ସ୍ୱପ୍ନିଳ ବିହଙ୍ଗ
ମହାଦେବୀ ବର୍ମା
ସ୍ୱପ୍ନ ଚଢ଼େଇର ପକ୍ଷ କାଟ ନାହିଁ ଉଡ଼ିଯାଉ ନୀଳ ନଭ ପରେ, ଗତିକୁ ତାହାର ବାଧା ଦିଅନାହିଁ ବାନ୍ଧ ନାହିଁ କେବେ ଏ ମାଟିରେ ॥ ॥୧॥
ସୁଗନ୍ଧ ସିନା ବିଛୁରିତ ହୁଏ ଫେରି ଆସେ କ'ଣ ଧରଣୀରେ ? ମଞ୍ଜି ବୁଣାଯାଏ ମାଟିର ବୁକୁରେ ତାହା କି ଗଗନେ ଉଡ଼ିପାରେ ? ॥ ॥୨॥
ନିଆଁ ସିନା ଜଳେ ବସୁନ୍ଧରା ପରେ ଧୂଆଁ ଉଠିଥାଏ ଆକାଶକୁ, ଉଭୟର ସ୍ଥିତି ସ୍ୱପ୍ନରେ ଭାସି ଉଡ଼ିଆସେ ଆଖି ଭିତରକୁ । ॥ ॥୩॥
ଆରୋହଣ ତାର ରୋକନାହିଁ ଅବରୋହଣକୁ ବାନ୍ଧ ନାହିଁ, ମୁକ୍ତ ଗଗନରେ ବୁଲିବାକୁ ଦିଅ ଫେରି ଆସୁ ତାରା କାହୁଁ ଛୁଇଁ । ॥ ॥୪॥
ମେଘରୁ ରଙ୍ଗ କିରଣୁ ଆଲୋକ ଆଣିବ ନିଶ୍ଚୟ ଏ ଧରାକୁ, ସ୍ୱର୍ଗ ସୃଷ୍ଟିର ଶିଳ୍ପ କଳାକୁ ଶିଖାଇବ ଜଣେ ମଣିଷକୁ । ॥ ॥୫॥
ଆକାଶେ ପହଞ୍ଚୁ ସ୍ୱପ୍ନର ପକ୍ଷୀ ବାନ୍ଧି ରଖ ନାହିଁ ପୃଥିବୀରେ, ସ୍ୱପ୍ନର ଡେଣା କାଟନାହିଁ କେବେ ଗତି ରୋକ ନାହିଁ ଜୀବନରେ । ॥ ॥୬॥
— ସମ୍ପାଦନା ମଣ୍ଡଳୀ
(କବୟିତ୍ରୀ ମହାଦେବୀ ବର୍ମାଙ୍କ 'ମତ ବାନ୍ଧୋ' କବିତା ଛାୟାରେ ରଚିତ)
କବି ପରିଚୟ :
ପ୍ରସିଦ୍ଧ ହିନ୍ଦୀ କବି ମହାଦେବୀ ବର୍ମା ଉତ୍ତର ପ୍ରଦେଶର ଫାରୁଖାବାଦରେ ଜନ୍ମଗ୍ରହଣ କରିଥିଲେ । ସେ ପିଲାବେଳୁ କବିତା ଲେଖିବା ଆରମ୍ଭ କରିଥିଲେ । ସେ ‘ବାରହାମାସା’, ‘ଆଜ ଖରିଦେଙ୍ଗେ ହମ ଜ୍ୱାଲା’, ‘ଅବ ୟେ ଚିଡ଼ିୟାଁ କହାଁ ରହେଙ୍ଗୀ’ ପ୍ରଭୃତି କବିତା ପିଲାମାନଙ୍କ ପାଇଁ ଲେଖିଛନ୍ତି । ଏହା ବ୍ୟତୀତ ସେ ଭାବପ୍ରବଣ ଗଦ୍ୟ ‘ମେରା ପରିବାର’, ‘ଅତୀତ କେ ଚଳଚ୍ଚିତ୍ର’, ‘ସ୍ମୃତି କୀ ରେଖାଏଁ’ ତଥା ‘ପଥ କେ ସାଥୀ’ ମଧ୍ୟ ରଚନା କରିଥିଲେ । ତାଙ୍କଦ୍ୱାରା ବର୍ଣ୍ଣିତ ଚରିତ୍ରଗୁଡ଼ିକ ପାଠକମାନଙ୍କ ସ୍ମୃତିରେ ରହିଯାଇଥାନ୍ତି । ‘ନୀହାର’, ‘ରଶ୍ମି’, ‘ନୀରଜା’, ‘ସାନ୍ଧ୍ୟ ଗୀତ’ ଏବଂ ‘ଦୀପଶିଖା’ ଆଦି ଅନେକ ବହୁ ଚର୍ଚ୍ଚିତ କବିତା ସଂଗ୍ରହ ରହିଅଛି । ସାହିତ୍ୟ କୃତି ପାଇଁ ତାଙ୍କୁ ଭାରତୀୟ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଛି । ଏହି ବହୁମୁଖୀ ପ୍ରତିଭା କବି ମହାଦେବୀ ବର୍ମା ମଧ୍ୟ ଜଣେ ଚିତ୍ରକର ଥିଲେ ।
ପାଠ୍ୟ ଅନ୍ତର୍ଗତ
ଆସ କବିତାଟିକୁ ଭଲ ଭାବରେ ପଢ଼ିବା, ବୁଝିବା ଓ ଉତ୍ତର ଲେଖିବା
ମୋ ବୁଝିବାରେ
(କ) ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା (★) ଚିହ୍ନ ଦେବା ।
(୧) ‘ସ୍ୱପ୍ନିଳ ବିହଙ୍ଗ’ କବିତାରେ ନିମ୍ନଲିଖିତ କେଉଁ ପଂକ୍ତିରେ କବିତାର ମୁଖ୍ୟ ଭାବ ପ୍ରକାଶ ପାଇଛି । (କ) ସ୍ୱପ୍ନଗୁଡ଼ିକ କେବଳ କଳ୍ପନା । (ଖ) ସ୍ୱପ୍ନ ସବୁ ଭୁଲିଯିବା ଉଚିତ । (ଗ) ସ୍ୱପ୍ନ ଦେଖିବାର ସ୍ୱାଧୀନତା ରହିବା ଆବଶ୍ୟକ । (ଘ) ସ୍ୱପ୍ନ ଦେଖିବା ଭଲ ।
(୨) କାହାକୁ ବାନ୍ଧ ନାହିଁ ବୋଲି କୁହାଯାଇଛି ? (କ) ପ୍ରେମକୁ (ଖ) ସ୍ୱପ୍ନକୁ (ଗ) ଶିକ୍ଷାକୁ (ଘ) ଅଧିକାରଗୁଡ଼ିକୁ
(୩) ଏହି ସ୍ୱପ୍ନଗୁଡ଼ିକର ‘ଡେଣା କାଟ ନାହିଁ’ ବୋଲି କାହିଁକି କଳ୍ପନା କରାଯାଇଛି ? (କ) ସ୍ୱପ୍ନ ଆମ ଜୀବନରେ କିଛି ନୂଆ କାର୍ଯ୍ୟ ପାଇଁ ପ୍ରେରଣା ଦିଏ । (ଖ) ସ୍ୱପ୍ନ ତୁମକୁ ସଫଳତାର ଶିଖରରେ ପହଞ୍ଚାଇବ । (ଗ) ସ୍ୱପ୍ନଗୁଡ଼ିକ ଡେଣା ପରି ଉଡ଼ିଯାଏ । (ଘ) ସ୍ୱପ୍ନଗୁଡ଼ିକ ପକ୍ଷୀର ପରି ନରମ ଓ ଅନେକ ପ୍ରକାରର ।
(୪) ସ୍ୱର୍ଗ ସୃଷ୍ଟି କରିବା ପାଇଁ ‘ଆଉ କୌଣସି କଳା’ କହିଲେ କ’ଣ ବୁଝ ? (କ) ଯେଉଁଠାରେ କୌଣସି ପ୍ରକାର ଶାରୀରିକ ଯନ୍ତ୍ରଣା ନାହିଁ । (ଖ) ଯେଉଁଠାରେ ଅତୁଳନୀୟ ଧନ ସମ୍ପତ୍ତି ରହିଛି । (ଗ) ଯେଉଁଠାରେ ପାରସ୍ପରିକ ସହଯୋଗ ଓ ସଦ୍ଭାବ ଅଛି । (ଘ) ଯେଉଁଠାରେ ସମସ୍ତେ ପରସ୍ପର ପ୍ରତି ସମ୍ବେଦନଶୀଳ ଅଟନ୍ତି ।
(୫) ଯଦି ମଞ୍ଜି ମାଟିରେ ପଡ଼ିଯାଏ ତେବେ କ’ଣ ହୁଏ ? (କ) ସେ ଶୀଘ୍ର ଉଡ଼ିଯାଇ ପାରେ । (ଖ) ମାଟି ଭିତରକୁ ଉଡ଼ିଯାଏ । (ଗ) ତା’ର ଉଡ଼ାଣ ବାଧାପ୍ରାପ୍ତ ହୁଏ । (ଘ) ଏହା ଗଜା ହୋଇ ଗଛରେ ପରିଣତ ହୋଇପାରେ ।
(ଖ) ତୁମର ସାଙ୍ଗସାଥୀମାନେ ଭିନ୍ନଭିନ୍ନ ଉତ୍ତର ବାଛି ଥାଇପାରନ୍ତି । ତୁମେ ଏହି ଉତ୍ତରଗୁଡ଼ିକ କାହିଁକି ବାଛିଲ, ସେହି ବିଷୟରେ ସାଙ୍ଗମାନଙ୍କ ସହିତ ଆଲୋଚନା କର ।
କବିତାର ପଦଗୁଡ଼ିକ ଆଲୋଚନା କରିବା ।
କବିତାରୁ କିଛି ପଦ ବା ପଂକ୍ତି ଦିଆଯାଇଛି । ସେଗୁଡ଼ିକୁ ଭଲଭାବେ ପଢ଼ିବା, ଚିନ୍ତାକରିବା ଓ କ’ଣ ବୁଝିଲ ସାଙ୍ଗସାଥୀମାନଙ୍କ ସହିତ ଆଲୋଚନା କରି ଲେଖିବା ।
(କ) ‘ସୁଗନ୍ଧ ସିନା ବିଛୁରିତ ହୁଏ ଫେରି ଆସେ କ’ଣ ଧରଣୀରେ ? ମଞ୍ଜି ବୁଣାଯାଏ ମାଟିର ବୁକୁରେ ତାହା କି ଗଗନେ ଉଡ଼ିପାରେ ?’
(ଖ) ‘ମୁକ୍ତ ଗଗନରେ ବୁଲିବାକୁ ଦିଅ ଫେରି ଆସୁ ତାରା କାହୁଁ ଛୁଇଁ। ମେଘରୁ ରଙ୍ଗ କିରଣୁ ଆଲୋକ ଆଣିବ ନିଶ୍ଚୟ ଏ ଧରାକୁ।’
ମିଳିମିଶି ଯୋଡ଼ିବା
କବିତାର କିଛି ଧାଡ଼ି ‘କ’ ସ୍ତମ୍ଭରେ ଦିଆଯାଇଛି । ସେହି ଧାଡ଼ିଗୁଡ଼ିକର ଅର୍ଥ ତଥା ପ୍ରସଙ୍ଗ ସ୍ତମ୍ଭ ‘ଖ’ରେ ଦିଆଯାଇଛି । ଧାଡ଼ିଗୁଡ଼ିକର ଠିକ୍ ଅର୍ଥ ଓ ପ୍ରସଙ୍ଗକୁ ରେଖାଦ୍ୱାରା ମିଳନ କର ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ | | :--- | :--- | | ୧. ସ୍ୱପ୍ନର ଡେଣା କାଟ ନାହିଁ କେବେ ଗତି ରୋକ ନାହିଁ ଜୀବନରେ ॥ | ୧. ସ୍ୱପ୍ନର ଉଡ଼ାଣ ଓ ଅବତରଣରେ ବାଧା ସୃଷ୍ଟି କର ନାହିଁ । କାରଣ ସ୍ୱାଧୀନତା ହେଉଛି ସ୍ୱପ୍ନ ସାକାର କରିବାର ଚାବିକାଠି । | | ୨. ଉଭୟର ସ୍ଥିତି ସ୍ୱପ୍ନରେ ଭାସି ଉଡ଼ି ଆସେ ଆଖି ଭିତରକୁ ॥ | ୨. ସ୍ୱପ୍ନକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଚେଷ୍ଟା କର । ଏହାକୁ ମାଟିରେ ବାନ୍ଧି ରଖ ନାହିଁ । | | ୩. ଆରୋହଣ ତା'ର ରୋକନାହିଁ ଅବରୋହଣକୁ ବାନ୍ଧ ନାହିଁ । | ୩. ପକ୍ଷୀର ଡେଣା କାଟିଦେଲେ ସେ ଉଡ଼ି ପାରେ ନାହିଁ । ସେହିପରି ସ୍ୱପ୍ନରେ ବାଧା ସୃଷ୍ଟି କଲେ ତାହାର କଳ୍ପନା ଓ ସୃଜନଶୀଳତା ନଷ୍ଟ ହୋଇଯିବ । | | ୪. ଆକାଶେ ପହଞ୍ଚୁ ସ୍ୱପ୍ନର ପକ୍ଷୀ ବାନ୍ଧି ରଖ ନାହିଁ ପୃଥିବୀରେ ॥ | ୪. ସୃଜନଶୀଳ ଓ ମୁକ୍ତ ଚିନ୍ତାଧାରାର କଳା ସମାଜକୁ ସରସ, ସୁନ୍ଦର ଓ ସମୃଦ୍ଧ କରି ସ୍ୱର୍ଗର ମହକକୁ ମଣିଷ ଏ ଧରାରେ ସୃଷ୍ଟି କରିପାରିବ । | | ୫. ସ୍ୱର୍ଗ ସୃଷ୍ଟିର ଶିଳ୍ପ କଳାକୁ ଶିଖାଇବ ଜଣେ ମଣିଷକୁ ॥ | ୫. ସ୍ୱପ୍ନର ଉଡ଼ାଣ ଓ ଅବତରଣର ଦୁଇ ବୈଶିଷ୍ଟ୍ୟ ସ୍ୱାଧୀନ ଭାବେ ସ୍ୱପ୍ନ ଭିତରେ ଜନ୍ମ ନେଇଥାଏ । କଳ୍ପନାର ଦୃଷ୍ଟି ମଧ୍ୟରେ ଏହାର ଅବସ୍ଥିତି । |
କବିତା ପଢ଼ିବା ଓ ଚିନ୍ତା କରିବା
କବିତାଟି ଭଲଭାବେ ପଢ଼, ବୁଝ ଓ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(କ) କବିତାରେ ‘ବାନ୍ଧି ରଖ ନାହିଁ’, ‘ଡେଣା କାଟ ନାହିଁ’ ପଦଗୁଡ଼ିକ କାହାକୁ ସମ୍ବୋଧିତ କରାଯାଇଛି ? (ଖ) ‘ସ୍ୱପ୍ନର ଗତିକୁ ବନ୍ଦ କରିବା ଉଚିତ ନୁହେଁ’ – ଏହା କବିତାରେ କାହିଁକି କୁହାଯାଇଛି ? (ଗ) ସ୍ୱପ୍ନକୁ ଦର୍ଶାଇବା ପାଇଁ କବିତାରେ ‘ସୁଗନ୍ଧ’, ‘ମଞ୍ଜି’, ‘ଧୂଆଁ’, ‘ଆଲୋକ’ ପରି ଶବ୍ଦଗୁଡ଼ିକର ବ୍ୟବହାର କରାଯାଇଛି । ସ୍ୱପ୍ନକୁ ସାକାର କରିବା ପାଇଁ କବିତାରେ କେଉଁ ଶବ୍ଦ ବ୍ୟବହାର କରାଯାଇଛି ? (ଘ) କବିତାରେ ଆରୋହଣ ଓ ଅବରୋହଣ ଶବ୍ଦ ପ୍ରୟୋଗର ଉଦ୍ଦେଶ୍ୟ କ’ଣ ? (ଙ) ସ୍ୱପ୍ନ କ’ଣ ଆଖି ଭିତରକୁ ଉଡ଼ି ଆସେ ଓ ବାସ୍ତବରେ ପରିଣତ ହୁଏ ? ନିଜର ଅଭିଜ୍ଞତା ଯଦି ଥାଏ ତେବେ ତାହାକୁ ବନ୍ଧୁମାନଙ୍କ ସହିତ ଆଲୋଚନା କର ଓ ଲେଖ ।
କବିତାର ଶୀର୍ଷକ
କବିତାର ଶୀର୍ଷକ ଅଛି ‘ସ୍ୱପ୍ନିଳ ବିହଙ୍ଗ’ । ଯଦି ତୁମେ ଏହି ଶୀର୍ଷକକୁ ବଦଳାଇବାକୁ ଇଚ୍ଛା କର, ତେବେ କେଉଁ ନାମ ଦେବ ଓ କାହିଁକି ଦେବ ? ଚିନ୍ତା କରି ଲେଖ ।
ଅନୁମାନ ଏବଂ କହିବା
(କ) ନିମ୍ନରେ କେତେଗୁଡ଼ିଏ ସ୍ୱପ୍ନର କଥା କୁହାଯାଇଛି । ତୁମେ ଏହି ସ୍ୱପ୍ନଗୁଡ଼ିକ ମଧ୍ୟରୁ ଯାହାକୁ ନିଜ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିବ, ତେବେ କେଉଁ କାର୍ଯ୍ୟ କଲେ ସେହି ସ୍ୱପ୍ନ ସାକାର ହୋଇପାରିବ ଲେଖ । * (କ) ଦେଶ ସେବକ (ଖ) ସୈନିକ (ଗ) ବୈଜ୍ଞାନିକ (ଘ) ବୈମାନିକ * (ଙ) ଶିକ୍ଷକ (ଚ) ପ୍ରଶାସକ (ଛ) ଲେଖକ (ଜ) ସାମ୍ବାଦିକ (ଝ) କୃଷକ ଏବଂ ଅନ୍ୟକିଛି ।
(ଖ) ତୁମେ ତୁମର ଜୀବନକୁ ସରସ ସୁନ୍ଦର କରିବା ପାଇଁ କେଉଁ କଳା ଶିଖିବାକୁ ଚାହୁଁବ ଚିନ୍ତା କରି ଲେଖ ।
(ଗ) ସୁଗନ୍ଧ ବିଛୁରିତ ହୋଇ କୁଆଡ଼େ ଯାଏ ? ଯଦି ତୁମ ଜୀବନରେ ବିତିଯାଇଥିବା ଘଟଣା ପୁଣି ଫେରି ଆସେ, ତେବେ କିପରି ତୁମେ ତାକୁ ଗ୍ରହଣ କରିବ ?
(ଘ) ‘ଭଲ ସ୍ୱପ୍ନ ବା ଚିନ୍ତାଧାରାଦ୍ୱାରା ସ୍ୱର୍ଗ ସୃଷ୍ଟି ହୋଇପାରିବ’, ତୁମେ ସ୍ୱର୍ଗ ସୃଷ୍ଟି ପାଇଁ କେଉଁ ଭଲ ସ୍ୱପ୍ନ ଦେଖିବ ?
(ଙ) ‘ସ୍ୱପ୍ନଗୁଡ଼ିକର ଡେଣା କାଟ ନାହିଁ କି ତାହାର ଗତିକୁ ବାନ୍ଧି ଦିଅ ନାହିଁ’ ପଂକ୍ତିରେ ତୁମେ କ’ଣ ଭାବୁଛ ଏହା ଏକ ପରାମର୍ଶ, ଆଦେଶ ନା ଅନ୍ୟ କିଛି ?
କବିତାର ରଚନା
୧. (କ) ସ୍ୱପ୍ନ ଚଢ଼େଇର ପକ୍ଷ କାଟ ନାହିଁ ଉଡ଼ିଯାଉ ନୀଳ ନଭ ପରେ, ଗତିକୁ ତାହାର ବାଧା ଦିଅନାହିଁ ବାନ୍ଧ ନାହିଁ କେବେ ଏ ମାଟିରେ ॥
ଉପରୋକ୍ତ କବିତାର ପଂକ୍ତିରେ ଯେଉଁ ଶବ୍ଦ ଚିତ୍ର ତୁମ ଆଖିଆଗରେ ଦେଖାଯାଉଛି, ତହିଁରେ କବିତାର ବୈଶିଷ୍ଟ୍ୟ ପ୍ରତିଫଳିତ ହେଉଥିବ । ସେସବୁ ବୁଝାଇ ଲେଖ ଓ ଆବଶ୍ୟକ ସ୍ଥଳେ ଚିତ୍ର ଅଙ୍କନ କରିବାପାଇଁ ଚେଷ୍ଟା କର ।
(ଖ) ନିମ୍ନରେ କେତୋଟି କବିତା ପଂକ୍ତି ସହିତ ତାହାର ବିଶେଷତା ଦିଆଯାଇଛି । ସେଗୁଡ଼ିକ ରେଖା ଟାଣି ମିଳାଅ ।
| କବିତାର ପଂକ୍ତି | କବିତାର ବିଶେଷତା | | :--- | :--- | | ୧. ତାହାକି ଗଗନେ ଉଡ଼ିପାରେ ? | ୧. ବିପରୀତ ଅର୍ଥବୋଧକ ଶବ୍ଦର ପ୍ରୟୋଗ । | | ୨. ସ୍ୱପ୍ନର ଡେଣା କାଟନାହିଁ କେବେ | ୨. ପରିଶ୍ରମ, ପାଣି ତଥା ସମର୍ପଣର ଭାବ ପ୍ରକାଶକ । | | ୩. ଆରୋହଣ ତା'ର ରୋକ ନାହିଁ ଅବରୋହଣକୁ ବାନ୍ଧ ନାହିଁ । | ୩. ପ୍ରଶ୍ନ ପଚରା ଯାଇଛି । | | ୪. ମେଘରୁ ରଙ୍ଗ କିରଣୁ ଆଲୋକ ଆଣିବ ନିଶ୍ଚୟ ଏ ଧରାକୁ ॥ | ୪. ସ୍ୱାଧୀନ ଚିନ୍ତାଧାରାକୁ ବାନ୍ଧିବା ଉଚିତ ନୁହେଁ । |
ଶବ୍ଦର ଆଲୋଚନା
(କ) ଆରୋହଣ ତା'ର ରୋକ ନାହିଁ ଅବରୋହଣକୁ ବାନ୍ଧ ନାହିଁ ॥
ଉପରୋକ୍ତ ପଦରେ ରେଖାଙ୍କିତ ଶବ୍ଦକୁ ଦେଖିଲେ ଜଣାଯାଏ ଯେ ଉକ୍ତ ଶବ୍ଦ ଦୁଇଟି ପରସ୍ପର ବିପରୀତାର୍ଥବୋଧକ ଶବ୍ଦ ଅଟେ । ଏହାର ଅର୍ଥବୁଝି ନିମ୍ନଲିଖିତ ବାକ୍ୟରେ ଥିବା ଶୂନ୍ୟସ୍ଥାନ ପୂରଣ କର ।
- ପର୍ବତାରୋହୀମାନେ ବହୁ ବାଧାବିଘ୍ନ ମଧ୍ୟରେ ହିମାଳୟର ଏଭରେଷ୍ଟ ଶୃଙ୍ଗ ______ କରି ପାରିଥିଲେ ।
- ମାଙ୍କଡ଼ଟି ବିରାଟ ଡାଳଗଛରୁ ତଳକୁ ______ କରୁଅଛି ।
(ଖ) ଆଣିବ ନିଶ୍ଚୟ ଏ ଧରାକୁ * ‘ଫେରି ଆସେ କ’ଣ ଧରଣୀରେ ।’ ଉପରୋକ୍ତ ପଦରେ ରେଖାଙ୍କିତ ଧରା ଓ ଧରଣୀ ଶବ୍ଦ ସମାନ ଅର୍ଥବୋଧକ ଶବ୍ଦ ଅଟେ । ସେହିପରି କବିତାରେ ସମାନ ଅର୍ଥବୋଧକ ଶବ୍ଦ ଥିବା ପଂକ୍ତିଗୁଡ଼ିକ ପଢ଼ି ଓ ଲେଖ ।
(ଗ) କବିତା ପଂକ୍ତିରେ ଥିବା ‘ବାନ୍ଧିବା’ ଓ ‘ରୋକିବା’ ବ୍ୟବହୃତ ହୋଇଛି । ସେହିପରି କବିତାରେ ବ୍ୟବହୃତ କ୍ରିୟାପଦଗୁଡ଼ିକୁ ଲେଖ ।
(ଘ) ନିମ୍ନଲିଖିତ ଶବ୍ଦକୁ ନେଇ ବାକ୍ୟ ଗଠନ କର । ସୁଗନ୍ଧ : ______ ମୁକ୍ତ : ______ ଡେଣା : ______ ଗତି : ______ ବିକାଶ : ______
କାଳ (ସମୟ) ବିଚାର
- ‘ସୁଗନ୍ଧ ସିନା ବିଛୁରିତ ହୁଏ ।’ ଉପରୋକ୍ତ ପଂକ୍ତିକୁ ଧ୍ୟାନ ସହକାରେ ପଢ଼ିଲେ ଏହାର କ୍ରିୟା ‘ବିଛୁରିତ ହୁଏ’ ରୁ ଜଣାଯାଏ ଯେ ଏହା ବର୍ତ୍ତମାନ କାଳକୁ ବୁଝାଉଛି । ଏହାର ଅତୀତ କାଳ ଓ ଭବିଷ୍ୟତ କାଳରେ ଲେଖିଲେ ହେବ – * ଅତୀତ କାଳ : ସୁଗନ୍ଧ ବିଛୁରିତ ହୋଇଗଲା ।
- ଭବିଷ୍ୟତ କାଳ : ସୁଗନ୍ଧ ବିଛୁରିତ ହୋଇଯିବ । କବିତାରେ ବର୍ତ୍ତମାନ କାଳରେ ଲେଖାଯାଇଥିବା ପଂକ୍ତିକୁ ଅତୀତ ଓ ଭବିଷ୍ୟତ କାଳରେ ଲେଖ ।
ଶବ୍ଦକୋଷ ବା ଅଭିଧାନର ବ୍ୟବହାର
‘ସ୍ୱର୍ଗ ସୃଷ୍ଟିର ଶିଳ୍ପ କଳାକୁ, ଶିଖାଇବ ଜଣେ ମଣିଷକୁ’
ଅଭିଧାନରେ ଶିଳ୍ପ ଶବ୍ଦର ଅର୍ଥ ହେଉଛି କାରିଗରୀ, କାରୁକର୍ମ ଓ ବିବିଧ ଦ୍ରବ୍ୟ ନିର୍ମାଣର କାର୍ଯ୍ୟ, ଚାରୁକଳା । ଯଥା— କପଡ଼ା ଶିଳ୍ପ, ବାସନ ଶିଳ୍ପ, ଲୌହ ଶିଳ୍ପ ଇତ୍ୟାଦି । ଶିଳ୍ପ କଳା କହିଲେ ଦ୍ରବ୍ୟ ନିର୍ମାଣର ଦକ୍ଷତା ବା ନିର୍ମାଣ କୌଶଳ ।
ବର୍ତ୍ତମାନ ଶିଳ୍ପ ସହିତ ଜଡ଼ିତ ନିମ୍ନଲିଖିତ ଶବ୍ଦଗୁଡ଼ିକର ଅର୍ଥ ଅଭିଧାନରୁ ଖୋଜି ଲେଖ । (କ) ଶିଳ୍ପଜୀବୀ (ଖ) ଶିଳ୍ପବିଦ୍ୟା (ଗ) ଶିଳ୍ପକୌଶଳ (ଘ) ଶିଳ୍ପଶାଳା (୧) ______ (୨) ______ (୩) ______ (୪) ______
ପାଠ୍ୟ ବହିର୍ଭୂତ
ତୁମର କଥା
(କ) କବିତାରେ ସ୍ୱପ୍ନର ଗତିକୁ ନ ବାନ୍ଧିବା ବିଷୟରେ ବର୍ଣ୍ଣନା କରାଯାଇଛି । ‘ବାନ୍ଧିବା’ ଶବ୍ଦ ଅନ୍ୟ କେଉଁଠି ବ୍ୟବହାର କରାଯାଇ ପାରିବ, ତାହା କୁହ । (ଉଦାହରଣ – କାଠର ବିଡ଼ା ବାନ୍ଧିବା) (ଖ) ତୁମେ ତୁମର ପରିବାର, ପଡ଼ୋଶୀ, ଗାଁ, କି ତୁମ ବିଦ୍ୟାଳୟକୁ ସରସ ସୁନ୍ଦର ବନାଇବା ପାଇଁ କେଉଁ କାମ କରିପାରିବ କୁହ । (ଗ) ତୁମ ସ୍ୱପ୍ନ ଯଦି ସାକାର ହେବ, ତେବେ ତାହା ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିବ କୁହ ।
ବିଚାର ଓ ଅନୁଶୀଳନ
‘ଉଭୟର ସ୍ଥିତି ସ୍ୱପ୍ନରେ ଭାସି ଉଡ଼ି ଆସେ ଆଖି ଭିତରକୁ।’
ଜଣେ ବ୍ୟକ୍ତି ଦେଖୁଥିବା ସ୍ୱପ୍ନ ଯେତେବେଳେ ଅନେକ ଲୋକଙ୍କର ସ୍ୱପ୍ନ ହୋଇଯାଏ, ତାହା ସାକାର ରୂପ ନେଇଥାଏ । ଯେପରି ଆମ ସ୍ୱାଧୀନତା ସଂଗ୍ରାମୀମାନେ ଦେଖୁଥିବା ସ୍ୱପ୍ନ ସମସ୍ତ ଭାରତବାସୀଙ୍କ ସ୍ୱପ୍ନରେ ପରିଣତ ହୋଇଯିବା ପରେ ଆମେ ସ୍ୱାଧୀନତା ଲାଭ କଲେ । ତୁମେ ଦେଶ ଓ ଜାତିର ଉନ୍ନତି ପାଇଁ ଯେଉଁ ସ୍ୱପ୍ନ ଦେଖୁଛ, ତାହା ତୁମ ସାଙ୍ଗମାନଙ୍କ ସହିତ ଆଲୋଚନା କର ।
ବିରାମ ଚିହ୍ନର ବ୍ୟବହାର
ଉଦାହରଣ : ବନ୍ଦ କର ନାହିଁ, ଯିବାକୁ ଦିଅ। : ବନ୍ଦ କର, ଯିବାକୁ ଦିଅ ନାହିଁ।
ଲେଖିବା ସମୟରେ ବିରାମ ଚିହ୍ନର ବିଶେଷ ଗୁରୁତ୍ୱ ରହିଅଛି । ବିରାମ ଚିହ୍ନର ବ୍ୟବହାର ଦ୍ୱାରା ବାକ୍ୟ ବା ଧାଡ଼ିର ଅର୍ଥ ସ୍ପଷ୍ଟ ହୋଇଥାଏ ଓ ବେଳେବେଳେ ଅର୍ଥ ପରିବର୍ତ୍ତନ ମଧ୍ୟ ହୋଇଥାଏ । ଉପରୋକ୍ତ ଉଦାହରଣରେ ‘ବନ୍ଦ କର ନାହିଁ’ ପରେ ଏକ କମା (,) ଦିଆଯାଇଛି । ଅର୍ଥାତ୍ ଯିବା ପାଇଁ ଅନୁମତି ଦିଆଯାଇଛି । ଦ୍ୱିତୀୟ ଧାଡ଼ିରେ ‘ବନ୍ଦ କର’ ପରେ କମା (,) ଦିଆଯିବାରୁ ତାହାର ଅର୍ଥ ହେଲା— ଯିବା ପାଇଁ ଅନୁମତି ଦିଆଯାଇ ନାହିଁ ।
ନିମ୍ନରେ କେତୋଟି ଚିତ୍ର ଦିଆଯାଇଛି । ଚିତ୍ର ଦେଖି ତଥା ବୁଝି ଚିତ୍ର ଅନୁସାରେ 'ବନ୍ଦ କର ନାହିଁ, ଯିବାକୁ ଦିଅ' କିମ୍ବା 'ବନ୍ଦ କର, ଯିବାକୁ ଦିଅ ନାହିଁ' ଲେଖ ।
ସର୍ଜନଶୀଳତା
(କ) ପଠିତ କବିତା ପରି ତୁମ ମନରୁ ଗୋଟିଏ କବିତା ଲେଖିବା ପାଇଁ ଚେଷ୍ଟା କର । (ଖ) ତୁମେ ଦେଖୁଥିବା ସ୍ୱପ୍ନ ଯଦି ପୂରଣ ହୋଇପାରିଲା ନାହିଁ, ତାହାର କାରଣ ଲେଖି ତୁମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟକୁ ଏକ ପତ୍ର ଲେଖ । (ଗ) ତୁମ ଶ୍ରେଣୀର ପիଲାମାନେ ଏକାଠି ହୋଇ ଶିକ୍ଷକଙ୍କ ଉପସ୍ଥିତିରେ ଏକ ବିତର୍କ ସଭାର ଆୟୋଜନ କର । ବିଷୟ ହେଉଛି– ‘ଗୋଟିଏ ବ୍ୟକ୍ତିକୁ ବାନ୍ଧି ପାରିବ । ମାତ୍ର ତାହାର ବିଚାର ଓ କଳ୍ପନାକୁ ନୁହେଁ ।’ ଏହି ବିଷୟରେ ସପକ୍ଷରେ ଓ ବିପକ୍ଷରେ ପիଲାମାନେ ବିତର୍କ କରିବେ ଏବଂ ବିତର୍କ ବିଷୟରେ ଗୋଟିଏ ଅନୁଚ୍ଛେଦ ଲେଖିବେ । (ଘ) ପ୍ରାକୃତିକ ବିପର୍ଯ୍ୟୟ ତୁମେ କେଉଁ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛ ? ଯଦି ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ, ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଆସିଲା, ତେବେ ତୁମେ କ’ଣ କରିବ ? ଏହି ବିଷୟରେ ଶିକ୍ଷକଙ୍କ ସହିତ ଆଲୋଚନା କରି ଏକ ସାରଣୀ ପ୍ରସ୍ତୁତ କର ।
ଆମ ଦେଶର ଶିଳ୍ପ :
ପ୍ରାଚୀନ କାଳରୁ ଆମ ଦେଶରେ ଓ ସମାଜରେ ଅନେକ କୌଳିକ ବୃତ୍ତି ରହିଛି । ଯାହାକୁ କୁଟୀର ଶିଳ୍ପ କୁହାଯାଏ । ବର୍ତ୍ତମାନ ବିଜ୍ଞାନର ଉନ୍ନତି ଫଳରେ ଯନ୍ତ୍ର ଶିଳ୍ପମାନ ସ୍ଥାପିତ ହେଲାଣି । ଆସ ଆମ ହସ୍ତଶିଳ୍ପ ବିଷୟରେ ଜାଣିବା । ହସ୍ତଶିଳ୍ପ ଓ ତାହାର ଉତ୍ପାଦିତ ସାମଗ୍ରୀମାନ ନିମ୍ନ ସାରଣୀରେ ଦିଆଯାଇଛି । କେଉଁ ଶିଳ୍ପରୁ କେଉଁ ଦ୍ରବ୍ୟ ତିଆରି ହୁଏ ତାହାକୁ ରେଖାଦ୍ୱାରା ଯୋଡ଼ ଏବଂ ଆମ ରାଜ୍ୟର କେଉଁ ଶିଳ୍ପଜାତ ଦ୍ରବ୍ୟ ପୃଥିବୀ ପ୍ରସିଦ୍ଧ, ତାହା ଚାରିପଟେ ଗୋଲ ବୁଲାଅ ।
| ହସ୍ତଶିଳ୍ପ | ଶିଳ୍ପଜାତ ଦ୍ରବ୍ୟ | | :--- | :--- | | ୧. କାଠ ଶିଳ୍ପ | ୧. ଲାଖରୁ ଚୁଡ଼ି, ଖେଳନା, ସାଜସଜା ସାମଗ୍ରୀ ତିଆରି କରାଯାଏ । | | ୨. ମାଟି ଶିଳ୍ପ | ୨. ସୁନା, ରୂପା ଓ ହୀରା ଆଦି ଅଳଙ୍କାରମାନ ପ୍ରସ୍ତୁତ ହୁଏ । | | ୩. ଧାତୁ ଶିଳ୍ପ | ୩. ବାଉଁଶ ଓ ବେତରୁ ଟୋକେଇ, ବେତର ସୋଫା ଓ ଘରସଜା ଜିନିଷ ତିଆରି ହୁଏ । | | ୪. ବସ୍ତ୍ର ଶିଳ୍ପ | ୪. ଚମଡ଼ାରୁ ବ୍ୟାଗ, ଜୋତା, ବେଲ୍ଟ ଇତ୍ୟାଦି ବ୍ୟବହୃତ ଜିନିଷ ତିଆରି କରାଯାଏ । | | ୫. କାଗଜ ଶିଳ୍ପ | ୫. କାଠରୁ ଖଟ, ଚୌକି, ଟେବୁଲ/ମେଜ, ଆଲମାରି, ସୋଫା, ମୂର୍ତ୍ତି ଆଦି ତିଆରି କରାଯାଏ । | | ୬. ପଥର ଶିଳ୍ପ | ୬. ମାଟିରୁ ମାଠିଆ, ପଲମ, ବାସନ ଓ ମୂର୍ତ୍ତି ଆଦି ଘରସଜା ସାମଗ୍ରୀ ପ୍ରସ୍ତୁତ ହୁଏ । | | ୭. ଚମଡ଼ା ଶିଳ୍ପ | ୭. ତମ୍ବା, ପିତଳ, କଂସାରୁ ଥାଳି, ବାସନ, ଦୀପ, ଢାଲ, ଘଣ୍ଟି, ମୂର୍ତ୍ତି ଆଦି ତିଆରି ହୁଏ । | | ୮. ଅଳଙ୍କାର ଶିଳ୍ପ | ୮. ଶାଢ଼ୀ, ଧୋତି, ଗାମୁଛା, କପଡ଼ା, ପୋଷାକ ପତ୍ର ପ୍ରସ୍ତୁତ ହୁଏ । | | ୯. ବାଉଁଶ ଶିଳ୍ପ | ୯. କାଗଜରୁ ବ୍ୟବହାର୍ଯ୍ୟ ଖୋଳ, ଲଫାପା, ଖେଳଣା ତିଆରି ହୁଏ । | | ୧୦. ଲାଖ ଶିଳ୍ପ | ୧୦. ପଥର ଶିଳ୍ପରେ ମୂର୍ତ୍ତି ଓ ମନ୍ଦିର ନିର୍ମାଣ କରାଯାଇ ଘରସଜା ସାମଗ୍ରୀ ମଧ୍ୟ ତିଆରି ହୁଏ । |
ଅନୁସନ୍ଧାନ କର ବିଦ୍ୟାର୍ଥୀମାନେ ପାଠାଗାରକୁ ଯାଇ କବି ମହାଦେବୀ ବର୍ମାଙ୍କ ଅନ୍ୟ କବିତା ଓ କାହାଣୀ ଖୋଜି ପଢ଼ିବେ । ବିଦ୍ୟାର୍ଥୀମାନଙ୍କ ଭିତରେ ପଢ଼ିବା ନିମିତ୍ତ ଆଗ୍ରହ ସୃଷ୍ଟିପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ପ୍ରୟାସ କରିବେ ।
ପଠନ ନିମନ୍ତେ
ସ୍ୱପ୍ନର ଉଡ଼ାଣ
ଦେଖାଯାଉଥିବା ସ୍ୱପ୍ନ ତାହା ନୁହେଁ ଯାହା ତୁମେ ନିଦରେ ଦେଖ, ସ୍ୱପ୍ନ ହେଉଛି ସେଇୟା ଯାହା ତୁମକୁ ଆଦୌ ଶୋଇବାକୁ ଦିଏ ନାହିଁ । ସ୍ୱପ୍ନ ପୂରଣ କରିବା ପାଇଁ ତୁମକୁ ଜାଗ୍ରତ ରହିବାକୁ ପଡ଼ିବ, ତୁମକୁ ନିଜର ଆଖି ଖୋଲା ରଖି ସଜାଗ ରହିବାକୁ ହେବ ।
ଆଜି ତାରୁଣ୍ୟରେ ଏତେ ସମ୍ଭାବନା ଅଛି, ଯାହା ସମଗ୍ର ଇତିହାସରେ ପୂର୍ବରୁ କେବେ ନ ଥିଲା । ଏକବିଂଶ ଶତାବ୍ଦୀ ଏପରି ଅଭିଜ୍ଞତା ସୃଷ୍ଟି କରୁଛି ଯାହାକୁ ମାନବ ବିକାଶର ଗତ ବିଂଶ ଶତାବ୍ଦୀରେ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା । ଏପରି ପରିବେଶରେ, ଯେତେବେଳେ ମାନବ ସଭ୍ୟତା ପ୍ରଯୁକ୍ତି ବିଦ୍ୟା ଏବଂ ନୂତନ ଆବିଷ୍କାର ବଳରେ ଅଗ୍ରଗତି କରୁଛି, ସେତେବେଳେ ମଣିଷ ଭିତରେ ଲୁଚି ରହିଥିବା ସମ୍ଭାବନା ମଧ୍ୟ ଦ୍ରୁତ ଗତିରେ ବିସ୍ତାର ଲାଭ କରୁଛି । କିନ୍ତୁ ଏହି ସୁଯୋଗ ସବୁକୁ ଅନୁଭବ କରିବା ପାଇଁ ଆମ ପାଖରେ ସମୟ ସୀମିତ । ଆଜିର ଯୁବପିଢ଼ି ତରବରିଆ ଅଛନ୍ତି । ଯୁବପିଢ଼ି ସେମାନଙ୍କ ପାଇଁ ଉପଲବ୍ଧ ସମସ୍ତ ପ୍ରକାର ଅଭିଜ୍ଞତାର ସୁଯୋଗ ନେବାକୁ ଚାହାଁନ୍ତି, ଯାହା ସେମାନେ ପାଇବା ଉଚିତ, କିନ୍ତୁ ବିଶ୍ୱର ପରିସର ବୃଦ୍ଧି ପାଉଥିବାରୁ, ଆମେ ନିଜକୁ କିଛି ବିଷୟର ସଂକୀର୍ଣ୍ଣ ପରିସର ମଧ୍ୟରେ ସୀମିତ ରଖିବାକୁ ପଡ଼ୁଛି । ମୁଁ ଭାବୁ ନାହିଁ ଯେ ଏହା କରିବା ଠିକ୍ । ମୋର ସ୍ୱପ୍ନ ହେଉଛି ବିଶ୍ୱର ପ୍ରତ୍ୟେକ ଯୁବକ ସେମାନେ ଚାହୁଁଥିବା ସମସ୍ତ ଅଭିଜ୍ଞତା ପ୍ରାପ୍ତ କରନ୍ତୁ । କିନ୍ତୁ ଏହା କିପରି ସମ୍ଭବ ହୋଇପାରିବ ?
ଏହାକୁ ସମ୍ଭବ କରିବା ପାଇଁ ଦୁଇଟି ଉପାୟ ଅଛି । ଗୋଟିଏ ହେଉଛି ଏପରି କିଛି କାର୍ଯ୍ୟ କରିବା ଯାହା ଆମ ପାଖରେ ଥିବା ସମୟକୁ ବୃଦ୍ଧି କରିବ । ଅନ୍ୟଟି ହେଉଛି ଆମ ପାଖରେ ଥିବା ସମୟ ଭିତରେ ଆମେ ଲକ୍ଷ୍ୟ ହାସଲ କରିବା ସହିତ କାର୍ଯ୍ୟଦକ୍ଷତାର ପରିମାଣକୁ ବୃଦ୍ଧି କରିପାରିବା । ଏହି ଦୁଇଟି ଲକ୍ଷ୍ୟକୁ କିପରି ହାସଲ କରିବା ତାହା ବୁଝିଗଲା ପରେ ଅନ୍ୟ ସବୁକିଛି ପାଇଁ ଦ୍ୱାର ଖୋଲିଯିବ । ଏହା ହେଉଛି ମାନବଜାତିର ସେହି ଈପସିତ ଲକ୍ଷ୍ୟ ଯାହାକୁ ସେ ଅପେକ୍ଷା କରିଆସିଛି ଏବଂ ଯାହା ଆମକୁ ବିକାଶକ୍ରମର ପରବର୍ତ୍ତୀ ପର୍ଯ୍ୟାୟକୁ ନେଇଯିବା ପାଇଁ ତତ୍ପର ।
— ଡକ୍ଟର ଏ.ପି.ଜେ. ଅବଦୁଲ କଲାମ ★★★