‘ମାତୃଭୂମି’ କବିତାଟି ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ରଚିତ କବିତା ସଂକଳନ ‘ଅର୍ଘ୍ୟଥାଳି’ରୁ ଆନୀତ। ଏହି କବିତାରେ କବି ମାନବ ମନରେ ସ୍ୱଦେଶ ପ୍ରୀତି ତଥା ମାତୃଭୂମି ଓ ମାତୃଭାଷା ପ୍ରତି ମମତା କିପରି କ୍ରମଶଃ ବିକଶିତ ହୁଏ, ତାହାର ଏକ ସୁନ୍ଦର ଚିତ୍ର ପ୍ରଦାନ କରିଛନ୍ତି। ଶୈଶବରେ ଶିଶୁଟିଏ ପଡ଼ୋଶୀ ଘରକୁ ବୁଲିଯିବା ବେଳେ ସେହି ଘରଗୁଡ଼ିକୁ ତା’ ସାଙ୍ଗମାନଙ୍କର ବୋଲି ଜାଣେ। ପରେ ଅନ୍ୟ ପଡ଼ାକୁ ଗଲାବେଳେ ପଡ଼ୋଶୀ ପଡ଼ାକୁ ଏବଂ ନିଜ ଗାଁ ଛାଡ଼ି ବାହାରକୁ ଗଲାବେଳେ ନିଜ ଗାଁକୁ ଆପଣାର ମନେକରେ। ନିଜ ଗ୍ରାମର ନଦୀ, ପୋଖରୀ ଓ ବଗିଚା ତାହାକୁ ସବୁଠାରୁ ପ୍ରିୟ ଲାଗେ।
ବାଳକଟି ବଡ଼ ହୋଇ ଅନ୍ୟ ରାଜ୍ୟକୁ ଯିବାବେଳେ ନିଜ ରାଜା, ରାଜ୍ୟବାସୀ ଓ ନିଜ ରାଜ୍ୟର ସବୁକିଛିକୁ ଶ୍ରେଷ୍ଠ ବୋଲି ପ୍ରକାଶ କରେ ଏବଂ ତାହାକୁ ସମସ୍ତ ସୁଖର ଉତ୍ସ ବୋଲି ଭାବେ। ଦେଶାନ୍ତର ବା ବିଦେଶ ଭ୍ରମଣ କଲାପରେ ସେ ଅନୁଭବ କରେ ଯେ ନିଜ ଦେଶ ସ୍ୱର୍ଗଠାରୁ ମଧ୍ୟ ଅଧିକ ଶ୍ରେଷ୍ଠ। ମନୁଷ୍ୟ ଜ୍ଞାନବାନ୍ ହେବା ପରେ ବୁଝିପାରେ ଯେ ଏ ସମଗ୍ର ସୃଷ୍ଟିର ପିତା ହେଉଛନ୍ତି ଜଗତପତି ବା ପରମେଶ୍ୱର। ଏହି ଉଦାର ଜ୍ଞାନ ବଳରେ ସେ ପୃଥିବୀର ସମସ୍ତ ମାନବ ସମାଜକୁ ନିଜର ଭାଇ ବୋଲି ମନେକରେ। ଯେଉଁ ବ୍ୟକ୍ତି ଜଗତର ଲୋକଙ୍କର ଯେତେ ଅଧିକ ଉପକାର କରେ, ସେ ଈଶ୍ୱରଙ୍କର ସେତେ ପ୍ରକୃତ ଓ ଯୋଗ୍ୟ ସନ୍ତାନ ଅଟେ।
ଏହିପରି ଭାବରେ ମଣିଷର ଭଲପାଇବା ନିଜ ଘର, ଗ୍ରାମ, ରାଜ୍ୟ ଓ ଦେଶରୁ ପରିବ୍ୟାପ୍ତ ହୋଇ ସମଗ୍ର ବିଶ୍ୱ ପର୍ଯ୍ୟନ୍ତ ବିସ୍ତାର ଲାଭ କରେ। ଶେଷରେ କବି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେଉଁ ବ୍ୟକ୍ତିର ହୃଦୟରେ ମାତୃଭୂମି ଓ ମାତୃଭାଷା ପ୍ରତି ସ୍ନେହ ବା ମମତା ନାହିଁ, ତାକୁ କଦାପି ଜ୍ଞାନୀ କୁହାଯାଇପାରିବ ନାହିଁ; ସେ ପ୍ରକୃତରେ ଅଜ୍ଞାନ। ତେଣୁ ନିଜ ମାତୃଭୂମି ଓ ମାତୃଭାଷାକୁ ଭଲପାଇବା ସଙ୍ଗେ ସଙ୍ଗେ ବିଶ୍ୱ ଭ୍ରାତୃତ୍ୱ ଭାବନା ପୋଷଣ କରିବା ମଣିଷର ପରମ କର୍ତ୍ତବ୍ୟ।