ସ୍ୱାସ୍ଥ୍ୟ ହିଁ ସମ୍ପଦ
ତୃତୀୟ ଅଧ୍ୟାୟ
ଅନୁସନ୍ଧାନ ଓ ଚିନ୍ତନ
- ସାଧାରଣ ଥଣ୍ଡା ଭଳି ସଂକ୍ରମଣ ପ୍ରତି ତୁମ ଶରୀର କିପରି ପ୍ରତିକ୍ରିୟା କରେ ?
- ଆଜିକାଲି ଆମେ ଦେଖୁ ବସନ୍ତ କିମ୍ବା ପୋଲିଓ ଭଳି ରୋଗ କମ୍ ବ୍ୟାପୁଛି, କିନ୍ତୁ ମଧୁମେହ ଓ ହୃଦ୍ ସମସ୍ୟା ସାଧାରଣତଃ ଅଧିକ ସଂଖ୍ୟାରେ ହେଉଛି କାହିଁକି ?
- ଜଳବାୟୁ ପରିବର୍ତ୍ତନ ଯୋଗୁଁ ନୂତନ ପ୍ରକାରର ରୋଗ ସୃଷ୍ଟି ହୋଇପାରେ କି ?
- ମାନସିକ ଚାପ କିମ୍ବା ଚିନ୍ତା ଆମକୁ କିପରି ପ୍ରଭାବିତ କରେ ଏବଂ ଏହା ଆମକୁ ଅସୁସ୍ଥ କରିଥାଏ କି ?
- ରୋଗ ବ୍ୟାପିବା ସମୟରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ କାହିଁକି ଅନ୍ୟମାନଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି ? ତୁମର ପ୍ରଶ୍ନଗୁଡ଼ିକ ଲେଖ।
ଜିଜ୍ଞାସା — ___ ?
୩.୧. ସ୍ୱାସ୍ଥ୍ୟ କ'ଣ କେବଳ ରୋଗରେ ନ ପଡ଼ିବାକୁ ବୁଝାଏ ?
ପ୍ରାଚୀର ପତ୍ରରେ ସନ୍ନିବେଶିତ ବିଭିନ୍ନ ଖବରକାଗଜରେ ପ୍ରକାଶିତ ସ୍ୱାସ୍ଥ୍ୟ ସମ୍ପର୍କିତ ସମ୍ବାଦ ଉକ୍ତି ଆମ ଦେଶର ଲୋକମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧରେ କି ସୂଚନା ପ୍ରଦାନ କରୁଛି ? ରୋଗ ନ ହେବା ଅର୍ଥ କ'ଣ ସ୍ୱାସ୍ଥ୍ୟ ! ବାସ୍ତବିକ ସ୍ୱାସ୍ଥ୍ୟ କହିଲେ ଶାରୀରିକ ଭାବରେ ଠିକ୍ ଅନୁଭବ କରିବା, ସକାରାତ୍ମକ ରହିବା ଏବଂ ଅନ୍ୟମାନଙ୍କ ସହ ଦୃଢ଼ ସମ୍ପର୍କ ରଖିବା ମଧ୍ୟ ଅନ୍ତର୍ଭୁକ୍ତ। ଜଣେ ସୁସ୍ଥ ବ୍ୟକ୍ତି ନିଜ ଶରୀରର ଯତ୍ନ ନିଏ, ଏକ ସକାରାତ୍ମକ ମାନସିକତା ବଜାୟ ରଖେ ଏବଂ ସାମାଜିକ ଜୀବନକୁ ଉପଭୋଗ କରେ। ଏବେ ଆସ ଅନୁସନ୍ଧାନ କରିବା ସୁସ୍ଥ ରହିବାର ପ୍ରକୃତ ଅର୍ଥ କ'ଣ ?
କାର୍ଯ୍ୟ ୩.୧ : ଆସ ପଢ଼ିବା
ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଅନ୍ୟ ଏକ ସହରର ନୂତନ ସ୍କୁଲକୁ ସ୍ଥାନାନ୍ତରିତ ହୋଇଥିଲା। ତା'ର ନୂତନ ପରିବେଶରେ କୌଣସି ବନ୍ଧୁ ନଥିଲେ ଏବଂ ପିତାମାତା ସର୍ବଦା ବ୍ୟସ୍ତ ରହୁଥିବାରୁ ସେ ଏକୁଟିଆ ଅନୁଭବ କରୁଥିଲା। ତା'ର ଏକଲାପଣକୁ ଭୁଲିବା ପାଇଁ ସେ ତା'ର ଫୋନ୍ ଏବଂ ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ବିତାଇଲା; କିନ୍ତୁ ଏହା ତାକୁ ଆହୁରି ଖରାପ ଅନୁଭବ ଦେଲା। ସେ ନୂଆ ବନ୍ଧୁ କରିବାକୁ ଚେଷ୍ଟା କଲା ନାହିଁ, ତା'ର ମୁଣ୍ଡବିନ୍ଧା ହେଲା ଓ ଓଜନ ହ୍ରାସ ପାଇଲା, ତେଣୁ ଭଲ ଭାବରେ ଶୋଇ ପାରିଲା ନାହିଁ। ତା'ର ସ୍ୱାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଜଣେ ଡାକ୍ତର ତାଙ୍କୁ ଫୋନ୍ ଓ ଟେଲିଭିଜନ ନ ଦେଖି ସାଙ୍ଗମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ପରାମର୍ଶ ଦେଲେ।
ଆସ ଚିନ୍ତା କରିବା: ବାଳକର ସ୍ୱାସ୍ଥ୍ୟ ସମସ୍ୟାର କାରଣ କ'ଣ ଥିଲା ? ତା'ର ଅଭ୍ୟାସ ଏବଂ ପାରିପାର୍ଶ୍ୱିକ ଅବସ୍ଥା କିପରି ତାକୁ ଅସୁସ୍ଥ କଲା ?
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ସ୍ୱାସ୍ଥ୍ୟକୁ ସମ୍ପୂର୍ଣ୍ଣ ଭାବରେ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତାର ଅବସ୍ଥା କୁହାଯାଏ। ସ୍ୱାସ୍ଥ୍ୟ କହିଲେ କେବଳ ରୋଗର ଅନୁପସ୍ଥିତି ନୁହେଁ, ବରଂ ଜଣେ ସୁସ୍ଥ ବ୍ୟକ୍ତି ବିଭିନ୍ନ କାର୍ଯ୍ୟକୁ ଅଧିକ ଦକ୍ଷତାର ସହିତ କରିପାରିବା ଏବଂ କଷ୍ଟକର ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିବାକୁ ବୁଝାଏ। ଜଣେ ସୁସ୍ଥ ବ୍ୟକ୍ତି ସମକକ୍ଷ ଗୋଷ୍ଠୀ ଏବଂ ସମାଜର ଅନ୍ୟାନ୍ୟ ସଦସ୍ୟଙ୍କ ସହିତ ଭଲ ଭାବରେ ନିଜକୁ ସାମିଲ କରିପାରିଥାଏ।
ଆମ ବୈଜ୍ଞାନିକ ଐତିହ୍ୟ
ଆୟୁର୍ବେଦ ଆମକୁ ଶିକ୍ଷା ଦିଏ ଯେ ପ୍ରକୃତ ସ୍ୱାସ୍ଥ୍ୟ ହେଉଛି ଶରୀର, ମନ ଏବଂ ପରିବେଶର ଏକ ସନ୍ତୁଳନ। ଦିନଚର୍ଯ୍ୟା ଏବଂ ଋତୁକାଳୀନ ଋତୁଚର୍ଯ୍ୟା ଅନୁସରଣ କଲେ ସନ୍ତୁଳନ ବଜାୟ ରହିଥାଏ। ବ୍ୟକ୍ତିର ଶରୀର ଗଠନ ପାଇଁ ଉପଯୁକ୍ତ ସତେଜ ଓ ସୁଷମ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ। ନିୟମିତ ବ୍ୟାୟାମ, ପରିଷ୍କାର ପରିଚ୍ଛନ୍ନତା, ଗାଢ଼ ନିଦ୍ରା ଏବଂ ଶାନ୍ତ ମନ ସାମଗ୍ରିକ ସୁସ୍ଥତା ଦେଇଥାଏ। ଏହା ଯୋଗ, ଧ୍ୟାନ ଭଳି ଅଭ୍ୟାସ ମାଧ୍ୟମରେ ମଧ୍ୟ ହାସଲ କରାଯାଇପାରିବ।
୩.୨ : ଆମେ କିପରି ସୁସ୍ଥ ରହିପାରିବା ?
ସୁସ୍ଥ ରହିବା ଅର୍ଥ ପୁଷ୍ଟିକର ଖାଦ୍ୟ ଖାଇବା, ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା, ପରିଷ୍କାର ସ୍ଥାନରେ ବାସ କରିବା, ନିୟମିତ ବ୍ୟାୟାମ କରିବା, ଠିକ୍ ନିଦ୍ରା ଯିବା, ପରିବାର ଏବଂ ବନ୍ଧୁମାନଙ୍କ ସହିତ ଅଧିକ ସମୟ ଅତିବାହିତ କରିବା ଏବଂ ସକାରାତ୍ମକ ମନୋଭାବ ପୋଷଣ କରିବା। ପ୍ରତ୍ୟେକ ରୋଗର ପ୍ରତିକାର ପਾਈଁ ଏକାଧିକ ବ୍ୟବସ୍ଥା (Prescription) ଦିଆଯାଇଛି। ବ୍ୟବସ୍ଥାଗୁଡ଼ିକ ବହୁପରୀକ୍ଷିତ। ଋତୁ ପରିବର୍ତ୍ତନ ସମୟରେ ଜଳବାୟୁ ଏବଂ ଆମମାନଙ୍କର ଆହାର ବିହାର ଶରୀରର ଦୋଷ ସମୂହ ଯଥା- ବାତ, ପିତ୍ତ, କଫ କ୍ଷୟ ବୃଦ୍ଧି ହୋଇଥାଏ। ଅତଏବ ଯେଉଁ ଔଷଧଟି ଖାଇଲେ ଶରୀରର ବାତ, ପիତ୍ତ, କଫ ଦୋଷମାନଙ୍କର ସମତା ଆସିଥାଏ, ସେହି ଔଷଧରେ ଶରୀର ରୋଗମୁକ୍ତ ହୁଏ।
ଏ ସଂପର୍କୀୟ ସୂଚନା 'ଲକ୍ଷ୍ମଣ ମିଶ୍ର'ଙ୍କ “ଘର ବଇଦ” ପୁସ୍ତକରୁ ମିଳେ।
କାର୍ଯ୍ୟ ୩.୨ : ଆସ ତାଲିକା କରିବା
ତୁମର ପିତାମାତା, ଶିକ୍ଷକ କିମ୍ବା ବୟସ୍କ ଲୋକମାନେ ତୁମକୁ ଯେଉଁ ଭଲ ଅଭ୍ୟାସଗୁଡ଼ିକୁ ପାଳନ କରିବାକୁ ଉତ୍ସାହିତ କରନ୍ତି ସେଗୁଡ଼ିକ ତାଲିକା କର। ଏଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ତୁମର ଦୈନନ୍ଦିନ କାର୍ଯ୍ୟର ଅଂଶ ? ତୁମେ ଆଉ କ'ଣ ଅନୁସରଣ କରିବାକୁ ଚାହୁଁଛ ନିମ୍ନରେ ଥିବା ତାଲିକାରେ ଯୋଡ଼।
- ନିଜକୁ ପରିଷ୍କାର ରଖ ଏବଂ ବ୍ୟକ୍ତିଗତ ପରିଚ୍ଛନ୍ନତା ବଜାୟ ରଖ।
- ସୁଷମ ଖାଦ୍ୟ ଖାଅ।
- ନିୟମିତ ବ୍ୟାୟାମ କର।
- ପ୍ରତିଦିନ କିଛି ସମୟ ଆରାମ କରିବା କିମ୍ବା ଧ୍ୟାନ କରିବା ପାଇଁ ସମୟ ବାହାର କର।
ବର୍ତ୍ତମାନ ସେହି ଅଭ୍ୟାସଗୁଡ଼ିକ ବିଷୟରେ ଚିନ୍ତା କର ଯାହା ତୁମ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ନିମ୍ନ ତାଲିକାରେ ଅଧିକ ଯୋଡ଼:
- ମୋବାଇଲ୍ ଫୋନ୍ କିମ୍ବା ଅନ୍ୟାନ୍ୟ ଡିଜିଟାଲ୍ ପରଦାରେ ଅତ୍ୟଧିକ ସମୟ ବିତାଇବା।
- ପ୍ରତିଦିନ ଫାଷ୍ଟଫୁଡ୍ ଏବଂ ଅନ୍ୟାନ୍ୟ ଜଙ୍କଫୁଡ୍ ଖାଇବା।
- ବହୁତ ଡେରିରେ ଶୋଇବା କିମ୍ଵା ପର୍ଯ୍ୟାପ୍ତ ନିଦ ନ ହେବା।
- ଖାଦ୍ୟ ଛାଡ଼ିବା, ବିଶେଷ କରି ସକାଳ ଜଳଖୁଆ ନଖାଇ ଉପାସ ରହିବା।
ଆମ ଶରୀର ଏବଂ ମନର ଯତ୍ନ ନେବା ନିହାତି ଆବଶ୍ୟକ। ସୁସ୍ଥ ଅଭ୍ୟାସ ସୁସ୍ଥ ଶରୀର ସହ ମନକୁ ସୁସ୍ଥ ମଧ୍ୟ ରଖିଥାଏ। ତୁମ ନିଷ୍କର୍ଷଗୁଡ଼ିକୁ ତୁମ ବନ୍ଧୁ ଏବଂ ଶିକ୍ଷକଙ୍କ ସହିତ ଆଲୋଚନା କର। ତୁମେ ଯେଉଁ କାର୍ଯ୍ୟରେ ଅଂଶ ଗ୍ରହଣ କରି ଆଲୋଚନା କରିଥିଲ ସେଥିରୁ ତୁମେ ହୁଏତ ଅନୁଭବ କରିଥିବ ଯେ, ଆମର ସ୍ୱାସ୍ଥ୍ୟ ଅନେକ କାରଣ ଉପରେ ନିର୍ଭର କରେ। ଏହି କାରଣଗୁଡ଼ିକ ମଧ୍ୟରେ ଆମର ଜୀବନଶୈଳୀ (ଆମେ କିପରି ଜୀବନଯାପନ କରୁଛୁ) ଏବଂ ଆମର ପାରିପାର୍ଶ୍ୱିକ ଅବସ୍ଥା (ପରିବେଶ) ଅନ୍ତର୍ଭୁକ୍ତ।
୩. ୨. ୧ ଏկ ସୁସ୍ଥ ଜୀବନଶୈଳୀ ବଜାୟ ରଖ
- ପ୍ରଚୁର ଫଳ, ପନିପରିବା ଏବଂ ଶସ୍ୟ ଜାତୀୟ ସନ୍ତୁଳିତ ଖାଦ୍ୟ ଖାଅ।
- ପ୍ରକ୍ରିୟାକୃତ, ଚର୍ବିଯୁକ୍ତ କିମ୍ବା ଚିନିଯୁକ୍ତ ଖାଦ୍ୟ ଏବଂ ପାନୀୟ ପରିହାର କର।
- ବାହାରେ ଖେଳିବା, ଚାଲିବା, ଦୌଡ଼ିବା, ସାଇକେଲ ଚଲାଇବା କିମ୍ବା ବ୍ୟାୟାମ କରି ଶାରୀରିକ ଭାବରେ ସକ୍ରିୟ ରୁହ।
- ଫୋନ ଓ ଟେଲିଭିଜନ ଦେଖିବା ସମୟ ସୀମିତ କର ଏବଂ ପ୍ରକୃତି ସହ ଅଧିକ ସମୟ ବିତାଅ।
- ତୁମ ଶରୀର ଏବଂ ମନକୁ ବିଶ୍ରାମ ଦେବା ସହ ସୁସ୍ଥ ହେବା ପାଇଁ ପର୍ଯ୍ୟାପ୍ତ ନିଦ୍ରା ଯାଅ।
- ନିୟମିତ ଭାବରେ ଯୋଗ କିମ୍ବା ପ୍ରାଣାୟମ ଭଳି ସରଳ ବ୍ୟାୟାମ ଅଭ୍ୟାସ କର ଏବଂ ନିଶା ସେବନ କର ନାହିଁ।
୩. ୨. ୨ ପରିବେଶକୁ ସଫା ରଖ
କାର୍ଯ୍ୟ ୩.୩ : ଆସ ତୁଳନା କରିବା
ଚିତ୍ରଗୁଡ଼ିକୁ ଦେଖ। ତୁମେ କେଉଁ ଖେଳପଡ଼ିଆରେ ଖେଳିବାକୁ ପସନ୍ଦ କରିବ ଏବଂ କାହିଁକି ?
ଆମ ମଧ୍ୟରୁ ଅଧିକାଂଶ ପ୍ରଥମ ଚିତ୍ରରେ ଦେଖାଯାଇଥିବା ଖେଳପଡ଼ିଆରେ ଖେଳିବାକୁ ପସନ୍ଦ କରିବା, କାରଣ ଏହା ପରିଷ୍କାର ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଇ ସୁନ୍ଦର ଦେଖାଯାଉଛି। ଦ୍ୱିତୀୟ ଚିତ୍ରରେ ଥିବା ଖେଳପଡ଼ିଆ ପ୍ରଦୂଷିତ, ଅପରିଷ୍କାର ଏବଂ ମାଛି, ମଶା ଦ୍ୱାରା ପୂରିପୂର୍ଣ୍ଣ—ଏପରି ଅଞ୍ଚଳରେ ରହୁଥିବା ଲୋକମାନେ ରୋଗାକ୍ରାନ୍ତ ହୋଇପାରନ୍ତି। ଭଲ ଅଭ୍ୟାସ ଗ୍ରହଣ କରିବା ଓ ସୁସ୍ଥ ଜୀବନଶୈଳୀ ପାଳନ ସହିତ ଆମେ ନିଜକୁ ଏବଂ ଆମର ଚାରିପାଖକୁ ସଫା ରଖିବା।
ତୁମେ କେବେ ଧୂଆଁ କିମ୍ବା ଧୂଳି ଥିବା ସ୍ଥାନରେ ପ୍ରଶ୍ୱାସ ନେବାକୁ କଷ୍ଟ ଅନୁଭବ କରିଛ କି ? କାରଣ ସ୍ୱଚ୍ଛ ବାୟୁ ଏବଂ ଜଳ ଆମ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ସହରଗୁଡ଼ିକରେ ଯାନବାହାନ ଏବଂ କାରଖାନା ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣ କାଶ କିମ୍ବା ଶ୍ୱାସରୋଗ ଭଳି ସମସ୍ୟା ସୃଷ୍ଟି କରିପାରେ। ବାୟୁର ବିଶୁଦ୍ଧତା ଜାଣିବାରେ ଆମକୁ ବାୟୁ ଗୁଣବତ୍ତା ସୂଚକାଙ୍କ Air Quality Index (AQI) ସାହାଯ୍ୟ କରେ। ଏକ ପରିଷ୍କାର ପରିବେଶ ଆମକୁ ସୁସ୍ଥ ରଖିବା ସହ ଉତ୍ତମ ଅନୁଭବ ଦେଇଥାଏ।
କିନ୍ତୁ ସ୍ୱାସ୍ଥ୍ୟ କେବଳ ଶରୀରରେ ସୀମିତ ନୁହେଁ। ଏହା ଆମର ଭାବନା ଏବଂ ସମ୍ପର୍କ ସହ ଜଡ଼ିତ। ଯଦିଓ ଆମେ ଖାଦ୍ୟ ଖାଉ ଏବଂ ଏକ ପରିଷ୍କାର ସ୍ଥାନରେ ରହୁ, ତଥାପି ଯଦି ଆମେ ଏକାକୀ ରହିବା କିମ୍ବା ବିରକ୍ତ ଅନୁଭବ କରିବା ତେବେ ଆମେ ଖୁସି ରହିପାରିବା ନାହିଁ। ବନ୍ଧୁ ଏବଂ ପରିବାର ସହିତ ସମୟ ବିତାଇବା, ହସିବା ଏବଂ ମଜା ମଜା କଥାବାର୍ତ୍ତା କରିବା ଆମ ମନକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
୩.୩ : ଅସୁସ୍ଥ ବୋଲି କିପରି ଜାଣିବା ?
ଆମ ଶରୀର ସାଧାରଣତଃ ଆମକୁ ସୁସ୍ଥ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ଉପାୟ ଅବଲମ୍ବନ କରେ। ଯେତେବେଳେ ଆମେ ଅସୁସ୍ଥ ଅନୁଭବ କରୁ, ତା' ମାନେ ଆମ ଶରୀର ଭିତରେ କିଛି ବ୍ୟତିକ୍ରମ ଦେଖାଦେଇଛି। ଆମ ଶରୀରରେ ଯନ୍ତ୍ରଣା କିମ୍ବା ମୁଣ୍ଡବିନ୍ଧା, କ୍ଳାନ୍ତି ପ୍ରଭୃତି ଲକ୍ଷଣ ଏବଂ ଜ୍ୱର, ଉଚ୍ଚ ରକ୍ତଚାପ, ଫୋଟକା କିମ୍ବା ଶରୀରରେ ଫୁଲା ଭଳି ସଂକେତ ଆଦି ସୂଚାଇଥାଏ ଯେ ଆମେ ଅସୁସ୍ଥ ଅଛୁ। ଏକ ଲକ୍ଷଣ ହେଉଛି ଯାହା ଆମେ ଅନୁଭବ କରୁ (ଯେପରିକି ଯନ୍ତ୍ରଣା) ଏବଂ ଅନ୍ୟଟି ହେଉଛି ସଂକେତ ଯାହାକୁ ଦେଖାଯାଇପାରେ କିମ୍ବା ମାପ କରାଯାଇପାରିବ (ଯେପରିକି ଜ୍ୱର ସମୟରେ ଶରୀରର ଉଚ୍ଚ ତାପମାତ୍ରା)। ଏଗୁଡ଼ିକ ଡାକ୍ତରମାନଙ୍କୁ ବୁଝିବାରେ ସାହାଯ୍ୟ କରେ ଯେ ଆମେ କାହିଁକି ଅସୁସ୍ଥ ହୋଇଅଛୁ।
୩.୪: ରୋଗ : କାରଣ ଓ ପ୍ରକାରଭେଦ
ରୋଗ ହେଉଛି ଏକ ଅବସ୍ଥା ଯାହା ଶରୀର କିମ୍ବା ମନର ସାଧାରଣ କାର୍ଯ୍ୟକୁ ପ୍ରଭାବିତ କରେ। ଯେତେବେଳେ ଗୋଟିଏ ବା ଏକାଧିକ ଅଙ୍ଗ କିମ୍ବା ଅଙ୍ଗସଂସ୍ଥା ଠିକ୍ ଭାବରେ କାର୍ଯ୍ୟ କରିବା ବନ୍ଦ କରିଦିଅନ୍ତି ସେତେବେଳେ ଏପରି ହୋଇଥାଏ। କିଛି ରୋଗ ବୀଜାଣୁ, ଭୂତାଣୁ, କୃମି କିମ୍ବା ଆଦିପ୍ରାଣୀ, କବକ ଭଳି ଅଣୁଜୀବ (pathogens) ମାନଙ୍କ ଦ୍ୱାରା ହୋଇଥାଏ। ଏହି ରୋଗ ସୃଷ୍ଟି କରୁଥିବା ଜୀବମାନଙ୍କୁ ରୋଗ କାରକ ବା ରୋଗାଣୁ ଅଣୁଜୀବ (Pathogens) କୁହାଯାଏ। ଅନ୍ୟ ରୋଗଗୁଡ଼ିକ ସଂକ୍ରମିତ ଖାଦ୍ୟ ବା ପୁଷ୍ଟିହୀନତା କିମ୍ବା ଅସ୍ୱାସ୍ଥ୍ୟକର ଜୀବନଶୈଳୀରୁ ହୋଇପାରେ। କିଛି ରୋଗ ଅଳ୍ପ ସମୟ ପାଇଁ ଶରୀରରେ ରହିଥାଏ ଏବଂ ଅନ୍ୟ କେତେକ ଦୀର୍ଘ ସମୟ ପାଇଁ ଜାରି ରହିପାରେ, ଏଥିନିମିତ୍ତ ନିୟମିତ ଚିକିତ୍ସା କିମ୍ବା ଯତ୍ନ ଆବଶ୍ୟକ ହୋଇଥାଏ। ରୋଗଗୁଡ଼ିକୁ ସେମାନଙ୍କର କାରଣ ଏବଂ ବ୍ୟାପିବାର ପଦ୍ଧତି ଆଧାରରେ ଦୁଇ ଭାଗରେ ବିଭକ୍ତ କରାଯାଇପାରିବ :
- ଅଣ-ସଂକ୍ରାମକ ରୋଗ: କିଛି ରୋଗ—ଯେପରିକି ଶ୍ୱାସରୋଗ, ମଧୁମେହ, କର୍କଟ ଇତ୍ୟାଦି ରୋଗକାରକ ଅଣୁଜୀବମାନଙ୍କ ଦ୍ୱାରା ହୁଏ ନାହିଁ ଏବଂ ଜଣେ ସଂକ୍ରମିତ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପି ନଥାଏ। ଏଗୁଡ଼ିକ ସାଧାରଣତଃ ଜୀବନଶୈଳୀ, ଖାଦ୍ୟ ଏବଂ ପରିବେଶ ସହିତ ଜଡ଼ିତ।
- ସଂକ୍ରାମକ ରୋଗ: ରୋଗକାରକ ଅଣୁଜୀବ ଦ୍ୱାରା ହେଉଥିବା ରୋଗଗୁଡ଼ିକୁ ସଂକ୍ରାମକ ରୋଗ କୁହାଯାଏ। ଏଗୁଡ଼ିକ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପିପାରେ। ସଂକ୍ରାମକ ରୋଗର କିଛି ଉଦାହରଣ ହେଉଛି ଟାଇଫଏଡ, ଡେଙ୍ଗୁ, ସାଧାରଣ ଥଣ୍ଡା (ଫ୍ଲୁ), ମିଳିମିଳା ଏବଂ କୋଭିଡ୍-19 ଇତ୍ୟାଦି।
ସାମ୍ପ୍ରତିକ ସମୟରେ ଭାରତରେ ହୃଦରୋଗ, କର୍କଟ ଏବଂ ମଧୁମେହ ଭଳି ଅଣସଂକ୍ରାମକ ରୋଗ (Non-Communicable Disease) ଗୁଡ଼ିକ ବ୍ୟାପକ ହୋଇଛି। ଏହା ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଘଟୁଛି, ଯେପରିକି ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଗ୍ରହଣ, କମ୍ ବ୍ୟାୟାମ କରିବା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚିବା ଇତ୍ୟାଦି। ଆଜି ଭାରତରେ ଅଧିକାଂଶ ମୃତ୍ୟୁ ଅଣସଂକ୍ରମିତ ରୋଗ ଦ୍ୱାରା ହେଉଛି। ଏହି ଦୁଇ ପ୍ରକାର ରୋଗ ମଧ୍ୟରେ ପାର୍ଥକ୍ୟ ବୁଝିବା ଦ୍ୱାରା ଆମକୁ ରୋଗ କିପରି ବ୍ୟାପିଥାଏ ଏବଂ ସେଗୁଡ଼ିକୁ କିପରି ରୋକାଯାଇ ପାରିବ ତାହା ଜାଣିପାରିବା।
୩.୪.୧ ସଂକ୍ରାମକ ରୋଗ କିପରି ସୃଷ୍ଟି ହୁଏ ଏବଂ ବ୍ୟାପିଥାଏ ?
ସମସ୍ତ ସଂକ୍ରାମକ ରୋଗ, ରୋଗ କାରକ ଅଣୁଜୀବ ଦ୍ୱାରା ସୃଷ୍ଟି ହୁଏ। ଏହି ରୋଗଜୀବାଣୁ ଆମେ ପ୍ରଶ୍ୱାସ ନେବା ସମୟରେ ବାୟୁ ମାଧ୍ୟମରେ କିମ୍ବା ଦୂଷିତ ଖାଦ୍ୟ କିମ୍ବା ଜଳ ବ୍ୟବହାର କରିବା ବେଳେ ଆମ ଶରୀରରେ ପ୍ରବେଶ କରିଥାଏ। କିନ୍ତୁ ଏହି ରୋଗଜୀବାଣୁ କିପରି ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବ୍ୟାପିଥାଏ ? ଏହା ସାଧାରଣତଃ ବାୟୁ ମାଧ୍ୟମରେ ସଂକ୍ରମିତ ବ୍ୟକ୍ତିଙ୍କର କାଶ କିମ୍ବା ଛିଙ୍କ ଦ୍ୱାରା କିମ୍ବା ପ୍ରତ୍ୟକ୍ଷ ସଂସ୍ପର୍ଶ ଯଥା ହାତ ମିଳାଇବା, ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ଜିନିଷପତ୍ର ବ୍ୟବହାର ଦ୍ୱାରା ବ୍ୟାପିଥାଏ।
କିଛି ସଂକ୍ରାମକ ରୋଗ ଦୂଷିତ ପାନୀୟ ଜଳ କିମ୍ବା ଖାଦ୍ୟ ମାଧ୍ୟମରେ ବ୍ୟାପିଥାଏ। କିଛି ରୋଗକାରକ ଅଣୁଜୀବ ମଶା ଏବଂ ମାଛି ଭଳି କୀଟପତଙ୍ଗ ଦ୍ୱାରା ଜୀବ ଶରୀରରେ ରୋଗ ସୃଷ୍ଟି କରେ। ଏହି କୀଟପତଙ୍ଗଗୁଡ଼ିକୁ ବାହକ (vectors) କୁହାଯାଏ। ଯେପରି ମ୍ୟାଲେରିଆ ମାଈ ଏନୋଫିଲିସ୍ ମଶାଦ୍ୱାରା ବ୍ୟାପିଥାଏ (ଚିତ୍ର ୩.୪)। ରୋଗ କିପରି ବ୍ୟାପିଥାଏ ତାହା ବୁଝି ଆମେ ନିଜର ଏବଂ ଅନ୍ୟମାନଙ୍କ ସୁରକ୍ଷା ପାଇଁ ସରଳ ପଦକ୍ଷେପ ନେଇପାରିବା।
କାର୍ଯ୍ୟ ୩.୪ : ଆସ ଜାଣିବା
- ଏକ ସାମୂହିକ ଅଭିଯାନ ଏବଂ ପାଠାଗାର ସର୍ଭେ ସମୟରେ ପୂର୍ବରୁ କେତେଜଣ ଶିକ୍ଷାର୍ଥୀ ସାଧାରଣ ସଂକ୍ରାମକ ରୋଗକୁ ସାରଣୀ ୩.୧ ରେ ତାଲିକାଭୁକ୍ତ କରିଛନ୍ତି।
- କୌଣସି ପୁସ୍ତକ, ବିଶ୍ୱସ୍ତ ୱେବସାଇଟ୍ ଦେଖି କିମ୍ବା ତୁମ ବିଜ୍ଞାନ ଶିକ୍ଷକଙ୍କୁ ପଚାରି ତାଲିକାଭୁକ୍ତ ସୂଚନାକୁ ଯାଞ୍ଚ କର। ଯଦି କୌଣସି ବିବରଣୀ ଅନ୍ତର୍ଭୁକ୍ତ ହୋଇନାହିଁ, ତାକୁ ଯୋଡ଼।
- ସାରଣୀଟି ଅଧ୍ୟୟନ କର ଏବଂ ପ୍ରତ୍ୟେକ ରୋଗକୁ ପ୍ରତିରୋଧ କରିବାରେ କେଉଁ ସରଳ ପଦକ୍ଷେପ ସାହାଯ୍ୟ କରିପାରିବ ସେ ବିଷୟରେ ଚିନ୍ତା କର।
ସାରଣୀ ୩.୧: ମଣିଷକୁ ପ୍ରଭାବିତ କରୁଥିବା କିଛି ସାଧାରଣ ସଂକ୍ରାମକ ରୋଗ
| ରୋଗ | କାରକ | ସଂକ୍ରମଣ ସ୍ଥାନ | ଲକ୍ଷଣ | ପ୍ରତିଷେଧକ ବ୍ୟବସ୍ଥା |
|---|---|---|---|---|
| ବାୟୁ ମାଧ୍ୟମରେ ବ୍ୟାପୁଥିବା ରୋଗ | ||||
| ସାଧାରଣ ଥଣ୍ଡାଜ୍ୱର ଓ ଇନ୍ଫ୍ଲୁଏନ୍ଜା | ଭୂତାଣୁ | ଶ୍ୱାସନଳୀ | ନାକ ବନ୍ଦ ଓ ପାଣି ବୋହିବା, କାଶ, ଗିଳାବ୍ୟଥା, ଜ୍ୱର, ଶରୀରବ୍ୟଥା | ନିୟମିତ ହାତ ଧୋଇବା, ବ୍ୟକ୍ତିଗତ ସାମଗ୍ରୀ ଆଦାନ ପ୍ରଦାନ ନ କରିବା ଓ ନାକକୁ ଘୋଡ଼ାଇ ରଖିବା। |
| ହାଡ଼ିଫୁଟି (Chicken Pox) | ଭୂତାଣୁ | ଶ୍ୱାସନଳୀ, ଚର୍ମ | ହାଲୁକା ଜ୍ୱର, ଚର୍ମ କୁଣ୍ଡାଇ ହେବା, ଚର୍ମରେ ଦାଗ ଓ ଫୋଟକା ହେବା। | ରୋଗୀଙ୍କୁ ସମ୍ପୂର୍ଣ୍ଣ ଅଲଗା କରିବା, ମୁହଁ ନାକ ଢାଙ୍କିବା, ଟିକାକରଣ। |
| ମିଳିମିଳା (Measles) | ଭୂତାଣୁ | ଚର୍ମ, ଶ୍ୱାସନଳୀ | ଜ୍ୱର, ଗଳାବ୍ୟଥା ଏବଂ ଗଳା, କାନ ଓ ଚର୍ମରେ ଲାଲ ଦାଗ। | ରୋଗୀଙ୍କୁ ଅଲଗା କରିବା, ମୁହଁ ନାକ ଢାଙ୍କିବା, ପରିଷ୍କାର ପରିଚ୍ଛନ୍ନ ରହିବା, ଟିକାକରଣ। |
| ଯକ୍ଷ୍ମା (T.B.) | ବୀଜାଣୁ | ଫୁସ୍ଫୁସ୍ (Lungs) | କାଶ, ଜ୍ୱର, ଥକାପଣ, ଭୋକ ନ ଲାଗିବା, ରାତିରେ ଝାଳ ବୋହିବା। | ଯକ୍ଷ୍ମା ସଂକ୍ରମିତ ଲୋକଙ୍କ ସହିତ ମିଳାମିଶା ନ କରିବା, ମୁହଁ ଏବଂ ନାକକୁ ଘୋଡ଼ାଇ ରଖିବା, ଭଲ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା, ଟିକାକରଣ। |
| ଦୂଷିତ ପାଣି ଏବଂ ଖାଦ୍ୟ ମାଧ୍ୟମରେ ବ୍ୟାପୁଥିବା ରୋଗ | ||||
| ହେପାଟାଇଟିସ୍-ଏ | ଭୂତାଣୁ | ଯକୃତ (Liver) | ଜ୍ୱର, ଭୋକ ନ ଲାଗିବା, ବାନ୍ତି, କାମଳ, ଉପର ପେଟରେ ଓ ଡାହାଣ ପେଟରେ ବ୍ୟଥା। | ଫୁଟାଯାଇଥିବା ପାଣି ପିଇବା, ଟିକାକରଣ। |
| ହଇଜା | ବୀଜାଣୁ | ଅନ୍ତ୍ର ନଳୀ (Intestine) | ତରଳ ଝାଡ଼ା (Diarrhoea), ଜଳ ଶୁଷ୍କତା (Dehydration)। | ଭଲଭାବରେ ରନ୍ଧା ଖାଦ୍ୟ ଓ ଫୁଟା ପାଣି ପିଇବା, ଟିକାକରଣ, ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଓ ଉତ୍ତମ ସ୍ୱଚ୍ଛତା ଅଭ୍ୟାସ। |
| ଆନ୍ତ୍ରିକ ଜ୍ୱର (Typhoid) | ବୀଜାଣୁ | ଅନ୍ତ୍ର ନଳୀ (Intestine) | ମୁଣ୍ଡବ୍ୟଥା, ପେଟବ୍ୟଥା, ଜ୍ୱର, ତରଳ ଝାଡ଼ା। | ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା, ଉତ୍ତମ ସ୍ୱଚ୍ଛତା ଅଭ୍ୟାସ, ଭଲଭାବରେ ରନ୍ଧା ଖାଦ୍ୟ ଓ ଫୁଟା ପାଣି ପାନ, ଟିକାକରଣ। |
| ଗୋଲକୃମି ରୋଗ (Round Worm) | କୀଟ | ଅନ୍ତ୍ର ନଳୀ (Intestine) | ଭୋକ ହ୍ରାସ, ଓଜନ କମିବା, ରକ୍ତହୀନତା, ମଳରେ କୃମି ପଡ଼ିବା, ତରଳ ଝାଡ଼ା। | ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା, ଉତ୍ତମ ସ୍ୱଚ୍ଛତା ଅଭ୍ୟାସ, ଭଲଭାବରେ ରନ୍ଧା ଖାଦ୍ୟ ଓ ଫୁଟା ପାଣି ପିଇବା। |
| କୀଟପତଙ୍ଗ ଦ୍ୱାରା ସଂକ୍ରମିତ ରୋଗ | ||||
| ମ୍ୟାଲେରିଆ | ଆଦିପ୍ରାଣୀ (Protozoa) | ଚର୍ମ, ରକ୍ତ | ପ୍ରବଳ ଜ୍ୱର, ପ୍ରଚୁର ଝାଳ, ସମୟେ ସମୟେ ଥଣ୍ଡା ଲାଗିବା। | ମଶାରୀ ଓ ମଶା ପ୍ରତିରୋଧ ଔଷଧ ବ୍ୟବହାର, ଲମ୍ବାହାତ ପୋଷାକ ପିନ୍ଧିବା, ଘର ଭିତରେ ଏବଂ ବାହାରେ ମଶାମାନଙ୍କର ବଂଶ ବୃଦ୍ଧିକୁ ନିୟନ୍ତ୍ରଣ କରିବା। |
| ଡେଙ୍ଗୁ | ଭୂତାଣୁ | ଚର୍ମ, ରକ୍ତ | ଜ୍ୱର, ମୁଣ୍ଡବ୍ୟଥା, ମାଂସପେଶୀ ଓ ତଣ୍ଟିରେ ଯନ୍ତ୍ରଣା, ଅରୁଚି। | ମଶାରୀ ଓ ମଶା ପ୍ରତିରୋଧ ଔଷଧ ବ୍ୟବହାର କରିବା, ଲମ୍ବାହାତ ପୋଷାକ ପିନ୍ଧିବା, ଘର ଭିତରେ ଏବଂ ଚାରିପାଖରେ ମଶାମାନଙ୍କର ବଂଶ ବୃଦ୍ଧିକୁ ନିୟନ୍ତ୍ରଣ କରିବା, ଖାଲି ଜାଗାରେ ପାଣି ଜମିବାକୁ ନଦେଇ ମଶାର ବଂଶ ବୃଦ୍ଧିକୁ ରୋକିବା। |
ସାରଣୀ (୩.୧)ରୁ ଆମେ ବୁଝିପାରିବା ଯେ ସଂକ୍ରାମକ ରୋଗ କିପରି ବ୍ୟାପିଥାଏ ଏବଂ ସେଗୁଡ଼ିକୁ କିପରି ରୋକା ଯାଇପାରିବ। ଏଠାରେ କିଛି ସରଳ କିନ୍ତୁ ଗୁਰୁତ୍ୱପୂର୍ଣ୍ଣ ସତର୍କତା ଦିଆଯାଇଛି :
- ନିଜକୁ ଏବଂ ଆମର ଆଖପାଖକୁ ସଫା ରଖିବା।
- ପ୍ରତିଦିନ ମୌଳିକ ପରିଷ୍କାର ପରିଚ୍ଛନ୍ନତା ଅଭ୍ୟାସ କରିବା।
- ଜୀବାଣୁମାନଙ୍କକୁ ଦୂର କରିବା ପାଇଁ ସାବୁନ ଏବଂ ପାଣିରେ ହାତ ଧୋଇବା।
- କାଶିବା କିମ୍ବା ଛିଙ୍କିବା ସମୟରେ ଆମର ମୁହଁ ଏବଂ ନାକକୁ ଘୋଡ଼ାଇ ରଖିବା।
- ଭିଡ଼ ସ୍ଥାନରେ ମାସ୍କ ପିନ୍ଧି ସୁରକ୍ଷିତ ରହିବା।
- ତଉଲିଆ ଏବଂ ରୁମାଲ ଭଳି ବ୍ୟକ୍ତିଗତ ଜିନିଷଗୁଡ଼ିକୁ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦେବା ନାହିଁ।
- ଆମର ଘର, ଖାଦ୍ୟ ଏବଂ ପାଣିକୁ ପରିଷ୍କାର ରଖିବା।
- ଆମେ ଅସୁସ୍ଥତା ସମୟରେ ଘରେ ରହିବା ଏବଂ ବିଶ୍ରାମ ନେବା ଦ୍ୱାରା ଆମ ଶରୀର ସୁସ୍ଥ ରହିବା ସହ ଅନ୍ୟମାନଙ୍କକୁ ରୋଗ ବ୍ୟାପିବାକୁ ଦିଏ ନାହିଁ।
କିଛି ସଂକ୍ରାମକ ରୋଗ ଆମ ଶରୀର ଭିତରେ ରହୁଥିବା କୃମି ଦ୍ୱାରା ହୁଏ। ସେମାନେ ଶରୀରରୁ ପୋଷଣ ପଦାର୍ଥ ଗ୍ରହଣ କରି ପରଜୀବୀ ଭାବରେ ବଞ୍ଚନ୍ତି—ଯେଉଁମାନେ ଅନ୍ୟ ଜୀବ ଶରୀରରୁ ଖାଦ୍ୟ ଗ୍ରହଣ କରି ବଞ୍ଚନ୍ତି। ସେମାନଙ୍କକୁ ପରଜୀବୀ (parasites) କୁହାଯାଏ। ଏହି କୃମିଗୁଡ଼ିକ ଦୂଷିତ ଖାଦ୍ୟ, ଜଳ, ମାଟି କିମ୍ବା ସଂକ୍ରମିତ ଲୋକ ଓ ପଶୁଙ୍କ ସଂସ୍ପର୍ଶ ଦ୍ୱାରା ବ୍ୟାପିଥାଏ।
୩. ୪. ୨: ଅଣସଂକ୍ରାମକ ରୋଗ କିପରି ହୁଏ ?
ତୁମେ ଜାଣିଛ ଯେ କର୍କଟ, ମଧୁମେହ ଏବଂ ଶ୍ୱାସରୋଗ ଭଳି ଅଣସଂକ୍ରମିତ ରୋଗଗୁଡ଼ିକ ଜୀବନଶୈଳୀ, ଖାଦ୍ୟ କିମ୍ବା ପରିବେଶ ସହିତ ଜଡ଼ିତ। ଏଗୁଡ଼ିକ ଭାରତରେ ମୃତ୍ୟୁର ସବୁଠାରୁ ସାଧାରଣ କାରଣ। କେତେକ ସ୍ୱତନ୍ତ୍ର ପୋଷକ ଅଭାବରେ ହେଉଥିବା ସ୍କର୍ଭି, ରକ୍ତହୀନତା ଏବଂ ଗଳଗଣ୍ଡ ଭଳି ରୋଗ ବିଷୟରେ ତୁମେ ପୂର୍ବ ଶ୍ରେଣୀରେ ଜାଣିଛ। ଏଗୁଡ଼ିକ ଖାଦ୍ୟ ଅଭାବଜନିତ ରୋଗ, ସଂକ୍ରାମକ ରୋଗ ନୁହେଁ। କର୍କଟ, ମଧୁମେହ ଏବଂ ଶ୍ୱାସରୋଗ ଭଳି ରୋଗ ପ୍ରାୟତଃ ଦୀର୍ଘ ସମୟ (ତିନି ମାସରୁ ଅଧିକ) ପର୍ଯ୍ୟନ୍ତ ରହିପାରେ ଏବଂ ଏହାକୁ ଦୀର୍ଘକାଳୀନ (chronic) ରୋଗ ବୋଲି କୁହାଯାଏ।
ମଧୁମେହ ଏକ ସାଧାରଣ ରୋଗ ଯାହା ବୟସ୍କ ଏବଂ ପିଲାମାନଙ୍କୁ ଅଧିକ ହେଉଛି। ପ୍ରକୃତରେ ବର୍ତ୍ତମାନ ଭାରତରେ ବିଶ୍ୱର ସର୍ବାଧିକ ସଂଖ୍ୟକ ମଧୁମେହ ରୋଗୀ ଅଛନ୍ତି। ଏହା ପ୍ରାୟତଃ ହରମୋନ୍ ଅସନ୍ତୁଳନ, ଓଜନ ବୃଦ୍ଧି କିମ୍ବା ମେଦବହୁଳତା, ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ପରିଶ୍ରମର ଅଭାବ ଏବଂ ଅନ୍ୟାନ୍ୟ କାରଣମାନଙ୍କର ସମାହାର ଯୋଗୁଁ ହୋଇଥାଏ। ଆମେ ଅଣସଂକ୍ରାମକ ରୋଗର କାରଣ ଏବଂ ସେଗୁଡ଼ିକର ପ୍ରତିରୋଧ ବିଷୟରେ ଅଧିକ ଜାଣିବା।
କାର୍ଯ୍ୟ ୩.୫ : ଆସ ସର୍ଭେ କରିବା
- ତୁମ ପଡ଼ୋଶୀମାନଙ୍କ ଠାରେ ଦେଖାଯାଉଥିବା ଜୀବନଶୈଳୀ ସମ୍ବନ୍ଧୀୟ ତିନୋଟି ସାଧାରଣ ରୋଗର ତାଲିକା କର।
- ଜଣେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜ୍ଞାନ ଥିବା ପରିବାରର ଜଣେ ସଦସ୍ୟ, ନର୍ସ ସହ କଥା ହୁଅ ଏବଂ କି ପ୍ରକାରର ଜୀବନଶୈଳୀ ପରିବର୍ତ୍ତନ ଏହି ରୋଗଗୁଡ଼ିକୁ ପ୍ରତିରୋଧ କିମ୍ବା ପରିଚାଳନା କରିବାରେ ସାହାଯ୍ୟ କରିପାରିବ ବୁଝି ଲେଖ।
- ତୁମେ ବିଶ୍ୱସନୀୟ ସ୍ୱାସ୍ଥ୍ୟ ୱେବସାଇଟ୍, ପୁସ୍ତକ, ଶିକ୍ଷକ ଏବଂ ଡାକ୍ତରଙ୍କ ସହିତ ମଧ୍ୟ ପରାମର୍ଶ କରିପାରିବ।
କାର୍ଯ୍ୟ ୩.୬ : ସାରଣୀକୁ ପୂରଣ କର ଏବଂ ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ବିଷୟରେ ଅଧିକ ଜାଣ
ସାରଣୀ ୩.୨ ଅଣସଂକ୍ରାମକ ରୋଗ
| କ୍ର. ନଂ | ସାଧାରଣ ଜୀବନଶୈଳୀ ସମ୍ବନ୍ଧୀୟ ରୋଗଗୁଡ଼ିକର ନାମ | ସଂକେତ ଏବଂ ଲକ୍ଷଣ | ପ୍ରସ୍ତାବିତ ଜୀବନଶୈଳୀ ପରିବର୍ତ୍ତନ |
|---|---|---|---|
| 1. | ମେଦବହୁଳତା | ଅଧିକ ଓଜନ ଓ ମୋଟାପଣ | ସନ୍ତୁଳିତ ଖାଦ୍ୟ ଖାଇବା ଏବଂ ନିୟମିତ ବ୍ୟାୟାମ କରିବା। |
| 2. | ମଧୁମେହ | - ବାରମ୍ବାର ପରିସ୍ରା - ଅତ୍ୟଧିକ ଶୋଷ - ଓଜନ ହ୍ରାସ - କ୍ଳାନ୍ତି - ଆରୋଗ୍ୟ ଲାଭରେ ମନ୍ଥରତା | |
| 3. | ଉଚ୍ଚ ରକ୍ତଚାପ | ||
| 4. |
ବୈଜ୍ଞାନିକଙ୍କ ଠାରୁ ପ୍ରେରଣା
ଡକ୍ଟର କମଲ ରାଣାଦିଭେ (୧୯୧୭-୨୦୦୧) ଜଣେ ଅଗ୍ରଣୀ ଜୈବ ଚିକିତ୍ସା ଗବେଷକ ଥିଲେ। ହରମୋନ୍ ଏବଂ କିଛି ଭୂତାଣୁ କର୍କଟରୋଗ ସହ କିପରି ସଂପୃକ୍ତ ସେ ତାହା ଅଧ୍ୟୟନ କରିଥିଲେ ଯାହା କର୍କଟ ରୋଗର ଚիկିତ୍ସା ଏବଂ ପ୍ରତିରୋଧକୁ ଉନ୍ନତ କରିବାରେ ସାହାଯ୍ୟ କରୁଛି। ତାଙ୍କର କାର୍ଯ୍ୟ ଏହା ମଧ୍ୟ ଦର୍ଶାଇଥିଲା ଯେ କିପରି ତମାଖୁ, ଖାଦ୍ୟ ଏବଂ ପ୍ରଦୂଷଣ ବିଶେଷ କରି କର୍କଟ ରୋଗର ବିପଦକୁ ବୃଦ୍ଧି କରିପାରେ। ସେ ସୁସ୍ଥ ଜୀବନଶୈଳୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
୩.୫: ରୋଗକୁ କିପରି ପ୍ରତିରୋଧ ଏବଂ ନିୟନ୍ତ୍ରଣ କରିବ ?
ତୁମେ ହୁଏତ ‘ଚିକିତ୍ସା ଠାରୁ ପ୍ରତିଷେଧକ ଭଲ’ (prevention is better than cure) ଏହି ବାକ୍ୟଟି ଶୁଣିଥିବ। ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗରୁ ନିଜକୁ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ।
କାର୍ଯ୍ୟ ୩.୬ : ଆସ ପଢ଼ିବା
ଓଡ଼ିଶାରେ ଗୋଷ୍ଠୀ ନେତୃତ୍ୱାଧୀନ ପରିମଳ ଅଭିଯାନ
ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଏକ ଗୋଷ୍ଠୀ ପରିମଳ ଅଭିଯାନ ଅଧିକ ଲୋକଙ୍କୁ ଶୌଚାଳୟ ନିର୍ମାଣ ଏବଂ ବ୍ୟବହାର କରିବାରେ ସାହାଯ୍ୟ କରିଥିଲା। ଏହା ଖୋଲା ମଳତ୍ୟାଗକୁ ଯଥେଷ୍ଟ ହ୍ରାସ କରି ତରଳ ଝାଡ଼ା ଏବଂ ସଂକ୍ରମଣ ଘଟଣା ଏବଂ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥିଲା।
ନିର୍ଦ୍ଦିଷ୍ଟ ଅଧ୍ୟୟନରୁ ତୁମେ କ'ଣ ସୂଚନା ପାଇଲ ? ଉତ୍ତମ ପରିମଳ ବ୍ୟବସ୍ଥା ଭଳି ସରଳ ପଦକ୍ଷେପଗୁଡ଼ିକ ସଂକ୍ରାମକ ରୋଗ ପ୍ରସାରକୁ ବହୁ ପରିମାଣରେ ହ୍ରାସ କରିପାରିବ। ତୁମ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ଏପରି ସାମୂହିକ ଅଭିଯାନ ବିଷୟରେ ତଥ୍ୟ ସଂଗ୍ରହ କରି ତୁମ ଶ୍ରେଣୀରେ ଆଲୋଚନା କର ଏବଂ ଏପରି ପଦକ୍ଷେପର ପ୍ରଭାବ ବିଷୟରେ ତୁମ ସାଥୀମାନଙ୍କ ସହିତ ଆଲୋଚନା କର।
ରୋଗ ସହିତ ଲଢ଼ିବା ପାଇଁ ଶରୀରର କ୍ଷମତା
ତୁମେ ଲକ୍ଷ୍ୟ କରିଥିବ ଯେ ସମାନ ପରିବେଶରେ ରହି ମଧ୍ୟ କିଛି ଲୋକ ଅନ୍ୟମାନଙ୍କ ତୁଳନାରେ ଅଧିକ ଅସୁସ୍ଥ ହୁଅନ୍ତି। ଏପରି କାହିଁକି ହୁଏ ତୁମେ ଜାଣିଛ କି ? ରୋଗ ସହିତ ଲଢ଼ିବା ପାଇଁ ଆମ ଶରୀରର ପ୍ରାକୃତିକ କ୍ଷମତାକୁ ରୋଗ ପ୍ରତିରୋଧକ (immunity) ଶକ୍ତି କୁହାଯାଏ। ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ନାମକ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଅଛି ଯାହା ରୋଗ ବିରୁଦ୍ଧରେ ଲଢ଼ିବାରେ ସାହାଯ୍ୟ କରେ।
ତୁମେ ପିଲାବେଳେ ପୋଲିଓ, ଟିଟାନସ, ମିଳିମିଳା ଏବଂ ହେପାଟାଇଟିସ୍ ଭଳି କିଛି ରୋଗରୁ ନିଜକୁ ରକ୍ଷା କରିବା ପାଇଁ କିଛି ବୁନ୍ଦା କିମ୍ବା ଇଞ୍ଜେକ୍ସନ ନେଇଥିବ। ଏଗୁଡ଼ିକ ହେଉଛି ଟିକା (vaccines) ଯାହା ଭୂତାଣୁ ଏବଂ ବୀଜାଣୁ ଦ୍ୱାରା ହେଉଥିବା ଗୁରୁତର ସଂକ୍ରମଣକୁ ରୋକିଥାଏ। ଏକ ଟିକା ଆମ ଶରୀରର କ୍ଷତିକାରକ ଜୀବାଣୁକୁ ତଥା ଚିହ୍ନିବା ପ୍ରତିରୋଧ କରିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ବଢ଼ାଇ ଦେଇ କିଛି ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ। ଏକ ରୋଗ ପ୍ରତିରୋଧକ ଶକ୍ତି କିମ୍ବା ଟିକାର ସଂସ୍ପର୍ଶରେ ଆସିବା ପରେ ବିକଶିତ ହୋଇଥିବା ପ୍ରତିରୋଧକ ଶକ୍ତିକୁ ଅର୍ଜିତ ପ୍ରତିରକ୍ଷା ଶକ୍ତି (acquired immunity) କୁହାଯାଏ।
ଦୁର୍ବଳ କିମ୍ବା ମୃତ ରୋଗକାରକ ଅଣୁଜୀବ (ଭୂତାଣୁ ଏବଂ ବୀଜାଣୁ) କିମ୍ବା ନିଷ୍କ୍ରିୟ ଓ ଅଣକ୍ଷତିକାରକ ରୋଗକାରକ ଅଣୁଜୀବର ଅଂଶରୁ ବିଭିନ୍ନ ଉପାୟରେ ଟୀକା ତିଆରି କରାଯାଇପାରିବ। କିଛି ନୂତନ ଟୀକା ଆମ ଶରୀରର କୋଷଗୁଡ଼ିକୁ ଜୀବାଣୁର ଅଣକ୍ଷତିକାରକ ଅଂଶ ତିଆରି କରିବାକୁ ନିର୍ଦ୍ଦେଶ ଦିଏ, ଯାହା ସାହାଯ୍ୟରେ ଆମ ଶରୀର ରୋଗ ପ୍ରତିରକ୍ଷା ସଂସ୍ଥା ରୋଗ ବିରୁଦ୍ଧରେ ଲଢ଼ିବାକୁ ଶିଖେ। ଉଦାହରଣସ୍ୱରୂପ, ଆଘାତ ପରେ ଦିଆଯାଉଥିବା ଟିଟାନସ୍ ଟିକା ଟିଟାନସ୍ ସୃଷ୍ଟିକାରୀ ଜୀବାଣୁ ଦ୍ୱାରା ସଂକ୍ରମଣରୁ ରକ୍ଷା କରେ। ଏଥିରେ ଏକ ନିଷ୍କ୍ରିୟ ଜୀବାଣୁ ପ୍ରତିଷେଧକ ଥାଏ ଯାହା ରୋଗ ସୃଷ୍ଟି ନକରି ପ୍ରତିରକ୍ଷା ପ୍ରଣାଳୀକୁ ସୁରକ୍ଷା ପ୍ରଦାନ କରିଥାଏ।
ତୁମେ ଜାଣିଛ କି ପ୍ରଥମ ଟିକା କେବେ ଆବିଷ୍କୃତ ହୋଇଥିଲା ?
ଏଡୱାର୍ଡ ଜେନର ଏବଂ ବସନ୍ତ ଟିକା
ବସନ୍ତ ଏକ ମାରାତ୍ମକ ରୋଗ ଥିଲା, ଯାହା ଶରୀର ସାରା ଫୋଟକା ସୃଷ୍ଟି କରୁଥିଲା। ଲକ୍ଷ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରି ମାରି ଦେଉଥିଲା। ଗାଈମାନଙ୍କଠାରେ ଦେଖାଯାଉଥିବା ଗୋବସନ୍ତ ନାମକ ଅପେକ୍ଷାକୃତ କମ୍ ମାରାତ୍ମକ ରୋଗ ମଧ୍ୟ ମଣିଷକୁ ସଂକ୍ରମିତ ହୋଇପାରେ। ୧୭୦୦ ଦଶକର ଶେଷ ଆଡ଼କୁ ଇଂରାଜୀ ଡାକ୍ତର ଏଡୱାର୍ଡ ଜେନର ଆବିଷ୍କାର କରିଥିଲେ ଯେ ଯେଉଁମାନେ ଗୋବସନ୍ତ ରୋଗରେ ଆକ୍ରାନ୍ତ ହୋଇଥିଲେ ସେମାନଙ୍କୁ ବସନ୍ତ ହୁଏ ନାହିଁ। ଏହାହିଁ ପ୍ରଥମ ଟିକା ଉଦ୍ଭାବନ କରିବାର ମାର୍ଗ ଦେଖାଇଥିଲା ଏବଂ ଲୋକଙ୍କୁ ବସନ୍ତରୁ ରକ୍ଷା କରିଥିଲା।
ଆମର ବୈଜ୍ଞାନିକ ଐତିହ୍ୟ
ଆଧୁନିକ ଟୀକାକରଣ ପୂର୍ବରୁ ଭାରତରେ ବସନ୍ତ ରୋଗରୁ ରକ୍ଷା କରିବା ପାଇଁ ପ୍ରତିରୋଧ ସୃଷ୍ଟିକାରୀ ଭେରିଓଲେସନ (variolation) ନାମକ ଏକ ପାରମ୍ପରିକ ପଦ୍ଧତି ଥିଲା। ଏଥିରେ ଚର୍ମକୁ ସାମାନ୍ୟ କ୍ଷତ କରି ସ୍ୱଳ୍ପ ସଂକ୍ରମଣ ସୃଷ୍ଟି କରିବା ପାଇଁ ବସନ୍ତଜନିତ ଘା’ର କିଛି ଅଂଶ (ରସ) ବ୍ୟବହାର କରାଯାଇ ପ୍ରତିରୋଧକ ଶକ୍ତି ସୃଷ୍ଟି କରାଯାଉଥିଲା। ଏହି ପଦ୍ଧତି ପ୍ରୟୋଗ କରୁଥିବା ଲୋକଙ୍କୁ ଟୀକାଦାତା କୁହାଯାଏ।
ବିଜ୍ଞାନୀ ଭଳି ଚିନ୍ତା କର
- ପର୍ଯ୍ୟବେକ୍ଷଣ: ଜେନର ଦେଖିଲେ ଯେ ଗୋବସନ୍ତ ହୋଇଥିବା ଗୋପାଳକମାନଙ୍କୁ ବସନ୍ତ ହୋଇନଥିଲା, କାରଣ ଗୋବସନ୍ତ ଭୂତାଣୁ ଓ ମଣିଷ ବସନ୍ତ ଭୂତାଣୁ ଦୁଇଟି ପ୍ରାୟ ଏକା ଭଳି।
- ଅନୁମାନ: ଗୋବସନ୍ତ ଫୋଟକାରେ ଥିବା ରସ ଲୋକଙ୍କୁ ବସନ୍ତରୁ ରକ୍ଷା କରିପାରିବ।
- ପରୀକ୍ଷଣ: ସେ ଏକ ବାଳକକୁ ଗୋବସନ୍ତ ରସ ଇଞ୍ଜେକ୍ସନ ଦେଇ ଏହା ପରୀକ୍ଷା କରିଥିଲେ ଯେ ପରେ ବସନ୍ତ ସଂସ୍ପର୍ଶରେ ଆସିଲେ ମଧ୍ୟ ତାକୁ କୌଣସି ପ୍ରକାରର ସଂକ୍ରମଣ ହୋଇନଥିଲା।
- ପରିଣାମ: ସେ ଜାଣିପାରିଲେ ଯେ ଗୋବସନ୍ତ ରସ ଦ୍ୱାରା ସଂକ୍ରମିତ ଲୋକମାନେ ଏବେ ବସନ୍ତ ରୋଗକୁ ପ୍ରତିରୋଧ କରିପାରିଥିଲେ।
- ପ୍ରୟୋଗ: ଶେଷରେ ସାମୂହିକ ଟୀକାକରଣ ସାରା ବିଶ୍ୱରେ ବସନ୍ତ ରୋଗର ନିପାତ କରିବାରେ ସାହାଯ୍ୟ କରିଥିଲା। (1955: Vaccine campaign; 1979: Smallpox eradicated).
ଟିକା ହେଉଛି ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକମାନଙ୍କୁ ଅନେକ ଗୁରուତର ରୋଗରୁ ରକ୍ଷା କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ମଧ୍ୟରୁ ଗୋଟିଏ। ଏହା ରୋଗକୁ ରୋକିବାରେ, ସଂକ୍ରମଣର ପ୍ରସାରକୁ ହ୍ରାସ କରିବାରେ ଏବଂ ପ୍ରତିବର୍ଷ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବାରେ ସାହାଯ୍ୟ କରେ। ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ଟିକାଗୁଡ଼ିକ କେବଳ ରୋଗର ପ୍ରତିରୋଧକ କିନ୍ତୁ ତାର—ଚିକିତ୍ସା ନୁହେଁ। କୌଣସି ଏକ ଗୁରୁତର ରୋଗ ଆକ୍ରମଣ କରିବା ପୂର୍ବରୁ ଏହା ତା’ର ବିସ୍ତାରକୁ କମ୍ କରିବାରେ ସାହାଯ୍ୟ କରିପାରେ, କିନ୍ତୁ କେହି ଅସୁସ୍ଥ ହୋଇଯାଇଥିଲେ ଟୀକା ଦ୍ୱାରା ଚିକିତ୍ସା କରାଯାଏ ନାହିଁ। କିଛି ଲୋକ ଟିକାଗୁଡ଼ିକୁ ଭୟ କରନ୍ତି କିମ୍ବା ସନ୍ଦେହ କରନ୍ତି, କିନ୍ତୁ ବୈଜ୍ଞାନିକ ଏବଂ ଡାକ୍ତରମାନେ ସୁରକ୍ଷା ପାଇଁ ସେଗୁଡ଼ିକୁ ସତର୍କତାର ସହ ପରୀକ୍ଷା କରିଥାନ୍ତି। ଟୀକାକରଣ କେବଳ ଆପଣଙ୍କୁ ନୁହେଁ, ବରଂ ଆପଣଙ୍କ ଚାରିପାଖରେ ଥିବା ଲୋକଙ୍କୁ ମଧ្យ ସୁରକ୍ଷା ଦିଏ।
ଟୀକା ଉତ୍ପାଦନରେ ଭାରତର ଭୂମିକା
ଭାରତ ବିଶ୍ୱର ସର୍ବବୃହତ ଟୀକା ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଆମ ଦେଶ ବିପୁଳ ପରିମାଣରେ ଟୀକା ପ୍ରସ୍ତուତ କରେ ଏବଂ ଅନେକ ଦେଶକୁ ଯୋଗାଇଥାଏ। ଭାରତୀୟ ଟୀକା କମ୍ପାନୀ ମହାମାରୀ Covid-19 ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ବିଶ୍ୱ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଆମ ଦେଶର ସମର୍ଥନ ଜାରି ରହିଛି।
ବୈଜ୍ଞାନିକଙ୍କ ଠାରୁ ପ୍ରେରଣା
ଡକ୍ଟର ମହାରାଜ କିଶନ ଭାନ ଜଣେ ପ୍ରସିଦ୍ଧ ଭାରତୀୟ ଡାକ୍ତର ଏବଂ ବୈଜ୍ଞାନିକ ଥିଲେ। ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ଭାବରେ ସେ ଭାରତରେ ବିଜ୍ଞାନ ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିଥିଲେ। ସେ ରୋଟାଭାଇରସ୍ ଟିକା ବିକଶିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଯାହା ପିଲାମାନଙ୍କୁ ହଇଜାରୁ ରକ୍ଷା କରେ। ସେ ସୁଲଭ ସ୍ୱାସ୍ଥ୍ୟ ସେବା ସୃଷ୍ଟି କରିବା ପାଇଁ ଗବେଷଣାକୁ ବ୍ୟବହାର କରିବାରେ ବିଶ୍ୱାସ କରୁଥିଲେ ଏବଂ ଭାରତର ସ୍ୱାସ୍ଥ୍ୟ ଏବଂ ଜୈବ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲେ।
୩.୫.୧ : ରୋଗର ଚିକିତ୍ସା
ଯଦି ଆମର ପ୍ରତିରକ୍ଷା ପ୍ରଣାଳୀ ଆମକୁ ଏକ ସଂକ୍ରାମକ ରୋଗ ବିରୁଦ୍ଧରେ ସୁରକ୍ଷା ଦେବାରେ ବିଫଳ ହୁଏ, ତେବେ ଆମେ ଅସୁସ୍ଥ ହୋଇପଡୁ ଏବଂ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ। ଡାକ୍ତର ଆମକୁ ପ୍ରତିଜୀବକ (antibiotics) ନାମକ ଔଷଧ ଦେଇପାରନ୍ତି ଯାହା ରୋଗ ସୃଷ୍ଟି କରିଥିବା ବୀଜାଣୁକୁ ମାରିଦିଏ। ଆଣ୍ଡିବାୟୋଟିକ କେବଳ ବୀଜାଣୁ ସଂକ୍ରମଣ ବିରୁଦ୍ଧରେ କାମ କରେ, କାରଣ ସେମାନେ ନିର୍ଦ୍ଦିଷ୍ଟ ଭାବରେ ବୀଜାଣୁ କୋଷର ଅଂଶଗୁଡ଼ିକୁ ନଷ୍ଟ କରନ୍ତି ଯାହା ମଣିଷ କିମ୍ବା ଅନ୍ୟ ପ୍ରାଣୀ କୋଷଠାରୁ ଭିନ୍ନ। ଆଣ୍ଡିବାୟୋଟିକ ଆଦିପ୍ରାଣୀ ଓ ଭୂତାଣୁ ଦ୍ୱାରା ହେଉଥିବା ସଂକ୍ରମଣ ବିରୁଦ୍ଧରେ କାମ କରେ ନାହିଁ।
ବୈଜ୍ଞାନିକଙ୍କ ଭଳି ଚିନ୍ତା କର — ପ୍ରଥମ ଆବିଷ୍କୃତ ପ୍ରତିଜୀବକ – ପେନିସିଲିନ୍
ପେନିସିଲିନ୍ ଲଣ୍ଡନର ଜଣେ ବୀଜାଣୁବିତ୍ ଆଲେକ୍ଜାଣ୍ଡର ଫ୍ଲେମିଂଙ୍କ ଦ୍ୱାରା ୧୯୨୮ ରେ ଆବିଷ୍କାର କରାଯାଇଥିଲା। କ୍ଷତିକାରକ ବୀଜାଣୁ ଅଧ୍ୟୟନ କରୁଥିବା ସମୟରେ ସେ ଦେଖିଲେ ଯେ ଏକ ଫିମ୍ପି ପରିତ୍ୟକ୍ତ କାଚ ପାତ୍ର ଉପରେ ବୀଜାଣୁର ବୃଦ୍ଧିକୁ ବନ୍ଦ କରିଦେଇଥିଲା। ସେ ଅନୁଭବ କଲେ ଯେ ସେହି ଫିମ୍ପି ଏପରି ଏକ ପଦାର୍ଥ ନିର୍ଗତ କରେ ଯାହା ରୋଗକାରକ ବୀଜାଣୁକୁ ମାରି ଦେଇଥିଲା। ଏହି ଆକସ୍ମିକ ଆବିଷ୍କାର ହିଁ ପେନିସିଲିନ୍ ଭଳି ପ୍ରତିଜୀବକର ସୃଷ୍ଟି କଲା ଯାହା ବୀଜାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ପ୍ରଥମ ଆଣ୍ଟିବାୟୋଟିକ୍।
ଯଦିଓ ପ୍ରଭାବଶାଳୀ ପ୍ରତିଜୀବକର ଆବିଷ୍କାର ପରଠାରୁ ଲକ୍ଷ ଲକ୍ଷ ଜୀବନ ବଞ୍ଚି ପାରିଛି ଓ ବୀଜାଣୁ ସଂକ୍ରମଣରୁ ଆମକୁ ସୁରକ୍ଷା ଦେଇଛି, କିନ୍ତୁ ପ୍ରତିଜୀବକର ଅବିଚାରିତ ବ୍ୟବହାର ଅନୁଚିତ (ଚିତ୍ର ୩.୫ ‘କ’)। ଆଜିକାଲି ଆଣ୍ଟିବାୟୋଟିକ୍ ପ୍ରତିରୋଧ (antibiotic resistance) ବିଷୟ ଅନେକ ସମ୍ବାଦପତ୍ରରେ ଖବରର ଶିରୋନାମା ପାଲଟିଛି। ଏହି ବିଷୟଟି ହେଉଛି—ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ୍ ଦ୍ୱାରା ମରିଯାଉଥିବା ବୀଜାଣୁ ବର୍ତ୍ତମାନ ସେହି ଆଣ୍ଟିବାୟୋଟିକ୍ ଦ୍ୱାରା ଚିକିତ୍ସା ପରେ ବି ବଞ୍ଚି ରହୁଛନ୍ତି ଏବଂ ବଂଶବୃଦ୍ଧି କରିବା ଦେଖାଯାଉଛି।
କାର୍ଯ୍ୟ ୩.୭ ଆସ ସିଦ୍ଧାନ୍ତରେ ପହଞ୍ଚିବା
- ଚିତ୍ର ୩.୫ ‘ଖ’ରେ ଦିଆଯାଇଥିବା ସାରଣୀ ଭଲ ଭାବରେ ପଢ଼। ରୋଗ ସୃଷ୍ଟିକାରୀ ବୀଜାଣୁରେ ଆଣ୍ଡିବାୟୋଟିକ୍ ପ୍ରତିରୋଧ କିପରି ବିକଶିତ ହୋଇଛି ବୋଲି ତୁମେ ଭାବୁଛ ? ଆଣ୍ଡିବାୟୋଟିକ୍ ପ୍ରତିରୋଧକୁ ହ୍ରାସ କରିବା ପାଇଁ ଆମେ କେଉଁ ସତର୍କତା ଅବଲମ୍ବନ କରିପାରିବା ?
- ଆଣ୍ଡିବାୟୋଟିକ୍ ପ୍ରତିରୋଧ ସମସ୍ୟାର ମୁକାବିଲା କରିବା ପାଇଁ କେବଳ ଅନୁଭୂତିସମ୍ପନ୍ନ ଡାକ୍ତରଙ୍କ ପରାମର୍ଶରେ ଉପଯୁକ୍ତ ମାତ୍ରା ଓ ନିର୍ଦ୍ଦିଷ୍ଟ ସମୟ ଅନୁସାରେ ବ୍ୟବହାର କରିବା। ପ୍ରତିଜୀବକ (antibiotic)ର ଅନାବଶ୍ୟକ ବ୍ୟବହାରକୁ ପ୍ରତିହତ କଲେ ଉପକାରୀ ଅଣୁଜୀବଙ୍କ ସଂଖ୍ୟା ବୃଦ୍ଧିପାଏ ଏବଂ ପରବର୍ତ୍ତୀ ବଂଶଧରଙ୍କ ପାଇଁ ଏହା ଫଳପ୍ରଦ ହୁଏ।
ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପରିଚାଳନା ପାଇଁ ଆୟୁର୍ବେଦ, ସିଦ୍ଧ ଏବଂ ୟୁନାନି ଭଳି ପାରମ୍ପରିକ ଔଷଧ ପ୍ରଣାଳୀ ବହୁ ବର୍ଷ ଧରି ଭାରତରେ ବ୍ୟବହୃତ ହୋଇଆସୁଛି। ରୋଗର ନିରାକରଣ ତଥା ସୁସ୍ଥ ଶରୀର ପାଇଁ ସେମାନେ ଉତ୍ତମ ଜୀବନଶୈଳୀ ଓ ସୁଷମ ଖାଦ୍ୟକୁ ପ୍ରୋତ୍ସାହିତ କରି ଚେରମୂଳି, ତେଲ ଓ ଖଣିଜ ପଦାର୍ଥ ଭଳି ପ୍ରାକୃତିକ ପଦାର୍ଥ ବ୍ୟବହାର କରୁଥିଲେ।
ଆଣ୍ଡିବାୟୋଟିକ୍ ପ୍ରତି ବ୍ୟାକ୍ଟେରିଆ କିପରି ପ୍ରତିରୋଧୀ ହୁଏ ?
- କିଛି ଅଣୁଜୀବ ଆଣ୍ଟିବାୟୋଟିକ୍ ପ୍ରତି ପ୍ରତିରୋଧ ବିକଶିତ କରନ୍ତି।
- ଯେତେବେଳେ ଆଣ୍ଟିବାୟୋଟିକ୍ ରୋଗ ସୃଷ୍ଟିକାରୀ ବୀଜାଣୁକୁ ମାରିଦିଏ, ସେମାନେ ଶରୀରକୁ ସଂକ୍ରମଣରୁ ରକ୍ଷା କରୁଥିବା ଭଲ ବୀଜାଣୁକୁ ମଧ୍ୟ ମାରିଦିଏ।
- ଶରୀରରେ ଆଣ୍ଟିବାୟୋଟିକ ପ୍ରତିରୋଧୀ ବୀଜାଣୁ ବୃଦ୍ଧି ପାଏ।
- କିଛି ବୀଜାଣୁ ଅନ୍ୟ ବୀଜାଣୁକୁ ଆଣ୍ଟିବାୟୋଟିକ୍ ପ୍ରତିରୋଧ ସ୍ଥାନାନ୍ତର କରନ୍ତି, ଯାହା ଅଧିକ ସମସ୍ୟା ସୃଷ୍ଟି କରେ।
ଯଦିଓ ଏହି ବ୍ୟବସ୍ଥା କେତେକ ପରିସ୍ଥିତିରେ ଦୈନନ୍ଦିନ ସୁସ୍ଥତା ପାଇଁ ଉପଯୋଗୀ, କିନ୍ତୁ ସେଗୁଡ଼ିକ ସମସ୍ତ ପ୍ରକାର ରୋଗ ଓ ରୋଗର ସବୁ ସ୍ତର ପାଇଁ ପ୍ରଭାବଶାଳୀ ହୋଇନପାରେ।
ଅଣସଂକ୍ରାମକ ରୋଗ ପାଇଁ ଲକ୍ଷଣଗୁଡ଼ିକୁ ଠିକ୍ ଭାବରେ ପରିଚାଳନା କରି ଉପଯୁକ୍ତ ଔଷଧ ପ୍ରୟୋଗ ଓ ଜୀବନଶୈଳୀ ପରିବର୍ତ୍ତନ ଦ୍ୱାରା ଜୀବନର ଗୁଣବତ୍ତା ବୃଦ୍ଧି ଭିତ୍ତିକ ଚିକିତ୍ସା ପଦ୍ଧତି ଉପରେ ଧ୍ୟାନ ଦିଆଯାଏ। ପ୍ରାରମ୍ଭିକ ଅବସ୍ଥାରେ ରୋଗ ଚିହ୍ନଟ ଏକ ନିରନ୍ତର ଯନ୍ତ୍ର ମାଧ୍ୟମରେ ରୋଗର ଅଗ୍ରଗତିକୁ ନିୟନ୍ତ୍ରଣ କରିବା ଓ ଜଟିଳତାକୁ ରୋକିବା ସମ୍ଭବ ହୋଇଥାଏ।
ମୁଖ୍ୟ ବିନ୍ଦୁ
- ସ୍ୱାସ୍ଥ୍ୟ କହିଲେ କେବଳ ରୋଗର ଅନୁପସ୍ଥିତି ନୁହେଁ, ବରଂ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତାକୁ ବୁଝାଇଥାଏ।
- ଖୁସିରେ ରହିବା ଦ୍ୱାରା ଆମେ ସକ୍ରିୟ ଓ ସୁସ୍ଥ ରହିଥାଉ ଏବଂ ଉତ୍ତମ ସ୍ୱାସ୍ଥ୍ୟ ମଧ୍ୟ ଆମର ମନୋଭାବକୁ ଉନ୍ନତ କରେ। ଶାରୀରିକ ସ୍ୱାସ୍ଥ୍ୟ ଏବଂ ଖୁସି ଅନୁଭବ କରିବା ପରସ୍ପର ପରିପୂରକ।
- ଏକ ରୋଗ ଶରୀର କିମ୍ବା ମନର ସାଧାରଣ କାର୍ଯ୍ୟକୁ ପ୍ରଭାବିତ କରେ।
- ଲକ୍ଷଣଗୁଡ଼ିକ ହେଉଛି ଯାହା ଆମେ ଅନୁଭବ କରୁ (ଯେପରିକି ଯନ୍ତ୍ରଣା କିମ୍ବା କ୍ଳାନ୍ତି), କିନ୍ତୁ ସଙ୍କେତଗୁଡ଼ିକ ଦେଖାଯାଇପାରେ କିମ୍ବା ମାପ କରାଯାଇପାରେ (ଯେପରିକି ଜ୍ୱର କିମ୍ବା ଶରୀରରେ ଦାଗ)।
- ମଧୁମେହ ଏବଂ ହୃଦରୋଗ ପରି ଅଣସଂକ୍ରମିତ ରୋଗଗୁଡ଼ିକ ଜୀବାଣୁ ଦ୍ୱାରା ନୁହେଁ, ବରଂ ଜୀବନଶୈଳୀ ଏବଂ ପରିବେଶଗତ କାରଣ ଦ୍ୱାରା ହୋଇଥାଏ।
- ସୁସ୍ଥ ଅଭ୍ୟାସ, ଜୀବନଶୈଳୀ ପରିବର୍ତ୍ତନ ଏବଂ ନିୟମିତ ବ୍ୟାୟାମ ଦ୍ୱାରା ଏଗୁଡ଼ିକୁ ପ୍ରାୟତଃ ରୋକାଯାଇପାରିବ।
- ସଂକ୍ରାମକ ରୋଗଗୁଡ଼ିକ ବୀଜାଣୁ, ଭୂତାଣୁ କିମ୍ବା କୃମି ଦ୍ୱାରା ସୃଷ୍ଟି ହୋଇଥାଏ।
- ଆମର ପ୍ରତିରକ୍ଷା ପ୍ରଣାଳୀ ଆମକୁ କ୍ଷତିକାରକ ରୋଗଜୀବାଣୁଙ୍କଠାରୁ ରକ୍ଷା କରିବାରେ ସାହାଯ୍ୟ କରେ।
- ଜୀବାଣୁର ମୃତ, ଦୁର୍ବଳ କିମ୍ବା ଅଣକ୍ଷତିକାରକ ଅଂଶ ବ୍ୟବହାର କରି, ଟୀକା ରୋଗକୁ ରୋକିବା ପାଇଁ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ତାଲିମ ଦିଏ।
- ରୋଗର ପରିଚାଳନା ଏବଂ ନିରାକରଣ ପାଇଁ ରୋଗର ଚିହ୍ନଟ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଜିଜ୍ଞାସା ବଜାୟ ରଖ
୧. ନିମ୍ନ ଛବିଗୁଡ଼ିକରେ ଦେଖାଯାଇଥିବା ରୋଗଗୁଡ଼ିକୁ ସଂକ୍ରାମକ କିମ୍ବା ଅଣସଂକ୍ରାମକ ଭାବରେ ଶ୍ରେଣୀଭୁକ୍ତ କର।
- ଥଣ୍ଡା ଏବଂ ଫ୍ଲୁ - ଟାଇଫଏଡ଼୍ - ଶ୍ୱାସରୋଗ - ମିଳିମିଳା - ମଧୁମେହ
୨. ରୋଗଗୁଡ଼ିକୁ ବ୍ୟାପକ ଭାବରେ ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗରେ ବିଭକ୍ତ କରାଯାଇପାରିବ। ତଳେ ଦିଆଯାଇଥିବା ବିକଳ୍ପଗୁଡ଼ିକରୁ ଅଣସଂକ୍ରାମକ ରୋଗଗୁଡ଼ିକୁ ଚିହ୍ନଟ କର। (i) ଟାଇଫଏଡ଼୍ (ii) ଶ୍ୱାସରୋଗ (iii) ମଧୁମେହ (iv) ମିଳିମିଳା (a) (i) ଓ (ii) (b) (ii) ଓ (iii) (c) (i) ଓ (iv) (d) (ii) ଓ (iv)
୩. ତୁମ ବିଦ୍ୟାଳୟରେ ଫ୍ଲୁର ପ୍ରକୋପ ଚାଲିଛି। ଅନେକ ସହପାଠୀ ଅନուପସ୍ଥିତ ଅଛନ୍ତି, ସେତେବେଳେ ମଧ୍ୟ କିଛି ପିଲା କାଶିବା ଏବଂ ଛିଙ୍କିବା ସହ ବିଦ୍ୟାଳୟକୁ ଆସୁଛନ୍ତି। (i) ଅଧିକ ବ୍ୟାପିବାକୁ ରୋକିବା ପାଇଁ ବିଦ୍ୟାଳୟ ତୁରନ୍ତ କ'ଣ ପଦକ୍ଷେପ ନେବା ଉଚିତ୍ ? (ii) ଯଦି ତୁମ ପାଖରେ ବସୁଥିବା ସହପାଠୀଙ୍କ ଠାରେ ଥଣ୍ଡା, ଜ୍ୱରର ଲକ୍ଷଣ ଦେଖାଦିଏ, ତେବେ ତୁମେ କିପରି ଭଦ୍ର ଓ ବିଚାରଶୀଳ ଭାବରେ ପ୍ରତିକ୍ରିୟା ପ୍ରଦର୍ଶନ କରିବ ? (iii) ତୁମେ ଏହି ପରିସ୍ଥିତିରେ କିପରି ନିଜକୁ ଏବଂ ଅନ୍ୟମାନଙ୍କୁ ସଂକ୍ରମିତ ହେବାରୁ ରକ୍ଷା କରି ପାରିବ ?
୪. ତୁମ ପରିବାର ମ୍ୟାଲେରିଆ ବ୍ୟାପିଥିବା ଅନ୍ୟ ଏକ ସହରକୁ ଯାତ୍ରା କରିବାକୁ ଯୋଜନା କରୁଛନ୍ତି। ଏଠାରେ.... (i) ଯାତ୍ରା ପୂର୍ବରୁ, ଯାତ୍ରା ସମୟରେ ଏବଂ ଯାତ୍ରା ପରେ ତୁମେ କ'ଣ ସତର୍କତା ଅବଲମ୍ବନ କରିବା ଉଚିତ୍ ? (ii) ତୁମେ ତୁମର ଭାଇଭଉଣୀଙ୍କୁ ମଶାରୀ ଓ ମଶା ପ୍ରତିରୋଧକର ଗୁରୁତ୍ଵ କିପରି ବୁଝାଇ ପାରିବ ? (iii) ଯଦି ଯାତ୍ରୀମାନେ ଏପରି ଅଞ୍ଚଳରେ ସ୍ୱାସ୍ଥ୍ୟ ପରାମର୍ଶକୁ ଅଣଦେଖା କରନ୍ତି ତେବେ କ'ଣ ହୋଇପାରେ ?
୫. ତୁମ ଦାଦା ତାଙ୍କ ବନ୍ଧୁମାନଙ୍କ ସହିତ ମିଶି ଧୂମ୍ରପାନ ଆରମ୍ଭ କରିଛନ୍ତି, ଯଦିଓ ଏହା ସମସ୍ତେ ଜାଣନ୍ତି ଯେ ଧୂମ୍ରପାନ ଶରୀରକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇବା ସହ ମୃତ୍ୟୁ ମୁଖରେ ପକାଇଥାଏ। (i) କଠୋର ନ ହୋଇ ତାଙ୍କୁ ବନ୍ଦ କରିବା ପାଇଁ ତୁମେ କ'ଣ କହିବ ? (ii) ଯଦି ତୁମର ବନ୍ଧୁ ଏକ ଭୋଜିରେ ତୁମକୁ ସିଗାରେଟ୍ଟିଏ ଦିଅନ୍ତି, ତେବେ ତୁମେ କ'ଣ କରିବ ? (iii) ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଏପରି କ୍ଷତିକାରକ ଅଭ୍ୟାସରୁ ନିବୃତ୍ତ ରହିବା ପାଇଁ କିପରି ସାହାଯ୍ୟ କରିପାରିବେ ?
୬. ସରସ୍ୱତୀ ତାର ସାଙ୍ଗ ବନିତାକୁ କହୁଛି “ଆଣ୍ଟିବାୟୋଟିକ୍ ଯେକୌଣସି ସଂକ୍ରମଣରୁ ଆମକୁ ରକ୍ଷା କରିପାରେ, ତେଣୁ ଆମକୁ ରୋଗ ଭଲ ହେବା ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ।” ସରସ୍ୱତୀ ତାର ବକ୍ତବ୍ୟ ଭୁଲ୍ ଅଛି ବୋଲି ବୁଝିବା ପାଇଁ ବନିତା ତାକୁ କେଉଁ ପ୍ରଶ୍ନ ପଚାରି ପାରିବ ?
୭. ନିମ୍ନଲିଖିତ ସାରଣୀରେ ଏକ ବର୍ଷ ମଧ୍ୟରେ ହସ୍ପିଟାଲରେ ରିପୋର୍ଟ ହୋଇଥିବା ଡେଙ୍ଗୁ ମାମଲା ସଂଖ୍ୟା ବିଷୟରେ ସୂଚନା ଦିଆଯାଇଛି :
| କ୍ରମିକ ସଂଖ୍ୟା | ମାସ | ଡେଙ୍ଗୁ ରୋଗୀ ସଂଖ୍ୟା |
|---|---|---|
| ୧ | ଜାନୁଆରୀ | ୧୦ |
| ୨ | ଫେବୃଆରୀ | ୧୨ |
| ୩ | ମାର୍ଚ୍ଚ | ୧୫ |
| ୪ | ଅପ୍ରେଲ | ୧୮ |
| ୫ | ମଇ | ୨୨ |
| ୬ | ଜୁନ୍ | ୪୦ |
| ୭ | ଜୁଲାଇ | ୬୫ |
| ୮ | ଅଗଷ୍ଟ | ୬୫ |
| ୯ | ସେପ୍ଟେମ୍ବର | ୬୫ |
| ୧୦ | ଅକ୍ଟୋବର | ୩୦ |
| ୧୧ | ନଭେମ୍ବର | ୩୦ |
| ୧୨ | ଡିସେମ୍ବର | ୩୦ |
Y- ଅକ୍ଷରେ ରୋଗୀ ସଂଖ୍ୟା ଏବଂ X- ଅକ୍ଷରେ ମାସ ନେଇ ଏକ ବାରଗ୍ରାଫ୍ ତିଆରି କର। ତୁମ ଫଳାଫଳକୁ ଭଲ ଭାବରେ ବିଶ୍ଳେଷଣ କରି ନିମ୍ନଲିଖିତ ଉତ୍ତର ଦିଅ : (x) କେଉଁ ତିନି ମାସରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଥିଲା ? (xi) କେଉଁ ମାସରେ ସବୁଠାରୁ କମ୍ ରୋଗୀ ସଂଖ୍ୟା ଥିଲା ? (xii) କେଉଁ ମାସଗୁଡ଼ିକରେ ପ୍ରାକୃତିକ କିମ୍ବା ପରିବେଶଗତ କାରଣ ଯୋଗୁଁ ଡେଙ୍ଗୁ ରୋଗୀ ସଂଖ୍ୟା ଅଧିକ ବୃଦ୍ଧି ପାଇଛି ? (xiii) ଡେଙ୍ଗୁ ରୋଗର ପ୍ରସାରକୁ ହ୍ରାସ କରିବା ପାଇଁ ଗୋଷ୍ଠୀ କିମ୍ବା ସରକାର ସଂକ୍ରମଣ ବୃଦ୍ଧି ପାଉଥିବା ଋତୁ ପୂର୍ବରୁ କ'ଣ ପ୍ରତିରୋଧକ ପଦକ୍ଷେପ ନେଇ ପାରିବେ, ତୁମେ ପରାମର୍ଶ ଦିଅ।
୮. କଳ୍ପନା କର ଯେ ତୁମେ ଏକ ବିଦ୍ୟାଳୟ ସ୍ୱାସ୍ଥ୍ୟ ଅଭିଯାନର ଦାୟିତ୍ଵରେ ଅଛ। ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗ ହ୍ରାସ କରିବା ପାଇଁ ତୁମେ କେଉଁ କେଉଁ ମୁଖ୍ୟ ବାର୍ତ୍ତା ବ୍ୟବହାର କରିବ ?
୯. ଥଣ୍ଡା କାଶ ଭଳି ଭୂତାଣୁ ସଂକ୍ରମଣ ପାଇଁ ଆମେ ଆଣ୍ଟିବାୟୋଟିକ୍ ନେବା ଉଚିତ୍ ନୁହେଁ ବୋଲି ସୁପାରିଶ କରାଯାଇଛି, ତୁମେ ଏହି ସୁପାରିଶର ସମ୍ଭାବ୍ୟ କାରଣ କହି ପାରିବ କି ?
୧୦. ଯଦି ସଂକ୍ରମିତ ବ୍ୟକ୍ତିଙ୍କ ମଳ ଦ୍ୱାରା ପାନୀୟ ଜଳ ଦୂଷିତ ହુଏ, ତେବେ ନିମ୍ନଲିଖିତ ମଧ୍ୟରୁ କେଉଁ ରୋଗ ବ୍ୟାପିବାର ସମ୍ଭାବନା ରହିଛି ? ହେପାଟାଇଟିସ୍-ଏ, ଯକ୍ଷ୍ମା, ହଇଜା, ପୋଲିଓ ଓ ହାଡ଼ଫୁଟି।
୧୧. ଯେତେବେଳେ ଆମର ଶରୀର ପ୍ରଥମ ଥର ପାଇଁ ଏକ ରୋଗକାରକ ଅଣୁଜୀବର ସମ୍ମୁଖୀନ ହୁଏ, ସେତେବେଳେ ପ୍ରତିରୋଧକ ପ୍ରତିକ୍ରିୟା ସାଧାରଣତଃ କମ୍ ଥାଏ; କିନ୍ତୁ ପୁନର୍ବାର ସେହି ରୋଗଜୀବାଣୁ ସଂସ୍ପର୍ଶରେ ଆସିଲେ ଶରୀରର ରୋଗ ପ୍ରତିରୋଧକ ପ୍ରତିକ୍ରିୟา ବହୁତ ଅଧିକ ହୋଇଥାଏ। ଏହା କାହିଁକି ?
ଆବିଷ୍କାର, ପରିକଳ୍ପନା ଓ ତର୍କ
- ତୁମ୍ଭେମାନେ ଗୋଟିଏ ମାସର ନିଜର ଖାଦ୍ୟ, ନିଦ୍ରା, ବ୍ୟାୟାମ, ପରିଷ୍କାର ପରିଚ୍ଛନ୍ନତା, ମୋବାଇଲ ଓ ଟେଲିଭିଜନ ଦେଖିବା ସମୟ ଏବଂ ଭାବପ୍ରବଣ ମାନସିକ ସ୍ଥିତି ଏକ ସ୍ୱାସ୍ଥ୍ୟ ଡାଏରୀରେ ଲେଖି ରଖ।
- ସ୍ୱାସ୍ଥ୍ୟ ଏବଂ ରୋଗ କ୍ଷେତ୍ରରେ ସୁନୀତି ସୋଲୋମନ, ଡକ୍ଟର ୟେଲାପ୍ରଗଦା ସୁବାରାଓ, ଅସୀମା ଚାଟାର୍ଜୀ, ଡକ୍ଟର ମେରୀ ପୁନେନ ଲୁକୋସେଙ୍କ ଭଳି ଭାରତୀୟ ବୈଜ୍ଞାନିକଙ୍କ ବିଷୟରେ ପଢ଼।
- ଟୀକାକରଣ ଦ୍ୱାରା ବସନ୍ତ ପରି ମାରାତ୍ମକ ରୋଗକୁ ମଧ୍ୟ ଦୂର କରାଯାଇ ପାରିଥିଲା। ଏହା କିପରି କରାଯାଇଥିଲା ଏବଂ ଏହା କାହିଁକି ସଫଳତାର ସହ କାର୍ଯ୍ୟ କରିଥିଲା, ତାହା ଅନୁସନ୍ଧାନ କର। ଅନ୍ୟମାନଙ୍କକୁ ସୁରକ୍ଷା ଦେବା ପାଇଁ ସମସ୍ତଙ୍କୁ ଟୀକାକରଣ କରାଯିବା ଆବଶ୍ୟକ କି ନାହିଁ ତାହା ବିତର୍କ କର।
- ବର୍ତ୍ତମାନର ନିର୍ଦ୍ଦେଶାବଳୀ ଅନୁସାରେ ହଠାତ୍ ଶ୍ୱାସକ୍ରିୟା ବନ୍ଦ ହୋଇଯିବା କ୍ଷେତ୍ରରେ ଜଣେ ବୟସ୍କ ବ୍ୟକ୍ତିଙ୍କ ଉପରେ ହୃଦ୍ -ଫୁସ୍ଫୁସୀୟ ପୁନଃରୁତ୍ଥାନ (Cardio Pulmonary Resuscitation - CPR) କରିବା ପାଇଁ ପଦକ୍ଷେପଗୁଡ଼ିକର ସଠିକ୍ କ୍ରମ ଶିଖ। ସ୍କୁଲ୍କୁ ଜଣେ ଡାକ୍ତର କିମ୍ବା ଜଣେ ବୃତ୍ତିଗତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରି ମକ୍ ଡ୍ରିଲ୍ ପ୍ରଦର୍ଶନ କରିବାକୁ କୁହାଯାଇ ପାରେ।
- ସ୍କୁଲ୍କୁ ଜଣେ ଡାକ୍ତରଙ୍କୁ ନିମନ୍ତ୍ରଣ କରି ଛାତ୍ରଛାତ୍ରୀମାନଙ୍କୁ କୁପୋଷଣ (କମ୍ ପୁଷ୍ଟିସାର ଏବଂ ଅତ୍ୟଧିକ ପୁଷ୍ଟିସାର) ସମସ୍ୟା ଉପରେ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ଉତ୍ସାହିତ କରାଯାଇପାରେ।
- ଯଦି ତୁମକୁ ଏକ ସ୍ୱାସ୍ଥ୍ୟ କାର୍ଡ଼ ତିଆରି କରିବାର ସୁଯୋଗ ଦିଆଯାଏ, ତେବେ ତୁମେ ଏଥିରେ କ’ଣ ସବୁ ଅନ୍ତର୍ଭୁକ୍ତ କରିବାକୁ ଚାହିଁବ ? ତୁମେ ନିଜର ସ୍ୱାସ୍ଥ୍ୟ କାର୍ଡ଼ ତିଆରି କର ଏବଂ ଏହା ବିଷୟରେ ଆଲୋଚନା କର।
- ସାଥୀମାନଙ୍କ ଉପରେ ଫାଷ୍ଟଫୁଡ୍ର କୁପ୍ରଭାବ ଅଛି କି ? ଏକ ବିତର୍କ କର।
ତୁମ ବନ୍ଧୁମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଶ୍ନଗୁଡ଼ିକ ଉପରେ ଚିନ୍ତା କର ଏବଂ ଉତ୍տର ଦେବାକୁ ଚେଷ୍ଟା କର.....