ବିଦ୍ୟୁତ୍ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ
ଚତୁର୍ଥ ଅଧ୍ୟାୟ
ଅନୁସନ୍ଧାନ ଓ ଚିନ୍ତନ
- ଏକ ବିଦ୍ୟୁତ୍ କୋଷ ସହିତ ବିଦ୍ୟୁତ୍ ପରିପଥ ତିଆରି କରିବା ସମୟରେ ଯଦି ଆମ ପାଖରେ ବିଦ୍ୟୁତ୍ ବତୀ ନାହିଁ, ତେବେ ପରିପଥରେ ବିଦ୍ୟୁତ୍ ପ୍ରବାହ ହେଉଛି କି ନାହିଁ ତାହା ଜାଣିବାର ଅନ୍ୟ କୌଣସି ଉପାୟ ଅଛି କି ?
- ଅସ୍ଥାୟୀ ଚୁମ୍ବକ ତିଆରି କରିବା ସମ୍ଭବ କି ? ଏଗୁଡ଼ିକ କିପରି ତିଆରି କରାଯାଇପାରିବ ?
- ଜୀବାଶ୍ମ ଇନ୍ଧନ ଓ କାଠ ଜାଳି ଆମେ ଉତ୍ତାପ ସୃଷ୍ଟି କରିପାରୁ; କିନ୍ତୁ ବିଭିନ୍ନ ବୈଦ୍ୟୁତିକ ଉପକରଣରେ ଉତ୍ତାପ କିପରି ସୃଷ୍ଟି ହୁଏ ?
- କୌଣସି ବିଦ୍ୟୁତ୍ କୋଷ କିମ୍ବା ବ୍ୟାଟେରୀ ଅଚଳ କି ନୁହେଁ ଆମେ କିପରି ଜାଣିବା ? ସବୁ ବିଦ୍ୟୁତ୍ କୋଷ ଓ ବ୍ୟାଟେରୀ ପୁନଃ ଚାର୍ଜିତ କରାଯାଇପାରିବ କି ?
- ତୁମେ ତୁମ ପ୍ରଶ୍ନଗୁଡ଼ିକୁ ଅନ୍ୟମାନଙ୍କ ସହ ଆଲୋଚନା କର ।
ସେଦିନ ଥିଲା ବିଜ୍ଞାନ ପ୍ରଦର୍ଶନୀର ଦିନ ଆଉ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ ସହ ବିଦ୍ୟାଳୟଟି ଉତ୍ସବ ମୁଖର ହେଉଥିଲା । ଆଦି ଏବଂ ସୁବାସ ସେମାନଙ୍କ ସାଙ୍ଗମାନଙ୍କ ସହିତ ଗୋଟିଏ ପ୍ରକଳ୍ପରୁ ଅନ୍ୟ ପ୍ରକଳ୍ପ ପାଖକୁ ଯାଇ ଉତ୍ସାହରେ ବିଭିନ୍ନ ପ୍ରକଳ୍ପ ଅନ୍ୱେଷଣ କରୁଥିଲେ, ପ୍ରଶ୍ନ ପଚାରୁଥିଲେ ଓ ତଥ୍ୟଗୁଡ଼ିକ ଲେଖୁଥିଲେ । ଗୋଟିଏ ସରଳ ପ୍ରକଳ୍ପ ସେମାନଙ୍କୁ ବାସ୍ତବରେ ମୁଗ୍ଧ କରିଦେଇଥିଲା । ଏହା ଥିଲା ଏକ କାର୍ଯ୍ୟକ୍ଷମ ପ୍ରକଳ୍ପ ଯେଉଁଥିରେ ଭାରୋତ୍ତଳନାକରୀ ବିଦ୍ୟୁତ୍ ଚୁମ୍ବକ କଥା କୁହାଯାଉଥିଲା, ଯାହା ଜଣେ ବରିଷ୍ଠ ଛାତ୍ରୀ ଶୁଭଶ୍ରୀ ପ୍ରଦର୍ଶନ କରିଥିଲେ । ଏଥିରେ ସାଧାରଣ କ୍ରେନର ଆଙ୍କୁଡ଼ା ପରିବର୍ତ୍ତେ, ଗୋଟିଏ ତାର ଗୁଡ଼ାଯାଇଥିବା ଲୁହା କଣ୍ଟା ଥିଲା ଆଉ ଏହା ଏକ ବ୍ୟାଟେରୀ ସହ ସଂଯୁକ୍ତ ହେଉଥିଲା । ଯେତେବେଳେ ଶୁଭଶ୍ରୀ ବିଦ୍ୟୁତ୍ ପରିପଥ ସମ୍ପୂର୍ଣ୍ଣ କରି ପ୍ରକଳ୍ପକୁ ଚଲାଇଲା, କଣ୍ଟାଟି ଲୁହା କାଗଜ କ୍ଲିପ୍ଗୁଡ଼ିକୁ ଚୁମ୍ବକ ପରି ଉଠାଇ ନେଉଥିଲା । ଯେତେବେଳେ ସେ ତାକୁ ବନ୍ଦ କଲା, କ୍ଲିପ୍ଗୁଡ଼ିକ ଖସି ପଡ଼ିଗଲା । ଆଦି ଏବଂ ସୁବାସ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନଙ୍କର ମନେପଡ଼ିଲା ଯେ ଆଗରୁ (ପୂର୍ବ ଶ୍ରେଣୀର “ଚୁମ୍ବକ ଅନ୍ୱେଷଣ” ଅଧ୍ୟାୟରେ) ସେମାନେ ଶିଖୁଥିଲେ ଯେ ଚୁମ୍ବକୀୟ ପଦାର୍ଥଗୁଡ଼ିକ ଚୁମ୍ବକ ଦ୍ୱାରା ଆକର୍ଷିତ ହୁଅନ୍ତି ଏବଂ ଲୁହା ଏକ ଚୁମ୍ବକୀୟ ପଦାର୍ଥ । କିନ୍ତୁ ଶୁଭଶ୍ରୀର ପ୍ରକଳ୍ପରେ କୌଣସି ଚୁମ୍ବକ ନଥିଲା, କେବଳ ଏକ ବିଦ୍ୟୁତ୍ ପରିପଥ ଥିଲା । ସେମାନେ ଏହାକୁ ନିଜେ କରିବାକୁ ଉତ୍ସାହିତ ହୋଇଥିଲେ ।
୪.୧ ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ ଅଛି କି ?
କାର୍ଯ୍ୟ ୪.୧ : ଆସ ଅନୁସନ୍ଧାନ କରିବା ।
- ଏକ ଚୁମ୍ବକୀୟ କମ୍ପାସ୍, ଏକ ବିଦ୍ୟୁତ୍ କୋଷ (Electric Cell), ଏକ କୋଷ ଧାରକ (Cell holder), ଦୁଇଟି ଡ୍ରଇଂ ପିନ୍, ଗୋଟିଏ ସେପ୍ଟି ପିନ୍, ଦୁଇଟି କଣ୍ଟା, ଦୁଇ ଖଣ୍ଡ ସଂଯୋଗକାରୀ ତାର (ଗୋଟିଏ ଲମ୍ବା ଓ ଗୋଟିଏ ଛୋଟ) ଆଉ ଦୁଇ ଖଣ୍ଡ ଛୋଟ କାର୍ଡବୋର୍ଡ଼ ସଂଗ୍ରହ କର ।
- ଦୁଇଟି ଡ୍ରଇଂ ପିନ୍, ଗୋଟିଏ ସେପ୍ଟି ପିନ୍ ଏବଂ ଗୋଟିଏ କାର୍ଡବୋର୍ଡ଼ ଖଣ୍ଡ ବ୍ୟବହାର କରି ଗୋଟିଏ ସୁଇଚ୍ ତିଆରି କର (ଯେପରି ତୁମେ ପୂର୍ବ ଶ୍ରେଣୀର ‘ବିଦ୍ୟୁତ୍ : ପରିପଥ ଓ ସେମାନଙ୍କର ଉପାଦାନ’ ଅଧ୍ୟାୟରେ ତିଆରି କରିଥିଲ) ।
- ବ୍ୟାଟେରୀ (କୋଷ)କୁ ଧାରକରେ ରଖ ।
- ଚିତ୍ର ୪.୧ (କ) ରେ ଦେଖାଯାଇଥିବା ପରି ଦୁଇଟି କଣ୍ଟା ଗୋଟିଏ କାର୍ଡବୋର୍ଡ଼ ଖଣ୍ଡରେ ଲଗାଅ । ଲମ୍ବା ତାରର ମଧ୍ୟ ଭାଗକୁ ଦୁଇ କଣ୍ଟା ମଧ୍ୟରେ ଟାଣି ରଖ, ଯାହା କାର୍ଡବୋର୍ଡ଼ ପୃଷ୍ଠରୁ ଟିକେ ଉପରେ ରହିବ । ସେହି ତାରର ଗୋଟିଏ ମୁଣ୍ଡକୁ କୋଷ ଧାରକ ସହିତ ଓ ଅନ୍ୟ ମୁଣ୍ଡକୁ ସୁଇଚ୍ ମଧ୍ୟରେ ସଂଯୋଗ କର ।
- ଦ୍ୱିତୀୟ ତାରକୁ କୋଷ ଧାରକ ଓ ସୁଇଚ୍ ମଧ୍ୟରେ ସଂଯୋଗ କର ।
- ଚୁମ୍ବକୀୟ କମ୍ପାସକୁ ଦୁଇ କଣ୍ଟା ମଧ୍ୟରେ ଥିବା ତାର ତଳେ ରଖ (ଚିତ୍ର ୪.୧ କ) ।
- କମ୍ପାସ୍ ସୂଚୀକୁ ଦେଖୁଥିବା ସମୟରେ, ତାରରେ ବିଦ୍ୟୁତ୍ ପ୍ରବାହ ହେବା ପାଇଁ ସୁଇଚକୁ ଅନ୍ (ON) କର । ତୁମେ କ'ଣ ପର୍ଯ୍ୟବେକ୍ଷଣ କଲ ?
- ବର୍ତ୍ତମାନ ଆଉ ଥରେ କମ୍ପାସ୍ ସୂଚୀକୁ ଲକ୍ଷ୍ୟ କର ଏବଂ ସୁଇଚକୁ ଅଫ୍ (OFF) କର, ଏଥର ତୁମେ କ'ଣ ଲକ୍ଷ୍ୟ କଲ ?
- ସୁଇଚକୁ ଅନ୍ ଏବଂ ଅଫ୍ ସ୍ଥିତି ମଧ୍ୟରେ କିଛି ଥର ଚଳାଅ । ପ୍ରତ୍ୟେକ ଥର କମ୍ପାସ୍ ସୂଚୀ କିପରି କାର୍ଯ୍ୟ କରୁଛି ତାହା ଭଲ ଭାବେ ପର୍ଯ୍ୟବେକ୍ଷଣ କର ।
ତୁମେ ଲକ୍ଷ୍ୟ କରିଥିବ, ଯେତେବେଳେ ପରିପଥ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ, କମ୍ପାସ୍ ସୂଚୀ ତାର ମୂଳ ସ୍ଥାନରୁ ବିକ୍ଷେପିତ ହୋଇଯାଏ । ଯେତେବେଳେ ବିଦ୍ୟୁତ୍ ସ୍ରୋତ ପ୍ରବାହ ବନ୍ଦ ହୋଇଯାଏ, ସୂଚୀ ତାର ମୂଳ ସ୍ଥାନକୁ ଫେରିଯାଏ ।
ତୁମେ ପୂର୍ବରୁ ଜାଣିଛ ଯେ କମ୍ପାସ୍ ସୂଚୀ ଏକ କ୍ଷୁଦ୍ର ଚୁମ୍ବକ ଯାହା ଅନ୍ୟ ଏକ ଚୁମ୍ବକକୁ ପାଖକୁ ଆଣିଲେ ଏହାର ସୂଚୀ ବିକ୍ଷେପିତ ହୁଏ । ମଝିରେ ଅଣଚୁମ୍ବକୀୟ ପଦାର୍ଥ ରହିଥିଲେ ମଧ୍ୟ ଏହି ଚୁମ୍ବକୀୟ ପ୍ରଭାବ କାର୍ଯ୍ୟ କରେ । କିନ୍ତୁ ତାରରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ପାଖରେ ଥିବା କମ୍ପାସ୍ ସୂଚୀ କାହିଁକି ବିକ୍ଷେପିତ ହୋଇଥାଏ ? ଏହି ବିକ୍ଷେପଣରୁ ଜଣାଯାଏ ଯେ ବିଦ୍ୟୁତ୍ ସ୍ରୋତବାହୀ ତାରର ଚୁମ୍ବକୀୟ ପ୍ରଭାବ ଅଛି ଯାହା କମ୍ପାସ୍ ସୂଚୀ ଉପରେ ପଡ଼ୁଛି । ଯେତେବେଳେ ବିଦ୍ୟୁତ୍ ସ୍ରୋତ ବନ୍ଦ ହୋଇଯାଉଛି, ଏହି ଚୁମ୍ବକୀୟ ପ୍ରଭାବ ଆଉ ରହେ ନାହିଁ, ତେଣୁ କମ୍ପାସ୍ ସୂଚୀ ପୂର୍ବ ଅବସ୍ଥାକୁ ଫେରି ଆସେ । ଏକ ଚୁମ୍ବକ ବା ବିଦ୍ୟୁତ୍ ସ୍ରୋତ ବହନକାରୀ ତାର ନିକଟସ୍ଥ ଅଞ୍ଚଳରେ ଚୁମ୍ବକୀୟ କ୍ଷେତ୍ର (Magnetic Field) ଥାଏ ଯେଉଁଠାରେ ଚୁମ୍ବକୀୟ ପ୍ରଭାବ ଅନୁଭୂତ ହୁଏ ।
ଯେତେବେଳେ ବିଦ୍ୟୁତ୍ ସ୍ରୋତ ଏକ ପରିବାହୀ ମଧ୍ୟ ଦେଇ ପ୍ରବାହିତ ହୁଏ, ଏହା ତାର ଚାରିପାଖେ ଏକ ଚୁମ୍ବକୀୟ କ୍ଷେତ୍ର ତିଆରି କରେ । ଏହି ପ୍ରତିଭାସ ବା ତତ୍ତ୍ୱକୁ ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ କୁହାଯାଏ । ବିଦ୍ୟୁତ୍ ପ୍ରବାହ ବନ୍ଦ ହେବା ମାତ୍ରେ ଚୁମ୍ବକୀୟ କ୍ଷେତ୍ର ଉଭେଇଯାଏ ।
ବୈଜ୍ଞାନିକଙ୍କ ଠାରୁ ପ୍ରେରଣା ତୁମେ ଏବେ ସେହି ଆବିଷ୍କାର କଲ ଯାହା ବୈଜ୍ଞାନିକ ହାନ୍ସ ଖ୍ରୀଷ୍ଟିଆନ୍ ଓର୍ଷ୍ଟେଡ୍ (୧୭୭୭-୧୮୫୧) ୧୮୨୦ରେ କରିଥିଲେ, ଅର୍ଥାତ୍ ବିଦ୍ୟୁତ୍ ଏବଂ ଚୁମ୍ବକ ପରସ୍ପର ସହ ସମ୍ପର୍କିତ । ସେ ଡେନମାର୍କର ଗୋଟିଏ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିଲେ । କୁହାଯାଏ ଯେ ଥରେ ଏକ ବିଜ୍ଞାନ ପ୍ରଦର୍ଶନ କରିବା ସମୟରେ, ସେ ଲକ୍ଷ୍ୟ କଲେ ଯେ ଯେତେବେଳେ ବି ଗୋଟିଏ ବିଦ୍ୟୁତ୍ ପଥ ବନ୍ଦ କିମ୍ବା ଖୋଲା ହେଲା, ପାଖରେ ରଖାଯାଇଥିବା ଚୁମ୍ବକୀୟ କମ୍ପାସ୍ ସୂଚୀ ବିକ୍ଷେପିତ ହେଲା । ସେ ଏହାର ଅନୁସନ୍ଧାନ କଲେ ଏବଂ ଯେତେବେଳେ ସେ ନିଶ୍ଚିତ ହେଲେ ଯେ ବିଦ୍ୟୁତ୍ ସ୍ରୋତ ପ୍ରକୃତରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରେ, ସେତେବେଳେ ଏହି ତଥ୍ୟ ପ୍ରକାଶ କଲେ । ଏହି ପରୀକ୍ଷାକୁ ଅନ୍ୟ ବୈଜ୍ଞାନିକମାନେ ବାରମ୍ବାର ଅନୁସନ୍ଧାନ କରି ସତ୍ୟରେ ଉପନୀତ ହେଲେ ଏବଂ ବିଦ୍ୟୁତ୍ ଓ ଚୁମ୍ବକ ମଧ୍ୟରେ ସମ୍ପର୍କ ସମ୍ବନ୍ଧରେ ଅଧିକ ଗବେଷଣା କଲେ ।
ବିଦ୍ୟୁତ୍ ଶକ୍ତିର ଚୁମ୍ବକୀୟ ପ୍ରଭାବକୁ ବିନିଯୋଗ କରି ବ୍ୟାବହାରିକ ବହୁ ଯନ୍ତ୍ର ଯେପରିକି ବିଦ୍ୟୁତ୍ ଚୁମ୍ବକ, ବେଲ୍ (ବିଦ୍ୟୁତ୍ ଘଣ୍ଟି), ମୋଟର, ପଙ୍ଖା, ମାଇକ୍, ଡାକବାଜି ଯନ୍ତ୍ର ଭଳି ଅନେକ ଯନ୍ତ୍ର ଏବେ ମିଳୁଛି ।
୪.୧.୧ ବିଦ୍ୟୁତ୍-ଚୁମ୍ବକ
କାର୍ଯ୍ୟ ୪.୨ : ଆସ ଅନ୍ୱେଷଣ କରିବା
- ପ୍ରାୟ ୫୦ ସେ.ମି. ଦୈର୍ଘ୍ୟର ନମନୀୟ ବିଦ୍ୟୁତ୍ ପ୍ରତିରୋଧୀ ଆବୃତ ପରିବାହୀ ତାର, ଏକ ଲୁହା କଣ୍ଟା, ଏକ ବିଦ୍ୟୁତ୍ କୋଷ ଏବଂ କିଛି ଲୁହା କାଗଜ କ୍ଲିପ୍ ନିଅ ।
- ପରିବାହୀ ତାରଟିକୁ କଣ୍ଟା ଚାରିପାଖରେ ଦୃଢ଼ ଭାବେ ଗୁଡ଼ାଇ ଚିତ୍ର ୪.୨ ରେ ଦେଖାଯାଇଥିବା ଭଳି କୁଣ୍ଡଳୀ (coil) ପ୍ରସ୍ତୁତ କର ଏବଂ ଏହାକୁ ଅଠା ଫିତା ଦ୍ୱାରା ବାନ୍ଧି ରଖ ।
- ତାରର ମୁଣ୍ଡଗୁଡ଼ିକ ବ୍ୟାଟେରୀ ସହ ସଂଯୋଗ କର । ଧ୍ୟାନ ରଖ ଯେପରି ତାରଗୁଡ଼ିକୁ ବ୍ୟାଟେରୀ ସହ କିଛି ସେକେଣ୍ଡରୁ ଅଧିକ ସମୟ ଯୋଡ଼ି ହୋଇ ନ ରୁହେ; ନହେଲେ ବ୍ୟାଟେରୀ ଶୀଘ୍ର ଦୁର୍ବଳ ହୋଇଯିବ ।
- ଲୁହା କଣ୍ଟାକୁ କାଗଜ କ୍ଲିପ୍ ଗୁଡ଼ିକ ନିକଟକୁ ଆଣି ଉପରକୁ ଉଠାଅ । ଲୁହା କଣ୍ଟାର ଅଗ୍ରଭାଗରେ କ୍ଲିପ୍ ଗୁଡ଼ିକ ଝୁଲିକି ରହୁଛି କି ?
- ତାରରେ ବିଦ୍ୟୁତ୍ ସ୍ରୋତ ବନ୍ଦ କରିବା ପାଇଁ ବ୍ୟାଟେରୀରୁ ତାର ଅଲଗା କର, କ୍ଲିପ୍ ଗୁଡ଼ିକ ତଳକୁ ଖସିପଡୁଛି କି ?
ଯେତେବେଳେ ବିଦ୍ୟୁତ୍ ସ୍ରୋତ ପରିବାହୀ ତାରକୁଣ୍ଡଳୀ ମଧ୍ୟରେ ପ୍ରବାହିତ ହୁଏ, ସେତେବେଳେ କ୍ଲିପ୍ ଗୁଡ଼ିକ ଏଠାରେ ଲାଗିଯାଏ । କିନ୍ତୁ ଯେତେବେଳେ ସ୍ରୋତ ବନ୍ଦ ହୋଇଯାଏ, କ୍ଲିପ୍ ଗୁଡ଼ିକ ଆଉ ଏଠାରେ ଲାଗି ରହେ ନାହିଁ । ଆସ ଏବେ କାର୍ଯ୍ୟ ୪.୩ ମାଧ୍ୟମରେ ଏହି ପର୍ଯ୍ୟବେକ୍ଷଣଗୁଡ଼ିକୁ ବିସ୍ତୃତ ଭାବେ ଅନୁସନ୍ଧାନ କରିବାକୁ ଚେଷ୍ଟା କରିବା ।
କାର୍ଯ୍ୟ ୪.୩ : ଆସ ପରୀକ୍ଷା କରିବା
- ପ୍ରାୟ ୧୦୦ ସେ.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ନମନୀୟ ବିଦ୍ୟୁତ୍ ରୋଧୀ ଆବୃତ ତାର, ଏକ ଚାର୍ଟ କାଗଜ ଖଣ୍ଡ, ଏକ ଲୁହା କଣ୍ଟା, ଏକ ବିଦ୍ୟୁତ୍ କୋଷ, ଦୁଇଟି ଚୁମ୍ବକୀୟ କମ୍ପାସ୍ ଏବଂ କିଛି ଲୁହା/ଇସ୍ପାତ କାଗଜ କ୍ଲିପ୍ ନିଅ ।
- ଚାର୍ଟ କାଗଜର ଗୋଟିଏ ଖଣ୍ଡକୁ ଗୁଡ଼େଇ ପେନସିଲ ବ୍ୟାସ ସହ ସମାନ ବ୍ୟାସର ଏକ ସିଲିଣ୍ଡର ତିଆରି କର । ଏହାକୁ ଅଠା ଫିତା ସହ ବାନ୍ଧ ।
- ଚିତ୍ର ୪.୩(କ)ରେ ଦେଖାଯାଇଥିବା ପରି ନମନୀୟ ବିଦ୍ୟୁତ୍ ପ୍ରତିରୋଧୀ ଆବୃତ ତାର ସିଲିଣ୍ଡର ଉପରେ ପ୍ରାୟ ୫୦ ଥର ଶକ୍ତ ଭାବେ ଗୁଡ଼ାଇ ଏକ ସିଲିଣ୍ଡର ଆକୃତିର କୁଣ୍ଡଳୀ ତିଆରି କର । ତାରକୁ ଅଠା ଫିତା ସହ ବାନ୍ଧ ।
- ସିଲିଣ୍ଡର ଆକୃତିର କୁଣ୍ଡଳୀର ଦୁଇ ମୁଣ୍ଡ ନିକଟରେ କମ୍ପାସଗୁଡ଼ିକୁ ରଖ (ଚିତ୍ର ୪.୩ ଖ) ।
- ଚିତ୍ର ୪.୩ (ଗ)ରେ ଦର୍ଶାଯାଇଥିବା ପରି କୁଣ୍ଡଳୀର ଦୁଇ ମୁଣ୍ଡକୁ ବ୍ୟାଟେରୀ ଦୁଇ ମୁଣ୍ଡ ସହ ଯୋଡ଼ ଏବଂ ଚୁମ୍ବକୀୟ କମ୍ପାସଗୁଡ଼ିକୁ ଲକ୍ଷ୍ୟ କର । ତୁମେ କମ୍ପାସର ସୂଚୀରେ କୌଣସି ବିକ୍ଷେପଣ ଦେଖୁଛ କି ?
- କୋଷର ଦୁଇ ମେରୁରୁ ତାରକୁ ବିଚ୍ଛିନ୍ନ କର । କମ୍ପାସର ସୂଚୀଗୁଡ଼ିକ ନିଜ ମୂଳ ସ୍ଥାନକୁ ଫେରିଯାଉଛି କି ?
- ଚିତ୍ର ୪.୩ (ଘ)ରେ ଦର୍ଶାଯାଇଥିବା ପରି କାଗଜ ସିଲିଣ୍ଡରରେ ଗୋଟିଏ ଲୁହା କଣ୍ଟା ଭର୍ତ୍ତି କର ଏବଂ ଉପରୋକ୍ତ କାର୍ଯ୍ୟଗୁଡ଼ିକ ପୁନରାବୃତ୍ତି କର । କମ୍ପାସ୍ ସୂଚୀଗୁଡ଼ିକର ବିକ୍ଷେପଣରେ କୌଣସି ପାର୍ଥକ୍ୟ ଅଛି କି ?
- ଲୁହା କଣ୍ଟାର ଦୁଇ ମୁଣ୍ଡ ନିକଟରେ କିଛି ଲୁହା କାଗଜ କ୍ଲିପ୍ ରଖ । କ୍ଲିପ୍ଗୁଡ଼ିକ ଲୁହା କଣ୍ଟାର ମୁଣ୍ଡ ଆଡ଼କୁ ଆକର୍ଷିତ ହେଉଛନ୍ତି କି ?
ଏହା ଦେଖାଯାଏ ଯେ ଯେତେବେଳେ ବିଦ୍ୟୁତ୍ ସ୍ରୋତ ସିଲିଣ୍ଡର ଆକୃତିର କୁଣ୍ଡଳୀ ମଧ୍ୟରେ ପ୍ରବାହିତ ହୁଏ, ଏହା ଚୁମ୍ବକ ପରି ଆଚରଣ କରେ ଏବଂ କମ୍ପାସ୍ ଭିତରେ ଥିବା ସୂଚୀକୁ ବିକ୍ଷେପିତ କରେ । ଯେତେବେଳେ କୁଣ୍ଡଳୀର ମଧ୍ୟ ଭାଗରେ ଗୋଟିଏ ଲୁହା କଣ୍ଟା ଭର୍ତ୍ତି କରାଯାଏ, ତେବେ କୁଣ୍ଡଳୀ ଏକ ଶକ୍ତିଶାଳୀ ଚୁମ୍ବକ ହୋଇଯାଏ ଏବଂ ଚୁମ୍ବକୀୟ କମ୍ପାସ୍ ସୂଚୀର ବିକ୍ଷେପଣ ଅଧିକ ହୁଏ । ଏହା ଲୁହା କ୍ଲିପ୍ଗୁଡ଼ିକୁ ମଧ୍ୟ ଆକର୍ଷିତ କରେ (ଚିତ୍ର ୪.୩ ଙ) । ଯେତେବେଳେ ସ୍ରୋତ ବନ୍ଦ ହୋଇଯାଏ, ସିଲିଣ୍ଡର ଆକୃତିର କୁଣ୍ଡଳୀ ତାହାର ଚୁମ୍ବକୀୟ ପ୍ରଭାବ ହରାଇ ଦିଏ ।
ଗୋଟିଏ ବିଦ୍ୟୁତ୍ ସ୍ରୋତ ବହନକାରୀ କୁଣ୍ଡଳୀ ଯାହା ଚୁମ୍ବକ ପରି ଆଚରଣ କରେ ତାହାକୁ ବିଦ୍ୟୁତ୍ ଚୁମ୍ବକ (electromagnet) କୁହାଯାଏ । ବ୍ୟବହାରିକ ପ୍ରୟୋଗ ପାଇଁ, ଅଧିକାଂଶ ବିଦ୍ୟୁତ୍ ଚୁମ୍ବକର ଭିତରେ ଏକ ଲୌହ ମଜ୍ଜା (core) ଥାଏ ଯାହା ଏହାକୁ ଏକ ଶକ୍ତିଶାଳୀ ଚୁମ୍ବକରେ ପରିଣତ କରେ ।
ବିଦ୍ୟୁତ୍ ଚୁମ୍ବକର ଦଣ୍ଡ ଚୁମ୍ବକ ପରି ଦୁଇଟି ମେରୁ ଅଛି କି ?
କାର୍ଯ୍ୟ ୪.୪ : ଆସ ଅନୁସନ୍ଧାନ କରିବା
- କାର୍ଯ୍ୟ ୪.୩ରେ ତିଆରି ବିଦ୍ୟୁତ୍ ଚୁମ୍ବକ ଏବଂ ଗୋଟିଏ ଚୁମ୍ବକୀୟ କମ୍ପାସ୍ ନିଅ । କୁଣ୍ଡଳୀର ଦୁଇ ମୁଣ୍ଡକୁ 'A' ଏବଂ 'B' ବୋଲି ଚିହ୍ନିତ କର ।
- ଚିତ୍ର ୪.୪(କ) ରେ ଦେଖାଯାଇଥିବା ପରି କୁଣ୍ଡଳୀର 'A' ମୁଣ୍ଡ ନିକଟରେ ଚୁମ୍ବକୀୟ କମ୍ପାସକୁ ରଖ ।
- କୁଣ୍ଡଳୀକୁ କୋଷ ସହ ଯୋଡ଼ ଏବଂ କମ୍ପାସକୁ ଲକ୍ଷ୍ୟ କର । ଚୁମ୍ବକୀୟ କମ୍ପାସର କେଉଁ ମେରୁ 'A' ମୁଣ୍ଡ ଆଡ଼କୁ ଆକର୍ଷିତ ହେଉଛି ତାହା ଅନୁଧ୍ୟାନ କର ।
- ଆମେ ଆଗରୁ ପଢ଼ିଛେ ଯେ ଯେତେବେଳେ ଦୁଇଟି ଚୁମ୍ବକ ପରସ୍ପର ନିକଟବର୍ତ୍ତୀ ହୁଅନ୍ତି, ବିଷମ ମେରୁ (ଉତ୍ତର-ଦକ୍ଷିଣ) ପରସ୍ପରକୁ ଆକର୍ଷଣ କରିଥାନ୍ତି । ଏଣୁ ଯଦି କମ୍ପାସ୍-ଚୁମ୍ବକର ଉତ୍ତର ମେରୁ ବିଦ୍ୟୁତ୍ ଚୁମ୍ବକର 'A' ପ୍ରାନ୍ତକୁ ଆକର୍ଷଣ କରେ, ତେବେ ବିଦ୍ୟୁତ୍ ଚୁମ୍ବକର 'A' ପ୍ରାନ୍ତ ହେଉଛି ଦକ୍ଷିଣ ମେରୁ ।
- ଏହି ପଦ୍ଧତିକୁ ବ୍ୟବହାର କରି ଆମେ ଜାଣି ପାରିବା ଯେ ବିଦ୍ୟୁତ୍ ଚୁମ୍ବକର 'B' ପ୍ରାନ୍ତଟି 'A' ପ୍ରାନ୍ତର ବିପରୀତ ମେରୁ ହେବ । ବିଦ୍ୟୁତ୍ ଚୁମ୍ବକର 'B' ପ୍ରାନ୍ତ ଉତ୍ତର ମେରୁ (ଚିତ୍ର ୪.୪ ଖ) ।
- ଆମେ ପୂର୍ବ ଶ୍ରେଣୀରେ ପଢ଼ିଥିଲେ ଯେ ଏକ ଚୁମ୍ବକର ଦୁଇଟି ମେରୁ ଥାଏ । ଚୁମ୍ବକ ପରି ଏକ ବିଦ୍ୟୁତ୍ ଚୁମ୍ବକର ମଧ୍ୟ ସେଭଳି ଉତ୍ତର ଏବଂ ଦକ୍ଷିଣ ମେରୁ ଥାଏ ।
ବୈଜ୍ଞାନିକଙ୍କ ପରି ଚିନ୍ତା କର କାର୍ଯ୍ୟ ୪.୩ କୁ ପୁନର୍ବାର କରିବା : (i) ୨-୩ଟି ବିଦ୍ୟୁତ୍ କୋଷ ଗୋଟିଏ କୁଣ୍ଡଳୀରେ ନେଇ ପରୀକ୍ଷା କର । (ii) ୨-୩ଟି ବିଦ୍ୟୁତ୍ କୋଷ କିନ୍ତୁ କୁଣ୍ଡଳୀର ଘେରା ସଂଖ୍ୟା ପରିବର୍ତ୍ତନ କରି ପରୀକ୍ଷା କର ଏବଂ କ'ଣ ପର୍ଯ୍ୟବେକ୍ଷଣ କରୁଛ ଲେଖ ।
ଗୋଟିଏ ବିଦ୍ୟୁତ୍ କୋଷ କେବଳ ଅଳ୍ପ ପରିମାଣରେ ବିଦ୍ୟୁତ୍ ସ୍ରୋତ ପ୍ରଦାନ କରେ, ତେଣୁ ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହୁଏ, ଫଳସ୍ୱରୂପ କମ୍ପାସ୍ ସୂଚୀର ବିକ୍ଷେପଣ କମ୍ ହୁଏ ଏବଂ କୁଣ୍ଡଳୀ କେବଳ କିଛି କ୍ଲିପ୍କୁ ଆକର୍ଷଣ କରିପାରେ । ବ୍ୟାଟେରୀ ମଧ୍ୟରେ ଅଧିକ ବିଦ୍ୟୁତ୍ କୋଷ ଥିଲେ ବିଦ୍ୟୁତ୍ ଚୁମ୍ବକରେ ଅଧିକ ବିଦ୍ୟୁତ୍ ସ୍ରୋତ ପ୍ରଦାନ ହୁଏ । ଏହା ଏକ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରେ, ତେଣୁ କମ୍ପାସ୍ ସୂଚୀର ବିକ୍ଷେପଣ ଅଧିକ ହୁଏ ଏବଂ କୁଣ୍ଡଳୀ ଅଧିକ କ୍ଲିପ୍କୁ ଆକର୍ଷଣ କରିପାରେ । କୁଣ୍ଡଳୀର ଘେରା ସଂଖ୍ୟା ବୃଦ୍ଧି ମଧ୍ୟ କୁଣ୍ଡଳୀକୁ ଅଧିକ ଶକ୍ତିଶାଳୀ ଚୁମ୍ବକ କରିଥାଏ ।
ପୁନର୍ବାର, ବିଦ୍ୟୁତ୍ ସ୍ରୋତର ଦିଗ ବଦଳାଇ କାର୍ଯ୍ୟ ୪.୪କୁ ପୁନର୍ବାର କରିବା, ଏହା ଫଳରେ କୁଣ୍ଡଳୀର (A) ଓ (B) ପ୍ରାନ୍ତର ମେରୁ ବଦଳି ଯିବ । ତେଣୁ ବିଦ୍ୟୁତ୍ ଚୁମ୍ବକର ଶକ୍ତି କୁଣ୍ଡଳୀ ଦେଇ ପ୍ରବାହିତ ବିଦ୍ୟୁତ୍ ସ୍ରୋତର ପରିମାଣ କିମ୍ବା କୁଣ୍ଡଳୀର ଘେରା ସଂଖ୍ୟା ପରିବର୍ତ୍ତନ କରାଯାଇ ବଦଳାଯାଇପାରେ । ପୁନର୍ବାର, ବିଦ୍ୟୁତ୍ ସ୍ରୋତର ଦିଗ ବଦଳାଇ ଏହାର ମେରୁତ୍ୱ ପରିବର୍ତ୍ତନ କରାଯାଇପାରେ ।
ଆଉ ପାଦେ ଆଗକୁ ତୁମର ମନେଥିବ, ଆମେ ପୂର୍ବରୁ ଶିଖିଲେ ଯେ ଏକ ମୁକ୍ତଭାବେ ଝୁଲାଯାଇଥିବା ଚୁମ୍ବକ ଉତ୍ତର-ଦକ୍ଷିଣ ଦିଗରେ ସ୍ଥିର ହୋଇ ରହେ । କାରଣ ଆମର ପୃଥିବୀ ନିଜେ ଏକ ବିଶାଳ ଚୁମ୍ବକ ପରି ଆଚରଣ କରେ । କିନ୍ତୁ ପୃଥିବୀ କାହିଁକି ଚୁମ୍ବକ ପରି ଆଚରଣ କରେ ? ଯେତେବେଳେ ବିଦ୍ୟୁତ୍ ସ୍ରୋତ ଏକ ପରିବାହୀ ମଧ୍ୟ ଦେଇ ଗତିକରେ, ଏହା ଚାରିପାଖରେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ । ଏହି ଘଟଣାକୁ ବିଦ୍ୟୁତ୍ ଚୁମ୍ବକୀୟ ପ୍ରଭାବ ବୋଲି କୁହାଯାଏ । ଆମ ପୃଥିବୀର କେନ୍ଦ୍ର ଅଞ୍ଚଳରେ ଲୌହ ଓ ନିକେଲ ତରଳ ଆକାରରେ ରହିଛି । ଏହି ତରଳ ମେଗ୍ମାର ଗତି ଯୋଗୁଁ ସେଠାରେ ବିଦ୍ୟୁତ୍ ସ୍ରୋତ ସୃଷ୍ଟି ହୋଇଥାଏ । ଏହି ବିଦ୍ୟୁତ୍ ସ୍ରୋତ ଯୋଗୁଁ ଏହା ଏକ ଚୁମ୍ବକୀୟ କ୍ଷେତ୍ର ଭଳି କାମ କରେ । ଦେଶ ଦେଶ ମଧ୍ୟରେ କିମ୍ବା ମହାସାଗର ମଧ୍ୟରେ ଏହା ନୌଚାଳନା କରିବାରେ ସାହାଯ୍ୟ କରେ । ଅନେକ ପ୍ରବାସୀ ପକ୍ଷୀ, ମାଛ ଏବଂ ପ୍ରାଣୀମାନେ ମହାଦେଶ ଏବଂ ସମୁଦ୍ର ପାର ହେବା ପାଇଁ ଏହି କ୍ଷେତ୍ର ବ୍ୟବହାର କରନ୍ତି । ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟ ଏକ ଢାଲ ପରି କାମ କରେ, ମହାକାଶରୁ ଆସୁଥିବା କ୍ଷତିକାରକ କଣିକାଗୁଡ଼ିକୁ ରୋକିଥାଏ ଏବଂ ପୃଥିବୀରେ ଜୀବନକୁ ସୁରକ୍ଷା ଦେବାରେ ସାହାଯ୍ୟ କରେ ।
୪.୧.୨ ଭାରୋତ୍ତଳନାକରୀ ବିଦ୍ୟୁତ୍ ଚୁମ୍ବକ
ଭାରୀ ବସ୍ତୁ ଉଠାଇବା ପାଇଁ ବିଦ୍ୟୁତ୍ ଚୁମ୍ବକ ବାସ୍ତବ ଜୀବନରେ ବ୍ୟବହାର ହୁଏ କି ? ବିଦ୍ୟୁତ୍ ଚୁମ୍ବକ ହେଉଛି ଶକ୍ତିଶାଳୀ ଚୁମ୍ବକ, ଯାହା କ୍ରେନ୍ ସହ ଝୁଲାଯାଇ ଜିନିଷକୁ ଉଠାଇଥାଏ । କ୍ରେନ୍ ଚାଳକ ବିଦ୍ୟୁତ୍ ସ୍ରୋତ ଚାଲୁ (ON) ଏବଂ ବନ୍ଦ (OFF) କରି ଚୁମ୍ବକକୁ ନିୟନ୍ତ୍ରଣ କରିପାରେ । ଯେତେବେଳେ ବିଦ୍ୟୁତ୍ ଚାଲୁ କରାଯାଏ, ବିଦ୍ୟୁତ୍ ଚୁମ୍ବକ ଲୌହ ବସ୍ତୁଗୁଡ଼ିକୁ ଉଠାଏ; ଯେତେବେଳେ ବିଦ୍ୟୁତ୍ ସ୍ରୋତ ବନ୍ଦ କରାଯାଏ, ଚୁମ୍ବକୀୟ କ୍ଷେତ୍ର ଅପସରି ଯାଏ ଏବଂ ବସ୍ତୁଗୁଡ଼ିକୁ ଛାଡ଼ି ଦିଏ । ଭାରୋତ୍ତଳନକାରୀ ବିଦ୍ୟୁତ୍ ଚୁମ୍ବକଗୁଡ଼ିକ କାରଖାନା ଏବଂ କବାଡ଼ିଖାନା (Scrap yard)ରେ ଭାରୀ ଧାତୁ ଦ୍ରବ୍ୟଗୁଡ଼ିକ ଦକ୍ଷତାର ସହିତ ଘୁଞ୍ଚାଇବା, ଉଠାଇବା ଏବଂ ସଜାଇବା ପାଇଁ ବ୍ୟାପକଭାବେ ବ୍ୟବହୃତ ହୁଏ ।
ଆଉ ପାଦେ ଆଗକୁ ଆମେ ଶିଖିଛୁ ଯେ ଯେତେବେଳେ (ତାର ପରି) ଏକ ପରିବାହୀ ଦେଇ ବିଦ୍ୟୁତ୍ ପ୍ରବାହିତ ହୁଏ, ଏହା ତାହାର ଚାରିପାଖରେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରେ । ଉଚ୍ଚ ଶ୍ରେଣୀରେ ତୁମେ ବିଦ୍ୟୁତ୍ ଏବଂ ଚୁମ୍ବକତ୍ୱ ମଧ୍ୟରେ ଏହି ଅଦ୍ଭୁତ ସମ୍ପର୍କ ବିଷୟରେ ଆହୁରି ଅଧିକ ଶିଖିବ । ଏଥିରେ ଏହି ରୋମାଞ୍ଚକର ଧାରଣା ମଧ୍ୟ ଅନ୍ତର୍ଭୁକ୍ତ ଯେ ଯେପରି ବିଦ୍ୟୁତ୍ ଯୋଗୁଁ ଚୁମ୍ବକତ୍ୱ ସୃଷ୍ଟି ହୋଇଥାଏ, ସେହିପରି ଗତିଶୀଳ ଚୁମ୍ବକ ମଧ୍ୟ ବିଦ୍ୟୁତ୍ ସୃଷ୍ଟି କରିପାରେ । ବିଦ୍ୟୁତ୍ ଏବଂ ଚୁମ୍ବକତ୍ୱ ମଧ୍ୟରେ ଏହି ଗଭୀର ସଂଯୋଗ ଆମର ଦୈନନ୍ଦିନ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ବିଦ୍ୟୁତ୍ ମୋଟରରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ (generator) ପର୍ଯ୍ୟନ୍ତ ଅନେକ ଯନ୍ତ୍ରର ଆଧାର ରୂପେ କାର୍ଯ୍ୟ କରେ ।
୪.୨ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଉଥିବା ତାର ଗରମ ହୁଏ କି ?
କାର୍ଯ୍ୟ ୪.୫ : ଆସ ପର୍ଯ୍ୟବେକ୍ଷଣ କରିବା ବିଦ୍ୟୁତ୍-ଚୁମ୍ବକ ବିଷୟକ କାର୍ଯ୍ୟ କରିବାବେଳେ, ତୁମେ କ'ଣ ଏହା ମଧ୍ୟ ଲକ୍ଷ୍ୟ କରିଛ ଯେ ତାରର ଦୁଇ ପ୍ରାନ୍ତ ଭାଗଗୁଡ଼ିକ ଗରମ ହୋଇଯାଇଥିଲା ? ଏପରି କାହିଁକି ହୁଏ ? ଏହି କାର୍ଯ୍ୟରେ ଆମେ ଏକ ବିଶେଷ ପ୍ରକାରର ତାର ବ୍ୟବହାର କରିବା, ଯାହାକୁ ନିକ୍ରୋମ ତାର କୁହାଯାଏ ।
- ପ୍ରାୟ ୧୦ ସେ.ମି. ଲମ୍ବା ଏବଂ ୧୦ ସେ.ମି. ଚଉଡ଼ାର ଏକ କାର୍ଡବୋର୍ଡ଼ ଖଣ୍ଡ, ଦୁଇଟି କଣ୍ଟା, ପ୍ରାୟ ୦.୩ ମି.ମି. ମୋଟେଇ (୨୬-୨୮ ଗେଜ) ଏବଂ ୧୦ ସେ.ମି. ଲମ୍ବା ନିକ୍ରୋମ ତାର, ଏକ ବିଦ୍ୟୁତ୍ କୋଷ, ଏକ କୋଷ ଧାରକ, ଏକ ସୁଇଚ୍ ଏବଂ ସଂଯୋଗ ତାର ନିଅ ।
- କାର୍ଡବୋର୍ଡ଼ରେ ପ୍ରାୟ ୫ ସେ.ମି. ଦୂରରେ କଣ୍ଟାଗୁଡ଼ିକୁ ବସାଅ ।
- ଏହି କଣ୍ଟାଗୁଡ଼ିକ ମଧ୍ୟରେ ନିକ୍ରୋମ ତାରକୁ ବାନ୍ଧ ଏବଂ ସୁଇଚ୍ ବନ୍ଦ (OFF) ଅବସ୍ଥାରେ ଚିତ୍ର ୪.୫ ଅନୁସାରେ ସଂଯୋଗ କର ।
- ନିକ୍ରୋମ ତାରକୁ ଛୁଆଁ, ତୁମେ କ'ଣ ଅନୁଭବ କରୁଛ ?
- ସୁଇଚ୍ ପ୍ରାୟ ୩୦ ସେକେଣ୍ଡ ପାଇଁ ଚାଲୁ (ON) ଅବସ୍ଥାକୁ ନେଇଯାଅ ଏବଂ ତାପରେ ତାକୁ ବନ୍ଦ କର । ନିକ୍ରୋମ ତାରକୁ କ୍ଷଣକ ପାଇଁ ଛୁଆଁ (ନିକ୍ରୋମ ତାରକୁ ଧରି ରଖ ନାହିଁ) । ତୁମେ କ'ଣ ଅଲଗା ଅନୁଭବ କରୁଛ ?
- ପର୍ଯ୍ୟବେକ୍ଷଣ ନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପକୁ ପୁନରାବୃତ୍ତି କର ।
ତୁମେ ଦେଖିଥିବ ଯେ ନିକ୍ରୋମ ତାର ଦେଇ ବିଦ୍ୟୁତ୍ ପ୍ରବାହିତ ହେଲେ ଏହା ଗରମ ଲାଗେ । ଏହାର କାରଣ, ଯେତେବେଳେ ଯେକୌଣସି ପରିବାହୀ ଦେଇ ବିଦ୍ୟୁତ୍ ପ୍ରବାହିତ ହୁଏ, ଏହା କିଛି ପ୍ରତିରୋଧର ସମ୍ମୁଖୀନ ହୁଏ । ବିଭିନ୍ନ ପରିବାହୀ ବିଦ୍ୟୁତ୍ ପ୍ରବାହ ପାଇଁ ବିଭିନ୍ନ ସ୍ତରର ପ୍ରତିରୋଧ ପ୍ରଦାନ କରନ୍ତି । ଉଦାହରଣସ୍ୱରୂପ, ଏକ ନିକ୍ରୋମ ତାର ସମାନ ଆକାର ଏବଂ ଲମ୍ବର ତମ୍ବା ତାର ତୁଳନାରେ ଅଧିକ ପ୍ରତିରୋଧ ପ୍ରଦାନ କରେ । ଏହି ପ୍ରତିରୋଧ କିଛି ବିଦ୍ୟୁତ୍ ଶକ୍ତିକୁ ତାପ ଶକ୍ତିରେ ରୂପାନ୍ତରିତ କରାଇଥାଏ । ଯେତେବେଳେ ଏକ ପରିବାହୀ ଦେଇ ବିଦ୍ୟୁତ୍ ପ୍ରବାହିତ ହୁଏ, ଏହା ଗରମ ହୋଇଯାଏ । ଏମିତି ଗରମ ହେବାକୁ ବିଦ୍ୟୁତ୍ର ତାପୀୟ ପ୍ରଭାବ କୁହାଯାଏ ।
ନିରାପତ୍ତା ପ୍ରତି ଧ୍ୟାନ ଦିଅ : ଯେପରି କୌଣସି ଆଘାତ ବା କ୍ଷତ ନହୁଏ ସେଥିପାଇଁ ତାରକୁ ଅଧିକ ସମୟ ପର୍ଯ୍ୟନ୍ତ ଛୁଅଁ ନାହିଁ ।
ବୈଜ୍ଞାନିକଙ୍କ ପରି ଚିନ୍ତା କର ଏହି କାର୍ଯ୍ୟ କେବଳ ଶିକ୍ଷକଙ୍କ ତତ୍ତ୍ୱାବଧାନରେ କରାଯିବା ଉଚିତ୍ । ୨ଟି ବିଦ୍ୟୁତ୍ କୋଷର ବ୍ୟାଟେରୀ ବ୍ୟବହାର କରି କାର୍ଯ୍ୟ ୪.୫ର ପୁନରାବୃତ୍ତି କର । ତୁମେ କ'ଣ ଲକ୍ଷ୍ୟ କରୁଛ ? ସମାନ ସମୟ ପାଇଁ ବିଦ୍ୟୁତ୍ ପ୍ରବାହିତ ହେଲେ କେତେବେଳେ (ଗୋଟିଏ କୋଷ ନା ଦୁଇଟି କୋଷ ଦ୍ୱାରା) ତାର ଅଧିକ ଗରମ ହୁଏ ? ଗୋଟିଏ ବିଦ୍ୟୁତ୍ କୋଷ ତୁଳନାରେ ଦୁଇଟି ବିଦ୍ୟୁତ୍ କୋଷ ସହିତ ପରୀକ୍ଷାରେ ଉତ୍ପନ୍ନ ତାପର ପରିମାଣ ଅଧିକ । ଏହାର କାରଣ ହେଉଛି ଉତ୍ପନ୍ନ ତାପ ବିଦ୍ୟୁତ୍ ସ୍ରୋତର ପରିମାଣ ଉପରେ ନିର୍ଭର କରେ । ତାରରେ ଉତ୍ପନ୍ନ ତାପ ତାରର ପଦାର୍ଥ, ମୋଟେଇ, ଲମ୍ବ ଏବଂ ବିଦ୍ୟୁତ୍ ପ୍ରବାହିତ ହେଉଥିବା ସମୟ ଉପରେ ନିର୍ଭର କରେ ।
ପୂର୍ବ ଶ୍ରେଣୀରେ, ଆମେ ପଢ଼ିଛୁ ଯେ ଏକ ଫିଲାମେଣ୍ଟ ବତୀ (incandescent lamp) ଆଲୋକ ପ୍ରଦାନ କରେ, କାରଣ ଏହାର ଫିଲାମେଣ୍ଟ ବିଦ୍ୟୁତ୍ ଦ୍ୱାରା ଉତ୍ତପ୍ତ ହୁଏ । ଅନେକ ଘରୋଇ ଉପକରଣ, ଯେପରିକି ବିଦ୍ୟୁତ୍ ରୁମ୍ ହିଟର, ଚୁଲା, ଇସ୍ତ୍ରୀ, ବୁଡ଼ି ରହିବା ଦଣ୍ଡ (immersion rod) ପାଣି ହିଟର, କେଟଲୀ ଏବଂ ହେୟାର ଡ୍ରାୟର (ଚିତ୍ର ୪.୬) ଇତ୍ୟାଦି ସମାନ ଭାବରେ ବିଦ୍ୟୁତ୍ର ତାପୀୟ ପ୍ରଭାବ ଦ୍ୱାରା କାମ କରେ । ଏହି ସମସ୍ତ ଉପକରଣରେ ଏକ ଦଣ୍ଡ ବା ତାରର କୁଣ୍ଡଳୀ ଥାଏ, ଯାହାକୁ ତାପ ଉତ୍ପାଦନକାରୀ ଉପାଦାନ (element) କୁହାଯାଏ । କିଛି ଉପକରଣରେ ଯେଉଁଠାରେ ଏହି ଉପାଦାନ ଦୃଶ୍ୟମାନ ହୋଇଥାଏ, ଏହା ଗରମ ହୋଇ ଉଜ୍ଜ୍ୱଳ ଓ ଲାଲ୍ ଦେଖାଯାଏ ।
ଓ, ଏବେ ମୁଁ ବୁଝିଛି କାହିଁକି ବିଦ୍ୟୁତ୍ ସ୍ରୋତ ବ୍ୟବହାର କରି ଏକ ଫିଲାମେଣ୍ଟ ବତୀ ଜାଳିବା କାର୍ଯ୍ୟ କଲାବେଳେ ଏହା ଗରମ ହୋଇଯାଇଥିଲା ।
ଆଉ ପାଦେ ଆଗକୁ ଅନାବଶ୍ୟକ ଉତ୍ତାପ ଜନିତ ଦୁର୍ଘଟଣାର ପ୍ରତିରୋଧ ପାଇଁ ଘରେ ବ୍ୟବହୃତ ବୈଦ୍ୟୁତିକ ତାର, ପ୍ଲଗ୍ ଓ ସକେଟ୍ ବ୍ୟବହାର କରିବା ଉଚିତ, ଯାହାର ଉପଯୁକ୍ତ ନିର୍ଦ୍ଧାରିତ ବିଦ୍ୟୁତ୍ ମାନକ (rating) ଥିବ ଯେଉଁଥିରେ ନିର୍ଦ୍ଦିଷ୍ଟ ବିଦ୍ୟୁତ୍ ସ୍ରୋତ ସୀମା ନିର୍ଦ୍ଧାରିତ ଥିବ । ବିଦ୍ୟୁତ୍ ସ୍ରୋତର ତାପନ ପ୍ରଭାବ ଅନେକ ବୈଦ୍ୟୁତିକ ଯନ୍ତ୍ରପାତିରେ ବ୍ୟବହୃତ ହୁଏ, କିନ୍ତୁ ବେଳେବେଳେ ଉପକରଣଗୁଡ଼ିକ ଅଧିକ ଗରମ ହେବା ପ୍ଲଗ୍ ଏବଂ ସକେଟ୍କୁ ନଷ୍ଟ କରିପାରେ, ଯେଉଁଠି ପ୍ଲାଷ୍ଟିକ୍ ଅଂଶଗୁଡ଼ିକ ତରଳି ଯାଇପାରେ, ଏପରିକି ଅଗ୍ନିକାଣ୍ଡ ପର୍ଯ୍ୟନ୍ତ ହୋଇପାରେ । ଘରୋଇ ବ୍ୟବହାରରେ, ଏହିପରି ଘଟଣାଗୁଡ଼ିକୁ କମ୍ କରିବା ପାଇଁ ବିଦ୍ୟୁତ୍ ପରିପଥରେ ନିରାପତ୍ତା ଉପକରଣ (ଫ୍ୟୁଜ୍ କିମ୍ବା MCB) ରଖାଯାଇଥାଏ ।
କେବେ ଶୁଣିଛି କି... ଘରୋଇ ବ୍ୟବହାର ଛାଡ଼ି, ବିଦ୍ୟୁତ୍ ପ୍ରବାହର ତାପନ ପ୍ରଭାବ ଅନେକ ଶିଳ୍ପ କ୍ଷେତ୍ରରେ ପ୍ରୟୋଗ ହେଉଛି । ଗୋଟିଏ ଉଲ୍ଲେଖନୀୟ ଉଦାହରଣ ହେଉଛି ଇସ୍ପାତ ଶିଳ୍ପରେ, ଯେଉଁଠି ଏକ ସ୍ୱତନ୍ତ୍ର ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇଥିବା ଉଚ୍ଚ ତାପମାତ୍ରା ଚୁଲା (Electric Arc Furnace) ବିଦ୍ୟୁତ୍ ସ୍ରୋତ ବ୍ୟବହାର କରି ଉତ୍ତାପ ଉତ୍ପାଦନ କରେ । ଏହା ବ୍ୟବହାର କରି ପୁରୁଣା ଇସ୍ପାତକୁ ତରଳାଇ ଓ ପୁନଃଚକ୍ରଣ କରି ବ୍ୟବହାରଯୋଗୀ ଇସ୍ପାତରେ ରୂପାନ୍ତରିତ କରିବା ପାଇଁ ବ୍ୟବହୃତ କରାଯାଏ ।
ସହଜରେ ସ୍ଥାନାନ୍ତରଣଯୋଗ୍ୟ ଶୁଷ୍କ ବିଦ୍ୟୁତ୍ର ଉତ୍ସମାନ, ଯେପରିକି ବିଦ୍ୟୁତ୍ କୋଷ ବା ବ୍ୟାଟେରୀ, ଅତ୍ୟନ୍ତ ଉପାଦେୟ । ଏଗୁଡ଼ିକ ବ୍ୟବହାର କରି ଆମେ ଏକ ଛୋଟ ବତୀ ଜଳାଇ ପାରିବା, ଚୁମ୍ବକ ତିଆରି କରିପାରିବା ଏବଂ ଏକ ତାରକୁ ଗରମ କରିପାରିବା । ହଁ, କିନ୍ତୁ ତୁମେ କେବେ ଭାବିଛ କି ଏହି ବିଦ୍ୟୁତ୍ କୋଷ ବା ବ୍ୟାଟେରୀ ଭିତରେ କ'ଣ ଅଛି ଯାହା ବିଦ୍ୟୁତ୍ ଉତ୍ପାଦନ କରେ ?
୪.୩ ବ୍ୟାଟେରୀ କିଭଳି ବିଦ୍ୟୁତ୍ ଉତ୍ପାଦନ କରେ ?
ଆସ ସର୍ବପ୍ରଥମେ ତିଆରି ହୋଇଥିବା ବିଦ୍ୟୁତ୍ କୋଷରୁ ଆଲୋଚନା ଆରମ୍ଭ କରିବା ।
୪.୩.୧ ଭୋଲ୍ଟାଇକ୍ ବିଦ୍ୟୁତ୍ କୋଷ
ଭୋଲ୍ଟାଇକ୍ ବିଦ୍ୟୁତ୍ କୋଷ, ଯାହାକୁ ଗାଲଭାନିକ୍ ବିଦ୍ୟୁତ୍ କୋଷ ମଧ୍ୟ କୁହାଯାଏ, ଚିତ୍ର ୪.୭ରେ ଦେଖାଯାଇଛି । ଏଥିରେ ଭିନ୍ନ ପଦାର୍ଥର (ତମ୍ବା ଓ ଦସ୍ତା) ଦୁଇଟି ଧାତବ ଫଳକ ଏବଂ ଇଲେକ୍ଟ୍ରୋଲାଇଟ୍ ନାମକ ଏକ ତରଳ ପଦାର୍ଥ ଅଛି, ଯାହା କାଚ କିମ୍ବା ପ୍ଲାଷ୍ଟିକ୍ ପାତ୍ରରେ ରଖାଯାଇଛି । ଏହି ଫଳକ ଦୁଇଟିକୁ ବିଦ୍ୟୁତ୍-ଅଗ୍ର (electrode) କୁହାଯାଏ । ଇଲେକ୍ଟ୍ରୋଲାଇଟ୍ (ଯାହା ସାଧାରଣତଃ ଦୁର୍ବଳ ଅମ୍ଳ କିମ୍ବା ଲୁଣ ପାଣି ହୋଇଥାଏ) କୁହାଯାଇଛି । ଏହି ଫଳକ ଏବଂ ଇଲେକ୍ଟ୍ରୋଲାଇଟ୍ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଯୋଗୁଁ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ । ପରିପଥ (circuit) ସଂଯୋଗ କରାଗଲେ ପରିପଥ ମଧ୍ୟରେ ଯୁକ୍ତ ବିଦ୍ୟୁତ୍-ଅଗ୍ରରୁ ବିଯୁକ୍ତ ବିଦ୍ୟୁତ୍-ଅଗ୍ରକୁ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇଥାଏ । ସମୟ ଅତିବାହିତ ହେବା ସଙ୍ଗେ ସଙ୍ଗେ ମିଶ୍ରଣରେ ଥିବା ରାସାୟନିକ ପଦାର୍ଥ ବ୍ୟବହୃତ ହୋଇ ଶେଷ ହୋଇଯାଏ ଏବଂ ବିଦ୍ୟୁତ୍ କୋଷ କାର୍ଯ୍ୟକରିବା ବନ୍ଦ ହୋଇଯାଏ, ସେତେବେଳେ ଏହାକୁ ମୃତ ବା ଅକାମୀ କୋଷ ବୋଲି କୁହାଯାଏ ଏବଂ ଏହା ବିଦ୍ୟୁତ୍ ଉତ୍ପାଦନ କରିପାରେ ନାହିଁ ।
କେବେ ଶୁଣିଛି କି ? ଭୋଲ୍ଟାଇକ୍ କିମ୍ବା ଗାଲଭାନିକ୍ ବିଦ୍ୟୁତ୍ କୋଷଗୁଡ଼ିକ ଦୁଇଜଣ ଇଟାଲୀୟ ବୈଜ୍ଞାନିକ, ଆଲେସାଣ୍ଡ୍ରୋ ଭୋଲ୍ଟା ଏବଂ ଲୁଇଗି ଗାଲଭାନି ସ୍ମରଣରେ ନାମିତ । ୧୭୦୦ ଦଶକର ଶେଷ ଭାଗରେ ଗାଲଭାନି ଦେଖିଲେ ଯେ ମୃତ ବେଙ୍ଗର ଗୋଡ଼ ଦୁଇଟି ଭିନ୍ନ ଧାତୁ — ତମ୍ବା ଏବଂ ଲୁହା ସହିତ ସଂସ୍ପର୍ଶରେ ଆସିଲେ ହଲଚଲ ହୋଇଥାଏ । ସେତେବେଳେ ଜଣାଥିଲା ଯେ ମାଂସପେଶୀର ଗଠନ ବିଦ୍ୟୁତ୍ ଉତ୍ପାଦନ କରିପାରେ ଏବଂ ଗାଲଭାନି ଭାବିଲେ ବିଦ୍ୟୁତ୍, ବେଙ୍ଗ ଦେହରୁ ଆପେ ଆପେ ଆସୁଛି । କିନ୍ତୁ ଭୋଲ୍ଟାଙ୍କର ଭିନ୍ନ ଧାରଣା ଥିଲା । ସେ ବିଶ୍ୱାସ କଲେ ବିଦ୍ୟୁତ୍ ଧାତୁରୁ ଆସୁଛି, ବେଙ୍ଗରୁ ନୁହେଁ । ଏହାକୁ ପରୀକ୍ଷା କରିବା ପାଇଁ, ସେ ବେଙ୍ଗର ଗୋଡ଼ ବଦଳରେ ଲବଣ ପାଣିରେ ଭିଜାଇଥିବା କାଗଜ ବ୍ୟବହାର କଲେ ଏବଂ ତଥାପି ବିଦ୍ୟୁତ୍ ସ୍ରୋତ ପାଇଲେ । ଏଥିରୁ ଜଣାଗଲା ଯେ ଧାତୁ ଏବଂ ତରଳ ପଦାର୍ଥର ସଂମିଶ୍ରଣରେ ବିଦ୍ୟୁତ୍ ସ୍ରୋତ ସୃଷ୍ଟି ହୋଇଥିଲା — ଯାହା ପ୍ରଥମ ବ୍ୟାଟେରୀ ଉଦ୍ଭାବନ ଦିଗରେ ପଥ ଦେଖାଇଲା ।
କାର୍ଯ୍ୟ ୪.୬ : ଆସ ତିଆରି କରିବା ସହଜରେ ମିଳୁଥିବା ଜିନିଷ ବ୍ୟବହାର କରି ଆମେ ନିଜର ବୈଦ୍ୟୁତିକ କୋଷ ତିଆରି କରିପାରିବା କି ?
- ପାଞ୍ଚ କିମ୍ବା ଛଅଟି ରସାଳ ଲେମ୍ବୁ, ତମ୍ବା ତାରଖଣ୍ଡ (୧-୨ ମିମି ମୋଟା) ଏବଂ ଲୁହା କଣ୍ଟା ନିଅ । ଏକ LED (ଏଲ୍.ଇ.ଡି) Light Emitting Diode ଏବଂ କିଛି ସଂଯୋଗକାରୀ ତାର ମଧ୍ୟ ନିଅ ।
- ଚିତ୍ର ୪.୮(କ)ରେ ଦେଖାଯାଇଥିବା ପରି ଗୋଟିଏ ଲେମ୍ବୁରେ ତମ୍ବା ତାର ଏବଂ ଲୁହା କଣ୍ଟାକୁ ଅଳ୍ପ ଦୂରତାରେ ରଖି ଯୋଡ଼ିଦିଅ ।
- ବାକି ସମସ୍ତ ଲେମ୍ବୁ ପାଇଁ ଉପରୋକ୍ତ ପଦ୍ଧତିର ପୁନରାବୃତ୍ତି କର ।
- ଚିତ୍ର ୪.୮(ଖ)ରେ ଦେଖାଯାଇଥିବା ପରି ତମ୍ବା ତାର ଏବଂ କଣ୍ଟାଗୁଡ଼ିକୁ ଯୋଡ଼ ।
- ସଂଯୋଗକାରୀ ତାର ବ୍ୟବହାର କରି ପ୍ରଥମ ଲେମ୍ବୁର ତମ୍ବା ତାର ଏବଂ ଶେଷ ଲେମ୍ବୁର ଲୁହା କଣ୍ଟା ମଧ୍ୟରେ LED ସଂଯୋଗ କର । ତୁମେ କ'ଣ ଦେଖୁଛ ? LED ଟି ଜଳୁଛି କି ?
- ଯଦି LED ଜଳୁ ନାହିଁ, ଏହାର ସଂଯୋଗ ଓଲଟା କର । ଏବେ LED ଜଳୁଛି କି ନାହିଁ ? ମନେରଖ ଯେ ଆମେ ପୂର୍ବରୁ ପଢ଼ିଛୁ ଯେ କେବଳ LED ର ଯୁକ୍ତାତ୍ମକ ଅଗ୍ର (ଲମ୍ବା ତାର) ବ୍ୟାଟେରୀର ଯୁକ୍ତ ଅଗ୍ର ସହ ଏବଂ LEDର ବିଯୁକ୍ତାତ୍ମକ ଅଗ୍ର (ଛୋଟ ତାର) ବ୍ୟାଟେରୀର ବିଯୁକ୍ତାତ୍ମକ ଅଗ୍ର ସହିତ ସଂଯୁକ୍ତ ହେଲେ ହିଁ LED ଦେଇ ବିଦ୍ୟୁତ୍ ପ୍ରବାହିତ ହୋଇପାରେ ।
- ଜଳୁଥିବା LED ସୂଚାଏ ଯେ ତୁମର ବିଦ୍ୟୁତ୍ କୋଷ କାମ କରୁଛି । ଏହି ବିଦ୍ୟୁତ୍ କୋଷରେ ଧାତୁ ଅଗ୍ରଗୁଡ଼ିକ ହେଉଛି ତମ୍ବା ତାର ଏବଂ ଲୁହା କଣ୍ଟା । ଇଲେକ୍ଟ୍ରୋଲାଇଟ୍ ହେଉଛି ଲେମ୍ବୁ ରସ, ଯାହା ବିଦ୍ୟୁତ୍ ପରିବହନରେ ସାହାଯ୍ୟ କରେ । ତୁମେ ଲେମ୍ବୁ ରସ ବଦଳରେ ଲୁଣ ଦ୍ରବଣ ମଧ୍ୟ ବ୍ୟବହାର କରିପାର ।
ଆଉ ପାଦେ ଆଗକୁ ବୈଦ୍ୟୁତିକ ବିଦ୍ୟୁତ୍ କୋଷ ପାଇଁ କିଛି ସାଧାରଣ ଧାତୁଯୋଡ଼ି ହେଉଛି ଦସ୍ତା/ତମ୍ବା, ଦସ୍ତା/ରୂପା, ଆଲୁମିନିୟମ୍/ତମ୍ବା, ଲୁହା/ତମ୍ବା, ମ୍ୟାଗ୍ନେସିୟମ୍/ତମ୍ବା ଏବଂ ସୀସା/ତମ୍ବା । କିଛି ଧାତୁ — ଯେପରିକି ତମ୍ବା — ଯୁକ୍ତ ଅଗ୍ର ଭାବେ କାମ କରେ, ତଥାପି କିଛି ଅନ୍ୟ ଧାତୁ — ଯେପରିକି ଦସ୍ତା — ବିଯୁକ୍ତ ଅଗ୍ର ଭାବେ କାମ କରେ । ଏହାର କାରଣ ସେମାନଙ୍କର ରାସାୟନିକ ଗୁଣ । ଆମେ ଉଚ୍ଚ ଶ୍ରେଣୀରେ ଏହି ବିଷୟରେ ଅଧିକ ଶିଖିବା ।
୪.୩.୨ ଶୁଷ୍କ ବିଦ୍ୟୁତ୍ କୋଷ
ଭୋଲ୍ଟାଇକ୍ ବିଦ୍ୟୁତ୍ କୋଷ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଥିଲା, କିନ୍ତୁ ସେଗୁଡ଼ିକ ଦୈନନ୍ଦିନ ବ୍ୟବହାର ପାଇଁ ସୁବିଧାଜନକ ନଥିଲା । ଏହା ବଦଳରେ ଶୁଷ୍କ ବିଦ୍ୟୁତ୍ କୋଷ (Dry cell) ଆଜି ସର୍ବାଧିକ ବ୍ୟବହୃତ ବିଦ୍ୟୁତ୍ କୋଷ ମଧ୍ୟରୁ ଗୋଟିଏ । ଏଗୁଡ଼ିକୁ 'ଶୁଷ୍କ' କୁହାଯାଏ କାରଣ ଏଥିରେ ଇଲେକ୍ଟ୍ରୋଲାଇଟ୍ ତରଳ ନୁହେଁ ବରଂ ଏକ ବହଳିଆ ମଣ୍ଡ (paste) । ଶୁଷ୍କ ବିଦ୍ୟୁତ୍ କୋଷର ଗଠନ ଚିତ୍ର ୪.୯ ରେ ଦେଖାଯାଇଛି । ଏଥିରେ ଏକ ଦସ୍ତା ପାତ୍ର ଅଛି ଯାହା ବିଯୁକ୍ତ ଅଗ୍ର ଭାବେ କାମ କରେ ଏବଂ ଭିତରେ ଏକ କାର୍ବନ ଦଣ୍ଡ ଅଛି ଯାହା ଧାତୁ ଟୋପି ସହ ଲାଗିଥାଏ ଏବଂ ଯୁକ୍ତ ଅଗ୍ର ଭାବେ କାମ କରେ । କାର୍ବନ ଦଣ୍ଡ ଚାରିପଟେ ବହଳିଆ ମଣ୍ଡ ଇଲେକ୍ଟ୍ରୋଲାଇଟ୍ ଘେରି ରହିଥାଏ ।
ଶୁଷ୍କ ବିଦ୍ୟୁତ୍ କୋଷ କେବଳ ଥରେ ହିଁ ବ୍ୟବହୃତ ହୁଏ, ଅର୍ଥାତ୍ ଥରେ ଏହା ବ୍ୟବହାର ସରିଗଲେ ଏହାକୁ ଫିଙ୍ଗି ଦେବାକୁ ପଡ଼େ । ଅନେକ ପ୍ରୟୋଗ ପାଇଁ, ପୁନଃଚାର୍ଜଯୋଗ୍ୟ ବ୍ୟାଟେରୀ ଏବେ ଅଧିକ ବ୍ୟବହୃତ ହେଉଛି ।
୪.୩.୩ ପୁନଃଚାର୍ଜଯୋଗ୍ୟ ବ୍ୟାଟେରୀ
ବ୍ୟାଟେରୀକୁ ରିଚାର୍ଜ କରି ଅନେକ ଥର ପୁନଃ ବ୍ୟବହାର କରାଯାଇପାରେ । ଏହା ଅପଚୟ ରୋକେ ଏବଂ ସମୟ ସହିତ ଅର୍ଥ ଅପଚୟକୁ ରୋକିଥାଏ ।
ବିଭିନ୍ନ ପ୍ରୟୋଗ ପାଇଁ ଅନେକ ପ୍ରକାରର ପୁନଃଚାର୍ଜଯୋଗ୍ୟ ବ୍ୟାଟେରୀ ବ୍ୟବହାର କରାଯାଏ — ଘଣ୍ଟା ଏବଂ ଫୋନ୍ରେ ବ୍ୟବହୃତ ଛୋଟ ବ୍ୟାଟେରୀକୁ ନେଇ ଲ୍ୟାପଟପ୍ ଏବଂ ଟ୍ୟାବଲେଟ୍ରେ ବ୍ୟବହୃତ ବ୍ୟାଟେରୀ ଏବଂ ଇନଭର୍ଟର ଚଳାଇବା କିମ୍ବା ବୈଦ୍ୟୁତିକ ଯାନବାହନ ଚଳାଇବା ପାଇଁ ବଡ଼ ବ୍ୟାଟେରୀ ପର୍ଯ୍ୟନ୍ତ (ଚିତ୍ର ୪.୧୦) । ତଥାପି, ପୁନଃଚାର୍ଜଯୋଗ୍ୟ ବ୍ୟାଟେରୀ ମଧ୍ୟ ସବୁ ଦିନ ସ୍ଥାୟୀ ହୁଏ ନାହିଁ । ଅନେକଥର ଚାର୍ଜ ଏବଂ ବ୍ୟବହାର ହେବା ପରେ ସେଗୁଡ଼ିକ ଧୀରେ ଧୀରେ କ୍ଷୟ ହୋଇଯାଏ ।
ଆହା, ତେଣୁ ଏହି କାରଣରୁ ଗୋଟିଏ କିମ୍ବା ଦୁଇ ବର୍ଷ ପରେ, ଫୋନ୍ ବ୍ୟାଟେରୀକୁ ଅଧିକ ଥର ଚାର୍ଜ କରିବାକୁ ପଡ଼େ ।
ଆଉ ପାଦେ ଆଗକୁ ଆଜି ଲିଥିୟମ୍-ଆୟନ (Li-ion) ବ୍ୟାଟେରୀ ସବୁଠାରୁ ସାଧାରଣ ପ୍ରକାରର ପୁନଃଚାର୍ଜଯୋଗ୍ୟ ବ୍ୟାଟେରୀ ଅଟେ । ଏହି ବ୍ୟାଟେରୀ ବ୍ୟବହାର କରାଯାଉଥିବା ପ୍ରାୟ ସମସ୍ତ ଉପକରଣରେ ବ୍ୟବହୃତ ହୁଏ । ଏହି ବ୍ୟାଟେରୀଗୁଡ଼ିକ ଲିଥିୟମ ଏବଂ କୋବାଲ୍ଟ ପରି ବିଶେଷ ଧାତୁ ଉପରେ ନିର୍ଭର କରେ, ଯାହା ବିଶ୍ୱର ସୀମିତ ସ୍ଥାନରେ ଖଣିରୁ ଉତ୍ତୋଳନ ଓ ପ୍ରକ୍ରିୟାକରଣ କରାଯାଏ । ଏହି କାରଣରୁ ଏବେ ବିଭିନ୍ନ ଦେଶ ପୁରୁଣା ବ୍ୟାଟେରୀ ଯୋଗାଣ ସୁରକ୍ଷିତ କରିବା, ପୁନର୍ବ୍ୟବହାର କରିବା ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ବିକଶିତ କରିବା ପାଇଁ ପ୍ରତିଯୋଗିତା କରୁଛନ୍ତି ।
ବୈଜ୍ଞାନିକମାନେ ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ବିଷୟ “କଠିନାବସ୍ଥା ବ୍ୟାଟେରୀ” (Solid state battery) ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ସେଥିରେ ଇଲେକ୍ଟ୍ରୋଲାଇଟ୍ ଭାବରେ ତରଳ କିମ୍ବା ମଣ୍ଡଳୀ ପଦାର୍ଥ ବଦଳରେ କଠିନ ପଦାର୍ଥ ବ୍ୟବହାର କରାଯାଏ । ଭବିଷ୍ୟତର ବ୍ୟାଟେରୀଗୁଡ଼ିକ ଅଧିକ ସୁରକ୍ଷିତ ରହିବ, ଦ୍ରୁତ ଚାର୍ଜ ହେବ ଏବଂ ଅଧିକ ସମୟ ଚାଲିବ । ଉନ୍ନତ ପୁନଃଚାର୍ଜିତ ବ୍ୟାଟେରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ପରିବେଶ-ଅନୁକୂଳ ବିଦ୍ୟୁତ ଶକ୍ତି ଉତ୍ସ ବିକଶିତ କରିବା ଦିଗରେ ବିଶ୍ୱ ଅଗ୍ରସର ହେଉଛି ।
ମୁଖ୍ୟ ବିଷୟ
- ଯେତେବେଳେ ବିଦ୍ୟୁତ୍ ସ୍ରୋତ ଏକ ପରିବାହୀ (ଯେପରିକି ତାର) ଦେଇ ପ୍ରବାହିତ ହୁଏ, ଏହା ତାହାର ଚାରିପାଖରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରେ । ଏହି ଘଟଣାକୁ ବିଦ୍ୟୁତ୍ ପ୍ରବାହର ଚୁମ୍ବକୀୟ ପ୍ରଭାବ କୁହାଯାଏ ।
- ବିଦ୍ୟୁତ୍ ସ୍ରୋତ ବହନ କରୁଥିବା ତାର କୁଣ୍ଡଳୀ ଯାହା ଚୁମ୍ବକ ପରି ବ୍ୟବହାର ହୁଏ ତାକୁ ବିଦ୍ୟୁତ୍-ଚୁମ୍ବକ କୁହାଯାଏ । ବ୍ୟବହାରିକ ପ୍ରୟୋଗ ପାଇଁ, ଅଧିକାଂଶ ବିଦ୍ୟୁତ୍ ଚୁମ୍ବକରେ ସେମାନଙ୍କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଭିତର ପାର୍ଶ୍ୱରେ ଲୁହା ରଖାଯାଇଥାଏ ।
- ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଉଥିବା ପରିବାହୀରେ ତାପ ଉତ୍ପନ୍ନ ହେବାକୁ ବିଦ୍ୟୁତ୍ ପ୍ରବାହର ତାପୀୟ ପ୍ରଭାବ କୁହାଯାଏ ।
- ବିଦ୍ୟୁତ୍ କୋଷ କିମ୍ବା ବ୍ୟାଟେରୀ ହେଉଛି ଏକ ଉପକରଣ ଯାହା ଭିତରେ ଘଟୁଥିବା ରାସାୟନିକ ପ୍ରତିକ୍ରିୟା କାରଣରୁ ବିଦ୍ୟୁତ୍ ଉତ୍ପନ୍ନ ହୁଏ ।
- ପୁନଃଚାର୍ଜଯୋଗ୍ୟ ବ୍ୟାଟେରୀକୁ ରିଚାର୍ଜ କରି ଅନେକଥର ପୁନଃ ବ୍ୟବହାର କରାଯାଇପାରେ ।
ଜିଜ୍ଞାସା ବଜାୟ ରଖ
୧. ଖାଲିସ୍ଥାନ ପୂରଣ କର । (i) ଭୋଲ୍ଟାଇକ୍ ବିଦ୍ୟୁତ୍ କୋଷରେ ବ୍ୟବହୃତ ଦ୍ରବଣକୁ ଇଲେକ୍ଟ୍ରୋଲାଇଟ୍ କୁହାଯାଏ । (ii) ବିଦ୍ୟୁତ୍ ସ୍ରୋତ ବହନ କରୁଥିବା ତାର କୁଣ୍ଡଳୀ ଚୁମ୍ବକ ପରି ବ୍ୟବହାର କରେ ।
୨. ସଠିକ୍ ବିକଳ୍ପ ବାଛ : (i) ଭୋଲ୍ଟାଇକ୍ ବିଦ୍ୟୁତ୍ କୋଷ ତୁଳନାରେ ଶୁଷ୍କ ବିଦ୍ୟୁତ୍ କୋଷଗୁଡ଼ିକ ସହଜରେ ନେବା ଆଣିବା କରି ହୁଏ । (ସତ୍ୟ/ମିଥ୍ୟା) (ii) ଗୋଟିଏ କୁଣ୍ଡଳୀ କେବଳ ସେତେବେଳେ ବିଦ୍ୟୁତ୍ ଚୁମ୍ବକ ହୋଇଯାଏ ଯେତେବେଳେ ଏହା ଦେଇ ବିଦ୍ୟୁତ୍ ପ୍ରବାହ ହୁଏ । (ସତ୍ୟ/ମିଥ୍ୟା) (iii) ଗୋଟିଏ ବିଦ୍ୟୁତ୍ କୋଷ ବ୍ୟବହାର କରୁଥିବା ବିଦ୍ୟୁତ୍ ଚୁମ୍ବକ, ୨ଟି ବିଦ୍ୟୁତ୍ କୋଷର ବ୍ୟବହାର କରୁଥିବା ସମାନ ବିଦ୍ୟୁତ୍ ଚୁମ୍ବକ ତୁଳନାରେ ଅଧିକ ଲୁହା କାଗଜ କ୍ଲିପ୍ ଆକର୍ଷଣ କରେ । (ସତ୍ୟ/ମିଥ୍ୟା)
୩. ଏକ ବିଦ୍ୟୁତ୍ ସ୍ରୋତ ନିକ୍ରୋମ ତାର ଦେଇ ଅଳ୍ପ ସମୟ ପାଇଁ ପ୍ରବାହିତ ହେଲା । (i) ତାରଟି ଗରମ ହୋଇଯାଏ । (ii) ତାର ତଳେ ରଖାଯାଇଥିବା ଚୁମ୍ବକୀୟ କମ୍ପାସ୍ ବିକ୍ଷେପିତ ହୁଏ । ଉପରୋକ୍ତ ମଧ୍ୟରୁ ସଠିକ୍ ବିକଳ୍ପ ବାଛ : (କ) କେବଳ (i) ଠିକ୍ (ଖ) କେବଳ (ii) ଠିକ୍ (ଗ) (i) ଏବଂ (ii) ଉଭୟ ଠିକ୍ (ଘ) (i) ଏବଂ (ii) କୌଣସି ଠିକ୍ ନୁହେଁ
୪. 'କ' ସ୍ତମ୍ଭର ଜିନିଷଗୁଡ଼ିକୁ 'ଖ' ସ୍ତମ୍ଭର ତଥ୍ୟ ସହ ମିଳାଅ ।
| 'କ' ସ୍ତମ୍ଭ | 'ଖ' ସ୍ତମ୍ଭ |
|---|---|
| (କ) ବୈଦ୍ୟୁତିକ କୋଷ | (ଘ) ରାସାୟନିକ ପ୍ରତିକ୍ରିୟା ଦ୍ୱାରା ବିଦ୍ୟୁତ୍ ଉତ୍ପନ୍ନ କରେ |
| (ଖ) ବିଦ୍ୟୁତ୍ ଇସ୍ତ୍ରୀ | (ଗ) ବିଦ୍ୟୁତ୍ ସ୍ରୋତର ତାପନ ପ୍ରଭାବ ଭିତ୍ତିରେ କାର୍ଯ୍ୟ କରେ |
| (ଗ) ନିକ୍ରୋମ ତାର | (କ) ବିଦ୍ୟୁତ୍ ହିଟର ପାଇଁ ସର୍ବାଧିକ ଉପଯୋଗୀ |
| (ଘ) ବିଦ୍ୟୁତ୍ ଚୁମ୍ବକ | (ଖ) ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ ଭିତ୍ତିରେ କାର୍ଯ୍ୟ କରେ |
୫. ନିକ୍ରୋମ ତାରକୁ ସାଧାରଣତଃ ବିଦ୍ୟୁତ୍ ତାପ ଉତ୍ପାଦନ କରୁଥିବା ଯନ୍ତ୍ରରେ ବ୍ୟବହାର କରାଯାଏ, କାରଣ ଏହା
- (ii) ବିଦ୍ୟୁତ୍ ସ୍ରୋତରୁ ଅଧିକ ଉତ୍ତାପ ସୃଷ୍ଟି କରେ ।
୬. ବୈଦ୍ୟୁତିକ ତାପନ ଉପକରଣଗୁଡ଼ିକ (ଯେପରିକି ବୈଦ୍ୟୁତିକ ହିଟର କିମ୍ବା ଚୁଲା) ପାରମ୍ପରିକ ତାପନ ପଦ୍ଧତି (ଯେପରିକି କାଠ କିମ୍ବା ଅଙ୍ଗାର ଜଳାଇବା) ଠାରୁ ଅଧିକ ସୁବିଧାଜନକ ବୋଲି ବିବେଚନା କରାଯାଏ । ସାମାଜିକ ପ୍ରଭାବକୁ ବିଚାର କରି ଏହି ତଥ୍ୟକୁ ସମର୍ଥନ କରିବା ପାଇଁ କାରଣ(ଗୁଡ଼ିକ) ଦିଅ । ଉତ୍ତର : ବୈଦ୍ୟୁତିକ ତାପନ ଉପକରଣଗୁଡ଼ିକ କାଠ କିମ୍ବା ଅଙ୍ଗାର ପରି ଧୂଆଁ ସୃଷ୍ଟି କରନ୍ତି ନାହିଁ, ଯାହା ଦ୍ୱାରା ବାୟୁ ପ୍ରଦୂଷଣ ହୁଏ ନାହିଁ ଏବଂ ସ୍ୱାସ୍ଥ୍ୟ ରକ୍ଷା ହୁଏ । ଏହା ସହିତ ଏହା ବନୀକରଣ ରକ୍ଷା କରିବାରେ ଏବଂ ସମୟ ବଞ୍ଚାଇବାରେ ସାହାଯ୍ୟ କରେ ।
୭. ଚିତ୍ର ୪.୪ (କ)କୁ ଦେଖ । ଯଦି କୁଞ୍ଜିକା ପାଖରେ ରଖାଯାଇଥିବା କମ୍ପାସ୍ ବିକ୍ଷେପିତ ହୁଏ : (i) ବିଦ୍ୟୁତ୍ ପ୍ରବାହର ପଥ ଦେଖାଇବା ପାଇଁ ଚିତ୍ରରେ ଏକ ତାର ଆଙ୍କ । (ii) ବିଦ୍ୟୁତ୍ ପ୍ରବାହିତ ହେଲେ କମ୍ପାସ୍ ସୂଚୀ କାହିଁକି ଗତି କରେ ତାହା ବୁଝାଅ । (iii) ଯଦି ତୁମେ ବ୍ୟାଟେରୀର ଅଗ୍ରଗୁଡ଼ିକୁ ପରିବର୍ତ୍ତନ କର ତେବେ ବିକ୍ଷେପଣ କେମିତି ହେବ ତାହା ପୂର୍ବାନୁମାନ କର ।
୮. ପ୍ରାରମ୍ଭିକ କାହାଣୀରେ ଥିବା ଶୁଭଶ୍ରୀ ତାର ଭାରୋତ୍ତଳନକାରୀ ବିଦ୍ୟୁତ୍ ଚୁମ୍ବକର ସୁଇଚ୍କୁ ବନ୍ଦ କରିବାକୁ ଭୁଲିଗଲା । କିଛି ସମୟ ପରେ, ଲୁହା କଣ୍ଟା ଆଉ ଲୁହା କାଗଜ କ୍ଲିପ୍ଗୁଡ଼ିକୁ ଉଠାଇପାରୁନାହିଁ, କିନ୍ତୁ ଲୁହା କଣ୍ଟାରେ ଗୁଡ଼ାଇଯାଇଥିବା ତାର ଏପର୍ଯ୍ୟନ୍ତ ଗରମ ଅଛି । ଭାରୋତ୍ତଳନକାରୀ ବିଦ୍ୟୁତ୍ ଚୁମ୍ବକ କାହିଁକି କ୍ଲିପ୍ଗୁଡ଼ିକୁ ଉଠାଇବା ବନ୍ଦ କଲା ? ସମ୍ଭାବ୍ୟ କାରଣଗୁଡ଼ିକ ଦିଅ । ଉତ୍ତର : ସୁଇଚ୍ ଅଧିକ ସମୟ ଅନ୍ ରହିବା ଯୋଗୁଁ ବ୍ୟାଟେରୀଟି ସମ୍ପୂର୍ଣ୍ଣ ଭାବେ ନିଃଶେଷ ବା ମୃତ ହୋଇଯାଇଛି । ବିଦ୍ୟୁତ୍ ପ୍ରବାହ ପ୍ରାୟ ବନ୍ଦ ହୋଇଯାଇଥିବାରୁ ଏହାର ଚୁମ୍ବକତ୍ୱ ଶକ୍ତି ଲୋପ ପାଇଛି, ମାତ୍ର ପୂର୍ବରୁ ପ୍ରବାହିତ ଉତ୍ତାପ ଯୋଗୁଁ ତାରଟି ଗରମ ରହିଛି ।
୯. ଚିତ୍ର ୪.୧୧ରେ କେଉଁ କ୍ଷେତ୍ରରେ ସୁଇଚ୍ ମୁଦ୍ରିତ (closed) ହେଲେ LED ଜଳିବ ?
୧୦. କାର୍ଯ୍ୟ ୪.୪ ର ପରି ନେହା କୁଣ୍ଡଳୀକୁ ସମାନ ରଖିଛି କିନ୍ତୁ ଲୁହା କଣ୍ଟାକୁ ବାହାର କରି କେବଳ କୁଣ୍ଡଳୀ ତାର ଛାଡ଼ିଛି । କୁଣ୍ଡଳୀ ତଥାପି କମ୍ପାସକୁ ବିକ୍ଷେପିତ କରିବ କି ? ଯଦି ହଁ, ବିକ୍ଷେପଣ ପୂର୍ବଠାରୁ ଅଧିକ ହେବ ନା କମ୍ ହେବ ? ଉତ୍ତର : ହଁ, କୁଣ୍ଡଳୀ ତଥାପି କମ୍ପାସକୁ ବିକ୍ଷେପିତ କରିବ, କିନ୍ତୁ ଲୁହା କଣ୍ଟା ନଥିବାରୁ ଏହାର ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେବ ଏବଂ ବିକ୍ଷେପଣ ପୂର୍ବ ଅପେକ୍ଷା କମ୍ ହେବ ।
୧୧. ଆମ ପାଖରେ ସମାନ ଆକୃତି ଏବଂ ଆକାରର ଚାରିଟି କୁଣ୍ଡଳୀ ଅଛି, ଯାହା ଲୁହା, ତମ୍ବା, ଆଲୁମିନିୟମ ଏବଂ ନିକ୍ରୋମରେ ତିଆରି, ଯେପରି ଚିତ୍ର ୪.୧୨ରେ ଦେଖାଯାଇଛି । ଯେତେବେଳେ କୁଣ୍ଡଳୀଗୁଡ଼ିକ ମଧ୍ୟ ଦେଇ ବିଦ୍ୟୁତ୍ ପ୍ରବାହ କରାଯାଏ କେଉଁ କ୍ଷେତ୍ରରେ କୁଣ୍ଡଳୀ ନିକଟରେ ରଖାଯାଇଥିବା କମ୍ପାସ୍ ସୂଚୀଗୁଡ଼ିକ ବିକ୍ଷେପିତ ହୋଇଥାଏ ?
- iv. ସମସ୍ତ ଚାରୋଟି ପରିପଥରେ (କାରଣ ଯେକୌଣସି ପରିବାହୀ ଦେଇ ବିଦ୍ୟୁତ୍ ଗଲେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ) ।
ଆଭିମୁଖ୍ୟ, ପରିକଳ୍ପନା ଓ ତର୍କ
- ୨୫, ୫୦, ୭୫ ଏବଂ ୧୦୦ ଘେରା ବିଶିଷ୍ଟ କୁଣ୍ଡଳୀ ତିଆରି କର । ସେଗୁଡ଼ିକୁ ଗୋଟିଏ ପରେ ଗୋଟିଏ ସମାନ ବିଦ୍ୟୁତ୍ କୋଷ ସହିତ ସଂଯୋଗ କର । ସମସ୍ତ କ୍ଷେତ୍ରରେ ସମାନ ସ୍ଥାନରେ ରଖାଯାଇଥିବା ଚୁମ୍ବକୀୟ କମ୍ପାସରେ ବିକ୍ଷେପଣ ଲକ୍ଷ୍ୟ କର । ବିଦ୍ୟୁତ୍ ଚୁମ୍ବକର ଶକ୍ତି ଉପରେ କୁଣ୍ଡଳୀର ଘେରାସଂଖ୍ୟାର ପ୍ରଭାବ ବୁଝାଅ ।
- ସମାନ ଦୈର୍ଘ୍ୟ ଏବଂ ଭିନ୍ନ ମୋଟେଇର ଦୁଇଟି ପତଳା ନିକ୍ରୋମ ତାର ନିଅ । ସେଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଏକ ପରିପଥରେ ସଂଯୋଗ କର ଏବଂ ପ୍ରତ୍ୟେକ କ୍ଷେତ୍ରରେ ୩୦ ସେକେଣ୍ଡ ପାଇଁ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେବାକୁ ଦିଅ । କେଉଁ ତାର ଅଧିକ ଗରମ ହୁଏ ଲକ୍ଷ୍ୟ କର ।
- ବିଭିନ୍ନ ଫଳ ଏବଂ ପନିପରିବା ବ୍ୟବହାର କରି ବିଦ୍ୟୁତ୍ କୋଷ ତିଆରି କରିବାକୁ ଚେଷ୍ଟା କର । ଏକ ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତ କର ।
ଆବିଷ୍କାର, ନକ୍ସା ଏବଂ କଳ୍ପନା
ଯେତେବେଳେ ବ୍ୟାଟେରୀ କାମ କରିବା ବନ୍ଦ କରେ, ଏହା ସମ୍ପୂର୍ଣ୍ଣ ଅକାମୀ ହୋଇ ନଥାଏ । ଏଥିରେ ଏପର୍ଯ୍ୟନ୍ତ ଅମ୍ଳ ପରି ପଦାର୍ଥ ଏବଂ ସୀସା, କ୍ୟାଡ଼ମିୟମ୍, ନିକେଲ, କିମ୍ବା ଲିଥିୟମ୍ ପରି ଧାତୁ ରହିପାରେ, ଯାହା ଅଗ୍ନିକାଣ୍ଡ ସୃଷ୍ଟି କରିପାରେ, କିମ୍ବା ବ୍ୟାଟେରୀକୁ ସାଧାରଣ ଅଳିଆରେ ଫିଙ୍ଗିଦେଲେ ପରିବେଶ ପାଇଁ କ୍ଷତିକାରକ ହୋଇପାରେ । ପୁନଶ୍ଚ, ଏହି ବ୍ୟାଟେରୀରେ ବ୍ୟବହୃତ ଅନେକ ପଦାର୍ଥ ମୂଲ୍ୟବାନ ଏବଂ ସେଗୁଡ଼ିକୁ ପୁନର୍ବ୍ୟବହାର (recycle) କରାଯାଇପାରେ । ଆଜିକାଲି, ବିଶେଷ ଇ-ଆବର୍ଜନା (e-waste) ପուନର୍ବ୍ୟବହାର ସୁବିଧା ଥାଇ ଅନେକ ସ୍ଥାନ ଅଛି, ଯେଉଁଠି ବ୍ୟବହୃତ ବ୍ୟାଟେରୀ ଫିଙ୍ଗାଯାଇ ପାରିବ । ବ୍ୟାଟେରୀର ପୁନର୍ବ୍ୟବହାର ଆମ ଗ୍ରହ ପୃଥିବୀ ଏବଂ ଲୋକମାନଙ୍କ ପାଇଁ ଉତ୍ତମ ।