ମାତୃଭୂମି

ସ୍ୱଭାବ କବି ଗଙ୍ଗାଧର ମେହେର

ଯେ କାଳେ ବାଳକ ବୁଲି ଯାଇପାରେ ପଡ଼ୋଶୀମାନଙ୍କ ଘର, ସେ କାଳେ ଜାଣଇ ଅନ୍ୟ ଘରସବୁ ତା' ସଙ୍ଗା ବାଳକଙ୍କର ।

ପରେ ଯେତେବେଳେ ଆପଣା ପଡ଼ାରୁ ଅନ୍ୟ ପଡ଼ା ବୁଲିଯାଏ, ସେହି ସମୟରେ ପଡ଼ୋଶୀ ପଡ଼ାକୁ ଆପଣାର ମଣିଥାଏ ।

ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜ ଗ୍ରାମରୁ ହୋଇ ବାହାର, ସେ କାଳେ ଜାଣଇ ନିଜ ଘର ଯହିଁ ସେ ଗ୍ରାମ ଅଟେ ତାହାର ।

ଆପଣା ଗ୍ରାମର ନଦୀ ପୁଷ୍କରିଣୀ ବଗିଚା ଆଦି ସକଳ, ଆପଣାର ବୋଲି କହେ; ପୁଣି ସେହି- ସବୁକୁ ମଣଇ ଭଲ ।

ବଡ଼ ହୋଇ ଯେବେ କରି ଯାଇପାରେ ଅନ୍ୟ ରାଜ୍ୟେ ବିଚରଣ, ବଖାଣଇ ତହିଁ ନିଜ ରାଜା, ରାଜ୍ୟ- ଲୋକଙ୍କର ଶ୍ରେଷ୍ଠପଣ ।

ହାତୀ ଘୋଡ଼ାଠାରୁ ଛେଳି ମେଣ୍ଢାଯାଏ ସବୁ ତା' ରାଜ୍ୟର ଭଲ, ସକଳ ସୁଖର ଆକର ତାହାରି ରାଜ୍ୟଟି ଅଟେ କେବଳ ।

ତହୁଁ ବଡ଼ ହୋଇ ଯାଇଥାଏ ଯେବେ କେହି କେବେ ଦେଶାନ୍ତର, ସ୍ୱର୍ଗରୁ ଅଧିକ ବୋଲି ବୁଝେ ତେବେ ଯେଉଁ ଦେଶେ ତାର ଘର ।

ଜ୍ଞାନବଳେ ଯେବେ ଜାଣେ ସମସ୍ତଙ୍କ ଜନକ ଜଗତପତି, ସହୋଦର ଜ୍ଞାନ- କରେ ଅବନୀର ମାନବ-ସମାଜ ପ୍ରତି ।

ତେବେ ସେ ଜାଣଇ ଯେ କରଇ ଯେତେ ଲୋକଙ୍କର ଉପକାର, ବିଶ୍ୱପତିଙ୍କର ସେ ତେତେ ଯୋଗ୍ୟ କୁମାର ।

ଏହି ରୂପେ ଗ୍ରାମ- କଥା, ରାଜ୍ୟକଥା, ଦେଶକଥା, ବିଶ୍ଵକଥା ମାନବ-ଜୀବନେ ପ୍ରତୀତ ହେବାର ଦର୍ଶିତ ହୁଏ ସର୍ବଥା ।

ମାତୃଭୂମି ମାତୃ- ଭାଷାରେ ମମତା ଯା' ହୃଦେ ଜନମି ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ?


କବି ପରିଚୟ : ସ୍ୱଭାବକବି ଗଙ୍ଗାଧର ମେହେର ୧୮୬୨ ମସିହା ଅଗଷ୍ଟ ମାସ ୯ ତାରିଖ ଦିନ ଶ୍ରାବଣ ପୂର୍ଣ୍ଣିମା ତିଥିରେ ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଚୈତନ୍ୟ ମେହେର ଏବଂ ମାତାଙ୍କ ନାମ ସେବତୀ ଦେବୀ । ବ୍ୟକ୍ତିଗତ ଜୀବନରେ କବି ଥିଲେ ନୀତିବାଦୀ, ଆଦର୍ଶ ସଚେତନ ଓ ବଳିଷ୍ଠ ବ୍ୟକ୍ତିତ୍ୱର ଅଧିକାରୀ । କବିଙ୍କର କବିତାଗୁଡ଼ିକରେ ସତ୍ୟନିଷ୍ଠା, ଆଦର୍ଶାନୁରକ୍ତି ଓ ନିର୍ଭୀକତାର ପରିଚୟ ମିଳିଥାଏ । ସେ ପ୍ରକୃତି ସହିତ ଗଭୀର ଆନ୍ତରିକ ଭାବ ପ୍ରତିଷ୍ଠା କରି ପ୍ରକୃତିକୁ ଏକ ନୂତନ ରୂପ ପ୍ରଦାନ କରିଛନ୍ତି । ତାଙ୍କଦ୍ୱାରା ରଚିତ କାବ୍ୟ-କବିତାଗୁଡ଼ିକ ହେଉଛି- 'ଇନ୍ଦୁମତୀ', 'କୀଚକବଧ', 'ପ୍ରଣୟବଲ୍ଲରୀ', 'ତପସ୍ୱିନୀ', 'ଅର୍ଘ୍ୟଥାଳି', 'କବିତା କଲ୍ଲୋଳ' ଇତ୍ୟାଦି । 'ମାତୃଭୂମି' କବିତାଟି 'ଅର୍ଘ୍ୟଥାଳି' କବିତା ସଂକଳନରୁ ଆନୀତ । 'ମାତୃଭୂମି' କବିତାଟି ପ୍ରଥମେ 'ଉତ୍କଳ ସାହିତ୍ୟ' (୧୯୧୪, ଡିସେମ୍ବର) ପତ୍ରିକାରେ ପ୍ରକାଶ ଲାଭ କରିଥିଲା । କବିତାରେ କବି ମାତୃଭୂମି ଓ ମାତୃଭାଷା ପ୍ରତି ସଶ୍ରଦ୍ଧ ଦୃଷ୍ଟିପାତ କରିବାକୁ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି । ଏତଦ୍‌ବ୍ୟତୀତ ପାଶ୍ଚାତ୍ୟ ସଭ୍ୟତାର ବାହ୍ୟ ଚାକଚକ୍ୟରେ ଅନୁପ୍ରାଣିତ ହୋଇ ନିଜ ଜାତି ଓ ଭାଷାକୁ ହୀନ ମନେ କରୁଥିବା ବ୍ୟକ୍ତିମାନଙ୍କୁ ଦୃଢ଼ଭାବେ ନିନ୍ଦା କରିଛନ୍ତି । ଏହି ମହାନ ପ୍ରତିଭା ୧୯୨୪ ମସିହାରେ ଇହଲୀଳା ସମ୍ବରଣ କରିଥିଲେ ।


ପୁସ୍ତକ ସମାବେଶ : * 'ଅର୍ଘ୍ୟଥାଳି' * 'ତପସ୍ୱିନୀ' * 'ପ୍ରଣୟବଲ୍ଲରୀ' * 'କୀଚକ-ବଧ'


ପାଠ୍ୟ ଅନ୍ତର୍ଗତ ଆସ କବିତାଗୁଡ଼ିକୁ ଭଲ ଭାବରେ ପଢ଼ିବା, ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିବା ।

ମୋ ବୁଝିବାରେ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା (★) ଚିହ୍ନ ଦିଅ ।

(କ) (୧) ବାଳକଟି ନିଜ ରାଜ୍ୟଲୋକଙ୍କର ଶ୍ରେଷ୍ଠପଣ କେଉଁଠି କହିଥାଏ ?

  • (କ) ଅନ୍ୟ ଗ୍ରାମରେ - (ଖ) ଅନ୍ୟ ପଡ଼ାରେ - (ଗ) ଅନ୍ୟ ରାଜ୍ୟରେ - (ଘ) ଅନ୍ୟ ଦେଶରେ

(୨) ନିମ୍ନଲିଖିତ କେଉଁ ସ୍ଥାନକୁ ବାଳକଟି ସ୍ୱର୍ଗଠାରୁ ଅଧିକ ବୋଲି ମନେ କରିଥାଏ ?

  • (କ) ନିଜ ଗ୍ରାମ - (ଖ) ନିଜ ପଡ଼ା - (ଗ) ନିଜ ଦେଶ - (ଘ) ନିଜ ରାଜ୍ୟ

(୩) କବିତାଟି କେଉଁ ଭାବଧାରା ଉପରେ ଆଧାରିତ ?

  • (କ) ବିଶ୍ୱପ୍ରୀତି - (ଖ) ଦେଶପ୍ରୀତି - (ଗ) ଜନ୍ମଭୂମି ପ୍ରୀତି - (ଘ) ଜାତି ପ୍ରୀତି

(୪) କବିତାରେ ଅଜ୍ଞାନ ବୋଲି କେଉଁମାନଙ୍କୁ କୁହାଯାଇଛି ?

  • (କ) ମାତୃଭୂମି ପ୍ରତି ମମତା ଥିବା ବ୍ୟକ୍ତିଙ୍କୁ - (ଖ) ମାତୃଭୂମି ପ୍ରତି ମମତା ନଥିବା ବ୍ୟକ୍ତିଙ୍କୁ - (ଗ) ମାତୃଭୂମି ଓ ମାତୃଭାଷା ପ୍ରତି ମମତା ନଥିବା ବ୍ୟକ୍ତିଙ୍କୁ - (ଘ) ମାତୃଭାଷା ପ୍ରତି ମମତା ନଥିବା ବ୍ୟକ୍ତିଙ୍କୁ

(ଖ) ତୁମ ସାଙ୍ଗମାନେ ଉପରିଲିଖିତ ପ୍ରଶ୍ନର ଭିନ୍ନଭିନ୍ନ ଉତ୍ତର ବାଛି ଥାଇପାରନ୍ତି । ତୁମେ ଏହି ଉତ୍ତରଗୁଡ଼ିକ କାହିଁକି ବାଛିଲ, ତାହା ତୁମ ସାଙ୍ଗମାନଙ୍କ ସହିତ ଆଲୋଚନା କର ।


କବିତାର ପଦଗୁଡ଼ିକ ଆଲୋଚନା କର ନିମ୍ନରେ ଦିଆଯାଇଥିବା ପଦ୍ୟାଂଶକୁ ଭଲ ଭାବରେ ପଢ଼ିବା, ଚିନ୍ତା କରିବା ଏବଂ ସାଙ୍ଗମାନଙ୍କ ସହ ଆଲୋଚନା କରି ଲେଖିବା ।

(କ) 'ଆପଣା ଗ୍ରାମର ନଦୀ ପୁଷ୍କରିଣୀ ବଗିଚା ଆଦି ସକଳ, ଆପଣାର ବୋଲି କହେ; ପୁଣି ସେହି- ସବୁକୁ ମଣଇ ଭଲ ।'

(ଖ) 'ଜ୍ଞାନ ବଳେ ଯେବେ ଜାଣେ ସମସ୍ତଙ୍କ ଜନକ ଜଗତପତି, ସହୋଦର ଜ୍ଞାନ- କରେ ଅବନୀର ମାନବ-ସମାଜ ପ୍ରତି ।'

(ଗ) 'ମାତୃଭୂମି ମାତୃ- ଭାଷାରେ ମମତା ଯା' ହୃଦେ ଜନ୍ମି ନାହିଁ, ତାକୁ ଯେବେ ଜ୍ଞାନୀ- ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ?'


ମିଳିମିଶି ଯୋଡ଼ିବା କବିତାର କିଛି ପାଦ ବା ଧାଡ଼ି ‘କ’ ସ୍ତମ୍ଭରେ ଦିଆଯାଇଛି । ସେହି ପାଦ ବା ଧାଡ଼ିଗୁଡ଼ିକର ଠିକ୍ ଅର୍ଥ ‘ଖ’ ସ୍ତମ୍ଭରେ ଦିଆଯାଇଛି । ପାଦ ବା ଧାଡ଼ିଗୁଡ଼ିକର ଅର୍ଥ ରେଖା ଚିତ୍ର ଦ୍ୱାରା ଯୋଡ଼ ।

| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ | | :--- | :--- | | ୧. ‘ସ୍ୱର୍ଗରୁ ଅଧିକ ବୋଲି ବୁଝେ ତେବେ ଯେଉଁ ଦେଶେ ତା’ର ଘର ।’ | ୧. ଯାହା ହୃଦୟରେ ମାତୃଭୂମି ଓ ମାତୃଭାଷା ପ୍ରତି ମମତା ଜନ୍ମି ନାହିଁ । | | ୨. ‘ଜ୍ଞାନ ବଳେ ଯେବେ ଜାଣେ ସମସ୍ତଙ୍କ ଜନକ ଜଗତ ପତି ।’ | ୨. ତା’ ରାଜ୍ୟର ହାତୀ, ଘୋଡ଼ା, ଛେଳି ଓ ମେଣ୍ଢା ସଭିଏଁ ଭଲ ଅଟନ୍ତି । | | ୩. ‘ହାତୀ ଘୋଡ଼ାଠାରୁ ଛେଳି ମେଣ୍ଢାଯାଏ ସବୁ ତା’ ରାଜ୍ୟରେ ଭଲ ।’ | ୩. ସେ ଯେତେବେଳେ ନିଜ ଜ୍ଞାନ ବଳରେ ଜାଣେ ଜଗତପତି ସମସ୍ତଙ୍କ ପିତା ଅଟନ୍ତି । | | ୪. ‘ମାତୃଭୂମି ମାତୃ ଭାଷାରେ ମମତା ଯା’ ହୃଦେ ଜନ୍ମି ନାହିଁ ।’ | ୪. ନିଜର ଜନ୍ମସ୍ଥାନକୁ ସ୍ୱର୍ଗଠାରୁ ଅଧିକ ବୋଲି ଭାବିଥାଏ । |


ମାତୃଭୂମି ପ୍ରତି ମମତା ଏହି କବିତାରେ ବାଳକଟିର ହୃଦୟରେ ମାତୃଭୂମି ପ୍ରତି ଭଲପାଇବା ସୃଷ୍ଟି ହେବା ସହିତ “ବସୁଧୈବ କୁଟୁମ୍ବକମ୍” ଭାବନାର ଉଦ୍ରେକ କରାଯାଇଛି । ବିଶ୍ୱକୁ ଭଲ ପାଇବା ପାଇଁ କେଉଁ ଗୁଣର ଆବଶ୍ୟକତା ରହିଛି? ତୁମେ ପଠିତ କବିତାରୁ କାହିଁକି ଏହି ଗୁଣଗୁଡ଼ିକୁ ଗ୍ରହଣ କଲ, ପ୍ରଥମେ ଗୁଣଗୁଡ଼ିକ ସହିତ ରେଖାଚିତ୍ର ଦ୍ୱାରା ଯୋଡ଼ ଏବଂ ସାଙ୍ଗମାନଙ୍କ ସହିତ ଆଲୋଚନା କର। ପ୍ରତ୍ୟେକ ଭାବନାକୁ ଗୋଟିଏ ଗୋଟିଏ ବାକ୍ୟରେ ଲେଖ।

ଗୁଣଗୁଡ଼ିକ : * ଅନ୍ୟର ଉପକାର * ମା, ମାଟି ଓ ମାତୃଭାଷାର ଜୟଗାନ * ପରକୁ ଆପଣାର ମଣିବା * ମାତୃଭୂମି ଓ ମାତୃଭାଷା ପ୍ରତି ମମତା * ଶ୍ରେଷ୍ଠ ପଣର ବନ୍ଦନା * ବିଶ୍ୱ ଭ୍ରାତୃତ୍ୱ ଭାବନା * ପରମେଶ୍ୱର ହିଁ ଜଗତର ପିତା * ସମଗ୍ର ବସୁଧାକୁ ପରିବାର ବୋଲି ଭାବିବା


ଭାବିଚିନ୍ତି ଲେଖ କବିତାଟିକୁ ଭଲଭାବେ ପଢ଼, ବୁଝ ଓ ନିମ୍ନରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।

  • (କ) ବାଳକଟି ପଡ଼ୋଶୀ ପଡ଼ାକୁ କେତେବେଳେ ଆପଣାର ମଣିଥାଏ ?
  • (ଖ) ନିଜ ଗ୍ରାମର କେଉଁ ପରିବେଶକୁ ବାଳକଟି ଭଲପାଇ ଥାଏ ?
  • (ଗ) ବାଳକଟି କାହାକୁ ସକଳ ସୁଖର ଆକର ବୋଲି ମନେ କରିଛି ?
  • (ଘ) ସ୍ୱର୍ଗଠାରୁ ଅଧିକ ସୁଖକର ବୋଲି କେଉଁ ସ୍ଥାନକୁ କୁହାଯାଇଛି ?
  • (ଙ) ବିଶ୍ୱର ପିତା ବୋଲି କବିତାରେ କାହାକୁ କୁହାଯାଇଛି ?
  • (ଚ) ସହୋଦର ଜ୍ଞାନ ବଳରେ ବାଳକଟି କେଉଁ ଶିକ୍ଷା ଗ୍ରହଣ କରିଥାଏ ?
  • (ଛ) ଅଜ୍ଞାନ କାହାକୁ କୁହାଯାଏ ?

ଅନୁମାନ ଓ କଳ୍ପନା ସାଙ୍ଗମାନଙ୍କ ସହ ଆଲୋଚନା କର ।

  • (କ) ତୁମ ମାତୃଭୂମିକୁ ତୁମେ ଭଲ ପାଇବାକୁ ହେଲେ, ତୁମର କେଉଁ ଗୁଣଗୁଡ଼ିକୁ ବଦଳାଇବା ଦରକାର ?
  • (ଖ) ଯଦି ତୁମକୁ ସମ୍ପୂର୍ଣ୍ଣ ନିଜ ଦେଶକୁ ବୁଲିବାର ସୁଯୋଗ ଦିଆଯାଏ, ତେବେ ତୁମେ କେଉଁ ସ୍ଥାନକୁ ଅଧିକ ଭଲ ପାଇବ ? ଭଲ ପାଇବାର କାରଣଗୁଡ଼ିକ ଲେଖ ।
  • (ଗ) ଏହି କବିତାଟି ପଢ଼ିବା ପରେ ନିଜ ମାତୃଭୂମି ସମ୍ପର୍କରେ କ'ଣ ଅନୁଭବ କରୁଛ, ତାକୁ ନେଇ ଏକ ଅନୁଚ୍ଛେଦ ଲେଖ ।
  • (ଘ) ବିଶ୍ୱକୁ ଭଲପାଇବା ପାଇଁ କେଉଁ ଗୁଣଗୁଡ଼ିକର ଆବଶ୍ୟକତା ରହିଛି ?
  • (ଙ) ଯଦି ତୁମକୁ ଏହି କବିତାର ମୁଖ୍ୟ ବିଷୟବସ୍ତୁକୁ ନେଇ ପୋଷ୍ଟର ତିଆରି କରିବାକୁ ହୁଏ, ତେବେ ତୁମେ କେଉଁ ପ୍ରତୀକ, ପ୍ରତିଛବି ଏବଂ ଶବ୍ଦ ବ୍ୟବହାର କରିବ ? ସଂକ୍ଷେପରେ ବୁଝାଅ ।

ରେଖାଦ୍ୱାରା ଶବ୍ଦ ସହ ଶବ୍ଦ ଯୋଡ଼ ନିମ୍ନରେ ଥିବା ଶବ୍ଦର ସମାର୍ଥବୋଧକ ଶବ୍ଦକୁ ଖାଲି ସ୍ଥାନରେ ଲେଖ ଓ ଯୋଡ଼ ।

  • କେନ୍ଦ୍ର ଶବ୍ଦ: ଅବନୀ

ସର୍ଜନଶୀଳତା * (କ) କବିତାଟିରେ ନିଜ ଘରଠାରୁ ବିଶ୍ୱ ପର୍ଯ୍ୟନ୍ତ ଦର୍ଶାଯାଇଛି । ନିଜସ୍ୱ ଶୈଳୀରେ ଏହି କ୍ରମକୁ ଏକ ରେଖାଚିତ୍ର ମାଧ୍ୟମରେ କିମ୍ବା ମାନସିକ ମାନଚିତ୍ର ମାଧ୍ୟମରେ ଦେଖାଅ । ପ୍ରତ୍ୟେକ ସ୍ତରର କିଛି ବୈଶିଷ୍ଟ୍ୟ ଲେଖ ।

  • (ଖ) ଏହି କବିତାଟିକୁ ଆଧାର କରି ଗୋଟିଏ କାହାଣୀ ଲେଖିବାକୁ ଚେଷ୍ଟା କର ।
  • (ଗ) କବିତାଟିକୁ ଭଲ ଭାବରେ ପଢ଼ । ଯଦି ତୁମକୁ ମାତୃଭୂମିକୁ ଭଲ ପାଇବା ପାଇଁ ଗୋଟିଏ ପଦ ରଚନା କରିବାକୁ କୁହାଯାଏ, ତେବେ ତୁମେ ଗୋଟିଏ ନୂତନ ପଦ ଲେଖ ।

କବିତା ରଚନା ‘ଯେ କାଳେ ବାଳକ ବୁଲିଯାଇ ପାରେ ପଡ଼ୋଶୀମାନଙ୍କ ଘର, ସେ କାଳେ ଜାଣଇ, ଅନ୍ୟ ଘର ସବୁ ତା’ ସଙ୍ଗା ବାଳକଙ୍କର।’

  • (କ) ଉପରିଲିଖିତ କବିତାଂଶଟିରେ ଦିଆଯାଇଥିବା “ ” କୁ ଉଦ୍ଧୃତି ଚିହ୍ନ କୁହାଯାଏ। ଏହା ଏକ ବିରାମ ଚିହ୍ନ। ଯାହା ଜଣକର ଉକ୍ତିକୁ ପରିପ୍ରକାଶ କରିବା ନିମନ୍ତେ ବ୍ୟବହାର କରାଯାଇଥାଏ।
  • (ଖ) ପୁଣି ସେଇ କବିତାଂଶଟି ପଢ଼ । କବିତାଟି ଯେଉଁ ଶୈଳୀରେ ଲେଖାଯାଇଛି, ତାର ଦୁଇଟି ପାଦର ଅକ୍ଷର ସଂଖ୍ୟାକୁ ଲକ୍ଷ୍ୟ କର । ତୁମେ ତୁମ ସାଙ୍ଗମାନଙ୍କ ସହିତ ଆଲୋଚନା କରି ନିଜେ ଗୋଟିଏ ପଦ ରଚନା କର ।
  • (ଗ) ନିମ୍ନରେ ଗୋଟିଏ ଧାଡ଼ିରେ କବିତାର ଏକ ଅଂଶ ଦିଆଯାଇଛି ଏବଂ ଅନ୍ୟ ଧାଡ଼ିରେ କବିତାଂଶର ବୈଶିଷ୍ଟ୍ୟ ଦିଆଯାଇଅଛି । କବିତାଂଶ ଏବଂ ଉପଯୁକ୍ତ ବୈଶିଷ୍ଟ୍ୟକୁ ଠିକ୍ ରୂପେ ଯୋଡ଼ ।

| କବିତାର ପଦ୍ୟାଂଶ | କବିତାଂଶର ବୈଶିଷ୍ଟ୍ୟ | | :--- | :--- | | (କ) ସ୍ୱର୍ଗରୁ ଅଧିକ ବୋଲି ବୁଝେ ତେବେ ଯେଉଁ ଦେଶେ ତା’ର ଘର, | (କ) ଅନ୍ୟ ଲୋକଙ୍କ ଉପକାର ହିଁ ମହତ କାର୍ଯ୍ୟ। | | (ଖ) ଆପଣାର ବୋଲି କହେ; ପୁଣି ସେହି ସବୁକୁ ମଣଇ ଭଲ । | (ଖ) ନିଜ ରାଜ୍ୟ ହିଁ ସର୍ବ ସୁଖର ଆଧାର। | | (ଗ) ସକଳ ସୁଖର ଆକର ତାହାରି ରାଜ୍ୟଟି ଅଟେ କେବଳ, | (ଗ) ନିଜ ଜନ୍ମଭୂମିର ସମସ୍ତ ପ୍ରାକୃତିକ ପରିବେଶକୁ ଆପଣାର ମଣିଥାଏ। | | (ଘ) ତେବେ ସେ ଜାଣଇ, ଯେ କରଇ ଯେତେ ଲୋକଙ୍କର ଉପକାର, | (ଘ) ନିଜ ଦେଶକୁ ସ୍ୱର୍ଗଠାରୁ ଅଧିକ ଭଲପାଇବା। |


କବିତାର ସୌନ୍ଦର୍ଯ୍ୟ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ବନ୍ଧୁମାନଙ୍କ ସହ ମିଶି କବିତାରୁ ଖୋଜ। ଏହା କବିତାକୁ ଉପଭୋଗ କରିବାରେ ସାହାଯ୍ୟ କରୁଛି।

  • (କ) ମାତୃଭୂମିକୁ ଭଲ ପାଇବାର ବିଭିନ୍ନ ଉପାୟ କବିତାରେ ପ୍ରକାଶ କରାଯାଇଛି, ସେଗୁଡ଼ିକୁ ଚିହ୍ନଟ କର।
  • (ଖ) କେଉଁମାନଙ୍କୁ ପ୍ରକୃତ ଜ୍ଞାନୀ ବୋଲି କବିତାରେ କୁହାଯାଇଛି ?
  • (ଗ) ବାଳକଟି ନିଜ ଗ୍ରାମର କେଉଁ ପରିବେଶକୁ ଭଲ ପାଇଥାଏ ? କବିତାଂଶ ଆଧାରରେ ଚିହ୍ନାଇ ଦିଅ।
  • (ଘ) ‘ଯେ କାଳେ ବାଳକ ବୁଲିଯାଇପାରେ ପଡ଼ୋଶୀମାନଙ୍କ ଘର’ ‘ବଡ଼ ହୋଇ ଯେବେ କରିଯାଇପାରେ ଅନ୍ୟ ରାଜ୍ୟେ ବିଚରଣ।’ କବିତାର ପାଦରେ ଥିବା କ୍ରିୟାଗୁଡ଼ିକ ‘ବାଳକ’ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଛି। ତୁମେ ତୁମ ଅନୁସାରେ ନୂଆ କ୍ରିୟା ପ୍ରୟୋଗ କରି କବିତା ରଚନା କର।

ତୁମର ଶବ୍ଦ ଜ୍ଞାନବଳେ ଯେବେ ଜାଣେ ସମସ୍ତଙ୍କ ଜନକ ଜଗତ ପତି, ସହୋଦର ଜ୍ଞାନ- କରେ ଅବନୀର ମାନବ-ସମାଜ ପ୍ରତି ।

ତୁମେ ‘ପରମେଶ୍ୱର’ ଶବ୍ଦଟି ନିଶ୍ଚୟ ଶୁଣିଛ ଏବଂ ପଢ଼ିଛ। କିନ୍ତୁ କବିତାରେ ‘ଜଗତପତି’ ଭଳି ଶବ୍ଦ ବ୍ୟବହାର କରାଯାଇଛି। ଏହି ଶବ୍ଦଟି ଦୁଇଟି ଶବ୍ଦକୁ ନେଇ ଗଠିତ। ଯଥା- ଜଗତ ଓ ପତି। ତୁମେ ବନ୍ଧୁମାନଙ୍କ ସହ ମିଶି ଏହିପରି ଶବ୍ଦ ସହ ଶବ୍ଦ ଯୋଡ଼ି ନୂଆ ଶବ୍ଦ ତିଆରି କର।


ତୁମର ପ୍ରଶ୍ନ ‘ଏହି ରୂପେ ଗ୍ରାମ- କଥା, ରାଜ୍ୟକଥା, ଦେଶକଥା, ବିଶ୍ଵକଥା ମାନବ- ଜୀବନରେ ପ୍ରତୀତ ହେବାର ଦର୍ଶିତ ହୁଏ ସର୍ବଥା।’ ଉପରିଲିଖିତ ପଦଟିରେ ବର୍ଣ୍ଣିତ ଗ୍ରାମ, ରାଜ୍ୟ, ଦେଶ ଏବଂ ବିଶ୍ଵକଥାକୁ ଜାଣିବା ପାଇଁ ଅନେକ ପ୍ରଶ୍ନ ତୁମ ମନରେ ଆସୁଥିବ ? ବନ୍ଧୁମାନଙ୍କ ସହ ମିଶି ଏହି ପ୍ରଶ୍ନଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର । ତୁମର ଶିକ୍ଷକ, ଇଣ୍ଟରନେଟ୍ ଓ ପାଠାଗାରର ସାହାଯ୍ୟ ନେଇ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବାକୁ ଚେଷ୍ଟା କର ।


ବିଶେଷ୍ୟ ଓ ବିଶେଷଣ ସକଳ ସୁଖର... କବିତାଂଶର ରେଖାଙ୍କିତ ପଦଟି ବିଶେଷଣ ପଦ । ନିମ୍ନରେ ଥିବା ସାରଣୀର ପ୍ରଥମ ଭାଗରେ କିଛି ବାକ୍ୟାଂଶ ଦିଆଯାଇଛି, ସେଥିରୁ ବିଶେଷ୍ୟ ଓ ବିଶେଷଣ ଚିହ୍ନଟ କରି ଖାଲି ଘରେ ଲେଖ ।

| ବାକ୍ୟାଂଶ | ବିଶେଷଣ | ବିଶେଷ୍ୟ | | :--- | :--- | :--- | | ବୁଢ଼ାଲୋକ | | | | ପଣ୍ଡିତ ବ୍ୟକ୍ତି | | | | ମିଠା ଫଳ | | | | ଦଦରା ନାବ | | | | ତିନି ଟଙ୍କା | | | | ସୁନ୍ଦର ଉଦ୍ୟାନ | | | | ଅଷ୍ଟମ ଶ୍ରେଣୀ | | | | ଲାଲ ଗୋଲାପ | | | | ବସ୍ତାଏ ଚାଉଳ | | |


ପାଠ୍ୟ ବହିର୍ଭୂତ #### ତୁମ କଥା * (କ) ଏପରି ଏକ ପରିସ୍ଥିତି କୁହ ଯେଉଁଥିପାଇଁ ମାତୃଭୂମି ପ୍ରତି ତୁମର ଭଲ ପାଇବା ଜଣା ହେବାର ଅନୁଭବ କରିଥିବ ?

  • (ଖ) ତୁମ ପରିବାର, ବିଦ୍ୟାଳୟ କିମ୍ବା ଅଞ୍ଚଳରେ ମାତୃଭୂମି ପ୍ରତି କିପରି ଭଲ ପାଇବା ବୃଦ୍ଧି ହୋଇପାରିବ, ଆଲୋଚନା କରି ଲେଖ ।
  • (ଗ) ‘ବିଶ୍ୱ ମଧ୍ୟେ ମୋ ମାତୃଭୂମି ସବୁଠୁ ବଡ଼’ – ଏହି ପଂକ୍ତିଟିକୁ ପଢ଼ିବା ପରେ ତୁମ ମନରେ କେଉଁ ଭାବ ଜାଗ୍ରତ ହେଉଛି ? ତୁମେ ତୁମର ମାତୃଭୂମିର ସୁରକ୍ଷା ନିମନ୍ତେ କେଉଁ କାର୍ଯ୍ୟ କରିପାରିବ ଲେଖ ।
  • (ଘ) ପଠିତ କବିତାଟି ମାତୃଭୂମି ଓ ମାତୃଭାଷା ପ୍ରତି ଭଲ ପାଇବାର ସୂଚନା ପ୍ରଦାନ କରିଥାଏ । ତୁମେ ତୁମର କେଉଁ ଭାବନାଗୁଡ଼ିକୁ ସୁଦୃଢ଼ କଲେ ମାତୃଭୂମି ଓ ମାତୃଭାଷା ପ୍ରତି ଅଧିକ ଭଲ ପାଇବା ସୃଷ୍ଟି ହେବ, ଲେଖ ।
  • (ଙ) ତୁମ ଅଞ୍ଚଳରେ କେଉଁ ପ୍ରାକୃତିକ ପରିବେଶ ତୁମକୁ ଅଧିକ ଆପଣାର ମନେ ହୋଇଥାଏ, ତାହାର ଏକ ତାଲିକା ପ୍ରସ୍ତୁତ କର ।

ବିବିଧତା ମଧ୍ୟରେ ଏକତା ଜନ୍ମ ମାଟିରୁ ବିଶ୍ୱ ପର୍ଯ୍ୟନ୍ତ ସମସ୍ତେ ଏକ ଓ ଅଭିନ୍ନ । ଯିଏ ଯେଉଁଠାରେ ଥିଲେ ମଧ୍ୟ ନିଜ ମାତୃଭୂମି ଓ ମାତୃଭାଷା ପ୍ରତି ଅଧିକ ଅନୁରକ୍ତ ହୋଇଥାନ୍ତି । ମାତୃଭୂମି ଓ ମାତୃଭାଷାର ମହତ୍ତ୍ୱ ସଂପର୍କରେ ନିଜ ଶ୍ରେଣୀ ଗୃହରେ ଆଲୋଚନା କର । ଏଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସାହାଯ୍ୟ ନିଅ ।


ଆଜିର ପ୍ରହେଳିକା / ପହଳି କେଉଁ ଅନ୍ତରୀକ୍ଷ ଯାନ କେଉଁ ଗ୍ରହକୁ ଯିବ ଖୋଜ (କ) (ଖ) (ଗ) (ଘ) (୧) (୨) (୩) (୪)


ପଠନ ନିମନ୍ତେ ## ଗୋ ମାହାତ୍ମ୍ୟ ଗୋପବନ୍ଧୁ ଦାସ

| କ’ ସ୍ତମ୍ଭ | ଖ’ ସ୍ତମ୍ଭ | | :--- | :--- | | ଗୋ-ଗୁଣ ଶ୍ରବଣ କୀର୍ତ୍ତନ | । ଧେନୁ ଦର୍ଶନ ଧେନୁ ଦାନ ॥ | | ଅଟଇ ସର୍ବ ଶୁଭ ପ୍ରଦ | । ଖଣ୍ଡଇ ଦୂରିତ ବିପଦ ॥ | | ଲକ୍ଷ୍ମୀ ମିଳଇ ଗୋସେବନେ | । ନ ପଡ଼େ ପାପ କଥା ମନେ ॥ | | ଗୋ-ଜାତି ହେଲେ ସୁପ୍ରସନ୍ନ | । ଲୋକଙ୍କୁ ମିଳେ ସୁଖେ ଅନ୍ନ ॥ | | ଗୋ-ଜାତି ଯଜ୍ଞରେ ପ୍ରଧାନ | । କରନ୍ତି ଯେଣୁ ହବି ଦାନ ॥ | | ସ୍ୱାହା ସ୍ୱଧାଦି ବଷଟ୍‌କାର | । ଯଜ୍ଞର ଯେତେ ଉପଚାର ॥ | | ଗୋ-ଜାତି ତହୁଁ ହୁଏ ଲାଭ | । ଅଶେଷ ଗୋ-ଜାତି ପ୍ରଭାବ ॥ | | ଗୋରୁ ବହନ୍ତି ଦିବ୍ୟରସ | । ଦେବେ ହୁଅନ୍ତି ଯହିଁ ବଶ ॥ | | ଗୋ-ତନୁଁ କ୍ଷରେ କ୍ଷୀରଧାର | । ବିଶୁଦ୍ଧ ଅମୃତ ଆହାର ॥ | | ଗୋ-ଜାତି ସର୍ବ ଲୋକମାତା | । ଦେବତା ମାନବେ ବନ୍ଦିତା ॥ | | ଗୋ-ଜାତି ନିଜ ତନୁ ତେଜେ | । ଅନଳ ସମାନ ବିରାଜେ ॥ | | ଯହିଁ ଗୋକୁଳ କରେ ବାସ | । ନିର୍ଭୟେ ମାରଇ ନିଶ୍ୱାସ ॥ | | ଅତି ପବିତ୍ର ସେହି ସ୍ଥାନ | । ହରଇ ଜନ ପାପମାନ ॥ | | ଆଦରେ ପୂଜିଲେ ଗୋଜାତି | । ପାଏ ମାନବ ସ୍ୱର୍ଗ ଗତି ॥ | | ପୂରଇ ସକଳ କାମନା | । କଲେ ଗୋ-ପାଳନ ଅର୍ଚ୍ଚନା ॥ | | × × | × | | କୋଟି ସୁବର୍ଣ୍ଣ ରାଜ୍ୟଧନ | । ନୁହଇ କିଛି ଗୋ-ସମାନ ॥ | | ଗୋରୁ ଦେବତା ବୋଲି ଜାଣି | । ପୂଜନ୍ତି ଗୃହେ-ଗୃହେ ପ୍ରାଣୀ ॥ | | × × | × | | ସହି ବରଷା ଖରା ଶୀତ | । ଗୋରୁ ସାଧନ୍ତି ଲୋକହିତ ॥ | | କର୍ମ କରନ୍ତି ଦିନ ରାତି | । ଜଗତ ହିତେ ଗୋରୁ ଜାତି ॥ ॥ | | କାହିଁ ବା କେବେହେଁ ଗୋ-ଗଣ | । ନ କହେ ଆପଣା କଷଣ ॥ | | ଭୋଗନ୍ତି ଯେତେ ଦୁଃଖ ରାଶି | । ସହନ୍ତି ଯେସନେ ଉଦାସୀ ॥ | | ତେଣୁ ଗୋ ବ୍ରହ୍ମଜ୍ଞାନୀ ପ୍ରାୟେ | । ଅନ୍ତେ ପରମ ପଦପାଏ ॥ | | × × × | × × × | | ଗୋ-ବିଦ୍ୟା-ଭୂମି ତିନିଦାନ | । ଫଳରେ ଅଟନ୍ତି ସମାନ ॥ | | ଗୋରୁ ସକଳ ଭୂତମାତା | । ସକଳ ଜନ ହିତ ଦାତା ॥ | | × × × | × × × | | ଗୋ-ସ୍ଥାନ ଦେବସ୍ଥଳୀ ସମ | । ଗୋ-ଜାତି ଦେବତା ପ୍ରତିମ ॥ | | × × × | × × × | | ଗୋ-ଜାତି ସର୍ବ ସୁଖାଳୟ | । ଗୋ-ଜାତି ସର୍ବ ଶୁଭମୟ ॥ | | ଗୋ-ଜାତି ଲୋକ ପିତାମାତା | । ଗୋ-ଜାତି ଶକ୍ତି ମୁକ୍ତିଦାତା ॥ | | ଗୋ-ଜାତି ଦେବଗଣ ପରେ | । ଏ ତତ୍ତ୍ୱ ହେତୁ କର ନରେ ॥ | | ଗୋ-ସେବା କର ଘରେ ଘରେ | । ଗୋ-ହିତ ବିଚାର ମନରେ ॥ | | ଗୋ-ରକ୍ଷା କର ଗ୍ରାମେ ଗ୍ରାମେ | । ହାଟେ ନଗରେ ପୁଣ୍ୟ ଧାମେ ॥ | | × × × | × × × | | ଗୋ-ଲୋକ ନାଥ ବାଞ୍ଛାନିଧି | । କରନ୍ତୁ ସର୍ବ ବାଞ୍ଛାସିଦ୍ଧି ॥ |