ଆହୁତି ### କାର୍ତ୍ତିକ ଚନ୍ଦ୍ର ରଥ
ଦୃଶ୍ୟାରମ୍ଭ
(ମଞ୍ଚ ଆଲୋକିତ ହେବା ମାତ୍ରେ ଦେଖାଯାଇଛି— ସମୟ ସକାଳ । କୌଣସି ଏକ ଗାଁରେ ମଧ୍ୟବିତ୍ତ ଘରର ବୈଠକଖାନା ପରିବେଶ । କାନ୍ଥରେ ସ୍ୱର୍ଗତ ଗଜେନ୍ଦ୍ରନାଥଙ୍କର ଏକ ବିରାଟ ଫଟୋ । ବଡ଼ପୁଅ ଦେବେନ୍ଦ୍ରବାବୁ ଟୁଲ୍ ଉପରେ ଛିଡ଼ାହୋଇ ଫଟୋଟିରେ ଫୁଲମାଳ ପିନ୍ଧାଉଛନ୍ତି । ତଳେ ପାର୍ଶ୍ୱରେ ତାଙ୍କ ସାନଭାଇ ରାଜେନ୍ଦ୍ର ଛିଡ଼ା ହୋଇ ତାଙ୍କୁ ସାହାଯ୍ୟ କରୁଛନ୍ତି ।)
ଦେବେନ୍ଦ୍ର : (ଟୁଲ୍କୁ ଓହ୍ଲାଇ) ବାସ୍... ଏଥର ହେଲା । ବାପାଙ୍କ ଫଟୋଟା ବୈଠକଖାନାର ଏକ କାନ୍ଥରେ ଏମିତି ଟଙ୍ଗା ହୋଇଥାଉ, ବେଶ୍ ମାନିବ । ନା' କ'ଣ କହୁଛୁ, ରାଜୁ ?
ରାଜେନ୍ଦ୍ର : ହଁ, ଭାଇ, ଚାକିରିରୁ ରିଟାୟାର୍ଡ କରି ଗାଁକୁ ଫେରିଲା ପରେ ଏଇ ବୈଠକଖାନା ତ ଥିଲା ବାପାଙ୍କର ସବୁଠୁ ବଡ଼ ତୀର୍ଥ । ତାଙ୍କର ଶେଷ ଜୀବନଟା ଏଇ ଚାରି କାନ୍ଥ ଭିତରେ ତ କଟିଛି ।
ଦେବେନ୍ଦ୍ର : ଆଚ୍ଛା ରାଜୁ, ତତେ ମୁଁ ବାପାଙ୍କର ଏକ ଫଟୋର ଚାରିଟା ଛୋଟ ସାଇଜ୍ କପି କରିବା ପାଇଁ କହିଥିଲି...
ରାଜେନ୍ଦ୍ର : କାଲି ରାତିରେ ଷ୍ଟୁଡିଓରୁ ମୁଁ ନେଇଆସିବି । ବାପାଙ୍କ ଦଶାହ କାମ ସାରି ଫେରିକି ଗଲାବେଳେ ସମସ୍ତେ ଗୋଟିଏ ଲେଖାଁ କପି ନେଇକି ଯିବେ ।
ଚଞ୍ଚଳା : (ହଠାତ୍ ପ୍ରବେଶି ଦେବେନ୍ଦ୍ରବାବୁଙ୍କ ପ୍ରତି) ହଇ ହୋ, କାଲି ରାତିସାରା ବସି ତମକୁ ଏତେକରି ବୁଝେଇ କହିଥିଲି, ତେବେ ବି ବୁଝିପାରିଲନି ? ସକାଳ ପହରଟାରୁ ଫଟୋ ଟଙ୍ଗାରେ ଲାଗିଗଲ ।
ଦେବେନ୍ଦ୍ର : ଫଟୋ ଟଙ୍ଗା ସରିଲାଣି ।
ଚଞ୍ଚଳା : ମଲା ଯା', ମୁଁ ଯେ ରାତିସାରା ଉଜାଗର, ଦେଖିଲାବେଳକୁ କ'ଣ ନା ମୁଗୁରା ମେଲା !
ରାଜେନ୍ଦ୍ର : ମୁଁ ତେଣେ ଯାଇ ଦେଖେ, ଦେବଭାଇ – କି' କି ଜିନିଷ ଯୋଗାଡ଼ ହେଲା, ଆଉ କ'ଣ କ'ଣ ସବୁ ବାକି ରହିଲା । ଗାଁ କଥା । ଇଏ ତ ଆଉ ସହର ହେଇନି ଯେ, ଥରକେ ସବୁ ଜିନିଷ ଖୋଜିଲା ମାତ୍ରେ ଇ ମିଳିଯିବ ।
ଦେବେନ୍ଦ୍ର : ହଁ... ହଁ, ତୁ ସେଇଆ କର । ଦଶ କାମତକ ସୁରୁଖୁରୁରେ ତୁଲାଇବାପାଇଁ ଜିନିଷତକ ଆମର ନିହାତି ଦରକାର ।
ରାଜେନ୍ଦ୍ର : ହଉ, ଭାଇ । (ବାହାରକୁ ପ୍ରସ୍ଥାନ)
ଚଞ୍ଚଳା : ହେଇଚି, ମୁଁ ଯାହା ବୁଝେଇଥିଲି, ମା’ଙ୍କୁ କହିଲ... ଭାଇମାନଙ୍କୁ ପଚାରିଲ ?
ଦେବେନ୍ଦ୍ର : ନା’... ପଚାରିବି ।
ଚଞ୍ଚଳା : ମାଇଲା ! ଆଉ କୋଉ କାଳେ ? ଭୋଜିଭାତ ସରିଯିବ । ଦଶ କାମ ସବୁ ସୁରୁଖୁରୁରେ ହୋଇଗଲା ପରେ ଲୋକବାକ, ଜ୍ଞାତିକୁଟୁମ୍ବ ବି ଦଶ ତୁଠାରୁ ଲୁଗାପଟା ନେଇ ଯିଏ ଯା’ ବାଟରେ ଚାଲିଯିବେ ।
ଦେବେନ୍ଦ୍ର : କ'ଣ ତୁମେ କହିବାକୁ ଚାହଁ ?
ଚଞ୍ଚଳା : ମୁଁ କହିଲେ କହିବ କ’ଣ ନା କହୁଚି ବୋଲି । ମୁଁ ଏକେଲା ଏଠି ଦଶ ଦିନ ଦଶ ରାତି ଧରି ସାରା ବଂଶଟାକୁ ରାନ୍ଧି ଖାଇବାକୁ ଦେଇଦେଇ ଥକି ହେଇଯିବି ? ବଡ଼ବୋହୁ ବୋଲି ବାପା ତମର କ’ଣ ସବୁ ମତେ ଅଜାଡ଼ି ଦେଇଥିଲେ କି ? ଖାଲି ଯାହା ଧରମକୁ ଜଗି କରିଯିବା କଥା ।
ଦେବେନ୍ଦ୍ର : ଚଞ୍ଚଳା ! ବାପା ଗଲା ଦିନଠୁ ମା’ର ଅବସ୍ଥା ତ ଦେଖୁଚି ! ପାଞ୍ଚଦିନ ହେଇଗଲା, ପାଣି ଟୋପାଏ ବି ମୁହଁରେ ଦଉନି । ମୁହଁମାଡ଼ି ଘରଟା କୋଣରେ ସେମିତି ପଡ଼ିରହିଛି । କାନ୍ଦିକାନ୍ଦି ଆଖି ମୁହଁ ଫୁଲିଗଲାଣି । ଦଶାହ ନ ସରୁଣୁ ଦଶ ଥର ବେହୋସ ହେଲାଣି ସେ !
ଚଞ୍ଚଳା : ମାଇଲା ! ତେଣେ ମୋ’ ଝିଅ ପାଞ୍ଚଟାଙ୍କ ମୁଣ୍ଡ ଉପରେ ପରୀକ୍ଷା । କେତେ ଆଶା କରିଥିଲି, ବଡ଼ ଝିଅଟା ମୋର ଏଥର ବି.ଏ.ଟା ପାସ୍ କରିଗଲେ, ତାକୁ ହାତକୁ ଦି’ହାତ କରିଦିଅନ୍ତି ।
ଦେବେନ୍ଦ୍ର : ଓହୋ... ଏଇଟା କ’ଣ ସେସବୁ ଆଲୋଚନା କରିବା ବେଳ ନା ଜାଗା ?
ଚଞ୍ଚଳା : ତମେ ତ ଗୋଟିଏ ମରଦ ହେଇଚ ଯେ, କୋଉ କାମର ନୁହଁ । ଭାଇଟାଏ ମୋର ଅଛି ବୋଲି ସିନା ଯାହା ଯେତେବେଳେ ମୋ’ ପାଇଁ ବୁଝାବୁଝି କରିଦେଉଛି କି ଯୋଗାଡ଼ଯନ୍ତ୍ର କରି ଆଣି ଦଉଛି । ସେତକ ତୁଲେଇବା ବି ତମଦେଇ ଟିକେ ହେଲାନି ।
ଦେବେନ୍ଦ୍ର : ଚଞ୍ଚଳା !
ଚଞ୍ଚଳା : କାଇଁକି ଏମିତି ମୋ’ ନାଆଁଟା ଧରି ହୁରି ପକଉଛ କହିଲ ? ବାପାଙ୍କ ଦଶାହ ଖଟିବାପାଇଁ ତମେ ଯେମିତି ହରବର ହଉଛ, ଝିଅ ବାହା କଲାବେଳକୁ କେତେ ତରବର ହବ, ମୁଁ ଦେଖିବିନି । ଏଡ଼େ ସୁନ୍ଦର ଘର... ଏଡ଼େ ଗୁଣର ବରକୁ ଛାଡ଼իଦେଲେ, ତମ ଝିଅର କପାଳ ତ ଫିଟିବନି, ହେଲେ ଜରୁର ଫାଟିବ – ମୁଁ କହିରଖୁଚି, ହଁ.. !
ଦେବେନ୍ଦ୍ର : ଓହ...ତମେ ବନ୍ଦ କଲ ଆଗ ଏ ସବୁ ! ଯେତେବେଳେ ଯୋଉଠି ଦେଖିବ...
ଚଞ୍ଚଳା : ମାଇଲା !
ରାଜେନ୍ଦ୍ର : (ବାହାରୁ ପ୍ରବେଶ) ବୁଝିଲେ, ଦେବଭାଇ – ହଣ୍ଡା-କଡ଼େଇ, ବାଲ୍ଟି-ମଗ୍, ଚାନ୍ଦୁଆ-ଦରି... ସବୁ ଗଣି କରି ରଖିଦେଲି । ମୁଣ୍ଡରୁ ଗୋଟିଏ ବଡ଼ ବୋଝ ଗଲା । ଆଉ ଯାହା ସେ ପୂଜାରୀଟା ସଉଦାପାଇଁ ବରାଦ ଦେବ । କିଛି ଟଙ୍କା ଦରକାର, ଭାଇ ।
ଚଞ୍ଚଳା : ମାଇଲା ! ଭାଇଙ୍କ ପାଖରେ ଆଉ ଟଙ୍କା କାଇଁ ? ଯାହା ଆଣିଥିଲେ, ଫେରିକି ଯିବା ପାଇଁ ବାଟ ଖର୍ଚ୍ଚ କିଛି ରଖିବେନି କି ନାଇଁ କେଜାଣି ?
ରାଜେନ୍ଦ୍ର : ଠିକ୍ ଅଛି, ମୁଁ ମଝିଆଭାଇକି କହିବି... । ଏଇନେ ତ ନିହାତି ସାତଶହ ଆଠଶହ ଟଙ୍କା ଦରକାର ।
ଚଞ୍ଚଳା : ନାଇଁ ମ’ ରାଜେନ୍ଦ୍ର, ମୁଁ କ’ଣ କହୁଥିଲି କି... ଭିତର ଘରେ ମା’ ଶୋଇଛନ୍ତି । ଆଜି ସକାଳ ପହରୁ ତମ ମଝିଆଭାଇ, ଆଉ ସାନଭଉଣୀ ତାଙ୍କ ପାଖରେ ବସି କ’ଣ ଗୋଟିଏ ସଲାସୁତୁରା ହଉଛନ୍ତି । ଯିବ ଯଦି, ଟିକେ ଶୁଣି ଆସିଲେ ଭାରି ଭଲ ହୁଅନ୍ତା ।
ରାଜେନ୍ଦ୍ର : କ’ଣ ଆଉ କହୁଥିବେ ? ବାପା ଚାଲିଗଲା ପରେ ମା’ର ମନଟା ଏକଦମ୍ ଭାଙ୍ଗିପଡ଼ିଛି । ତେଣୁ ତାଙ୍କୁ ବସି ବୁଝାଉଥିବେ ।
ଚଞ୍ଚଳା : ମାଇଲା ! ହଇହୋ...ଶେଷରେ ତମେ ବି ଏଇଆ ବୁଝିଲ ? ତମେ ପରା ଟଙ୍କା ଯୋଗାଡ଼ ହେଲେ କ’ଣ ଗୋଟିଏ ଫ୍ୟାକ୍ଟ୍ରି କରିବ ବୋଲି କହୁଥିଲ ?
ରାଜେନ୍ଦ୍ର : ହଁ, ଭାଉଜ – ବହୁ ଦିନରୁ ଚିନ୍ତା କରିଛି । ଅନେକ ଚେଷ୍ଟା ବି କଲିଣି । ବ୍ୟାଙ୍କ, ଫାଇନାନ୍ସ କର୍ପୋରେସନ, ଅନେକ ଧାଇଁଲିଣି । ହେଲେ ପୂରା ଟଙ୍କା ମିଳୁନି ।
ଚଞ୍ଚଳା : ଦେଖ, ବଡ଼ଭାଇ ଯିଏ, ବାପ ସମାନ ଭାଇ ତମର କହୁଥିଲେ...
ଦେବେନ୍ଦ୍ର : କାଇଁ...ମୁଁ ତ କିଛି କହିନି ।
ଚଞ୍ଚଳା : ମାଇଲା ! ମଝିରେ ତମକୁ କିଏ କହିବାପାଇଁ କହୁଚି । ବୁଝିଲ ରାଜେନ୍ଦ୍ର, ବାପାଙ୍କ ଅନ୍ତେ ମା’ ହେଲେ ଗାଁରେ ଏକେଲା ମଣିଷ । ଗାଁଟା ଭିତରେ ଯାହା ଯେମିତି ଯେଉଁଠି ଅଛି, ଏ ପାକଲା ବୟସରେ ସବୁ କିଛିକୁ ଦେଖାଶୁଣା ବୁଝାବୁଝି କରିବାଟା ତାଙ୍କ ପକ୍ଷେ ଆଦୌ ସମ୍ଭବ ନୁହଁ ।
ରାଜେନ୍ଦ୍ର : ହଁ, ତା’ତ ଠିକ୍ କଥା ।
ଚଞ୍ଚଳା : ଏଇନେ ତ ତିନି ଭାଇ ଏଇଠି ଅଛନ୍ତି । ସବୁବେଳେ କ’ଣ ଏକାଠି ହବାର ସୁଯୋଗ ମିଳୁଛି ?
ରାଜେନ୍ଦ୍ର : ତା’ ବି ତ ଭୁଲ ନୁହଁ ।
ଚଞ୍ଚଳା : ତେଣୁ ତମ ବଡ଼ଭାଇ କହୁଥିଲେ...
ଦେବେନ୍ଦ୍ର : ମାନେ ମୁଁ କହୁଥିଲି...
ଚଞ୍ଚଳା : ମାଇଲା ! ତମେ କହୁ ନଥିଲ କହିବା ପାଇଁ... ସେଇ କଥା ଇ ତ ମୁଁ କହୁଚି । ଦଶ ତୁଟେଇ ଗାଁରୁ ତମେ ସବୁ ଫେରିକି ଯିବା ଆଗରୁ ବାପାଙ୍କର ଯାହା ଯେମିତି ଯେଉଁଠି ସମ୍ପତ୍ତି ଅଛି, ସେତକ ଯଦି ତମ ଭାଇଙ୍କ ଭିତରେ ମା’ ଥାଉଥାଉ - ଭାଗବଣ୍ଟା ହୋଇଯା’ନ୍ତା, ତା’ହେଲେ ପଛକୁ ଆଉ କିଛି ଝାମେଲା ରହନ୍ତାନି !
ରାଜେନ୍ଦ୍ର : ଯେ ତମେ କ’ଣ କହୁଛ, ଭାଉଜ ?
ଚଞ୍ଚଳା : ଆରେ ବାବୁ, ବାପା ତମର ଏତେ ସବୁ ଅରଜି ଥିଲେ, କାହାପାଇଁ ? ଏତେ ସବୁ ସଞ୍ଚିଥିଲେ, କିଏ ଖାଇବ ବୋଲି ? ପୁଅମାନଙ୍କର ପାଇଁ । ତମେ ସବୁ ଖଟୁଛ, କାହାପାଇଁ ? ନିଜ ଛୁଆପିଲାଙ୍କ ପାଇଁ ।
ରାଜେନ୍ଦ୍ର : ତା’ ଅବଶ୍ୟ ଠିକ୍ !
ଚଞ୍ଚଳା : ଭାଇ ତମର ଆଉ ବି କହୁଥିଲେ...
ଦେବେନ୍ଦ୍ର : ମାନେ ମୁଁ କହୁଥିଲି... ?
ଚଞ୍ଚଳା : ମାଇଲା, ପୁଣି ମଝିରେ କହିଲ ! ଦେଖ, ରାଜେନ୍ଦ୍ର – ବାପାଙ୍କର ସବୁ ସମ୍ପତ୍ତି ରହିଲା ଗାଁରେ । ଆଉ ତମେ ସବୁ ଭାଇମାନେ ରହିଲ ବିଦେଶରେ... ପୁଣି ଅଲଗା ସହରରେ ।
ରାଜେନ୍ଦ୍ର : ସତରେ ଭାଉଜ, ତମେ...ତମେ ଆଜି ମୋର ଆଖି ଖୋଲି ଦେଇଛ । ମୋ’ ଭେଜାକୁ ତ ଏତେ କଥା ଜମା ସ୍ପର୍ଶ କରି ନ ଥିଲା ।
ଚଞ୍ଚଳା : ପୁଣି ସାଇ-ପଡ଼ିଶା, ଭାଇ-ଭଗାରି ଅଛନ୍ତି । କିଏ କେତେବେଳେ ସେତକ ଯଦି ମାଡ଼ି ବସେ... ନ ହେଲେ ବୁଢ଼ା ମା’ଟାକୁ ଯଦି ବୋକା ବନେଇ କେହି ସମ୍ପତ୍ତିକୁ ହଡ଼ପ କରିଯାଏ...ତା’ ହେଲେ ? ତା’ ଛଡ଼ା ଆଜିକାଲି ବେଳକାଳ ଯାହା ହେଇଚି, ଚୋର-ତସ୍କରଙ୍କୁ ବିଶ୍ୱାସ ନାଇଁ । ସମ୍ପତ୍ତିପାଇଁ ମା’ଙ୍କର ପ୍ରାଣ ଯିବ ନା କ’ଣ ?
ଦେବେନ୍ଦ୍ର : (ଚମକି) ଏଁ !
ଚଞ୍ଚଳା : କିହୋ, ତମେ ଏମିତି ଚମକୁଚ କାଇଁକି ?
ଦେବେନ୍ଦ୍ର : ନାଇଁ, ମାନେ ତମେ ଯାହା କହିଲ – ଏକଦମ ଅସମ୍ଭବ ନୁହଁ ।
ଚଞ୍ଚଳା : ମାଇଲା ! ଏ ଯାଏଁ ତମେ କୋଉଠି ଥିଲ ମ ! ଏଇନେ ବି ସେଠି ଘରଟା ଭିତରେ କ’ଣ ଚାଲିଚି, ତା’ କିଏ କହିବ ?
ରାଜେନ୍ଦ୍ର : ନା ନା, ତା’ କେମିତି ହବ ? ମହେନ୍ଦ୍ରଭାଇ ଆସୁ, ଏ ବିଷୟରେ ଗୋଟିଏ ପକ୍କା ଫଇସଲା ହେଇଯିବା ଦରକାର ।
ଦେବେନ୍ଦ୍ର : ଆଜି ଏଇଠି... ଏଇ ମୁହୂର୍ତ୍ତରେ ।
ଚଞ୍ଚଳା : ମାଇଲା !
ମହେନ୍ଦ୍ର : ବୁଝିଲ, ଦେବଭାଇ – (ଏତିକିବେଳେ ଭିତରୁ ପ୍ରବେଶ କରିଛନ୍ତି ମଝିଆଭାଇ ମହେନ୍ଦ୍ରବାବୁ) କ’ଣ କହି ଆଉ ମା’କୁ ବୁଝେଇବା । ମୁଁ ନିଜେ ବି ଠିକ୍ ବୁଝିପାରୁନି । କୁନି ଆଉ ମୁଁ ତା’କୁ କେତେ ସାନ୍ତ୍ୱନା ଦବୁ ! ଯେତେ କାନ୍ଦବୋବାଳି କଲେ... ଯେତେ ଛେଚି କଚାଡ଼ି ହେଲେ ବି ବାପା ତ ଆଉ ଫେରି ଆସିବେନି !
ଦେବେନ୍ଦ୍ର : ମୁଁ ବି ତ ଠିକ୍ ସେଇ କଥା ଭାବୁଥିଲି । ବାପା ତ ତାଙ୍କର ଯିବା ବାଟରେ ସବୁଦିନପାଇଁ ଚାଲିଗଲେ । ତେଣୁ ଏ ସବୁଥିରେ ଆଉ ବିଳମ୍ବ କରି କିଛି ଲାଭ ନାଇଁ । ସବୁ କାମ ସାରି ଆମେ ଯିଏ ଯା’ ବାଟରେ ଏଠୁ ଫେରିଯିବା ଆଗରୁ ଅନ୍ତତଃ ମା’ ସାଙ୍ଗରେ ଭଲଭାବେ ଟିକେ ପରାମର୍ଶ କରି...
ଚଞ୍ଚଳା : ମାଇଲା ! ମା’ କ’ଣ ତାଙ୍କ ତିନି ପୁଅଙ୍କ କଥାରେ ଅରାଜି ହେବେ ନା କ’ଣ ମ !
ମହେନ୍ଦ୍ର : କୋଉ କଥାରେ...
ଦେବେନ୍ଦ୍ର : କଥା କ’ଣ କି ମହେନ୍ଦ୍ର, ବାପାଙ୍କର ଗାଁରେ ଏଇ ଯୋଉ ସମ୍ପତ୍ତି ଅଛି...
ମହେନ୍ଦ୍ର : ସମ୍ପତ୍ତି... ?
ଦେବେନ୍ଦ୍ର : ମାନେ ଏଇ ଯୋଉ ଘର, ତୋଟା, ପୋଖରୀ ଆଉ ଜମି । ତୁ ପରା କହୁଥିଲୁ – ସବୁଗୁଡ଼ାକର – ଭାଲ୍ୟୁଏସନ ସମାନ ହବ ?
ମହେନ୍ଦ୍ର : ହଁ, ତୋଟା ଆଉ ପୋଖରୀକୁ ଗୋଟିଏ ବୋଲି ଧରିଲେ ପ୍ରାୟ ସମାନ ହବ । ଘର ମୂଲ୍ୟ ଯେତିକି ହବ, ଜମି ମୂଲ୍ୟ ବି ପ୍ରାୟ ସେତିକି ହବ । ମାନେ ବାପା ମତେ ଥରେ ଏଇ କଥା କହୁଥିଲେ । ହେଲେ ହଠାତ୍ ସେ ପ୍ରସଙ୍ଗ କାଇଁକି ?
ଚଞ୍ଚଳା : ମାଇଲା ! ତା’ ମାନେ ତ ଜମାରୁ ଅସୁବିଧା ନାଇଁ । କଥା ଆଉ କାମ-ଦି’ଟା ଯାକ ଏକାଥରକେ ଠା’ ଠା’ ଠି ହେଇ ଛିଡ଼ିଯିବ !
ମହେନ୍ଦ୍ର : ମୁଁ କଥାଟାକୁ ଠିକ୍ ଠଉରେଇ ପାରିଲିନି, ଭାଉଜ !
ଚଞ୍ଚଳା : ଆହେ, ରାଜେନ୍ଦ୍ର, କହୁନ ତମେ !
ରାଜେନ୍ଦ୍ର : ନା...ହଁ, ମାନେ ସେ ସବୁକୁ ଆମେ ତିନି ଭାଇ ଏବେଠୁଁ ବାଣ୍ଟି ନେବାଟା ଭଲ । ନା କ’ଣ କହୁନ, ଦେବଭାଇ ?
ଦେବେନ୍ଦ୍ର : କିଛି ମନ୍ଦ ହୁଅନ୍ତାନି ।
ଚଞ୍ଚଳା : ମାଇଲା ! କାଇଁକି... ବେଶ୍ ଭଲ ହୁଅନ୍ତା ବୋଲି କହିପାରୁନ ?
ମହେନ୍ଦ୍ର : ହେଲେ ମା’ର ଏଇ ଅବସ୍ଥାରେ...
ଚଞ୍ଚଳା : ସେଇଥିପାଇଁ ତ ଭାଇମାନେ ତମର କହୁଛନ୍ତି... କେତେବେଳେ କ’ଣ ଯେ ଘଟିବ, ତା’ ବା କିଏ କହିବ !
ରାଜେନ୍ଦ୍ର : ଆଜିକାଲି ଦେଖୁନ, ମହେନ୍ଦ୍ରଭାଇ... ବୋମା ଫୁଟେଇ ଗାଁମାନଙ୍କରେ କେମିତି ଡକାୟତି ହଉଚି । ମା’ ଆମର ବୁଢ଼ାଲୋକ... ଏକେଲା ମଣିଷ !
ଚଞ୍ଚଳା : ବୁଝିଲ, ମହେନ୍ଦ୍ର – ଚକେ ଗଢ଼ିଲେ ବାର ହାତ ! ଆଜିଠୁ ସେ ସବୁ ଝାମେଲା ତୁଟେଇ ନ ଦେଲେ, ତୁମର ଏଇ ଯୋଉ ଭାଇ ନା... ଛାଡ଼ !
ମହେନ୍ଦ୍ର : ଦେଖୁନି, ଯା’ ଭିତରେ ତମେ ସବୁ ତୁଟେଇ ଦେଇପାରିଛ ।
ଦେବେନ୍ଦ୍ର : ଦେଖ ଭାଇ, ଆମ ଭିତରେ ତ ସେମିତି କିଛି ଭୁଲ ବୁଝାମଣା ନାଇଁ । ତେଣୁ ବଡ଼ଭାଇ ଭାବେ ମୁଁ ଯୋଉ ପ୍ରସାଦ ଦେବି, ଭାବୁନି... ତମେ କେହି ଅପସନ୍ଦ କରିବନି ।
ମହେନ୍ଦ୍ର : କୁହ ଦେଖୁ... ଶୁଣିବା !
ଦେବେନ୍ଦ୍ର : ମୋର ପ୍ରସ୍ତାବ ହଉଚି – ଏଇ ପୁରୁଣା ଖାନଦାନୀ ଘରଖଣ୍ଡକ ଖଞ୍ଜା ସହିତ ତୁ ନବୁ ।
ମହେନ୍ଦ୍ର : ମୋର ଆପତ୍ତି ନାଇଁ । ସହରରେ ମୋ କୋଠାଟା ଅଧା ତିଆରି ହେଇ ପଡ଼ିରହିଛି । ଗାଁର ଏଇ ଖଞ୍ଜା ଘରଖଣ୍ଡକ କାହାରିକୁ ବିକିଦେଇ ସେଇଟା ପୂରା କରିଦେଇପାରିବି । ଜରୁର ଗ୍ରାହକ ମିଳିଯିବେ ।
ଦେବେନ୍ଦ୍ର : ଆଉ ପୋଖରୀ ସହ ତୋଟାଟା ରାଜୁ ଭାଗରେ ପଡ଼ିଲେ କେମିତି ହୁଅନ୍ତା ?
ରାଜେନ୍ଦ୍ର : ମୋର ତ ଆଉ ଗାଁରେ ଆସି ମାଛ ଚାଷ କରିବାର ନାଇଁ କିମ୍ବା ତୋଟାରେ ଆମ୍ବ ଆଉ ନଡ଼ିଆ ଫଳେଇ ବେପାର କରିବାର ନାଇଁ । ବରଂ ଠିକଣା ଲୋକ ଦେଖି ସେତକ ବିକ୍ରିବଟା କରିଦେଲେ, ଅନ୍ତତଃ ଫ୍ୟାକ୍ଟ୍ରିଟା ପାଇଁ ଅତ୍ୟାବଶ୍ୟକ ଟଙ୍କାଟା ଯୋଗାଡ଼ ହେଇ ଯାଇପାରନ୍ତା । ବାକି ଟଙ୍କା ଫାଇନାନ୍ସ କର୍ପୋରେସନରୁ ମିଳିଯିବ ! ବଡ଼ଭାଇଙ୍କ କଥାରେ ମୁଁ ବିଲ୍କୁଲ୍ ରାଜି ।
ଦେବେନ୍ଦ୍ର : ବାକି ରହିଲା ଜମି... ସେତକ ମୋ' ଭାଗରେ ।
ମହେନ୍ଦ୍ର : ସହରରେ ରହି ଭାଇ ବୋଧେ ଗାଁରେ ଭାଗଚାଷ କରିବା ମତଲବରେ ଅଛନ୍ତି ।
ଚଞ୍ଚଳା : ମାଇଲା ! ପାଞ୍ଚ ପାଞ୍ଚଟା ଝିଅକୁ ଜନ୍ମ ଦେଇଛି । ଖଣ୍ଡେଖଣ୍ଡେ ଜମି ବିକିଲେ, ଗୋଟାଏ ଗୋଟାଏ ଝିଅ ଉଠିବେ । ଚଢ଼ା ଯଉତୁକ ନ ଦେଲେ ଆଜିକାଲି କ'ଣ ଭଲ ବର ମିଳୁଚନ୍ତି ? ପୋଡ଼ା କପାଳକୁ ଝିଅଗୁଡ଼าକ ଟିକେ ସୁନ୍ଦର ହୋଇଥାନ୍ତେ ପରା ଭଲ !
ମହେନ୍ଦ୍ର : ଗାଁରେ ରହିବାକୁ ଆମ ଭିତରୁ କେହି ଯେତେବେଳେ ରାଜି ନୁହନ୍ତି, ସେତେବେଳେ ଏଠି ଏତେ ସବୁ ସମ୍ପତ୍ତି ରଖି ଲାଭ ବା କ'ଣ ? ତେଣୁ ତମମାନଙ୍କର ଚିନ୍ତା ଆଉ ହିସାବ ସହ ମୁଁ ଏକମତ ।
(ତିନି ଭାଇ ଯାକ ଖୁସିରେ କୋଳାକୋଳି ହାତ ମିଳାମିଳି ହେଲାବେଳେ ଭିତରୁ ଝିଅ କୁନି ସହ ମା' ପ୍ରବେଶ କରିଛନ୍ତି । ହଠାତ୍ ବାତାବରଣ ଗମ୍ଭୀର ହୋଇପଡ଼ିଛି)
ତିନିହେଁ : ମା'... !! ତୁ ? ?
ମା' : ଶୁଣିବି... ସବୁ ଶୁଣିବି । ଭଲ...ବେଶ୍ ଭଲ କରିବ ! ଭାଇଭାଇ ଭିତରେ ବିଚାର ଆଲୋଚନା କରି ଭଲରେ ଭଲରେ ସବୁ ତୁଟେଇ ଦେଇପାରିବ । ଦେବତା ଭଳି ବାପା ତମର, ସିଏ ଟଳି ପଡ଼ିଲେ... ତମକୁ ଛାଡ଼ି ଚାଲିଗଲେ । ମୋର ବା ଆଉ କେତେ କାଳ ? ତମ ପ୍ରସ୍ତାବରେ ମୁଁ ଖୁସି । ମଲାଗଲା କାଳକୁ ମୁଁ ବା କାଇଁକି ବଇର ମୁଣ୍ଡେଇବି ? ମୋ' ମୁଣ୍ଡକୁ ବା କାଇଁକି ଆହୁରି ବୋଝ ରଖିବି ?
ଦେବେନ୍ଦ୍ର : ମା'...କଥା କ'ଣ କି ବାପା ଥିଲେ, କଥା ଅଲଗା ଥିଲା । ଏଇନେ ତୁ ଅଛୁ, ଏକାଏକା ତୁ କେତେ କ'ଣ କରିବୁ ଯେ ?
ମା' : ହେଲେ ଦେବ, କୁନି ବି ତ ଏ ଘରର ଝିଅ । ତମମାନଙ୍କର ଗୋଟିଏ ବୋଲି ଭଉଣୀ ସିଏ । ବାହା ସାହା ହେଇ ପରଘରକୁ ବୋହୁ ହୋଇ ଚାଲିଯାଇଛି ବୋଲି ତା' ଭାଗଟାକୁ ଯେମିତି ବୁଢ଼େଇ ନ ଦିଅ-
ଚଞ୍ଚଳା : (ଆଭୁଆଳରେ) ମାଇଲା ! ତମେ କହୁନ, ମହେନ୍ଦ୍ର - କୁନି ବାହା ହେଇ ଗଲାବେଳେ ତାଙ୍କ ଯଉତୁକରେ ହାତୀ-ଛତା ସବୁ ଦିଆ ହୋଇଥିଲା । ଭାଇଙ୍କ ଭାଗରେ ପୁଣି ଭଉଣୀଙ୍କ ଭାଗ କାହିଁକି ?
ମହେନ୍ଦ୍ର : ସତ କହିବାକୁ ଗଲେ, ଭାଉଜ - ଆଇନ୍ ଅନୁଯାୟୀ ବାପାଙ୍କ ସମ୍ପତ୍ତି ଉପରେ ପୁଅ ସହ ଝିଅର ବି ଭାଗ ଅଛି । ତେଣୁ କୁନି ନିଶ୍ଚେ ଭାଗ ପାଇବାର କଥା ।
କୁନି : ମୋର ବେଶି କିଛି ଦରକାର ନାଇଁ, ଭାଇ । ମୁଁ ତ ଭାବିଚି, ମା'ର ଗହଣାତକ ଯାହା ନେବି ।
ଚଞ୍ଚଳା : ମାଇଲା ! ମୋ ଝିଅମାନେ ତା' ହେଲେ କ'ଣ ତାଙ୍କ ଗୋସେଇଁମା'ଙ୍କଠୁ କିଛି ବି ଗହଣା ପାଇବେନି ? ସେମାନେ ବି ତ ଏ ଘରର ନାତୁଣୀ । ତାଙ୍କପାଇଁ ବି କିଛି ଗୋଟାଏ ଆଇନ୍ ପଏଣ୍ଟ ବାହାର କରୁନ ?
ମା' : ସବୁ ହେଲା, ସମସ୍ତେ ସବୁ ପାଇଗଲେ । ସମ୍ପତ୍ତିର ଭାଗବଣ୍ଟା ସରିଗଲା । ସମସ୍ତେ ବି ସନ୍ତୁଷ୍ଟ ହେଲେ । ମୋର ଆଉ କ'ଣ ଦରକାର ? ତୁମମାନଙ୍କର ଖୁସିରେ ଇ ତ ମୋର ଖୁସି ।
ତିନିଭାଇ : ମା'... !!
ମା' : ଆଜି ହାତରୁ ମୁଁ ଶଙ୍ଖା କାଢ଼ିଚି । ମଥାରୁ ମୋ ସିନ୍ଦୂର ଲିଭିଚି । ଏଇନେ ତମେମାନେ ଇ ତ ମୋ ସାହା ! ମୋର ଭରସା !! ହେଲେ ମତେ ଖାଲି ଟିକେ ଏତିକି ଜଣେଇଦିଅ - ତମମାନଙ୍କର ଭାଗବଣ୍ଟାରେ ତମର ଏଇ ହୀନକପାଳୀ ବୁଢ଼ା ମା'ଟା କାହା ଭାଗରେ ପଡ଼ିଲା ? ?
ଚଞ୍ଚଳା : ମାଇଲା !
ଦେବେନ୍ଦ୍ର : ଭାଗ ବଣ୍ଟାରେ ମା'... ?
ମହେନ୍ଦ୍ର : ମା' ପୁଣି କାହା ଭାଗରେ କ'ଣ... ?
ରାଜେନ୍ଦ୍ର : ମୁଁ ମା' କଥା କିଛି ବୁଝିପାରିଲିନି ।
କୁନି : ଏ ତୁ କ'ଣ କହୁଛୁ, ମା' ?
ମା' : କୁହ- ମୁଁ ମୋ ଏ ପୋଡ଼ା ଜୀବନର ବାକିତକ ଦିନ କାହା ପାଖରେ ରହି କାଟିବି ? କିଏ ରଖିବ ମତେ ନେଇ ?
(ହଠାତ୍ ସମସ୍ତେ ନିରୁତ୍ତର ହୋଇଯାଇ ପରସ୍ପରକୁ ଚାହିଁଛନ୍ତି ।)
ମା' : କ'ଣ ସବୁ ମୋ ପାଇଁ ଠିକ୍ କରିଛ, ଶୁଣେ - ? ମୋର ଅବସ୍ଥାନ ପାଇଁ କି କି ବ୍ୟବସ୍ଥା ତମେ ସବୁ କରିଛ ?
ଦେବେନ୍ଦ୍ର : ମୁଁ...ମାନେ ମତେ କହିବାପାଇଁ କହୁଛୁ ?
ଚଞ୍ଚଳା : କିହୋ, କହୁନ - ଏଡ଼େ ବଡ଼ ସହରଟାରେ ଅଢ଼େଇ ବଖରା ଭଡ଼ା ଘରେ ପାଞ୍ଚ ପାଞ୍ଚଟା ପାଠପଢୁଆ ଝିଅଙ୍କୁ ନେଇ ଆମେ କେମିତି ଚଢ଼ା ବଜାର ଦର ଭିତରେ ଦହଗଞ୍ଜ ହେଇ ଚଳୁଛୁ, ସେଥିରେ ପୁଣି ମା’ଙ୍କୁ ନେଲେ, କୋଉଠି ରଖିବୁ ? ତମର ତ ପୁଣି ଯୋଉ ଦରମା ! ନା ଉପୁରି ଅଛି, ନା ସପୋର୍ଟ ! ଛାଡ଼-
ଦେବେନ୍ଦ୍ର : ତା' ନ ହେଇଥିଲେ, କଷ୍ଟମଷ୍ଟେ ଚଳିଯାଇ ହୁଅନ୍ତା ! ବରଂ, ମୁଁ କହିବି - ମା' ମହେନ୍ଦ୍ର ପାଖରେ ରହୁ । ସହରରେ ସେ ନିଜେ ଘର ତୋଳିଛି । ଛୋଟ ପରିବାର ତା'ର । ରୋଜଗାର ବି ବେଶ୍ କରୁଛି ।
ମହେନ୍ଦ୍ର : ମୋର ସେଥିରେ କିଛି ଆପତ୍ତି ନାଇଁ । ହେଲେ ମା' ତୁ ତ ଜାଣୁ - ମୂଳରୁ ଇ ତ ତମ ଶାଶୁ ବୋହୂଙ୍କର ଜମା ପଡ଼ୁନି । କଲେଜ ପଢ଼ୁଆ ବଡ଼ଲୋକ ଘରର ଝିଅ ସେ ! ଦେଖିଲନି, କେମିତି ସେ ଦି'ଟା ଦିନ ବି କୁନି ବାହାଘରେ ଖଟିଲା କି ନାଇଁ, ରାଗିରୁଷି ପଳେଇଗଲା । ସେଇ ରାଗ ନେଇ ଏଥର ଟିକେ ଶୁଦ୍ଧ ହବାକୁ ବି ଆସିଲାନି । ତୁ ଯଦି ତା' ପାଖରେ ଟିକେ ଆଡ୍ଜଷ୍ଟ କରି ଚଳିଯାଇପାରିବୁ - ତା' ହେଲେ ମୋର କିଛି କହିବାର ନାହିଁ । ତେବେ ସେ ରାଜି ହେଲେ ହେଲା । ମୁଁ ଯାଇ ଆଗ ତା'ଠୁ ବୁଝେ । ଆଚ୍ଛା, ରାଜେନ୍ଦ୍ର - ମା' ତୋ' ପାଖରେ ରହିଗଲେ କ୍ଷତି କ'ଣ ହୁଅନ୍ତା ? ଆରେ, ତୁ ତ ଆମ ଭିତରେ ସାନ । ସ୍ୱାମୀ-ସ୍ତ୍ରୀ-ଦୁଇ ପ୍ରାଣୀର କୁଟୁମ୍ବ ତୁମର । ବିଶେଷ ସମସ୍ୟା ବି ନାଇଁ ।
ରାଜେନ୍ଦ୍ର : ବୁଝିଲେ, ଭାଇ - ସେଇ ଦୁଇ ପ୍ରାଣୀ ବୋଲି ଇ ତ ସବୁଠୁ ବେଶି ସମସ୍ୟା ! ସେ ଗୋଟିଏ ଜାଗାରେ ଏକା ତ ମୁଁ ଆଉ ଗୋଟିଏ ଜାଗାରେ ଏକେଲା ! ସେ ତା' ଚାକିରିକୁ ନେଇ ବ୍ୟସ୍ତ ତ ମୁଁ ଫ୍ୟାକ୍ଟ୍ରି କରିବି ବୋଲି ବ୍ୟସ୍ତ ! ନା ତାକୁ ଫୁରୁସତ ମିଳୁଛି, ନା ମତେ ! ନା ସେ ସେଠି ଦିନସାରା ଘରେ ରହୁଛି, ନା ମୋର କୋଉଠି ଘର ବୋଲି କିଛି ଠିକଣา ଅଛି ? ଏମିତିରେ ମା'ର ଦେଖାଶୁଣା କିଏ କରିବ ? ତା'ର ଯତ୍ନ କିଏ ନେବ ? ବଡ଼ ସମସ୍ୟା ! ସେଇ ସମସ୍ୟା ଯୋଗୁଁ ଇ ତ ସେ ଏତେଗୁଡ଼ାଏ ଦିନ ଛୁଟି ନେଇ ଏତେ ବାଟରୁ ଦଶାହ ଖଟିବାକୁ ଆସିପାରିଲାନି । ଚାକିରିର ଚାପ ! କ'ଣ ଆଉ କରାଯାଏ । ଆଚ୍ଛା କୁନି ! ମା' ଯଦି ତୋ' ପାଖରେ ରହିଯା'ନ୍ତା.. ?
କୁନି : ଯଦି ଏଇଟା ସମ୍ଭବ ହୁଅନ୍ତା ନା, ତା’ହେଲେ ତ ସବୁଠୁ ବେଶି ଖୁସି ମୁଁ ହୁଅନ୍ତି ! ସେ ବି ମୋ କଥାରେ କେବେ ଅରାଜି ହୁଅନ୍ତେନି ! ତାଙ୍କର ବି ତ ମା’ ନାହାନ୍ତି । ତେଣୁ ମା’ର ସାନ୍ନિଧ୍ୟଟା ଆମ ଦୁହିଁଙ୍କୁ ମିଳନ୍ତା । କିନ୍ତୁ - ଲୋକେ କ’ଣ କହିବେ ? ପୁଅମାନେ ଥାଉ ଥାଉ ମା’ ଯଦି ଝିଅ ଘରେ ଆଶ୍ରା ନିଏ, ତା’ ହେଲେ ଲୋକନିନ୍ଦା ହବନି ?
ମା' : ସାବାସ ! ଦେଖୁଛି, ତମେ ସମସ୍ତେ ମିଶି ଜୀବନସାରା କଷ୍ଟ କରି ବାପା ଅର୍ଜନ କରିଥିବା ସମ୍ପତ୍ତିତକ ନିଜ ନିଜ ଭିତରେ ଖୁବ୍ ସହଜରେ ବାଣ୍ଟି ଦେଇପାରିଲ । (କାନ୍ଦି ଉଠି) ଅଥଚ ଦଶମାସ ଦଶଦିନ ଗର୍ଭରେ ଧରି ଜନ୍ମ କରିଥିବା ଏଇ ବିଧବା ମା’ଟାକୁ ଟିକେହେଲେ ବି ବାଣ୍ଟି ପାରିଲନି । ତମମାନଙ୍କ ଭିତରୁ କାହାରି ଜଣକ ଭାଗରେ ବି ସେ ପଡ଼ିଲାନି । ଆଉ ଆଜି - ଏଇଟା ଇ ବୋଧେ ମୋ’ ଭାଗର ଭାଗଶେଷ ! (କଣ୍ଠ ବାଷ୍ପରୁଦ୍ଧ ହୋଇ ପଡ଼ିଛି) ।
(ହଠାତ୍ ସମସ୍ତେ ନିଜ ସ୍ଥିତି ଓ ଭଙ୍ଗୀରେ ନିଶ୍ଚଳ ହୋଇ ପଡ଼ିଛନ୍ତି । ମଞ୍ଚର ଆଲୋକ ସଙ୍କୁଚିତ ହୋଇପଡ଼ିଛି ।)
ଶେଷଦୃଶ୍ୟ
(ମଞ୍ଚରେ ପୂର୍ଣ୍ଣ ଆଲୋକ ଆସିବା ମାତ୍ରେ ପୂର୍ବର ପାରିବାରିକ ପରିବେଶ ପୁନଃ ପ୍ରତିଷ୍ଠିତ ହୋଇଛି । ସମସ୍ତେ ନିଶ୍ଚଳତା ଭଙ୍ଗ କରିଛନ୍ତି ।)
ଓକିଲ : (ହାତରେ ଲଫାପାଟିଏ ଧରି ବାହାରୁ ପ୍ରବେଶି ଏବଂ ସମସ୍ତଙ୍କୁ ଗମ୍ଭୀର ମୁଦ୍ରାରେ ଦେଖି ମା'ଙ୍କ ପ୍ରତି) କ୍ଷମା କରିବେ, ଭାଉଜ – କଚେରିରୁ ଆସୁ ଆସୁ ମୋର ଟିକେ ଡେରି ହୋଇଗଲା । ଭାଇ ଯେ, ଏତେ ଜଲ୍ଦି ଏମିତି ଚାଲିଯିବେ, କେହି କ'ଣ କେବେ ଭାବିଥିଲା ! ଗାଁଟା ସାରା କାହାରି ମନରେ ଟିକେ ସୁଖ ନାଇଁ । ସବୁରି ମୁହୂର୍ତ୍ତରେ ତାଙ୍କରି ଚର୍ଚ୍ଚା...ତାଙ୍କରି ପ୍ରଶଂସା !
ମା' : ହଁ, ଆଜି ବସି ସବୁ ଭାବିଲାବେଳକୁ ବହୁତ ଡେରି ହୋଇଗଲାଣି ।
ଓକିଲ : ତମେ ଏମିତି କାହିଁକି କହୁଚ, ଭାଉଜ ? ଭାଇ ତ ଆମର ମଣିଷ ନ ଥିଲେ, ଥିଲେ ଦେବତା ! ହଁ...ହଁ... ଦେବତା !
ଦେବେନ୍ଦ୍ର : ସେଇତକ ଇ ତ ଆମ ପାଇଁ ସାନ୍ତ୍ୱନା, ଓକିଲ ମଉସା ! ତା’କୁ ଇ ତ ନେଇ ଆମର ଗର୍ବ କରିବାର ଅଛି ।
ଓକିଲ : ନିଶ୍ଚୟ... ନିଶ୍ଚୟ । ତମେ ସମସ୍ତେ ଯେ ବଡ଼ ଭାଗ୍ୟବାନ । ବାପା ତମର ଯେମିତି ଦେବତା, ମା’ ବି ସେମିତି ଲକ୍ଷ୍ମୀ ସାଆନ୍ତାଣୀ ! !
ଦେବେନ୍ଦ୍ର : ହଁ, ମଉସା – ମୁଁ ଏଇନେ ମହେନ୍ଦ୍ରକୁ ଆପଣଙ୍କ ପାଖକୁ ପଠେଇବି ବୋଲି ଭାବିଥିଲି ।
ଓକିଲ : ଅଥଚ ମୁଁ ଆସି ହାଜର ହେଇଗଲି । ଦେଖିବ, ତମର ଏଇ ବୁଢ଼ା ଓକିଲ ମଉସା ବେଶିଦିନ ବଞ୍ଚିବ ।
ମହେନ୍ଦ୍ର : କଥା କ’ଣ କି, ଏଇ ଗାଁରେ ଆପଣ ଯେତେବେଳେ ବାପାଙ୍କର ସବୁଠୁ ପୁରୁଣା ବନ୍ଧୁ... ଭାଇ, ତାଙ୍କ ସୁଖ-ଦୁଃଖର ସାଥୀ - ତେଣୁ ଆମେ ବାପାଙ୍କର ଏଇ ସମ୍ପତ୍ତି ବିଷୟରେ ଟିକେ ଆପଣଙ୍କ ସହ ପରାମର୍ଶ କରିବାକୁ ଚାହୁଁଥିଲୁ ।
ଓକିଲ : ମୁଁ ବି ତ ଆଜି ତୁମ ବାପାଙ୍କ ସମ୍ପତ୍ତି କଥା ଇ କହିବାକୁ ଆସିଛି !
ରାଜେନ୍ଦ୍ର : ସତେ ନା କ’ଣ ? ଆଜ୍ଞା, ମଉସା – ଆମ ତିନି ଭାଇଙ୍କ ଭିତରେ ଭାଗବଣ୍ଟାରେ ଆଇନଗତ ସେମିତି କିଛି ଅସୁବିଧା ହବନି ତ ? ଭାଗବଣ୍ଟାପାଇଁ ଆମ ଭିତରେ ଗୋଟିଏ ବୁଝାମଣା...ଗୋଟାଏ ରାଜିନାମା ବି ହେଇସାରିଛି ।
ଓକିଲ : ଭାଗବଣ୍ଟା !! କ’ଣ କହୁଛ ତମେ ? ତା’ କେମିତି ଆଉ ସମ୍ଭବ ? ?
ତିନିହେଁ : କାହିଁକି ସମ୍ଭବ ନୁହଁ ?
ଓକିଲ : ବାପା ତମର ଯେ କେବେଠୁଁ ତାଙ୍କର ସ୍ୱ-ଅର୍ଜିତ ସମସ୍ତ ସମ୍ପତ୍ତିକୁ ଏକା ତୁମ ମା’ଙ୍କ ନାଁରେ ଇ ଉଇଲ କରିଦେଇଯାଇଛନ୍ତି ! !
ତିନିହେଁ : (କିଂକର୍ତ୍ତବ୍ୟବିମୂଢ଼ ହୋଇ) ୱାଟ୍ ? ମାନେ, ମାନେ ମା’ଙ୍କ ନାଁରେ ସମସ୍ତ ସମ୍ପତ୍ତିର ଉଇଲ... !!
ଓକିଲ : ସେଇ ଉଇଲନାମାଟିକୁ ଇ ତ ମୁଁ ଆଜି ମା’ଙ୍କ ହାତରେ ଦେଇ ମୋର କର୍ତ୍ତବ୍ୟ ସମ୍ପାଦନ କରିବି ବୋଲି ଆସିଥିଲି । (ଲଫାପାରେ ଆଣିଥିବା ଉଇଲନାମାଟିକୁ ମା’ଙ୍କୁ ବଢ଼େଇ ଦେଇଛନ୍ତି) ସତ କହିବାକୁ ଗଲେ, ବାପାଙ୍କ ଅନ୍ତେ...ପୁଅ ବା ଝିଅଙ୍କର ନୁହେଁ, ସମ୍ପତ୍ତି ଉପରେ ମା’ର ଇ ପ୍ରଥମ ଅଧିକାର !
ମା' : (ଉଇଲନାମାଟିକୁ ଛାତିରେ ଚାପି ହସିବାକୁ ଚେଷ୍ଟା କରି ଖୁବ୍ ଜୋରରେ କାନ୍ଦି ଉଠିଛନ୍ତି ।)
(ନେପଥ୍ୟରୁ ଶୀର୍ଷକ ଆଳାପ/ସଂଗୀତ ଗୁଞ୍ଜରି ଉଠିବା ସହ କ୍ରମଶଃ ଯବନିକା ପତନ ।)
ଲେଖକ ପରିଚୟ
କାର୍ତ୍ତିକ ଚନ୍ଦ୍ର ରଥ (୧୯୪୯–୨୦୧୯) ଓଡ଼ିଆ ନାଟ୍ୟ ସାହିତ୍ୟରେ ଜଣେ ସଫଳ ନାଟ୍ୟକାର । ପେଶାରେ ସେ ଥିଲେ ଅର୍ଥନୀତିର ଅଧ୍ୟାପକ । ରେଭେନ୍ସା କଲେଜିଏଟ୍ ସ୍କୁଲରେ ପଢ଼ୁଥିବାବେଳେ ସେ ତାଙ୍କର ପ୍ରଥମ ନାଟକ ‘ଏଇ ଦେଶ ଏଇ ମାଟି’ ରଚନା କରି ରାଜ୍ୟସ୍ତରୀୟ ଶିଶୁନାଟକ ସମାରୋହରେ ପ୍ରଥମ ପୁରସ୍କାର ଲାଭ କରିଥିଲେ । ଶ୍ରୀଯୁକ୍ତ ରଥ ଏକାଧାରରେ ଜଣେ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଓ ନାଟ୍ୟ ସଂଗଠକ ଭାବରେ କୃତିତ୍ୱ ଅର୍ଜନ କରିଛନ୍ତି । ‘ଜୀବନ ଯଜ୍ଞ’, ‘ଅନ୍ୟ ଆକାଶ’, ‘ମୁଁ ଦୁହେଁ’, ‘ତୃତୀୟ ପୃଥିବୀ’, ‘ବହୁମାନ’, ‘ଈଶ୍ୱର ଜଣେ ଯୁବକ’, ‘ସ୍ୱୟଂବର’ ଓ ‘ମାଂସର ଫୁଲ’ ପ୍ରଭୃତି ନାଟକ ତାଙ୍କର ଉଲ୍ଲେଖଯୋଗ୍ୟ କୃତି । ୧୯୮୫ ମସିହାରେ ‘ନିଃସଙ୍ଗ ବିସର୍ଗ’ ନାଟକପାଇଁ ତାଙ୍କକୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
ପଠିତ ‘ଆହୁତି’ ଏକାଙ୍କିକାରେ ପୁତ୍ରକନ୍ୟାମାନଙ୍କର ସ୍ୱାର୍ଥପରତା ଓ ବସ୍ତୁବାଦୀ ଚିନ୍ତାଧାରା ପ୍ରତିଫଳିତ ହୋଇଛି ।
ପାଠ୍ୟ ଅନ୍ତର୍ଗତ
ମୋ ବୁଝିବାରେ
ଆସ, ଏକାଙ୍କିକାକୁ ଭଲ ଭାବରେ ପଢ଼ିବା, ବୁଝିବା ଓ ଉତ୍ତର ଲେଖିବା । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା (★) ଚିହ୍ନ ଦେବା ।
(୧) (କ) ସମ୍ପତ୍ତି ଭାଗବଣ୍ଟା କଥା କିଏ ପ୍ରଥମେ ଉଠାଇଥିଲେ ? * [ ] (କ) ରାଜେନ୍ଦ୍ର * [x] (ଖ) ଚଞ୍ଚଳା * [ ] (ଗ) ଦେବେନ୍ଦ୍ର * [ ] (ଘ) ମହେନ୍ଦ୍ର
(ଖ) “ଏଇଟା ଇ ବୋଧେ ମୋ ଭାଗର ଭାଗଶେଷ” – ଏହା କିଏ କହିଥିଲେ ? * [ ] (କ) କୁନି * [ ] (ଖ) ମହେନ୍ଦ୍ର * [x] (ଗ) ମା’ * [ ] (ଘ) ଦେବେନ୍ଦ୍ର
(ଗ) କେଉଁ ଚରିତ୍ର ନିଜ କଥା ଆରମ୍ଭରୁ ସବୁବେଳେ ‘ମାଇଲା’ କହିଥାନ୍ତି ? * [ ] (କ) ଦେବେନ୍ଦ୍ର * [x] (ଖ) ଚଞ୍ଚଳା * [ ] (ଗ) ମହେନ୍ଦ୍ର * [ ] (ଘ) ମା’
(ଘ) ଗାଁମାନଙ୍କରେ କେମିତି ଡକାୟତି ହେଉଛି ବୋଲି ରାଜେନ୍ଦ୍ର କହିଛନ୍ତି ? * [ ] (କ) ଲୋକମାନଙ୍କୁ ଭୟ ଦେଖାଇ * [ ] (ଖ) ଲୋକମାନଙ୍କ ଘରଦ୍ୱାର ଭାଙ୍ଗି * [ ] (ଗ) ଲୋକମାନଙ୍କୁ ମାଡ଼ ମାରି * [x] (ଘ) ବୋମା ଫୁଟାଇ
(ଙ) ‘ଚକେ ଗଢ଼ିଲେ ବାରହାତ !’ – ଚଞ୍ଚଳା ଏହାକୁ କେଉଁ ପ୍ରସଙ୍ଗରେ କହିଛନ୍ତି ? * [x] (କ) ଘରବାଡ଼ି ବଣ୍ଟା * [ ] (ଖ) ନିଜ ଝିଅ ବିବାହ * [ ] (ଗ) ଓକିଲଙ୍କ ଉଇଲନାମା * [ ] (ଘ) ନିଜର ସୁବିଧାବାଦୀ ମନୋଭାବ
(ଚ) ‘କାଲି ରାତିରେ ଷ୍ଟୁଡିଓରୁ ମୁଁ ନେଇ ଆସିବି !’ – ଉକ୍ତ ସଂଳାପରେ ରାଜେନ୍ଦ୍ର କ’ଣ ଆଣିବେ ବୋଲି କହିଲେ ? * [ ] (କ) ଚାନ୍ଦୁଆ * [x] (ଖ) ଫଟୋ * [ ] (ଗ) ବାଲତି * [ ] (ଘ) ହଣ୍ଡା
(ଛ) ‘ଆରେ ବାବୁ, ବାପା ତମର ଏତେ ସବୁ ଅରଜି ଥିଲେ, କାହା ପାଇଁ ?’ – ଏଠାରେ ବାପା କ’ଣ ଅର୍ଜନ କରିଛନ୍ତି ବୋଲି କୁହାଯାଇଛି ? * [ ] (କ) ସୁନା * [ ] (ଖ) ରୂପା * [x] (ଗ) ସମ୍ପତ୍ତି * [ ] (ଘ) ହୀରା
(ଜ) ‘ବାକି ରହିଲା ଜମି ... ସେତକ ମୋ’ ଭାଗରେ !’ – ଏ କଥା କିଏ କହିଛନ୍ତି ? * [x] (କ) ଦେବେନ୍ଦ୍ର * [ ] (ଖ) ରାଜେନ୍ଦ୍ର * [ ] (ଗ) ଗଜେନ୍ଦ୍ର * [ ] (ଘ) ମହେନ୍ଦ୍ର
(ଝ) ‘କ’ଣ ସବୁ ମୋ ପାଇଁ ଠିକ୍ କରିଛ, ଶୁଣେ ?’ – କିଏ ଏକଥା କହିଛନ୍ତି ? * [ ] (କ) କୁନି * [x] (ଖ) ମାଆ * [ ] (ଗ) ଚଞ୍ଚଳା * [ ] (ଘ) ଓକିଲ
(ଞ) ‘ଦଶାହ ନ ସରୁଣୁ ଦଶଥର ବେହୋସ ହେଲାଣି ସେ !’ – ଏଠାରେ କିଏ ବେହୋସ ହୋଇଥିଲେ ? * [ ] (କ) ଚଞ୍ଚଳା * [ ] (ଖ) ଦେବେନ୍ଦ୍ର * [x] (ଗ) ମା’ * [ ] (ଘ) ରାଜେନ୍ଦ୍ର
ତୁମ ପାଇଁ କାମ ତୁମର ସାଙ୍ଗସାଥୀମାନେ ଭିନ୍ନଭିନ୍ନ ଉତ୍ତର ବାଛିଥାଇ ପାରନ୍ତି । ତୁମେ ଏହି ଉତ୍ତରଗୁଡ଼ିକ କାହିଁକି ବାଛିଲ, ସେହି ବିଷୟରେ ସାଙ୍ଗମାନଙ୍କ ସହ ଆଲୋଚନା କର ।
ବାକ୍ୟ ଉପରେ ଚର୍ଚ୍ଚା
ପାଠ୍ୟରୁ ଚୟନ କରାଯାଇ କିଛି ଧାଡ଼ି ତଳେ ଦିଆଯାଇଛି । ସେଗୁଡ଼ିକୁ ଭଲ ଭାବରେ ପଢ଼ ଏବଂ ତାହାର ଅର୍ଥ ସାଙ୍ଗମାନଙ୍କ ସହିତ ଆଲୋଚନା କରି ଲେଖ ।
- “ହଁ, ଭାଇ, ଚାକିରିରୁ ରିଟାୟାର୍ଡ କରି ଗାଁକୁ ଫେରିବା ପରେ ଏଇ ବୈଠକଖାନା ଇ ତ ଥିଲା ବାପାଙ୍କର ସବୁଠୁ ବଡ଼ ତୀର୍ଥ ।” * “ବାପା ଗଲା ଦିନଠୁ ମା’ର ଅବସ୍ଥା ତ ଦେଖୁଛ ! ପାଞ୍ଚଦିନ ହୋଇଗଲା, ପାଣି ଟୋପାଏ ବି ମୁହଁରେ ଦଉନି ।” * “ଯଦି ଏଇଟା ସମ୍ଭବ ହୁଅନ୍ତା ନା, ତା’ହେଲେ ତ ସବୁଠୁ ବେଶୀ ଖୁସି ମୁଁ ହୁଅନ୍ତି ।” * “ବାପା ତମର ଯେ କେବେଠୁଁ ତାଙ୍କର ସ୍ୱ-ଅର୍ଜିତ ସମସ୍ତ ସମ୍ପତ୍ତି ଏକା ତୁମ ମା’ଙ୍କ ନାଁରେ ଇ ଉଇଲ କରି ଦେଇଯାଇଛନ୍ତି ।”
ମିଳିମିଶି ଯୋଡ଼ିବା
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ଠିକ୍ ବାକ୍ୟାଂଶ ସହ ମେଳ କର ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ | | :--- | :--- | | ୧. ବାପାଙ୍କ ଫଟୋ ବୈଠକଖାନାର କାନ୍ଥରେ ଟଙ୍ଗା ହୋଇଥାଉ । | ୫. ଏହା ବାପାଙ୍କ ସବୁଠାରୁ ବଡ଼ ତୀର୍ଥ ଥିଲା । | | ୨. ମାଇଲା ! ତା’ମାନେ ତ ଜମାରୁ ଅସୁବିଧା ନାଇଁ | ୧. ସବୁକଥା ଠା’ ଠା’ ଠି ହେଇ ଛିଡ଼ିଯିବ । | | ୩. ମୋର ପ୍ରସ୍ତାବ ହେଉଛି— | ୪. ଏଇ ପୁରୁଣା ଖାନଦାନୀ ଘରଖଣ୍ଡକ ଖଞ୍ଜା ସହିତ ତୁ ନବୁ । | | ୪. ମୋର ବେଶି କିଛି ଦରକାର ନାହିଁ । | ୨. ମା’ର ଗହଣାତକ ଯାହା ନେବି । | | ୫. କ’ଣ ସବୁ ମୋ ପାଇଁ ଠିକ୍ କରିଛ ? | ୩. ମୋର ବାକି ଜୀବନ କେମିତି କଟିବ ? |
ବୁଝି ବିଚାରି ଲେଖ
ତୁମେ ଏକାଙ୍କିକାକୁ ଆଉଥରେ ପଢ଼, ବୁଝ ଓ ଲେଖ ।
- (କ) ଚଞ୍ଚଳା ଝିଅ ବାହାଘର ପାଇଁ କାହିଁକି ବ୍ୟସ୍ତ ହେଉଥିଲେ ?
- (ଖ) ଦେବେନ୍ଦ୍ରଙ୍କୁ ରାଜେନ୍ଦ୍ର ଟଙ୍କା କାହିଁକି ମାଗିଲେ ?
- (ଗ) ଚଞ୍ଚଳାଙ୍କ କଥାରେ ଦେବେନ୍ଦ୍ର କାହିଁକି ଚମକି ପଡ଼ିଲେ ?
- (ଘ) ମା'ଙ୍କୁ କେଉଁକଥା ବୁଝାଇ ହେବ ନାହିଁ ବୋଲି ଦେବେନ୍ଦ୍ର କହିଥିଲେ ?
ଅନୁମାନ ଓ କହନା
ତୁମେ ମିଳିମିଶି ଦଳଗତ ଆଲୋଚନା କରି ଲେଖ ।
- (କ) 'ବାପା ଗଲା ଦିନଠାରୁ ମା'ର ଅବସ୍ଥା ତ ଦେଖୁଛ ! ପାଞ୍ଚଦିନ ହେଇଗଲା, ପାଣି ଟୋପେ ବି ମୁହଁରେ ଦଉନି ।' ଦେବେନ୍ଦ୍ରଙ୍କ ମାଆ ମୁହଁରେ ପାଣି ନ ଦେବାର କାରଣ କ'ଣ ହୋଇପାରେ ?
- (ଖ) 'ମୁଁ କହିଲି କହିବ କ'ଣ ନା କହୁଚି ବୋଲି । ମୁଁ ଏକେଲା ଏଠି ଦଶ ଦିନ ଦଶରାତି ଧରି ସାରା ବଂଶଟାକୁ ରାନ୍ଧି ଖାଇବାକୁ ଦେଇଦେଇ ଥକିଯିବି ?' ଏପରି ସ୍ଥଳରେ ତୁମେ ଚଞ୍ଚଳା ସ୍ଥାନରେ ଥିଲେ କ'ଣ କରିଥାନ୍ତ ?
- (ଗ) 'ବୁଝିଲ ଭାଇ, ସେଇ ଦୁଇ ପ୍ରାଣୀ ବୋଲି ଇ ତ ସବୁଠୁ ବେଶୀ ସମସ୍ୟା !' ତୁମେ ରାଜେନ୍ଦ୍ର ଚରିତ୍ରରେ ଥିଲେ କ'ଣ କରିଥାନ୍ତ ?
- (ଘ) 'ଏକାଙ୍କିକାରୁ ଚରିତ୍ରମାନଙ୍କର ମାନସିକତା ଉପରେ ବିଚାର କରିବା । ଧନସମ୍ପତ୍ତି ଓ ମାଆକୁ ନେଇ କିଏ କିପରି ମନୋଭାବ ପୋଷଣ କରିଛନ୍ତି, ଲେଖ ।' ତୁମ ପାଇଁ ଗୋଟିଏ ନମୁନା ନିମ୍ନରେ ଦିଆଯାଇଛି ।
ଉଦାହରଣ :
| ଚରିତ୍ରଙ୍କ ନାମ | ବସ୍ତୁବାଦୀ ଚିନ୍ତାଧାରା | ସ୍ୱାର୍ଥପର ମନୋଭାବ | | :--- | :--- | :--- | | ଦେବେନ୍ଦ୍ର | ବାକି ରହିଲା ଜମି | ସେତକ ମୋ ଭାଗରେ | | ମହେନ୍ଦ୍ର | | | | ରାଜେନ୍ଦ୍ର | | | | ଚଞ୍ଚଳା | | | | କୁନି | | |
ଏକାଙ୍କିକା ରଚନା
ଏହି ଏକାଙ୍କିକାର ଆରମ୍ଭରେ ସ୍ୱର୍ଗତ ଗଜେନ୍ଦ୍ରନାଥଙ୍କ ପରିବାର ବିଷୟରେ କୁହାଯାଇଛି । ଯେପରି– * ‘ମଞ୍ଚ ଆଲୋକିତ ହେବା ମାତ୍ରେ ଦେଖାଯାଇଛି – ସମୟ ସକାଳ । କୌଣସି ଗୋଟିଏ ଘରର ବୈଠକଖାନାର ପରିବେଶ ।’ * ଦେବେନ୍ଦ୍ର : (ତଳକୁ ଓହ୍ଲାଇ) ବାସ୍... ଏଥର ହେଲା । ବାପାଙ୍କ ଫଟୋଟା ବୈଠକଖାନା ଏଇ କାନ୍ଥରେ ଏମିତି ଟଙ୍ଗା ହୋଇଥାଉ, ବେଶ୍ ମାନିବ । ନାଁ କ’ଣ କହୁଚୁ ରାଜୁ ?
- ରାଜେନ୍ଦ୍ର : ହଁ, ଭାଇ, ଚାକିରିରୁ ରିଟାୟାର୍ଡ କରି ଗାଁକୁ ଫେରିବା ପରେ ଏଇ ବୈଠକଖାନା ଇ ତ ଥିଲା ବାପାଙ୍କର ସବୁଠୁ ବଡ଼ ତୀର୍ଥ । ତାଙ୍କର ଶେଷ ଜୀବନଟା ଏଇ ଚାରିକାନ୍ଥ ଭିତରେ ଇ ତ କଟିଛି ।
ଏକାଙ୍କିକାର ଉପରିଲିଖିତ ଧାଡ଼ିଗୁଡ଼ିକୁ ଭଲଭାବେ ପଢ଼ । ସେଗୁଡ଼ିକୁ ପଢ଼ିବା ପରେ, ଏହା ସ୍ପଷ୍ଟ ଯେ ପ୍ରଥମ ଧାଡ଼ିରେ ସମୟ ଏବଂ ସ୍ଥାନ ବିଷୟ କହୁଛି । ଏହାକୁ ମଞ୍ଚ ନିର୍ଦ୍ଦେଶନା କୁହାଯାଏ । ଅନ୍ୟ ଧାଡ଼ିଗୁଡ଼ିକରୁ ଏହା ସ୍ପଷ୍ଟ ଯେ ଦୁଇ ଜଣ ବ୍ୟକ୍ତି ଉକ୍ତ ସଂଳାପ କହୁଛନ୍ତି । ଏହା ପଠିତ ଏକାଙ୍କିକାର ଏକ ଅଂଶ ।
ଏକାଙ୍କିକା ହେଉଛି ଏକ ଅଙ୍କ ବିଶିଷ୍ଟ କ୍ଷୁଦ୍ର ନାଟକ । ଏହା ସ୍ୱଳ୍ପ ଚରିତ୍ର, ଗୋଟିଏ ସମସ୍ୟା ଆଧାରିତ ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସୀମିତ ଓ ଅଭିନୀତ ହୋଇଥାଏ ।
ଏହି ଏକାଙ୍କିକାରେ ତୁମେ ଏପରି ଅନେକ ବୈଶିଷ୍ଟ୍ୟ ପାଇବ । (ଉଦାହରଣ ସ୍ୱରୂପ– ଚରିତ୍ର, ସଂଳାପ, ମଞ୍ଚ, ଅଭିନୟ ଇତ୍ୟାଦି)
(କ) ଏହି ଏକାଙ୍କିକାର ବୈଶିଷ୍ଟ୍ୟଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରି ଲେଖ ।
(ଖ) ତଳେ କିଛି ବାକ୍ୟ ଦିଆଯାଇଛି । ଏକାଙ୍କିକା ବିଷୟରେ ଯେଉଁ ବାକ୍ୟଗୁଡ଼ିକ ଠିକ୍ ବୋଲି ଭାବୁଛ, ତା’ ପାଖରେ ‘ହଁ’ ଲେଖ ଏବଂ ଯେଉଁ ବାକ୍ୟ ଠିକ୍ ମନେ ହେଉନାହିଁ, ତା’ ପାଖରେ ‘ନା’ ଲେଖ ।
| କ୍ର.ନଂ | ବାକ୍ୟ | ହଁ / ନା | | :---: | :--- | :---: | | ୧. | ଏକାଙ୍କିକା ‘ଆହୁତି’ରେ ସମ୍ପୂର୍ଣ୍ଣ କାହାଣୀଟି ଗୋଟିଏ ଗାଁର ମଧ୍ୟବିତ୍ତ ଘରର ବୈଠକଖାନାରେ ମଞ୍ଚସ୍ଥ ହୋଇଛି । | | | ୨. | ଏକାଙ୍କିକା ଓ କାହାଣୀ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । | | | ୩. | ଏକାଙ୍କିକାରେ ଏକ ରାଜନୈତିକ କାହାଣୀ ଲୁଚି ରହିଛି । | | | ୪. | ଏକାଙ୍କିକାରେ ଚରିତ୍ରମାନଙ୍କ ସଂଖ୍ୟା ଅଧିକ ଥାଏ । | | | ୫. | ଏକାଙ୍କିକାର ଘଟଣାଗୁଡ଼ିକ ବିଭିନ୍ନ ବର୍ଷର ବିଭିନ୍ନ ଦିନରେ ଘଟୁଛି । | | | ୬. | ଏକାଙ୍କିକାରେ କାହାଣୀ ମୁଖ୍ୟତଃ ଚରିତ୍ର ଓ ସଂଳାପ ମାଧ୍ୟମରେ ଆଗକୁ ବଢ଼ିଥାଏ । | | | ୭. | ଚଞ୍ଚଳାଙ୍କ ଝିଅମାନେ ସୁନ୍ଦର ଥିଲେ । | |
ଅଭିନୟର ସମୟ
(କ) ତୁମେମାନେ କେବେ ମଞ୍ଚରେ ଏକାଙ୍କିକା କିମ୍ବା ନାଟକ ଦେଖିଛ କି ? ତୁମେମାନେ ଟିଭିରେ ଚଳଚ୍ଚିତ୍ର ଏବଂ ଧାରାବାହିକ ଦେଖିଥିବ । ଯଦି ତୁମକୁ ତୁମ ସ୍କୁଲରେ ଏକାଙ୍କିକା ‘ଆହୁତି’ ମଞ୍ଚସ୍ଥ କରିବାକୁ ପଡ଼େ, ତେବେ ତୁମେ କ’ଣ କରିପାରିବ ? (ବିଶେଷ ଦୃଷ୍ଟିଭଙ୍ଗୀ – ଏହି ଏକାଙ୍କିକାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ତୁମେ ଏଥିରେ କ’ଣ ଯୋଡ଼ିବ, କେଉଁ ଚରିତ୍ରଗୁଡ଼ିକୁ ଯୋଡ଼ିବ ଏବଂ ଚରିତ୍ରମାନଙ୍କର ସଂଳାପ କ’ଣ ହେବ, ସାଙ୍ଗମାନଙ୍କ ସହିତ ଆଲୋଚନା କର ।)
ପରାମର୍ଶ * ଏହି ଏକାଙ୍କିକାକୁ ଅଭିନୟ କରିବା ସମୟରେ ତୁମେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛ କି ?
- ଏକାଙ୍କିକା ପାଇଁ ପାଖରେ ଥିବା ଜିନିଷଗୁଡ଼ିକ, ଯେପରିକି ଚେୟାର, ଟେବୁଲ ଇତ୍ୟାଦି ବ୍ୟବହାର କରିପାରିବ ।
- ଯଦି ସ୍ଥାନର ଅଭାବ ଥାଏ, ତେବେ କଳାକାରମାନେ ନିଜ ନିଜ ସ୍ଥାନରେ ଠିଆ ହୋଇ ସଂଳାପ କହିପାରିବେ ।
- ଯଦି ତୁମେ ଚାହିଁବ, ତେବେ ତୁମେ ତୁମର ଶିକ୍ଷକଙ୍କ ସାହାଯ୍ୟରେ ତୁମର ପ୍ରଦର୍ଶନକୁ ରେକର୍ଡ କରିପାରିବ ଏବଂ ଏହାକୁ ତୁମ ପରିବାର କିମ୍ବା ସମ୍ପର୍କୀୟଙ୍କୁ ପଠାଇ ପାରିବ ।
ଭାଷା ବିଚାର
- ‘ଆଜି ହାତରୁ ମୁଁ ଶଙ୍ଖା କାଢ଼ିଛି।’ * ‘ମଥାରୁ ମୋର ସିନ୍ଦୁର ଲିଭିଛି।’ * ‘କ’ଣ ସବୁ ମୋ ପାଇଁ ଠିକ୍ କରିଛ ?’
ଉପରୋକ୍ତ ବାକ୍ୟଗୁଡ଼ିକରେ ରେଖାଙ୍କିତ ଶବ୍ଦଗୁଡ଼ିକ ଅସହାୟ ଓ ନିରାଶାର ଭାବ ପ୍ରକାଶ କରୁଛି ।
ଏକାଙ୍କିକାରେ ଏହିପରି ଅନେକ ପ୍ରସଙ୍ଗ ରହିଛି, ଯେଉଁଠାରେ ଶବ୍ଦ ମାଧ୍ୟମରେ ବିଶେଷ ଭାବ ସୃଷ୍ଟି କରୁଛି ।
ପଠିତ ଏକାଙ୍କିକାରୁ ଏହିପରି ବ୍ୟବହାର ହୋଇଥିବା ଘଟଣା ସୂଚକ ବାକ୍ୟଗୁଡ଼ିକ ଲେଖ ।
ରୂଢ଼ି ପ୍ରୟୋଗ
- ‘ବୁଝିଲ, ମହେନ୍ଦ୍ର – ଚକେ ଗଢ଼ିଲେ ବାରହାତ ।’ * ‘ମୁଁ ଯେ ରାତିସାରା ଉଜାଗର, ଦେଖିଲା ବେଳକୁ କ’ଣ ନା ମୁଗୁରା ମେଲା ?’
ଉପରିଲିଖିତ ବାକ୍ୟଗୁଡ଼ିକରେ ‘ଚକେ ଗଢ଼ିଲେ ବାରହାତ’, ‘ରାତିସାରା ଉଜାଗର’ ଏବଂ ‘ମୁଗୁରା ମେଲା’ ରେଖାଙ୍କିତ ହୋଇଥିବା ରୂଢ଼ିଗୁଡ଼ିକ ବ୍ୟବହୃତ ହୋଇଛି । ଏଗୁଡ଼ିକ ବାକ୍ୟରେ ଏକ ବିଶେଷ ପ୍ରଭାବ ସୃଷ୍ଟି କରୁଛି । ଏକାଙ୍କିକାରେ ବ୍ୟବହୃତ ଅନ୍ୟ ରୂଢ଼ିଗୁଡ଼ିକ ଚିହ୍ନି ଲେଖ ଏବଂ ସେଗୁଡ଼ିକର ଅର୍ଥ ବୁଝିବା ପରେ ବାକ୍ୟରେ ବ୍ୟବହାର କରି ଲେଖ ।
କଥା ଉପରେ ଗୁରୁତ୍ୱ ଦିଅ
‘ହଁ, ତୋଟା ଆଉ ପୋଖରୀକୁ ଗୋଟିଏ ବୋଲି ଧରିଲେ ପ୍ରାୟ ସମାନ ହେବ ।’
ଉପର ବାକ୍ୟରେ ‘ହଁ’ ଉଠାଇଦେଇ ପଢ଼ ।
‘ତୋଟା ଆଉ ପୋଖରୀକୁ ଗୋଟିଏ ବୋଲି ଧରିଲେ ପ୍ରାୟ ସମାନ ହେବ ।’
(କ) ବାକ୍ୟରେ ‘ହଁ’ ବ୍ୟବହାର ଦ୍ୱାରା କାହା ଉପରେ ଗୁରୁତ୍ୱ ଦିଆଗଲା ଏବଂ ‘ହଁ’ ଉଠାଇଦେବା ଦ୍ୱାରା କ’ଣ ହେଉଛି ? ଦୁଇଟି ବାକ୍ୟକୁ ପଢ଼ି ଦଳଗତ ଆଲୋଚନା କରି ଲେଖ ।
(ଖ) ନିମ୍ନଲିଖିତ ବାକ୍ୟଗୁଡ଼ିକରେ ‘ହଁ’ ବ୍ୟବହାର କର, ଯେପରି ବାକ୍ୟର ଅର୍ଥ ପରିବର୍ତ୍ତନ ହେବନାହିଁ । ୧. ତା’ ତ ଠିକ୍ କଥା । ୨. ଭାଉଜ – ବହୁ ଦିନରୁ ଚିନ୍ତା କରିଛି । ୩. ତୁ ସେଇଆ କର ।
ପାଠ୍ୟ ବହିର୍ଭୂତ
ତୁମ କଥା
(କ) ଓକିଲ : ଭାଗବଣ୍ଟା ! କ'ଣ କହୁଛ ତୁମେ ? ତା' କେମିତି ଆଉ ସମ୍ଭବ ? ତିନିହେଁ : କାହିଁକି ସମ୍ଭବ ନୁହେଁ ?
ଉପରିଲିଖିତ ସଂଳାପ ଦର୍ଶାଇଛି ଯେ, ତିନି ଭାଇ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦୃଢ଼ରେ ଅଛନ୍ତି । ଏହି ଦ୍ୱନ୍ଦ୍ୱକୁ ସମାଧାନ କରିବା ପାଇଁ ଶିକ୍ଷକ, ଅଭିଭାବକଙ୍କ ସହ ଆଲୋଚନା କର ।
(ଖ) ଏହି ଏକାଙ୍କିକାରେ ଦେବେନ୍ଦ୍ର, ମହେନ୍ଦ୍ର ଓ ରାଜେନ୍ଦ୍ର ତିନି ଭାଇ ଥିଲେ । ସେମାନଙ୍କ ଭିତରେ ଉତ୍ତମ ବୁଝାମଣା ଥିଲା । ଏହି ତିନି ଭାଇଙ୍କ ଭିତରୁ କିଏ ଅଧିକ ଭଲ ଓ କାହିଁକି ?
(ଗ) ତୁମର କୌଣସି ଭାଇ କିମ୍ବା ସାଙ୍ଗ ଘରକୁ ଆସିଲେ କ'ଣ କର ?
(ଘ) ତୁମେ ତୁମର ପଡ଼ୋଶୀମାନଙ୍କୁ ସାହାଯ୍ୟ କରିଛ କି ? କିପରି କରିଛ ଲେଖ ?
(ଙ) ଦେବେନ୍ଦ୍ରବାବୁଙ୍କ ପରିବାରରେ ସମସ୍ତଙ୍କ ବ୍ୟବହାର କିପରି ଥିଲା ? ଆଉ କିପରି ହେବା କଥା କୁହ ଏବଂ ଲେଖ ?
ସାବଧାନ ଓ ସୁରକ୍ଷା
(କ) ସ୍ୱର୍ଗତ ପିତା ଗଜେନ୍ଦ୍ରନାଥ ଚାଲିଗଲା ପରେ ପୁତ୍ରମାନେ କେହି ମା'କୁ ରଖିବାକୁ ରାଜି ହୋଇ ନାହାନ୍ତି । ତୁମେ ତାଙ୍କ ସ୍ଥାନରେ ଥିଲେ କ'ଣ କରିଥାନ୍ତ ?
(ଖ) ଯଦି ତୁମ ଘରକୁ ତୁମର ବାପା-ମାଆ ନଥିବାବେଳେ କେହି ଆସନ୍ତି, ତା'ହେଲେ ତୁମେ ତାଙ୍କ ପ୍ରତି କିପରି ବ୍ୟବହାର କରିବ ?
ସର୍ଜନ କଳା / ସର୍ଜନଶୀଳତା
(କ) ତୁମେ ଏହି ଏକାଙ୍କିକା ପଢ଼ିଲ । ପଠିତ ଏକାଙ୍କିକାରେ ଏକ କାହାଣୀ ରହିଛି । ସେହି କାହାଣୀକୁ ନିଜ ଭାଷାରେ ଲେଖ ।
ପାରିବାରିକ ସମସ୍ୟା
‘ମୋର ବେଶି କିଛି ଦରକାର ନାଇଁ, ଭାଇ ! ମୁଁ ତ ଭାବୁଚି, ମା’ର ଗହଣାତକ ଯାହା ନେବି।’
ପଠିତ ଏକାଙ୍କିକାରେ ସମସ୍ତେ ଜମି, ବାଡ଼ି, ତୋଟା, ପୋଖରୀ, ଘରଦ୍ୱାର ଓ ସୁନାରୂପା ନେବାକୁ ଚାହୁଁଛନ୍ତି । କିନ୍ତୁ ମା’କୁ ରଖିବାକୁ କେହି ଚାହୁଁନାହାନ୍ତି । ତୁମେ ସେ ସ୍ଥାନରେ ଥିଲେ କ’ଣ କରିଥାନ୍ତ ? ଦଳରେ ପାଞ୍ଚପାଞ୍ଚ ଜଣ ମିଶି ଆଲୋଚନା କର । ଗୋଟିଏ ଚାର୍ଟ ପେପର ଆଣି ତୁମେମାନେ ପଠିତ ଏକାଙ୍କିକାର ମୁଖ୍ୟ ଘଟଣାଗୁଡ଼ିକୁ ଦର୍ଶାଇ ଶ୍ରେଣୀରେ ସାଙ୍ଗମାନଙ୍କୁ ଦେଖାଅ ।
ଟେଲିଗ୍ରାମ ବାର୍ତ୍ତା
‘ମୋର ଚିଠି କାହିଁ ପହଞ୍ଚି ନାହିଁ ?’
କୁନିର ଭାଇ ତାଙ୍କ ଆଗମନ ବିଷୟରେ ଟେଲିଗ୍ରାମ ମାଧ୍ୟମରେ ସୂଚନା ପଠାଇଥିଲେ । ଟେଲିଗ୍ରାମରେ ବାର୍ତ୍ତା ପଠାଇବା ଏକ ମାଧ୍ୟମ ଥିଲା । ଯାହା ମାଧ୍ୟମରେ ଶୀଘ୍ର ବାର୍ତ୍ତା ପଠାଯାଇପାରୁଥିଲା । କିନ୍ତୁ ଏହା ବର୍ତ୍ତମାନ ବ୍ୟବହାର ହେଉ ନାହିଁ ।
- (କ) ଆଜିକାଲି ଚିଠି କାହା ମାଧ୍ୟମରେ ସବୁ ପଠାଯାଉଛି ?
- (ଖ) ତୁମର ପ୍ରିୟ ସାଙ୍ଗ ପାଖକୁ ଚିଠି ଲେଖି ଭାରତୀୟ ଡାକ ଦ୍ୱାରା ପଠାଅ ।
- (ଗ) ଇ-ମେଲ ଓ ହ୍ୱାଟସ୍ଆପ୍ କୁ ଆମେ କେଉଁ କାର୍ଯ୍ୟରେ ବିନିଯୋଗ କରିଥାଉ ଲେଖ ।
ମାପ, ଓଜନ ଓ ମୁଦ୍ରା
‘ରାଜେନ୍ଦ୍ର ଏକ କିଲୋଗ୍ରାମ୍ ଚାଉଳକୁ ସାଢ଼େ ନଅଟଙ୍କାରେ ବିକ୍ରି କଲେ ।’
‘ସାଢ଼େ ନଅ ଟଙ୍କା’ ରେଖାଙ୍କିତ ହୋଇଥିବା ଶବ୍ଦର ଅର୍ଥ ନଅଟଙ୍କା ପଚାଶ ପଇସା (୯.୫୦)କୁ ବუଝାଏ । ସେହିପରି—
- (କ) ପାଞ୍ଚଟି ଏକ ଟଙ୍କିଆ ମୁଦ୍ରା ମିଶି କେତେ ଟଙ୍କା ହେବ ?
- (ଖ) ଏକ କିଲୋମିଟର କେତେ ମିଟର ହୋଇଥାଏ ?
- (ଗ) ଏକ ଭରି ସୁନା କେତେ ଗ୍ରାମ ହୋଇଥାଏ ?
- (ଘ) ଏକ ଡେସିମିଲ ଜାଗା କେତେ ବର୍ଗଫୁଟ ହୋଇଥାଏ ?
ବୁଝିବା ଓ ବୁଝାଇବା
ଭାରତୀୟ ପରମ୍ପରାରେ ମାତୃଦେବୋ ଭବ ଓ ପିତୃଦେବୋ ଭବ କଥା କୁହାଯାଇଛି । ତୁମେ ତୁମର ବାପା-ମାଆଙ୍କୁ ସକାଳୁ ରାତ୍ର ପର୍ଯ୍ୟନ୍ତ କିପରି କଥାବାର୍ତ୍ତା ଓ ବ୍ୟବହାର କରୁଛ ? ସାଙ୍ଗମାନଙ୍କ ସହ ଆଲୋଚନା କର ।
ଅନୁସନ୍ଧାନ କରିବା
(କ) ପଠିତ ଏକାଙ୍କିକାରେ ସମ୍ପତ୍ତି, ଜମି, ତୋଟା, ପୋଖରୀ ଓ ଉଇଲ୍ ପ୍ରଭୃତି ଶବ୍ଦ ରହିଛି । ଏହି ଶବ୍ଦଗୁଡ଼ିକ ବିଷୟରେ ଅଧିକ ଜାଣିବା ପାଇଁ ତୁମେମାନେ ଶିକ୍ଷକ, ପାଠାଗାର ଓ ଇଣ୍ଟରନେଟ୍ର ସହାୟତା ନେଇପାରିବ ।
(ଖ) > ‘ମାଆଟି ମୋର କେତେ ନିଜର > ତା’ ପରି କେହି ନାହିଁ ।
କୋଳଟି ତା’ର ସରଗ ମୋର > ତା’ ସରି କେହି ନାହିଁ ।’
ଉପରୋକ୍ତ ପଦରୁ ମାଆର ମମତାକୁ ବୁଝି ନିଜ ଭାଷାରେ ଲେଖ ।
ମୋ' ବୋଉ
ଲୁହଟୋପେ ମୋର ଝରିଲେ ଆଖିରୁ ଯା' ଆଖିରୁ ଛୁଟେ ଲୁହର ନଈ, ବୁନ୍ଦେ ମାତ୍ର ଝାଳ ଖସିଲେ କପାଳୁ ତା' ଛାତିର କୋହ ହୁଏନି କହି । ପଣତ କାନିରେ ଝାଡ଼ିଦେଲେ ମୋତେ ସବୁ ଦୁଃଖ କଷ୍ଟ ଯାଏଟି ତୁଟି, ତାର ଆହାପଦ ସାହାହୁଏ ମୋତେ ଉଲୁସି ଯଦି ପଡ଼େ ମୁଁ ଝୁଣ୍ଟି । ନହକା ନହକା ଗୋଡ଼ରେ ତାହାର ଲତାପରି ଶିରା ଲଟେଇ ଥାଏ, ସାଉଣ୍ଟିବା ପାଇଁ ଅଣ୍ଟିଏ ଆହାର ନିତି ସେ କରମ ଗାଡ଼ିଟି ଗାଏ । ମୋ ପାଟିରେ ଦେଇ ମୁଠିକ ଆହାର ଗୀତ ବୋଲିବୋଲି ଶୁଆଏ ମୋତେ, ନିଜ ଭୋକ ଚାପି ଆପଣା ପେଟରେ କହେସେ ବଳୁଆ କରିବି ତୋତେ । ଦେହ ଦୁଃଖ ବେଳେ ସାଉଁଳିଆଏ ସେ ରୋଗ ଭୟକରେ ଦେଖିଲେ ସେବା, ମାଆ ସେବା ସତେ ଅମୃତ ସମାନ ସଂସାର ଭିତରେ ନଜାଣେ କେବା!
ବୋଉକୋଳ ମୋତେ କରିଦିଏ ଭୋଳ ଶୋଇଗଲେ ନିଦ ଆସଇ ମାଡ଼ି, ରାଇଜ ଯାକର ଯେତେ ଡରଭୟ ଚାହୁଁଚାହୁଁ ସବୁ ଯାଆନ୍ତି ଛାଡ଼ି ।
ଅଳି ହୋଇ ମୁଁ ନଟଖଟ କଲେ ହସଖେଳୁଥାଏ ମୁହଁରେ ତା'ର ସୁନାପିଲା ହୋଇ ଭାବୁଥାଏ ମୁଁ ବୋଉର ସିନେହ ସଂସାରେ ସାର ।
ସରଗର ଚାନ୍ଦ ତୋଳି ଆଣିବାକୁ ବଳେଇ ବଳେଇ କହିଲେ ମୁଁ, କହେ ବଡ଼ହେଲେ ଭଲପାଠ ପଢ଼ି ରକେଟରେ ଯିବୁ ଚନ୍ଦ୍ରମା ଭୂଇଁ ।
କୋଳେଇ କାଖେଇ ଦିଏ ସେ ମନେଇ ଖୁସିରେ ମୋ ମୁହଁ ଉଠଇ ଝଳି, ଦୁନିଆଁଟା ସାରା ଖୋଜି ବୁଲିଲେ ବି କହ କିଏ ଅଛି ତାଆରି ଭଳି !
କୋଟିନିଧି ଠାରୁ ବୋଉ ପଦ ବଡ଼ ସ୍ନେହ ମମତାର ନିଆରା ଛବି, ସେଇ ସ୍ନେହ ମୋତେ ଦେଖାଉଛି ପଥ ଦୁନିଆଁରେ ଭଲ ମଣିଷ ହେବି ।
★★★ (ସଂପାଦନାମଣ୍ଡଳୀ)