀ ଭାସିଭାସି, ପେଟ ଦେଖାଇ, କଙ୍କାଳ ଦେଖାଇ, କାନି ଦେଖାଇ ଯାଇ ଲାଗୁଛନ୍ତି ସିରେଇ ଗାଁର ଚାଉଳବଣ୍ଟା କେନ୍ଦ୍ର ଦୁଆରେ। ଯାହା ପାଉଛନ୍ତି ମୁଠାଏ, ତାହା ଶିଝେଇ ଖାଇବାକୁ ଦରକାର ପଡ଼ୁ ନାହିଁ। ଖରାବେଳେ ତଳତାତି ଓ ଉପରତାତି ଭିତରେ ମଝିରେ ଯେ ପେଟ ଚାଖଣ୍ଡଳ ତାତିଉଠୁଛି, ତାହା ସେମାନେ ସମ୍ଭାଳି ନ ପାରି ମୁଠା ମୁଠା ଚାଉଳ ବ୍ୟାକୁଳ ଭାବରେ ପାଟିରେ ଭରତି କରୁଛନ୍ତି।

ବେଣୁଧର ଘରକୁ ଫେରିଆସିଲା। ଏପରି ଦିନେ ନୁହେଁ, ଦଶ ଦିନ ଯାଇ ଦଶ ଦିନ ଫେରିଲା। ସବୁ କଥାର ସୀମା ଅଛି; ମାତ୍ର ବେଣୁଧରର କଥା ସୀମା ପାର ହୋଇଗଲା। ଘରେ ଯେତେବେଳେ ଖୁଦକଣିକାଏ ସୁଦ୍ଧା ନାହିଁ, ସେତେବେଳେ କି ସୀମା ଭିତରେ ରହିହୁଏ? ଶେଷରେ ଦିନେ ସେ କେନ୍ଦ୍ରରେ ଯାଇ ହାଜର ହେଲା।

--- ଦୁଇ ---

ସିରେଇ ଗାଁର ସାହାଯ୍ୟକେନ୍ଦ୍ର। ଦୁର୍ଭିକ୍ଷ -- ରାକ୍ଷସର ତାହା ଗୋଟିଏ ବିରାଟ ଯାଦୁୟର। ଯେଉଁ ଦେଶରେ ଯୁଗ ଯୁଗ ଧରି ବିରାଟ ପଥରସ୍ତୂପ ଉପରେ ପତିତପାବନ ବାନା ଉଡୁଛି, ସେହି ଦେଶର ଲକ୍ଷ ଲକ୍ଷ ନରନାରୀଙ୍କ ବିକଳ ଧ୍ୱନି ସେତେବେଳେ ସିରେଇରେ ପ୍ରତିଧ୍ୱନିତ ହେଉଥିଲା। ଯେଉଁ ଦେଶର ମଣିଷର ସାକ୍ଷୀରୂପେ ସ୍ୱୟଂ ଦେବତା ବାଟ ଚାଲି ଆସିଥିଲେ ବୋଲି କଥା ଅଛି, ଦୁଃଖ ଦାରିଦ୍ର୍ୟର ସାକ୍ଷ୍ୟ ନେବାପାଇଁ ସେଇ ଭୂମିର ପରମ ସନ୍ୟାସୀ ଉତ୍କଳମଣି ସେହିଠାରେ ଉପସ୍ଥିତ ଥିଲେ।

ସେତେବେଳେ ସିରେଇ ଗୋଟିଏ ବିରାଟ ମଶାଣି କହିଲେ ଚଳେ। ଦରମରା ମଣିଷଗୁଡ଼ାକ ସେଠାରେ ମରିବେ କି ଜିଇଁବେ, ଠିକ୍ କରିପାରୁ ନ ଥିଲେ। କାହା ଆଖିରେ ଜ୍ୟୋତି ନଥିଲା, କାହା ମୁହଁରେ ହସ ନ ଥିଲା, କାହା ପାଦରେ ବଳ ନ ଥିଲା, କାହା ପେଟରେ ଅନ୍ନ ନ ଥିଲା କି କାହା କଟିରେ କନା ନ ଥିଲା -- ଥିଲା କେବଳ ସମସ୍ତଙ୍କ କଣ୍ଠରେ ବିକଟ ସ୍ବର। ସମସ୍ତେ କହୁଥିଲେ, 'ଦିଅ-ଦିଅ-ଦିଅ।'

ବେଣୁଧର ସେଇ ଭିତରେ ଯାଇ ଠିଆହେଲା। ସେ ଶବ୍ଦ ଶୁଣି ତା'ର କାନ ତାବଦା ପଡ଼ିଗଲା।

ସେ ଦୃଶ୍ୟ ଦେଖି ତା' ଆଖି କାଲୁକାଲୁଆ ଦିଶିଲା । ସେ ସେହି ଭିତରେ ଜଣେ ହୋଇ ଠିଆହେବାକୁ ଇଚ୍ଛା କଲା ନାହିଁ । ମନେକଲା, ଲୋକଲୋଚନ ଅଗୋଚରରେ କେଉଁଠି ସେ ମିଶିଯା'ନ୍ତା କି, କେଉଁଠି ସେ ଆପଣାର ମୁହଁଟା ଲୁଚାଇ ଠିଆ ହୋଇପାରନ୍ତା କି, କେଉଁଠି ନିଜକୁ ହରାଇ ପାଗଳ ହୋଇଯାଆନ୍ତା କି ?

ସେ ପଛକୁ ଘୁଞ୍ଚିଆସିଲା । କାହାର ସ୍ନେହପାଳିତ ଗୋଟିଏ ଗଛମୂଳେ ପଥର ଉପରେ ବସିପଡ଼ି ଖାଲି ଦେଖିଲା । ତାକୁ ଦିଶିଲା ଗୋଟିଏ ପ୍ରାଚୀନ ବିରାଟ ଜାତି ହଠାତ୍ କିପରି ଭିକାରି ପାଲଟିଗଲା ! ଜୀବନ ଥାଉ ଥାଉ ଜାତିଟା କିପରି ଅପମାନ ବରଣ କରିନେଲା । ଚାହୁଁ ଚାହୁଁ ବାଟ କିପରି ସେ ଭୁଲିଆସିଲା !

ତାକୁ ଦିଶିଲା- ଏଇପରି ଏକ ପ୍ରଭାତ ଅବସରରେ ସେ ପାଠ ପଢ଼ିଥିଲା । ଚିରଶ୍ୟାମଳ ବକୁଳ ଛୁରିଅନାମୂଳେ ଶହ ଶହ ତରୁଣ ପ୍ରାଣରେ ଯେଉଁ ଶିକ୍ଷାର ମଞ୍ଜି ପୋତାଯାଇଥିଲା, ତାହା କ'ଣ ଶେଷକୁ ବଢ଼ିଉଠିଲା ଏଇ ଭିକ ମାଗିବାପାଇଁ ? ବେଣୁଧର କ'ଣ ଶେଷରେ ଏଇଆ ହେବ ବୋଲି ବହି ଧରିଥିଲା ?

ବେଣୁଧର ସେଠି ଅଛି କି ନାହିଁ ବୁଝିପାରିଲା ନାହିଁ । ସେ ନିଜକୁ ଖୋଜିଲା । ତା'ର ଆଖି ରହିଲା ଭିତରେ, ତା'ର ମନ ରହିଲା ଭିତରେ, ତା'ର ଭାବନା ରହିଲା ଭିତରେ, ତା'ର ଶରୀରଟା କେବଳ ସିରେଇ ଗାଁର ଏକ ଗଛମୂଳେ ଥିଲା । ଚାଉଳ ଧରି ଲୋକେ ଫେରି ଚାଲିଛନ୍ତି, ଗହଳି କ୍ରମେ ଭାଙ୍ଗିଆସୁଛି, ଖରା କ୍ରମେ ମାଡ଼ିଆସୁଛି, କିନ୍ତୁ ବେଶୁଧର ନିଜକୁ ହରେଇ ଗଛମୂଳେ ବସିଛି ।

--- ତିନି ---

ଝାଞ୍ଜି ପବନର ସ୍ପର୍ଶ କିମ୍ବା କପୋତର କରୁଣ ଧ୍ୱନି ବେଣୁଧରର ମୋହ ଭାଙ୍ଗି ପାରିଲା ନାହିଁ । ଗଛଟା ଯେପରି କାହାକୁ କିଛି ନ କହି ଅନେକ ଦିନୁ ଠିଆ ହୋଇଛି । ତାହାରି ତଳେ ବେଣୁଧର କାହାକୁ କିଛି ନ ମାଗି ସକାଳପହରୁ ବସିଛି । ତା'ର ଆଗରେ ପ୍ରଶ୍ନ ହେଲା- "ବାବୁ, ତୋ ଗାଁ ?"

ଦଶ ପାଞ୍ଚଥର ଏହିପରି ପଚାରିବା ପରେ ବେଣୁଧର ମୁହଁ ଟେକି ଚାହିଁଲା । ଚାହିଁଲା, ସତେ ଯେପରି କୋଣାର୍କର ଗୋଟିଏ ପଥରମୂର୍ତ୍ତି କେତେ ଯୁଗ ହେଲା ପାଣି-ପବନ ଖରା-ତରା ସହି ସହି ପଡ଼ିରହିଥିଲା, ହଠାତ୍ କାହାର ତାଳରେ ତା'ର ଜଡ଼ ପିଣ୍ଡରେ ପ୍ରାଣ ସଞ୍ଚାର ହେଲା !

ପୁଣି ତାକୁ ପଚରାଗଲା- "ତୋର ଗାଁ କେଉଁଠି ବାବୁ ? ଚାଉଳ ନେଇବୁ ?" ବେଣୁଧର ସେଇପରି ଚାହିଁ ରହିଲା ।

ତା'ପରେ ପ୍ରଶ୍ନ ପଚାରୁଥିବା ବ୍ୟକ୍ତି ଧୀରେ ଧୀରେ ତା' ପାଖକୁ ଲାଗିଆସିଲେ । ଗୋଟିଏ ଶୀତଳ କୋମଳ ହାତର ସ୍ପର୍ଶ ତା' ପିଠିରେ ଲାଗିଲା । ପିଠିର କାମିଜ, ଦେହର ଚମ, ଚମତଳର ରକ୍ତ ମାଂସ ହାଡ଼ ଭେଦ କରି ସତେ ଅବା ସେହି ସର୍ଶ ବେଣୁଧରର କେଉଁ ଅନ୍ତର ଭିତରେ ବାଜିଲା । ତା'ର ଦେହ ଶୀତେଇ ଉଠିଲା । ତା'ର ଆଖିପତା ଥରିଲା । ଆଖି କ୍ରମେ ଓଦା ହୋଇ ଆସିଲା । ତା'ପରେ ଦୁଇ ଟୋପା ଲୁହ ନିଗିଡ଼ି ତଳେ ପଡ଼ିଗଲା । ସେ କ'ଣ କହିବ ବୋଲି ଚେଷ୍ଟା କଲା, ଓଠକୋଣ ଥରିଆସିଲା ।

ସେ ବ୍ୟକ୍ତି ପଚାରିଲେ--- "ଚାଉଳ ନେବୁ ବାବୁ ?"

--- "ନା ।" ଏତିକି କେବଳ ସେ କହିଲା ।

--- "ନେବୁ ?"

--- "ନା... ମୁଁ ନେବାକୁ ଆସି ନାହିଁ ।"

--- "ଆଉ ତେବେ... ?"

ବେଣୁଧର ଆଉ ସମ୍ଭାଳିପାରିଲା ନାହିଁ । ଭୋ' କରି କାନ୍ଦିଉଠିଲା । ଏତିକି କହିଲା--- "ଏଇପରି ଗଛମୂଳେ ଏଇ ଚରଣତଳେ ପରା ବସି କଥା ଶୁଣିଥିଲି...

'ଜୀବନ ଥିଲେ ଭାଇ ପାତିବା ନାଇଁ ହାତ,

ମଣିଷ ପରି ଦିନେ ମଣିଷ ହୋଇବା ତ ।'

ଏତିକି କହି ବେଣୁଧର ଭାଜିଗଲା ପରି ସେଇ ପାଦତଳେ ପଡ଼ିଗଲା ।

ତା'ପରେ---ତା'ପରେ ଅନେକ କ୍ଷଣ ବିତିଗଲା । ବସିପଡ଼ିଥିବା ବେଣୁଧରର

ମୁଣ୍ଡରେ ହାତ ଦେଇ ସେଇ ଶାନ୍ତ ଉଦାର ମହାପୁରୁଷ ଦୂରରେ, ଖୁବ୍

ଦୂରରେ---ସୁଦୂର ଦିଗବଳୟ ସୀମାରେ ଚକ୍ଷୁ ସ୍ଥିର ରଖି ଅନେକ କ୍ଷଣ

ଠିଆ ହେଲେ । ଦୁଇ ଧାର ଅଶ୍ରୁ ତାଙ୍କର କୃଶୋଜ୍ଜ୍ୱଳ

ଶୁଣମଣ୍ଡଳରୁ ବିନ୍ଦୁ ବିନ୍ଦୁ ହୋଇ ଖସୁଥିଲା । ଆଖି

ମୁଦି ହୋଇଯାଇଥିଲା । ଯେତେବେଳେ ସେ

ଆଖି ଫିଟାଇଲେ, ଦେଖିଲେ

ସ୍ୱଚ୍ଛାସେବକ ତାଙ୍କୁ ଡାକୁଛନ୍ତି ;

ବେଣୁଧର ପଥର ପରି ତଳେ ପଡ଼ିଛି ।

ତାଙ୍କ ମୁହଁରୁ ପଦେ କଥା ।

ବାହାରିଲା--- ଏ ଜାତି ଏବେ

ମଧ୍ୟ ବଞ୍ଚିଛି ।

ଲେଖକ ପରିଚୟ :

ଗୋଦାବରୀଶ ମହାପାତ୍ର (୧୮୯୮-୧୯୬୫) ପୁରୀ ଜିଲ୍ଲା ଅନ୍ତର୍ଗତ କୁମାରଙ୍କ ଶାସନରେ ତା. ୧.୧.୧୮୯୮ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଶ୍ରୀ ଦୟାନିଧି ମହାପାତ୍ର ଓ ମାତାଙ୍କ ନାମ ଗେହ୍ଲା ଦେବୀ। ସେ ଏକାଧାରରେ ଜଣେ କବି, ଗାଳ୍ପିକ, ଓପନ୍ୟାସିକ, ଅନୁବାଦକ, ନାଟ୍ୟକାର, ଜୀବନାକାର ଏବଂ ଶିଶୁ ସାହିତ୍ୟିକ। ସେ ଥିଲେ ଜଣେ ସ୍ୱାଧୀନଚେତା ସ୍ପଷ୍ଟବାଦୀ ନିର୍ଭୀକ ପୁରୁଷ। ସତ୍ୟବାଦୀ ଆଦର୍ଶରେ ଅନୁପ୍ରାଣିତ ତାଙ୍କର ଗାନ୍ଧିକ ଆତ୍ମା ସ୍ୱଚ୍ଛନ୍ଦ ବିଚାରକୁ ଆଦର୍ଶ କରିପାରିଥିଲା। ସାମାଜିକ ଓ ଆର୍ଥିକ ବୈଷମ୍ୟ, ସାଂସ୍କୃତିକ ବିରୋଧାଭାସ ପ୍ରତି ସଚେତନ ଗାନ୍ଧିକଙ୍କର ଲେଖନୀ ଥିଲା ଶାଣିତ ଓ ତାହାର। ତାଙ୍କର ଅଭିବ୍ୟକ୍ତି ସହଜ, ସରଳ ଓ ବିଦ୍ରୂପାତ୍ମକ। ସ୍ଵତ, ସ୍ଵଚ୍ଛ, ପ୍ରଭାବଶାଳୀ ଓ ହୃଦୟସ୍ପର୍ଶୀ ଅଭିବ୍ୟକ୍ତି ହିଁ ଥିଲା ତାଙ୍କର ସୃଜନ ଆଭିମୁଖ୍ୟ। ସ୍ଵତଙ୍କ ସ୍ଵତ ମଧରେ 'ବଙ୍କା ଓ ସିଧା', 'କଣ୍ଟା ଓ ଫୁଲ', 'ଉଠ କଙ୍କାଳ', 'ହେ ମୋର କଲମ', 'ନୀଳମାଷ୍ଟ୍ରାଣୀ', 'ଏବେ ମଧ୍ୟ ବଞ୍ଚିଛି', 'ମୁଁ ଦିନେ ମନ୍ତ୍ରୀ ଥିଲି' ପ୍ରଭୃତି ଉଲ୍ଲେଖନୀୟ। 'ଏବେ ମଧ୍ୟ ବଞ୍ଚିଛି' ଗଳ୍ପଟି ଗାନ୍ଧିକଙ୍କ 'ଏବେ ମଧ୍ୟ ବଞ୍ଚିଛି' ଗଳ୍ପ ସଂକଳନରୁ ଆନୀତ। ଏଥିରେ ଓଡ଼ିଆ ଜାତିର ସ୍ୱାଭିମାନକୁ ସ୍ଵରତଭାବେ ବିଶେଷକରି କରାଯାଇଛି।

ପାଠ୍ୟ ଅନ୍ତର୍ଗତ

ଆସ ଗଳ୍ପଟିକୁ ଭଲ ଭାବରେ ପଢ଼ିବା, ବୁଝିବା ଓ ଉତ୍ତର ଲେଖିବା।

ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା ଚିହ୍ନ (* ) ଦେବା।

(୧) 'ଏବେ ମଧ୍ୟ ବଞ୍ଚିଛି' ଗଳ୍ପର ଲେଖକ କିଏ ?

  • ଗୋଦାବରୀଶ ମହାପାତ୍ର - ଗୋଦାବରୀଶ ମିଶ୍ର - କୃପାସିନ୍ଧୁ ମିଶ୍ର - ଗୋପବନ୍ଧୁ ଦାସ

(୨) ଯେତେବେଳେ ଗାଁ ଯାକ ଲୋକ ସାହାଯ୍ୟ କେନ୍ଦ୍ରକୁ ସାହାଯ୍ୟ ପାଇଁ ବାହାରିଥିବାବେଳେ ବେଣୁଧର କ'ଣ କରିଥାଏ ?

  • ପିଣ୍ଡାରେ ବସିଥାଏ।

  • ପିଣ୍ଡାରେ ଏପଟ-ସେପଟ ହେଉଥାଏ।

  • ପିଣ୍ଡାରେ ତୁନିହୋଇ ଠିଆ ହୋଇଥାଏ ।

  • ପିଣ୍ଡାରେ ବସି ଲୋକମାନଙ୍କୁ ଡାକୁଥାଏ ।

(୩) 'ଯେଉଁ ଦେଶର ମଣିଷର ସାକ୍ଷୀ ରୂପେ ସ୍ୱୟଂ ଦେବତା ବାଟ ଚାଲି ଆସିଥିଲେ ବୋଲି କଥା ଅଛି...' ଏହି ବାକ୍ୟାଂଶରେ କେଉଁ ଦେବତାଙ୍କ କଥା କୁହାଯାଇଛି ?

  • ବ୍ରହ୍ମା - ଶିବ - ଗୋପୀନାଥ - ଇନ୍ଦ୍ର

(୪) ସିରେଇ ସାହାଯ୍ୟ କେନ୍ଦ୍ରରୁ ଚାଉଳ ନ ନେଇ ବେଣୁଧର କ'ଣ କରୁଥିଲା ?

  • ଏଣେ ତେଣେ ବୁଲୁଥିଲା ।
  • ଦାଣ୍ଡ ପିଣ୍ଡାରେ ବସିଥିଲା ।
  • ସାହାଯ୍ୟ କେନ୍ଦ୍ରର ଚାରିପଟେ ବୁଲୁଥିଲା ।
  • ନିଜକୁ ଦୂରେଇ ଗଛମୂଳେ ବସିଥିଲା ।

(୫) ବେଣୁଧର ଗଛମୂଳେ କେଉଁ ସମୟରୁ ବସିଥିଲା ?

  • ସକାଳ ପହରୁ - ଦିନ ଦ୍ୱିପ୍ରହରରୁ - ଉପର ବେଳାଠାରୁ - ସନ୍ଧ୍ୟା ପର୍ଯ୍ୟନ୍ତ

(୬) ଉପରୋକ୍ତ ପ୍ରଶ୍ନପାଇଁ ତୁମର ସାଥୀମାନେ ଭିନ୍ନ ଉତ୍ତର ବାଛିଠାଇ ପାରନ୍ତି । ତୁମେ ବାଛିଥିବା ଉତ୍ତରଗୁଡ଼ିକ କାହିଁକି ବାଛିଛ ତାହା ବନ୍ଧୁମାନଙ୍କ ସହ ଆଲୋଚନା କର ।

ମିଳିମିଶି ଯୋଡ଼ିବା

ପାଠ୍ୟ ଅନ୍ତର୍ଗତ କିଛି ବାକ୍ୟ 'କ' ସ୍ତମ୍ଭରେ ତଳେ ଦିଆଯାଇଛି। 'ଖ' ସ୍ତମ୍ଭରେ ଦୁଇଟି ଲେଖାଏଁ ବାକ୍ୟ ଦିଆଯାଇଛି। ତୁମ୍ଭେମାନେ ଦଳଗତ ଭାବରେ ଏହା ଉପରେ ଆଲୋଚନା କର ଏବଂ 'ଖ' ସ୍ତମ୍ଭରେ ଦିଆଯାଇଥିବା ଉପଯୁକ୍ତ ଉତ୍ତର ସହିତ ରେଖା ଟାଣି ଯୋଡ଼।

----------------------------------------------------------------------- କ୍ରମିକ ସଂଖ୍ୟା 'କ' ସ୍ତମ୍ଭ 'ଖ' ସ୍ତମ୍ଭ ----------------------- ----------------------- ----------------------- ୧. ଶ୍ୟାମଳ ପତ୍ର ଗହଳ ତଳେ ଶୀତଳ - ମଣିଷ ଶାନ୍ତ ଅବସ୍ଥାକୁ ଆସିଲେ ପବନ ଟିକିଏ ପାଇ ସେ ଆଖି ବୁଜି ଯାହା ଚିନ୍ତା କରେ ତାହାହିଁ ଅନେକ ଭାବେ। ବାସ୍ତବତା। - ଚିନ୍ତା କରିବା ପରେ ଶାନ୍ତି ଅବସ୍ଥା ଆସିଥାଏ।

୨. କାହା ପେଟରେ ଅନ୍ନ ନାହିଁ କି - ଅନୁ ନ ଥିବାରୁ ମୁହଁରେ ହସ କାହା ମୁହଁରେ ହସ ନାହିଁ। ନଥିଲା। - ଭୋକିଲା ଲୋକର ବିଚାର ଧାରା ଠିକ୍ ହୋଇ ନଥାଏ।

୩. ଯାହା ପାଉଛନ୍ତି ମୁଠାଏ ତାହା - ଲୋକଙ୍କ ଘରେ ଜାଳେଣି ଶିଖେଇ ଖାଇବାକୁ ବେଳ ନାହିଁ। ନାହିଁ। - ଲୋକଙ୍କ କ୍ଷୁଧା ଅସହ୍ୟ ହେବାରୁ

୪. ବେଣୁଧରର କଥା ସୀମା ପାର - ନିଜ ପରିବାରର ଦାରିଦ୍ର୍ୟ ହିଁ ହୋଇଗଲା। ଦୁଃଖର କାରଣ। - ବେଣୁଧରର ଚାଳ ଛପର ସବୁଠାରେ ଉଡ଼ିଯାଇଥିଲା।

୫. ବେଣୁଧର ଦେହ ଶୀତେଇ ଉଠିଲା। - ପ୍ରବଳ ଜାଡ଼ ହେଉଥିବାରୁ। - ଉଦାର ବ୍ୟକ୍ତିଙ୍କର କୋମଳ ହାତର ସ୍ପର୍ଶ ତା'ର ଅନ୍ତରାତ୍ମାକୁ ଛୁଇଁବାରୁ।

(ଖ) ତୁମେ ବାଛିଥିବା ଉତ୍ତରଗୁଡ଼ିକ ବନ୍ଧୁମାନଙ୍କ ଉତ୍ତର ସହିତ ତୁଳନା କର ଏବଂ ତୁମେ ଯେଉଁ ଉତ୍ତର ବାଛିଛ ତାହା କାହିଁକି ବାଛିଛ, ଆଲୋଚନା କର।

ଗଳ୍ପର ବାକ୍ୟଗୁଡ଼ିକୁ ପଢ଼, ବୁଝ ଓ ଆଲୋଚନା କର

ନିମ୍ନଲିଖିତ ବାକ୍ୟଗୁଡ଼ିକୁ ପଢ଼, ବୁଝ ଓ ଲେଖ।

(କ) 'କାହାର ସ୍ନେହପାଳିତ ଗୋଟିଏ ଗଛମୂଳେ ପଥର ଉପରେ ବସିପଡ଼ି ଖାଲି ଦେଖିଲା। ତାକୁ ଦିଶିଲା ଗୋଟିଏ ପ୍ରାଚୀନ ବିରାଟ ଜାତି ହଠାତ୍ କିପରି ଭିକାରି ପାଲଟିଗଲା।'

(ଖ) 'ଚିର ଶ୍ୟାମଳ ବକୁଳ ଛୁରିଅନାମୂଳେ ଶହଶହ ତରୁଣ ପ୍ରାଣରେ ଯେଉଁ ଶିକ୍ଷାର ମଞ୍ଜି ପୋତାଯାଇଥିଲା, ତାହା କ'ଣ ଶେଷକୁ ବଢ଼ି ଉଠିଲା ଏଇ ଭିକ ମାଗିବା ପାଇଁ?'

ଭାବିଚିନ୍ତି ଲେଖ :

ନିମ୍ନଲିଖିତ ପ୍ରଶ୍ନଗୁଡ଼ିକୁ ପଢ଼, ବୁଝ ଓ ବନ୍ଧୁମାନଙ୍କ ସହିତ ଆଲୋଚନା କରି ଲେଖ ।

  • (କ) ସାହାଯ୍ୟ କେନ୍ଦ୍ରର ପିଣ୍ଡାରେ ବେଣୁଧର ତୁନି ହୋଇ ଠିଆ ହୋଇଥିବାର କାରଣ କ'ଣ ହୋଇପାରେ ?
  • (ଖ) ବେଣୁଧର ପାଠପଢ଼ି କ'ଣ ହେବା ପାଇଁ ଭାବିଥିଲା ।
  • (ଗ) ବେଣୁଧର ଭିକ ମାଗିବାଟା ସୁନ୍ଦର ହେବ ନାହିଁ ବୋଲି କାହିଁକି ଚିନ୍ତା କଲା ?
  • (ଘ) ସାହାଯ୍ୟ କେନ୍ଦ୍ରକୁ ଚାଉଳ ପାଇଁ ବେଣୁଧର କେତେଦିନ ଯାଇ ଚାଉଳ ନ ଆଣି ଫେରିଥିଲା ?
  • (ଙ) ଦୁର୍ଭିକ୍ଷ -- ରାକ୍ଷସର ଯାଦୁଘର ବୋଲି କାହାକୁ କୁହାଯାଇଛି ?
  • (ଚ) ବେଣୁଧର ଗଛମୂଳ ପଥର ଉପରେ ବସି ଜାତି ବିଷୟରେ କ'ଣ ଭାବୁଥିଲେ ?
  • (ଛ) ବେଣୁଧର ପଥର ପରି ତଳେ ପଡ଼ିଥିବାର ଦେଖି ମହାପୁରୁଷ ଜଣକ କ'ଣ କହିଥିଲେ ?

ଅନୁମାନ ଓ କଳ୍ପନା

  • (କ) ବେଣୁଧର ସ୍ଥାନରେ ତୁମେ ଥିଲେ କ'ଣ କରିଥାନ୍ତ ?
  • (ଖ) ପାଠ ପଢ଼ି ତୁମେ ଦେଶ ପାଇଁ କ'ଣ କରିବ ବୋଲି ଚିନ୍ତା କରିଛ ?
  • (ଗ) ତୁମ ଘରେ ଯଦି ଖାଦ୍ୟର ଅଭାବ ରୁହେ, ତେବେ ତୁମେ କ'ଣ କରିବ ?
  • (ଘ) ଯଦି କେବେ ତୁମେ ବକୁଳ ବନକୁ ଯାଅ, ସେଠାରେ ତୁମ ମନ ଭିତରେ କେଉଁ ଭାବନା ସୃଷ୍ଟି ହେବ ?
  • (ଙ) ଯଦି କେବେ ଦୁର୍ଭିକ୍ଷ ପଡ଼େ, ତେବେ ତୁମେ କିପରି ଲୋକମାନଙ୍କୁ ସହାୟତା କରିବ, କଳ୍ପନା କର ।

ନୀଳକଣ୍ଠ

ଗୋପବନ୍ଧୁ

ଗୋଦାବରୀଶ

ହରିହର

କୃପାସିନ୍ଧୁ

ପରିବର୍ତ୍ତିତ କାହାଣୀ

କଳ୍ପନା କର କାହାଣୀଟି କିପରି ଆଗକୁ ବଢ଼ିବ ।

  • (କ) ଯଦି ବେଣୁଧର ସାହାଯ୍ୟ କେନ୍ଦ୍ରକୁ ଯାଇଥାନ୍ତା ?
  • (ଖ) ବେଣୁଧର ଯଦି ସ୍ୱାଭିମାନୀ ହୋଇନଥାନ୍ତା ?
  • (ଗ) ଯଦି ବେଣୁଧର ଗୁରୁଙ୍କ କଥା ମାନି ନଥାନ୍ତା ?
  • (ଘ) ବେଣୁଧର ଅନ୍ୟମାନଙ୍କ ପରି ଯଦି ସାହାଯ୍ୟ ଗ୍ରହଣ କରିଥାନ୍ତା ?
  • (ଙ) ବେଣୁଧର ଭିକ ମାଗିବା ପାଇଁ ଯଦି ଯାଇଥାନ୍ତା ?

ଉପରୋକ୍ତ ପ୍ରସଙ୍ଗ ମଧ୍ୟରୁ ଗୋଟିଏ ପ୍ରସଙ୍ଗକୁ ବାଛ । ସାଙ୍ଗସାଥୀମାନଙ୍କ ସହିତ ଆଲୋଚନା କରି ଏକ ନୂତନ କାହାଣୀ ଲେଖିବାକୁ ପ୍ରୟାସ କର ।

ଉପଯୁକ୍ତ ଶବ୍ଦ ଚୟନ କର

ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

  • (କ) ଦୂରର ______ ପାଣି ପରି ଭାସିଯାଏ । (କାଠଗଣ୍ଡି, ମରୀଚିକା, ଇନ୍ଦ୍ରଧନୁ) - (ଖ) କପୋତର ______ ଧୂଳି ବେଣୁଧରର ମୋହ ଭାଙ୍ଗି ପାରିଲା ନାହିଁ । (ମଧୁର, କରୁଣ, ବିସାଦ) - (ଗ) ଜୀବନ ଥିଲେ ଭାଇ ______ ନାହିଁ ହାତ ? (ମାଗିବା, ପାତିବା, ଯାତିବା) - (ଘ) ପାଠ ପଢ଼ି ବେଶୁଧର ଭାବିଲା-ସେ, ଦେଶକୁ ______ । (ଗଢ଼ିବ, ଜଗାଇବ, ଗଢ଼ାଇବ, ଜାଗିବ) - (ଙ) ତା'ର ଦେହ ______ ଉଠିଲା । (ଥରି, ଶୀତେଇ, ଗୁମୁରି)

ଭାଷା ବିଚାର

"ହାତ" ଶବ୍ଦକୁ ବ୍ୟବହାର କରି ଭିନ୍ନ ଅର୍ଥରେ ଦୁଇଟି ବାକ୍ୟ ଗଠନ କରାଯାଇଛି । ସେହିପରି ତୁମେ ଦୁଇଟି ଶବ୍ଦର ଭିନ୍ନ ଅର୍ଥ ପ୍ରକାଶକ ଶବ୍ଦ ଲଗାଇ ବାକ୍ୟ ଗଠନ କର ।

ଯେପରି --

(୧) ଶୀତଳ କୋମଳ ହାତର ସ୍ପର୍ଶ ତା'

ପିଠିରେ ଲାଗିଲା ।

  • ଜୀବନ ଥିଲେ ଭାଇ ପାତିବା ନାହିଁ ହାତ ।

କାଳ (ସମୟ) ବିଚାର

ନିମ୍ନରେ ଦିଆଯାଇଥିବା ବାକ୍ୟଗୁଡ଼ିକ ମନ ଦେଇ ପଢ଼ ।

  • (କ) ମୁହଁ ବୁଲେଇ ଦେଖେ ଦୂରରେ ଗଛ ଗହଳରେ ସିରେଇ ଗାଁ ।
  • (ଖ) ମୁହଁ ବୁଲେଇ ଦେଖିଲା ଦୂରକୁ ଗଛ ଗହଳରେ ସିରେଇ ଗାଁ ଦିଶୁଛି ।
  • (ଗ) ମୁହଁ ବୁଲେଇ ଦେଖିବ ଦୂରରେ ଗଛ ଗହଳରେ ସିରେଇ ଗାଁ ଦିଶିବ ।

ବାକ୍ୟର ରେଖାଙ୍କିତ ପଦରୁ ବୁଝାପଡୁଛି କି କାର୍ଯ୍ୟ ହେବାର ସମୟକୁ କାଳ କୁହାଯାଏ । କ୍ରିୟାର ଯେଉଁ ରୂପ ସୂଚାଇଥାଏ ଯେ କେବେ କୌଣସି କାର୍ଯ୍ୟ କରାଯାଇଥିଲା, ଘଟୁଛି କିମ୍ବା ଘଟିବାକୁ ଯାଉଛି, ତାହାକୁ କାଳ କୁହାଯାଏ ।

କାଳ ୩ ପ୍ରକାର

  • (୧) ଅତୀତ କାଳ -- ଯେଉଁ କାର୍ଯ୍ୟ କରାଯାଇ ସାରିଛି ।
  • (୨) ବର୍ତ୍ତମାନ କାଳ -- ଯେଉଁ କାର୍ଯ୍ୟ କରାଯାଉଛି ।
  • (୩) ଭବିଷ୍ୟତ କାଳ -- ଯେଉଁ କାର୍ଯ୍ୟ କରାଯିବ ।

ବାକ୍ୟର କାଳ (ସମୟ) ପରିବର୍ତ୍ତନ

ଶହ ଶହ ପ୍ରାଣୀ କାନି ପତାଇ ମାଗୁଛନ୍ତି ।

ବେଣୁଧରର ପ୍ରାଣର ରସ ମରିଯାଇଛି ।

ଉପରେ ଦିଆଯାଇଥିବା ରେଖାଙ୍କିତ ପଦରେ କି ପାର୍ଥକ୍ୟ ଅଛି। ସାଙ୍ଗମାନଙ୍କ ସହ ଆଲୋଚନା କର, ବୁଝ ଏବଂ ନିମ୍ନଲିଖିତ ବାକ୍ୟରେ ଥିବା ଶୂନ୍ୟସ୍ଥାନ ପୂରଣ କର।

  • (କ) ସେହିଠାରେ ସେ ପାଠ - (ପଢ଼ିବ / ପଢ଼ିବେ) - (ଖ) ଆପଣମାନେ ଏଠାକୁ - (ଆସ / ଆସନ୍ତୁ) - (ଗ) ସେମାନେ ମୋତେ - (ହସାଇଲା / ହସାଇଲେ) - (ଘ) କାନି ପଡ଼େଇ ସେ - (ମାଗିପାରେ / ମାଗିପାରନ୍ତି)

ନିମ୍ନରେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ବର୍ତ୍ତମାନ ଏବଂ ଭବିଷ୍ୟତ କାଳରେ ଲେଖ।

  • (କ) ତାଙ୍କ ଆଖିରୁ ଲୁହ ଝରି ପଡ଼ିଲା।
  • (ଖ) ସେ ଅନୁରୋଧ କରି କହିଲେ।
  • (ଗ) ବେଣୁଧର ସମ୍ଭାଳି ପାରିଲା ନାହିଁ।
  • (ଘ) ମହାପୁରୁଷ ଅନେକ କ୍ଷଣ ଠିଆ ହେଲେ।

ଶବ୍ଦ କୋଷର ବିଚାର

ତୁମେ ଜାଣ ଯେ ଅଭିଧାନ ବ୍ୟବହାର କରି ଶବ୍ଦର ଅର୍ଥ ଜାଣି ହୁଏ। ନିମ୍ନରେ ପାଠରୁ ନିଆଯାଇଥିବା ବାକ୍ୟଗୁଡ଼ିକର ଏକ ନିର୍ଦ୍ଦିଷ୍ଟ ପଦକୁ ରେଖାଙ୍କିତ କରାଯାଇଛି। ରେଖାଙ୍କିତ ପଦଗୁଡ଼ିକର ଅର୍ଥ ଡାହାଣ ପାଖରେ ଦିଆଯାଇଛି। ଠିକ୍ ଅର୍ଥ ଉପରେ ଗୋଲ ବୁଲାଅ।

(କ) ବେଣୁଧର ପିଣ୍ଡାରେ ତୁନି ହୋଇ ଠିଆ ହୁଏ। ନୀରବ, ବିଚଳିତ, ଆନନ୍ଦ, ଦୁଃଖ ---------------------------------------- ----------------------- (ଖ) ବସିବସି, ବିଚାରି ବିଚାରି ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠେ। ଚନ୍ଦ୍ର, ତପନ, ନକ୍ଷତ୍ର, ଅର୍କ (ଗ) ଯେଉଁଠାରେ ଦେବତା ମଣିଷର ସାକ୍ଷୀ। ଶୁର, ସୁର, ମାନବ, ଦାନବ (ଘ) ଦୁର୍ଭିକ୍ଷ-ରାକ୍ଷସର ତାହା ଗୋଟିଏ ବିରାଟ ଯାଦୁଘର। ଦାନବ, ଗନ୍ଧର୍ବ, ମାନବ, ମନୁ

ଚିନ୍ତା କରି ଲେଖିବା

"ଗୋଟିଏ ଶୀତଳ କୋମଳ ହାତର ସ୍ପର୍ଶ ତା' ପିଠିରେ ଲାଗିଲା।"

ଗଳ୍ପର ଏହି ଧାଡ଼ିରେ ଶୁଦ୍ଧ ଭାବ ପ୍ରକାଶ କରୁଛି।

ନିମ୍ନରେ କେତେଗୁଡ଼ିଏ ବାକ୍ୟ ଦିଆଯାଇଛି। ଦିଆଯାଇଥିବା ବାକ୍ୟଗୁଡ଼ିକ କେଉଁ ଭାବନା ପ୍ରକାଶ କରୁଛି, ଡାହାଣ ପାଖ ଭାବନା ସାରଣୀ ସହ ମିଳାଅ।

ବାକ୍ୟ ଭାବନା ----------------------------------------------------------- --------- ୧. ସମସ୍ତଙ୍କ ଆଗରେ ମୁଁ ହାତ ପଡ଼େଇ ଠିଆହୋଇ ମାଗିବାଟା ସୁନ୍ଦର ହେବ ନାହିଁ। ଲଜ୍ଜା ୨. ମାତ୍ର ନିଜ ଭିତରେ ସେ ଦେଖେ ଆଉ ଗୋଟିଏ ଜଗତ। ଦେଶପ୍ରେମ ୩. ପାଠ ପଢ଼ି ପଢ଼ି ସେ ଭାବିଲା-ସେ ଜାଗିବ, ଦେଶକୁ ଜଗାଇବ। ନିରାଶା ୪. ଯେଉଁ ଦେଶରେ ଯୁଗ ଯୁଗ ଧରି ବିରାଟ ପଥର ସ୍ତୁପ ଉପରେ ପଡ଼ିତପାବନ ବାନା ଉଡୁଛି। କଳ୍ପନା ୫. କେଉଁଠି ସେ ଆପଣାର ମୁହଁଟା ଲୁଚାଇ ଠିଆ ହୋଇପାରନ୍ତା କି ? ଉଛି ୬. ତା' ପରେ ଦୁଇଟୋପା ଲୁହ ନିଗିଡ଼ି ତଳେ ପଡ଼ିଗଲା। ସ୍ୱାଭିମାନ ୭. ସେହି ନୀରସ ସଂସାର ଭିତରେ ତା'ର ଆଶାର ଝରଣା ଶୁଖିଆସିଛି। ଦୁଃଖ

ବାକ୍ୟ ବିସ୍ତାର

'ବେଣୁଧର ଆଖି ଫିଟେଇଲା।'

ଏହି ବାକ୍ୟଟି କେବଳ ଦୁଇଟି ଶବ୍ଦ ଓ ଗୋଟିଏ କ୍ରିୟାପଦକୁ ନେଇ ଗଠିତ । କିନ୍ତୁ ଆମେ ଏହି ବାକ୍ୟକୁ ଆହୁରି ବଡ଼ କରିପାରିବା ।

ଯଥା : ବେଣୁଧର ଆଖି ଫିଟେଇ ଦେଖିଲା ପୁଣି ସେହି ଆଖି ଆଗରେ ପୁରୁଣା ସଂସାର ।

'ଏବେ ମୁଁ କଥାଟି ବୁଝିପାରୁଛି ।' ଏହି ବାକ୍ୟକୁ ମଧ୍ୟ ଆହୁରି ବିସ୍ତାରିତ କରାଯାଇ ପାରିବ । ଯାହାକି ଅନେକ ଅର୍ଥ ଓ ଭାବନାକୁ ପ୍ରକାଶ କରିବ । ନିମ୍ନରେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ବିସ୍ତାରିତ କରି ଲେଖ ।

  • (କ) ସେ ପଛକୁ ଘୁଞ୍ଚ ଆସିଲା ।
  • (ଖ) ତାକୁ ଦିଶିଲା ।
  • (ଗ) ସେ ନିଜକୁ ଖୋଜିଲା ।
  • (ଘ) ମୁହଁ ବୁଲେଇ ଦେଖେ ।
  • (ଝ) ବେଣୁଧର ଘରକୁ ଫେରିଆସିଲା ।
  • (ଚ) କିପରି ଠିଆ ହେବ ?

ଦୂରାଭାଷରେ ଯୋଗାଯୋଗ

  • (କ) ତୁମେ କଳ୍ପନା କର ପାଠ୍ୟ ଅନ୍ତର୍ଭୁକ୍ତ କାହାଣୀଟି ବର୍ତ୍ତମାନ ସମୟର । ବେଣୁଧର ସାହାଯ୍ୟ କେନ୍ଦ୍ରକୁ ନଯିବା ପାଇଁ ଜିଦି ଧରିଛନ୍ତି । କିନ୍ତୁ ତାଙ୍କର ଦାରିଦ୍ର୍ୟ ଜୀବନ ତାଙ୍କୁ ସାହାଯ୍ୟ କେନ୍ଦ୍ରକୁ ଯିବା ପାଇଁ ବାଧ୍ୟ କରୁଛି । ତୁମେ କଳ୍ପନା କରି ବେଣୁଧର ଏବଂ ତାଙ୍କ ଦାରିଦ୍ର୍ୟ ଜୀବନ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଲେଖନ୍ତୁ ।
  • (ଖ) କଳ୍ପନା କରନ୍ତୁ ଯେ ବେଣୁଧର ସାହାଯ୍ୟ କେନ୍ଦ୍ରରେ ଦେଖୁଥିବା ଦୃଶ୍ୟକୁ ଦେଖି ନିଜ ମନ ଭିତରେ ଅନେକ ଚିନ୍ତା କରୁଛନ୍ତି । ତୁମେ ବେଣୁଧରର ଭାବନାକୁ ମୋବାଇଲର ମେସେଜରେ ଲେଖି, ବନ୍ଧୁକୁ ଜଣାଅ ।

ତୁମର ଦୈନନ୍ଦିନୀ

ଅଗଷ୍ଟ ମାସ ତିନି ତାରିଖ -- ଆଜି ମୁଁ ମୋ ମାମୁ ଘରକୁ ଗଲି ।

ପାଠ୍ୟ କହିଛନ୍ତି

ତୁମର କଥା

  • (କ) ଗଳ୍ପରେ ବେଣୁଧର ନିଜ ଜାତିକୁ ଭଲ ପାଉଥିଲା । ତୁମ ଘର ଓ ପରିବାର ପ୍ରତି ତୁମର ଆସକ୍ତି ଅନୁଭବ କରି ଲେଖ ।
  • (ଖ) ତୁମେ କେବେ କୌଣସି ସ୍ଥାନ, ଜିନିଷ କିମ୍ବା ବ୍ୟକ୍ତି ପ୍ରତି ଏତେ ଆକର୍ଷିତ ହୋଇଛ ଯେ, ତାହାକୁ ଛାଡ଼ିବା ତୁମ ପାଇଁ କଷ୍ଟ କର । ଏହି ଅଭିଜ୍ଞତାକୁ ବନ୍ଧୁମାନଙ୍କ ସହ ଆଲୋଚନା କର ।
  • (ଗ) ତୁମେ କ୍ରୋଧ ଓ ଅହଙ୍କାରରେ କିଛି କାର୍ଯ୍ୟ କରିଥିଲ, ଯାହାକୁ ନେଇ ତୁମେ ଅନୁଚrew । ସେ ସମ୍ପର୍କରେ ତୁମ ସାଥୀମାନଙ୍କ ସହ ଆଲୋଚନା କର ।

ନ୍ୟାୟ ଓ ସମାନତା

କାହାଣୀରେ ତୁମେ ବେଣୁଧରର ଜାତୀୟତା ବୋଧ ସମ୍ପର୍କରେ ପଢ଼ିଛ । ଏହି ପ୍ରସଙ୍ଗ ଆଧାରରେ ନିମ୍ନରେ କିଛି ପ୍ରଶ୍ନ ଦିଆଯାଇଛି, ଆଲୋଚନା କରି ଲେଖ ।

  • (କ) ତୁମେ ବେଣୁଧରର ତ୍ୟାଗ ସମ୍ପର୍କରେ କିଛି ଦେଖିଛ, ପଢ଼ିଛ କିମ୍ବା ଶୁଣିଛ କି ? ସେ ବିଷୟରେ ଆଲୋଚନା କର ଓ ଲେଖ ।
  • (ଖ) "ସ୍ୱାଭିମାନ, ଜାତୀୟତା ଓ ତ୍ୟାଗ ହିଁ ଜାତି ଉନ୍ନତିର ମୂଳ କାରଣ ।" ଏ ଉକ୍ତି ଉପରେ ନିଜର ମତାମତ ଲେଖ ।

ତୁମ ଘରର କାହାଣୀ

ତୁମ ପରିବାରର ଇତିହାସ ବିଷୟରେ ପିତାମାତାଙ୍କ ସହିତ ଆଲୋଚନା କର । ତୁମେ ରହୁଥିବା ଘର କିଏ ନିର୍ମାଣ କରିଥିଲେ, ତାହା ବୁଝ । ପରିବାର ଭିତରେ ଶାନ୍ତି, ସ୍ନେହ, ଶ୍ରଦ୍ଧା ରକ୍ଷାପାଇଁ ତୁମର ଜେଜେବାପା କିପରି ସକ୍ଷମ ହୋଇଥିଲେ, ତାହା ତାଙ୍କ ଠାରୁ ବୁଝି ନିଜ ପରିବାର ବିଷୟରେ ଗୋଟିଏ ଅନୁଚ୍ଛେଦ ଲେଖ ।

ତୁମେ ତୁମର ଘରର କାହାଣୀ ଜାଣିଛ କି ? ଏହା କେବେ ନିର୍ମିତ ହୋଇଥିଲା ? ଏହା କିପରି ନିର୍ମିତ ହୋଇଥିଲା ? ଏହାକୁ ନିର୍ମାଣ କରିବା ପାଇଁ କିପରି ପ୍ରୟାସ କରାଯାଇଥିଲା ? ଏ ସମ୍ପର୍କରେ ଘରୁ ବୁଝି ନିଜ ଭାଷାରେ ଲେଖ ।

ତୁମେ ତୁମର ଜେଜେ ବାପା ଏବଂ ମା'ଙ୍କ ପାଖକୁ ଯାଇ, ତାଙ୍କର ଯୁବ ବୟସରେ ଘର ସହ ଥିବା ସମ୍ପର୍କକୁ ପଚାର । ସେମାନେ ଏହି ଘରେ କେବେଠାରୁ ରହି ଆସୁଛନ୍ତି ? ଘର ପ୍ରତି ତାଙ୍କର ତ୍ୟାଗକୁ ବୁଝି ବନ୍ଧୁମାନଙ୍କ ସହ ଆଲୋଚନା କର ।

★★★